Unknown

 

 

 

 

 

 

 

 

 

 

 

ଖମାରି

ଯମେଶ୍ଵର ମିଶ୍ର

 

ମଝି ଅଗଣା, ମୁହାଁମୁହିଁ ବସିଆସୁଚନ୍ତି—କନିଆ ପଟର ଜାତି ଭାଇ, କନିଆଟିକୁ ଦେଖିଆସିଥିବା ଦଳଟି । ପାଣି ଛୁଆଁ ଛୁଇଁ, ଝିଅ ଦିଆଦୁଇ ନଥାଉ ପଛକେ, ଦେହ ଛୁଆଁ ଛୁଇଁ ଚଳି ଯାଉଥିବା ଆଖପାଖ ଛତିଶ ପାଟକରୁ ଆଉ କେତେ ଜଣ ବି ପାଖକୁ ପାଖ ।

 

ସଂଜ ଗଡ଼ିଚି । ସବୁଜ ଲିଭୁଚି । ସବୁଜ ସାଙ୍ଗରେ ହଜିଯାଉଚି ପଲାଶର ନାଲି ହଳଦୀ ମିଶାମିଶି ରଙ୍ଗଟିକ ।

 

ସଂଜ ଗଡ଼ିଚି । ଛାଇ ପରି ଗାଁଟି ।

 

ଲିପାପୋଛା ଅଗଣା, ପଟିଆ, ମିଞ୍ଜି ମିଞ୍ଜି ଆଲୁଅ ମୁହାଁମୁହିଁ ବସିଗଲେଣି ବର ଆଉ କନିଆ ପକ୍ଷ ।

 

ଆରମ୍ଭକଲା ଚକ୍ର ଡାଙ୍ଗ—ଇ’ମାନେ ସବୁ କିଏ ? ଆମର୍‌ ଗାଁକୁ କାହିଁ ଲାଗି ଆଇଚନ୍‌-?

 

ଟିକିଏ ଗମ୍ଭୀର ଦିଶିଲା ହରି ଥପା । ଫୁଟିଲା ହସକୁ ଚାପି ରଖିଲା—କିଏ ହୋ ତମେ-? ଚୁର କି ଡକେଇତ୍‌ ନାଇଁ ତ ! କାହିଁ ଲାଗି ଆମର୍‌ ଗାଁକୁ ଠେଁଗା ବାଡ଼ି ବୁକ୍‌ଚା ପତର୍‌ ଧରି ଆଇଚ ? କିରେ ଭଗାରି, ତର୍‌ ଦୁଆରେ କାହିଁଲାଗି ବସି ରହିଚନ୍‌ ଇ’ମାନେ ? ଇ’ମାନ୍‌କଠୁ ଋଣ ବାଡ଼ି କରିଥିଲୁ କାଁ ? କେନ୍‌ଥିରେ ଋଣିଆଁ ହେଇଥିଲୁ କାଁ ?

 

ଦରଫୁଟା ହସ ଫୁଟି ଉଠିବା ଆଗରୁ ବର ପଟର ବିଶୁ ବାଘ ଉତ୍ତର ଦେଲା–ନାଇଁ ହୋ, ଆମେ ଚୁର କି ଡକେଇତ୍‌ ନାଇଁ । ଆମେ ସତ୍‌କାର୍‌ ଲୁକ ଗୁଡ଼ାକ ! ଉତରରୁ ଦଖିଣକୁ ଯାଉଥିଲୁଁ । ଯାଉଥିଲୁଁ ଯେ, ଭାତ୍‌ଖିଆ ବେଳ୍‌କୁ ଇ’ ପାଖରେ ଗୁଟେ ଜାଗାରେ ରଁ ଧାବଢ଼ା କଲୁଁ । ରଁଧାବଢ଼ା କଲୁଁ ଯେ, ଏନ୍‌ତିର ଧାବଢ଼ା କରୁ କରୁ ପଦୁଁ ଫୁଲର୍‌ ମହକଟେ ପାଇଲୁଁ । …ଖିଆ ପିଆ ସାରୁ ସାରୁ ଦେଖ୍‌ଲୁଁ ଯେ ପୁଖ୍‌ରି ଭିତରେ ସତ୍‌କୁ ସତ୍‌ ପଦୁଁ ଫୁଲ୍‍ ଫୁଟିଛି । ଫୁଲଟେ ତୁଳ୍‌ବା ଲାଗି ମନ୍‌ ଡାକୁଚି-। ସେଥିଲାଗି...

 

ଏପାଖରୁ ଶୁଣାଗଲା—ଏତେ ତ ଫୁଟିଚି କେନ୍‌ଟାକୁ ତୁଳ୍‌ବ ?

 

—ଯେନ୍‌ଟାରେ ଆମର୍‌ଶର୍‌ଧା !

 

—ତୁଳ୍‌ବ ଯେ, ହେଲେ ପୁଖ୍‌ରି ଭିତରେ ପଶି ପାର୍‌ବ କାଁ ? କେତେ ମଗ୍‌ର ! କେତେ କେଁଛ ! କେତେ ସର୍‌ପ !

 

—ପଶ୍‌ବାକୁ ବଳ ନାଇଁଥିଲେ କାହିଁଲାଗି ମନ୍‌ କରିଚୁଁ ଯେ ?

 

—ମନ୍‌କଲେ ସବୁ ନାଇଁ ମିଳେ ତ । ତମେ ପାର୍‌ବ ?

 

—ହଁ ପାର୍‌ମୁଁ ।

 

—ଅକାତ୍‌ କାତ୍‌ ପାଣି !

 

—ଡଁଗା ପଟୁଆ ପକେଇକରି ତୁଳ୍‌ମୁଁ ।

ତୁଳ୍‌ବ ଯେ, ଆଗ କହ ତ ଦେଖି ସେ ପଦୁଁ ଫୁଲ୍‌ର କେତେ ପାଖ୍‌ଡ଼ା ? କେତେ କେଶର୍‌ ? କହ ତ ଦେଖି ତା ତଳେ କେତ୍‌ ତାଳ୍‌ ପାଣି ? କେତେ ଭମ୍‌ର ଆଖ୍‌ ପାଖରେ ଉଡ଼ୁଥିଲେ ? କେନ୍‌ ଭମ୍‌ରଟା ବସିଥିଲା ? ଏତେ କଥା କହି ପାର୍‌ବ କାଁ ?

ନିତେଇ ବଘାର ପଛପଟୁ ଉଠିପଡ଼ିଲା ଆଉ ଜଣେ । ହାତ ଯୋଡ଼ିଲା—ସାଇ ଭାଇ ସାହା ନାଇଁ ହେଲେ ଏତେ କଥା କେନ୍‌ତି କରି କହି ପାର୍‌ମୁଁ, କେନ୍‌ତି କରି ତୁଳି ପର୍‌ମୁଁ ? ହଉ, ହେଲା ହେଲା, ତମ୍‌କୁ ସାହାଯିଅ ମାଗୁଚୁଁ ।

ମୁହଁ ଚାହାଁଚୁହିଁ, ହସାହସି, ଥଟା ଟାପରା......

ପରମ୍ପରା ରକ୍ଷା କରା କଥାଗୁଡ଼ିକ ସରି ଯାଇଚି । ଏତେ ଚଞ୍ଚଳ ଶେଷ ହୋଇ ନଥାନ୍ତା-। ପଦ୍ମିନୀ, କନ୍ୟା ବାଛିବାକୁ ଆସି କଥା ଆଉ ଲଥାକୁ ଯିଏ ଲମ୍ବାଲମ୍ଵି, ଗୁଳାଗୁଳି, ଗୁପାତୁପା କରି ଦେଇ ପାରିଥାନ୍ତା ସେଇ କୁହାଳିଆ ଜଇଆ ଭୁକ୍ତା ଜରରେ ପଡ଼ିଚି, ଆସି ପାରି ନାଇଁ-। ସେ ଆସିଥିଲେ କନିଆ ଦେଖି ଆସିଥିବା ପକ୍ଷକୁ ଏତେ ଶୀଘ୍ର ଆତ୍ମସମର୍ପଣ କରିବାକୁ ପଡ଼ି ନଥାନ୍ତା-। ରାତି ଅଧ ହୋଇଥାନ୍ତା । ଦୁଇ ପାଖର କୁହାଳିଆ ପାହାଡ଼ି ଗାଁର ନିଶୂନ ରାତିକୁ କରିଥା’ନ୍ତେ ଆହୁରି ମୁଖର, ଆହୁରି ତନ୍ଦ୍ରା ଶୂନ୍ୟ ।

ପରମ୍ପରା ରକ୍ଷାକରା କଥା ଗୁଡ଼ିକ ସରି ଯାଇଚି । କଥାଗୁଡ଼ିକ ଆରମ୍ଭ ହେବା ଆଗରୁ, ତେଜିଲା ଦବିଲା କଥା ଭିତରେ କନିଆ ମୂଲଟା ‘ସାତ୍‌ ଯୁଡ଼ା’ରୁ ତିନ୍‌ ଯୁଡ଼ାକୁ ଆସିଥିଲା; ସାତ ଟଙ୍କାଟା ସେଇ ସାତରେ ରହିଥିଲା ।

ପଟିଆରୁ ଉଠି ପିଣ୍ଡାରେ, ପିଣ୍ଡାରୁ ଉଠି ଦାଣ୍ଡରେ ହେଲେଣି କେତେଜଣ । ପିଣ୍ଡା ଆଲୁଅଟା ଦାଣ୍ଡଆଡ଼େ ଟିକେ ଟିକେ ପଡ଼ିଚି ।

ପିଣ୍ଡା ଉପରେ ବଇଠା ଜଳୁଚି । କିନିଆ ଦେଖି ଆସିଥିବା ପକ୍ଷ ଆଣିଚନ୍ତି ଲଣ୍ଠନ୍‌ଟିଏ–ଜଳୁଚି ଦଳ ମଝିରେ । ତାମ୍ଵି କାଚର ଉପର ଆଡ଼ୁ ମାଡ଼ି ମାଡ଼ି ଆସୁଚି ଚରି ଚରି ଆସୁଚି ଧୂଆଁ-। ନାଲି ଖଇରା ମିଶାମିଶି ଶିଖାରୁ ଧୂଆଁ ଉଠୁଚି । ଥରେ ଥରେ ନାଚୁଚି ଥରେ ଥରେ ଦୋହଲୁଚି ଶିଖା-। କାନ୍ଥରେ ବାଡ଼ରେ ନାଚୁଚନ୍ତି, ଦୋହଲୁଚନ୍ତି ବିକ୍ଷିପ୍ତ, ବିସ୍ତୃତ, ମିଶ୍ରିତ ଛାଇ । ଏ ପାଖେ ସେ ପାଖେ ମଣିଷର ହଲା ଦୋହଲା ଶୁଆ ଉଠା ବସା—ସେ ପାଖେ ବି ଛାଇ ଗୁଡ଼ିକର ନୀରବ ଅଭିନୟ-

ନିଦ ଜୁଡ଼ୁ, ବୁଡ଼ୁ ଆଖିରେ ଅନେଇଚନ୍ତି ଗାଁର କେତେଟା ଲଂଗଳା ଦର ଲଂଗଳା ପିଲା । ପିଲାରୁ ଟିକିଏ ଟପି ପାରିଲା ପୁଅ ହେଲା ଭଳି, ଶିଶୁରୁ ଟିକିଏ ଟପି ଶାଶୁଘରିଆ ଝିଅ ହେଲାଭଳି କେତେ ଜଣ ବି ପାଖାପାଖି ହେଉଚନ୍ତି, ହାଇ ମାରୁଚନ୍ତି ।

ହାଇ ମରାମରି, ଆଖି ମଳାମଳି, ଆଖି ଦଳାଦଳି, ପଡ଼ାପଡି, ଗଡ଼ାଗଡି, ଧାଁ ଧୁଇଁ ଶୋଇ ପଡ଼ିଲେଣି କେତୋଟି । ତାଙ୍କର ବି ଭାଗ ଅଛି ଖିଆ ପିଆରେ । କେତେଟା ବି ମୁକୁଳିଗଲେଣି ସଂଜ ପହର ନିଦରୁ ।

ସକାଳୁ ସକାଳୁ ବିଦା ହେଉଛନ୍ତି କନିଆ ଦେଖି ଆସିଥିବା ଦଳଟି । ପାଗମରା କୁଣିଆରୁ ଜଣେ ପାଗ ଭିଡ଼ୁ ଭିଡ଼ୁ ପଛେଇ ଯାଇଚି । ଠେଙ୍ଗାଜକା କୁଣିଆରୁ ଜଣେ ରାତି ଶୁଆ ଜାଗାରୁ ଠେଂଗା ଖୋଜୁଚି ।

 

ଭଗାରିର ଝିଅ ଅଇଁଠାକୁ ଦେଖିସାରି ସକାଳୁ ସକାଳୁ ବିଦା ହେଉଛନ୍ତି କନିଆଁ ଦେଖା ଦଳଟି । ଭଗାରିର ସ୍ତ୍ରୀ ସୁନ୍ଦରୀ ଦାଣ୍ଡ ମଝିରୁ ଅନେଇଚି ।

 

କନିଆଁ ଦେଖି ଆସିଥିବା କୁଣିଆଙ୍କୁ ଗାଁ ମୁଣ୍ଡ ଯାଏ ବାଟେଇ ଦେଇ ଗାଁ ଆଡ଼େ ଫେରିଲେ ଭଗାରି ଆଉ ନବଘନ । ଫେରି ଆସୁ ଆସୁ ନବଘନ ଆକାଶ ଆଡ଼େ ଚାହୁଁ ଥିଲା ଘନଘନ ।

 

ପହିଲି ଫଗୁଣର ଆକାଶଟାକୁ ଚାହିଁ ଚାହିଁ ଭଗାରି ଘରଆଡ଼େ ଆଗେଇ ଆସୁଥିଲା ନବଘନ । ଫିକା ନେଳି ଆକାଶ । ନେଳିଆ ତଳେ କଳା ଖଇରା ମିଶାମିଶି ଖଣ୍ଡେ ଅଦିନ ମେଘର ପଟୁଆର । ମେଘର ପଟୁଆର । ପଟୁଆର ଆଉ ଆକାଶ ମଝିରେ ମଝି ରାତିର ଉଜ୍ଜଳ ମେଘ ଖଣ୍ଡେ ଘୁମେଇ ପଡ଼ିଚି । ଘୁମନ୍ତ ମେଘ ଥରକୁଥର ଛପୁଚି, ଥରକୁଥର ଦିଶୁଚି ।

 

କନିଆ ଦେଖି ଆସିଥିବା ଦଳଙ୍କୁ ବାଟେଇ ଦେଇ ଖାଲ ଢିପ ଚଲା ବାଟରେ ଗାଁ ଦାଣ୍ଡରେ ଆଗେଇ ଆସୁଥିଲେ ଭଗାରି ଆଉ ନବଘନ । ନବଘନକୁ ପଛରେ ପକାଇ ଭଗାରି ତରତର ହୋଇ ଆଗେଇ ଆସୁଥିଲା ।

 

ଟିକକ ପରେ ନବଘନ ବି ବିଦାୟ ନେଲା ଭଗାରି ଘରୁ । ଦିନେ କେତେଟା ପରେ ତା ଝିଅକୁ ବି ଦେଖିଆସିବେ କୁନ୍ଦ ପାଲିରୁ ।

 

ଭଗାରି ଘରୁ ବିଦାୟ ନେଇ ନବଘନ ଫେରିଲା ନିଜ ଗାଁକୁ । ଗାଁ ଦାଣ୍ଡରେ ପାଦ ଦେଉ ଦେଉ ମୁହଁ ସଂଜ ।

 

ଢିପ, ଟାଙ୍ଗର, ଖାଲ, ପଡ଼ା, ଉଠା, ଦେଖା, ଛପା...ନିଜର ଏଇ ଜାଗା ଖଣ୍ଡିକ । ପାହାଡ଼ର ଠିକ୍‌ ତଳଟା । ପଧାନ, ମାହାର, ବଘାର, ଥାଟି, ପରିଛା, ମହାଖୁଡ଼...ପାଖକୁ ପାଖ ଲାଗି, ଟିକକୁ ଟିକ ଛାଡ଼ି କେତେଟା ପରିବାର—ଆଖି ପଡ଼ିଲେ ଗଣି ହୋଇଯାଏ ।

 

ଲାଛୁ ପଧାନ ଆସିଛି । ଫସଲ ଉଜୁଡ଼ା କମିଛି । ଲାଛୁ ବାଣୁଆର ସାଢ଼େ ଛ’ ପୁଟିଆ ତୁଡ଼ାଦାରଟିକୁ ଟିକେ ଟିକେ ଡରି ଆସିଲେଣି ଆଖପାଖର ବାର୍‌ହା, ମିରିଗ, ସିଂଗାଳ—ଡରିଲେଣି ସମ୍ବର, କୁଟ୍ରା—ଡରିଲେଣି ଭାଲୁ, ପେଣ୍ଡ୍ରା... । ଡରିଲେଣି; ଦୂରେଇ ରହିଲେଣି ।

 

ନିଜ ଘରେ ପହଞ୍ଚିବା ଯାଏଁ ଥରକୁ ଥର ଆକାଶକୁ ଚାହିଁ ଥିଲା ନବଘନ । ଅଗଣାରେ ପାଦ ଦଉ ଦଉ ଆଗେ ଚାଲିଲା ବାଡ଼ିପାଖ ଖଳାକୁ ।

 

ଘର ବାଡ଼ି ପାଖର ଛୋଟ ଖଳାଟି ।

 

ପାଖକୁ ପାଖ ତିନୋଟି ଘର, ତିନୋଟି ପରିବାର ।

 

ତିନୋଟି ପରିବାର—ଚଇତନ, ଚଇତା, ନବଘନ ।

 

ତିନୋଟି ଘର—ଗୋଟିଏ ଚାଳିଆ–ବାପ ଥିଲା ବେଳୁ ବାଡ଼ ପଡ଼ିଲାଣି ।

 

ମା ଯାଇଚି-ବାପ ଅଛି ।

 

ଭଗାରି ଆସିଲା ନୀତି ଦେଖି । ନବଘନର ବାହାଘରିଆ ନିମନ୍ତ୍ରଣ ରଖା ଆଉ ନାତି ଦେଖା ଏକା ସଂଗରେ ହେବ । ‘ମର୍‌ ଏଡ଼େ ଦୁଖର୍‌ ନାତି’ କହି ଖବର ପାଉ ପାଉ ସୁନ୍ଦରୀ ବି ଆଗରୁ ଆସିଲା ।

 

ଭଗାରିର ସ୍ତ୍ରୀ ସୁନ୍ଦରୀ ଆସିଚି । ନିଜର ଚାଲି ଶିଖୁଥିବା, ଖାଇ ଶିଖୁଥିବାରୁ ଯୋଡ଼ିଏ ବି ଆସିଚନ୍ତି ସାଂଗରେ । ଆଉ ବି ଆସିଚନ୍ତି ଶାଶୁଘରିଆ ଝିଅଟିଏ, ପାରିଲା ପୁଅଟିଏ—ନୀଳା, ବଳିଆ ।

 

ସମୁଧୁଣି ଆସିବା ଖବର ପାଉ ପାଉ ବିଲ କାମ ଛାଡ଼ି ଚାଲି ଆସିଥିଲା ଚଇତା । ଅକର୍ମ ହଳ ଫିଟେଇ ବାପ ପଛେ ପଛେ ଲମ୍ଵି ଆସିଥିଲା—ଶାଶୁ ସାଂଗରେ ଚଞ୍ଚଳ ଦେଖା ହେବା ଉତ୍କଣ୍ଠାକୁ ଚାପି ପାରି ନଥିଲା ।

 

ଭଗାରିର ବଡ଼ ମଝିଆଁ ବଳିଆ ଆସିଛି । ବାହାଘର ବେଳେ ବଳିଆ ଦେଖୁଥିଲା ନବଘନ ଶଳାର ଝିଅଟିକୁ ।

 

ନବଘନ ଶଳାର ସେଇ ଝିଅଟି, ସାବନା ରଂଗର ବାଂଗ୍‌ରିଟି । ଢାଲିଆ ଖୋସାର ଡାହାଣ ପାଖେ ରୂପାର ଟିକି ପାନ ପତ୍ରଟିଏ, ଚିପା ପୋହଳା ମାଳିଟିଏ ।

 

ଏ ଗାଁର ତୀର୍ଥ ଶୁଣେଇ ଶୁଣେଇ କହିଥିଲା ନବଘନର ଶଳାକୁ—ସାତ୍‌ ପାଁଚ୍‌ ନାଇଁ ଭାବ । ବଳିଆକୁ ଦେଇ ଦେ । ତର୍‌ ଝିଅ ସୁଖରେ ରହିବ ।

 

ସୁନ୍ଦରୀକୁ ନେଇ ଭଗାରି ଫେରିଲା ।

 

ସୁନ୍ଦରୀ ପଛେ ପଛେ ନୀଳା ଚାଲିଚି । ବଡ଼ ଭଉଣୀ ସୁଲର ଟିକି ପୁଅଟିକୁ ପଣତ କାନିରେ ଅଧା ଛପେଇ ଫେରି ଚାହୁଁ ଚାହୁଁ ନୀଳା ପାଦ ବଢ଼ଉଥିଲା ।

 

ଏ ଗାଁର ବିଶି ଅନେଇଥିଲା, ଘନଘନ ଫେରି ଚାହୁଁଥିବା ନୀଳା ଆଡ଼େ । ଏଥର ଦେଖୁ ଦେଖୁ ନୀଳା ପଚାରିଥିଲା—କେବେ ବିହା ହଉଚୁରେ ଭାଇ ? ଆମ୍‌କୁ ପିଠା ଖିଆକୁ ନାଇଁ ଡାକୁ କାଁ ?

 

ବଳିଆ ଫେରିଲା ବାପ ସାଙ୍ଗେ । ସୁନ୍ଦରୀ ଫେରିବା ପରେ ଖଳା କାମ ତରତରରେ ତୁଟେଇ ବିଶି ଆସିଲା ତା’ ନାନୀ ଘରକୁ । ବଳିଆ ଘର ଗାଁରେ ତା’ର ନାନୀ ଘର । ଏଥର ନାନୀ ଘର ଗାଁ ପାଖ ଦୋଳ ଦେଖିବାକୁ ତା’ର ମନ ଡାକିଚି ।

 

ଫଗୁଣ ଆସିଚି—ଦୋଳ ଆସିଚି ।

 

ଫଗୁଣ ଆସିଚି—ଦୋଳ ଶେଷ କରି ଫଗୁଣ ଯିବ । ଫଗୁଣକୁ ପଛରେ ପକେଇ ରହିଯିବ ଯୋଉ ଦୋଳ, ତାକୁ ଦେଖିବାକୁ ବି ବିଶିର ମନ ।

 

ଏଇ ଶେଷ ଫଗୁଣର ସକାଳୁ ସକାଳୁ ନାନୀ ଘର ଗାଁ ଦାଣ୍ଡରେ ଆଗେଇ ଆସୁଚି ବିଶି-। ଅଧୁଆ ମୁହଁ, ନିଦୁଆ ଆଖି ।

 

—ବିଶି !

 

ଟିକିଏ ଫେରି ଚାହିଁଲା ବିଶି । ଭେଣେଇ ଡାକପକେଇଚି—ଏ ବିଶି ! ବେଗେ ବାହାର୍‌-

 

ଚୁଲି ଜାଳୁଚି ପାର ମାଉସୀ—ଏ ବା’ ବିଶି, ମତେ ଛାଡ଼ିକିରି ନାଇଁ ଯିବଟି !

 

—ହଁ, ହଁ...

 

ଧୂଆଁ ଚୁରୁଚି ଚେରୁ ଥାଟି—ଏ ରେ ବିଶି !

 

—ହଁ, ହଁ...

 

—ବେଗେ ବେଗେ ବାହାରି ପଡ଼୍‌ ମା’ ଟି ।

 

—ହଁ, ହଁ...

 

ଆଗେଇ ଚାଲିଚି ବିଶି । ଗାଁ ଦାଣ୍ଡର ଅଧା ଛପା, ଦର ଛପା, ପିଠି ଦେଖା ପଥରଗୁଡ଼ିକ କୁଦି କୁଦି, ଡେଇଁ ଡେଇଁ, ଛିପିଛିପିକା ଛାଇ ଭିତରେ ଆଗେଇ ଚାଲିଚି ବିଶି ।

 

ନିଜ ଘର ଦାଣ୍ଡ ପିଣ୍ଡାରୁ ଉଂକିମାରୁଚି ବଳିଆ । ଚାଳିଆ ତଳେ ବେଳେବେଳେ ଛପି ଯାଉଚି ମୁହଁ ।

 

—ଏ ବଳିଆ, ବେଗେ ବାହାର୍‌ ।

 

କଥା କହିଲାନାଇଁ ବଳିଆ ।

 

ପାଖେଇ ଆସିଲା ବିଶି—ଏ ବଳିଆ, ବାହାର୍‌, ବେଗେ ବାହାର୍‌ ।

 

ମୁହଁ ପୋତିଲା ବଳିଆ । ଘୁରିପଡ଼ିଲା, ଲଟେଇପଡ଼ିଲା କାନ୍ଥରେ । ଟିକିଏ ନାଁକୁ ଥରିଉଠିଲା ଝାଟି ମାଟିର କାନ୍ଥ ।

 

ବିଶି କହିଲା—ତୁଇ, ତୁଇ ଦୁଳ ଦେଖି ନାଇଁ ଯାଉ କା ? ନାଇଁ ଯାଉ ? ହେତ୍‌, ହେନ୍‌ତି ନାଇଁ କହ । ବେଗେ ବାହାର୍‌ । ମାଳିଟା ଛିଡ଼ି ଯାଇଚେ ପରା ? ଆଣ୍‌, ଆଣ୍‌, ଆଣ୍‌, ମର୍‌ନାନୀ ଗୁଁଥି ଦବ ।

 

ଚୁପ୍‌ ହୋଇ ଠିଆହେଇଚି ବଳିଆ । କହୁ କହୁ, ପଚାରୁ ପଚାରୁ ଲଟା, ଖୁଣ୍ଟା, ଯୁଡ଼, ନାଳ, ଢିପ, ଟାଂଗର ଗାଁ । ଗଣ୍ଡା ଡେଇଁ ଡେଇଁକା ବିଶି ଚାଲି ଯାଇଚି କାହିଁ କୁଆଡ଼େ । ଗଲା ବର୍ଷ ଧନୁଆ ପାଲିର ପଞ୍ଚଦୋଳ । ମାମୁଁ ଘର ଗାଁର ମଇତିର ଭାଇ ଆସିଥିଲା । ସାଂଗରେ ଆସିଥିଲା ମଇତିର୍‌ ଭାଇର କନିଆ, କାଖରେ ସାନ ଛୁଆଟିଏ । ଦି ପଇସାର ନାଲିଆ ନାଲିଆ ଗୁଡ଼ ଜିଲିବି, ଫୁଟିଲା ଫୁଟିଲା ବଟିଲା ଚଣା ବଢ଼େଇ ଦେଇଥିଲା ଛୁଆ ଆଡ଼େ । କାଖେଇ ଥିଲା, ଲାଳ ଝରା ମୁହଁ ଆଉଜି ଆସିଥିଲା, ଆଉଜି ଆସିଥିଲା କମିଜ୍‌ ପିନ୍ଧା ଛାତି ଆଡ଼େ । ଲାଳ ପୋଛିଥିଲା । ଭୁଲେଇ ଥିଲା–ହେ ଦେଖ୍‌...ହେ...ଦେଖ୍‌, ହେ ଦେଖ୍‌...

 

ବିଶେଇର ହାତ ଯୁଆଡ଼େ ଛୁଆଟିର ମୁହଁ ଘୁରିଥିଲା ସେଇ ପାଖକୁ ।

 

ରଂଗ ରଂଗିଆ ଚକ୍‌ମକିଆ ଉତ୍ସବ—ଝାଂଜ, ମୃଦଂଗ, ଘଣ୍ଟ, ଶଂଖ, ନୀଳା ସୁଆଂଗ…ବହୁ ମୁଖର ରସମୟ ଉଚ୍ଛ୍ୱାସ ଭିତରେ ହଜିଯାଇଥିଲା ବିଶି ।

 

ଢାଲିଆ ଖୋସାର ତଳ ଉପରର ରୂପା ପାନପତ୍ରି ଗୁଡ଼ିକର ରୂପ ଦେଖେଇ, ପାନପତ୍ରିର ଝୁଲ୍‌ପା ନଚେଇ, ଝଲ୍‌କା ହଲେଇ, ହସ ଝରେଇ ମଇତିର୍‌ ଭାଇର କନିଆ ପଚାରି ଥିଲା-ହ’ରେ ବିଶି, ଆମର୍‌ ଆଡ଼େ କେବେ ଯିବ ?

 

ମଇତିର୍‌ ବହୁର ନୂଆ ଝଲ୍‌କା ଆଡ଼ୁ ଆଖି ଫେରିବା ଆଗରୁ ବିଶି କହିଥିଲା—ମାଁ ସାଂଗରେ ଯିବି ଇ’ଥ୍‌ର ।

 

ଝଲ୍‌କା ଆଡ଼ୁ ଫେରି ନଥିଲା ଆଖି—ଏ ବହୁ, ପିତ ବଣିଆ ତମର୍‌ ଗାଁରେ ଅଛି କାଁ ?

 

—ନିଆଁ ଲଗାଟା ଦୁଳକୁ ନାଇଁ ଆଇଲାରେ ଭାଇ ! ଦେଖ୍‌ ନାଇଁ ମର୍‌ ଡୋବ୍‌ରି ପାଖ ଗଁଠିଆଟା !

 

—ନାଇଁ ଆଇଲା ?

 

—ନାଇଁ କହ ତ ହେ ନିଆଁ ଲଗା କଥା !

 

—କେବ୍‍କୁ ଆଇବ ଯେ ?

 

—ଅଶିଣ ଆଡ଼କୁ ଆଇବ କାଇଁସେ ।

 

ଅଶିଣକୁ ଯାଇ ପାରି ନାଇଁ ବିଶି । ଗୋଟିଏ ଧାନୁଆ କଣ୍ଠିର ଗୋଢ଼ ଭାଂଗିଚି । ଝଳା ହେଇ ପାରି ନାଇଁ । ଆଜି ପରା ଦିନରେ ଚାରୋଟି କଣ୍ଠିରୁ ଗୋଟିଏ ଉଣା ।

 

ବଳିଆ ଆଡ଼ୁ ଆଖି ଫେରାଇ ନିଜ ମାଳି ଆଡ଼େ ଚାହିଁବାକୁ ଚେଷ୍ଟା କଲା ।

 

ମୁହଁ ପୋତି ଠିଆହୋଇଚି ବଳିଆ ।

 

ତାଟି ପାଖରୁ ଚାହିଁଛି ଭଗାରି ।

 

ବିଶି ଠେଲିଲା ବଳିଆକୁ—ଆଣ୍‌, ଆଣ୍‌, ମର୍‌ ନାନୀ ପାଖରେ କୁସା ସୁତା ଅଛି । ଆଣ୍‌, ମର୍‌ ନାନୀ ଗୁଁଥି ଦବ ।

 

ଚୁପ୍‌ ହୋଇ ଠିଆ ହୋଇଚି ବଳିଆ—ଆଣ୍‌, ଠିଆ ହେଲୁ କାହିଁ ଲାଗି ? କାଇଁଚି ଆଉ ବେଳ ! ଆଣ୍‌......ଆଣ୍‌......

 

—ନାଇନି ।

 

—ନାଇନି !

 

—ବା’ ନେଇଚି ।

 

—ବା’ ? କାହିଁ ଲାଗି ?

 

ପଚାରି ଦେଇ ପ୍ରଶ୍ନଟାର ଉତ୍ତର ନିଜେ ବି ଅନୁମାନ କରି ନେଉଥିଲା ବିଶି । ଶୁଣିଚି, ଗଡ଼ତିଆ ଘର ଗାଡ଼ିନେଇ ଭଗାରି ବାଉଁଶ ବଣକୁ ଯାଇଥିବା ବେଳେ ପଘାଲଗା ବଳଦ ବଣରେ ହଜେଇଚି । ମିଳିବାରେ ଯହୁଁ ଯହୁଁ ବିଳମ୍ବ ହେଇଚି, ବାଘରେ ହେଉ, ସାପରେ ହେଉ, ଯୋଉଥିରେ ହଉ ମରିଥିବାର ତହୁଁ ତହୁଁ ଜାତି ଭାଇଙ୍କର ସନ୍ଦେହ ହେଇଚି । ଜାତିମାଲିକ ଆଉ ଜାତି ଭାଇରୁ ବଡ଼ ଭାଗ ଧରି ବସିଚନ୍ତି, ପଘା ଦଉଡ଼ି ଲାଗିଥିଲା ଯେହେତୁ ପାପ ଲାଗିଚି । ନିଜ ଉପରେ କେତେ ପାଦ ପାପ ଲାଗିଚି ସେଇକଥା ଜାଣିବାକୁ ଆଉ ଜଣେଇ ଦେବାକୁ ପହିଲେ ପାପ ପଡ଼ାର ଗୁସେଇଁ ପାଖକୁ ଯିବାକୁ ହେବ ଭଗାରିକୁ ।

 

ମୁହଁ ଟେକୁଚି ବଳିଆ । କଣେଇ ଚାହୁଁଚି । ବିଶେଷ ବେକରେ ଚିକ୍‌ମିକ୍‌ କରୁଚି ଧାନୁଆ ମାଳିଟି । କଳା କଳା ସରୁ ସରୁ ପୋହଳା ଭିତରେ ଠାକୁ ଠା ସରୁ ସରୁ ତିନୋଟି ଧାନୁଆ କଣ୍ଠି । ଆଉ ଟିକକ ପରେ ଦୋଳକୁ ବାହାରି ବିଶି । ବେକଯାଏ ବୋତାମ ଚିପିବ । ତେବେ ବି ଫୁଟି ଦିଶି ଚିନାମାଳ ଧାନରୁ ଟିକିଏ ବଡ଼ ଧାନୁଆ । କଣ୍ଠି ତିନୋଟି ଆଉ କେତେଟା ଦୋଳ ଆଗରୁ ଅଣ୍ଟାଛୁଆଁ ଗାଢ଼ ହଳଦୀ ରଂଗ କମିଜ୍‌ ଖଣ୍ଡେ ବିଶି କିଣିଚି । ବାଉଁଶ ପେଟରାର ସବାତଳେ ଭାଂଗି ଭୁଂଗି ମେଞ୍ଚା କରି ସାଇତି ରଖିଥିଲା ସେ ଖଣ୍ଡିକ । ସାଂଗରେ ଆଣିଚି ତାକୁ । ବିଶେଇ ଆଣିଚି—ନିଜ ଗାଁରେ କେତେ ଜଣଙ୍କର କେତେଖଣ୍ଡ । ଏଥିରୁ ଖଣ୍ଡେ ବି ନିଜର ନାଇଁ ।

 

କଳା ପଡ଼ି ଆସୁଚି ବଳିଆର ମୁହଁ । ଯାତ୍ରା ପଦାର ହୋ ହା ଘୋ ଘା ଭିତରେ, ଛ ଫୁଲିଆ, ଚାରି ଫୁଲିଆ, ଆଠ ଫୁଲିଆ, ବାହାର୍‌ ଗଡ଼ିଆ, ପେଣ୍ଡ୍ରା ପାଦିଆ, ମନ୍ଦାରଫୁଲିଆ କବ୍‌ଟା ପିନ୍ଧା ଟୁକି ଦଳରେ, ନୋଥ ଚହଲା, ଝଲ୍‌କା ହଲା, କାନି ଚହଲା ପର ଗାଁର ହାତ ଧରାଧରି କାନ୍ଧ ଧରାଧରି କାନି ଧରାଧରି ଝିଅ ମେଳରେ, କଲିଆରି, କତରିଆ, ବନ୍ଦ୍‌ରିଆ, ପଇଁରି, ବଳା, ଖଗଳା, ଚୁଡ଼ି ମାଠିର ଖଣ୍‌ଖାଣ୍‌ ରୁଣ୍‌ ଝାଣ୍‌ ଭିତରେ, ମୁଚ୍‌କି ହସ, ସରୁ ମିଠା କଳ କଳ ଛଳ ଛଳ ଉଚ୍ଛ୍ୱାସ ଭିତରେ ବିଶି ଚାଲିବ ଛାତି ଫୁଲେଇ ହାତ ହଲେଇ, ଆଉ ସେ ? ସେ ?

 

ପଞ୍ଚ ଦୋଳର ଚନ୍ଦ୍ରାତାପ ଭାଙ୍ଗି ପଡ଼ୁଚି ବଳିଆ ଉପରେ ।

 

ଭଗାରି ଚାହିଁଚି ।

 

ଦୋଳ ମଣ୍ଡପ, ଦୋଳ ପଡ଼ିଆର ହର୍ଷ, କୋଳାହଳ, ବର୍ଣ୍ଣ ବୈଭବ ଠାରି ଡାକୁଚି, ଆ ଆ ଆ......

 

ଚାହିଁଥିଲା ଭଗାରି । ଟୁଂଗି ଭିତରେ ପଶିଲା । ବାଉଁଶ ପେଡ଼ିରୁ ବାହାର କଲା ଟିକି ଧାନୁଆ ମାଳିଟି । ଅନ୍ଧାର ଟୁଂଗିର ଫାଙ୍କ ଝରା ଆଲୁଅ—ଚିକ୍‌ମିକ୍‌, ଚିକ୍‌ମିକ୍‌ ।

 

ଭଗାରି ଚାହିଁ ଥିଲା ସେଇ ଆଡ଼େ । ଚିକ୍‌ମିକ୍‌ ଆଡ଼େ ଚାହୁଁ ଚାହୁଁ କେତେବେଳେ ଦୁଲ୍‌ଣାର ଛାଇଟିଏ ତ କେତେବେଳେ ଦୁଲ୍‌ଣାର ଛବିଟିଏ ପାଖେଇ ପାଖେଇ ଆସୁଥିଲା । ଦୁଲ୍‌ଣାର ସେଦିନ କଥାଟା ଆଜି ଯେମିତି ଶୁଣି ପାରିଚି ଭଗାରି–କାଳିଆ ବେକ୍‌କୁ ଯେନ୍‌ତି ହେଉ ଗଡ଼େଇବି । ଚାର୍‌ ଚିନା ପାଁଚ୍‌ ଚିନା ନାଇଁ ମିଳ୍‍ ଲେ ନାଇଁ ମିଳୁ ପଛେ ଗ ଆମ୍‌କୁ ଚିନେ ଦେଢ଼୍‍ ଚିନାରେ ହେଲେ ଗଢ଼େଇ ଦେବି ।

 

ଆକାଶକୁ ଚାହିଁଥିଲା ଦୁଲ୍‌ଣା—ଏ କାଳିଆର୍‌ ବା’, ନାଇଁ କର ନାଇଁ ।

 

ଭଗାରି ମନା କରିଥିଲା ଜରୁଆ ଦେହରେ ପହ୍ଲା ମାରି ଯିବାକୁ । ମନା ନମାନି ଗାଁ ମେଳରେ ଦୂର ଗାଁକୁ ଆଗେଇ ଯାଇଥିଲା ଦୁଲ୍‌ଣା ।

 

ଟପ୍‌ ଟପ୍‌ ଭିତରେ ଆଗେଇ ଯାଇଥିଲା ଦୁଲ୍‌ଣା ।

 

ଝର୍‌ ଝର୍‌ ଝରୁଥିଲା । ଟୁପ୍‌ ଟୁପ୍‌ ପଡ଼ୁଥିଲା । ମେଘ ଫାଟୁ ଥିଲା. ଖରା ଝରୁଥିଲା । ଥରକୁଥର କାଉଁଳିଆ, ଥରକୁଥର ଅନ୍ଧାରୁଆ, ଥରକୁ ଥର ଗର୍ଜି ଆସୁଥିଲା ସୁ...ଉ...ଉ...

 

ଗଡ଼ତିଆର ବନ୍ଧ ତଳିଆ ଏକର ଟପା ବଡ଼ ବଡ଼ କାଦୁଅ । ଚକଟା ଜମି ଉପରେ ଧାଡ଼ିକୁ ଧାଡ଼ି କିଶୋରୀ, ଧାଙ୍ଗୁଡ଼ି, ଅଧାରି ଦରବୁଢ଼ୀ, ବୁଢ଼ୀ, ପିଲାତି—ପିଲା ଲେଉଟୁଥିଲା ପେଟରେ ।

 

ଦୁଲ୍‌ଣା ପେଟରେ ଲେଉଟୁଥିଲା ବଳିଆ । ଚରି ଯାଉଥିଲା ଖରା । ଗର୍ଜି ଆସୁଥିଲା ମେଘ । ସୁ, ସୁ, ଘୁ ଘୁ—ଘଡ଼ିକୁ ଘଡ଼ି ଦଣ୍ଡକୁ ଦଣ୍ଡ ଅନ୍ଧାର ଆଉ ଆଲୁଅର ଛକାପଞ୍ଜା ।

 

ମାଡ଼ି ଆସୁଥିଲା ଖରା, ମାଡ଼ି ଆସୁଥିଲା ଝର । ଦେହର ଝର ଶୂନ୍ୟଝର, ମାଟିର ଝର–ସବୁ ହେଉଥିଲା ଏକାକାର । ମୁଠା କାଢ଼ୁଥିଲା ଗୋଟିକୁ ଗୋଟି, ପୁଞ୍ଜାକୁ ଫୁଞ୍ଜା–ପୋତି ଚାଲିଥିଲା-

 

ଗଡ଼ତିଆର ଏକର ଟପା ଦେବତା ବସା ଜମି । ପହ୍ଲାରୁ ସଙ୍ଗେ ସଙ୍ଗେ ଉଛୁଳୁଥିଲା ହୁଳ ହୁଳି ।

 

ଗଳା ଶୁଖିଥିଲା ଦୁଲ୍‌ଣାର । କାଦୁଅ ଢଙ୍କା ଚଞ୍ଚଳ ପାଦରେ ନଇଁ ନଇଁ, ଟଳି ଟଳି, ପଛେଇ ପଛେଇ ଆଗେଇ ଯାଉଥିଲା ।

 

ଗଡ଼ତିଆର ଘର ମୁହଁ ଦାଣ୍ଡରେ, ପିଣ୍ଡାରେ ଦଳକୁଦଳ ଭୁଗା, ଟପା, ପଣତ, କରାଟର ଫିଟା ଫିଟି ଝଡ଼ାଝଡ଼ି ।

 

—ଏ ମାଉସୀ, ହେ’ଟା ଗଡ଼୍‌ତିଆର ବଡ଼ ପୁଅ ।

 

—ଇ’ଟା ତାର୍‌ ସାନ୍‌ ଝିଅ ଗ ।

 

—ଏ ନାନୀ, କେଡ଼େ ସୁଁଦର ମାନୁଚେ !

 

ଦୁଲଣା ଚାହିଁଥିଲା—ସ୍ୟମନାରେ ହଳଦୀ ସୁନାର ଚକ୍‌ମକି ଆଖି ଝଲ୍‌ସା ଉତ୍ସବ ।

 

ପହିଲି ଥର ପାଇଁ ଧାନୁଆ କେତେଟା କାଳିଆ ବେକରେ ଝୁଲେଇ ଯାତ୍ରା ପଦାକୁ ବାହାରିଥିଲା ଦୁଲ୍‌ଣା । ଆନନ୍ଦର ଉଚ୍ଛ୍ୱାସ ଭିତରେ ଦୁଲଣା ଆଖିରୁ ଝରିଥିଲା । କାଳିଆ ବେକର କଣ୍ଠି ପରେ ପରେ ବଳିଆ ବେକର କଣ୍ଠି ପାଇଁ ସଂକଳ୍ପ କରିଥିଲା । ସଂକଳ୍ପ ଭିତରେ ପହିଲି କଳ୍ପନାର ଫୁଲଟି ବି ସେମିତି ରହିଥିଲା ।

 

ଭଗାରି ଚାହିଁଚି । ଚାହିଁଚି ଧାନୁଆ କଣ୍ଠି ଆଡ଼େ । ବ୍ୟବଧାନ ଭିତରେ ଯୋଉ କଣ୍ଠି ଘୋରି ହୋଇ ହୋଇ କମି କମି ଆସିଚି ଚାହିଁଚି ସେଇ ଦୁଇଟି ଆଡ଼େ । ଏଇ, ଏଇ ଟିକି ଧାନୁଆ, ଏଇ ଟିକି ଧାନୁଆ କଣ୍ଠି—

 

କଳ୍ପନାର ଯୋଉ ବାସ୍ତବ ରୂପକୁ ଦୁଲ୍‌ଣା ଦେଖି ପାରିନାଇଁ ସେଇ ଟିକି ଟିକି ଧାନୁଆ । ...ଏଇ ମାଟି, ଏଇ ପାଣି, ଏଇ ପବନ ଏଇ ଶୂନ୍ୟ—ଦୁଲ୍‌ଣା ଏଇଠି ହଜିଚି । ଦୁଲ୍‌ଣା ହଜିଚି, ଛପିଚି, ମିଶିଚି—ଏଇ ହୁଏତ ତାର ସେଇ କଳ୍ପନାର ଟିକି ଧାନୁଆ ।

 

ଟୁଂଗି ଭିତରକୁ ଉଂକି ମାରୁଚି ବଳିଆ । ଉଂକି ମାରୁଚି ବିଶି । କଳା କଳା ପୋହଳା ମଝିର ଦୁଇ ଠାଆ ଦୁଇଟି ଧାନୁଆ ଫାଙ୍କ ଝରା ଟିକି ଆଲୁଅରେ ଚିକ୍‌ମିକ୍‌ ଚିକ୍‌ମିକ୍‌ ।

 

ଚାହିଁଚି ଭଗାରି । ଛଳ ଛଳ, ଢଳ ଢଳ । ମାଳି ଆଡ଼େ ଚାହିଁ ରହିଚି ବଳିଆ । ଦୋଳ ମଣ୍ଡପ, ଦୋଳ ପଡ଼ିଆର ହର୍ଷ, କୋଳାହଳ, ବର୍ଣ୍ଣବୈଭବ, ଜିଲିବି, ଶାକରପଟି, ବଟିଲା ଚଣା, ଗୁଡ଼ ପିଠ୍‌ଲି, ମୁଚ୍‌କି ହସ, ଯାତ୍ରା ନାଚ ଠାରି ଡାକୁଚି–ଆ, ଆ, ଆ ।

 

ବଳିଆ ଚାହିଁଚି । ବିଶି ଚାହିଁଚି । ଦୁହିଁଙ୍କୁ ଦଣ୍ଡେ ଅନେଇଲା ଭଗାରି ।

 

ଅନେଇଲା । ମୁହଁ ଫେରାଇଲା । ମାଳି ସଙ୍ଗରେ ଧାନୁଆ ଦୁଇଟି ଚାପି ଧରିଲା, ଜାକି ଧରିଲା ।

 

କୋଠରୀ ଭିତରକୁ ପଶି ଆସୁଥିଲା ସୁନ୍ଦରୀ । ଚାହୁଁ ଥିଲା ବଳିଆ ଆଡ଼େ, ବିଶି ଆଡ଼େ-। ଚାହିଁଥିଲା ଭଗାରି ଆଡ଼େ ।

 

ସୁନ୍ଦରୀ ପାଖେଇ ଆସିଲା । ଚିକ୍‌ମିକ୍‌ ଆଡ଼େ ସେମିତି ଚାହିଁଚି—ଏତେ ଭାବି ହଉଚ କାଇଁଟା ? ମର୍‌ ବଳିଆ ଖାଲି ବେକରେ ନାଇଁ ଯାଏ, ହଁ !

 

ଭଗାରି ଚାହିଁ ଥିଲା ।

 

ନୀଳାକୁ ପହିଲି ପାଳି ପଠେଇବାର ଯୋଗାଡ଼ରେ ଲାଗୁ ଲାଗୁ ବଳିଆର ବାହା ହେବାର ବୟସ ବଳେଇ ଯାଉଚି ବୋଲି ସୁନ୍ଦରୀ ଘନ ଘନ ଅଭିଯୋଗ କଲାଣି ।

 

ଭଗାରି ପାଖ ଗାଁର ତେଲି ମହାଜନ ଘରୁ ହଳିଆ ଛାଡ଼ି ଜାମୁନାଳି ଗଡ଼ତିଆ ଘରେ ପୁଣି ରହିବାକୁ ଠିକ୍‌ କରିଚି । ଭାବିଚି, ଏଥର ଜାମୁନାଳି ରହଣିରେ ଯୋଉ ନୂଆ ଅଗ୍ରିମ ମିଳିବ ସେଥିରେ ପୁଅ ପାଇଁ କନିଆଁ ମୂଲଟା ତୁଟି ଯାଇପାରେ । ନୀଳା ଶାଶୁ ଘର ଦେଇଥିବା ମାଳିର ବାକି ହରଡ଼ ଫାଳ ଚାରିଟି ଭରଣା କରି ନପଠେଇଲେ ନୀଳାକୁ ପଠାଇବ ନାଇଁ ବୋଲି ଜିଦ୍‍ ଧରିଚି । ବୁଢ଼ୀ ଭଗାରିର ସେଇ ଜିଦରେ ଆହୁତି ପକେଇ ଚାଲିଚି । ସୁନ୍ଦରୀ ଭଗାରିର ଜିଦ୍‌କୁ ସମର୍ଥନ କଲେ ବି ବଢ଼ିଲା ଝିଅକୁ ଆଉ ଅଧିକା କାଳ ଘରେ ରଖିବାର କଥାଟା ଭାବୁ ଭାବୁ ମାଡ଼ି ମାଡ଼ି ପଡ଼ିଚି । ଶାଶୁ ବୁଢ଼ୀକୁ ଘନ ଘନ ଅନୁନୟ କଲାଣି ପୁଅ ଜିଦରେ ଜୁଆଣ ନଦେବାକୁ ।

 

ବାପ ମରିବାର କେତେ ମାସପରେ ଘର ଭାଗ ଭାଗ ହୋଇଥିଲା । ବୁଢ଼ୀର ରହଣିଟା ବି ବଣ୍ଟାହେଇ ଯାଇଚି ପୁଅ ପୁଅ ଭିତରେ । ବୁଢ଼ୀକୁ ପୋଷିବାକୁ ସବା ବଡ଼ ପୁଅ ଏବକୁ ଏବକୁ ପଛେଇଲାଣି । ବୁଢ଼ୀକୁ ନିଜ ଘରେ ରଖିବାର ପାଳି ଆସିଲେ ସାନ ମଝିଆଁ ଚିଡ଼୍‍ ଚିଡ଼୍ ହେଲାଣି । ସବାସାନ ହଁ ନାହିଁର ସନ୍ଧି ସ୍ଥଳରେ ଥାଉଁ ଥାଉଁ ସଂସାରର ଲୀଳା ଛାଡ଼ି ଗଲାଣି । ଯୁକ୍ତି ଦେଖଉଚି ବଡ଼ପୁଅ, ବୁଢ଼ୀ ତ ତାର୍‌ ବହୁ ସାଙ୍ଗରେ ପଡ଼ୁନାଇଁ, ମର୍‌ ଘରେ କେନ୍‌ତି ରହିବି ? ଯୁକ୍ତି ଦେଖଉଚି ସାନ ମଝିଆଁ, ମର୍‌ ତ ପୁଅ ଝିଅ ହେଇ ଗଦେ, କେନ୍‍ଠି ପାର୍‌ବି ବୁଢ଼ୀକୁ ପୁଷି ?

 

ମା ବୁଢ଼ୀକୁ ନିଜ ଘରେ ରଖି ନେଇଚି ଭଗାରି ।

 

ନବଘନର ପୁଅ ବାହାଘର ନିମନ୍ତ୍ରଣରେ ଭଗାରି ଆସିଚି ଝିଅ ଘର ଗାଁକୁ । ଝିଅର ତିନ୍‌ଟା ଦୁଇ ହେବା ସମୟରେ ସେଇ ଯେ ଆସିଥିଲା ତା ପରେ ଆଉ ଏ ଗାଁରେ ପାଦ ଦେଇ ନଥିଲା ।

 

ଏଇ ଆସିବା ନଆସିବା କଥା ନେଇ ଚଇତା କିଛି କହିବା ଆଗରୁ ବଳି ପଡ଼ି କଇଫିଅତ ଦେଲା ଭଗାରି—ମୁଇଁ ଆଉ ଗଡ଼୍‍ତିଆ କାମରେ ନାଇଁନିଗ ସମ୍‌ଧି, ରଜାର୍‌ କାମରେ ଅଟ୍‌କି ଗଲିଣ ।

 

—କାଇଁ କାମ ?

 

—ତମେ ନାଇଁ ଜାଣି କାଁ ?

 

—କେନ୍‌ କଥା ?

 

—ନାଇଁ ଜାଣି ?

 

—କହ ନାଇଁ ଯେ, ନାଇଁ କହିଲେ କେନ୍‌ତି ଜାଣ୍‌ବି ?

 

ବସିଲା ଅବସ୍ଥାରେ ପାଖେଇ ଆସୁ ଆସୁ ଭଗାରି କହିଲା—ଆମର୍‌ ଗାଁ ପାଖ୍‌କୁ ଯୁ ପିତାବଳି ମୁଁଡିଆଟା—ନାଇଁ ଦେଖି କାଁ ତମେ ?

 

—ନାଇଁ ଦେଖ୍‌ଲି କେନ୍‌ତି ?

 

—ହେ ମୁଁଡ଼ିଆ ପାଖରେ କୁଠା ତିଆରି ହବ ଗ ସମ୍‌ଧି ।

 

—କୁଠା ?

 

—ହଁ ଗ ସମ୍‌ଧି, ରଜାଘର କୁଠା ବନେଇବେ । ଆମର୍‌ ଗାଁକୁ ଗଡଆଡ଼ୁ ସଡ଼୍‌କ ଆଇବ-। ଆମର୍‌ ଜାଗାଟା ଗଡ଼ ଲେଖା ଘୁ ଘା, ହୁ ହା ହବ । ତସିଲ୍‌ଦାର୍‌ ଆଇଲେଣ । ଆମର୍‌ ଗାଁରେ ଡେରା ପକେଇଚନ୍‌ । ମାପ୍‌ଜୁପ୍‌ ଚାଲିଚି । ଦିଆନ୍‌ ଗଲା ଥର୍‌କୁ ତିନ୍‌ ଥର୍‌ ଆଇଲେଣ ।

 

ନବଘନ କାନେଇ ଶୁଣିଚି ।

 

ଭଗାରି ସାଙ୍ଗରେ ନବଘନ ଆସିଚି । ଦିନ କେତେଟା କଟେଇ ଦେଲାଣି ଭଗାରି ଘରେ-

 

ଭଗାରି କେତେଥର କହିଲାଣି—ଇଖ୍‌ଣା ରଜା କି ଦିଆନ୍‌ କେହି ନାଇଁ ଆସନ୍‌ । କେହି ତ ନାଇଁ ଆସନ୍‌ କାହାକୁ ଦେଖ୍‌ବ ଯେ ?

 

ଭଗାରି ଘରେ ପୁଣି କେତେ ଦିନ କଟେଇ ଦେଲାଣି ନବଘନ । ଯିବି ଯିବି ହେଇ ଯାଇ ପାରୁନାଇଁ । କଣ ଯେମିତି ଅଟକେଇ ରଖୁଚି ।

 

ସକାଳୁ ଉଠୁ, ଉଠୁ ଭଗାରି ଚାଲିଯାଏ ମୁଣ୍ଡିଆ ପାଖର ଜଙ୍ଗଲ କଟେଇବାକୁ । ମୁଣ୍ଡିଆ ପାଖର ଉଚ୍ଚା ଜାଗାରେ କୋଠା ତିଆରିର ପହିଲି କାମ ।

 

ଆଖ ପାଖର, ଆହୁରି ଦୂରର ବିଶାଳ, ପଧାନ, ମୁଣ୍ଡା, ଡାଙ୍ଗ, ଥପା, ବାଘ, ନାଇକ, ନାଏକ......ଦଳକୁ ଦଳ ଆଗେଇ ଚାଲିଚନ୍ତି ଜଙ୍ଗଲ ସଫାକରି ।

 

ଚଇତ । ରଙ୍ଗମିଶା ସବୁଜ ବଣ । ଶାଳଫୁଲ ପେନ୍ଥା ପେନ୍ଥା । ଖୋଳପା ଭିତରୁ ମହୁଲ କଢ଼ ମୁହଁ କାଢ଼ିଚି । ପଲାଶର ନାଲି ହଳଦୀ ମିଶାମିଶି ତେଜିଲା ହସ । ମହାଲିମ୍ଵ, ଲିମ୍ବ, ମହୁଲ, ଭେରୁ, ପୋଇଜାମୁ, ଜାମୁ, ଧଉରା, ଶାଳ, ପିଆଶାଳ, ଅଁଳା—କଅଁଳ ପତ୍ରରେ ଛପିଯାଇଚି ହାଡ଼ୁଅ ହାଡ଼ୁଆ ବାହି । ବେଶି ଭାଗରେ ସବୁଜର ନରମତା ବିଛାଡ଼ି ହେଇ ପଡ଼ିଚି ।

 

ଟାଙ୍ଗିଆ ପରେ ଟାଙ୍ଗିଆ ଚୋଟ ବସୁଚି । ଗୋଟାଏ ପରେ ଗୋଟାଏ, ଗୋଟାଏ ଉପରେ ଗୋଟାଏ, ଗୋଟାଏ ସାଙ୍ଗରେ ଗଦାଏ—ଠାଆକୁ ଠାଆ ଗଦାକୁ ଗଦା ଲୋଟି ପଡ଼ିଲେଣି-। ଝାଉଁଳୁଚି ସବୁଜ—ଝାଉଁଳୁଚି ଜାତି ଜାତିକା ବଣୁଆ ଫୁଲ । ଏ ପାଖରୁ ସେ ପାଖରୁ ଶୋଇ ଶୋଇ ଆସିଲାଣି ବଣ । ସବୁଜ ଆଉ ରଙ୍ଗିନ୍‌ ନିଶା ଛାଡ଼ି ଛାଡ଼ି ଆସିଲାଣି । ମହା ନିଦ୍ରାରେ ଶୋଇବାକୁ ପ୍ରସ୍ତୁତ ହେଲାଣି ।

 

ଭଗାରି ଘର ଭିତରେ ଶୋଇ ଶୋଇ ନବଘନ ଶୁଣୁଚି, ଜଙ୍ଗଲ କଟା ଶବ୍ଦ । ବେଳେ ବେଳ ଥିର୍‌ ଥିର୍‌ ବେଳେ ବେଳେ ଚଞ୍ଚଳ ପାଦ ପକେଇ ମୁଣ୍ଡିଆ ପାଖ ଜଙ୍ଗଲ ଆଡ଼େ ଆଗେଇ ଯାଉଚି । କଡ଼୍‌କାଡ଼୍‌ ମଡ଼୍‌ମାଡ଼୍‌ ଦୁମ୍‌ଦାମ୍‌ ଧୁସ୍‌ଧାସ୍‌ ଭିତରେ, ଛାଇତଳେ ଘୁମେଇ ପଡ଼ିଥିବା, ଅଳସ ଭାଙ୍ଗୁଥିବା, ହଠାତ୍‍ ଉଠିଆସି ଏପାଖ ସେ ପାଖ ଧାଇଁ ବୁଲି କଟାଳି ବୁହାଳି ଇତ୍ୟାଦିଙ୍କୁ ଲକ୍ଷ୍ୟ କରି ଚିତ୍କାର ଛାଡ଼ୁଥିବା ଭଗାରିକୁ ଦେଖେ ଦେଖେ—ପାଖେଇ ଯାଉ ଯାଉ ଫେରିପଡ଼େ । ଫେରି ଆସେ ଗାଁ ଆଡ଼େ ।

 

ଘରେ ଆସି ଭଗାରି କଥାକୁ କାନେଇ ଶୁଣେ । ଭଗାରିର ଖଦି କରିଆକୁ ନିକିଟି ଚାହେଁ-। ଲୁଗାଟା ଏଥର ଆଣ୍ଠୁ ଯାଏଁ ନହୋଇ ଟିକିଏ ତଳକୁ ଖସିଚି । ପାଗ ଭୀଡ଼ାଟା ଦେହ ଘୋଡ଼େଇଚି-

 

ନବଘନ ବସି ରହିଚି ଭଗାରି ଘରେ । ସୁନ୍ଦରି ଘରେ ନାଇଁ । ଆସିଲା ଆଗରୁ ବାପ ଘରକୁ ଯାଇଚି । ସାଙ୍ଗରେ ନେଇ ଯାଇଚି ଖିର ଚୋଷୁଥିବାଟିକୁ, ବସି ଶିଖୁଥିବାଟିକୁ, ଚାଲି ଶିଖୁ ଥିବାଟିକୁ, କାମ ପାଇଟିରେ ହାତ ମାରୁଥିବାଟିକୁ । ଅଇଁଠା ବି ଯାଇଚି ମାଁ ସାଙ୍ଗେ ।

 

ଭଗାରି ଘରେ ପଡ଼ି ରହିଚି ନବଘନ । ଗଲା ଥରର ସୁଁ ସାଁ ହିଁ ହାଁ କ୍ଵାଁ କ୍ଵାଁ କେଁଭେଁ ହେଁଫେଁ ଘରଟା ସୁନ୍ଦରୀର ଅନୁପସ୍ଥିତରେ ଏଥର ଶୁନ୍‌ ଶାନ୍‌ ଲାଗୁଚି । ସମୁଧୁଣି ସୁନ୍ଦରୀର ଅନୁପସ୍ଥିତଟା ବି ଅନୁଭବ କରି ପାରୁଚି । ଗଲାଥର ଫେରିଲା ବେଳେ ଗାଁ ମୁଣ୍ଡ ଯାଏଁ ବାଟେଇ ଦେଇ ହସ ଝରେଇ କହିଥିଲା ସୁନ୍ଦରୀ—ଯ ଗ ସମ୍‌ଧିଯ, ମନେ ପକଉଥିବ !

 

ସେଦିନର କେଁ ଭେଁ, ହେଁ ଫେଁ ଘରଟା ଏଥର ମନେ ପଡ଼ୁଚି । ଏଠିକୁ ଆସିବା ଆଗରୁ ସୁନ୍ଦରୀ ଚାଲିଯାଇଚି ମାଁ ଘରକୁ । ଏଠି କେବଳ ଟୁରା, ବଳିଆ ଆଉ ଭଗାରିର ବିଧବା ନାନୀ କୁମାରି ।

 

ହଠାତ୍‌ ଏଇ ସଞ୍ଜରେ ନୀଳା ଆସି ପହଞ୍ଚିଚି । ଶାଶୁଘରୁ ଝିଅ ଏମିତି ଗୋଡ଼େ ଗୋଡ଼େ ଚାଲି ଆସିବାର କାରଣ ପଚାରିବା ଆଗରୁ ଭଗାରି ଚିତ୍କାର ଛାଡ଼ିଲା ।

 

ବାପର ପାଟିଶୁଣି ଆହୁରି ଜୋରରେ କାନ୍ଦକୁ ତେଜି ଦେଇଥିଲା ନୀଳା । ନୀଳା ଶାଶୁ ଘର ଗାଁ ହାଟକୁ ଯାଇ ଏବାଟେ ଫେରୁଥିବା ମାଇପି ଦୁଇଟି ଥରେ ବାପ ମୁହଁକୁ ଥରେ ଝିଅ ମୁହଁକୁ ଚାହୁଁଥିଲେ । ଥରେ ଥରେ ଚାହାଁଚୁହିଁ ହେଉଥିଲେ । ହଠାତ୍‌ ଜଣେ କହି ଉଠିଲା—ଆମ୍‌କୁ ଦୁଷ ନାଇଁ ଦବଟି ହଁ, ତର୍‌ ଝିଅ ଆମ ସାଂଗରେ ପଳେଇ ଆଇଚି । ଆମେ ତାକୁ ନାଇଁ ଶିଖେଇ, ନାଇଁ ମତେଇ । ନାଇଁ ଗ ମାଁ, ଆମେ ତାକୁ ଶିଖେଇ ମତେଇ କିରି ନାଇଁ ଆଣି !

 

‘ଗ’ଟି ଫିଙ୍ଗିଲା ପରି ଲମ୍ବେଇ ଦେଇ ତରତର ହୋଇ ଫେରି ଯାଉଥିଲେ । ଫେରି ଯାଉଁ ଯାଉଁ କାନେଇ କାନେଇ ପାଦ ପାଦକେ, ପଦ ପଦକେ ଅଟକି ଯାଉଥିଲେ ।

 

ତେଜି ଉଠୁଥିଲା ନୀଳାର କାନ୍ଦ । ଝଟିମାଟି ଫାଙ୍କ ଦେଇ ଜଳ ଜଳ ଚାହିଁଥିଲା କେତେ ଜୋଡ଼ା ଆଖି । କଳା ଗୋରା ସାବନା ସାଂଗକୁ ନାଲି, ବାଇଗଣି, ହଳଦୀ ରଙ୍ଗରୁ ଟିକେ ଟିକେ ଫୁଟି ଦିଶୁଥିଲା । ଦାଣ୍ଡ ପାଖରୁ ଉଙ୍କି ମାରୁଥିଲେ କେତେ ଜଣ । ପଶି ଆସୁ ଆସୁ ପଛେଇ ଯାଉଥିଲେ କେତେ ଜଣ । ଆହୁରି ଦୂରରୁ କାନେଇଥିଲେ ଆଉ କେତେ ।

 

କୁମାରୀ ରନ୍ଧାଘରୁ ଧାଇଁ ଆସିଲା । ଧୂଆଁ ମାଡ଼ ଖିଆ ଆଖିରୁ ଲୁହ ପୋଛୁ ପୋଛୁ ଭାଇ ଆଉ ନୀଳା ମୁହଁକୁ ଦଣ୍ଡେ ଚାହିଁଲା । ଭଗାରିର ତେଜିଲା କଥା ସାଂଗେ କଥା ମିଶେଇଲା—ହଲ, ହଲ, ଏବେ ପରା ଭାଇ ନେଇ ଛାଡ଼ିଥିଲା ଲ ! ଫେର୍‌ ?

 

ଭଗାରି ପାଖକୁ ଆଗେଇ ଯାଇ ଦରଦ ମିଶେଇଲା—ମର୍‌ ଭାଇଟାକୁ ସଭିଏ ଝୁଣି ଖାଇଲେଣିରେ ଦଇବ ! କେତେ ଆଡ଼୍‌କୁ ହବ ? ଗୁଟେ ତ ଯାଇ ବାପ ଘରେ ରହିଚି ଯେ ରହିଚି ! ଆଉ କିଏ ତ,

ଚୁପ୍‌ ପଡ଼ିଯାଇଥିବା, ଗୁମ୍‌ ମାରି ଯାଇଥିବା ଭଗାରି ପାଦେ ପାଦେ ଆଗେଇ ଆସୁଥିଲା ଝିଅ ଆଡ଼େ । କଅଁଳେଇ କହିଲା—ଏ ମା, ଏ ମା ନୀଳା, କାଇଁଟା ହେଲା ? କାହିଁଲାଗି ପଳେଇ ଆଇଲୁ ଫେର୍‌ ? କହ, ନାଇଁ କହିଲେ କେନ୍‌ତି ଜାଣ୍‌ବି ? ଏ ମାଁ, ଉଠ୍‌ ତ ।

 

ଭଗାରିର ସ୍ଵର ପରିବର୍ତ୍ତନ ସଙ୍ଗେ ସଙ୍ଗେ କୁମାରୀ ବି ଆଗେଇ ଆସିଲା ନୀଳା ପାଖକୁ-। ଚଢ଼ିଲା ଗଳାକୁ ଖସେଇଲା—ଏ ନୀଳା ! ଏ ମାଁ ନୀଳା, ନାଇଁ କାଁଦ୍‌, ନାଇଁ କାଁଦ୍‌-। ବାପ ଯୁଟା ପଚାରୁଚି ଉଚାରୁଚି ଆଗ କହ । ଆ, ଆ, ଆ ତ ମାଁ ତୁରାଣି ଢୁକଟେ ପି ଦେ ତ ଆଗ-

 

ଦାଣ୍ଡ ପାଖକୁ ନଇଁ ପଡ଼ିଥିବା ତାଟି କାନ୍ଥରେ ଡେରି ହୋଇ ନବଘନ ଏଆଡ଼କୁ ଉଙ୍କି ମାରୁଥିଲା । କାନେଇଥିଲା । ଏ ଆଡ଼ଟାରେ ଭାଗ ନେବାକୁ ଆଗେଇ ଆସୁ ଆସୁ ଠିଆ ଠିଆ ହୋଇ ଥରକୁ ଥର ପଛେଇ ଯାଉଥିଲା ।

 

ଘରକୁ ଫେରି ଯାଇଥିଲା ନବଘନ ।

 

ପୁଣି ଚାଲି ଆସିଚି ଭଗାରି ଘରକୁ । ଏ ଭିତରେ ଜାଗାଟାର ପରିବର୍ତ୍ତନ ଲକ୍ଷ୍ୟ କରୁଚି ।

 

‘ତସିଲ୍‌ଦାର୍‌’ ଆସିଚନ୍ତି । ‘ଦିଆନ୍‌’ ଆସିଚନ୍ତି । ଭଗାରି ଅଳ୍ପ ସମୟ ପାଇଁ ଘରକୁ ଆସୁଚି ।

 

ଗଡ଼ତିଆର ଗାଁ ମୁଣ୍ଡିଆ ଭୁଗ୍‌ରା ଜମିର ଉଚ୍ଚା ହୁଡ଼ା ତଳେ ନିଜକୁ ଅଧା ଛପେଇ, ଶାଳ ତଳେ, ମହୁଲ ତଳେ, ଗୁଛାମୂଳେ ଲୁଚି ଛପି ଦରଛପା ହେଇ, ମୁଣ୍ଡିଆ ତଳର ଛାମୁଣ୍ଡିଆ ଆଡ଼ଷ, ତମ୍ବୁ ଆଡ଼େ ନବଘନ ଅନାଏ । ହାକିମ, ପେସ୍‌କାର, ଅର୍ଦ୍ଦଳି, ପିଉନ୍‌...ଦୂରେଇ ଦୂରେଇ ସେମାନଙ୍କୁ ଦେଖେ । ଏପାଖ ସେପାଖ ହୋଇ କ’ଣ କରୁଥିବା କ’ଣ ଶୁଣୁଥିବା କ’ଣ କହୁଥିବା ଭଗାରିର ଭାବଭଙ୍ଗୀ, ଅଙ୍ଗଭଙ୍ଗୀକୁ ଲକ୍ଷ୍ୟ କରେ । ସେଆଡ଼ର କଥା ଗୁଡ଼ାକ କାନେଇ ଶୁଣିବାକୁ ଚେଷ୍ଟା କରେ । ଦେଖିବାକୁ ଚେଷ୍ଟାକରେ । ଶୁଣିବାକୁ ଚେଷ୍ଟା କରେ । ଭଲ କରି କିଛି ଦେଖି ପାରେନା । ମୋଟେ କିଛି ଶୁଣି ପାରେନା । ଛାମୁଣ୍ଡିଆରୁ ଡାଳ କୁଡ଼ିଆ, କୁଡ଼ିଆରୁ ଛାମୁଣ୍ଡିଆ, ଛାମୁଣ୍ଡିଆରୁ ତମ୍ବୁ ମୁହଁ ଯାକେ—ବେଳେ ବେଳେ ଦିଶି ଦିଶି ଯାଉଥାଏ, ବେଳେ ବେଳେ ଛପି ଛପି ଯାଉଥାଏ ଭଗାରି-। କିଛି ଶୁଣିପାରେନା ନବଘନ । ପ୍ରାୟ କିଛି ଦେଖି ପାରେନା । କେତେବେଳେ ଦେଖା ଯିବାର ସୀମା, ସବୁବେଳେ ଶୁଣାଯିବାର ସୀମାଠାରୁ ବେଶ୍‌ ଦୂରରେ ଠିଆ ହୋଇ ଦେଖେ ହାତୀ ଦୁଇଟାର ଡାଳ ଭଙ୍ଗା, ଶୁଣେ ପେଁପାଁ, ମଡ଼୍‍ମାଡ଼୍—ଛାମୁଣ୍ଡିଆରୁ ତୁହାକୁ ତୁହା କୁହୁଳା ଉଠି ଆକାଶ ଆଡ଼େ ଉଠି ଗଲାବେଳେ ଆଖି ବି ତାର ବେଳେ ବେଳେ ସେଇ ଆଡ଼େ ଆଗେଇ ଯାଉଥାଏ-

 

ଯାହାକୁ ଦେଖିବ ଦେଖିବ କହି ନବଘନ ବସିଥିଲା ଭଗାରି ଘରେ ସେଇ ହାକିମହୁକୁମାଙ୍କୁ ଦେଖୁ ଦେଖୁ ଦୂରେଇ ରହିଚି । ଭଗାରିକୁ ଆଉ କିଛି ପଚାରୁ ନାଇଁ ।

 

ଭଗାରି ବି ବଳି ପଡ଼ି ଆଉ କିଛି କହୁନାଇଁ ।

 

ଆଜି ସକାଳେ କାମକୁ ଯିବା ଆଗରୁ କହିଲା—ଘରେ ତ ତମର୍‌ କେତେ କାମ ଧାମ ପଡ଼ିରହିଥିବ ଗ ସମ୍‌ଧି, କାହିଁଲାଗି ଇ’ଠି ତୁଛାଟାରେ ପଡ଼ି ରହିଥିବ ?

 

ଟିକିଏ ହସ ଫୁଟେଇ ଥିଲା ନବଘନ–ଇଖ୍‌ଣା କାଇଁ କାମ ? ଯେନ୍‌ଟା ଅଛି ପୁଅମାନ୍‌କୁ ନିଅଁଟ୍‌ ।

 

—ଧାନ୍‌ ଗଁଡାକ ରଖି ଥୁଇ ସାଇଲଣ ?

 

ଆଉ ଟିକିଏ ହସିବାକୁ ଚେଷ୍ଟାକଲା ନବଘନ—କେନ୍‌ତି କଥାଟେ ପଚାରୁଚ ଗ ସମ୍‌ଧି-? ଆମର୍‌ ଏବ୍‌ଯାକେ ଥାଏ କାଁ ?

 

—ଛାଉଣି ଛପର୍‌ ନାଇଁ କର ?

 

ହସ ସାଙ୍ଗକୁ ଟିକିଏ ବିସ୍ମୟ ଭାବ ଫୁଟେଇଲା—ଇ ଚଇତ ମାସ୍‌ରୁ ?

 

ଟିକିଏ ଅପ୍ରସ୍ତୁତ ହେଲା । ହିଁ ହିଁ ପରେ କହିଲା—ହେ’ ଦେଖୁଚ, ଭୁଲି ଯାଉଚିଁ ! କାଇଁଟା ପଚାରୁ ପଚାରୁ କାଇଁଟା ପଚାରି ଦଉଚିଁ । ଏ ସମ୍‌ଧି, ଘରେ ତମର୍‌ କାଇଁ ବଡ଼୍‌ କାମଟେ ଅଛି ବଲି ନାଇଁ କହୁଥିଲ ?

 

—ତମ୍‌କୁ ! କାଇଁ କାମ ?

 

ବାଁ ଆଖି ବୁଜି, ଡାହାଣ ଆଖି ବିସ୍ଫାରିତ କରି ମୁହଁ ଉଠାଉଥିଲା ଭଗାରି ।

 

ଭଗାରି ସାଙ୍ଗରେ ଉପରେ ଉପରେ ହସ ଫୁଟେଇ ଯୁକ୍ତି କରୁଥିଲେ ବି ଭିତରେ ଭିତରେ ଅନୁମାନ କରିପାରୁଥିଲା ଭଗାରିର ଉଦ୍ଦେଶ୍ୟଟା । ମନ ହଉଥିଲା ସକାଳୁ ଉଠି ଚାଲିଯାନ୍ତା-

 

ଯିବି ଯିବି ହୋଇ ଯାଇ ପାରୁ ନଥିଲା ।

 

କିଛି ନକହି, କିଛି ନପଚାରି ହଠାତ୍‌ ଦିନେ ସକାଳୁ ସକାଳୁ ଘରମୁହାଁ ହେଲା ।

 

ଅଳ୍ପ ପଡ଼ା ଉଠା ଚଲା ବାଟଠୁ ବେଶୀ ପଡ଼ା ଉଠା ଆଡ଼େ ଆଗେଇ ଯିବା ଆଗରୁ, ଜଙ୍ଗଲ ଭିତରେ ଛପିଯିବା ଆଗରୁ ତମ୍ବୁ ଛାମୁଣ୍ଡିଆଗୁଡ଼ିକୁ ଥରେ ଥରେ ଚାହିଁନେଇଥିଲା । ଜଙ୍ଗଲ ଭିତରେ ଛପି ଯିବା ପରେ ପରେ ବି ଜଙ୍ଗଲ କଟା, ପଥର ଫଟାକୁ କାନେଇ ଥିଲା ।

 

ନବଘନ ଫେରି ଆସିଚି । କାହାରି ସାଙ୍ଗରେ ବେଶୀ କଥାବାର୍ତ୍ତା ନାଇଁ । ଚୁପ୍‌ ଚୁପ୍‌ ବସି ରହୁଚି । ଅଳସ ଭାଙ୍ଗୁଚି । ଜମି ନାଇଁ, ବାଡ଼ି ନାଇଁ, କାଠ ନାଇଁ, ବାଉଁଶ ନାଇଁ......ଗାଈ, ବଳଦ, ଚିରା, ଦୋହରା ବିହନ...କୌଣସି ଆଡ଼େ ଠିକ୍‌ ଭାବରେ ମନ ଦଉ ନାଇଁ ।

 

ଚଇତ ଯାଇ ଫଗୁଣ ଗଲା ।

 

ଶ୍ରାବଣ ଯାଇ ଆଷାଢ଼ ଆସିଲା ।

 

ନବଘନର ନିଦ ଯେମିତି ଭାଙ୍ଗୁ ନାଇଁ !

 

କାମକୁ ଡାକୁଚି ଚଇତା । କାମକୁ ଡାକୁଚି ଚଇତନ । କାମକୁ ଡାକୁଚନ୍ତି ତୀର୍ଥ, କମଳୁ, ଲାଛୁ..... ।

 

ଗାଳି ଶୁଣୁଚି—ଗାଳି ଦଉଚି ।

 

ଗାଳି ଶୁଣୁଚି । ଚୁପ୍‌ ରହୁଚି ।

 

ଗାଳି ଶୁଣୁଚି । ଚିଡ଼ି ଉଠୁଚି । ଝିମେଇ ଝିମେଇ କାମ କରୁ କରୁ ହଠାତ୍‌ କାମ ଛାଡ଼ି ଚାଲି ଆସୁଚି ।

 

ଅଳ୍ପ ଅଳ୍ପ ଗାଳି ଦଉ ଦଉ ହଠାତ୍‌ ଦିନେ ଜଳି ଉଠିଲା ଚଇତା—ତୁଇ, ତୁଇ ଇ’ଟା କାଇଁ କର୍‌ମଟେ କରୁଚୁରେ ! କୁଢ଼ିଆ ଲେଖା ତ ହଉଚୁ, ପୁଅ ମାଇପଙ୍କୁ ମାର୍‌ବୁ କାଁ ?

 

ନବଘନଠୁ ଜବାବ ପାଇ ଆହୁରି ଜଳିଉଠିଲା ଚଇତା । ପାଖେଇଆସୁଥିଲା କମଳୁ । ଆତଙ୍କ ଗଣିଲାଣି । ଚଇତାର ରାଗଟା କେଡ଼େ ରାଉ ରାଉ ହେଇ କେତେ ତାଉ ଆଡ଼କୁ ଗତି କରିପାରେ, ସେଇ ଦୃଶ୍ୟଟା କଳ୍ପନାକୁ ଆଣିଲା । ଦୁହିଁଙ୍କ ମଝିରେ ଠିଆ ହୋଇ ପଡ଼ିଲା ।

 

ଚଇତାର ରୂପ ଦେଖି ନବଘନ ଶଂକି ଯାଇଥିଲା । ବାପ ହେଲା ପରେ ବି, ବାଡ଼ ପଡ଼ିଲା ପରେ ବି ଏ ଧରଣର ଶାସନକୁ ପୂରାପୂରି ଅସ୍ଵାଭାବିକ ଭାବିପାରିନାଇଁ । ପିଲାରୁ ଟପି ପାରିଲା ଭାଇ ହେଲା ପରେ ବି ରାଗ ବେଳେ ଯୋଉ ଲଦାଲଦି ଖାଇଚି ତା ଏଯାଏଁ ଭୁଲି ଯାଇନାଇଁ ।

 

ଶ୍ରାବଣ ଯାଇ ପୁଣି ଆସିଲା ଫଗୁଣ । ଫସଲ କମିଚି । ନବଘନ ଡୁଙ୍ଗି ଡୁଙ୍ଗି ଆସୁଚି ଭୋଗା, ଟୋପା, ଡୋଲି.....

 

ଫସଲ କମିଚି । କାମ କରିବାର ନିଶା ଜାଗିଲାଣି ।

 

ପୁନେଇ ଆଗ, ପୁନେଇ ବାସୀ, ପୁନେଇ ତିଆସି—ଦିନ କଟୁଚି ହସି, ବସି ।

 

ପୁନେଇ ଦିନରେ ଖୁଣ୍ଟା ତାଡ଼ୁଚି ନବଘନ । ପଥର ଫଟଉଚି । ମାଟି ହାଣୁଚି । ହୁଡ଼ା ବାନ୍ଧୁଚି । ଆକାଶକୁ ଚାହୁଁଚି । ଫଗୁଣଟାରେ ଏଇ ଅବା ବର୍ଷା ଆସିବ ।

 

ବର୍ଷା ଆସିବ—ମାଟିକୁ ଚିରିବ—ଗୁଣ୍ଡ କରିବ ।

 

ଅନେକ ଦିନ ପରେ ସୁନ୍ଦରୀ ଆସିଚି ଝିଅ ଘରକୁ । ଝିଅକୁ ଦେଖୁ ଦେଖୁ କାନ୍ଦି ପକେଇଚି ସୁନ୍ଦରୀ ।

 

ଅନେକ ଦିନ ପରେ ସମୁଧୁଣି ଆସିଚି ଘରକୁ । ଖବର ପାଇ ବିଲକାମ ଚଞ୍ଚଳ ଶେଷ କରି ଚଇତା ଆସିଚି । ଖବରଟା ଶୁଣି ନବଘନ କୋଡ଼ି ଛାଡ଼ି ଦେଇ କଣ ଟିକିଏ ଭାବିଚି । ପୁଣି ଧୁସ୍‌ଧାସ୍‌ ହାଣି ଚାଲିଚି । ଯେତିକି ଯୋରରେ କୋଡ଼ି ଟେକୁଚି ହାତ ମୁଠା ସେତିକି ସେତିକି ହୁଗୁଳା ହଉଚି ।

 

ହାଣୁ ହାଣୁ ହଠାତ୍‌ କୋଡ଼ି କାନ୍ଧେଇ ଗାଁ ଆଡ଼େ ଆଗେଇ ଆସିଲା । ସୁନ୍ଦରୀ ସାଙ୍ଗରେ ମୁହାଁ ମୁହିଁ ସାକ୍ଷାତ ହେବା ଆଗରୁ ନିଜ ଘରେ ଥାଇ ଉଙ୍କି ମାରିଲା ।

 

ଚଇତାକୁ ଦେଖୁ ଦେଖୁ ହସଟିଏ ହସି ସୁନ୍ଦରୀ ଢଗ ମେଲିଥିଲା—ମୁଇଁ ମରୁଥାଏଁ ତମର୍‌ ପାଇଁ ଗ, ତମର୍‌ ଦଇଆ ଟୁପେ ନାଇଁ !

 

ହସଟା ଟିକିଏ ଗାମ୍ଭୀର୍ଯ୍ୟ ଆଡ଼େ ଗତି କରୁଥିଲା—ହ ଗ ସମ୍‌ଧି, ଆମର୍‌ ଆଡ଼େ ଟିକେ ଗଲେ ଆଇଲେ ନାଇଁ ହେଇତା ?

 

ଚଇତା ବି ଟିକେ ହସ ଝରେଇଥିଲା—ନାଇଁ ଗଲି କେନ୍‌ତି ଗ ସମ୍‌ଧିଣି ? ଏଦି ତ ଏବେ ବଳିଆ ବିହାକୁ ଯାଇଥିଲି ।

 

—ଯାଃ, କେନ୍‌ ଯୁଗର୍‌ କଥା କହୁଚ !

 

ସୁନ୍ଦରୀ ଯୋଉ ଯୁଗ କଥା କହୁଥିଲା ତା ଗଲା ଶ୍ରାବଣ ମାସଟା । ଲେଉଟ ଶ୍ରାବଣ ଆସିବାକୁ ଆହୁରି ଦି’ଟା ପୂର୍ଣ୍ଣମୀ ।

 

ନୀଳାକୁ ଦେଖୁ ଦେଖୁ ଚଇତାର ମନେ ପଡ଼ି ଯାଇଥିଲା ବଳିଆ ବାହାଘର ବେଳର ଅପ୍ରିତିକର ପରିସ୍ଥିତିଟା । ଠିକ୍‌ ସେଇ ବାହାଘର ବେଳକୁ ପଳେଇ ଆସିଥିବା ନୀଳାକୁ ନେବାକୁ ପୁଣି ଆସିଥିଲେ ନୀଳାର ଶାଶୁ ଆଉ ବର ।

 

ସୁଲ ଜିଦ୍‌ ଧରିଚି ମାଁ ସାଙ୍ଗରେ ଯିବାକୁ । ଚଇତା କହିଲ—ଏବେ ତ ଯାଇଥିଲୁରେ ମା, ଫେର୍‌ କାହିଁ ଲାଗି ଏନ୍‌ତି ହଉଚୁ ? ନାଇଁ ଦେଖୁଚୁ ଆମେ ବାପ ପୁଅ କେନ୍ତି ବେସ୍ତ । ତୁଇ ଗଲେ ଆମର୍‌ କଥା କିଏ ବୁଝ୍‌ବ ?

 

ସୁଲର ଜିଦ୍‌ ବଢ଼ୁ ବଢ଼ୁ, ଚଇତାଠି ଯୋଉ ଚିହ୍ନ ଫୁଟି ଉଠୁଥିଲା ସୁନ୍ଦରୀର ଉପସ୍ଥିତିରେ ତା ଦବି ଦବି ଯାଇଥିଲା ।

 

ସକାଳ ଖିଆ ନେଇ ଦେଲା ବେଳେ ସୁନ୍ଦରୀ ବି ଖେତକୁ ଗଲା ଝିଅ ସାଂଗରେ । ଚଇତାର ପୁରୁଣା ଆଉ ନୂଆ ତିଆରି ବିଲରୁ କେତେଟା ଦେଖିନେଲା ?

 

—ଆମର୍‌ ସେ ତ ଆଉ ମାଟି ଝାଟିରେ ନାଇଁ ପଶ୍‌ବାକୁ ଗ, ନାଇଁ ହେଲେ ଆମର୍‌ ଯେନ୍‌ ଟିକକ ଅଛି......

 

ସମୁଧୁଣିର କଥା ଶୁଣୁ ଶୁଣୁ ଚଇତା ସ୍ମରଣ କରୁଥିଲା ଭଗାରିର ବାପ କକା କଥା । ଅକର୍ମର ବାହା ବେଳକୁ ଭଗାରିର ବାପ ବଞ୍ଚିଥିଲା । ଭାଗ ହେଇ ନଥିଲା ଘର, ଜମି । ନୂଆ ନୟାବାଦୀ କଟା ଚାଲିଥିଲା, ଖେତ ତିଆରି ଆରମ୍ଭ ହୋଇଥିଲା ।

 

ଗଲାଥର ଦେଖି ଆସିଚି ଆଉ ଭାଇଙ୍କର ଖୁଣ୍ଟା ଛପି ଛପି ଆସୁଚି । ନୂଆ ନୂଆ ଜାଗାରେ ଖୁଣ୍ଟା ପୋଡ଼ା ନିଆଁରୁ ଧୂଆଁ ଉଠୁଚି । ଗହିର ଖେତରେ ଧାନ ପାଚୁଚି । ଭଗାରି ଭାଗରେ ପଡ଼ିଥିବା କେତେ ମାଣ ବାପ ଅମଳ, ଅଜା ଅମଳ ଜମିରେ ନୂଆ ନୂଆ ଗଛ ଉଠୁଚି—ପୁରାତନ ବଣର ପୁନରାବୃତ୍ତିଟା ଅନେକ ଅଂଶରେ ଆଗେଇ ଯାଇଚି ।

 

ସୁଲର କନ୍ଦା କଟା, ଅନୁନୟବିନୟ ଦେଖି ଶେଷ ମୁହୂର୍ତ୍ତରେ ଚଇତା ହଁ କଲା ।

 

ସୁଲ ଯିବାର କେତେ ଦିନ ପରେ ଅକର୍ମ ଜିଦ୍‌ ଧରିଲା ଶ୍ଵଶୁର ଘରକୁ ଯିବାକୁ ।

 

ନାହିଁ କରୁ କରୁ ବେଶ୍‌ ଟିକିଏ ଭାବି ଚଇତା କହିଲା—ହଉ ଯା ତାହେଲେ । ବହୁର୍‌ କପାଳରେ ଥିଲେ ବୁଢ଼ାକୁ ଟିକେ ଦେଖବ୍‌ ହେଲେ ।

 

ଚଇତା ବାପର ପାଟି ପଡ଼ିଯାଇଥିଲା ଆଜି । ମିତୁରୁ ହରି ନାମ ଗାଇଥିଲା—କମଳୁ ରାମ ନାମ ଧରିଥିଲା ।

 

ତୀର୍ଥ କହିଥିଲା—ବୁଢ଼ା କେତ୍‍ଥର୍‌ ଆଉ ଦାନ ଖାଇବ ? ଇ’ ଥର ଆଉ ନାଇଁ । ଇ’ ଥର ଆଉ ନାଇଁ !

 

କାନ୍ଦ ଆରମ୍ଭ କରି ଦେଇଥିଲା ଚଇତନର ସ୍ତ୍ରୀ କୁସୁମା । କାନ୍ଦି ଆସୁଥିଲା ନବଘନର ସ୍ତ୍ରୀ । ଗାଁର ଏଠି, ସେଠି—ଏଇଯିବ, ଏଇଗଲା......

 

ଅବସ୍ଥା ଟିକିଏ ବଦଳିଚି ।

 

ଚଇତା କହିଲା—ଯା ତ ବୁଝ୍‌ବୁ, ଲାଛୁ ଇ’ ଭିତରେ ଗଡ଼୍‍କୁ ଯିବ କହୁଥିଲା । ଝାର୍‌ କଟା ଲଟି ପାଖରେ ମୁଣ୍‌ଷ ଖିଆଟେ ତ ମାତିଚି । ଏକ୍‌ଲାଟା କେନ୍‍ତି ଯିବୁରେ ? ଯା ତ, ତର୍‌ ଲାଛୁ ମାମୁଁ କୁ ବୁଝି ଦେଖ୍‌ ତ ।

 

—ଲାଛୁ ମାମୁଁ ?

 

ଲାଛୁ ମାମୁକୁ ପ୍ରଶ୍ନ ବାଚକ ଭିତରେ ରଖ, ବାପର କଥା ଆଉ ବେଶୀ ନଶୁଣି ଅକର୍ମ, ଧାଇଁଲା ଲାଛୁ ପଧାନ ଘରକୁ ।

 

ଗାଁ ମୁଣ୍ଡରେ ଲାଛୁ ପଧାନର ପଲାଘର ସାଂଗକୁ ଝାଟି ମାଟିର ଟିକି ଆଟୁ ବଖରାଏ । କଳା ବାରୁଦ ବାଟୁଥିଲା ଲାଛୁ ବାଣୁଆ । କଳା ବାରୁଦ, କଳା ପାଲଟିଚି ଶିଳ ଆଉ ଶିଳପୁଆ । କଳା ଭିତରେ ଢାଙ୍କି ହୋଇଚି ଲାଛୁ ମାମୁର ଅଳ୍ପ କଳା ହାତଟି । କରିଆ ଖଣ୍ଡକ କଳା ଭିତରେ ଅଧା ଢଙ୍କା । ପ୍ରାୟ ସବୁ କଳା, ଅଳ୍ପ ଅଳ୍ପ ଧଳା କେବଳ ତାଳୁ ଉପର ଠ ଆକାର ଖିଅର ଉପରେ ଝୋଟ ରଙ୍ଗର ଫାଶପକା ଚୁଟି କେରାକ ।

 

—ଏ ମାମୁଁ !

 

ଲାଛୁ ଫେରି ଚାହିଁଲା । ଦାଣ୍ଡ ପାଖରେ ହେଲାବେଳେ ଦେଖି ସାରିଲାଣି ଅକର୍ମକୁ । ଆହୁରି ଆଗରୁ ଶୁଣି ପାରିଲାଣି ଅକର୍ମର ଚାଲି ଶବ୍ଦଟା ।

 

—ଏ ମାମୁଁ, ସକାଳୁ ସକାଳୁ ଯିମା ।

 

—କେନ୍‌ ଆଡ଼େ ?

 

ଗଡ଼୍‌କୁ ଯାଉଚୁ ପରା ? ଏ ମାମୁଁ, ତର୍‌ ସାଙ୍ଗରେ ମୁଇଁ ଯିବି ଗ । ପୁଷ ପଦର୍‌ରୁ ତ ବାଁକି ଯିବୁ ଟିକେ । ଆଉ ଟିକେ ଆଗ୍‌କୁ ନାଇଁ ହେଲେ ନାଇଁ ପଛେକ, ଉଁ କି ଚୁଁ କିଛି ନାଇଁ—ବାରୁଦ ବଟାରେ ଲାଗି ଯାଇଚି ଲାଛୁ ।

 

ଏ ମାମୁଁ, ନାଇଁ ଯାଉ କାଁ ? ଏ ମାମୁଁ, ମାମୁଁ ଗ !

 

—ଆଁ ?

 

—ଯିବୁ ପରା ? ଏ ମାମୁଁ, ତୁଡ଼ାଦାର୍‌ଟା ବଦଳେଇବୁ ପରା ? ନାଇଁ କହୁଥିଲୁ ସେ ଦିନ-? ଗଡ୍‌କୁ ଗଲେ ସିନା ଗ ମାମୁଁ ?

 

ସାମନାକୁ ଝିଙ୍କି ପଡ଼ିଲା ଲାଛୁ । ବାଟି ଚାଲିଚି—ଯିବି, ଯିବି ହଉଚିଁ, ଯେ, ତୁଚ୍ଛାଟାରେ କାହିଁ ଲାଗି ଯିବି ଇଖ୍‌ଣି ?

 

—କାହିଁଲାଗି ନାଇଁ ଯାଉ ? ଉତ୍ତର ଦେଲା ନାଇଁ । ବାଟି ଚାଲିଲା । ହାତକୁ ଚାପି ଚାପି, ଆଗକୁ ଝୁଙ୍କି ଝୁଙ୍କି ବାଟି ଚାଲିଚି ଲାଛୁ ।

 

—ଏ ମାମୁଁ, ଚାଲ୍‌ ଯିମା । ତୁଡ଼ାଦାର୍‌ଟା ସାଁଗରେ ନେଇଥା ।......ଜାଣ୍‌ଲୁ ଗ ମାମୁଁ, ମର୍‌ ଶଶୁର ଘର ଗାଁ ପାଖରେ ଲୁଣି ମାଟି ଅଛି । ଲୁଣି ମାଟିକୁ ମିର୍‌ଗ, ସିଁ ଗାଳ ବାଇ ପରା ରେ ମାମୁଁ ?

 

—ସିଁ ଗାଳ ? କେନ୍‌ଠି ?

 

—ମର୍‌ ଶଶୁର ଘର ଗାଁରେ ଗ ମାମୁଁ । ଆରଥର ଯେନ୍‌ ଯାଇଥିଲି, ଜାଣ୍‌ଲୁ ଗ ମାମୁଁ, ଯେଡ଼େଟେ ପେଁଡ୍ରା ଗାଁ ଭିତର୍‌କୁ ପଶିଥିଲା !

 

—ପେଁଡ୍ରା ?

 

ଶିଳପୁଆ ଉପରେ ସ୍ଥିର ହୋଇ ଯାଇଚି ଲାଛୁ ବାଣୁଆର ହାତ୍‌ । ସିଧା ହୋଇ ବସି ପଡ଼ିଲା—ଜାଣ୍‌ଲୁ ରେ ଅକ୍ରମ, ଏବେ ଦିନେ ଏତ୍‌କି ଏତ୍‌କି ବେଳ୍‌କୁ ଦାରୁଗା ପାଖ୍‌ରୁ ଫେରୁଥାଏଁ । ବାଟରେ ମିର୍‌ଧା ପାଲିର୍‌ ଗଡ଼୍‌ତିଆ ମତେ ରଖେଇଲା । ଲାଗ୍‌ଲାଗ୍ ତାର୍‌ ଗୁହାଳ୍‌ ରୁ......

 

କାନ ପାରି ଶୁଣୁ ଶୁଣୁ ହଠାତ୍‌ ବାଧା ଦେଲା ଅକର୍ମ—ଏ ମାମୁଁ, ସକାଳୁ ସକାଳୁ ବାହାରି ପଡ଼୍‌ମା ଗ ।

 

ଲାଛୁ କହି ଚାଲିଚି—ହେଲେ ମର୍‌ ଆଗ୍‌ରୁ, ମର୍‌ ଆଗରୁ, ବର୍‌ତି ଯାଇତା ? ବର୍‌ତି ଯାଇତା ! ହୁଃ...... ! ଜାଣ୍‌ଲୁରେ ଅକ୍ରମ, ମୁହଁ ସଂଜ୍‌ଟା ଗଡ଼ି ଯାଇଥାଏ, ଶଳାଟା ଗାଁ ପଛ ପାଖ ଲଟି ଭିତରେ ଭିତରେ......

 

—ଏ ମାମୁଁ, ସକାଳୁ ସକାଳୁ ଯିମା ଗ । ଏ ମାମୁଁ, ଶୁଣ୍‌ନାଇଁ ଯେ ଗ । ଏ ମାମୁଁ, ଏ ମାମୁଁ......

 

—ଆଁ ?

 

—ସକାଳୁ ସକାଳୁ, ଯିମା ।

 

—ଯିମା ?

 

—ଗଡ଼କୁ ପରା ଯିବୁ ଗ ମାମୁଁ ?

 

—ଗଡ଼କୁ ?

 

—ମର୍‌ବା’କୁ ନାଇ କହୁଥିଲୁ ଯିବୁ ବଲି ?

 

—ତ’ର୍‌ବା’କୁ ?

 

—ନାଇଁ କହୁଥିଲୁ ?

 

—କାଇଁଟା ?

 

—ଧେତ୍‌ ! ଗଡ଼୍‌କୁ ପରା ! ଏ ମାମୁଁ, ତୁଇ ଗଡ଼୍‌କୁ ପରା ଯିବୁ-? ଗଡ଼୍‍କୁ ଗ ମାମୁଁ, ଗଡ଼୍‌କୁ-

 

ଶିଳପୁଆ ଠେଲା ଆରମ୍ଭ କରିଦେଲା ଲାଛୁ—ଗଡ଼୍‍କୁ ? ଯିବି ଯେ, ଜଁତୁଜୁଁ ତାଟେ ପକେଁ । କୁଡ଼ିଏ ହଉ, ଦିକୁଡ଼ି ହଉ, ହଠାତ୍‌ ତରକି ଚାହିଁଲା ଲାଛୁ–ହେଃ, ଆଜିକାଲି ଆଉ କାଇଁ ଜଁତୁ-? ଏ ଅକ୍ରମ, ଆଜିକାଲି ଆଉ ଜଁତୁଜୁଁତା ନାଇଁରେ । ଗାଡ଼୍‌ ଫରେଟର୍‌ ତ ଗୁଡ଼େ ଗୁଡ଼େ ଜଗିଚନ୍‌-। ଦାରୁଗା ବାବୁ ତ, ଲାଛୁ ପଧାନର ମୁହଁ ଶୁଖି ଶୁଖି ଆସୁଥିଲା । ସାମନାରେ ଫୁଟି ଉଠୁଥିଲା ପୋତା ଜାଗାରୁ କଢ଼ା ଖାଲି ଠେକିଟା ।

 

ଏବେ ଦିନେ ପିଲାତି ମିରିଗ ମାରି ଧରାପଡ଼ିଥିଲା ଲାଛୁ ପଧାନ ।

 

ଅକର୍ମକୁ କଣେଇ ଚାହିଁ, କଥା ବନ୍ଦକରି ବେଶ୍‌ ଯୋରରେ ବାରୁଦ ବଟାରେ ଲାଗି ଗଲାଣି ଲାଛୁ ।

 

ଆହୁରି ପାଖେଇ ଆସିଲା ଅକର୍ମ—ଏ ମାମୁଁ, ତୁଇ ନାଇଁ ଯାଉ କାଁ ? ଏ ମାମୁଁ ! ଏ ମାମୁଁ !

 

ବାଟି ଚାଲିଚି ଲାଛୁ ପଧାନ ।

 

ଆକାଶରେ ଘୋଟି ଆସିଲାଣି ଶେଷ ଆଷାଢ଼ର କଳା ପାଉଁଶିଆ ମେଘ–ସୁସୁ, ଘୁଘୁ, ଗୁରୁଗରୁ—ଗମ୍ଭୀର, ଉଦାସ...ଖଣ୍ଡ ପ୍ରଳୟର ପହିଲି ସଙ୍କେତ ଅବା ।

 

—ଲାଛୁ ଚାହିଁଲା ଆକାଶକୁ ।

 

—ଏ ମାମୁଁ, ମାମୁଁ ଗ !

 

ଝିମେଇ ଆସୁଚି ଅକର୍ମର ଗଳା-ଏ ମାମୁଁ, ଯିବୁ ? ମାମୁଁ ! ମାମୁଁ ଗ ! ଏ ମାମୁଁ !

 

ବାରୁଦ ଡାଲା, ଅରଖ କୋଇଲା ଅଗଣାରୁ ଗୋଟାଇ ଆଣିଲା ଲାଛୁ । ଖେଳିଲା ଛୁଆଟିକୁ ଅଗଣାରୁ ଟେକି ଅଣୁଚି ଲାଛୁର ସ୍ତ୍ରୀ । ଅଗଣା ମଝିରେ ଡିଆଁଡେଇଁ ଆରମ୍ଭ କରି ଦେଇଥିବା ତା ଉପର ଛୁଆଟାକୁ ସତର୍କ କରି ଦଉଚି ଲାଛୁ ।

 

ଅକର୍ମ ଚାହିଁଚି ।

 

ସଂଜ ପହର ମେଘ ଉଡ଼େଇ ନେଇଥିଲା । ଚଇତା ଚାହିଁଥିଲା ଉଡ଼ନ୍ତା ମେଘକୁ ।

 

ଚଇତା ଚାହିଁଥିଲା ଉଡ଼ନ୍ତା ମେଘଭରା ଆକାଶ ଆଡ଼େ । ମେଘଟାକୁ ଅନୁମାନରେ ଆଣୁଥିଲା ।

 

ଚଇତାର ଅନୁମାନ ଠିକ୍‌ ହେଲା । ରାତିରେ ପବନ ହେଇଚି, ବର୍ଷା ବି ହେଇଚି । କୋଉ ପହରରେ ପବନ ହେଲା, ବର୍ଷାହେଲା ଠିକ୍‌ ଜାଣି ପାରୁ ନାଇଁ । ପତା ମାଡ଼ି ମାଡ଼ି ଆସୁଥିଲା-। ଶୋଇ ଯାଇଥିଲା । ପୁଣି ଆସିଥିଲା ହାବୁକା ପରେ ହାବୁକା ପବନ । ତାଟି ଫାଙ୍କ, ଝାଝି ଫାଙ୍କ, ମାଟି ଫାଙ୍କ, ଚାଳିଆ ଫାଙ୍କ...ଚାରିଆଡ଼ୁ ପଶିଆସିଲା ଭିତରକୁ । ନିଦ ଭାଂଗି ଥିଲା-

 

ବାହାରେ ଅନ୍ଧାର । ସୁସୁ, ଘୁଘୁ, ଗୁରୁଗରୁ—ଝକ୍‌ଝକ୍‌, ଝିପ୍‌ଝିପ୍‌......

 

ଡିବିରି ଜାଳିଲା ଚଇତା ।

 

ଶୋଇ ଯାଇଚି ଅକର୍ମ । ସ୍ଵପ୍ନରେ କ’ଣ ବିଳିବିଳେଇ ଉଠୁଚି ।

 

ବାହାରକୁ ଚାହିଁଲା ଚଇତା । ଥମି ଆସିଲାଣି ପବନ । ଥମି ଆସିଲାଣି ବର୍ଷା । ଚାଳରୁ ଖସୁଥିବା ଝର ଆସିଲାଣି ଅଳସେଇ ।

 

—ଅକ୍ରମ !

 

ଅକର୍ମ ଶୋଇଚି । ହଲାଇ ଦେଲା—ଏ ଅକ୍ରମ ! ଉଠ୍‌, ଉଠ୍‌ ।

 

–ଆଁ, କାଇଁଟା ? ଉଁ !

 

—ଉଠ୍‌—ଉଠ୍‌, ଯିମା ।

 

—କେନ୍‌ ଆଡ଼େ ?

 

—ପବ୍‌ନ ହେଇଚି । କେଡ଼େଟେ ପବ୍‌ନ ! କେତେ ଝୁଲ ଝଡ଼ି ଯାଇଥିବ । ଚାଲ୍‌ । ବେଗେ ନାଇଁ ଗଲେ ଭାଲୁ ସବୁ ଚାଟିଚୁଟା ଦେବେ ।

 

ଆଖି ଦଳି ଦଳି ଉଠି ବସିଲା ଅକର୍ମ । ବାପ କଥାର ଗୁରୁତ୍ଵ ବୁଝିଲା ।

 

ଗାଈ ବଳଦ ପାଇଁ ମହୁଲ ଗୋଟେଇବା ସରିଚି । ମହୁଲ ଝଡ଼ିଚି–ଝଡ଼ିଚି, ତା’ ଜାଗାରେ ଛାଡ଼ି ଯାଇଚି ତା’ର ଏଇ ଟେ ଲ ଫଳ । ପାଚିଲା ଟୋଲାରୁ ମଞ୍ଜି ଖସି ଖସି ପଡ଼ୁଥିବ ।

 

ନିଆଁ ବେରିଆ ଧରି ବାହାରି ପଡ଼ିଲା ଚଇତା । ପଛେ ପଛେ ଅକର୍ମ ।

 

ବାହାରେ ଅନ୍ଧାର । ଟିକିଏ ଅଧେରେ ଟୁପ୍‌ଟୁପ୍‌ ଚାଲିଚି । ମେଘରେ ବୁଡ଼ିଚି ଆକାଶ । ଅନ୍ଧାରରେ ବୁଡ଼ିଚି ବଣ, ପାହାଡ଼, ଖାଲ, ଢିପ, ଟାଙ୍ଗର.......

 

ରାତିର କୋଉ ପହର ଠିକ୍‌କରି ପାରୁନାହିଁ ଚଇତା ।

 

ବାପ ପଛେ ପଛେ ଆଗେଇ ଚାଲିଚି ଅକର୍ମ । ଆଗେଇ ଚାଲିଚି । ଏ ପାଖ ସେପାଖ ଚାହୁଁଚି । ଆଗେଇ ଚାଲିଚି ତାଳ ତୋଟା କେଡ଼େ କେଡ଼େ ।

 

ଆକର୍ମକୁ ସଂଗରେ ନେଇ ଗଜା ମହୁଲ ଗଛ ଆଡ଼େ ଆଗେଇ ଚାଲିଚି ଚଇତା । ସବୁଥିରୁ ବେଶୀ ଫଳିଚି ସେଥିରେ । ବେଶୀ ପାଚିଲା ସେଥିରେ ।

 

ନିଆଁ ବେରିଆ ଧରି ଆଗେଇ ଚାଲିଚି ଚଇତା । ଅନ୍ଧାରରେ ଏଠି ସେଠି ଦୁକ୍‌ ଦୁକ୍‌ କରୁଚି ଆଉ କେତେଟା ବେରିଆ । ବେଳେ ବେଳେ ଦୁର୍‌ ଦୁର୍‌ ଜଳି ଉଠି ଗିଳି ଦେଉଚି ଖଣ୍ଡେ ଖଣ୍ଡେ ଅନ୍ଧାର ।

 

କାମ ସାରି ଭଗାରି ଫେରୁଛି ଘରକୁ । ମଠେଇ ମଠେଇ ପାଦ ପଡ଼ୁଚି ।

 

ସଂଜ ଗଡ଼ିଚି । ଦୁତିଆ ଜହ୍ନଟା ଲିଭିଗଲାଣି । ମୁଣ୍ଡିଆ ପାଖରୁ ଆଲୁଅ ଦିଶୁଚି । ଝାପ୍‌ସା ଦିଶୁଚି ଦରଉଠା କୋଠାର କଙ୍କାଳ ।

 

ଗାଁ ଆଡ଼େ ଆଗେଇ ଚାଲିଚି ଭଗାରି । ପାଦ ଥିରି ଥିରି, ଅଳସ ଅଳସ, ମନ କୁହୁଳିଆ-

 

ଛପିଚି ଦୂରର ବଣ, ପାହାଡ଼ । ଛପିଚି ଦେଖା, ଅଧାଦେଖା, ଛପିଲା ଭଳି ଆଖପାଖର ଗାଁ ।

 

ଫୁଟି ଦିଶୁଚି ଭଟି ଆଡ଼ର ଟିକି ଟିକି ନିଆଁ ।

 

ପାହାଡ଼ ପାଖ ମୁଣ୍ଡିଆ ଉପର କୋଠାର କଂକାଳ । କଂକାଳର ଏପାଖ ସେପାଖ କେତେଟା ଘର—ଚୂନ ଇଟା, ମାଟିଝାଟି, ଡାଳ ପତର... । ସବୁଠି ମଣିଷ—ଅମଲା, ଠିକାଦାର୍‌, ମହୁରିର୍‌, ମେଣ୍ଟ, ମିସ୍ତ୍ରୀ, ବଢ଼େଇ, କାଠୁଆ, ମାଟିଆ, ପଥୁରିଆ... ।

 

ଅଳସେଇ ଅଳସେଇ ଆଗେଇ ଚାଲିଚି ଭଗାରି ।

 

ଭଗାରିର ଆଗେ ଆଗେ ଚେମ୍‌ରୁ ଚାଲିଚି । ଚେମ୍‌ରୁ ଚାଲିଚି । ଛାଇ ପରି ଦିଶୁଚି । ଚେମ୍‌ରୁ ଚାଲିଚି, ପାଦ ଟଳମଳ ।

 

—ଏ ଚେମ୍‌ରୁ !

 

—ଆଗେଇ ଚାଲିଚି ଚେମ୍‌ରୁ ।

 

—ଏ ଚେମ୍‌ରୁ !

 

—ହଜୁର୍‌ !

 

କପାଳ ପାଖକୁ ହାତ ଉଠେଇ ଟିକିଏନାକୁ ଘୁରିପଡ଼ିଲା ଚେମ୍‌ରୁ ।

 

ଚେମ୍‌ରୁ—ରଜାଘର କୁଜା ଦନ୍ତାର ମାହୁନ୍ତ । ପଥର ଫଟା ଠିକାଦାର୍‌କୁ ଆଜି ଘୁରେଲ ଆଣିଚି ବାଉଁଶ ବଣରୁ । ଭଗାରି ବି ଯାଇଥିଲା ସାଂଗରେ ।

 

ଘୁରେଇ ଆଣିଚି । ଠିକାଦାର୍‌ଠ୍‌ ବକ୍‌ସିସ୍‌ ପାଇଚି—ସଲାମ୍‌ ଠୁକିଚି ।

 

ସଲାମ୍‌ ଠୁକେ ଚେମ୍‌ରୁ । ହାତୀ ତାକୁ ସଲାମ୍‌ ଦିଏ ।

 

ଠିକାଦାର୍‌ଠୁ ବକ୍‌ସିସ୍‌ ପାଇଚି ଆଜି— ‘ମଦ୍‌ଖିଆ’

 

ରୋଜ୍‌ ଟୋପାଏ । ସେଇଠୁ ଫେରୁଚି ଚେମ୍‌ରୁ ।

 

ସେଇଠୁ ଫେରୁଚି । ପରିମାଣର ପରିଣାମଟା ଧୀରେ ଧୀରେ ପ୍ରକାଶ ପାଇ ଆସୁଚି ।

 

ଏ ଚେମ୍‌ରୁ, ଉଠ୍‌, ଉଠ୍‌, କାହିଁ ଲାଗି ବଇଲୁ ଇ’ଠି ? ...ଏ ଚେମ୍‌ରୁ ! ତୁଇ, ତୁଇ ଭାବ୍‌ଲୁ ଠିକାଦାର୍‌ ? ନାଇଁ ? ଠିକାଦାର୍‌କି ଉଗ୍ରେସର୍‌ ଭାବ୍‌ଲୁ କାଇଁସେ...ନାଇଁ ? ନାଇଁ ?

 

ଆରମ୍ଭ ହେଲା ଚେମ୍‌ରୁର କଥା—ବେପରୁଆ ବେଖାପିଆ, ବେତାଳିଆ......

 

କଥା ସାଂଗେ ସାଂଗେ ମୁଣ୍ଡ ପାଗଟା ଦରଫିଟା ହେଲାଣି । ତାଳିଭରା ଛିଣ୍ଡା ପ୍ୟାଣ୍ଟ ଦୋହଲିଲାଣି ।

 

—ଏ ଚେମ୍‌ରୁ, ଉଠ୍‌, ଉଠ୍‌, ନାଇଁଗଡ୍‌ ଇ’ଠି । ଆଉ ଟିକେ ଗଲେ ଇ’ବାଟେ ପେଡ୍ରା ଯିବ—ଇ’ଟା ତାର୍‌ ବାଟଟା ।

 

ଭଗାରି ଚାହିଁଚି । ମୁହୂର୍ତ୍ତ ପୂର୍ବର ଫୁଲି ଉଠା କୌତୁହଳ ଆହୁରି ଫୁଲି ଉଠୁଚି ।

 

ଫୁଲି ଫୁଲି ଉଠୁଚି—ଦବି ଦବି ଯାଉଚି ।

 

ଭଗାରି ପାଦ ଦେଲା ଗାଁ ଦାଣ୍ଡରେ । ଗାଁ ସେ ମୁଣ୍ଡେ ଦୁଇ ଘର ଛାଡ଼ି ଦେଇ ନିଜଘର । ଗାଁ ଏପାଖେ ଚାରିଘର ଛାଡ଼ି ଗଡ଼ତିଆ ଘର । ଗଡ଼ତିଆ ଘର ପାଖକୁ ଲାଗି ଗାଁ ଆଖଡ଼ା ଘର । ଆଖ୍‌ଡ଼ା ଘର କଣକୁ ଭାଗବତ ଘର—ଟୁଂଗିଟିଏ ।

 

ଆଖ୍‌ଡ଼ା ଘର ଭିତରୁ ଆଲୁଅ ଦିଶୁଚି । ଗଡ଼ତିଆ ଘର ସାମ୍‌ନା ଗୁହାଳରେ ଝଲୁଚି ଅଧାକଳା ଢଙ୍କା ଅସିଆ କାଳର ପିତଳ୍‌ ରଂଗ ଲଂଠନ । ପିତଳିଆ ଆଲୁଅରୁ ଖଣ୍ଡେ ଖଣ୍ଡେ ଦାଣ୍ଡ ମଝିରେ ପଡ଼ିଚି ।

 

ପେଁଡ଼୍ରା ମାତିଚି ଗାଁରେ ।

 

ଗଡ଼ତିଆ ଘର ଆଡ଼େ ଚାହିଁ ଚାହିଁ, ଗତି ବେଗକୁ ବଦଳେଇ ବଦଳେଇ ଆଗେଇ ଆସୁଚି ଭଗାରି । ଗଡ଼ତିଆ ଘର ଦାଣ୍ଡପାଖ ବଖରାକୁ ଡିବିରିଟିଏ ଧରି ପଶି ଆସୁଚି ଗଡ଼ତିଆଣି ।

 

ଭଗାରି ଟିକିଏ ଅଟକି ଗଲା । ଡିବିରି ଆଲୁଅରେ ଗଡ଼ତିଆଣି ବୁଢ଼ୀର ହରଡ଼ ଫାଳିଆ ମାଳିଟା ଖାଲି ଟିକିଏ ଚିକ୍‌ମିକ୍‌ କରୁଚି । ସେଇ ଆଡ଼େ ଚାହିଁଥିଲା । ପାଦେ ପାଦେ ଅଟକୁ ଅଟକୁ ଯୋର୍‌ଯୋର୍‌ପାଦ ପକେଇ ଆଗେଇ ଯାଉଥିଲା ନିଜ ଘର ଆଡ଼େ ।

 

କେତେ ପାହୁଣ୍ଡ ଆଗେଇ ଯାଇ ହଠାତ୍‌ ଫେରି ଚାହିଁଲା ।

 

ଆଖଡ଼ାଘରୁ ଭଜନ ମିଶା ଖଜଣି ମାଡ଼ ଭାସି ଆସୁଚି । ବୁଲି ପଡ଼ିଲା । ଟୁଂଗି ଭିତରକୁ ପଶିଲା । ଚନ୍ଦ୍ର ମହାରଣା, ପହିଲି ଷଣ୍ଢ, ଚେରୁ ପଧାନ...

 

ଗୀତ ବୋଲୁଚି ଚେରୁ—ମନ ମୂଷାରେ...ମନ ମୂଷାରେ...

 

ପାଳିଆ ଧରୁଚନ୍ତି ଆଉ କେତେ ଜଣ ।

 

ଚନ୍ଦ୍ର ଡାକିଲା—ବ ନାଇଁ ଯେ । ଠିଆ ହେଲୁ କାହିଁ ଲାଗି ?

 

ଟିକିଏ ଚାହିଁ ନେଇ, ଟିକିଏ କଣେଇ, ହଠାତ୍‌ ବିରକ୍ତି ପ୍ରକାଶ କରି ବୁଲି ପଡ଼ିଲା ଭଗାରି-

 

ଭଗାରି ଫେରିଲା ଘରକୁ । ଅଗଣାର ଖଟିଆ ଉପରେ ବସି ପଡ଼ିଲା । ବସି ପଡ଼ ପଡ଼ ଲମ୍ବ ହୋଇ ଶେଇଗଲା ।

 

ଡିବିରି ନେଇ ଆଗେଇ ଆସୁଥିଲା ସୁନ୍ଦରୀ ।

 

—ଖାଇବା ନାଇଁ କା ?

 

ଭଗାରି ଫେରି ଚାହିଁଲା ।

 

ଡାକିଦେଇ ସୁନ୍ଦରୀ ଫେରି ଯାଉଥିଲା । ଭଗାରି ଡାକିଲା—ଏ କାଳିଆର ମାଁ, ଶୁଣ୍‌ତ ।

 

ବୁଲି ପଡ଼ିଲା ସୁନ୍ଦରୀ—କାଇଁଟା ?

 

—ଏ ସୁନ୍ଦ୍‌ରି !

 

—କାଇଁଟା ଗ ?

 

–ଶୁଣ୍‌ତ ।

 

—କହ ନାଇଁ ଯେ ।

 

ପାଖେଇ ଆସିଲା ସୁନ୍ଦରୀ ।

 

ଉଠି ପଡ଼ିବାର ଉପକ୍ରମ କରୁଥିଲା ଭଗାରି—ତର୍‌ ଭାଇ କାଇଁ କାମଟେ କଲାଣ ବଲି ନାଇଁ କହୁଥିଲୁ ?

 

—କେନ୍‌ଟା ?

 

ଭଗାରି କ’ଣ କହି ଆସୁଥିଲା । ହାଣ୍ଡି ଶାଳଆଡ଼ୁ ବିରାଡ଼ି ଦୁଇଟାର ମାଡ଼ ହେବାର ଚିତ୍କାର ସାଂଗେ ସାଂଗେ ହାତରେ ଖାଇବା ଶିଖି ଆସୁଥିବା ଦୁଇ ଝିଅଙ୍କର କେଁ ଭେଁର ମିଶ୍ରଣଟା ଭାସିଆସିଲା । କିଛି ଶୁଣିବା ଆଗରୁ ବିବ୍ରତ ହୋଇ ଚାଲିଗଲା ସୁନ୍ଦରୀ ।

 

ସୁନ୍ଦରୀ ଚାଲିଗଲା । ଗଳା ଫଟେଇ ଡାକ ଛାଡ଼ିଲା ଭଗାରି ।

 

ହଠାତ୍‌ ଡାକ ବନ୍ଦକରି ପୁଣି ଗଡ଼ି ପଡ଼ିଲା ।

 

ଗଡ଼ି ପଡ଼ିଲା । ଗଡ଼ି ପଡ଼ିବା ସାଂଗେ ସାଂଗେ ଉଠି ବସିଲା । ଗାଁ ଦାଣ୍ଡକୁ ଚାଲିଗଲା ।

 

ଆଖଡ଼ା ଘରୁ ଭାସି ଆସୁଚି ସେଇ ଖଂଜଣି ମାଡ଼ । ବଡ଼ ପାଟିଆ ଚନ୍ଦ୍ରର ଗଳାଟା ଖଞ୍ଜଣିକୁ ଟପି ଯାଉଚି । ବେଳେ ବେଳେ ପହିଲି ଷଣ୍ଢର ଖଂଜଣିଟା ଗୀତକୁ ଟପି ଯାଇ ଅନ୍ୟ ଖଂଜଣିଠୁ ବାରି ହୋଇ ପଡ଼ୁଚି ।

 

ଖଂଜଣି ମାଡ଼ । ଭଜନରୁ ପଦେ ଅଧେ । କାନରେ ବାଜୁଚି । ଶୁଣି ବି ନଶୁଣିଲା ଭଳି । ଉପଭୋଗ ତ ଦୂରର କଥା ଅନୁଭବରେ ବି ଆସୁ ନାଇଁ ।

 

ଗୁହଳ ଓହଳା ଲଣ୍ଠନ ଆଲୁଅରେ ଗଡ଼ତିଆ ଘର ଦାଣ୍ଡ ପାଖ ମଣ୍ଡପଟା ଟିକେ ଟିକେ ଦିଶୁଚି । ଭାଂଗି ଭାଂଗି ଯାଉଥିବା ଅସ୍ପଷ୍ଟ ମଣ୍ଡପଟା ବେଶ୍‌ ସ୍ପଷ୍ଟ ହୋଇ ଉଠିଚି ଭଗାରି ସାମନାରେ-

 

ଭଣଜାର ବାହାଘର ସାରି ଫେରିଲା ବେଳକୁ ଟିକିଏ ବାଂକି ଯାଇ ନବଘନ ଅଟକି ଯାଇଚି ଭଗାରି ଘରେ । ନାନୀ ଘରକୁ ବିଶି ବି ଆସିଚି ସାଂଗରେ ।

 

ମୁଣ୍ଡିଆ ପାଖକୁ ଏକା ଏକା ଥରକୁଥର ଯା ଆସ କରୁଚି ନବଘନ । ଭଗାରିକୁ କ’ଣ କହିବ କହିବ ହୋଇ କିଛି କହୁନାଇଁ ।

 

ନବଘନର ନିଦ ଭାଂଗିଲା ବେଳକୁ ଉଇଁ ଯାଇଥିଲା । ମୁଣ୍ଡିଆ ଆଡ଼ୁ ପଥର ଫଟା, ପଥର ଗଡ଼ା, ହାତୀର ପେଁ ପେଁ, ଲୁହା, ହାତୁଡ଼ି, ଟାଂଗିଆ ଇତ୍ୟାଦିର ଖଣ୍‌ଖାଣ୍‌, ଦୁମ୍‌ଦାମ୍‌, ଧସ୍‌ଧାସ୍‌ ଭାସି ଆସୁଥିଲା । ଗାଁ ପାଖଯାଏ ବୋଲି ଜଂଗଲ କଟା ହୋଇ ଆସିଲାଣି । ଦୁଇ ପହରିଆ ମୁଖରିତ ଗାଁ ଭିତରକୁ ଆଠ ପହରିଆ ଅଚିହ୍ନା ଶବ୍ଦ କୋଳାହଳ ପାଖେଇ ପାଖେଇ ଆସିଲାଣି । ହାତୀ, ହତିଆର......ହଳ, ଗାଡ଼ି—ଚୁନ, ଇଟା, ଛଡ଼, କାଠ, ପଥର, ସିମେଣ୍ଟ, ବାଲି...ଭରା ବଳଦଗାଡ଼ିର କେଁ କଟର ହାତୀ ହତିଆର ଶବ୍ଦ ଭିତରେ ହଜି ଯାଉଥିଲା, ଛପି ଯାଉଥିଲା ।

 

ପଟିଆରେ ପଡ଼ି ରହିଚି ନବଘନ । ଏ ପାଖ ସେପାଖ ଗଡ଼ୁଚି । ଗଡ଼ୁଚି, ଉଠୁଚି ।

 

ଉଠି, ବସି, ଆଖିବୁଜି, ଦରବୁଜା ହେଇ ଶବ୍ଦକୁ କାନଉ କାନଉ ହଠାତ୍‌ ଉଠିପଡ଼ିଲା ନବଘନ । ଉଠୁ ଉଠୁ ଅଧୁଆ ମୁହଁରେ ଧାଇଁ ଗଲା ବିଶିର ନାନୀଘରକୁ ।

 

ଆଖି ମଳିମଳି ନିଦରୁ ଉଠୁଥିଲା ବିଶି । ନବଘନ କହିଲା—ଏ ବିଶି, ଚାଲ୍‌, ବାହାର୍‌ ।

 

ଆଖି ଦଳୁ ଦଳୁ ବିଶି କହିଲା—କେନ୍‌ ଆଡ଼େ ?

 

—ଗାଁକୁ । ଚାଲ୍‌ ଯିମା ଗାଁକୁ ।

 

—କେନ୍‌ ଆଡ଼େ ? କେନ୍‌ ଆଡ଼େ ?

 

ବିଶି ସେମିତି ଆଖି ମଳୁଥିଲା । ଭେଣେଇ ସାଂଗରେ ଯଥାକ୍ରମେ ହଳଦୀପଦର ଆଉ ବଘୁଆକଟାର ଗୀତବଢ଼ା, ମଣ୍ଡଳି ଦେଖି ଫେରୁ ଫେରୁ ରାତି ଅଧ ହୋଇଥିଲା ।

 

ଆଜି ରାତିର ମଣ୍ଡଳି କଥାଟା ମନେ ପକେଇ ଗୁଁ ଗାଁ ହେଲା । ହେଲେ ବି ନବଘନ ସାଂଗରେ ବାହାରି ପଡ଼ିବାକୁ ପ୍ରସ୍ତୁତ ହେଲା । ଯିବା ଆଗରୁ ଭଗାରି ଘରକୁ ଆସିଲା । ସୁନ୍ଦରୀ ଝିଅ ପାଖକୁ କେତେ ଖବର ଦେଲା ।

 

ବାଡ଼ି ପାଖ ମେଲାଘରେ ନୀଳା ଆଖିବୁଜି ପଡ଼ିଥିଲା । ବିଶିର ପାଟି ଶୁଣି ଉଠି ବସିଲା-। ନୀଳାର ଶୁଝିଲା ମୁହଁକୁ ଚାହିଁ ବିଶି କହିଲା—ଏ ନିଳା, ଶୁଇଥା । ନାଇଁ ଉଠ୍‌ । ଜରଟା ଅଛି କାଇଁ ସେ ।

 

ଶୁଖିଲା ମୁହଁରେ ହସ ଝରେଇ ନୀଳା କହିଲା—ଯାଉଚୁ ? ଯାଉଚୁରେ ଭାଇ ?

 

ହସକୁ ଆଉ ଟିକିଏ ତେଜୁଥିଲା ନୀଳା—କେବ୍‌ବୁ ବିହା ହଉଚୁରେ ଭାଇ ? ଆମ୍‌କୁ ପିଠାଖିଆକୁ ନାଇଁ ଡାକୁ କାଁ ?

 

ନୀଳାର ଦୁର୍ବଳ ମୁହଁ ଉପରେ କାଉଁଳା ହସ ଟିକକୁ ବିଦାୟ ବେଳାରେ ବିଶି ଲକ୍ଷ୍ୟ କରୁଥିଲା ।

 

ସୁନ୍ଦରୀ ଯାଇଥିଲା ଝିଅ ଘରକୁ । ଅନ୍ୟ ଥର ପରି ଏ ଘର ସେ ଘର ବୁଲି ଏଣୁ ତେଣୁ ବାର ଆଡ଼ୁ ବାର କଥା ଲମ୍ବେଇବା ନିଶଟା ଏଥର ମରିଯାଇଥିଲା ।

 

ଯେତେଥର ଆସିଲେ ସୁନ୍ଦରୀର ବିଦାୟ ପର୍ବଟା ଗାଁର କେତେଟା କୁଣିଆଁ ବିଦାୟଠୁ ବାରି ହେଲା ଭଳି ମନେ ହୁଏ । ବାହାରିବା ଢେର ଆଗରୁ ଘରକୁ ଘର ପଶିଯାଇ, ଅଜା, ଆଈ, ମାମୁଁ, ମାଇଁ, ମାଉସୀ, ବଡ଼େଇ, ଜେଠେଇ, ଜେଡ଼ାଣି ଇତ୍ୟାଦି ମାନ୍ୟ ସଂଗରେ, ଯାଉଚିଁ ଲ, ଯାଉଚିଁ ଗ, ଯାଉଚିଁ ରେ ଇତ୍ୟାଦି ଜଣେଇ ଦେବା ସାଙ୍ଗେ ସାଙ୍ଗେ ମୁହୂର୍ତ୍ତ ହସ କାନ୍ଦର ପରିବର୍ତ୍ତନଟା ଶୋଇଲା ଗାଁକୁ ବି ଜିଆଁଇ ଦିଏ ।

 

ଏଥର ତାର ବ୍ୟତିକ୍ରମ ।

 

ଝିଅ ଘରୁ ଫେରି ଆସିବା ପରେ ପରେ ଟିକିଏ ଟିକିଏ ଭୁଲି ଭୁଲି ଯାଇଥିବା ଅଭିମାନ ଅଭିଯୋଚତକ ସୁନ୍ଦରୀ ଭିତରେ ଭିତରେ ପୁଣି ଚେଇଁ ଉଠିଚି, ପୁଣି ଡେଣା ମେଲିଚି । ଅଭିଯୋଗ୍ୟ ଜଣେଇ ଦେଇ ନାଇଁ ଭଗାରିକୁ । ଝିଅ ଘରକୁ ଯିବା ଆଗରୁ ଅଭିଯୋଗଟାକୁ ଚାପି ଚାପି ରଖିଚି । ଭଗାରିକୁ ଜଣେଇ ନାଇଁ ନୀଳାରୁ ଜଣେଇ ନାଇଁ । ଦୁଃଖ, ସୁଖ, ଗୋପନ କଥାଭାଷା ଯାହା ଯାହା ସାଂଗେ ହୁଏ ସେମାନଙ୍କୁ ବି କିଛି ହେଲେ ଜଣେଇ ଦେଇନାଇଁ ।

 

ଝିଅ ଘରକୁ ଯିବା ଆଗରୁ ନୀଳାକୁ କେବଳ ପଦେ ପଚାରିଥିଲା—ହ’ରେ ମାଁ, କାଳିଆ କାଲି ଇ’ଘରେ ପଶିଥିଲା କାଁ ?

 

ମାଁ ଆଡ଼େ ଟିକିଏ ସଂଦେହୀ ଦୃଷ୍ଟିରେ ଚାହିଁ ନୀଳା କହିଥିଲା—କାଳିଆ ? କାଇଁଟା ? କାଇଁଟା କଲାଣ ଫେର୍‌ ?

 

ମୁହଁ ପୋତି ବାଡ଼ି ଆଡ଼େ ଚାଲି ଯାଉଁ ଯାଉଁ ସୁନ୍ଦରୀ କହିଥିଲା—ନାଇଁରେ ମାଁ, କିଛି ନାଇଁ । ଗୁଟେ ଜିନ୍‌ଷ ମନେ ମନେ ଖୁଜୁଚିଁ ଯେ....

 

—କାଇଁଟା ?

 

—କିଛି ନାଇଁରେ ମାଁ, କିଛି ନାଇଁ ।

 

ନୀଳା ମାଁ ଆଡ଼େ ସନ୍ଦେହୀ ଦୃଷ୍ଟିରେ ଚାହିଁ ଥିଲା ।

 

କାଳିଆ କଥା ଭାବି ଭାବି କପାଳ ଉପରେ ଅଭିମାନ କରିଥିଲେ ସୁନ୍ଦରୀ ।

 

ସେ ଦିନର ଅଭିଯୋଗଟା ବି ମରି ଯାଇନାଇଁ । ଭଗାରି ଆଗରେ ଅଭିଯୋଗଟା ବାଢ଼ିବ କି ନାଇଁ ତାର ନିଷ୍ପତ୍ତି ବି ଯାଏଁ ଯାଏଁ କରି ନାଇଁ । ତେବେ ଆଜି କାହିଁକି ମନ ହେଉଚି ଭଗାରିର ସତ କଥାଟା କହିଦବାକୁ ।

 

ଭଗାରି ଫେରିଲା କାମରୁ ।

 

ଭଗାରିକୁ ଦେଖୁ ଦେଖୁ ସୁନ୍ଦରୀ କହିଲା—ଶୁଣ୍‌ତ ।

 

କହିବାକୁ ଯାଉ ଯାଉ ହଠାତ୍‌ କଥା ବଦଳେଇଲା ସୁନ୍ଦରୀ—ଏତେ ବେଳ୍‌ଯାକେ କାଇଁଟା କରୁଥିଲା ଗ ?

 

ଭଗାରି ଚାହିଁଲା ଅବଶିଷ୍ଟ ଉଜ୍ଜଳ ଆଲୁଅ ଆଡ଼େ । ଚାହିଁ ବା ସାଂଗେ ସାଂଗେ ସୁନ୍ଦରୀ ମୁହଁକୁ ବି ଟିକିଏ ଭଲ ଭାବରେ ଚାହିଁନେଲା ।

 

—ବେଳ ? କାହିଁର୍‌ ବେଳ କଥା କହୁଚୁ ?

 

ଡେରି ହେଲେ ସୁନ୍ଦରୀ ବେଳେ ବେଳେ ଏଇ ପ୍ରଶ୍ନ ପଚାରେ ।

 

ଆଜି ବେଶ୍‌ ଚଞ୍ଚଳ ଆସିଛି ଭଗାରି ।

 

ଭଗାରିର କଥା ଶୁଣୁ ଶୁଣୁ ଉପରକୁ ତଳକୁ ଚାହିଁଲା—ନାଇଁ ଗ, ବେଳ କଥା ନାଇଁ କହିବାକ । ଉଃ, କାଇଁଟା କହୁ କହୁ କାଇଁଟା ପଚାରି ଦେଲି ! ଇ’ ନିଆଁ ଲଗା ମନ୍‌ଟା !

 

ଖଟିଆ ଖାଲରେ ବସିପଡ଼ିଲା ଭଗାରି—କାଇଁ କଥା ? କାଇଁ କଥା ଲ ? କହ ନାଇଁ ଯେ ।

 

କାନ୍ଥରେ ଟିକିଏ ଲଟେଇ ପଡ଼ିଲା ସୁନ୍ଦରୀ ।

 

—କାଇଁ କଥା ? ଆଁ, କାଇଁ କଥା ? କାଇଁ, କଥାଟେ ଆଉ ହେଇତା ?

 

ଖାଲିରେ ଟିକିଏ ଆଉଜିପଡ଼ିଲା ଭଗାରି—ନାଇଁ କହିଲେ କେନ୍‌ତି ଜାଣ୍‌ବି ?

 

ହଠାତ୍‌ ହସଟିଏ ଝରାଇଲା ସୁନ୍ଦରୀ । ହସକୁ ଆଉଟିକିଏ ଭଲକରି ତେଜିବାକୁ ପ୍ରସ୍ତୁତ ହେଉଥିଲା । କଥାର ଖିଅକୁ କୁଆଡ଼େ ଟାଣିବ କିଛି ଠିକ୍‌ ନକରୁଣୁ ଭଗାରି କହିଲା—କାଇଁ ଏନ୍‌ତି କଥାଟେ ? କାଇଁ ଏନ୍‌ତି କଥାଟେ ଲ ? କେତେ ତ ହସୁଛୁ !

 

ଭଗାରି ଆଜି ଚଂଚଳ ଆସିଚି ଘରକୁ । ବଂଦରିଆ କି ପାଇଁ ବଢ଼ି ଉଠିଥିବା ଟଙ୍କା କେତେଟାରୁ କିଛିଟା କିଛି ଦିନ ପରେ ଉଧାର ନେବାକୁ ଚାହେଁ ।

 

ଭଗାରିର ଅନୁରୋଧରେ ସୁନ୍ଦରୀର ମୁହଁ ହଠାତ୍‌ ଶୁଖିଗଲା ପାଣି ମଲା ଭଳି । ଯୋଉ କଥାକୁ ଡରି ଡରି ଆସୁଥିଲା ସେଇଥିରେ ପଡ଼ିଚି । ଯୋଉ କଥାକୁ ଜଣେଇ ଦବାକୁ ହଉ ହଉ କଡ଼େଇ ହେଇ, ଅଡ଼େଇ ହେଇ, କଣେଇ ହେଇ, ଅଣେଇ ହେଇ ସେ ଆସୁଥିଲା ସେଇଠି ଆସି ପଡ଼ିଯାଇଚି ।

 

ଗଲା ବୈଶାଖରେ କାଳିଆ ଥରକୁଥର ଯା’ ଆସ କରୁ ଗାଁକୁ । ଗାଁରେ ପାନ୍‌, ବିଡ଼ି, ଗୁଡ଼ାଖୁର ଦୋକାନଟାଏ ଖୋଲିବାକୁ ଯୋଜନାଟାଏ ବାଢ଼ି ମା’କୁ କହିଥିଲା—ଦେ ତ, ଦେ ତ ମାଁ ଯେତ୍‌କି ଦେଇଥିବୁ ଦିନ କେତ୍‌ଟାରେ ସେତ୍‌କି ମିଶେଇ କରି ତତେ ଦେବି । ଦେଖବୁ ତର୍‌ ପୁଅ ସତ କହୁଚି କି ମିଛ କହୁଚି । ‘ଯେତ୍‌କି ଦେଇଥିବୁ’ ମିଶେଇକରି ଆହୁରି ସେତ୍‌କି ଦେବି କାଳିଆର ଏଇ କଥାଟାର ପୁନରାବୃତ୍ତି ଶୁଣୁ ଶୁଣୁ, ରୂପା ବଂଦରିଆ ସାଂଗେ ସାଂଗେ ରୂପା କତ୍‌ରିଆର ସ୍ଵପ୍ନଟାଏ ଉଜଳି ଉଠୁଥିଲା ।

 

କାଳିଆ ପାଇଁ ଟଙ୍କା ଆଣିବାକୁ ତାଟି ଫିଟେଇ ପାଖ ଘର ଭିତରକୁ ଆଗେଇ ଯାଇଥିଲା । କଥାଟାଏ ମନେ ପଡ଼ିଯିବାରୁ ହଠାତ୍‌ ଠିଆ ହୋଇ ପଡ଼ିଥିଲା ।

 

କାଳିଆ ଯିବାର କେତେ ଦିନ ପରେ ପେଡ଼ି ଖୋଲିଥିଲା । ଦେଖିଥିଲା କନା ଗଣ୍ଠାଟା ହଜମ୍‌ ହେଇ ଯାଇଥିବାର ଦୃଶ୍ୟ ।

 

ଦେଖିବାର ଆହୁରି କିଛି ଦିନ ପରେ—କାଳିଆର ଶଶୁର ଘର ଗାଁରୁ ଏ ପାଖ ଦେଇ ଯାଉଥିବା ଆସୁଥିବା ହାଟ ଧାଉଡ଼ା, ହାଟ ବାହୁଡ଼ା ମାଇପି ମରଦଙ୍କ ଆଗରେ ବାରଆଡ଼ୁ ବାର କଥା ପକେଇ ଝିଅ ଘରକୁ ଯିବାର ମାତ୍ର କେତେଦିନ ଆଗରୁ ଜାଣି ପାରିଥିଲା କାଳିଆ ତା ମାଇପ ଲାଗି କଲିଅରି ହଳଟେ କିଣି ଦେଇଚି ।

 

ବଢ଼ି ବଢ଼ି, ଛିଡ଼ି ଛିଡ଼ି ଆସୁଥିବା ସନ୍ଦେହଟା ହଠାତ୍‌ ଘୁକରି ଫୁଲି ଉଠିଥିଲା ସେଦିନ । ଖବରଟା ଶୁଣୁ ଶୁଣୁ, ଟଂକା ପାଇଁ ଯେତିକି ସାବତ ପୁଅର କୀର୍ତ୍ତି ପାଇଁ ବି ପ୍ରାୟ ସେତିକି ଚିନ୍ତିତ ଆଉ ବିଚଳିତ ହୋଇ ଯାଇଥିଲା । ନୀରବରେ ଲୁହ ଝରେଇ ନୀରୋଳା ଜାଗାଟାରେ ମୁଣ୍ଡକୁଡ଼ିବାକୁ ଉଦ୍ୟତ ହେଉଥିଲା । କିନ୍ତୁ ତା ଆଗରୁ ହଠାତ୍‌ ମୁଣ୍ଡକୁଡ଼ାରୁ କ୍ଷାନ୍ତ ରହିଥିଲା । ଗୁମ୍‌ମାରି ବସି ଯାଇଥିଲା ।

 

ଭାଇ କଥା ସହି ନପାରି ଥରେ ମାଁ ଘରେ ମାଟି କାନ୍ଥରେ ମୁଣ୍ଡ କୁଡ଼ି ହୋଇଥିଲା । ଅନୁଭବ କରିଥିବା ସେଇ ବ୍ୟଥାଟା ହଠାତ୍‌ ମନେ ପଡ଼ି ଯାଇଥିଲା । ଗୁମ୍‌ ମାରିଥିଲା । କପାଳରେ ହାତ ମାରିଥିଲା । କାନ୍ଥରେ ଆଉଜି ପଡ଼ି ବସି ଯାଇଥିଲା । ଲୁହ ଯେପରି ଭାବରେ ଯେତିକି ଝରିବାର ଝରି ଚାଲିଥିଲା ।

 

ଦାଣ୍ଡ ପାଖରୁ ଟିକିଏ ଘୁରି ଆସିଲା ଭଗାରି—ଏ ସୁନ୍ଦ୍‌ରି କାଲି ସକାଳୁ ମତେ ଦବୁ, ଏଁ-?

 

—ଗଳା ଚଢ଼େଇଲା ସୁନ୍ଦରୀ—କାଇଁଟା ଦେବି ?

 

—ଯାଇଁଟା କହିଲି ।

 

—କାଇଁଟା ? ଟଁ କା ?

 

–ଦେଇଥା ତ, ପାଉ ପାଉ ତର୍‌ଟା ଆଗ ଦେଇ ଦେବି । ଦେଇଥା ଲ. ଗଡ଼ରେ ବଡ଼୍‍ କାମଟେ ଅଛି ।

 

—କାଇଁ କାମ ?

 

—ତୁଇ କାଇଁଟା ପାଇବୁ ?

 

—କହ ନାଇଁ ଯେ ଗ ।

 

—ଉହୁଁ, ଇଖ୍‌ଣି ନାଇଁ କହେଁ ।

 

—କାଇଁ ଏନ୍‌ତି କାମ୍‌ଟେ ଯେ ?

 

—ଯାଇଁଟା ହେଲେ ନାଇଁ ଦେଖବୁ କାଁ ? ନାଇଁ ଶୁଣ୍‌ବୁ । କାଁ ? ନାଇଁ ଜାଣ୍‌ବୁ କାଁ ? ଏ ସୁନ୍ଦ୍‌ରି, ସକାଳୁ ଦବୁ—ଏଁ ?

 

ଟିକିଏ ଉପରକୁ ଅନେଇଲା ସୁନ୍ଦରୀ । ବେଶ୍‌ ଟିକିଏ ତଳକୁ ମୁହଁ ପୋତିଲା—ଇଖ୍‌ଣା କାହିଁ ଯିବ ଗ ଗଡ଼୍‍କୁ । ଦିହଟା ତ ଏବେ ନଶି ଥିଲା । ଇଖ୍‌ଣା ନାଇଁ ଯ ନାଇଁ ଯେ ।

 

ଜିଭ କାମୁଡ଼ିଲା ଭଗାରି—ଉହୁଁ ।

 

ହଠାତ୍‌ ଟିକିଏ ବିରକ୍ତି ଫୁଟେଇଲା—ଉହୁଁ, ସେନ୍‌ତି ନାଇଁ କହ । ମୁଇଁ ତ ଯିବି, ତୁଇ କାଇଁ ଟା ପାଇବୁ ?

 

ମୁହଁ ଉପରେ କାଉଁଳା ହସଟିଏ ଫୁଟେଇଲା—ଦିହ ପା କଥା ଗ, ସେଥିଲାଗି କହୁଚେଁ । ଦିନା କେତେ ଯାଉ ।

 

ହଠାତ୍‌ ହସ ଲିଭିଲା । ଗମ୍ଭୀର ହେଲା ଭଳି ଶାସନ ଭଂଗି ଗଡ଼୍‍କୁ ଯିବ ? ନାଇଁ, ନାଇଁ, ନାଇଁ ଯ ଇଖ୍‌ଣି । ଉହୁଁ, ନାଇଁ ଛାଡ଼େ ତମ୍‌କୁ ।

 

ଭଗାରି ଲକ୍ଷ୍ୟ କରୁଥିଲା । ନିକିଟି ନିକିଟି ଚାହୁଁଥିଲା ।

 

ସୁନ୍ଦରୀ କହିଚାଲିଥିଲା । ଗଳାକୁ ଆହୁରି ଉଠେଇ କହି ଚାଲିଥିଲା—ଗଡ଼୍‍କୁ ଗଲେ ହେଲେ ଟଁକା କାଇଁଟା ହବ ? ଟଁକା କାଇଁଟା ହବ ? ଆଁ, ଟଁକା କାଇଁଟା ହବ ?

 

ଟିକିଏ ପାଖେଇ ଆସିଲା ଭଗାରି—କାଇଁଟା କହିଲୁ ? ଉଁ, କାଇଁଟା କହିଲୁ ?

 

ସୁନ୍ଦରୀ ଆଡ଼କୁ ଆଗେଇ ଆସୁ ଆସୁ ଗଡ଼ଟା ଆଗରେ ଜଳ ଜଳ ଦିଶିଯାଉଥିଲା । ଗଡ଼–ଏ ଜାଗାଟାର ଅଦେଖା, ଅଜଣା ଭବିଷ୍ୟତ ସାଙ୍ଗରେ ସେଇ ଗଡ଼କୁ ତୁଳନା କରିବା ସଙ୍ଗେ ସଙ୍ଗେ, କଳନା କରି, କଳ୍ପନା କରି କେତେକଥା ଏଠି ସେଠି କହି କହି ଆସୁଚି । ଭଗାରିର କାଳ୍ପନିକ ବାଖ୍ୟାନଟା ଜଳ୍ପନାର ରୂପ ଧରୁଥିବା ସମ୍ବନ୍ଧୀୟ ମତାମତ କେହିକେହି ଦେଲେଣି ।

 

ଭଗାରିର ଏ ସମ୍ବନ୍ଧୀୟ କଥାଠୁ ଆରମ୍ଭ କରି ଆଉ କାହାର କାହାର’ ମତାମତଠୁ ବର୍ଣ୍ଣନା ଯାଏଁ ବାଜିଚି ସୁନ୍ଦରୀ କାନରେ । କେତେବେଳେ ପାଟି ଆଁ କରି ଶୁଣେ । କେତେବେଳେ ଶୁଣୁ ଶୁଣୁ ବିରକ୍ତ ହୋଇ ଅନ୍ୟ କାମରେ ଆଗେଇ ଯାଏ ।

 

‘ଗଡ଼’ଟି ଶୁଣୁ ଶୁଣୁ ଅନେକ ଦିନ ତଳର ଗଡ଼ଟା ହଠାତ୍‌ ମନେପଡ଼ି ଯାଇଥିଲା । ଗଡ଼ ସାଙ୍ଗରେ ମାଁ ବି ଟାଣି ହୋଇ ଆସିଥିଲା ।

 

କାଳିଆ ସେତେବେଳେ ଛେଳି ଚରା ବୟସର । ବଳିଆ ଧାଇଁ ଦଉଡ଼ି ଘରେ ପଶୁଥାଏ-। ଏ ଦୁହିଙ୍କୁ ଧରି ଯାଇଥାଏ ମାଁ ଘରକୁ । ମାଁ ଘରେ ଜାଣି ପାରିଲା ପହିଲି ଝିଅ ନୀଳା ପେଟରେ ରହିବାର । ସେଇ ପହିଲି ଅବସ୍ଥାରେ ମାଁ ସାଙ୍ଗରେ ବାହାରି ପଡ଼ିଥିଲା ଗଡ଼କୁ । କ’ଣ ଗୋଟାଏ ଯାତ୍ରା । ଗଡ଼ରୁ ଫେରି ଗଡ଼ତିଆ ସେତେବେଳେ ଜଣେଇ ଦେଇଥାଏ, ଯାତ୍ରା ଆଉ ମଝିଆଁ ଜେମାମଣିର ବାହାଘରଟା ଏକ ସାଙ୍ଗରେ ପଡ଼ୁଚି । ଯାତ୍ରା ସାଙ୍ଗରେ ରଜାଘରିଆ ବାହା ଦେଖିବାକୁ ଚୁଡ଼ା ଚାଉଳ ଗଣ୍ଠେଇ ଗାଁରୁ ଗାଁରୁ ଛୁଟିଥିଲେ ମାଇପି, ମରଦ...... ।

 

ଅନ୍ଧାର ଓହ୍ଲାଇ ଆସୁଥିଲା—ଦଳଟି ସାଂଗରେ ସୁନ୍ଦରୀ ପହଞ୍ଚିଥିଲା ଗଡ଼ରେ । ରାଜବାଟି ପାଖଦେଇ ଯାତ୍ରା ପଡ଼ିଆ ଆଡ଼େ ଆଗେଇ ଯାଉ ଯାଉ, ଦୂରରୁ ଶୁଣି ଶୁଣି ଆସୁଥିବା, ପାଖରୁ ଦେଖି ଦେଖି ଆସୁଥିବା ଦୁମ୍‌ ଦୁମ୍‌, ଧୁପ୍‌ ଧୁପ୍‌, ମେଞ୍ଚା ଆଲୁଅ ଆଡ଼େ ଚାହିଁଥିଲା । ମାଁ ପାଖେ ପାଖେ ହଉଥିଲା । ପାଖ ଛାଡ଼ି ଆଗକୁ ମାଡ଼ି ମାଡ଼ି ଯାଉଥିବା କାଳିଆକୁ ପାଖକୁ ଟାଣି ଟାଣି ଆଣୁଥିଲା । ବଳିଆକୁ ଆହୁରି ନିବିଡ଼ ଭାବରେ ଜାକି ଧରୁଥିଲା । ମାଁକୁ ପଦେ ଅଧେ ପଚାରି ଦଉଥିଲା—ଏ ମାଁ, ହେ’ଟା କାଇଁଟା ଗ ? ହେ’ଟା କାଇଁଟା ? ଇ’ ଟା କାଇଁଟା ?

ମାଁ’ କଥା ମନେ ପଡ଼ୁ ପଡ଼ୁ, ଯାତ୍ରା ପଦା, ସେଇଠୁ ଦୃଷ୍ଟିକୁ ଆସୁଥିବା ତା ଆଖପାଖର କେତେଟା ଚୂନଇଟା, ମାଟିଝାଟି ଘରର ଦୃଶ୍ୟ ମନେପଡ଼ିଗଲା ସୁନ୍ଦରୀର । ସେଇ ଆକୃତି ସହିତ ସେ ଦିନର ରାତି ଗାଧୁଆ ଗଡ଼ଟା ସମାନ ବୋଲି କେତେ ଅଂଶରେ ଧାରଣା ରହିଯାଇଚି । ତା’ ଆଗରୁ, ଥରେ ମାଁ ଛାତିରେ ଲଟେଇ ପଡ଼ିଥିବା ବେଳର, ଥରେ ମା କାନି ଧରିଥିବା ବେଳର ଧାରଣାଟା ଏତେ ଧୂଆଁଳିଆ ଯେ, ତା ସହିତ ଏ ଧାରଣାଟା ମିଶାଇ ୟାକୁ ବେଶ୍‌ ଅସ୍ପଷ୍ଟ କରି ଦେଇଚି ।

ଜେମା ବାହାଘର ଜମାରୁ ଦେଖିପାରିନଥିଲେ ସେ ଦିନର ସେ ଦଳଟି । ଗାଁର ଗୁର ବୁଢ଼ୀକୁ ଜର ଲେଉଟେଇ ଥିଲା । ରାତି ଥାଉ ଥାଉ ଫେରି ଆସିଥିଲେ ଗାଁ ଆଡ଼େ । ମନା ନମାନି ଗଡ଼କୁ ଆସିଥିବା ଗୁର ବୁଢ଼ୀକୁ, ଜେମାମଣିଙ୍କ ବିହା ଦେଖି ନପାରି ହତାଶ ହୋଇଥିବାଙ୍କର ଭର୍ତ୍ସନା, ଅଚିହ୍ନାର ଆଖିମରାରେ ବିବ୍ରତ ହୋଇଥିବା ସୁନ୍ଦରୀ ସାନ ଭଉଣୀର ଗାଁକୁ ଫେରି ଯିବାର ଉତ୍କଣ୍ଠା, ଗୁରବୁଢ଼ୀର ଜରରେ ଗୁରୁତ୍ଵ ଦେଇ ସହାନୁଭୂତି ଆଉ ସଚେଷ୍ଟ ସହାନୁଭୂତି ଜଣାଇ ଥିବା ମାଁ, ଗାଁ ବାଲା, ଗାଁ ବାଲି...ଏ ସବୁ ଭିତରେ ସୁନ୍ଦରୀ ନିଜେ ତା’ର ଦେଖିବାର ଉତ୍କଣ୍ଠାକୁ ବଳି ଦଉ ଦଉ, ଗୁର ଆଈକୁ ଧରା ଧରିରେ ସାହାଯ୍ୟ କରି କରି ଫେରି ଆସିଥିଲା ।

 

ମା ସାଙ୍ଗେ ବା ଆଉ କାହା ସାଙ୍ଗେ ସେ ଦିନୁ ଯାଇ ପାରି ନାଇଁ ଗଡ଼କୁ । ଏଠୁ ମାତ୍ର ଚାରି କି ପାଞ୍ଚ କୋଶ ଦୂରରେ ଥିବା ବିଗତ ଜୀବନର ସେଇ ରାତି ଦେଖା ଗଡ଼ କଳ୍ପନାରେ ଚରି ଯାଉଥିବା ବେଳେ, ଛପି ଛପି ଯାଉଥିଲା ମାର ମରଣଟା ମନେ ପଡ଼ୁ ପଡ଼ୁ ।

 

ମାଁ ଚାଲି ଯାଇଚି ଗଲା ଶୀତରେ । ସେ ଦିନଠୁ ଦୁଃଖସୁଖ ହେଲାବେଳେ, ସୁନ୍ଦରୀ ଲୁହ ଗଡ଼େଇ ଅନେକଙ୍କୁ କହି ଚାଲିଚି—ମାଁ ତ ଗଲା, ଆଉ କାହିଁର୍‌ ମାଁ ଘର ?

 

—ଏ ସୁନ୍ଦ୍‌ରି, କାଇଁଟା କହିଲ୍‌ ? ଉଃ, କାଇଁଟା କହିଲୁ ? ମୁଇଁତ ଗଡ଼୍‍କୁ ଯିବି, ତର୍‌ କାଇଁଟା ଗଲା ?

 

ଭଗାରିର ହୁଂକାର ମିଶା କଥାରେ ଚମକି ପଡ଼ୁ ପଡ଼ୁ ମନ ଭିତରୁ ମାଁ କୁଆଡ଼େ ଛପି ଗଲା । ପାଟି ଶୁଖି ଶୁଖି ଆସିଲା । ଛେପ ଢୋକି ହେଉଥିଲା । କଥା ଚିପି ଚିପି କହିଲା—ନାଇଁ ଗ, ଦିହ ପା’ କଥାଟା ବଲି ସିନା,

 

—କାହିଁର୍‌ ଦିହ ପା ଦିହ ପା’ ହଉଚୁ ଲ !

 

ହଠାତ୍‌ ନରମି ଆସିଲା ଭଗାରିର ସ୍ଵର । ନିଜ ଦେହକୁ ଚାହିଁଲା । ଏବେ ଥରେ କୋଠା ତିଆରିର ଭାଡ଼ି ମରା ବାଉଁଶ, କାଠ ପାଇଁ କାଠ କଟାଳି, ବାଉଁଶ କଟାଳି ନେଇ ବାଉଁଶ ବଣରୁ ଫେରିଥିଲା । ଆସିଲା ପରେ ପରେ ଜର ମୁଣ୍ଡ ବଥା । ମୁଣ୍ଡ ପାଇଁ ଛଟପଟ । ମୁଣ୍ଡ ଚିପୁ ଚିପୁ କେତେ ରାତି ଦରଶୁଆ ରହିଚି ସୁନ୍ଦରୀ ।

 

ଏଠିକୁ ବହୁ ହୋଇ ଆସିଲା ଦିନଠୁ ସୁନ୍ଦରୀର ସେବା ଗୁଡ଼ିକ ଅଳ୍ପ ଅଧିକ ମନେ ପଡ଼ୁ ପଡ଼ୁ ଟିକିଏ ଟିକିଏ ନରମି ଆସୁଥିଲା ଗଳା ।

 

ଭଗାରି ନରମ ହଉ ହଉ ସୁନ୍ଦରୀର ଗଳା ପୁଣି ଚଢ଼ି ଚଢ଼ି ଉଠୁଥିଲା—ନାଇଁ, ନାଇଁ, ଇଖ୍‌ଣା ନାଇଁ ଯ କହୁଚିଁ । ଦିନ କେତ୍‌ଟା ଯାଉ ବାହାରି । ହପ୍‌ତାଟା ପାଇ ସାରିଲେ...... ।

 

ହଠାତ୍‌ ଚିଡ଼ି ଉଠିଲା ଭଗାରି—କାହିଁର୍‌ ହପ୍‌ତା ହପ୍‌ତା ହଉଚୁଲ ! ମର୍‌ ଦର୍‌ମା କଥା ମୁଇଁ ଜାଣେଁ । ଦେ, ଯେନ୍‌ଟା କହୁଚିଁ ଦେ ତ—ଆଣ୍‌ତ ଦେ, ଇଖ୍‌ଣି ଦେ ତ ।

 

‘ହପ୍‌ତା’ ଜାଗାରେ ‘ଦର୍‌ମା’ କହିଦେଇ ସେଇ ଶବ୍ଦଟା ଆହୁରି କେତେଥର କହିବାକୁ ଇଚ୍ଛା କରୁଥିଲା । ଚଢ଼ା ଗଳାକୁ ଚପେଇ ଆଣୁଥିଲା ସୁନ୍ଦରୀ—ଆର୍‌କେନ୍‌ଠୁ ଦେଖିଥ ଗ ।

 

ହଠାତ୍‌ ଲୁହ ଝରିଲା—ଇଠ୍‌କୁ, ଇଠ୍‌କୁ ଆଇଲା ଦିନ୍‌ଠୁ ବନ୍ଦ୍‌ରିଆ ହଳ୍‌ଟେ କିଣ୍‌ବି କିଣ୍‌ବି ହଉଚିଁ ଯେ, ଏ ଦଇବ ରେ, ମୁଇଁ କାହିଁ ମର୍‌ସିଁ ରେ ଦଇବ ! ଇ’ ଟଁକା କେତ୍‌ଟାରେ ଗଲା ଆଖି ଦଉଚନ, ଇ ପଇସା କେତ୍‌ଟାରେ....... ।

 

ଗୁମ୍‌ ମାରି ଆସୁଥିଲା ଭଗାରି । ସୁନ୍ଦରୀର ଲୁହ ଆଉ ହାତ ଆଡ଼େ ଚାହିଁଲା । ସ୍ଵରରେ ଟିକିଏ ସହାନୁଭୂତି ମିଶି ଆସୁଥିଲା—ବନ୍ଦ୍‌ରିଆ ? ବନ୍ଦ୍‌ରିଆ ? କିଣ୍‌ ନାଇଁ ଯେ । ତତେ ମୁଇଁ ମନା କରୁଚେଁ କାଁ ? ମନା କରୁଥିଲେ କାହିଁ ଲାଗି ଦେଇ ଥାଇତିଁ ତତେ ?

 

ଆଉ ଟିକିଏ ପାଖେଇ ଆସିଲା ଭଗାରି—ଏ ସୁନ୍ଦ୍‌ରି, ଶୁଣ୍‌ତ—ଏ ଶୁଣ୍‌ତ, ସତେ ଲ କେଡ଼େ କାମଟେ ଗଡ଼ରେ ଅଛି ! ଘର୍‌ଟା ଭାଁ ଗି ଦେଇଚିଁ, ନାଇଁ ଦେଖୁଚୁ କାଁ ଲ ? ଜମିରେ ମାଟି ଟିକେ କର୍‌ବି କର୍‌ବି ହଉଚିଁ ଯେ କାଇଁଚି କେନ୍‌ଠି କରି ପାର୍‌ଲି ? ......ଉହୁଁ ଆଉ ଇଠି ନାଇ ପୁଷାକି ହୁଏ । ଇ’ ଯେନ୍‌ ଉଗ୍ରେସର୍‌ଟା ଆଇଲାଣ, ଉଁ, ଛାଡ଼୍‍, ତତେ କହିଲେ ତୁଇ କାଇଁ ଟା ଜାଣ୍ ବୁ ? ଏ ସୁନ୍ଦ୍‌ରି ! ଦେଇଥା, ଆଉ ଯେନ୍‌ଟା ବଲ୍‌ ପଛେ, ତର୍‌ ବନ୍ଦ୍‌ରିଆ କିଣା ପଇସାଟା ମୁଇଁ ନାଇଁ ଖାଇଦିଏଁ !

 

ଚୁପ୍‌ ହୋଇ ଠିଆ ହୋଇଚି ସୁନ୍ଦରୀ ।

 

ଲୁହ ଝରୁ ନାହିଁ କି ଶୁଖି ନାଇଁ ।

 

—ଏ ସୁନ୍ଦ୍‌ରି ! ଏ କାଳିଆର୍‌ମାଁ ! ଦେଇ ଥା, ଦେଇଥାଲ ।

 

—ଆର୍‌ କେନ୍‌ଠୁ ଦେଖିଥ ଗ ।

 

—କେନ୍‌ଠୁ ଦେଖ୍‌ବାକ ବେଳ ନାଇଁନି ଆଉ ।

 

—ବେଳ ନାଇଁନି ! ନାଇଁ ଥିଲେ ମୁଇଁ ହେଲେ କାଇଁ ? କର୍‌ବି କହ ତ ।

 

—କାହିଁ ଲାଗି ? କାଇଁ ଟା ହେଲା କି ?

 

ବେଶ୍‌ ପାଖେଇ ଆସିଲା ସୁନ୍ଦରୀ । ଗଳା ସଫାକଲା । ଟିକିଏ ତଳକୁ ଟିକିଏ ଉପରକୁ ଚାହିଁଲା । ଥଙ୍ଗେଇ ଥଙ୍ଗେଇ ହେଲା କାଇଁଟା ଆଉ ହେଇତା ? କାଇଁଟା ଆଉ ହେଇତା ? ମତେ ପାଖରେ ଆଉ କେନ୍‌ଠି ଅଛି ଯେ ଦେବି ?

ଯୋରରେ ଗତିକରି ଆସିଥିବା ଗଳାକୁ ହଠାତ୍‌ ଚପେଇଦେଇ ଦେଲିଣ ଗ, ଦେଇ ଦେଲିଣ ।

ସୁନ୍ଦରୀ ମୁହଁକୁ ନିକିଟି ଚାହିଁ ଥିଲା—ଦେଇ ଦେଲୁଣ ? କାଇଁଟା ? କାହାକୁ କାଇଁଟା ଦେଲୁ ?

ବିରକ୍ତି ସାଙ୍ଗରେ ହସକୁ ଗୋଳାଗୋଳି କରୁଥିଲା ସୁନ୍ଦରୀ—ହେତ୍‌ ଗ, ଏତେ ଭୁଲେସରିଆ ତମେ ! ସେ ଦିନ ବଣିଆ ପିଲା ନାଇଁ ଆଇଥିଲା ?

—କେନ୍‌ଦିନ ? କେତ୍‌ ବେଳେ ?

—ତମେ ନାଇଁ ଦେଖି ? ଆଁ, ତମେ ନାଇଁ ଦେଖି । ସବୁବେଳେ ତ ରଜାଘର ରଜାଘର ହେଲେ, କେନ୍‌ଠି ଜାଣୁଚନ୍‌ କିଏ ଆଉଚି, କିଏ ଯାଉଚି, କେନ୍‌ଠି କାଇଁଟା ହେଲଣ, କେନ୍‌ଠି କାଇଁଟା ହଉଚି ।

ହଠାତ୍‌ ଟିକିଏ ଅଟକି ଗଲା ସୁନ୍ଦରୀ । ଟିକିଏ ଅଟକି ସ୍ଵର ବଦଳାଇଲା—ଆଁ, ହଁ, ହଁ, ସତେ ତ, ତମ୍‌କୁ ନାଇଁ କହି ଏବ୍‌ଯାକେ । ସତେ ଗ ତମ୍‌କୁ ନାଇଁ କହି ଏବ୍‌ଯାକେ । ଇ’ ପୁଡ଼ା ମନ୍‌ଟା ତ ! ମୁଇଁ କାହିଁ ମର୍‌ସିଁ ରେ ମାଁ !

 

ସନ୍ଦେହୀ ଦୃଷ୍ଟିରେ ଚାହିଁ ରହିଲା ଭଗାରି—କାଇଁଚି ବନ୍ଦ୍‌ରିଆ ? କେନ୍‌ ବଣିଆ ?

 

ଧରାପଡ଼ିଯିବା ଆଗରୁ ଶେଷ ଚେଷ୍ଟାଟି କରି ଆସୁଥିଲା ସୁନ୍ଦରୀ—ଯେନ୍‌ ବଣିଆ ହଉ, ଯିଏ ହଉ, ତମେ କାଇଁଟା ପାଇବ ଇଥ୍‌ରୁ କତ୍‌ରିଆ, ବନ୍ଦ୍‌ରିଆ, ଚୁଡ଼ି, ମାଠିଚ୍‌ କଥାଟା, ତମେ ଅଁଡ୍‌ରା ମୁଣ୍‌ଷ କାଇଁଟା ପାଇବ ଇଥ୍‌ରୁ ?

 

ସ୍ତ୍ରୀକୁ ଆଣିବା ପାଇଁ ଅକର୍ମ ଯାଇଚି ଶଶୁର ଘରକୁ ।

 

ଚଇତା ଏକା ଏକା ଲାଗିଚି ଖେତ ଖଳା କାମରେ । ମରୁଡ଼ିରୁ ଯୋଉ ଗଣ୍ଡାକ ମିଳିଥିଲା ତାକୁ ରଖି ଥୁଇ ସାରିଲେ ବି ନୂଆ ଖେତଟାଏ ତିଆରି କରିବାର ନିଶା ଘାରିଚି ।

 

ପାହାନ୍ତିଆ ପହର । କଡ଼ ଲେଉଟାଇଲା ଚଇତା । ପାହାନ୍ତା ପବନରେ ଯୋଉ ଟିକକ କାକର ମିଶି ରହିଚି, ଏଇ ଚାଲି—ଯାଉଥିବା ଶୀତର ବେଶ୍‌ ଟିକିଏ ସ୍ମୃତି ମିଶିରହିଚି ତା ଭିତରେ । ପାହାଡ଼ି ଭୂଇଁକୁ ବସନ୍ତ ଆସିଚି ସତ, ଖରା ଚେଇଁବା ଆଗଯାଏଁ ଶୀତ ବି ଚେଇଁ ବସି ଥିବାର ମନେ ହଉଚି ।

 

ପାହାନ୍ତା ପହରରେ କଡ଼ ଲେଉଟେଇଲା ଚଇତା । ଆଣ୍ଠୁକୁ ଛାତି ପାଖକୁ ଟାଣି ଆଣିଚି-। କଣେଇ ହୋଇ ଶୋଇ ଯାଇଚି ।

 

ଦେଢ଼ୀକୁ ଟାଣି ଆଣିଲା ବେକ ମୂଳ ଯାଏଁ । ଆଖି ଫିଟେଇଲା । ଆଖି ବୁଜିଲା ।

 

ପ୍ରାୟ ଉଠିବାର ବେଳଟା ଗଡ଼ି ଗଲାଣି ।

 

ଚଇତା ପଡ଼ିରହିଚି । ଅକାଟି ଚେଇଁଚି । ଏମିତି ଫଗୁଣର ପାହାନ୍ତା ପହରଟା, ଅକର୍ମ ମାଟିକୁ ଆସି ନଥାଏ । ଆଉ ଟିକେ ପରେ ପାହାଡ଼ ଉପରେ ସିନ୍ଦୁରା ଫାଟିଲା ବେଳକୁ......

 

କଡ଼ ଲେଉଟେଇଲା ଚଇତା ।

 

ତାଟି ଠେଲି ଅଗଣା ଭିତରକୁ ପଶିଆସିଲା ଚାଇତା ସ୍ତ୍ରୀ କୁସୁଆ ।

 

—ଏ ଚଇତା, ଶୁଇଥିବ କାଁ ?

 

ଆଉଥରେ ଡାକ ଶୁଣିଲା ପରେ ଚଇତା ଉଠି ପଡ଼ିଲା ।

 

ଅଗଣାରେ ‘ଛେରା ଦଉଥିଲା କୁସୁମା—ମର୍‌ କଥା । ଆଉ କାର୍‌କଥା ନାଇଁ ଶୁଣୁଚ, ତମେ ଦୁଖ ପାଉଚ । ଏଦିନ ସକାଳ ପାଇଲେ ମୁଇଁ ଫେର୍‌ମଁ । ଘର୍‌କୁ ଯିବି । କିଏ ବୁଝଲୁ ତମର୍‌କଥା ?

 

ଉତ୍ତର ଦେଲାନାଇଁ ଚଇତା ।

 

ଅଗଣା ପହଁରୁ ପହଁରୁ ଚଇତାକୁ ଶୁଭିଲା ଭଳି କଥା–ମୁଇଁ ହେଇଥିଲେ ଏନ୍‌ତି ପୁଅ ବହୁର୍‌ ମୁହଁ ନାଇଁ ଦେଖ୍‌ତି ଦଇବରେ ! ବହୁ ଯେନ୍‌ଟାକୁ ପୁଅ ଗଲା ସେ’ଟା ହେଲା !

 

ଖଳା ଆଡ଼େ ଯିବାକୁ ପାଦ ବଢ଼ଉ ଥିଲା, ଚଇତା

କୁସୁମା ଡାକିଲା—ଏ ଚଇତା, ଶୁଣ୍‌ ତ ।

ଚଇତା ଫେରି ଚାହିଁଲା ।

—ମୁଇଁ କାଲି ସକାଳୁ ଯାଉଚେଁ ମଁ । ଘର୍‌କୁ । ଜାଣ୍‌ଲ, ଏ ଚଇତା, ଜାଣ୍‌ଲ, ଇ ଥର କଥାଟା ନିଚେଁ ପକେଇବି ।

ମୁଣ୍ଡ ହଲାଇଲା ଚଇତା—ଉଁହୁଁ ।

—ଉଁହୁଁ କାଇଁଟା ? ପକେଇବି ତ । ମୁଇଁ ଆଉ ନାଇଁ ଶୁଣେ । ଖଟି ଖଟି ଆଉଚ । କିଏ ତମ୍‌କୁ ଫୁଟେଇ କରି ମୁଠେ ଦଉଚି ? ଖେତ୍‌ବାଡ଼ିକୁ ପେଜ ପାଣି ଟୁପେ କିଏ ନେଇ ଦଉଚି ? ଭାଇ ବଲ, ବହୁ ବଲ, ଇ’ମାନେ ପର ନାଇଁ ଯେ ଆଉ କାଇଁଟା ? ହଁ, ହଁ, ପର ନାଇଁ ଆଉ କାଇଁଟା ଯେ ? ମୁଁଇଁ ହୁଏଁ କି ଯିଏ ହଉ ।

ଗଳାରେ ଆହୁରି ଦରଦ ମିଶାଇଥିଲା—ଚୁଲି ମୁଁଡ଼, ମାଟି ଝାଟି, କେତେ ଆଡ଼େ ହେଲେ ହବ ତମେ ? ହରେ ଚଇତା, ଇ’ଟା ବହୁ କରିଚ ! ଦେଖ ତ, ଦେଖ ତ ଇ କାଁଥ ବାଡ଼ !

ବିରକ୍ତି ଆଉ ଦରଦକୁ ହଠାତ୍‌ ଦବେଇ, ହସ ଝରେଇଲା—ଜାଣ୍‌ଲ ରେ ଚଇତା ତମର୍‌ କଥା ଏବେ ଗଲା ତାର୍‌ ମାଁ । ପାଖ୍‌କୁ କହି ପଠେଇଚିଁ । ଯେବେ ଗଲେ ତମର୍‌ କଥା ମୁଇଁ ତାକୁ କହିସିଁ । ଏବ୍‌କୁ ଏବ୍‌କୁ ତମ୍‌ର କଥା ଶୁଣ୍‌ଲେ......

ଖଳାଆଡ଼େ ଯିବାକୁ ବୁଲି ପଡ଼ିବା ଆଗରୁ—ଏ ବହୁ, ତମର୍‌ ଆଡ଼ୁ ଭାଁଗ ବିଡ଼ାଟେ ଆଣିଥିବ ଗ । ତମର୍‌ ଆଡ଼ର୍‌ ଭାଁଗଟା......

କୁସୁମା ସେମିତି ହସୁଥିଲା—ଉହୁଁ, ବାଆଁ ଚେଇଦେଲେ ନାଇଁ ଶୁଣେ ମୁଇଁ ।

ମୁହୂର୍ତ୍ତକ ଭିତରେ ହଠାତ୍‌ ଗମ୍ଭୀର ହୋଇ ଘୂରିପଡ଼ିଲା ଚଇତା । କୁସୁମା ଲକ୍ଷ୍ୟ କରୁଥିଲା । କଥା ବନ୍ଦ କଲା ।

ବୁଲିପଡ଼ି ଖଳାଆଡ଼େ ପାଦ ବଢ଼ଉ ବଢ଼ଉ ଚଇତା ସାମନାରେ ଝୁଲି ଉଠୁଥିଲା ଅକାଟିର ଅସ୍ପଷ୍ଟ ଛାଇଟିଏ ଅସ୍ପଷ୍ଟରୁ ଅସ୍ପଷ୍ଟତର ହୋଇ ପୁଣି ସ୍ପଷ୍ଟ ହୋଇଆସୁଥିଲା ।

ଝିଅ ଏଥର ଶାଶୁ ଘରକୁ ଯିବ । ଦିନ କେତେଟା ତତେ ବଢ଼ିଲା ଝିଅ ହେଇଚି । ଖବର ପାଇ ବାପଘରୁ ଚଞ୍ଚଳ ଆସିବ କୁସୁମା । ଫେରିଆସି ବି ଚଇତାକୁ କହିଚି—ଇଥର ଆହୁରି ଗୁଟେ ଜାଗାରେ ଦେଖିଚିଁ ରେ ଚଇତା । ଯେନ୍‌ଟାରେ ତମର୍‌ମନ୍‌ ।

ସୁଲ ଫେରିଚି । ତରାକୁ ଛାଡ଼ି ଦେଇ ଆସିଥିଲା ମାଁ ପାଖରେ ।

ଆସିବା ପରେ ପରେ ସୁଲ ଜିଦ୍‌ ଧରିଲା—ତରାଟାକୁ ନାଇଁ ଦେଖ୍‌ବାକ୍‌ । ମର ଆଖି ଫୁଟି ଯାଉଚି ।

କଥାର ଫିଙ୍ଗା ଫୋପଡ଼ାଠାରୁ ଆରମ୍ଭ କରି କାଚଚୁଡ଼ି, ଲାଖ ଚୁଡ଼ିର ସଂଘର୍ଷ ଯାଏଁ, କଥା ଉସକେଇ କଜିଆ କରିବାଠାରୁ କଂସା ବାସନର ରଣ୍‌ଝଣ୍‌ ଯାଏଁ, ଖେତକୁ ଭାତନେଇ ଦେବାଠୁ ଖାଲିଟାରେ ଗୁର୍‌ ଗୁର୍‌ ହେବାଯାଏଁ, ଚୁଲି ନଜାଳିବାଠୁ ଆରମ୍ଭକରି ଉପାସ ଭୋଖରେ ଚୁଡ଼ି ମାଠି କେଞ୍ଚିବାର ଚପଳତା ଯାଏଁ, ଗୋଟାକୁ ଗୋଟା ନୂଆ ନୂଆ ଅନର୍ଥ ସୃଷ୍ଟି କରିଥିଲା ।

 

ବହୁକୁ ବୁଝେଇବାକୁ ଯାଇ ଚଇତା ଯେତେଥର ତାତି ଉଠିଛି, ତା ଭିତରୁ ପଦାକୁ ପ୍ରକାଶ ପାଇଥିଲା ଖାଇ ବସିଥିଲା ବେଳର କଂସାବାସନ ଫୋପଡ଼ାଟା, ଅଖିଆ ଅବସ୍ଥାରେ ଏ ପିଣ୍ଡା ସେ ପିଣ୍ଡା ଶୋଇବାଟା, ଦରଖିଆ ହୋଇ ବିଲକାମ କରିବାକୁ ଯାଇ ଖଣ୍ଡିଆ ଖାବରା ହେବାଟା ।

 

ବାଧ୍ୟ ହୋଇଥିଲା ବହୁକୁ ପୁଣି କିଛିଦିନ ପାଇଁ ବାପ ଘରକୁ ପଠାଇ ଦବାକୁ । ଅକର୍ମ ନେଇଛାଡ଼ିଥିଲା ସ୍ତ୍ରୀକୁ ।

 

ଅକର୍ମ ସେଇ ଯେ ଯାଇଚି, ସେ ଦିନୁ ଆଉ ଫେରି ନାଇଁ ।

 

ଗଡ଼ତିଆଣିଠି ଗୁଣାଟିକୁ ଅଣାକଳନ୍ତରିଆ ବନ୍ଧନ ଦେଇସାରି, ଗୁଣାପିନ୍ଧା କଣାଟିରେ ବେଣାକାଠି ଗୁଞ୍ଜିଲା ବେଳେ ଟୋପେ ଟୋପେ ଲୁହ ଝରଉଚି ସୁନ୍ଦରୀ । ଯେବେହେଲେ ଝଲ୍‌କା ପିନ୍ଧିବାର ଆଶା ରଖି କାନ ମଝିର କଡ଼େ କଡ଼େ ଲିମ୍ବ କାଠି ଗୁଞ୍ଜି ଥିଲା । ଅଭିମାନ, ଅଭିଯୋଗ, ବିରକ୍ତି......କିନ୍ତୁ ବିତୃଷ୍ଣାର ଆଭାସ ନଥାଇ ବ୍ୟତିବ୍ୟସ୍ତ ହୋଇଥିବା ଅବସ୍ଥାରେ ଲିମ୍ବ କାଠି କାଢ଼ି ଦେଇଥିଲା । କଣା ଦୁଇଟି ବୁଜି ହୋଇ ନଯାଉଣୁ ମାନି ନଥିବା କଥାକୁ ପୁଣି ମାନି ପୁଣି କାଠି ଗୁଞ୍ଜିଚି । ନାକରେ, କାନରେ, ବେକରେ ହାତମାରୁଚି...ଚାଳ, ବାଡ଼, କୁଡ଼ ଆଡ଼େ ଚାହିଁ ଲୁହ ଗଡ଼ଉଚି ଥରକୁ ଥର ।

 

ଭଗାରି ହଠାତ୍‌ ଦୂରେଇ ଯାଇଚି । ଏଇ କୋଠ ପାଖକୁ ଆସୁଥିବା ଭାବି ପକ୍‌କା ରାସ୍ତାଟାର କାମ ଗଡ଼ଆଡ଼ୁ ଆରମ୍ଭ ହୋଇ ଆସିଲାଣି । ସେଇ ପାଖକୁ ପଠାହେଇଚି ଭଗାରି । ଏଠୁ ସେଠିକୁ ପଠାହେବା ଆଗରୁ ବାପ ଅମଳର ବାଡ଼ିପାଖ ଝାଟି ମାଟିର ଦୁଇ ବଖରାକୁ ନୂଆକରି ଗଢ଼ିବ ବୋଲି ଭାଙ୍ଗି ଦେଇଥିଲା ।

 

ନାନୀ ଘରକୁ ଆସିଚି ବିଶି ।

 

ଦାଣ୍ଡ ପାଖ ଘରେ ତା’ର ବାହାଘର କଥା ପଡ଼ୁ ପଡ଼ୁ ବାଡ଼ି ପାଖ ଘରକୁ ଚାଲିଯାଇଚି । କାନେଇଚି । ଅଇଁଠା କହିଯାଉଚି କାଳିଆ, ବଳିଆ, କୁମାରି କଥା ।

 

କୁମାରି କଥା ପକଉ ପକଉ କହିଥିଲା, ସେ’ଟାର ନାଁ ନାଇ ଧର୍‌, ଆର୍‌ ଗୁଟାକେ ପଳେଇଚି ।

 

ବଡ଼ ବହୁ କଥା ପକଉ ପକଉ କହିଥିଲା, ହେଟା ତ ବାପ ଘରେ ଥାଇ କଳ ମୁଡ଼୍‍ଚି । କାଳିଆକୁ ଯେନ୍‌ତି ନଚଉଚି ସେନ୍‌ତି ନାଚୁଚି । ଆଉ ଇ ସାନ୍‌ଟା ତ,

 

—ସାନ୍‌ଟା ? କାଇଁଟା କଲା ?

 

—ଗଡ଼ୁଆ ଟୁକି କି ନାଇଁ ଚିନି ତୁଇ । ବାପ ଘର୍‌କୁ ଗଲାବେଳେ ମର୍‌ ସିଙ୍ଗ୍‌ ପାନିଆଟା କେନ୍‌ ସଜରେ ନେଇଗଲା ।

 

—ଆଁ ଏନ୍‌ତିଟା ?

 

ବିଶି ଅଇଁଠା କଥା ଶୁଣୁଥିଲା—ପଦେ ପଦେ କହୁଥିଲା—ଅସଲ କାନଟା ଥିଲା ସେ ଆଡ଼େ ।

 

ଅଇଁଠା ଲକ୍ଷ୍ୟ କରୁଥିଲା—କାଇଁଟା ଶୁଣୁଚୁ ?

 

—ନାଇଁ ତ ।

 

ନାଇଁ ତ କାଇଁ ଟା ? ତର୍‌ ବିହାଘର କଥା ତ ପଡ଼ିଚି ।

 

—ମୁଇଁ ବିହା ନାଇଁ ହୁଏଁ ।

 

—କା’ ଲାଗି କନିଆ ଦେଖି ଯିବେ ଯେ ?

 

—କନିଆଁ ?

 

ବିଶି ଚାହିଁଲା ଅଇଁଠା ଆଡ଼େ । ଢାଲିଆ ଖୋସାରେ ରୂପା ପାନ ପତ୍ରି ଟିଏ । ଚିପା ପୋହଳା ମାଳି । ଚିପି ହେଇଚି ନାକର ସୁନାଟା । ମାଳି ଭିତରେ ହରଡ଼ ଫାଳରୁ କେତେଟି । ବାର୍ତ୍ତା ଯାଇଚି । ତା’ରି ଯୋଗୁ ସବୁ ଉଜ୍ଜଳ, ସବୁ ସୁନ୍ଦର ।

 

ଅଇଁଠା ହସୁଚି—କାହାକୁ ଦେଖି ଯିବେ ଯେ ?

 

—କାହାକୁ ?

 

କଣେଇ ଚାହିଁଥିଲା ବିଶି ।

 

ନାନୀ ଆସୁଥିଲା ବାଡ଼ିଆଡ଼େ ।

 

ଥିର୍‌ପାଟିଟା ବଢ଼େଇଲା ଅଇଁଠା—ତର୍‌ମାଁ କେବେ ଆଇବେ ଇ’ଆଡ଼େ ? ଗାଁରେ ତ ନାଇଁ ଦେଖ୍‌ଲି । ମାଁ ଘରୁ ନାଇଁ ଫେର୍‌ବେଣ ? ଇଆଡ଼େ ଆଇଲେ ଦେଖା ଚାହାଁଟେ ହେଇତା ।

 

ବିଶିର ଗଳା ବି ବଢ଼ିଲା—ମାଁ ଇଖ୍‌ଣା ନାଇଁ ଫେରେ ।

 

ଭଗାରି ଯିବା ଆଗରୁ ବଳିଆ ପର ଘରୁ ହଳିଆ ଛାଡ଼ି ନିଜ ଜମିରେ ପଶିଚି । ଅକର୍ମଣ୍ୟ ଜମିକୁ ସାଧ୍ୟ କରିବାରେ ଲାଗିଚି । ଟୁରାକୁ ଡାକୁଚି । ଟୁରା ଆସୁନାଇଁ । ଠିକାଦାର ପାଖରେ ରହିଯାଇଚି ।

 

ତୃତୀୟରୁ ଚତୁର୍ଥକୁ ଉଠିବାର ଅସମ୍ଭବଟା ପ୍ରତିବନ୍ଧକ ସୃଷ୍ଟି ହେଲା ଟୁରାର ପଢ଼ାରେ । ପାଠକୁ ଠକିଥିଲେ ବି ଠିକାଦାରଠି ଯେ ଟୁରା ଠିକ୍‌ ଭାବରେ ଆଗେଇ ଚାଲିଚି ଭଗାରିର ଏଥିରେ ବିଶ୍ଵାସ ଅଛି ଅନେକଟା ।

 

ବଳିଆ କଥାରେ ଟୁରା ମଙ୍ଗୁ ନାଇଁ । ଠିକାଦାରଠୁ କେତେବେଳେ କଣ ଆଣୁଚି ତା ଜଣାଯାଉନାଇଁ । ତା ଆଣିବାଟା ଘର ଖର୍ଚ୍ଚରେ ଲାଗିଲା ପରି ଜଣାଯାଉ ନାଇଁ । ବଳିଆ ଡାକୁଚି ଲଙ୍ଗଳ କଣ୍ଟିରେ ହାତ ମାରିବାକୁ । ଟୁରା ମଙ୍ଗୁ ନାଇଁ । ଠିକାଦାରଠୁ ପାଇଥିବା ଗଂଜି ଖଣ୍ଡକ ଗଳେଇ ବେଳେ ବେଳେ ଘରକୁ ଆସୁଚି ।

 

ପାନ ଖଣ୍ଡିଏ ପାଟିରେ ଜାକି ଆଜି ସକାଳେ ଟୁରା ଆସିଥିଲା ଘରକୁ । କାହାକୁ ଦେଖା ନଦେଇ ଘରୁ ତାର ପୁରୁଣା ଲୁଗାଟା ନେଇ ଚାଲିଯିବାକୁ ବସିଥିଲା । ସୁନ୍ଦରି ଦେଖି ପାରିଲା । ଡାକିଲା—ଏ ବା’ ଶୁଣ୍‌ ତ ।

 

—କାଇଁଟା ?

 

ପାଖେଇ ଆସି ସୁନ୍ଦରୀ କହିଲା—ଏବ୍‌କୁ ଏବ୍‌କୁ କାହିଁ ଲାଗି ନାଇଁ ଆଇବାକୁ ରେ ଘର୍‌କୁ ?

 

ପ୍ରଶ୍ନର ଉତ୍ତର ନ ପାଉଣୁ ପୁଣି ପଚାରିଲା—ଏ ବା’ ଠିକାଦାର୍‌ଠୁ କିଛି ନାଇ ପାଇବାକୁ କାଁ ?

 

—କାଇଁଟା ? କାଇଁଟା ପାଇବି ?

 

ଆକ୍ରମଣ କଲାପରି ଦୁଇପଦ କହି ଦେଲା । ଫେରି ଯାଉ ଯାଉ ହଠାତ୍‌ ଠିଆ ହୋଇ ପଡ଼ିଲା ।

 

ମାକୁ ବଳିପଡ଼ି ନୀଳା ଆଗେଇଥିଲା । ଟୁରାକୁ ଧରି ପକେଇଲା—ଏ ଭାଇ, ଆ, ଆ, ମର୍‌ କଥାଟା ଟିକେ ଶୁଣ୍‌ ।

 

ଟାଣି ହେଉ ହେଉ ଟୁରା କହିଲା—କାଇଁଟା ?

 

ଟୁରା ଆଡ଼ୁ ଆଖି ଫେରିଚି । ବାଡ଼ି ପାଖ ମାଟି ଗଦାଟା ଆଡ଼େ ଚାହିଁ ଘନ ଘନ ନିଶ୍ଵାସ ଛାଡ଼ୁଥିଲା ସୁନ୍ଦରୀ ।

 

ନୂଆ ଘର ତୋଳିବାକୁ ବାଡ଼ି ପାଖର ଦୁଇ ବଖରା ଭଙ୍ଗେଇ ଦେଇଚି ଭଗାରି । ମାଟି ଲଗା ଝାଣ୍ଟି ଗୁଡ଼ିକ ଜାଳହେଲାଣି । ମାଟି ଗଦାରେ ମିଶି ମିଶି ଯାଉଚି କାନ୍ଥର ଝାଟି ଆଉ ଚାଳର ଟିକି ଟିକି ଅଂଶ ଗୁଡ଼ିକ । ମିଶି ଯାଉଚି । ମାଟି ପାଲଟି ଯାଉଚି ।

 

ବଳିଆ କହୁଥିଲା—ଘରଟା ପୁଣି ନାଇଁ ଠିଆକଲେ ନାଇଁ ହୁଏ । ଆଉ ନାଇଁ ଚଳି ହୁଏ-। ବା’କୁ ନାଇଁ ପାରି ହୁଏ । ହଁ, ହଁ, ମୁଇଁ ଦେଖ୍‌ଲିଣ, ଜାଣ୍‌ଲିଣ ବା’ କେନ୍‌ତି ଢବା ବନେଇବ-। ବା’ କେନ୍‌ତି ମାଟି ଖୁଳେଇବ ହେ’ଟା ଗଲା ଜାଣ୍‌ଲିଣ । ଏ ମା, ତୁଇ ମନ୍‌ ଦୁଖ ନାଇଁ କର୍‌-। ମୁଇଁ ଅଛି-

 

ବଳିଆ କଥା ଶୁଣି ସୁନ୍ଦରୀ ବଳ ପାଏ । କାଳିଆ ଉପରେ ଭରସା ନାଇଁ ।

 

ବରିଆ କଥା ଶୁଣି ଯେତେ ସାହସ ସଂଚୟ କରେ ବଳିଆର ସ୍ତ୍ରୀ ପାଇଁ ତାଠୁଁ ବେଶି ହତାଶ ହୁଏ ।

 

ମାନ୍ୟ ଦେଖାଏ ବଳିଆର ସ୍ତ୍ରୀ । ବଳିପଡ଼ି କାମ ପାଇଟିକୁ ଆଗେଇଯାଏ । ବରାଦ ପାଇବା ଯାଏଁ ବେଳେ ବେଳେ ଅପେକ୍ଷା କରେ । ଟିକକୁ ସେଁ ସେଁ । ଏକପୁରିଆ ଦେହଟି । ଏଠିକୁ ଆସିଲା ପରେ ପରେ ଆହୁରି ପାତଳା ହୋଇ ଯାଇଚି । ଥରକୁ ଥର ଜରରେ ପଡ଼ୁଚି । ଏବେ ପୁଣି ଶକ୍ତ ଜ୍ଵରରେ ପଡ଼ିଥିଲା ବଳିଆର ସ୍ତ୍ରୀ । କକା ପୁଣି ଆସି ଝିଆରୀକୁ ନେଇ ଯାଇଚି । ବଳିଆ ଚାଲି ଯାଇଚି ସାଙ୍ଗରେ ।

 

ବଳିଆ ଚାଲିଯାଇଚି ଘରୁ । ବଳ ଭାଙ୍ଗି ଯାଇଚି ସୁନ୍ଦରୀର ବର୍ଷା ଠିକ୍‍ ଆରମ୍ଭ ହଉ ହଉ ବଳିଆ ଚାଲିଗଲାଣି । ମୂଲିଆ କରିବାକୁ ବଳ ପାଉ ନାଇଁ । ମୂଲିଆ ମୂଲ ବି ବଢ଼ିଚି । ଆହୁରି ବଢ଼ିଯିବ ବୋଲି ସନ୍ଦେହ କଲେଣି । ଗାଁ ଗଡ଼ତିଆଣି, ଗାଁର ତିହାଡ଼ି ବୁଢ଼ା, ମିଶ୍ର ବାମୁଣ ମୁଣ୍ଡରେ ହାତ ଦେଇ ବସିଲେଣି ।

 

ମୂଲିଆ ମିଳୁ ନାହାନ୍ତି । ଆଗପରି ଭାଗ ଠିକାକୁ ମଙ୍ଗୁ ନାହାନ୍ତି । ଅନ୍ତତଃ ଅଉଲ ଦୁଇ କିତା ଭାଗ ଧରୁଥିଲେ । ବର୍ଷ ବର୍ଷର ଅଧାପନ୍ତରିଆ ଚାଷରେ ଅଉଲ୍‌ଟା ଦୋୟମ ସୋୟମ ଭିତର ଦେଇ ଗତି କରୁ କରୁ ଚାରମ୍‌ ଆଡ଼କୁ ଆସିଲାଣି । ଚାରମ୍‌ ଉପରେ ଚରି ଚରି ଆସୁଥିବା ବୁଦୁବୁଦୁକିଆ ଜଙ୍ଗଲଟା ସୁନ୍ଦରୀର କଂକର୍ତ୍ତବ୍ୟ ଭାବଟାକୁ ଆହୁରି କାରୁଣ୍ୟ ଆଡ଼େ ଟାଣି ନଉଚି ।

 

ଗଡ଼ତିଆଣିର ଦୁଇଟା ହଳିଆ ଛାଡ଼ି ଯାଇଚନ୍ତି । କୋଠାକାମ, ରାସ୍ତା କାମରେ ପଶି ଯାଇଚନ୍ତି । ଆଖ ପାଖର ଗଡ଼ତିଆ, ମହାଜନ, ବଡ଼ ପ୍ରଜାଙ୍କର ସମତଳ ଜାଗାର ପାଣି ଆଶା ଥିବା ଭଲ ଭଲ ବଡ଼ ବଡ଼ ଅଉଲ ଜମି ଭାଗରେ ଠିକାରେ ଧରିବାକୁ ମିଳୁଥିଲା ବେଳେ ଢିପ, ଟାଙ୍ଗର, ଶୂନ୍ୟ ଆଶ୍ରି ଜମି ଧରିବାକୁ ମଙ୍ଗୁ ନାହାନ୍ତି କେହି ।

 

ସୁନ୍ଦରୀ ଥରେ ଥରେ ଘୂରି ଘୂରି ଆସୁଚି ନିଜ ଜମି ଆଡ଼େ । ବଳିଆ ନିଜେ ଲାଗି ଲାଗି ଯୋଉ ଖେତ ଦୁଇଟାର । ହୁଡ଼ା ମରାମତି କରିଥିଲା ତାକୁ ବି ଏଯାଏଁ କେହି ଧରି ନାହାନ୍ତି । ଯିଏ ବି ଧରିବାକୁ ମଙ୍ଗୁଚନ୍ତି ଠିକା ପରିମାଣଟି ଶୁଣି ଠକ୍‌ଠାକ୍‌ ନାହିଁ କରି ଦେଉଚି ସିନା ପଛେ କିନ୍ତୁ ଭାବି ହେଉଚି ।

 

ସୁନ୍ଦରୀ ଥରେ ଥରେ ଚାଲିଯାଉଚି ନିଜ ଜମି ଆଡ଼େ । ଜମି ଦେଖି ଲମ୍ବା ନିଶ୍ୱାସ ଛାଡ଼ୁଚି-। ଫେରି ଆସୁଚି ।

 

ଆଜି ସକାଳୁ ଦିଅରକୁ କହୁଥିଲା ଭାଗ ହେଉ ବା ଠିକା ହଉ ଯୋଉ ସର୍ତ୍ତରେ ହେଲେ ବି ଧରିବାକୁ ।

 

ଗଳାରେ ଟିକିଏ ଚାଟୁକାରର ଚାତୁରି ଫଟେଇବାକୁ ଚେଷ୍ଟା କରିଥିଲା—ଯିଏ ନାଇଁ ଶୁଣଲେ ନାଇଁରେ, ତମର୍‌ ଆଗରେ ନାଇଁ କହିବି ତ ଆର୍‌କା’ ଆଗରେ କହିବି ? ଭାଇ ଭାଇ ବଲି ତମେ ସିନା ଘର୍‌କୁ ଆଉଚ ।

 

ଗଳା ଚଢ଼ି ଉଠୁଥିଲା ସୁନ୍ଦରୀର—ତମେ ତ ଆଉଚ ଆଉ ଯିଏ ନାଇଁ ପଚାରଲେ ନାଇଁ-। ହଃ, ନାଇଁ ପଚାରଲେ ନାଇଁ ।

 

କହିଚାଲିଥିବା ବେଳେ ହଠାତ୍‌ ଅଟକି ଗଲା ସୁନ୍ଦରୀ । ଗଳାଟା ଖସି ଖସି ଆସୁଥିଲା । ଆଖି କୋଣରେ ବୁନ୍ଦେ ବୁନ୍ଦେ ଢଳ ଢଳ ।

 

କଣ କହିବାକୁ ଯାଉଥିଲା ଦିଅର ଲେଚନ । କଥାଟା ବନ୍ଦକରିବାର ସଂକଳ୍ପ କରିନେଲା-। ଭାଉଜଠୁ, ନିଜ ସପକ୍ଷରେ ଯାହା ଯାହା ଶୁଣିଲା ଖୁବ୍‌ ବେଶୀ ଖୁସି ହୋଇ ପାରିଲା ନାଇଁ-। ଭାଉଜର ଅନେକ ଡକରା ପାଇଚି, ପାଦ ମାଡ଼ି ପାରିନାଇଁ ।

 

ଭଗାରି ଚାଲିଯାଇଚି ଘରୁ । ଚାଲିଯାଇଚି ଗଡ଼ ପାଖକୁ । ଭଗାରି ଚାଲିଯାଇଚି ।

 

କେତେମାସ ହେବ ଚାଲି ଗଲାଣି । ଏଇ ଆସିବ ଏଇ ଆସିବ ଆଶାକରି ସୁନ୍ଦରୀ ଅନେଇ ରହିଚି । ମନ ହେଉଚି ଚାଲି ଯାଆନ୍ତା ସେଇ ଗଡ଼ ପାଖକୁ ।

 

ଯିବାକୁ ମନ ଡାକୁଚି, ଯାଇପାରୁ ନାଇଁ । ପେଟର ବୋଝ ଯେତିକି ଯେତିକି ବଢ଼ି ଯାଉଚି, ଯିବାର ଆଶା ସେତିକି କମି ଆସିଲାଣି ।

 

ଭଗାରି ଚାଲିଯାଇଚି ଗଡ଼ ପାଖକୁ । ବଳିଆ ଘରେ ନାଇଁ । କାଳିଆ ଥରେ ଅଧେ ଆସିବାଟା କୌଣସି କାମରେ ଲାଗୁନାଇଁ । ବାହାଟାଏ ଭଳି ମନେ ହେଉ ନାଇଁ କାଳିଆ, ବରଞ୍ଚ ବାହାରେ ବଥଟାଏ ଭଳି ।

 

ପେଟର ବୋଝ, କାଖର ବୋଝ ସାଙ୍ଗକୁ ଚାଲି ଶିଖୁଥିବା ଦଉଡ଼ି ଶିଖୁଥିବାଙ୍କର ଅଳି ।

 

କଥା କହି ଶିଖୁଥିବାଟିର ଅଠାଳିଆ କଥାଗୁଡ଼ିକ ଅଳି ଆଳର ବିରକ୍ତି ଭିତରେ ବେଳେ ବେଳେ ଯୋଉ ଭାବୋଚ୍ଛ୍ୱାସ ସୃଷ୍ଟିକରେ ସେଥିରେ ଅବଶ୍ୟ କିଛି ବେଳ କଟିଯାଏ ।

 

ସୁନ୍ଦରୀ ବସି ବସି ଭାବୁଥିଲା ବାର ଆଡ଼ୁ ବାରକଥା । ପେଟରେ ବୋଝ ବଢ଼ିଯାଇଚି । ଉଠାଉଠି, ଧାଁଧୁଁ ଇଟା ଲସର ପସର୍‌ ଆଡ଼େ ଆଗେଇ ଗଲାଣି । ୟା ଆଗ ଥରଟା ପ୍ରାୟ ଏମିତି ହୋଇଥିଲା । ନହେଲେ ନୀଳା ବେଳର ପହିଲି ଥରଟା ଛାଡ଼ିଦେଲେ ଆଉ ମଝି ଗୁଡ଼ିକ ବେଳକୁ ପ୍ରାୟ କଷ୍ଟ ପାଇନଥିଲା ।

 

ଗଡ୍‌ତିଆଣୀ ବୁଢ଼ୀ ତା ଘର କାମପାଇଁ, ବିଲ କାମପାଇଁ ଡକେଇ ପଠଉଚି । ଡାକି ଆସୁଚି । ଅବସ୍ଥା ଦେଖି ସୁନ୍ଦରୀକୁ ଆଉ ବଳେଇ କହୁନାଇଁ । ଅଇଁଠା ଯାଉଚି । ଟିକିଏନାଁକୁ ବଳ ପାଇଲେ ନୀଳା ବି ଯାଉଚି ।

 

ନୀଳା ପୁଣି ଜରରେ ପଡ଼ିଚି । ମଝିରେ ମଝିରେ ଭଲ ଲାଗିଲେ ଅଇଁଠା ସାଙ୍ଗରେ ପହ୍ଲାଯୁଡ଼ କରି ଯାଉଚି ।

 

ବାଡ଼ି ପାଖ ଗଡ଼ତିଆ ଘର ଭୁଗୁରା ନାଳି—ପହ୍ଲା ମାରୁଥିବା ମାଇପିଙ୍କ ହୁଳହୁଳି ଉଛୁଳୁଚି ।

 

ଉଛୁଳୁଥିବା ବେଳେ ଚୁଲି ପୁଙ୍କୁଥିଲା ସୁନ୍ଦରୀ । କାନେଇ ଥିଲା । ଶୁଭିଯାଉଥିଲା ମାଁ କଥାଟା—ତୁଇ ସେତବେଳ୍‌କୁ ପେଟରେ ଥାଉ ଲ ସୁନ୍ଦ୍‌ରି, ପୀଢ଼ ପାଖର୍‌ ସେ ବଡ଼୍‌ ମହୁଲ ତଳର୍‌ ବଡ୍‌ ଖେତ୍‌ଟା ସେତବେଳେ ଆମର୍‌ ଥାଏ । ମୂଲିଆ, ମାଇଝିମାନ୍‌ଙ୍କୁ ଇ ହାତରେ ଭୁଗା ଭୁଗା ତାଁବି ତାବି ମାପି ଦେଇଚିଁ । ଇ ହାତରେ କତ୍‌ରିଆ ବନ୍ଦ୍‌ରିଆ ଛାଇଁ ହେଇଥିଲି । ଯାର୍‌ ହାତ ଧରିଚୁ ସେ ତତେ ସବୁ ପିଁଧେଇବ, ସବୁ ଉଢ଼େଇବ ଲ ।

 

ଧୂଆଁ ଭିତରୁ ମୁହଁ ଫେରାଇଲା ସୁନ୍ଦରୀ । ମୁହଁ ପୋଛିଲା । ଲୁହ ସହିତ ଧୂଆଁ ଆଉ ଅଭିମାନର ଯେତେଟା ସମ୍ବନ୍ଧ ଥିଲେ ବି ଅଭିଯୋଗର ଆଭାସଟା ସ୍ପଷ୍ଟ ହୋଇ ଉଠିଥିଲା । ଖାଲି କେତେ ପଟ ଲାଖ ଚୁଡ଼ି ଥିବା ହାତ ଆଡ଼କୁ ଆଖି ଫେରିଯାଇଥିଲା ।

 

ନୀଳାର ଜର ବଢ଼ିଛି । କାଲିଠୁ ଆଉ କାମ ପାଇଟିକୁ ଯାଇପାରୁନାଇଁ ।

 

ବିଶି ତା ନାନୀ ଘରକୁ ଆସିଚି । ଗାଁକୁ ଫେରିଯିବା ଆଗରୁ ନୀଳାକୁ ଦେଖି ଆସିଲା ।

 

ସୁନ୍ଦରି ଘୁସୁରି ଘୁସୁରି ବାସି ପାଇଟି କରୁଥିଲା । ବିଶିକୁ ପଚାରିଲା—ତର୍‌ କଥାଟା କାଇଁଟା ଫେର୍‌ ତୁଟେଇ କରି ଯାଉଚୁ ? ନାନୀ ଯେନ୍‌ଠି ଠିକ୍‌ କରିଚି ସେଠି ମନ୍‌ପାଉଚି କି ନାଇଁ ?

 

ଲାଜ ଲାଜ ହୋଇ କଥାକୁ ଦରଖଣ୍ଡିଆ କଲା—ମାଁ ସାଙ୍ଗରେ କଥା ହେଇସିଁ, ତାଠୁ, ପଦେ ନାଇଁ ଶୁଣଲେ...

 

ପାଖ ଗାଁର ସାଥିଟିଏ ତରତର୍‌ ହେଉଚି ବାହାରେ ।

 

ଲେଠାପାଲିର ବଇଦକୁ ଡାକି ଯିବାକୁ ଯବାବ୍‌ଦେଇ ସାରିଲାଣି । ସାଥିଟିର ତରତର । ଡେରି ହେଲେ ତେଲିଆ ନାଳର ଘାଉ ଘାଉ ବଢ଼ିଯିବା ଖବରଟା, ଛାଡ଼ି ଆସିଥିବା ଜମି କାମଟା... ମନେ ପଡ଼ୁ ପଡ଼ୁ ମଝିରେ ଝୁଲି ପଡ଼ିବା ଅବସ୍ଥାରେ ରହିଗଲା ।

 

ପାଖ ଗାଁ ସାଥିଟି ତର ତର ହେଉଚି ବାହାରେ ।

 

ବିଦାୟ ନେବାକୁ ନୀଳା ପାଖକୁ ଗଲା । ନୀଳା ଶୋଇଥିଲା । ମା ଆଉ ବିଶି କଥାକୁ କାନେଇଥିଲା ।

 

—ଯାଉଚୁରେ ଭାଇ ? କେବ୍‌କୁ ବିହା ହଉଚୁ ? ଆମ୍‌କୁ ପିଠା ଝିଅକୁ ନାଇଁ ଡାକୁକାଁ ?

 

ଉଠି ବସିବାକୁ ଚେଷ୍ଟା କରୁଥିଲା ନୀଳା ।

 

—ନାଇଁ ଉଠ୍‌, ନାଇଁ ଉଠ୍‌ ।

 

ମୁହଁରେ ହସଟିଏ ଦେଖିଲେ ବି ଦେହରେ ଜ୍ଵରଥିବାଟା ସନ୍ଦେହ କରୁଥିଲା ।

 

ଗଡ଼ ପାଖରୁ ପକ୍‌କା ରାସ୍ତା ଫିଟି ଫିଟି ଆସୁଚି । ଭଗାରି ରହିଚି ଏଇ କାମରେ ।

 

କାମରେ ଯୋଗ ଦେବାର ପହିଲି ଦିନ କୁଲି ରେଜାଙ୍କୁ ନେଇ ଧମକ୍‌, ଚମକ, ସାଉଁଳା ପାଉଁଳା, ହଁ ହଁ, ହାଁ ହାଁ, ଚାଲୁ ଚାଲୁ ଇତ୍ୟାଦିର ମାଧ୍ୟମରେ ହାତଟଣା ରୋଲର୍‌ ଗତିକୁ ହଠାତ୍‌ ବଢ଼େଇ ଦେଇ ପଥର ଉପରେ ମୁରୁମ୍‌ ବିଛା ଆହୁରି ବେଶୀ ବଢ଼େଇ ଦେଇ ପାରିଥିଲା ।

 

ଗଡ଼ ପାଖକୁ ଚାଲି ଆସିଚି ଭଗାରି । ଗଡ଼ରେ ପାଦ ଦଉ ଦଉ ଚିହ୍ନା ଭିତରେ ପହିଲେ ଭେଟିଥିଲା ଚନ୍ଦ୍ରକୁ । ମଇତିର୍‌ ଭାଇ ଚନ୍ଦ୍ର—ଭିତିରିଆ । ଚନ୍ଦ୍ର ଭିତ୍‌ରିଆଠୁ କାନଦେଇ ଶୁଣିଲାଣି ଏ ଗଡ଼ ଉଆସର ଭିତିରି ବାହାରି କଥା—ଭିତ୍‌ରିଆ, ଟହଲିଆ, କୁକ୍‌ରିଆ, ସର୍‌ଘରିଆ, ସର୍‍ ଘରିଆଣି, ବେହେରା, ବେହେରାଣି, ମହୁରିର୍‌, ମେନେଜର, ପୁଇଲି, ଛାମୁକରଣ, ଟିକେଇତ, ପଟେଇତ, ଲାଲୁ, ବିରାଦର...ଆହୁରି ଶୁଣିଚି ରାଜପରିବାରର ବହୁ ହସ କାନ୍ଦ—ଦାନ, ଦୟା, ଧର୍ମ......ବହୁ ରୋମାଞ୍ଚ ଭରା କଥା ।

 

ଗଡ଼ ପାଖକୁ ଚାଲି ଆସିଚି ଭଗାରି । ଗଡ଼ ପାଖରୁ ମାଇଲିଏ ହେବ ପଥର ମୁରୁମ୍‌ ବିଛା ସଡ଼କ ମାଡ଼ି ମାଡ଼ି ଆସୁଚି । ଚଲାବାଟର କଡ଼େ କଡ଼େ ଚଉଡ଼ା ରାସ୍ତାଟା ଟିକିଏ ଟିକିଏ ଆଗେଇ ଆସୁଚି ।

 

ରାସ୍ତା କଡ଼ର ଡାଳ କୁଡ଼ିଆ—ଅଳସେଇ ଗଡ଼ିପଡ଼ିଥିଲା ଭଗାରି । ଗାଁଟା ଆଜି ବେଶୀ ବେଶୀ ମନେ ପଡ଼ୁଚି । ଏଇ ଯିବ, ଏଇ ଯିବ ହୋଇ ମାସ ମାସ ବିତିଗଲାଣି । ସେ ଆଡ଼ଟା ଖିଆଲ ରଖି ପାରି ନାଇଁ ।

 

କୁଡ଼ିଆ ଭିତରେ ଗଡ଼ି ପଡ଼ିଚି ଭଗାରି । ବାହାରେ ଖରା । ବେଳେ ବେଳେ ବାହାରକୁ ଉଙ୍କି ମାରୁଚି । ଅଳସ ଅଳସ ଲାଗୁଚି ଆଜି । ମହୁରି ଆଜି ନାଇଁ । ଆଷାଢ଼ ଶ୍ରାବଣରେ ଝିମେଇଥିବା କାମ ପୁଣି ଜୋର୍‌ସୋରରେ ଆରମ୍ଭ ହଉଚି ।

 

ପଥର ଫଟା, ଗେଟି ବାଡ଼ା, ମାଟି ହଣା, ମୁର୍‌ମ୍‌ ବିଛା ଆଡ଼େ ଉଙ୍କିମାରି ମଝିରେ ମଝିରେ ଡାକି ଦଉଚି, ହାଙ୍କି ଦଉଚି । ଭଗାରିର ହାଙ୍କ ପରେ, ଡାକପରେ ଦୁମ୍‌ଦାମ୍‌ ଧୂସ୍‌ଧାସ୍‌, ଖଣଖାଣ୍‌...ଝିମେଇ ଝିମେଇ ଆସୁଥିବା ଶବ୍ଦ ହଠାତ୍‌କୁ ହଠାତ୍‌ ବେତାଳରୁ ତାଳ, ତାଳରୁ ବେତାଳ, ତୀବ୍ରତାରୁ କ୍ରସ୍ତତା ଆଡ଼କୁ ଗତିକରି ପୁଣି ପୂର୍ବ ଅବସ୍ଥାକୁ ଫେରି ଫେରି ଆସୁଚି ।

 

ମୁରୁମ୍‌ ବିଛା ଯୋଉଯାଏଁ ଶେଷ ହେଇଚି ସେଇଠୁ ବେଳେ ବେଳେ ଉଙ୍କି ମାରୁଚି । ଉଙ୍କି ମାରୁଚି ନିଜ ଗାଁ ଆଡ଼େ ଲମ୍ଵି ଯାଇଥିବା ଚଲାବାଟ ଆଡ଼େ । ଉଙ୍କି ମାରୁଚି । ସାଇକେଲ ଶବ୍ଦକୁ କାନୋଉଚି ।

 

ସେ ଆଡ଼ର କୋଠା କାମରେ ଦୁର୍ଘଟଣା ଘଟିଚି । ଏଠାକାର ସାନ ‘ଉଗ୍ରେସର୍‍’ ବି ସେଠାକୁ ଯାଇଚନ୍ତି । ଏ ଆଡ଼ର ପୁଲିଆ ଭାଙ୍ଗିଚି, ଉଗ୍ରେସର୍‌ ଯେ ଯେକୌଣସି ମୁହୂର୍ତ୍ତରେ ପହଞ୍ଚି ଯାଇ ପାରନ୍ତି, ସେ କଥା ଭୁଲି ଯାଇ ନାଇଁ ।

 

ମହୁରିର ଆଜି ନାଇଁ । ଦରକାର ପଡ଼ିଲେ ତାର ଅନୁପସ୍ଥିତିର କଇଫିଅତ୍‌ଟା ଦେବାକୁ ଯାହା ଯାହା ବତେଇ ଦେଇ ଯାଇଚି ତାକୁ ତ ମନ ରଖିଚି, ତା ଛଡ଼ା ମହୁରିର ପକ୍ଷନେଲା ଭଳି କେତେ କଥା ମନରୁ ଫନ୍ଦାଫନ୍ଦି କରିଚି । ସେଇ ମିଶା ଗୋଳା କଇଫିଅତ୍‌ଟା ମଝିରେ ମଝିରେ ମନେପକେଇ ନଉଚି ।

 

ମହୁରିର୍‌ ହେବାର ଯୋଗ୍ୟତା ପାଇଁ ନିଜ ନାଁ ଠାରୁ ଅନ୍ୟାନ୍ୟ କିଛି ଲେଖିପାରୁଥିବା, ଟଂକା ପଇସାକୁ ଅଂକରେ ଆଉ ଅକ୍ଷରରେ ଲେଖି ନିର୍ଦ୍ଦିଷ୍ଟ ଜାଗାରେ ଟିପ କାଳି ଆଣି ପାରୁଥିବା, ପ୍ରଥମେ ଅନ୍ତତଃ ଅନ୍ୟୁନ ଏତିକି ଜାଣିବାର ଦରକାର ବୋଲି ଭଗାରି ଜାଣିଥିଲା । କାଲି ଛୁଟି ଦିନଟାରେ ବୟସ୍କଙ୍କ ପାଠପଢ଼ା ପାଇଁ ଯେତେବେଳେ ହୋବମ୍‌ ଉଠିଥିଲା ସେଇ ଶୋଭାଯାତ୍ରା ପଛରେ ଅନେକ ବାଟ ଆଗେଇ ଯାଇଥିଲା । ‘ଅପାଠୁଆ ପାଠପଢ଼’, ‘ଅପାଠୁଆ ଦେଶର ଶତ୍ରୁ’ ଇତ୍ୟାଦି ଲେଖାଥିବା ଟୁକ୍‌ରା ଟୁକୁରା କାଗଜ, ଡାଲାରୁ, ହାତୀରୁ, ରାସ୍ତା ଘାଟରେ ଯେତେବେଳେ ବିଛେଇ ହୋଇ ପଡ଼ୁଥିଲା, ସେଥିରୁ କେତେ ଖଣ୍ଡ ଗୋଟେଇ ଥିଲା । ଠେଙ୍ଗାଲଟକାପଟାର ବଡ଼ ବଡ଼ ଅକ୍ଷର ଆଡ଼େ ଚାହିଁ ପିଲାଦିନର ସ୍ମୃତିଟାକୁ ଟଣାଓଟରା କରୁଥିଲା ।

 

ମହୁରିର ରାଧୁ ଗୁସେଁଇଠୁ ଆରମ୍ଭ କରି, ରାଜମିସ୍ତ୍ରୀ ଆଉ ଏଠି କାର ଅନ୍ୟାନ୍ୟ ଚିହ୍ନା ଅମଲା ଯାଏ କହାଠୁ କେମତି ବେଳେ ବେଳେ ଶୁଣେ, ତୁଇ ଖାଲି ଟିକେ ଲେଖିପଢ଼ି ଜାଣିଥିଲେ...

 

ଭଗାରି କୋଉଠି ଛୋଟ ଉତ୍ତରଟିଏ ଦିଏ । କୋଉଠି ଛୋଟ ଯୁକ୍ତିଟିଏ କରେ । କୋଉଠି ଛୋଟ କଇଫିଅତ୍‌ଟିଏ ଦିଏ । କୋଉଠି ଅତୀତର ସେଇ ଅଜ୍ଞାତାଟା ପାଇଁ ଦୁଃଖ ପ୍ରକାଶ କରିବା ସାଙ୍ଗେ ସାଙ୍ଗେ ନିକଟ ଭବିଷ୍ୟତରେ ସେ ଭୁଲ ଯେ ସୁଧୁରି ପାରିବ ସେଇ ଦମ୍ଭୋକ୍ତି ବାଢ଼େ-। କୋଉଠି ଉତ୍ତର ନ ଦେଇ ତଳ ଉପରକୁ ଅନାଏ, ଚୁପ୍‌ ରହେ । ଏବେ ଦିନେ ଏଠିକାର ମହୁରିର୍‌କୁ ମନମାରି କହୁଥିଲା—କାଇଁଟା କର୍‌ବି ଗ ମହୁରିର୍‌ ବାବୁ, ସେତବେଳେ ତ ଇ ବୁଧିଟା ନାଇଁ ହେଇଥାଇ । ଛାଟେ ଦି ଛାଟ୍‌ନାଇଁ ବାଜୁଣୁ ତ ଛେଳି ଲାଁଗ୍‌ଡ ଧଇଲି !

 

ମହୁରି ହେବାଟା ମିଛ ବୋଲି ଜାଣିଲାଣି । ଅନୁଭବ କଲାଣି । ମହୁରି ମାନଙ୍କର ସ୍ଵଚ୍ଛଳ ଅବସ୍ଥା ସମ୍ବନ୍ଧରେ ଯୁକ୍ତିକରି ଆସୁଥିଲା—ଯୁକ୍ତି ଓଲଟିଲାଣି ।

 

କାମ ଭିତରେ ଏପାଖ ସେପାଖ ହେଲା ପରେ କୁଡ଼ିଆ ଭିତରେ ଗଡ଼ିଯାଇଚି ଭଗାରି ।

 

ବେଳ ଗଡ଼ି ଗଡ଼ି ଆସିଲା ବେଳକୁ ଦେହ କସ୍‌କସ୍‌ କରିବାଟା ଅନୁଭବ କଲା । ଏଠିକୁ ଆସିଲା ଦିନୁ ଥରଟିଏ ଜ୍ଵରରେ ପଡ଼ିଥିଲା । ସେତେବେଳେ ଭଲ ମନ୍ଦଟା ଯିଏ ବୁଝି ଦଉଥିଲା ସେଇ ହେନା ମାଁ ଆଡ଼େ ଆଖିଟା ଆପେ ଆପେ ଚାଲିଗଲେ ।

 

ଟିକିଏ ଦୂରରେ ଗେଟି ବାଡ଼ଉଚି ହେନା ମାଁ । ମନ୍ଥର ହୋଇ ଅସିଚି ଗତି । ଆଖପାଖର ବୁଢ଼ୀ, ଦର ବୁଢ଼ୀ, ଅଧାରି, ଟୋକି......କୋଉ ହ ହାତୁଡ଼ି ପଡ଼ୁଚି ଉଠୁଚି, କୋଉ ହାତୁଡ଼ି ହାତ ଛଡ଼ା ହଉଚି ।

 

ଚିତ୍କାର କରି ନିଜଦଳର ହାତ ହତିଆରକୁ କର୍ମଚଞ୍ଚଳ କରିନେବାକୁ ମନ ହେଉଥିଲେ ବି ଆଉ ଥରକୁ ଥର ଗଳା ଫଟେଇବାକୁ ବଳ ଅଣ୍ଟିଲା ନାଇଁ । କସ୍‌କସ୍‌ ପରେ ମୁଣ୍ଡ ବିନ୍ଧାଟା ବି ଆରମ୍ଭ ହେଲାଣି ।

 

ତଳ ସାଇ ଦାମ ମିସ୍ତ୍ରୀର ଦାଣ୍ଡ ପିଣ୍ଡାରେ ଝାଟିମାଟି ଟୁଙ୍ଗି ଟିଏ । ସେଇ ଖଣ୍ଡ ବନ୍ଧେଇ, ଲିପେଇ, ଘସେଇ ଭଗାରି ବସା ବାନ୍ଧିଚି । ଦାମ ମିସ୍ତ୍ରୀର ଚଉଡ଼ା ପିଣ୍ଡାଟି ଛାଡ଼ି ଦେଲେ ଏ ସାଇର ଆଉସବୁ ହାତେ ମୁଠୁଣିଏ ଝାଟି ମାଟି କାନ୍ଥ ।

 

କାମରୁ ଫେରି ଦାମ ମିସ୍ତ୍ରୀ ଖଜଣି ପିଟେ । ଆସନ୍ତି ଆଉ କେତେଜଣ । ଦାଣ୍ଡ ବଖରାରେ ଖଜଣି ମାଡ଼ର ତା ତରଗଡ଼ ତା, ଧା ତର ଗଡ଼ ଧା ଉଠିଲା ବେଳେ ଟୁଙ୍ଗିରେ ପଶି ଭଗାରି ଲାଗିଯାଏ ରାତି ରୋଷେଇରେ ।

 

କାମରୁ ଫେରି ଭଗାରି ଶୋଇ ଯାଇଚି ଟୁଙ୍ଗିରେ । ଦୁଇ ତିନ୍‌ ଦିନ ହେଲା କସ୍‌ କସ୍‌ଟା ସକାଳ ପାହିଲାବେଳକୁ ଛାଡ଼ି ଯାଉଚି । ଆଜି ଚୁଲି ଜାଳିବାର ଉପକ୍ରମ ନାଇଁ । ଛୋଟ ଲଣ୍ଠନଟି ଲଗେଇଚି । ଡିବିରିରୁ ନିଆଁ ଧରି କମିଜ୍‌ପୋଡ଼ିଲା ଦିନୁ ଲଣ୍ଠନଟିଏ କିଣିଚି ।

 

ତାଟି ଆଉଜେଇ ଆଣି, ଲଣ୍ଠନ ଦବେଇ ଦେଇ, ମିଞ୍ଜି ମିଞ୍ଜି ଆଲୁଅରେ ସଞ୍ଚିତ ପୁଞ୍ଜିକୁ ଗଣି ଚାଲିଚି ଭଗାରି । ଆଜି ଏକକାଳିନ ପାଇଥିବା ତିନିଟା ହପ୍ତା ମିଶି ପୁଞ୍ଜିଟା ଟିକିଏ ଫୁଲି ଉଠିବାର ଅନୁଭବ କରୁଚି ।

 

ତନ୍ମୟ ହେଇ ଟଙ୍କା ଗଣି ଚାଲିଥିଲେ ବି ପାଦ ଶବ୍ଦ ଆଉ ଚୁଡ଼ିର ଖଣ୍‌ଖାଣ୍‌ କାନରେ ବାଜିଲା । ତର ତର ହେଲା । ପଟିଆ ଆଉ କନ୍ଥା ଭିତରେ ଗଣା ଗୁଡ଼ିକ ଲୁଚେଇଲା । ଲଣ୍ଠନଟି ତେଜିବାକୁ ଯାଉ ଯାଉ ହାତ ଫେରାଇ ଆଣିଲା ।

 

ତାଟି ଠେଲି ଉଙ୍କିମାରିଲା ହେନା । ପିଣ୍ଡାତଳକୁ ତାଟିଆ ଧରି ହେନା ମା ।

 

—ଏ ବା, ଖାଇଦେ ଇ ଟୁ ପାକ ।

 

ହେନା କହିଲା—ଏକ୍‌ ସକାଳୁ କିଛି ତ ନାଇଁ ଖାଇ, ଇ ଟୁପାକ ପେଟରେ ପଡ଼ଲେ ଭଲ୍‌ ହେଇତା ।

 

ଦାଣ୍ଡ ବଖରାରେ ଖଂଜଣି ମାଡ଼ ଏଇ ମାତ୍ର ଆରମ୍ଭ ହେଇଚି । ସଂଜ ପହରରୁ ଦାମ ମିସ୍ତ୍ରୀ ଉପଦେଶ ଦେଇ ଯାଇଚି ଆଜି ରାତିଟା ଉପବାସ ରହିବାକୁ । କାଲି ରାତିରେ ବି ଭଗାରିକୁ ମନାକରିଥିଲା ଓପାସେ ରହିବାକୁ । ଭଗାରି ହଁ ହଁ କରିଥିଲେ ବି ଚୂନାମାଛ ଭାଜି ଥିଲା । ଧରା ପଡ଼ି କହିଥିଲା, ହଃ, ଏତ୍‌କିରେ ଦିହଟା ନଶି ଯାଉଚି !

 

ହେନାର ସମ୍ବୋଧନଟା ଭଗାରିକୁ ବେଳେ ବେଳେ ଭାବନାରେ ପକାଏ । ସମ୍ବୋଧନଟା ବେଶୀବେଳ କର୍ମବାଚ୍ୟ ଭିତରେ କଡ଼େଇ ହେଇ ରହିଥିଲେ ବି ଭାବନାକୁ ଓଲଟ ପାଲଟ କରି କଡ଼େଇ ହେବାଟାର ଆକାର ପ୍ରକାର ଜାଣିବାକୁ ଚେଷ୍ଟା କରେ । ସମ୍ବୋଧନରେ ବଡ଼ ସାନର ଆଭାସ ଜାଣି ହେଉନଥିଲେ ବି ବେଳେ ବେଳେ ଭାବେ ହେନା ତା ଅନୁମାନ ଅପେକ୍ଷା ‘ହୁଏତ’ ସାନ । ବେଳେ ବେଳେ ଏଇ ହୁଏତ ହଜି ହଜି ଯାଏ, ଭାବିନିଏ ହେନା ଅନୁମାନଠୁ ବି ଆହୁରି ଅନେକ ସାନ !

 

ହେନାର ଏଇ ବୟସଖସା ସମ୍ବନ୍ଧୀୟ ଭାବନାଟା ଦିନେ ଦିନେ ଚରମକୁ ଉଠିଯାଏ ।

 

ହେନାର ସମ୍ବୋଧନଟା ବଦଳି ବଦଳି ଗଲାବେଳେ ଭଗାରିର ଭିତରଟା ବି ବଦଳି ବଦଳି ଯାଏ । ବଦଳୁ ବଦଳୁ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଲା ପରେ ବି ସେଇ ପୁରୁଣା ଅବସ୍ଥାରେ ଅନ୍ୟ ରଙ୍ଗ ଟିକିଏ ବୋଳି ହୋଇ ଯାଉଥାଏ ।

 

ଡାଳ କୁଡ଼ିଆ ଭିତରେ ଖୁଣ୍ଟକୁ ଆଉଜି ହାଲିଆ ମାରୁଥିଲା ଭଗାରି । ଢେଙ୍କିରେ କୁଟା ଚାଲିଥିଲା ଚୂନ ବାଲି । ଟେରି, ପାରି, ମାଳି, ଚାଉକି ଭିତରୁ ଧାଙ୍ଗୁଡ଼ି କେତୋଟିର କାମ ବଦଳେଇ ଏଇ ଆଡ଼ର ଚୂନ କୁଟା କାମକୁ ମହୁରିର ନେଇ ଆସିଚି ।

 

କୁଟା ଚାଲିଚି ଚୂନ ବାଲି । ମଝିରେ ମଝିରେ ମେଲି ଦଉଚନ୍ତି । ପଦେ ଅଧେ ଗୀତ—ଖଣ୍ଡେ ଖଣ୍ଡେ ଢଗ । ଗୀତରେ ପାନ ଯଚା ଯଚି, ଦେଖି ହସାହସି ଧରିପଳାପଳି ଇତ୍ୟାଦିର ପ୍ରାୟ ପୂରାପୁରି ଖୋଲା ଭାବଟାଏ ଖଳ୍‌ଖଳ୍‌ କରୁଥିବା ବେଳେ, ପୋଲିଆ ଆଡ଼ୁ କେତେବେଳେ କାହାର ପ୍ରତ୍ୟୁତ୍ତର ଆସୁଥିବା ବେଳେ, ଭଗାରି ବି କଣ କହିଦବାକୁ ପାଟି ମେଲା ମେଲା କରେ । କହି ପାରେନାଇଁ । ଲହଡ଼ି ଭଙ୍ଗା ହସ ବେଳେ ନିଜେ ବି ଲହଡ଼ି ଭାଙ୍ଗିବାକୁ ମନ ମାତେ—ମାତିବା ବେଳେ ହେନା ମା କଥାଟା ମନେପକାଇ ପାଟି ନ ଫିଟେଇବାକୁ ସଂକଳ୍ପ କରେ ।

 

ଠିକ୍‌ ଏଇ ସଂକଳ୍ପ କରୁ କରୁ ମନ ମାରିଲା ପରି ଚୁପ୍‌ଚାପ୍‌ କାମ କରି ଯାଉଥିବା ଚାଉଳି ଆଡ଼େ ଚାହିଁ ହଠାତ୍‌ କହିଦେଲା—ଏ ଟୁକି, ତର୍‌ ମନ୍‌ଟା ସୁଖ୍‌ ନାଇଁକାଁ ?

 

ପଚାରୁ ପଚାରୁ ପଚାରି ଦେଇଥିଲା ସିନା, ଚାଉଳିଠୁ କୌଣସି ଉତ୍ତର ପାଇବାର ଆଭାସ ନପାଉଣୁ ଆଉ କେତଟା ହିଁ ହଁ । ହସର ଧକ୍‌କା ଭଳି ଲାଗିଲା—ଆଉ ଆଗେଇ ପାରିନଥିଲା ।

 

କାମରୁ ଫେରିଲା ବେଳେ ହେନାମା ପୁଣି କହିଥିଲା—ଏ ବା, ଗଡ଼ୁଆ ଟୁକିଙ୍କି ନାଇ ଚିନି ତୁଇ ! ମେଁଢ଼ାକୁ ଭେଁଡ଼ା ବନେଇ ଦେବେ । ନାଇଁ ଜାଣ୍‌ଲା ମୁଣ୍‌ଷକୁ ହଟରେ ବାଟରେ ବିକି ଦେବେଟି, ହଁ !

 

ହେନା ମା କଥାକୁ ଭିତରେ ଭିତରେ ତଉଲୁ ତଉଲୁ ସାଇରେ ପାଦଦେଲା । ପାଦ ଦଉ ଦଉ ଖୋଜି ଖୋଜି ଆସିଥିବା ଗାଁର ଜଣଙ୍କଠୁଁ ଖବର ମିଳିଲା—ସୁନ୍ଦରି ମରୁ ମରୁ ବଞ୍ଚିଚି । ଛୁଆ ନଷ୍ଟହେଇଯାଇଚି ।

 

ସୁନ୍ଦରୀ ଦୁର୍ବଳ ଦିଶୁଚି । ସୁନ୍ଦରୀର କାନ୍ଦ । ଭାଇ, ବହୁ, ପାଖ ପଡ଼ିଶା...କାହାର କାନ୍ଦ, କାହାର ସାନ୍ତ୍ୱନା, କାହାର ଉର୍ତ୍ସନା......ପ୍ରାୟ ସବୁ ଗୁଡ଼ିକ ଚୁପ୍‌ହେଇ ଶୁଣିଗଲା ଭଗାରି ।

 

କାମକୁ ଫେରିବା ପାଇଁ ମହୁରିକୁ ଦେଇଥିବା କଣ୍ଟ ବିଳମ୍ବ ହେଲାଣି । ସୁନ୍ଦରୀକୁ ଛାଡ଼ି ଯାଉଥିବା ଦୁଃଖ ସାଙ୍ଗରେ ଏଇ କଣ୍ଟର ଦୂରତ୍ଵ କଥା ଭାବୁ ଭାବୁ ଦୁଇଟି ଭାବର ପଡ଼ାଉଠା ଭିତରେ କେତେବେଳେ ଥିର୍‌ ଥିର୍‌ ପାଦ, କେତେବେଳେ ଚଞ୍ଚଳ ପାଦ ପକେଇ ଗଡ଼ ଆଡ଼େ ଆଗେଇ ଗଲା-

ଭଗାରି ଚାଲିଗଲା । ଚାଲିଯିବାର ଅଳ୍ପ କେତେ ଦିନପରେ ପୁଣି ଯୋଉ ଖବରଟା ଶୁଣିଲା କାନ୍ଦିଉଠିଲା । ମୁଣ୍ଡରେ ହାତ ଦେଇ ବସିଗଲା । କୁଲି ମଜୁରିଆଙ୍କ କାମର କୋଳାହଳ ଭିତରେ କାନ୍ଦଟା ବାରି ହେଇ ପଡ଼ିଥିଲା ।

ଖବର ପାଇଲା ନୀଳା ଚାଲିଯାଇଚି । ଆସିଲା ବେଳେ ଯେଉଁ ନୀଳାର ପଟିଆଲଗା ଦୁର୍ବଳ ଦେହଟା ଦେଖି ଆସିଥିଲା ସେ ଆଉ ନାଇଁ । ଚାଲି ଯାଇଚି ସବୁଦିନ ପାଇଁ । ଟିକିଏ ସମୟ ପାଇଲେ ନୀଳା ଶାଶୁ ଘରକୁ ଯାଇ ନୀଳା କଥାଟା ନିଷ୍ପତ୍ତି କରିଦେଇ ଆସିବାକୁ ସୁନ୍ଦରୀ ଆଗରେ ପ୍ରତିଶ୍ରୁତି ଦେଇଆସିଥିଲା ।

ନୀଳା ଚାଲିଯାଇଚି । ନିଷ୍ପତ୍ତି କରିଦେବା ସମ୍ବନ୍ଧୀୟ ଭୁଲିଯାଇଥିବା ପ୍ରତିଶ୍ରୁତିଟା ଚେଇଁ ଉଠିଲା । ଯୋଉ ନିଷ୍ପତ୍ତି ପ୍ରତିଶ୍ରୁତିର ଆଉ ପ୍ରୟୋଜନ ନାଇଁ ସେଇକଥା ମନେ ପକଉ ପକଉ କାନ୍ଦିଉଠିଲା ଭଗାରି—ନିଳା । ମାଁ ରେ ମାଁ ! ଏ ମାଁ ନିଳା । ତୁଇ କାହିଁ ଛାଡ଼ିଗଲୁରେ ମାଁ ?

ଟଣା ରୋଲର୍‌ର ଘର୍‌ଘର୍‌, ଘଡ଼୍‍ଘଡ଼୍‍ ଟିକକ ପାଇଁ କମିଗଲା । ଆଖପାଖ ହାତ ହାତୁଡ଼ିର ଆବାଜ ଟିକକ ପାଇଁ ଥମିଯାଇଥିଲା । କୁଲି, ରେଜା, ବଢ଼େଇ, ମିସ୍ତ୍ରୀ,......ଭଗାରି ପାଇଁ ଏଠି ସେଠି ଟିକିଏ ଟିକିଏ ବ୍ୟତିକ୍ରମ । ନୂଆ କଟା ବଣ ଭିତରଆଡ଼େ ଭଗାରିର କାନ୍ଦଟା ଗୁମୁରି ଗୁମୁରି ଭାସି ଯାଉଥିଲା ।

ମାମୁଁ ଘରୁ ନାନୀ ଘର ଦେଇ ଗାଁକୁ ଫେରିବା ଆଗରୁ ବିଶି ଅଟକି ଯାଇଚି ନାନୀ ଘରେ-। ଏଠି ପହିଲି କରି ଶୁଣୁ ଶୁଣୁ ଥକାମାରି ରହିଗଲା ।

ସୁନ୍ଦରୀର ବାହୁନା କାନ୍ଦ ଭିତରେ ବିଶି ଆଖିରୁ ବି ଝର୍‌ଝର୍‌ ଝରୁଥିଲା—ଏ ମାଉସି, ନାଇଁ କାଁଦ୍‌, ନାଇଁ କାଁଦ୍‌ ।

ସୁନ୍ଦରୀକୁ ସାନ୍ତ୍ଵନା ଦେଉ ଦେଉ ନିଜକୁ ସମ୍ଭାଳି ପାରୁନଥିଲା ବିଶି । ମନେ ପଡ଼ି ଯାଉଥିଲା, ଶୁଭି ଶୁଭି ଯାଉଥିଲା—ଏ ଭାଇ, କେବେ ବିହା ହଉଚୁରେ ? ପିଠାଖିଆକୁ ନାଇଁ ଡାକୁ କାଁ ?

ବିଶିର ବାହାଘର ଠିକ୍‌ହେଇ ଯାଇଚି । ଏଠିକୁ ଆସିବା ଆଗରୁ ଭାବିଥିଲା ନୀଳା ଜାଣିସାରିବଣି ।

ନୀଳ ତା ଶାଶୁଘରେ ଥରେ ଜରରେ ପଡ଼ିଥିବା ବେଳେ ବିଶି ଆସିଥିଲା ସେଇ ବାଟ ଦେଇ । ଦୋଳ ଦେଖି ଫେରୁ ଫେରୁ ନୀଳାର ଶାଶୁଘର ଗାଁରେ ଅଟକି ଯାଇଥିଲା ।

ବିଶିକୁ ଦେଖୁ ଦେଖୁ ନୀଳାର ଶାଶୁ ବାହୁନା କାନ୍ଦ ଆରମ୍ଭ କରି ଦେଇଥିଲା । କାନ୍ଦ ଭିତରେ ସ୍ପଷ୍ଟ ହୋଇ ଉଠୁଥିଲା—ମର୍‌ ପିଲାଟାକୁ କେଡ଼େ ଦୁଖଟେ ହେଲାରେ ଦଇବ ! ଏନ୍‌ତି କନିଆଟେ କାହୁଁ ପାଇବ ଆଉ ?

 

ବିଶି ଯାହାକୁ ବାହା ହୋଇଥିଲା, ବାହା ହେବାର ଯୋଉ ଦୃଶ୍ୟଟା ବିଶିକୁ ମନେ ପକେଇ ଦେବାକୁ ଚେଷ୍ଟା କରାଗଲେ ବି ସ୍ମରଣକରି ପାରେନା, ସେ ଦିନର ଅଳ୍ପ କେତେ ମାସ ଆଗରୁ ବାପଘରେ ମରିଯାଇଥିଲା ବିଶିର ସେଇ କନିଆ ।

 

ଜରୁଆ ଦେହ—ଅଗଣାରେ ପାଣି ମାଠିଆ ରଖୁ ରଖୁ, ଶାଶୁ କାନ୍ଦରୁ ବିଶି ଆଉ ଭେଣେଇଁର ଉପସ୍ଥିତିଟା ଜାଣି ପାରିଥିଲା ନୀଳା ।

 

—କେନ୍‌ଆଡ଼େ ବାହାରି ପଡ଼୍‍ଲୁରେ ଭାଇ ?

 

ବାହୁନା କାନ୍ଦ ଶେଷ କରି ନୀଳାର ଶାଶୁ ରନ୍ଧାଘର ଆଡ଼େ ଚାଲିଯାଇଥିଲା । କାନ୍ଦର କେତେଟା ଛାପା ରହି ଯାଇଥିଲା ବିଶିର ମୁହଁରେ, ଭାବ ଭଙ୍ଗିରେ ।

 

କାନ୍ଥରେ ଦେହ ଭରା ଦେଉ ଦେଉ ନୀଳା କହିଥିଲା—ତର୍‌ ଲେଖା ଭେଁଡ଼ିଆ ପିଲାକୁ କନିଆଁଟେ ନାଇଁ ମିଳୁଚି କାଁ ? ମୁହଁଟାକୁ ଏନ୍‌ତି ଧୁନ୍ଦ୍‌ରେଇ ଦେଇଚ୍‌କାହିଁ ଲାଗି ?

 

ଅଲରା ଖୋସାକୁ ସାଉଁଳୁ ସାଉଁଳୁ ନୀଳା କହିଚାଲିଥିଲା—ଯାତ୍‌ରା ଦେଖିକିରି ଫେର୍‌ଲୁ ? ହ’ରେ ଭାଇ, ଗଲାବେଳେ ଇ ଗାଁ ବାଟେ ଟିକେ ନାଇଁଗଲୁ କାହିଁଲାଗି ? ଇଏ ତ ମାଁ ବୁଲେ ବୁଲେ, କାହିଁର୍‌ ନାଟ ? କାହିଁର୍‌ ଯାତ୍‌ରା ? ହଁ... କାହିଁ ଲାଗି ତୁଇ ଇ ବାଟେ ଯାଇଥାଇତୁ, ଆମେ ତ କେନ୍‌ଆଡ଼ର୍‌ ପରଟେ !

 

ବିଶିର ବାହାଘର ଠିକ୍‌ ହୋଇ ଯାଇଚି ।

 

ଏଇ ଅଳ୍ପ ଆଗ ଫଗୁଣରେ ସେଇ ବିହାଘର, ସେଇ ପିଠାଖିଆ ।

 

ନୀଳା ଖବର ଶୁଣି ଚଇତା ଆସିଥିଲା ।

 

ଚଇତା ଫେରିବା ପରେ ପରେ ନବଘନ ପଚାରି ପଚାରି କେତେ କଥା ଶୁଣିଲା । ଭଗାରି ଘରକୁ ଯିବ କି ନାଇଁ ଭାବି ହେଲା ।

 

ହଁ ନାଇଁର ପଡ଼ାଉଠା ଭିତରେ ହଠାତ୍‌ଦିନେ ଉବେଳଟାରେ ବାହାରି ପଡ଼ିଲା ।

 

ଝିଅରୁ ଗୋଟିଏ କନିଆର ମଞ୍ଜି ବଟା ଖାଇ ମରୁ ମରୁ ବଞ୍ଚିଚି । ଖବରଟା ପାଇ ସେ ଆଡ଼େ ଯିବାକୁ ଠିକ୍‍ କରୁ କରୁ ଭଗାରି ଘରକୁ ବାହାରି ପଡ଼ିଚି ।

 

କେତେ ବାଟ ଆଗେଇ ଆସିଲାଣି । ବାଟ ଭାଙ୍ଗି ଝିଅ ଘର ଆଡ଼େ ଯିବାକୁ ପାଦ ବଢ଼ଉଥିଲା । କେତେବାଟ ବଢ଼ିଯାଇଥିବା ପାଦକୁ ପୁଣି ଏଇ ଆଡ଼େ ଘୁରେଇ ଆଣିଚି ।

 

ବିଶିକୁ ଦେଖୁ ଦେଖୁ କଇଫିଅତଟେ ଦେଲାଭଳି କହିଥିଲା—ନୀଳାକୁ ମୁଇଁ କେତେ ଭଲ୍‌ପାଇସିଁ ! ନାଇଁ ହେଲେ ଇ ଆଡ଼େ ମର୍‌ କାଇଁ କାମ ?

 

ସୁନ୍ଦରୀର କାନ୍ଦ ଭିତରେ ନିଜେ କାନ୍ଦିଉଠିଥିଲା ନବଘନ । ସାନ୍ତ୍ୱନା ଦେଉ ଦେଉ ନିଜର ଅଶାନ୍ତ ଗଳା ବାରିହେଇ ପଡ଼ୁଥିଲା ।

 

ପହଞ୍ଚୁ, ପହଞ୍ଚୁ, କେତେ କଥା କହିବାକୁ ଭାବିଥିଲା । କେତେ କଥା ପଚାରିବାକୁ ଭାବିଥିଲା । କିଛି ପଚାରି ପାରିଲା ନାଇଁ ।

 

ନୀଳା ମନେ ପଡ଼ୁଥିଲା ।

 

ସୁନ୍ଦରୀର କାନ୍ଦ ବନ୍ଦ ହେବା ପରେ ପରେ ନବଘନ ଭଲକରି ଚାରି ଆଡ଼କୁ ଚାହିଁଲା ।

 

ସୁନ୍ଦରୀର ନାକ, କାନ, ବେକ, ହାତ...ସୁନ୍ଦରୀର ପିଲାଛୁଆ, ଭଙ୍ଗାରୁଜା ଘର ଦୁଆର ।

 

ବିଦାୟ ବେଳରେ ସୁନ୍ଦରିକୁ ସାନ୍ତ୍ୱନାଟିଏ ଦଉ ଦଉ ବି ଏପାଖ ସେପାଖ ଦେଖୁଥିଲା । ନିକିଟି ନିକିଟି ଚାହିଁ ଥିଲା ।

 

ନବଘନ ଫେରିଲା । ବିଶି ବି ଫେରିଲା ସାଙ୍ଗରେ ।

 

ବଣ ଭିତରେ ଛପିଯିବା ଆଗରୁ ମୁଣ୍ଡିଆ ତଳର କୋଠା—ଆଡ଼େ ନବଘନ ଘନ ଘନ ବୁଲି ଦେଖିନାଇଁ ଏଥର ।

 

ଆଗ ପଛ ହେଇ ଆଗେଇ ଚାଲିଚନ୍ତି ।

 

ଯେତିକି ଯେତିକି ପାଖେଇ ଯାଉଚି ନବଘନ ସେତିକି ସେତିକି ସ୍ପଷ୍ଟହୋଇ ଉଠୁଚି ଗାଁଟା ।

 

ଗପ ଭିତରେ ଗତିଟା ଟିକିଏ କମିଯାଇଥିବା ବେଳେ ହଠାତ୍‌ କଥା ବଦଳେଇ ଥିଲା ନବଘନ—ଉପ୍‌ର ଖେତ୍‌ଟା ମାଟି କର୍‌ବି ଇଥର୍‍ । ଆଉ ବେଲ୍‍ ନାଇନି । ନାଇଁ କଲେ କିଏ କର୍‍ ଦେବେ ? ଖରା ତରା ହେଇ ନାଇଁ ଖଟ୍‍ଲେ କେନ୍‌ତି ହବ ?

 

ବିଶିର ବାହାଘର, ନିଜ ଝିଅର କଣ ହେଲାଣି କେଜାଣି କଥାଟା, ଏ ଦୁଇଟାରୁ ପଦେ ଅଧେ ଏ ପାଖ ସେ ପାଖ କରି କହୁ କହୁ ହାଠାତ୍‌ ମାଟି ଝାଟି କଥା କହି ଦେବାରୁ ବିଶିର ମନଟା ବି ଟାଣି ହେଇଗଲା ସେଆଡ଼େ । ନୂଆ କନିଆ ଆସିବ । ବଡ଼ର ସିନା ବଖରାଟେ, ନିଜର ନାଇଁ ।

 

ବିଶିର ମନ ଟାଣି ହେଇଗଲା ସେଇଆଡ଼େ । ଦେଖି ଆସିଥିବ କନିଆଟି ଯୋଉଠି ଝଲ୍‌ଝଲ୍‌ କରୁଥିଲା ସେଇଠି ଭୁସ୍ ଭୁସ୍‌ ଅଜାଡ଼ି ହେଇ ପଡ଼ୁଥିଲା କଣ୍ଟା, ବୁଦା, କାଠ, ଝାଟି, ପଥର, ମାଟି ।

 

ଆଗେଇ ଚାଲିଥିଲେ ନବଘନ ଆଉ ବିଶି । ପତର ବୁଜା ଗୁଡ଼ଠେକିଟା ଦୋହଲୁଥିଲା ବିଶିର ବାଁ ହାତ କହୁଣି ପାଖରେ । ପବନକୁ କରତିଲା ଭଳି ଚଟୁ ଆଉ ପିଠାପାତିଆ ଦୁଇଟି ଆର ହାତରେ । ମନ ଉଡ଼ିଲା ବେଳେ ଚଲା ବାଟର ପଥର ଦେହରେ କେତେବେଳେ ଏ ପାଦ ତ କେତେବେଳେ ସେ ପାଦ ମାଡ଼ ଖାଇଯାଉଥିଲା । ଠେକି ମୁହଁର ଚହଲାତକ ଦେଖୁ ଦେଖୁ ମୁହଁ ବୁଜାର କାଇଦାଟାକୁ ବାହୁନିଥିଲା । ପର ଜିନିଷର ପରିମାଣଟା କମିଗଲେ ପରିଣାମରେ ଅବିଶ୍ୱାସ ସୃଷ୍ଟି ହେଇଥିବା ପୂର୍ବ ଅନୁଭୂତିଟା ମନେ ପଡ଼ି ଯାଉଥିଲା ।

 

ସେଇ ଆଡ଼ଟା ଲକ୍ଷ୍ୟକରି ନବଘନ କହିଲା—ଯେତ୍‌କି ଗଲାଣି ଇଥ୍‌ର ତୁଇ ହବୁ ଅବିଶାସି । ଇଥିର୍‌ ଲାଗି ପରର ବୁଝ ବୁହିବା ଲାଗି ମୁଇଁ ନାଇ ମଙ୍ଗ୍‌ବାକ ।

 

ବିଶି କହିଲା—ପର କାଇଁଟା ? ଯେତେ ହେଲେ ଲେଖା ଯୁଖା ମାଉସୀ ତ । ଇ’ଟା କାଇଁ ଏନ୍‌ତି କାମ୍‌ଟେ ଯେ ।

 

ଛେପ ଢୋକୁ ଢୋକୁ ନବଘନ କହିଲା—ନାଇଁ ଯେ, ମୁଇଁ ପର ବଲି ନାଇଁ ବିଲ୍‌ ବାକ ଯେ......

 

କଥାଟା ଅଧାପନ୍ତରିଆ କରି ନବଘନ ଆଗେଇ ଗଲା ।

 

ଅଧାଅଧିରେ ସମାଧି ପାଇଥିବା ନବଘନର କଥାଟାଆଡ଼ୁ ମନ ଫେରାଇ ବିଶି ଭାବୁଥିଲା ଆଉ କଥାଟାଏ । ଆଉ ଜଣକର ଚଟୁ ବୋହି ଆଣୁଚି । ମା ବରାଦ ଦେଇଥିବା ଚଟୁଟା ମେଳାରୁ କିଣିବାକୁ ମନେ ପଡ଼ି ନାଇଁ । ଏ ଚଟୁ ଦେଖି ମା’ର ଚଟୁକଥା ମନେ ପଡ଼ିବ । ସେଇ ଆଶଙ୍କାଟା କରି ଏଇ ଚଟୁଟା ଆଣିବାକୁ ଇଚ୍ଛା ନଥିଲା ।

 

କନିଆର ରୂପଟା ଚେଇଁ ଉଠୁ ଉଠୁ ଚଲା ବାଟରେ ଝୁଣ୍ଟେଇ ପଡ଼ିବା ବେଳେ ଚଟୁ ନାଡ଼ଟା ବେଳେ ବେଳେ ସତର୍କ କରି ଦଉଥିଲା ।

 

ନବଘନ ଫେରି ଆସିଚି ଘରକୁ । ଗାଁ ମଝିରେ ପାଦ ଦେବା ଆଗରୁ, ଲଟା ଆଢ଼ୁଆଳରେ ଛପୁଥିବା ଦିଶୁଥିବା ନିଜର ଜମି ଆଟ ଆଡ଼େ ଘନ ଘନ ଚାହିଁ ଥିଲା ।

 

ଗାଁରେ ପାଦ ଦଉ ଦଉ କହି ଚାଲିଚି, ହେ ଚକ୍‌ଡ଼ାଟା ମାଟି କର୍‌ବି । ଇ ଘାଇଟା ବାଁଧି ଦେବି । ଇ ପଥର୍‌ଟା, ହେ ଖୁଁଟାଟା.......

 

ନବଘନର ଏତେଟା କାମ କରିବା ଆଗ୍ରହ ଦେଖି ଚଇତା ବିସ୍ମିତ ହେବା ସାଙ୍ଗେ ସାଙ୍ଗେ କୌତୁହଳି ହେଇଚି । ଉତ୍ସାହ ଦେଇଚି । ଭୀଡ଼ କାମରେ ସାହାଯ୍ୟ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଚି ।

 

ନବଘନର କଥା ଶୁଣୁ ଶୁଣ ଚଇତନ ମନକୁ ମନ ହସିଚି । ନିଜକୁ ନବଘନ ଜାଗାରେ ଥୋଇ ଦେଲେ ବି ନବଘନର କଳ୍ପନାଟା ତାକୁ ଜଳ୍ପନା ଲାଗୁଚି ।

 

ପାଟି ଫିଟେଇ ନାଇଁ ଚଇତନ । ମନ କଥା ମନରେ ରଖିଚି । ଗଲାଥର ଝିଅ ବାହା ବେଳକୁ ପଦେ ପଦେ ହେଇ ତୁଣ୍ଡା–ତୁଣ୍ଡି ନାଇଁ ।

 

ମନ କଥାଟା ତୁହାଇ ତୁହାଇ କହିଗଲାଣି ନବଘନ । କଥା-ଶୁଣି କେହି କେହି ଉପରେ ଉପରେ ଉତ୍ସାହ ଦେଲେଣି । ଯିଏ ପରିହାସ କରି ପଦେ କହୁଚି ନବଘନ ବି ତାର ପାରିଲାପଣକୁ ଅବଜ୍ଞା କରି ଉପହାସ କରୁଚି ।

 

ନବଘନର ଭିତରେ ଭିତରେ କି ଏକ ଉତ୍ସାହ ଜାଗି ଉଠିଚି ।

 

କାମ କରୁ କରୁ ହଠାତ୍‌ ଥରେ ଉଠିଆସିଥିଲା । ଗୋଠ ଭିତରୁ ବଇଁଶୀ ମାଗି ବଜେଇଥିଲା । ଘରକୁ ଆସି ଉରା ଉପରୁ ଅଳନ୍ଧୁ ଲଗା ବଇଁଶୀଟା ବାହାର କରିଥିଲା । ନବଘନର ବଇଁଶୀ ବଜା ଦେଖି କମଳୁ ବାଘ କହିଥିଲା—ଭଲ୍ କଲୁରେ ନବ୍‌ଘନ ଭଲ୍‌ କଲୁ । ଏତେ କହି କହି ନାଇଁ ଶୁଣୁଥିଲୁ, ମନ୍‌ ମାନ୍‌ଲା; ଫେର୍‌ ବଜେଇଲୁ । ଭଲ୍‌ କଲୁ, ଭଲ୍‌ କଲୁ । ତୁଇ ଫେର୍‌ ଛାଡ଼ି ଦବୁ ? ଇ’ଟା ମୁଁଇଁ ମର୍‌ଲେ ବିଶାସ୍‌ ଯିବି !

 

—ସାତ୍‌ପୁଅ ମାଁ ଲେଖା ମେଘ ତ ମାଡ଼ି ଆଉଚି, କେନ୍‌ତି ହବ କେ’ଜାଣି ଗ ମାଁ !

 

ମନକୁ ମନ କହୁ କହୁ ଭଗାରିର ବଡ଼ ବହୁ ସାନ ଜା ଘର ଭିତରୁ ବାହାରି ଆସୁଥିଲା ।

 

ନିଜ ଘରେ ଥାଇ ଭଗାରି ଥରକୁ ଥର ଆକାଶକୁ ଚାହୁଁଥିଲା । ପଶ୍ଚିମ ଆକାଶର ଖଣ୍ଡେ ଖଣ୍ଡେ ଜାଗା ଟିକିଏ ଟିକିଏ ନାଲି ଆଉ ନେଳି ରଙ୍ଗର ମିଶାମିଶି । କଣ ଆଡ଼ଟାରେ ଧୂସର ମେଘ ଉଙ୍କି ମାରିଚି ।

 

ସକାଳ ବେଳାର ପୂର୍ବପାଖ ଉଦାସ ଆକାଶ । ସଂଧ୍ୟା ଆକାଶର ଏଇ ଟିକକ ହସ । ଦୁଇଟି ଭିତରେ ଭଗାରି ଦେଖୁଚି ପ୍ରଳୟ ମେଘର ସୂଚନା ।

 

ଆକାଶକୁ ଚାହିଁଚି । ସାନଭାଇ ଘର ଆଡ଼େ କାନେଇଚି ।

 

କଥା କହିପାରୁନାଇଁ ସାନ ଭାଇ । ଆଖି ତରାଟୁଚି । ଆଖି ବୁଜୁଚି ।

 

ପାଖରେ ବସି ଥରକୁ ଥର ବୁକୁଚା ଖୋଲି ବୁକୁଚା ବାନ୍ଧୁଚି ଚେରୁ ବଇଦ ।

 

ଚେରୁ ବଇଦର ଭାବ ଭଙ୍ଗିକୁ କେନ୍ଦ୍ରକରି କାନ୍ଦ ବୋବାଳି ଉଠୁଚି ।

 

ଭଗାରି କାନେଇଚି । ସୁନ୍ଦରୀ ସେଆଡ଼େ ଆଗେଇ ଗଲାବେଳେ ଆଖି ତରାଟି ଚାହିଁଚି । ବେଳେ ବେଳେ ନିଜ ଚିନ୍ତାରେ ବୁଡ଼ି ରହୁଚି । ସାନ ଉଗ୍ରେସର୍‌ଙ୍କ ସାଙ୍ଗରେ ପଦେ ପଦେ ହେଇ ଚାଲିଆସିଚି । ଚାଲିଆସିବାଟା କେତେ ଦୂର ଠିକ୍‌ ହେଇଚି, ଅଠିକ୍‌ ହେଇଚି ସେଇ କଥା ଭାବି ଯାଉଚି । ବେଳେ ବେଳେ ଭାବୁଚି ଅଭିମାନ କରି ଖପରାରେ ଖାଇବା କଥା ହେଲା କି ?

 

ଫେରିଯିବାକୁ ବେଳେ ବେଳେ ମନ ଟାଣୁଚି । ବେଳେ ବେଳେ ମୋଟେ ନ ଯିବାର ସଂକଳ୍ପ କରି ନଉଚି । ଫେରିଯିବା ମୂଳରେ କେତେଟା ଆକର୍ଷଣ ବେଳେ ବେଳେ ଝଲ୍‌ ଝଲ୍‌ ମିଲ୍‌ ମିଲ୍‌ କରୁଚି । ସେତେବେଳେ ଆହୁରି ଅସ୍ଥିର ପାଦରେ ଏପାଖ ସେପାଖ ହଉଚି ।

 

ଭଗାରି କାନେଇଚି । ନିକଟର ମନୋମାଳିନ୍ୟଟା ମନେ ପଡ଼ୁ ପଡ଼ୁ ସାନଭାଇ ଘରଆଡ଼େ ଆଗେଇ ଯାଉଥିବା ପାଦଟା ଅଟକି ରହୁଚି ।

 

ସେଇ ଦିନ ସଂଧ୍ୟାରେ ଚାଲିଗଲା ସାନଭାଇ ।

 

ସାନଭାଇ ଚାଲିଗଲା । ସାନ ବହୁର ଛାତି ପିଟା, ମୁଣ୍ଡକୋଡ଼ା । ଆହୁତି ଦେଲା ଭଳି ସୁନ୍ଦରୀର କାନ୍ଦ—ଆହୁରି କେତେ ବାହୁନା ଆହୁତି ତା ସାଙ୍ଗରେ ମିଶୁଚି ।

 

ଭଗାରି କାନେଇଚି ।

 

ଅସ୍ଥିର ଭାବରେ ଘୂରି ବୁଲିଲା ଭଗାରି । ଗୁମ୍‌ ମାରି ଠିଆ ହେଲା । ଆଖି କୋଣଟା ହେଇ ଆସିଲାଣି ଢଳ ଢଳ ।

 

ଥର ଥର ଚଞ୍ଚଳ ପାଦରେ ଭଗାରି ଧାଇଁଗଲା ଭାଇ ଘରକୁ । ସାନ ଭାଇର ଶବକୁ କୁଣ୍ଢାଇ ଧରିଲା । କଇଁ କଇଁ କାନ୍ଦି ଉଠିଲା ।

 

ଏ ଆଡ଼େ ଭଗାରିର ସାନ ଭାଇ ଚାଲିଗଲା । ସେଆଡ଼େ ଚାଲିଯାଇଚି ଚଇତାର ବଡ଼ ଭାଇ ଚଇତନ ।

 

ପଡ଼ି ରହିଥିଲା ମାତ୍ର ଗୋଟିଏ ଦିନ—ପାହାନ୍ତା ପହରଟାରେ ଚାଲି ଯାଇଚି । ଚଇତା ଭିତରଟା ମନ୍ଥି ହେଇ ଯାଉଥିଲା । ଚକଟି ହେଇ ଯାଉଥିଲା । ମନେ ପଡ଼ି ଯାଉଥିଲା ମାତ୍ର ଦୁଇ ଦିନ ତଳର କଥାଟା ।

 

ହୁଡ଼ା ବାନ୍ଧୁଥିଲା ଚଇତନ । ଛାଇରେ ଘାଲେଇ ପଡ଼ି ଚଇତା ଡାକୁଥିଲା—ଆ, ଆ, ଏତ୍‌କି ଥାଉ ।

 

—ବେଳ ନାଇଁନି ଆଉ । ନାଇଁ କଲେ କେନ୍‌ତି ହବ ? କିଏ କରିଦବ ମର୍‌ଲାଗି ?

 

ଆହୁରି ଶୁଭି ଯାଉଥିଲା—କିଏ କାର୍‌ ଲାଗି କଲାଣ ? ନାଇଁ କଲେ କେନ୍‌ତି ହବରେ-? ହୁଡ଼ା ଭାଙ୍ଗ୍‌ଲା, ବାଡ଼ି ଭାଙ୍ଗ୍‌ଲା, ଇ ଜୀବଟା ସହିଲେ ତ !

 

ଆହୁରି ଶୁଭୁଥିଲା—ବେଳକାଳ ତ ଗୁଟା ରଁଗେ ସେନ୍‌ତି ପଡ଼ିଚିରେ ! ନାଇଁ କଲେ କେନ୍‌ତି ହବ ?

 

ଦାଣ୍ଡ, ଅଗଣା, ବେରଣା......ଏଠି ସେଠି ଆହା ହା, ଚୁ ଚୁ ଚୁ,

 

କୁସୁମାର ବୁକୁଫଟା କାନ୍ଦ । ମୁଣ୍ଡ କୁଡ଼ୁଚି । ବୁକୁରେ ଦୁଲ୍‌ଦୁଲ୍‌ ହାତ ମାରୁଚି ।

 

କୁସୁମାକୁ ସାନ୍ତ୍ୱନା ଦେବା ପାଇଁ ପଦେ କହିବାର ପରିବେଶ ସୃଷ୍ଟି ହୋଇ ନାଇଁ ଏଯାଏଁ-। ଗାଁ ମୁଣ୍ଡରେ କୋକେଇ ଉପରେ ଚୁଡ଼ି ଭଙ୍ଗେଇ ଏକା ମୁହଁ ହେଇ ଫେରେଇ ଆଣିବା ପରେ ସାନ୍ତ୍ୱନାକାରୀ ସାନ୍ତ୍ୱନା କାରିଣୀଙ୍କର ଅଶାନ୍ତ ଗଳା ଆହୁରି ଜୀବନ୍ତ କରିଦେବ ତାର କାନ୍ଦକୁ-

 

କାନ୍ଦି ଉଠୁ ଉଠୁ, ଲୁହ ଥିପୁ ଥିପୁ ଏ ପାଖ ସେ ପାଖ ହଉଚି ଚଇତା ।

 

ନବଘନର ବଡ଼ ପୁଅ ପାଟିଟା ବାରି ହେଇ ପଡ଼ୁଚି—ଏ ବବା, ତୁଇ କାହିଁ ଗଲୁ ଗ !

 

ଗଡ଼ାଗଡ଼ି । କୁଡ଼ା କୁଡ଼ି......

 

ପାଟି ପଡ଼ିଚି କୁସୁମାର ।

 

କୁସୁମାକୁ ଜାବୁଡ଼ି ଧରି ତୁନ୍‌କି ମା ଡାକ ଛାଡ଼ିଚି—ପାଣି ଟୁପେ ଆଣ ଗ ପାଣି ଟୁପେ ଆଣ ଗ ।

 

ଭାଇ ଶବ ପାଖରେ ନବଘନ ଲୁହ ଗଡ଼ଉଚି ।

 

ବଡ଼ଭାଇ ଚଇତନ ଚାଲିଗଲା । ବାହାଟାଏ ଛାଡ଼ିଗଲାପରି ଚଇତାର ମନେ ହେଲା ।

 

ଭାଇ ଚାଲିଯିବା ଦୁଃଖ ସାଙ୍ଗରେ ପୁଅ ବୋହୁ ଫେରି ନ ଆସୁଥିବାର ଭାବନାଟା ମିଶିଯାଇଚି । ତା ସଙ୍ଗରେ ମିଶିଲାଣି ବର୍ତ୍ତମାନର ମରୁଡ଼ିଟା ।

 

ଅଶିଣ ଆସିଚି । ସବୁଜ ଖୋଳପା ଭିତରେ ଖିର ଜମି ଜମି ଆସିଲା ବେଳକୁ ଉପରୁ ନୀର ଟିକିଏ ଝରୁନାଇଁ ।

 

ନୀର ଟିକିଏ ଝରୁ ନାଇଁ ଉପରୁ । କମଳୁ ବାଘ ଚେତେଇ ଦେଲାଣି—ପିଢ଼ ପୂଜାରେ ତ ପଛେଇଲ, ପାଳ୍‌ ବଇଲେ କିଏ ପାଳୁଚି ? ଆମର୍‌ ତ ଲାଁ ଚୁଆ ଜାଗାଟା—ଲାଁ ଚ ନାଇଁ ଦେଲେ କେନ୍‌ ଦେବ୍‌ତା ଶୁଣ୍‌ବ ? ହଁ, ଦେଲ, ଅଭାବ୍‌ ସଭାବ୍‌କୁ କାଟ୍‌ କସୁର୍‌ କରିଦେଲ, କିଏ ନାଇଁ ବଲୁଚି-? ହେଲେ, ଦେବ୍‌ତା ପୂଜାରେ ଗେଁ ଗାଁ ଖୁଟ୍‌ ଖାଟ୍‌ଟା ମୁଟ୍‌ ଉପ୍‌ରେ ଭଲ୍‌ ନାଇଁ-

 

ଅଧାରୁ ବେଶୀ ଭାଗ ମଲାପରେ ଆକାଶରୁ ଯେଉଁ ଟିକକ ପଡ଼ିଲା ବାକିଟାକୁ ବଞ୍ଚେଇ ଦେଲା କିଛି କିଛି । କଟାକଟି ବେଳେ, ବନ୍ଧାବନ୍ଧି ବେଳେ, ମଡ଼ାମଡ଼ି ବେଳେ, ଗଦାଗଦି ବେଳେ ଅଧାଅଧି ମୁହଁରୁ ଶୁଣାଯାଉଥିଲା—ପୁଲ ଗୁଁଡ ଯାଇ କେତେ ଏନ୍‌ତି ମିଳ୍‌ବା ଯେ ! ବିହନ୍‌ଟା ଯାଇ ଖଜ୍‌ଣା ଗଁଡ଼ାକ ଉଠିଗଲେ ବଡ଼୍‌ କଥାଟେ ହେଇତା । ରଜାର୍‌ଟା ଦେଲେ ଯାଇ ଚଳେ ତ ।

 

ଭଗାରିର ଗାଁ ପାଖ ଆଡ଼ୁ ଫେରୁଥିବା ପାଖ ଗାଁର ସିନ୍ଦ୍‌ରୀ ବୁଢ଼ା ଏ ବାଟ ଦେଇ ଗଲାବେଳେ ଥରେ କହୁଥିଲା—କାହିଁର୍‌ ରଜା ? କାହିଁର୍‌ ଖଜ୍‌ଣା ? ରଜା ନାଇଁ ରହେ କି ସାଇବ ନାଇଁ ରହେ, କାହିଁର୍‌ ଖଜ୍‌ଣା ?

 

କମଳୁ ପଚାରିଥିଲା—ରଜା ନାଇଁ ରହନ୍‌ ? କେନ୍‌ ଆଡ଼େ ଯିବେ ? ନୂଆଁ କୁଠାକୁ ବିଜେ କର୍‌ବେ କାଁ ?

 

ସିନ୍ଦ୍‌ରି ବୁଢ଼ା ଗମ୍ଭୀର ହେଇଥିଲା—ନୂଆଁ କୁଠା ପାଖରେ ତ ଘୁ ଘା, କେତେ କାଇଁଟା !

 

—କାଇଁଟା ?

 

—ସେଥ୍‌ର ଯେନ୍‌ଟା ଦେଖିଥିଲୁ ? ହେତ୍‌, ତୁଇ କାଇଁଟା ଦେଖ୍‌ତୁ ! କାଇଁଟା ଶୁଣ୍‌ତୁ ? ତୁଇତ, କେନ୍‌ଠି ଜିଲ୍‌ବି, କେନ୍‌ଠି ସିଙ୍ଗ୍‌ପାନିଆଁ, କେନ୍‌ଠି ଖଜା, କେନ୍‌ଠି ମୁଆଁ, କେନ୍‌ଠି କାଇଁଟା–କାଇଁଟା ଜାଣ୍‌ତୁ ?

 

କମଳୁ ବାଘ କହିଥିଲା—ସତେ ଗ ଅଜା, ରଜା ପଦର ହାଟର୍‌ ଜିଲବି କେନ୍‌ଠି ନାଇଁ ! ସେଠୁ ତର୍‍ ମାଉସୀ ଲାଗି ଯେନ୍‌ ସିଙ୍ଗ୍‌ ପାନିଆଁଟା ଆଣିଥିଲି......

 

କୁଲାରେ ପବନ ଠେଲୁ ଠେଲୁ, ଧାନ କଡ଼କୁ ପୁଲର ପାହାଡ଼ ଦେଖି ପୁଅ ଜିମା କୁଲାଟା ଦେଇଦେଇଥିଲା ଲାଛୁ । ସିନ୍ଦ୍‌ରି କଥା ଆଡ଼େ କାନ ସଳଖେଇଥିଲା । ଥାନା ଆଡ଼ୁ, ଗଡ଼ ଆଡ଼ୁ ଫେରିଲା ବେଳେ ଏମିତି କଥା କାନରେ କେତେଥର ବାଜିଚି । ଥରେ ପଟୁଆରଠୁ ବେଶ୍‌ପଛରେ ରହି କାନେଇଚି । ସିନ୍ଦ୍‌ରିଠୁ ଆଉ କିଛି ଅଧିକା ଶୁଣିବାର ଆଗ୍ରହ ଥିଲେ ବି ସିଧା-ସଳଖ ପାଖେଇ ଆସି ପଚାରିବାର ସାହସ ଅଣ୍ଟୁ ନାଇଁ । ତୁଡ଼ାଦାର୍‌ରୁ ଟୁପିଦାରଟେ ପାଇଁ ଚେଷ୍ଟା କରି ଆସିଚି । ନିଜ ମୁଲକର ଆଖପାଖ ମୁଲକର କେତେ ତୁଡ଼ାଦାର, ଟୁପିଦାର ରାଇଫୁଲ୍‌ଇତ୍ୟାଦି ଜବତ୍‌ହେବାର ଖବର ରଖିଲାଣି ।

 

ଗଡ଼ ଗଡ଼ ହେଇ ଗାଇଯିବା ପରେ ସିନ୍ଦ୍‌ରି ବୁଢ଼ାର ଚେତା ପଶିଲା । ଗାଁ ଗଡ଼ତିଆର ସାବଧାନ ବାଣୀଟା ମନେ ପଡ଼ି ଯାଉଥିଲା—ଗଡ଼ତିଆ ଆହୁରି ଆହୁରି ସାବଧାନ ବାଣୀ ଶୁଣେଇଲାଣି । କୁହାଳିଆ ପ୍ରକୃତିଟା ନଛାଡ଼ିଲେ କପାଳରେ ଦୁଃଖ ଅଛି ବେଲି ଜଣେଇ ଦେଇଚି ବି-

 

ବିହନରେ ହାତ ନଦେଇ କମ୍ପାନୀର ବାଉଁଶ କଟାରେ ଲାଗିଗଲେଣି କେତେ କଣ । ପତର ଜଗାରଖା କାମ ଖଣ୍ଡେ ପାଇଁ ପତରିଆର ପଛେ ପଛେ ହେଲାଣି ନବଘନ ।

 

ଧାନ ଗଣ୍ଡାକ ରଖିଥୁଇ ଦେଇ ଚଇତା ଭାବୁଥିଲା ବାଉଁଶକାଟି ଯିବ କି ନାଇଁ । ପୁଅବୋହୁ ଫେରିଆସିବାଟାକୁ ଅନେଇଥିଲେ ବି ଡାକିଯିବାକୁ ମନ କରୁନାଇଁ । ବେଳେ ବେଳେ ଗୁରୁଗୁରୁ ହେଉଚି—ରାଗରେ ଫାଟିପଡ଼ୁଚି ।

 

ତୀର୍ଥ ସାନ୍ତ୍ୱନା ଦେଲାଣି—ଇଖ୍‌ଣି କାହିଁ ଲାଗି ଏନ୍‌ତି ହଉଚୁ ? ଯେନ୍‌ତି ବେଳ ପଡ଼ିଚି ନାଇଁ ଆଇଲେ ଭଲ୍‌ । ଶାଶୁଘରେ ପୁଷିହଉଥାଉ । ତର୍‌ଗଣ୍ଡାକ ରହିଯିବା ।

 

ଚଇତା ଲାଗିଚି ମାଟି କାମରେ । ନୂଆ ଖେତଟେ ସାଜୁଚି ।

Unknown

 

ଖେତରେ ଥିବାବେଳେ ଘରେ ଆସି ପହଞ୍ଚିଚି ଅକର୍ମ ।

 

ଘର ଭିତରୁ ଘୁରି ଆସିଲା । ଆରପାଖ ଅଗଣାକୁ ଚାହିଁଲା । ଖୁଡ଼ି ନାକ ଟେକି ବଣୁଆ କନ୍ଦା ଚାଂଛି ଚାଲିଚି । ଖୁଡ଼ିଘର ଢେଙ୍କି ପାଖରେ ଗାଁର ଦୁଇ ଜଣ । ସଳପ ଗଛର ଶୁଖିଲା ମଂଜ ଚୂନା କରୁଚନ୍ତି ।

 

ଖୁଡ଼ି ଘରକୁ ଗଲା । ଦରନୁଆଁ ମୁଣ୍ଡି ଆଟିଏ ମାରିଲା । ଖୁଣ୍ଟକୁ ଆଉଜି ବସିପଡ଼ିଲା ।

 

ତରଳ ଝାଡ଼ାରେ ନୟାନ୍ତ ହେଇ ବାଡ଼ି ଆଡ଼ ବାଡ଼ି ଠୁକ୍‌ଠୁକ୍‌ କରି ବୁଢ଼ା ଆସୁଥିଲା ।

 

ଚଇତା ଏକା ହେଲା ଦିନୁ ନବଘନ ନିଜ ଘରେ ରଖିନେଇଚି ବୁଢ଼ାବାପକୁ । ବୁଢ଼ା ଏବେ ଏବେ ଟିକିଏ ଉଠ୍‌ବସ୍‌ କଲାଣି । ବର୍ଷ ବର୍ଷ ଧରି ପଡ଼ିରହିଥିବା ଅଣ୍ଟାଟାରେ, ଗୋଡ଼ ଦୁଇଟାରେ ପୁଣି ଟିକିଏ ଟିକିଏ ବଳ ଚରିବାର ଅନୁଭବ କଲାଣି । ଖେତବାଡ଼ିକୁ ଯା’ଆସ କଲାଣି । ଲଙ୍ଗଳ କଣ୍ଟିରେ ଘଡ଼ିଏ ଘଡ଼ିଏ ହାତ ମାରିଲାଣି । ନାତି ଆଉ ନାତିବହୁ ଉପରେ ଚିଡ଼୍‍ ଚିଡ଼୍‍ ହେଲାଣି ।

 

ବୁଢ଼ାକୁ ଦେଖି ଟିକିଏ ଆଢ଼ୁଆଳକୁ ଚାଲିଆସିଲା ଅକର୍ମ ।

 

ଅକର୍ମକୁ ଗୋଡ଼ଠୁ ମୁଣ୍ଡଯାଏ ଦେଖି ନେଇ ଖୁଡ଼ି ପଚାରିଲା—ବହୁ ନାଇଁ ଆଇଲା କାଁ-?

 

ଭୋ କରି କାନ୍ଦି ଉଠିଲା । ଅନେକ ବେଳୁ ଚାପିଚୁପି ହେଇ ରହିଥିବା ବନ୍ଧ୪ଟା ଉଛୁଳି ପଡ଼ିଚି ।

 

—ନାଇଁ କାଁଦ୍‌, ନାଇଁ କାଁଦ୍‌, ଏ ବା ନାଇଁ କାଁଦ୍‌ ।

 

ପଖାଳ ବାଢ଼ିବାକୁ ଚାଲିଗଲା ଖୁଡ଼ି । ଅଧହାଣ୍ଡି ତୋଡ଼ାଣିର ସବୁଠୁ ଗହିରା ଜାଗାରେ ଯୋଉ ଗଣ୍ଡାକ ଥିଲା, ଥରକୁ ଥର ଛାଣିଲା ବେଳକୁ ପାଞ୍ଚ ଆଙ୍ଗୁଳି ସନ୍ଧିରେ ପଖାଳ ଗଣ୍ଡାକ କମି କମି ଆସୁଥିଲା ।

 

ଗାଁ ଭିତରେ ପେଟ ମୋଡ଼ା, ତରଳ ଝାଡ଼ା...... । ରାତି ଅଧକୁ ଯୋଉ ଗୋଟିକ ପାଇଁ କାନ୍ଦ ଶୁଣିଥିଲା ତାକୁ ଭଲ କରି କାନେଇଥିଲା ଅକର୍ମ । ସକାଳୁ ସକାଳୁ ଆଉ ଗୋଟିଏ ଶୁଣିଲା ।

 

ଶାଶୁ ଘର ମୁହଁ ଗୁଡ଼ିଏ ବି ଦିଶିଲାଣି ।

 

ବେଳା ବେଳକୁ ଅକର୍ମକୁ ଆଉ ଦେଖିପାରି ନାଇଁ ଚଇତା । ବହୁ, ନାତି, ନାତୁଣି ଆସିବା ସମ୍ବନ୍ଧୀୟ କଥା ହବ ହବ ଭାବି ହେଇ ପାରି ନଥିଲା । ସବୁ ବାକି ରହିଗଲା । ଗାମ୍ଭୀର୍ଯ୍ୟ ଭିତରେ ଯୋଉ ରାଗଟା ଘୂରି ବୁଲୁଥିଲା । ବାଟ ଖୋଜି ବୁଲୁଥିଲା । ହଠାତ୍‌ ଫିଟି ଆସିଲା । ଘର ଫଟେଇ ଚିତ୍କାର ଛାଡ଼ିଲା ଯାଉ, ଯାଉ, ଯାଉ—ଯାଉ ହେ କୁକ୍‌ରଟା । ଇଥ୍‌ର ଆଇଲେ ତାର୍‌ ଦିନେକୁ ମର୍‌ ଦିନେ !

 

ପାଖ ପଡ଼ିଶାରୁ, ଦାଣ୍ଡ ଆଡ଼ୁ କେତେ କାନେଇଲେଣି । ଏତିକି ବେଳେ ଚଇତା ପାଖ ମାଡ଼ିବା କେତେ ବିପଦ ଭାବି ଆଗେଇ ଆସୁ ଆସୁ ପଛେଇ ଯାଉଥିଲେ କେତେ ଜଣ ।

ଫାଙ୍କା ଘର–ଚଇତା ଗର୍ଜନ ଛାଡ଼ୁଥିଲା ।

ଆଷାଢ଼ ପଶି କେତେ ଦିନ ଗଲା । ବର୍ଷା ଅସରାଏ ଅସରାଏ ହେଲା । ତିନି ଦିନ ତିନି ରାତି ପାହାଡ଼ ମଥାରେ ମେଘ ଚରିଚି । ଖରା ଢାଙ୍କି ତରା ଢାଙ୍କି ମେଘ ଘୁରିଛି । ପାହାଡ଼ ଆଉ ଆକାଶର ସୀମାରେଖା ନିଶ୍ଚିହ୍ନ ହେଇ ଯାଇଛି ।

ପାଣି ପଡ଼ୁ ପଡ଼ୁ ହଳ ଧରାରେ ଲାଗି ଗଲେଣି ବଡ଼ ଭାଗ । ହଳ ବଳ ବି ବିକି ଦେଇଥିବା କେତେ ଜଣ ହଳ ପାଇଁ ଏପାଖ ସେପାଖ ହେଲେଣି । ଅଳସ ଅଳସ ଲାଗୁଥିଲା ଚଇତାକୁ । ହଳଧରାରେ ଲାଗିଚି । ଦିନେ ଲାଗି ତା ଆର ଦିନ ଉଠି ପାରୁ ନାଇଁ ।

ଚଇତା ଉଠି ପାରୁ ନାଇଁ କେତେ ଦିନ ହେଲା । ନବଘନ ବୁଝି ଯାଉଚି । ମୁଣ୍ଡରେ ଦେହରେ ହାତ ମାରି ତାତି ପରଖୁଚି ।

କୁସୁମା ଥରକୁ ଥର ଆସି ବୁଝି ଯାଉଚି—ପାଚନ ସିଝା, ପଥି ରନ୍ଧା ।

ବେଳ ପାଇଲା ବେଳେ ଏବେ ଏବେ ଅଲରା ମୁଣ୍ଡ କୁଣ୍ଡଉଚି । ଖୋସା ପାରୁଚି । ଚଇତା ଘରର କାନ୍ଥ, ପିଣ୍ଡା ଘସୁଚି । କାନ୍ଥକୁ ପ୍ରକାରକୁ ପ୍ରକାର ଲିପୁଚି, ପ୍ରକାରକୁ ପ୍ରକାର ଘସୁଚି–ଧନୁ ଆକାରରେ, ଲହଡ଼ି ଆକାରରେ, ତ୍ରିଭୁଜ ଆକାରରେ ।

ଦିନ ତିନିଟା ପଡ଼ିରହିବା ପରେ ଚଇତା ପୁଣି ଉଠି ବସିଲା । ଟିକିଏ ଚାଲବୁଲ୍‌ କରିବାକୁ ବଳ ପାଇଲାଣି । କଣ କହିବ କହିବ ହେଇ ପାଖେଇ ଆସି ପୁଣି ଦୂରେଇ ଯାଉଚି କୁସୁମା ।

ଚଇତାକୁ ଲକ୍ଷ୍ୟ କରୁ କରୁ ଆଗପଛ ହଉ ହଉ ହଠାତ୍‌ ପାଖେଇ ଆସିଲା । ସେ ପାଖ ଅଗଣାକୁ କଣେଇ କଣେଇ ସାଧାରଣ ଗଳାଟାକୁ ଅସାଧାରଣ ଭାବେ କମେଇ ଦେଲା—ମୁଇଁ ଯାହା କହିସିଁ ତମର୍‌ ଭଲ୍‌କୁ କହିସିଁ ରେ, ତମର୍‌ ଭଲ୍‌ଟାକୁ । ଜାଣ୍‌ଲା ଶୁଣ୍‌ଲାଟେ, ହେଇ ତମେ ଇ’ଟା କାଇଁ କର୍‌ମଟେ କରୁଚ କହ ତ ?

—କାଇଁଟା କଲି ଗ ବହୁ ?

—ତମେ ବହୁ ବହୁ ସିନା ହେଇସ ରେ, ହେଟା ଖାଲି ଉପ୍‌ରୁକୁ ।

ହସିବାକୁ ଚେଷ୍ଟାକଲା ଚଇତା—କାଇଁଟା କଲି କହ ନାଇଁ ଯେ ।

ଆଉ ଟିକିଏ ପାଖେଇ ଆସିଲା କୁସୁମା । ଆର ଅଗଣାକୁ ଆଉ ଟିକିଏ ଭଲ କରି ଚାହିଁ ନେଲା—କାଇଁଟା ? ନାଇଁ ଜାଣୁଚ ଯେ କାଇଁଟା ଫେର କହିବି ? ଏନ୍‌ତି ମୁହଁ ଦବ ଯେ ଇ ବିହନ ଗଁଡ଼ାକ ରହିବ କାଁ ?

ଚଇତା ଚମକି ଉଠିଲା—ବିହନ ! ମର୍‌ ବିହନରେ କିଏ ହାତ୍‌ ଦେଲା ?

—କିଏ ଆଉ ଦବ ! ସବୁ ଦେଖୁଚ, ସବୁ ଶୁଣୁଚ, ଯେନ୍‌ମାନ୍‌କୁ କିଛି ନାଇଁ କହୁଚ ସେମାନେ; ଆଉ କୁଆଡ଼ୁ କାଳିଆ ଚୁରଟେ ଆଇବ କାଁ ?

 

ନିଜ ପାଇଁ ବିହନ ରଖିଚି—ବାକିଟା ଋଣ ନେଇ ଯାଇଚି ନବଘନ । ଗୋଟାଏ ପେଟ ଛଡ଼ା ଆଉ କିଛି ରଖି ନାଇଁ । ଗୋଟାଏ ପେଟ ପାଇଁ ରଖି ଋଣ ଦେଇ ଦେଲା ବେଳେ ଚିତ୍କାର କରି ଉଠୁଥିଲା—ଯାଃ...ଯାଃ—ଆଇଲେ ଆସ, ନାଇଁ ହେଲେ ନାଇଁ—କୁକ୍‌ର, କୁକ୍‌ର, ହେ’ଟା ଗୁଟେ କୁକ୍‌ର ଟେ ! ଯାଃହ, ଯିଏ ଆଇବ ତାର୍‌କଥା ସେ ବୁଝୁ ।

 

ବିହନ କଥା ଶୁଣୁ ଶୁଣୁ ଚମକି ଉଠୁଥିଲା ଚଇତା । ତା ସାଙ୍ଗେ ସାଙ୍ଗେ ସ୍ମରଣ କରୁଥିଲା ନବଘନର ସାନ ମଝିଆଁଟିକୁ, ସାଙ୍ଗରେ ଗୋଡ଼େଇଥିବା ଆଉ ଦୁଇଟିକୁ । ସେ ପାଖର କନ୍ଦା ସିଝାର ଗନ୍ଧଟା ବାରିପାରିଥିଲା, ଖଟରେ ପଡ଼ି ରହି ତାମ୍ଵି, ବୋଝର ଜାଗାଟା କହି ଦେଇଥିଲା ।

 

ମାପି ଆଣିବାପାଇଁ ବଡ଼ଟିର ପାଦ ବଢ଼ିଯାଉଥିଲାବେଳେ କୁସୁମା ମନ ମାରି ଚିଡ଼୍‍ ଚିଡ଼୍‍ ହେଇ ଉଠୁଥିଲା । ଦାନ୍ତ କାମୁଡ଼ାଟା ପଦାକୁ ଫୁଟି ଦିଶୁନଥିଲା ।

 

ଚଇତା ମୁହଁର ଭାବକୁ ଲକ୍ଷ୍ୟ କରୁ କରୁ କୁସୁମା କଅଁଳ କଲା ଗଳା–ପିଲାଟିମାନ୍‌କୁ ଦୁଷ ଦେଲେ କାଇଁଟା ହବ ? ଯେନ୍‌ଟା ଶିଖେଇବ ସେଟା ଶିଖ୍‌ବେ । ଜାଣ୍‌ଲ ଗ, ମୁଇଁ କାଇଁଟା କହୁଚିଁ କି......

 

‘ଗ’ ପାଖରେ ଗତିଟା ମନ୍ଥର ହେଇ ସ୍ଥିରହେଇଯିବା ସାଙ୍ଗେ ସାଙ୍ଗେ ପୁଣି ଆରମ୍ଭକଲା–ଜାଣ୍‌ଲ ରେ, ମୁଇଁ କାଇଁଟା କହୁଚିଁ କି, ମୁଇଁ କାଇଁଟା କହୁଚିଁ କି, ପିଲାଗୁଡ଼ାକୁ ଯେନ୍‌ତି ମତେଇବ ସେନ୍‌ତି ମାତ୍‌ବେ । କିଏ ଜଣେ ଜଗାରଖା ନାଇଁ କଲେ ଇ’ ଘରେ କିଛି ନାଇଁ ରହେ-!

 

ପୁଣି ଦିନ ଦି’ଟାରେ ଟିକିଏ ଟିକିଏ ହେଇ ଟଳି ଟଳି ଚାଲ୍‌ବୁଲ କରୁ କରୁ କେତେଥର ଲଙ୍ଗଳ ଆଡ଼େ ଜମି ଆଡ଼େ ଆଗେଇ ଗଲାଣି ଚଇତା । କୁସୁମା ମନାକରୁଚି । ଆଜି ପାହାନ୍ତାରୁ ଛେରା ଦବାକୁ ଆସି କହୁଥିଲା—ଥାଉ, ଥାଉ, ତମେ ନାଇଁପାର । ଭାଗରେ କି ଠିକାରେ ଲଗେଇ ଦିଅ । ତମର୍‌ ଜମିକୁ ସଭିଏ ତ ଅନେଇଚନ୍‌ । ତମେ ମୁଣ୍‌ଷ ଚିନି ନାଇ ଜାଣ । ଥାଉ, ଯାହାକୁ ଦବାର୍‌

 

ମୁଇଁ ଦେବି ।

 

କହୁ କହୁ ଚମକି ପଡ଼ିଥିଲା କୁସୁମା । କଥାଟା ଦରଗିଳାରେ ରହିଗଲା ।

 

ନିଜ ଜମିଆଡ଼େ ଫେରେଇ ନଉଥିଲା ଭାବନାଟା । ଗିରସ୍ତ ମଲା ଦିନୁ ଭାଗରେ ଦେଇ ଆସୁଚି । ସାତ ଆଠ ବର୍ଷର କାନ୍ଦରୁ ଲଙ୍ଗଳ କଣ୍ଟିରେ ହାତ ମାରି କେତେଥର କହିଲାଣି–ମୁଇଁ ପାର୍‌ବି ଗ ଇଥର ।

 

କୁସୁମା ହସେ । ପୁଅ ଭିତରେ ଏଇ ବଡ଼ ଆଉ ଶେଷଟିର ଦୁର୍ବଳ ଦେହଟା କୁସୁମାକୁ କନ୍ଦେଇ ଆସିଚି । ଖୁଆଇଲା ବେଳେ ପାଟିରେ ନାକରେ ଗୁଂଜୁଚି ।

 

ସାନ୍ତ୍ୱନା ଗୁଡ଼ିଏ ଶୁଣେ ସ୍ମରଣ ବି କରେ—ଝାଟି ଥିଲେ ମାଟି ଲାଗ୍‌ବଣ ।

 

ମେଘ ଘେରି ଗଲାଣି । ପାହାଡ଼ ମଥାରେ ମେଘ । ପାହାଡ଼ ପେଟରେ ମେଘ । ଆକାଶର ମେଘ ପାହାଡ଼ ମେଘରେ ମିଶିଯାଉଚି । ମିଶିଲା ମେଘ ପୁଣି ଉଠି ଉଠି ଯାଉଚି । ଉପରେ ମିଶୁଚି । ତଳେ ମିଶୁଚି । ମିଶିଯାଉଚି ପରସ୍ତ ପରସ୍ତ ଭିତରେ-ମିଶି ଯାଉଚି ଗାଢ଼ ଆଉ ହାଲ୍‌କା ମିଶା ପଟୁଆର ସାଙ୍ଗରେ ।

 

ବୁଣା ବୁଣି ଲାଗି ଗଲାଣି । ଚଇତା ଉଠିପାରୁନାଇ ଖଟରୁ । ନବଘନ ଭାଗରେ ଧରିଲାଣି ।

 

ନବଘନ ଧରିଲା ଦିନଠୁ କୁସୁମା ଗୁର୍‌ ଗୁର୍‌ ହଉଚି । କଣ କହିବ କହିବ ହେଇ ଚଇତା ପାଖକୁ ଆଗେଇ ଯାଉଚି । କଥା ବଦଳେଇ ଅନ୍ୟ କଥା ପକଉଚି—ଏଣୁ ତେଣୁ, ଖାପଛଡ଼ା ।

 

ଚଇତା ବେଳକୁ ବେଳ ପଡ଼ିରହୁଚି ଖଟରେ । ପୁଅ, ବହୁ, ନାତି, ନାତୁଣି ନାଁ ଧରି ବେଳେବେଳେ ପ୍ରଳାପ କଲାଣି । ପ୍ରଳାପଟା କେତେବେଳେ ରାଗ ଭିତରେ, କେତେବେଳେ ଅଭିମାନ ଭିତରେ, କେତେବେଳେ ଅଭିଯୋଗ ଭିତରେ, କେତେବେଳେ ଅସହାୟ ଭାବଟା ଭିତରେ ।

 

ଚଇତା ପଡ଼ିରହିଚି ।

 

ଚଇତାର ଏପରି ଅବସ୍ଥାରେ ଝିଅ ଘରକୁ ଯାଇଥିଲା ନବଘନ । କଳି ତକରାଳ ଭିତରେ ବିଧବା ଝିଅକୁ ନେଇ ଆସିଚି ।

 

ନବଘନ ଆସିବାର ବାସୀ ଦିନ ଏଠି ଆସି ପହଞ୍ଚିଚି ଦିଅର ଟୋକା ପବନା ।

 

ଦିଅର ଟୋକା ପବନା ଆସିଥିଲା । ଚଇତାର ଅବସ୍ଥା ଦେଖି ନବଘନ ସ୍ତ୍ରୀ ସାଙ୍ଗରେ ଦି ପଦ ଟୁପ୍‌ଟୁପ୍‌ ହେଇ ଚାଲିଗଲା ।

 

ପବନା ପୁଣି ଥରେ ଆସିଲା ବେଳକୁ ଚଇତା ଉଠିବସିବାକୁ ଚେଷ୍ଟା କରୁଚି ।

 

ନବଘନ ସାଙ୍ଗରେ କଥା ହେଇ ମନ ମାରିଲା ବେଳେ ନବଘନ ସ୍ତ୍ରୀ ଯୋଉ ସାନ୍ତ୍ୱନା ଦେଇଥିଲା ତାକୁଇ ସମ୍ବଳକରି ଫେରି ଗଲା ପବନା । ଥିଲାବେଳଠୁ ଗଲାବେଳଯାଏ କୁସୁମା ଲକ୍ଷ୍ୟ କରୁଥିଲା ପବନାକୁ । କଣ କହିବାକୁ ଯାଉ ଯାଉ କିଛି କହିପାରୁ ନଥିଲା ।

 

ଚଇତାର ଖଟିଆ ଆଉ କନ୍ଥା ଖଣ୍ଡକ ଝାଡ଼ି ଦଉ ଦଉ କୁସୁମା କହିଲା–ଦିଅରପିଲା ଗଲାଣି । କେତେ ଖୁସୀବାସୀରେ ଯାଉଚେ ତ !

 

ମୁଣ୍ଡ ବିନ୍ଧୁଥିଲା ଚଇତାର । ପିଣ୍ଡା କାନ୍ଥକୁ ଆଉଜିଥିଲା । ଖରାକ୍‌ପାଦ ଦଉଥିଲା । ମୁଣ୍ଡ ଚିପୁଥିଲା ।

 

ଖଟିଆ ଟାଣୁ ଟାଣୁ ଖୁରା ବାଜି ପାଚନ ସିଝା ଆଟିକାଟି ଢଳିଯାଇଥିଲା । ରସ ଟିକକ ଛେଦଉ ଛେଦଉ କୁସୁମା କହିଚାଲିଚି—ଭଲ୍‌ ହେଇତା, ସତେ ଗ ଭଲ୍‌ହେଇତା । ଦିଅର ପିଲା ନିଜେ ତ ର ମଁଗିଚି । କାହିଁଲାଗି ନାଇଁ ଦେବେ ?

 

ପାଖେଇ ଆସିଥିଲା କୁସୁମା ।

 

ମଥା ଉପରେ ଭାଉଜର ଆଙ୍ଗୁଳି ଚାପ । ଆଖି ବୁଜି ମୁଣ୍ଡଟାକୁ କାନ୍ଥରେ ଲଦିଦେଉଥିଲା ଚଇତା । ଆଙ୍ଗୁଳିର ଶିଥିଳତା ସାଙ୍ଗେ ସାଙ୍ଗେ ଯନ୍ତ୍ରଣା ବଢ଼ି ବଢ଼ି ଯାଉଥିଲା ।

 

ଚଇତା ବିଷୟ ନେଇ ତନାଘନାରେ କଥାବାର୍ତ୍ତା ଆରମ୍ଭ କରିଦେଲେଣି କମଳୁ, ତୀର୍ଥ, ପାରବୁଢ଼ୀ... ।

 

ଚଇତାର ମନମରା, ପଡ଼ିରହା ସହିତ ତାର ଏକଣା ଜୀବନଟା ବେଶୀ ଦାୟି ବୋଲି ମତ ଦେଲେଣି ।

 

ତୀର୍ଥ ଯୋର୍‌ ଗଳାରେ କହିଲାଣି, ଯେନ୍‌ତି ହେଲେ ମଙ୍ଗେଇବାକୁ ହବ ।

 

କମଳୁ କହୁଚି-ତାର୍‌ କପାଳ୍‌ରେ ଆଉ ଗୁଟେ ଆଣ୍‌ବାର ଲେଖାଥିଲେ ନାଇ ଆଣି କାହିଁ ଯିବ ?

 

ଆଲୋଚନା ବେଳେ ଚୁପ୍‌ଚୁପ୍‌ ଆଗେଇ ଆସେ କୁସୁମା, କାନେଇ କାନର ଶୁଣେ ।

 

କୁସୁମା ଫେରୁଥିଲା ଚଇତା ଘରୁ । ତୀର୍ଥ ପଚାରିଲା—ଏ ମାଉସି, ଯେନ୍‌ଠି କହୁଥିଲୁ ନାଇଁ ହୁଏ କାଁ ସେ'ଠି ?

 

କୁସୁମା ନୀରବ । ତୀର୍ଥ ସ୍ମରଣ କରେଇବାକୁ ଚେଷ୍ଟାକଲା—ସେ ଯେନ୍‌ ଛାଡ଼୍‌ରି କଥାଟା କହୁଥିଲୁ, କାଇଁଟା ହେଲା ?

 

ଫିଙ୍ଗିଲା ପରି କୁସୁମା କହିଲା—କେନ୍‌ ଛାଡ଼୍‍ରି ?

 

ଓଲଟା ପ୍ରଶ୍ମଟାଏ କରିଦେଇ ଗୁମ୍‌ ମାରିଗଲା କୁସୁମା । ସ୍ଵାମୀ ଥିବାବେଳେ ଯୋଉ ରାଣ୍ଡୀ, ଛାଡ଼୍‍ରି ଗୁଡ଼ିକୁ ପ୍ରସ୍ତାବରେ ଆଣିଥିଲା ଏ ଭିତରେ ଲିଭି ଲିଭି ଯାଇଥିଲା ସେ ଗୁଡ଼ିକ । ଆଲୋଚନା ଶୁଣିଲା ବେଳେ ପୁଣି ଚେଇଁ ଚେଇଁ ଉଠୁଥିଲେ । ପ୍ରଶ୍ନର ଉତ୍ତରରେ ପ୍ରଶ୍ନଟିଏ କରି ଉତ୍ତରଟିଏ ଦେବାକୁ ଚେଷ୍ଟା କଲା—ଯିଏ ଯେଝାର୍‌ ବାଟ ନାଇଁ ଦେଖ୍‌ବାକୁ ଯେ ଟାଳି ବଇଚନ୍‌ କାଁ-?

 

—ଆର୍‌ ଗୁଟାକେ ଗଲାଣ ?

 

ବିରକ୍ତି ଫୁଟିଥିଲା କୁସୁମାର ଭାବଭଙ୍ଗିରେ—ଯିଏ ଗଲେ ନାଇଁ ଗଲେ ମର୍‌ କାଇଁଟା ଗଲା !

 

ତୀର୍ଥ ଟିକିଏ ନିକିଟି ଚାହିଁଲା କୁସୁମାକୁ ।

 

ତୀର୍ଥ ଆଡ଼େ କଣେଇ ଚାହିଁ ହସ ଫୁଟେଇବାକୁ ଚେଷ୍ଟା କଲା କୁସୁମା—ଛାଡ଼୍‍ରି ? ଆଁ, ହେ ଛାଡ଼୍‍ରି କଥାଟା ପଚାରୁଚୁ କାଁ ?

 

ଟିକିଏ ଅଟକ ପୁଣି ଆରମ୍ଭ କଲା କୁସୁମା—ଉଃ, ଉଃ ତାର୍‌ କଥା ନାଇଁ ପକା ତ । ତା’ ସମ୍‌ଧରେ ଯେନ୍‌ଟା ଶୁଣ୍‌ଲି ସେଟା ଗୁଟେ ପୁରାଣ ପୁଥି !

 

—କାଇଁଟା ଶୁଣ୍‌ଲୁ ?

 

—ଫିଟେଇକିରି କହିଲେ ଯାଇ ବୁଝ୍‌ସନ୍‌ କାଁ ?

 

ଆଉ ଟିକିଏ ଲାଗିଆସିଲା କୁସୁମା । ଚଢ଼ା ଗଳା କମେଇଲା । ଗଳା ଝାଡ଼ିଲା–ନାଇଁ ମିଳ୍‌ଲା ଲେଖା ଏତେ ଖୁଜି ହଉଚ କାହିଁଲାଗିରେ ? ମୁଣ୍‌ଷଟାକୁ ନାଇଁ ବୁଝେଇପାର ତମେ ?

 

ହଠାତ୍‌ କଥା ବଦଳେଇଲା କୁସୁମା—ହରେ ତିର୍‌ଥ, ପବ୍‌ନା କଥା ଆଉ କାଇଁଟା ଶୁଣୁଥିଲୁ କାଁ ?

 

କଥାଟାର ମୋଡ଼ ହଠାତ୍‌ ଘୁରିଯିବାରୁ ଜୀବନରେ ଚିହ୍ନା କେତେ ପବନା ପହଁରି ଗଲେ ତୀର୍ଥ ଭିତରେ ।

 

କୁସୁମା ପୁଣି ଥରେ ସ୍ମରଣ କରେଲ ଦେବା ଆଗରୁ ନିର୍ଦ୍ଧିଷ୍ଟ ପବନାକୁ ତୀର୍ଥ ଆବିଷ୍କାର ତୀର୍ଥ କରିପାରିଥିଲା । କୁସୁମାଆଡ଼େ କଣେଇ ଚାହିଁଥିଲା । କଣ ପଚାରିବାକୁ ଯାଉ ଯାଉ ପାଟିର କଥା ପାଟିରେ ରଖିଲା । ଜାତି ସଭାରେ ଚଇତା ଯୋର୍‌ ଦେଇ କହିଥିବା କଥାଟାରୁ ଧାଡ଼ିଏ ଉଦ୍ଧାର କରିଥିଲା—ଦିଅର ଯେନ୍‌ଟା ଭାଇ ସେଟା, ବଡ଼୍‍ବହୁ ଯେନ୍‌ଟା ମାଁ ସେଟା ପରା ! ପବ୍‌ନା କଥାଟା ଚଇତାଠୁ କାଇଁଟା ଶୁଣୁଥିଲୁ କାଁ ? ଚଇତା ନାଇଁ ମଁଗ୍‌ଲେ ପବ୍‌ନା କଥା ନାଇଁ ହୁଏ । ଚଇତାଠୁ କାଇଁଟା ଶୁଣୁଥିଲୁ କାଁ ଲ ?

 

ମୁହଁ ପୋତି ଆଗେଇ ଯାଉ ଯାଉ କୁସୁମା କହୁଥିଲା—ଯିଏ ଶୁଣଲେ ଶୁଣୁଥ । କିଏ ଆଇଲେ କେତେ, ଗଲେ କେତେ, ନେଲେ କେତେ, ନାଇଁ ନେଲେ କେତେ !

 

ଚଇତାର ଜ୍ଜ୍ୱର ପୁଣି ବଢ଼ିଲାଣି ।

 

ଆଉ ଗୋଟିଏ ଦିନ ଗୋଟିଏ ରାତି ଭିତରେ ଚଇତାର ଅବସ୍ଥା ଯାହା ହେଲା ବଡ଼ ଭାଗ ଆଶା ଛାଡ଼ିଦେଲେ । ପାଟି ଫିଟଉ ନାଇଁ । କଡ଼ ଲେଉଟଉ ନାଇଁ । ଖୁଣ୍ଟି ଦାଢ଼ୀର ମଝିରେ ମଝିରେ ବୁନ୍ଦେ ବୁନ୍ଦେ ଝରି ଝରି ମରି ମରି ଯାଉଚି ।

 

ଜାଗୃତି ଅପେକ୍ଷା ଏ ଲୁହ ସୁପ୍ତିର କି ସ୍ଵପ୍ନର ବୋଲି ବିଶ୍ୱାସ ଜାଗେ ।

 

ସଂଜ ପହର ବେଳକୁ କାନ୍ଦ ଶୁଣାଗଲା । ଆହା, ଚୁ, ଚୁ ଭିତରେ ଚପିଲା, ଉଠିଲା, ମେଲିଲା, ରହିରହିକା, ଥିରିଥିରିକା କାନ୍ଦ ।

 

ଚଇତା ପଡ଼ି ରହିଚି ।

 

ସକାଳୁ ବିଲକୁ ଯାଇ ନାଇଁ ନବଘନ । ଭାଇ ପାଖରେ ବସି ରହିଚି । ମନେପଡ଼ିଯାଉଚି ଚଇତନର ମରଣଟା । ନିଜେ ଦେଖିବା ଭିତରେ ଚାରରୁ ତିନ୍‌, ତିନ୍‌ରୁ ଦୁଇ ହେବାର ମନେ ପଡ଼ିପଡ଼ି ଯାଉଚି । ଦୁଇ ପରେ ପରେ ଏକର କଳ୍ପନା ଭିତରେ ହୁ ହୁ, ଧୁ ଧୁ, ଘୁଘୁଟାଏ ଅନୁଭବ କଲାଣି । ଭାଗରେ ଧରିଥିବା ଜମିର ବହଳ ଧାନଗଛ ଲହଡ଼ି କୁଆଡ଼େ ଛପି ଗଲାଣି । ଟିକିଏ ସାଉଁଳା ପାଉଁଳାରେ ଅକର୍ମର ତଳିପଡ଼ା କଳ୍ପନାଟା ବି ଏଇ ମୂହୁର୍ତ୍ତରେ ଛପିଯାଇଚି । ମା ପେଟର ଭାଇ ଶୂନ୍ୟ ସଂସାରଟା କଳ କଳ କଲାଣି—ଜଳି ଜଳି ପାଉଁଶ ଆଡ଼େ ଗତି କଲାବେଳେ ଶିଶୁ ଭଳି ଚିତ୍କାର କରି ଉଠୁଚି ।

 

ନବଘନ କାନ୍ଦୁଚି ।

 

କୁସୁମାର ବାହୁନା କାନ୍ଦ ।

 

କାନ୍ଦ ଉଠୁଚି । ଫେଣେଇ ଫେଣେଇ ଉଠୁଚି ।

 

ସାହସ ଦେଇ ଆସୁ ଆସୁ ଶେଷ ମୂହୁର୍ତ୍ତଟା କଳ୍ପନାକୁ ନେଇ ଆସି କମଳୁ ବାଘ ଝର୍‍ ଝର୍‍ ଭିତରେ କାନ୍ଦି ଉଠୁଚି—ତୁଇ କାହିଁ ଛାଡ଼ି ଯାଉଚୁରେ ଆମ୍‌କୁ ? ଏ ଚଇତା, ଏ ଚଇତା, ଟିକେ କଥା କହରେ ! ଏ ବଇଦେ, ଦେଖ, ଦେଖ, ଭଲ୍‌ କିରି ଟିକେ ଦେଖ । ତାର ଆଇସ ଅଛି । ଆଇସ ଥିଲେ କେହି ନାଇ ନେଇ ପାରନ୍‌!

 

କାନ୍ଦ ଭିତରେ ଅସ୍ପଷ୍ଟ ହେଇ ଉଠୁଛି—ଗାଁର କେଡ଼େ ବଳଟେ !

 

—ହାତୀ ଲେଖା ମୁଣ୍‌ଷଟେ ଗ...

 

ଥରକୁଥର ମୁଣି ଛାଡ଼ୁଥିବା, ଚେରମୂଳିଆକୁ କେନ୍ଦ୍ର କରି କାନ୍ଦ ବୋବାଳି ଆହୁରି ଆହୁରି ଫୁଲି ଉଠୁଚି । ବଡ଼, ସାନର କାନ୍ଦ ସାଙ୍ଗରେ ମିଶୁଚି କାଖର କୋଡ଼ର କେଁ ଭେଁ ।

 

ତୀର୍ଥ ଲୁହ ଗଡ଼ଉଚି ।

 

କାନ୍ଦ୍ରୁ ଗଡ଼ୁଚି ।

 

ମିତୁରୁ ଅଜା ଆଗେଇ ଆସିଚି । ଚଇତାକୁ ଚାହୁଁଚି । ଶୂନ୍ୟ ଆଡ଼େ ଆଖି ଫେରେଇ ନଉଚି ।

 

ବୁଢ଼ା ବାପର ଦୁର୍ବଳ ସ୍ଵର ହଜି ହଜି ଯାଉଚି ।

 

ଶ୍ରାବଣର ଜହ୍ନଟାଏ ଉଠିଥିଲା । ଛପି ଗଲାଣି । ବଣ, ପାହାଡ଼, ଟାଙ୍ଗର ... ଛପି ଛପି ଯାଉଚି ଗୋଟାକ ପରେ ଗୋଟାଏ ।

 

ପାହାଡ଼ ମଥା ଆଡ଼େ ଚକ୍‌ ମକ୍‌ ଉଠୁଚି—ଗିଳି ହେଇ ଯାଉଚି ।

 

ସୁଲର ଯାହା ହେଲେ ହେବ । ସୁନ୍ଦରୀର ବି ଯାହା ହେଲେ ହେବ । ଖବର ମିଳିଚି କାଳିଆ ସ୍ତ୍ରୀର ବି ଯାହା ହେଲେ ହେବ । ମା, ଝିଅ, ବୋହୁଙ୍କର ଜନ୍ମ କରିବାର ସମୟଟା ଦିନେ ଓଳିଏ ଏପାଖ ସେପାଖ ବା ମାସେ ପକ୍ଷେ ଏପଟ ସେପଟ ହେଇ ପାରେ ବୋଲି କେହି କେହି ମତ ଦେଲେଣି ।

 

ଧଇଁ ସଇଁ ହେଲାଣି ସୁନ୍ଦରୀ । ଦିନ କେତେଟା ତଳେ ସମୁଧିର ଶକ୍ତ ବେମାର ଖବରଟା ପାଇ ଚଞ୍ଚଳ ହେଇ ଉଠିଥିଲା । ଯିବି ଯିବି ହେଇ ଯାଇପାରିନାଇଁ ।

 

ସାନ ଭାଇର ବାରଘର ବାସୀ ଦିନଠୁ ଭଗାରି ପୁଣି ଚାଲିଗଲାଣି କାମକୁ । ସେଇ ଯେ ଯାଇଥିଲା ଆଉ ଆସି ନାଇଁ ।

 

ବେଳ ଟଳିଲା ପରେ ବିଲରୁ ଫେରିଲା ଅକର୍ମ ।

 

ସୁନ୍ଦରୀ ଡାକ ପକେଇଲା—ଏ ନେଉଳି, ଏ ବାଙ୍ଗ୍‌ରି ....

 

ଉତ୍ତରକୁ ଅପେକ୍ଷା ନକରି ଏଆଡ଼େ–ଏତ୍‌ବେଳ ଯାକେ କାଇଁଟା କରୁଥିଲ ? ତମ୍‌କୁ ନାଇଁ ପାରି ହୁଏ, ନାଇଁ ପାରି ହୁଏ । ଯେନ୍‌ଟାରେ ଲାଗିଥିବ ତ ଲାଗିଥିବ । କାମ ବଲି ଦିହପାଟାକୁ ଗଲା ନାଇଁ ଦେଖ୍‌ବ କାଁ ? କେନ୍‌ ଚକ୍‌ଡାଟା ସାଇଲ ଆଜି ? ଭୁଗ୍‌ରାଟା ଚିର୍‌ଲ ? ସାର, ସାର, ବଗି ସାର । ବେଗି ନାଇଁ ଧର୍‌ଲେ ଗଡ଼୍‌ତିଆଣି ହେ'ଟା ଛଡ଼େଇ ନବ । ଖରା ହଉ କି ତରା ସାର୍‌ଲେ ଯାଇ ତ ।

 

ସଞ୍ଜ ଟପିବା ଯାଏଁ ଅକର୍ମ ଲାଗେ କାମରେ—ବଡ଼ି ସକାଳୁ ତାକୁ ଉଠେଇବାଟା ଯେ ମୁସ୍କିଲ୍‌ଏ ଧାରଣାଟା ଧୀରେ ଧୀରେ ଦେହ ସୁହା ହେଇ ହେଇ ଆସିଲାଣି । ଦିନେ ଦିନେ ସଦ୍ୟ ହାତ ଧୁଆ ଶୀତୁଆ ଆଙ୍ଗୁଳି ଚଳେଇ ଆଣେ ଅଇଁଠା–ଏ ଭେଣେଇଁ, ଏ ଭେଣେଇଁ, ଉଠ୍‌ବ ନାଇଁ କି-? ଆହୁରି ବେଳ ଆଉଚି କାଁ ?

 

ଟିକକ ପାଇଁ ଗାଲେଇ ପଡ଼ି ରହିଗଲେ ବି ଉଠି ପଡ଼େ ଅକର୍ମ । ଅଇଁଠା ଆଡ଼େ କଣେଇ ଚାହେଁ । ଲାଜେଇ ଲାଜେଇ ଅଗଣା ଟପି ଆଗେଇ ଯାଏ ।

 

ବଡ଼ ବ୍ୟବଧାନଟାର ପରେ ଭଗାରିଠୁ କିଛି ଟଙ୍କା ଆଉ ଖବର ଆସିଚି । ଗଲା ଥର ଆସିଲା ବେଳେ ଟଙ୍କା ଆଣି ନଥିଲେ ବି ଟଙ୍କାର ସ୍ଵପ୍ନ ଗୁଡ଼ିଏ ଶୁଣେଇ ଦେଇ ଯାଇଥିଲା । ସ୍ଵପ୍ନ ଭିତରୁ ସ୍ଵପ୍ନଟିଏ ....

 

—ଏ ସୁଁନ୍ଦ୍‌ରି, ଗୁଟେ କଥା କହିବି ?

 

—କାଇଁଟା ?

 

—ଅଇଁଠା ଗଲେ କେନ୍‌ତି ହେଇତା ?

 

—ଅଇଁଠା ? କେନ୍‌ଆଡ଼େ ?

 

—ଗଡ଼୍‍କୁ ।

 

–ଗଡ଼୍‍କୁ ?

 

ହଁ ଲ, ସାନ୍‌ ରାଣି ପାଖ୍‌ରେ ରହିବା । ସାନ୍‌ ରାଣି, ନାଇଁ ହେଲେ ବଡ୍‌ ରାଣି, ନାଇଁ ହେଲେ ....

 

ସୁନ୍ଦରୀ ଶୁଣି ଯାଉଥିଲା । ଟିକିଏ ତରକୁ ଥିଲା । ଟିକିଏ ଚମକୁଥିଲା । କଣ ସ୍ମରଣ କଲା ପରି ହଠାତ୍‌ କହି ଉଠିଥିଲା—ନାଇଁ ନାଇଁ, ମର୍‌ଝିଅ ଗଡ଼୍‍କୁ ନାଇଁ ଯାଏ । ଅଇଁଠା କଥା ତୁଟେଇ ଦିଅ । ଯାର, ମାଲ୍‌ସେ ନଉ । ସେମାନେ ନାଇଁ ଶୁଣ୍‍ଲେ ମାଲିକଠି ପକ ।

 

—କଥା ନାଇଁ ତୁଟେ ଇଖ୍‌ଣି ।

 

—କାହିଁଲାଗି ନାଇଁ ତୁଟେ ?

 

—ମର୍‌ ହାତ୍‌ରେ ବେଳ ନାଇନି । କାମ ଘୁମାଘୁଟ୍‌ । ଉଗ୍ରେସର ନାଇଁ ଛାଡ଼ିଦିଏ ।

 

—ନାଇଁ ଛାଡ଼୍‍ଲେ ନାଇଁ । ଯେନ୍‌ତି ହେଲେ ଆସ । ତୁଟେଇ ଦିଅ କଥାଟା । ଯାର୍‌ ମାଲ୍‌ ତା ଘରକୁ ପଠେଇ ଦିଅ ।

 

—ଟଁକା ସୁନା ତତେ ପିତା ଲାଗୁଚି କାଁ ଲ ? ଆଁ, ତତେ । ପିତା ଲାଗୁଚି କାଁ ? ପାଁଚ୍‌ ପାଇଟି କର୍‌ବ । ଭଁଡ଼ାର ଘର କୁଁଚି କାଠି ତାର୍‌ ହାତ୍‌ରେ ରହିବ ....

 

ଦିନ କେତେଟା ପରେ ନିଜେ ଆସି ଅଇଁଠାକୁ ନେଇ ଯିବ ବୋଲି କହି ଭଗାରି ଫେରିଯାଇଥିଲା ! ଆସି ନାଇଁ । ଟଙ୍କା ବି ପଠେଇ ନାଇଁ ।

 

ଏ ଦିଗରେ ଅଇଁଠାର ବର ଆସିଥିଲା । ବର ସାଙ୍ଗରେ ଅଇଁଠା ଚାଲି ଯାଇଚି ।

 

ଗଲା ଆଗରୁ ମାଁ କୁ ତୁନି ତୁନି କହିଥିଲା—ବୁଢ଼ୀଟା ଲାଗି ଏବେ ଗଁଡ଼୍‍ଗୁଳ ହଉଥିଲା ଗ ମାଁ । ମଲା ତ ମଲା .... ଯାଃ .... ପାପେ ଗଲା !

 

ସୁଦରୀ ଜିଭ କାମୁଡ଼ି ଥିଲା—ହେତୁ, ଶାଶୁ ଶଶୁରକୁ ଏନ୍‌ତି କଥା ନାଇଁ କହିସନ୍ ରେ ମାଁ । ମରି ହଜି ସର୍‌ଗକୁ ଗଲେଣ ! ମଲା ଗଲା ମୁଣଖଷ । ଏନ୍‍ତି କଥା ନାଇଁ କହିସନ୍‌ !

 

ଅଇଁଠା ଚାଲି ଯାଇଛି । ମୂଲ ଭିତରୁ ଯାହା ଆଣୁଥିଲା ସେ ବି ଥିଲା ସୁନ୍ଦରୀର ବଳଟାଏ ।

 

ରାତିର ଝୋ ଝୋ ବର୍ଷାପରେ ପାହାନ୍ତାର ଝିପ୍‍ ଝିପ୍‍ ଭିତର ଦେଇ ତାଳ ଗୋଟେଇ ଚାଲିଛି ସୁନ୍ଦରୀ ।

 

ତାଳ ପିଠାକୁ ଅକର୍ମର ଭାରି ସଉକ ।

 

ଶାଶୁ ସାଙ୍ଗେ ସାଙ୍ଗେ ଯିବାକୁ ହଉଥିଲା ଅକର୍ମ । ହଳ ଆଡ଼େ ଆଗେଇ ଗଲା ।

 

ଗାଁ ରେ ଥିଲାବେଳେ ଆଉ ଟିକିଏ ଆଗରୁ ଅନ୍ଧାର ଭିତରେ ଥରେ ଲାଛୁ ସାଙ୍ଗରେ ଯିବା କଥାଟାଏ—

 

ତାଳ ଗଛ ତଳେ ପାଚିଲା ତାଳ । ପଡ଼ିଥିଲା । ପଡ଼ୁଥିଲା ଗଡ଼ୁଥିଲା । ଗଡ଼ାଣି ତଳୁ ଭାଲୁ ଖାଉଥିଲା ତାଳ । ସୁ ସା ଶୋଷିନଉଥିଲା ।

 

ଅକର୍ମ କହିଥିଲା—ଏ ମାମୁଁ ଶଳାଟା ସବୁଦିନେ ଖାଉଚି ତୁଡ଼ାଦାର୍‌ଟା ଆଣି ଦାଗି ଦେ ନାଇଁ ଯେ !

 

—ହେତ୍‌! ଭାଲୁଟାକୁ ! ଜୀବନ୍‌ ଆକୁଳ ନାଇଁ ହେଲେ ଭାଲୁକୁ ମୁଇଁ ନାଇଁ ମାରେ ।

 

‘ତତେ ମିଛ, ମତେ ସତ’ର ବାରବାର ଉଚ୍ଚାରଣ ଭିତରେ ଲାଛୁମାଁମୁ ଯୋଉ ବର୍ଣ୍ଣନା କରିଥିଲା ସେଥିରୁ ଟିକିଏ ମନେ ପଡ଼ୁ ପଡ଼ୁ ଅକର୍ମ ଡାକିଲା—ଇଖ୍‌ଣି ନାଇଁ ଯ ଗ ସେଆଡ଼େ । ଇଖ୍‍ଣା ଗଡ଼ୁଥିବେ ।

 

ସୁନ୍ଦରୀ ହସିଲା—ତମେ ଏତେ ସୁଖ୍‌ ପାଇସ ! ନାଇଁ ଗୁଟେଇଲେ କେନ୍‌ତି ହବ ?

 

ଗୁହାଳ ତାଟି ଫିଟାଉ ଫିଟାଉ ଅକର୍ମ ତାଳ ପିଠାଇ ବାସନାଟା ବାରି ପାରୁଥିଲା ।

 

ସାଇକେଲ୍‌ରୁ ପଡ଼ି ଭଗାରି ଆଣ୍ଠୁରୁ କେତେ ଠା, କହୁଣିରୁ ଠାଏ ଛିଡ଼ିଛି । ମହୁରିର୍‍ର ମନା ନମାନି ନାଳ ଗଡ଼ାଣିକୁ ଗଡ଼ଉ ଗଡ଼ଉ, ଗୋଟିଏ ପାଖକୁ ଅଣ୍ଟା, ଆଉ ଗୋଟିଏ ପାଖକୁ ହାତ ବେକ ଇତ୍ୟାଦି ମୋଡ଼ି ହୋଇଥିବା ବେଳେ ନାଳ କୂଳର ପାଣି ମାଡ଼ଖିଆ ଖଣା ଭିତରେ ପଡ଼ିଯାଇଥିଲା । ମହୁରୀର ଆଉ ମିସ୍ତ୍ରୀ ବୁଢ଼ା ହାଁ ହାଁଟା ଆଉ କେତେଟା ହଁ ହଁ, ଇସ୍‌ ଆସ୍‌, ଇ ମା ଗୋ, ଇ ମାଁ ଗ । ଭିତରେ ମିଶି ଯାଉ ଯାଉ ଯନ୍ତ୍ରଣା ଚାପି ଚୁପି ହସ ଫୁଟେଇବାକୁ ଚେଷ୍ଟା କରିଥିଲା ଭଗାରି ।

 

ଭଗାରି ହସର ବିକୃତ ରୂପାନ୍ତର ଫୁଟିଉଠିଥିବା ପରେ ପରେ, ଇସ୍‌ ଆସ, ଇ ମାଁ ଗୋ ଭିତରୁ କେତେଟା ହିଁ ହିଁ ହେଁ ହେଁ ଭିତରେ ହଜିଯାଇଥିଲା । ମହୁରିର ବି ତା ସାଇକେଲ ସମ୍ବନ୍ଧରେ ସଚେତନ ହେଇ ଉଠିବା ସାଙ୍ଗେ ସାଙ୍ଗେ ସାଇକେଲ୍‌ଟିର ସାଧାରଣ ଅବସ୍ଥା ସମ୍ବନ୍ଧରେ ସନ୍ଦିହାନ ହେଇ ଉଠୁଥିଲା ।

 

ଡାକ୍ତରଖାନାରୁ ବେଣ୍ଡେଜ୍‍ ବନ୍ଧା ଅବସ୍ଥାରେ ଫେରିଚି । ହେନା ମାଁ ର ଉପରେ ପଡ଼ି କାମକରାଟାକୁ ବରାବର ଅନ୍ଦାଜରେ ରଖୁଚି । କାଟିବା, ବାଟିବା ଇତ୍ୟାଦିରେ ମନାକରିଦେବାକୁ ମନ ନହେଲେ ବି ଧୋଇବା, ଲଗେଇବା, ଓହ୍ଲେଇବା, ବାଢ଼ିବା କାମଟା ତା ହାତକୁ ଯେପରି ନଯାଏ ସେଥିପ୍ରତି ସଜାଗ ରହି ଆସିଚି ।

 

ପୀଡ଼ା ବଢ଼ାର ନିହାତି ଅଚଳ ଅବସ୍ଥାରେ ହେନା ମା ସେତେବେଳେ ଆଟିକା ଆଡ଼େ ହାତ ନେଲା, ପଚାରିବ ହଉ ହଉ ତଥାପି ପଚାରି ପାରିନାଇ । ନିଜ ଗାଁ ଆଡ଼େ ମିଶାମିଶି ଗୁଳାଗୁଳିଟା ଯାହା ଥାଉନା କାହିଁକି ଗଡ଼ରେ ଯେ ସେ ସଂଖ୍ୟାଟା ସ୍ଵାଭାବିକ ଭାବରେ ଅନେକ ବେଶୀ ହେବାର କଥା, ଏଇପରି ଧାରଣା ଆଣିଲାଣି–ସେଇ ମିଶାଗୋଳା ଭିତରକୁ ହେନା ମାଁ କୁ ଟାଣି ଆଣିବାକୁ ଗୁଁ ଗାଁ ହୁଏ । ହେନାମାର ବୃଦ୍ଧତ୍ଵକୁ ଦ୍ଵାହି ଦେଇ ଭିତରେ ଭିତରେ ଯୁକ୍ତି କରେ—ଜାତି ଗୋତ୍ର ହଉ ନ ହଉ, ଛୁଆଁ ଛୁଇଁ ଭିତରେ ନଥିଲେ ହେନା ମାଁ ଏଡ଼େ କାମଟେ କରନ୍ତା ନାଇଁ !

 

—କେନ୍‌ତି ହେଲା ? ଦେଖି ।

 

ଟୁଙ୍ଗି ଭିତରକୁ ପଶି ଆସୁ ଆସୁ ହେନା ପୁଣି ଥରେ କହୁଥିଲା ସେଇ କଥାଟା ।

 

ଭଗାରି ଫେରି ଚାହିଁଲା । ଚୁଲି ଜାଲଟା ମୋହି ଦଉ ଦଉ ହେନାମାଁ ବି ଫେରି ଚାହିଁଲା-। ଢାଳ ତାଟିଆର ଖଡ଼୍‍ ଖାଡ଼୍‍, ଠନ୍‌ ଠାନ୍‌ ଲଣ୍ଠନର ଫକ୍‌ଫକ୍‌—ଦୁଇ ଆଡ଼ୁ ଆଖି ଫେରେଇ ହେନା ଝିଅ ବି ମାଁ ଆଡ଼େ ଅନେଇଲା ।

 

ପାଖରେ ଲାଗି ବସି ପଡୁ ପଡୁ ହେନା କହିଲା—ପିଡ଼ାଟା ଅଛି କାଁ ?

 

ହେନା ଆଡ଼ୁ ମୁହଁ ଫେରାଇଲା । ମୁହଁ ପୋତିଲା । ଯାହା ଉତ୍ତର ଦେଲା ସେଥିରେ ପୀଡ଼ା ଥିବାର ହଁ ନାହିଁ—ଦୁଇଟା ଯାକର ଆଭାସ ।

 

ସାତ ଦିନ ପରେ ହେନାକୁ ଏଇ ଦେଖୁଚି । ଡାକ୍ତରଖାନାରେ ଶୋଇଥିଲାବେଳେ, ଯନ୍ତ୍ରଣାରେ ଅସ୍ଥିର ହେଉଥିବା ବେଳେ ହେନା ଉଦ୍ଦେଶ୍ୟରେ ଚାହିଁଛି । ଆସିବା ଯାଏଁ ଅପେକ୍ଷା କରିଥିଲା ।

 

ବେଣ୍ଡେଜ୍‌ ବନ୍ଧା ହାତଟି ଅଳ୍ପ ଟିକିଏ ଉଠେଇ ବେଣ୍ଡେଜ୍‌ ବାହାରକୁ ଟିକିଏ ଟିକିଏ ଟିପ ଚଳେଇଲା ହେନା ।

 

—ଭଲ ହେଇ ଗଲାଣି ତ । ନାଇଁ ?

 

କିଛି ନ କହିବ ହଉ ହଉ ଭଗାରି ଯୋଉ ଉତ୍ତରଟି ଦେଲ, ସେଥିରେ ଆଉ ଟିକିଏ ପୀଡ଼ା କମିଥିବାର ଆଭାସ ମିଳିଲା ।

 

ଭଗାରିର କପାଳ କଡ଼କୁ ଟିକିଏ ହାତ ଗଲା—ଫେର୍‌ ଜରଟେ ହେଲା କାଁ ?

 

ଉତ୍ତର ନଦେଇ ଚୁପ୍‌ ରହିଗଲା ଭଗାରି ।

 

କପାଳରୁ ବାହା ଆଡ଼କୁ ହାତ ଚଳେଇ ଆଣୁଥିଲା–ଆଉ କିଛି ନାଇଁ ହୁଏ । ନାଇଁରେ ଭାଇ ଆଉ କିଛି ନାଇଁ ହୁଏ । କେନ୍‌ଠି ଗୁଟେ ରିଷ୍‌ଟ ଥିଲା । ଆଜି ମାଳିକି କହି ପାଣି ଚଢ଼େଇ ଦେଇଛି ।

 

କୁତୁକୁତୁ, କମ୍ପନ, ଶିହରଣ...ଟିକିଏ ଚମକି ଚମକି ପଡ଼ୁଥିଲା ।

 

ଚଇତା ଦେଖୁଚି ଚଳନ୍ତା ଜୀବନରେ ପରିବର୍ତ୍ତନଟାଏ । ଦିନ କେତେଟା ଭିତରେ କଣ ଯେ ଘଟିଗଲା ଏବେ ଧୀରେ ଧୀରେ ଦେଖିଲା ଭଳି ଦେଖି ଆସୁଛି । ଆଗରୁ ଜୀବନ ସହିତ ଆହୁରି ପିଛିଲା ଜୀବନଟା ଆଡ଼େ ଉଙ୍କି ମାରୁଚି ।

 

ଅଜାଟି ଯାଇଥିଲା । ଅହିଲା ଆସିଚି ।

 

ଅହିଲା ଆସିଚି । ଜଜମାନିଆ ଗୁସେଇଁ ଟୋକା ଗୁଆଘିଅର ହୋମଟିଏ କରି ଅହିଲାର ଲାଖ ଚୁଡ଼ି ବଜ୍ର ହଉ ବୋଲି ଗାଇଚନ୍ତି ।

 

ଅହିଲା ଆସିଚି ।

 

ଦୁତିଅ ହେବାର ଦ୍ଵିତୀୟ ଦିନଠୁ ବାସୀ କାମରେ ଲାଗିଲାଣି ।

 

ପହିଲି ଦିନଠୁ ପରୋକ୍ଷ ମନ୍ତବ୍ୟକୁ କାନେଇଲାଣି । ଏବକୁ ଏବକୁ ପ୍ରତ୍ୟକ୍ଷ ମନ୍ତବ୍ୟରେ ପଦେଅଧେ ପାଟି ଫିଟେଇଲାଣି । ଥିର୍‌ଥିର୍‌ ଶୁଣି ଆସୁଛି ।

 

—ମୁଣ୍‌ଷଟାକୁ ପାର୍‌ବ ଇଏ ।

 

—ଖେତ୍‌ ଖଳାକୁ ପାର୍‌ବ ।

 

ରଇଥ, ରଇଥ, ଇଖ୍‌ଣା କାଇଁଟା ଜାଣିପକେଲଲ ? ଗୁଟେ କି ଯୁଡ଼େ ହଉ ।

 

ଦିନାକେତେ ହେଲା ଚଇତାଠୁ ବେଳେ ବେଳେ ଉତ୍ତର ପାଉ ନାଇଁ ଅହିଲା ।

 

ହଠାତ୍ ଦିନେ ସକାଳୁ ପଚାରିଲା—କେନ୍‌ଆଡ଼େ ବାହାର୍‌ଲା ?

 

ଚଇତା ବାହାରୁଚି ଲୁଗାପଟା ଦି ଖଣ୍ଡ ଧରି ।

 

—କେନ୍‌ ଆଡ଼େ ଯାଉଚ ଗ ? ଡାକ୍‌ଲେ ନାଇଁ ଶୁଣୁଚ । ହାକ୍‌ଲେ ନାଇଁ ଶୁଣୁଚ । କେନ୍‌ଆଡ଼େ ଯାଉଚ ?

 

—ଯାଉଚିଁ ତ ।

 

ମୁହଁ ସଂଜଟାରେ ଚଇତାକୁ ଦେଖୁ ଦେଖୁ ଥମକରି ଠିଆ ହେଇପଡ଼ିଲା ସୁନ୍ଦରୀ । ପଣତ ଉହାଡ଼ର ବଳିତା ଶିଖାଟା ଅଗଣା ମଝିର ଦମକାଏ ପବନରେ ଦପ୍‍କରି ଲିଭିଗଲା । ସମୁଧି ଆଉ ସମୁଧୁଣିର ଅନ୍ଧାରିଆ ବ୍ୟବଧାନ ଭିତରେ ଦୁଇ ପାଖର ଭାବ ଭଙ୍ଗିଟା ବେଶ୍‍ ଅସ୍ପଷ୍ଟ ହେଇ ଉଠିଥିଲା ।

 

ପାପୁଲି ଆଡ଼େ ଆଙ୍ଗୁଳି ଗୁଡ଼ିକୁ ନିରୀହ ଫଣାଟିଏ ପରି ନୂଆଇଁ ଆଣିଲା । ଫଣାଟିକୁ ମଥା ପାଖକୁ ନଉ ନଉ ପହିଲେ ଆରମ୍ଭକଲା ସୁନ୍ଦରୀ—ଆମର୍‌ ଆଡ଼େ ଟିକେ ଆଇଲ ବାହାରି ଗ ସମ୍‌ଧି, ଭଲ କଲ । ଭଲ କଲ । ମୁଇଁ ତ ଗଲା ତମର୍‌ ଆଡ଼େ ଯିବି ଯିବି ହଉଥିଲି । ଏ ଅଇଁଠା, ଏ ଟୁକିଏ .....

 

ସମୁଧିର ଚର୍ଚ୍ଚା ପାଇଁ ତର ତର ହେଲା ସୁନ୍ଦରୀ ।

 

ଲିଭିଯାଉଥିବା ସଂଜ ବଳିତା ସୁନ୍ଦରୀ ସେ ଆଡ଼େ ଜାଳୁ ଜାଳୁ ଚଇତା ଏ ଆଡ଼େ ଏ ପାଖ ସେ ପାଖ ଚାହୁଁଥିଲା । ପିଣ୍ଡା ଉପର ପଟିଆରୁ ଅନେଇଲାଣି ତରା । ଅନ୍ତୁଡ଼ିଶାଳରୁ କାନେଇଲାଣି ସୁଲ । ଆଖଡ଼ା ଘର ଆଡ଼େ ଆଗେଇ ଯାଉ ଯାଉ ବାପକୁ ଦେଖି ପାଖ ଘରକୁ ପଶିଯାଇଥିଲ ଅକର୍ମ ।

 

ଅନ୍ତୁଡ଼ି ଶାଳରେ ଟିକି ଛୁଆଟିକୁ ଟେକି ଧରି ଦେଖଉ ଦେଖଉ ସୁନ୍ଦରି କହିଲା, ଇଟିକୁ ଗଲା ଆଶିର୍‌ ପାଦ କରିଥ ଗ, ସମ୍‌ଧି ଲଖେ ଆଇସ ପାଇଥାଉ !

 

ଚଇତା ଛାତିରେ ଲଟେଇପଡ଼ିଛି ତରା । ଚାଲିଲା ବୁଲିଲା, କୋଡ଼ର କାଖର ........ଚଇତା ପାଖକୁ କିଏ ପାଖେଇ ଆସୁଛି; କିଏ ଦୂରେଇ ରହୁଚି; କିଏ ଘସି ହଉଚି; କିଏ ଖସି ପଳାଉଚି; କିଏ ହସୁଚି; କିଏ କେଁ ଭେଁ ।

 

ତରାର ଦୁର୍ବଳ ଦେହକୁ ସାଉଁଳୁ ସାଉଁଳୁ ଚଇତା କହିଲା—ଇ ଟୁକିଟା ମତେ ଝୁରୁଥିଲା-। କେଡ଼େ ଘାଏ ଶୁଖି ଗଲାଣ ! ଇଠିର୍‌ ପାଣି ନାଇ ଯିବାକ ।

 

ପ୍ରତିବାଦ କରିଥିଲା ସୁନ୍ଦରୀ—ତମର୍‌ ଗାଁର୍‌ ସେନ୍‌ପାଣି ! ଯେନ୍‌ଥର ତ ଗଲି ଖାସ ଲେସ୍‌ମ ଧରିକରି ଆଇଲି ।

 

ମାଁ ଆଉ ଶଶୁର ଭିତରେ ଏ ଆଡ଼େ ଗପ ଚାଲିଲା ବେଳେ ବାଡ଼ିପାଖ ବାଡ଼ କଡ଼କୁ ଲୁଚି ଠିଆ ହେଇଥିଲା ସୁଲ । ଚଇତା ଆଣିଥିବା ପିଜୁଳିରୁ କେତେଟା କାନି ତଳେ ଛପେଇ, ଚୋବାଇବାର ଶବ୍ଦକୁ ଦବେଇ ଦବେଇ ଗିଳି ଚାଲିଥିଲା ।

 

ଚଇତା ସାଙ୍ଗରେ କଥା ହଉଥିଲା ସୁନ୍ଦରୀ । ମେଲା ବାଡ଼ିରୁ ନଡ଼ା ପୁଞ୍ଜାକ ଓଲାରୁ ଥିବା ପଲକୁ ତଡ଼ିବା ପାଇଁ ହଠାତ୍‌ ହା ହାଁ କରି ଧାଇଁ ଆସିଲା । ମାଁ କୁ ପାଖରେ ଦେଖୁ ଦେଖୁ କାନି ଝାଡ଼ଝୁଡ଼ର ଝଡ଼ଟାଏ ଉଠେଇ, ସୁଁ ସୁଁ ଜାଣ୍‌ଲିଣ ! ତର୍‌ ପେଟ୍‌ରେ ଗୁଟେ, ପାଟିରେ ଗୁଟେ !

 

ଝିଅ ମୁହଁକୁ ଚାହିଁଲା । ଟିକିଏ ସ୍ମରଣ କଲା—କାଇଁଟା ? କାଇଁଟା ରେ ମାଁ ? ତର୍‌ ଶଶୁରକୁ କାଇଁଟା କହିଲି ଯେ କାଇଁଟା ଶୁଣ୍‌ଲୁ ତୁଇ ? କାଇଁଟା ବୁଝ୍‌ଲୁ ତୁଇ ?

 

ସମୁଧିର ଗୁମ୍ ମରା, ଚୁପ୍‌ ଚାପ୍‌ ହୁଁ ହଁ । ଭିତରେ ସୁନ୍ଦରୀ ଅନୁମାନ କରି ନେଲାଣି ଅନେକଟା । ଅନ୍ୟମାନଙ୍କ ସାଙ୍ଗେ ଚଇତାର କଥାବାର୍ତ୍ତା ଚାଲିଲା ବେଳେ ଯୋଉଠି ଆଖିରେ ପଡ଼େ, ସୁବିଧା ପାଏ ଶୁଣିବାକୁ ଚେଷ୍ଟାକରେ ।

 

ଅକର୍ମକୁ ଚୁପ୍‍ ଚାପ୍‍ କେତେ କଥା କହେ ।

 

ଚଇତା ଲକ୍ଷ୍ୟ କରୁଚି । ନିଆଁଟାଏ ଭିତରେ ଭିତରେ କୁହୁଳି ଉଠିଲା ବେଳେ ଦାବି ଦଉଛି ।

 

ସୁନ୍ଦରୀ ବି ଲକ୍ଷ୍ୟ କରୁଚି ଚଇତାକୁ । ପ୍ରସ୍ତୁତ ହେଉଚି । ପ୍ରସ୍ତୁତିକରଣ ଭିତରେ ମନ ବୁଝିଲା ଭଳି ଉତ୍ତରଟାଏ ପାଉ ନାଇଁ । ଭିତରୁ ଆଉ ବାହାରୁ ସଂଗ୍ରହ କରିଥିବା ନିଜ ସପକ୍ଷରେ ଯାଉଥିବା ଯୁକ୍ତି ଗୁଡ଼ିକ ଡେଣା ମିଲୁଥିଲେ । ମେଳୁଥିବା ବେଳେ ଦୁର୍ବଳ ଭାବରେ, ଅସହାୟ ଭବରେ ଡେଣା ଝାଡ଼ି ଝାଡ଼ି ଖସି ଖସି ପଡ଼ୁଥିଲେ ।

 

ପାଖେଇ ଯାଇ କଥା ଆରମ୍ଭ କରିଦେଲା ସୁନ୍ଦରୀ ।

 

ଚଇତା ଗୁମ୍‍ ମାରି ବସିଥିଲା ।

 

ଏକ ତରଫା ପ୍ରଶ୍ନ ଉତ୍ତର ଭିତରେ ସୁନ୍ଦରୀ ଆଗେଇ ଚାଲିଲା । ଗମ୍ଭୀର ହେଇଥିବା ଚଇତା ଆଡ଼େ ସଳଖି ଚାହିଁପାରୁ ନଥିଲା ।

 

କଥାଟା ଯେତେବେଳେ ଆହୁରି କଅଁଳ ଗଳା ଭିତରେ, କଥାରେ ଯେତେବେଳେ ଫୁଟିଲା, ‘ତମର୍‌ ପୁଅ କିଏ, ମର୍ ପୁଅ କିଏ, ତମର୍‌ ଘରେ ଥିଲେ କେନ୍‌ଟା, ମର୍‌ ଘରେ ଥିଲେ କେନ୍‌ଟା, ଚଇତାର ଚିତ୍କାର ଶୁଣି ପାଟି ଅଠା ଅଠା ହେଇଗଲା ! ହଠାତ୍‌ ବନ୍ଦ ହେଇଗଲା । ସନ୍ଦେହ କରିଥିଲା କଥାଟାରେ ନିଆଁ ଚରିବ କିନ୍ତୁ ‘ଭିତରଟା ବାରୁଦର ଖଣି’ ହଠାତ୍‌ ଏଇ ଧରଣର ଆଶଙ୍କାଟାଏ ଧାରଣାକୁ ଆସିଗଲା ।

 

ଘର ଚମକିଲା । ଗାଁ ଚମକିଲା । ଦୁଆରେ ବେଢ଼ିଗଲେଣି । ଦାଣ୍ଡରେ ଜମା ହେଲେଣି । ପଡ଼ିଶାରୁ ଉଙ୍କି ମାରିଲେଣି ।

 

ଟୁପ୍‍ ଟାପ୍‍, ଫୁସ୍‍ ଫାସ୍‍—ସାହସ କରି ଆଗେଇ ଆସି କେହି କେହି ପଛେଇ ଯାଇଚନ୍ତି-

 

ଏତେଟା ଆଶଙ୍କା କରି ନଥିଲା ସୁନ୍ଦରୀ । ଚଇତା ସମ୍ବନ୍ଧରେ ଭଗାରିଠୁ, ଏଠୁ ସେଠୁ କେତେ ଥର ଶୁଣିଥିଲା, ସାମ୍‌ନା ସାମ୍‌ନି ଦେଖି ନଥିଲା । ଅଗଣାରେ ଯାତ୍ରା ଦେଖି ଜଳ ଜଳ ଚାହିଁ ବା ଛଡ଼ା ଆଉ କିଛି କହିପାରୁ ନଥିଲା ।

 

ଏ ପାଖ ସେ ପାଖ ଚାହୁଁ ଚାହୁଁ ଚଇତା ଗୁମ୍‌ ମାରି ଆସୁଥିଲା । ଚୁପ୍‌ହେଇ ଆସୁଥିଲା । ଗହଳ ବି କମି କମି ଆସୁଥିଲା । ଏ ପାଖରୁ ଉଙ୍କି ମାରୁ ମାରୁ ଅକର୍ମ କେତେବେଳୁ ପଳେଇଚି । ବାଡ଼ିପାଖ ମହୁଲ ମୁଳୁ କାନେଇଛି । ଅନ୍ତୁଡ଼ି ଶାଳର ରାହାଧରାଟିକୁ ଛାଡ଼ିଦେଇ ସୁଲ ଜଳ ଜଳ ଚାହୁଁଚି । ଦାନ୍ତ କାମୁଡ଼ୁଚି ।

 

ଭାଗରେ ଧରିଥିବା ଭୋଗରା ନାଳିରେ କେଣ୍ଡା ପକେଇ ଆସୁଥିବା ଧାନ, ନାଳିରେ ପାଚି ପାଚି ଆସିଥିବା ସାନ ଧାନ ଧାନ, ଅଧା ଚିରା ଆଟ, ବୁଣା କୋଳଥ, ବିହନ ଚଣା ... ସବୁ ଧୂଆଁ ଳିଆ ଧୂଆଁଳିଆ ଦିଶିଆସୁଥିଲା ସୁନ୍ଦରୀ ସାମ୍‌ନାରେ । ଭଗାରିର ଖବର ହୀନ ଦିନ ଗୁଡ଼ିକ ଯେତିକି ଯେତିକି ବଢ଼ି ଚାଲିଛି,ଗୁଣା ମୁକୁଳେଇ ନ ପାରିବାର ଦୁଃସ୍ଵପ୍ନ ସେତିକି ସେତିକି ବଢ଼ିଚାଲିଛି-। ବନ୍ଦରିଆର ସ୍ଵପ୍ନ ଦୁଃସ୍ଵପ୍ନ ଭିତରେ ସାମିଲ ହେଇଯାଇ ଥରକୁ ଥର ହଜି ହଜି ଯାଉଛି-। କତରିଆ, ବାହାସୁତା, ଝଲକା, ଗଣ୍ଠିଆ, ଇତ୍ୟାଦି ସ୍ଵପ୍ନ ଭିତରେ ବେଳେବେଳେ ଝଲ୍‌ଝଲ୍‌କରୁଥିଲା ସିନା, କୋଉଦିନୁ ଅସ୍ପଷ୍ଟ ହେଇ ଲିଭିଗଲାଣି । ଗୁଣା ମୁକୁଳେଇବାକୁ ଯାହା ଦେଇଚି ମୂଳର ମଝିକୁ ଟପିଚି-। ଅଣା କଳନ୍ତରିଆ ସୁଧର ସୁଧ ଗଡ଼ିଚାଲିଛି । ଗଉତିଆଣି ବୁଢ଼ୀ ଅବଶ୍ୟ ଯାଚୁଥିଲା–ନେ ଲ ପିଁ ଧିଥା । ଯାତ୍ରାଟା ଆଉଚି । ତ’ଠି ନାଇଁ ବୁଡ଼ିଯାଏ । ତ’ଠି ମର୍‌ ଅବିଶାସ୍‌ ନାଇଁ । ନେ ପିଁ ଧିଥା-। ଆହା ଲ, ଶିରି ତୁଟି ଯାଇଚି !

 

ଉପରକୁ ଚାହିଁଥିଲା ସୁନ୍ଦରୀ, ତଳକୁ ଚାହିଁଥିଲା—ନାଇଁ ଗଗଡ୍ ତିଆଣି, ଥାଉ । ତମର୍‌ ପାଖରେ ଥାଉ । କେତ୍‌ବେଳେ କେନ୍‌ଟା । ନାଇଁ ଦେଇପାରିଥିବି, ମରିହଜି ଯିବି ବଇଲେ ! କିଏ ଦବ ତମ୍‌କୁ ? ଋଣିଆ ହେଇ ମର୍‌ବି କାଁ ! ନାଇଁ ଦେଖୁଚ ? ନାଇଁ ଶୁଣୁଚ ? ଯେନ୍‌ ଡ଼ାଳ ଧର୍‌ଲି ସେ ଡାଳ ତ ଛିଡ଼ି ଯାଉଚେ ଗ !

 

—ଏ ସମ୍‌ଦି, ତମେ ନାଇଁ ଦେଖୁଚ କାଁ ସବୁ ! ତମେ ନାଇଁ ଜାଣୁଚ କାଁ ସବୁ ? ତମେ ପରଟେ କାଁ ଗ ? ତମ୍‌କୁ କାଇଁଟା ଲୁଚେଇ ବି ଗ ? ତମ୍‌କୁ କାଇଁଟା ଛପେଇ ବି ଗ ?

 

ଚଇତା ଚାହିଁଥିଲା ।

 

ଲୁହ ଗଡ଼େଇ କହି ଚାଲିଥିଲା ସୁନ୍ଦରୀ–ଟୁରା, କାଳିଆ, ବଳିଆ କାର କଥାଟା କହିବି କହ ତ ? କା’ କଥାଟା କହିବି ?

 

ଲୁହ ପୋଛୁ ପୋଛୁ ଟିକିଏ ଅଟକିଗଲା ସୁନ୍ଦରୀ–ଲୁକେ ଚାକ୍‌ରି ବାକ୍‌ରି ନାଇଁ କରୁଚନ୍‌ କାଁ ? ମୁଠା ମୁଠା ନାଇଁ ଆଣୁଥିବେ କାଁ ? .... ହଃ, ଯିଏ ଆଣ୍‌ଲେ, ଯିଏ କମେଇଲେ ମର୍‌ କାଇଁଟା ଯାଉଚି । ମର୍‌ କାଇଁଟା ଯାଉଚି ଗ ସମଧି ? କାହାକୁ ଦଉଚନ୍‌, କାଇଁଟା କରୁଚନ୍‌ ସେ ଜାଣୁଥିବେ-। ମୁଇଁ କଥା ବୁଧିଟେ କଲି ଗ ସମ୍‌ଧି ! କାହିଁଲାଗି ଗଡ୍‌ ସହର୍‌କୁ ଛାଡ଼୍‍ବି ଦଇବରେ ! ମୁଇ କାଇଁ ବୁଧିଟେ କଲି !

 

ଅଭିମାନ ମିଶି ମିଶି ଆସୁଥିଲା—ମୁଇଁ, ମୁଇଁ କାଇଁ କର୍‌ବି ହେଲେ । ମର୍‌ କଥା କିଏ ଶୁଣୁଚି ? ମର୍‌ କଥା ବି ମାନୁଚି ? ମର୍‌ କଥାରେ କିଏ ଯାଉଛି ଆଉଚି ? ମୁଇଁ ତ କେନା ଆଡ଼୍‍ର ପରଟେ । ହଁ ଗ ସମଧି ହଁ, ମୁଇଁ କେନ୍ ଆଡ଼କୁ ପରଟେ । ମୁଇଁ କେନ୍‍ ଆଡ଼ର୍‍ ପରଟେ । ଦଇବ ରେ ମରେ ସଭିଏଁ ପର କଲେରେ ଦଇବ !

 

ଲୁହ ଥିପୁଥିଲା ।

 

ଚଇତା ଚାହିଁଥିଲା ।

 

ଆବେଗ ଭିତରେ ଭାସି ଯାଉ ଯାଉ, ଉଦ୍‌ବେଗର ବଙ୍କା ଟଙ୍କାରେ ବଣା ହଉ ହଉ, ରୁଦ୍ଧ ଅଭିମାନ ଅଭିଯୋଗ ଗୁଡ଼ିକ ଫିଟି ଆସୁଥିବା କ୍ରୁଦ୍ଧ କଳ୍ପନାକୁ ଚାପିଚୁପି ଦେଇ ଉଛୁଳି ପଡ଼ୁଥିଲା ଯେନତି ହେଲେ ଘର ଖଁଡେ ଥିଲା ଗ ସମ୍‌ଧି, କର୍‌ବି କର୍‌ବି ହାଁଟ ହେଇ ଭାଁଗି ଦେଲେ-। ନାଇଁ ଦେଖୁଚ କାଁ ଗ ? ସଭିଏଁ ସମାନ୍‌ ଗ ସମଧି, ସଭିଏ ସମାନ । କାର୍‌ କଥା କହିବି-? କେନ୍‌ଟାକୁ କଥା କହିବି ? ବଳିଆଟା ହେଲେ ମାଁ ବଲି ପଚାରି ଦଉଥିଲା ଯେ....

 

ବଳିଆ ସ୍ତ୍ରୀ ର ଅଚିହ୍ନା ବେମାର କଥା ମନେ ପଡ଼ିଗଲା ଗଡ଼ ଡାକ୍ତରଖାନାରେ ପଡ଼ିଛି–ବଳିଆ ଖବର ପଠଉଚି । ଯାଇ ପାରୁନଥିବାର ଅକ୍ଷମତାଟା ପୁଣି ଥରେ ସ୍ମରଣ କରେଇ ଦେଲା ଚଇତାକୁ । ଆହୁରି ବି ସ୍ମରଣ କରେଇ ଦେଲା, ଚଇତାକୁ ସାଂଘାତିକ ବେମାର ବେଳେ ନିଜ ଅଣ୍ଟା ଧରାର ବର୍ଣ୍ଣନାଟା । ପୂର୍ବର ବର୍ଣ୍ଣନା ଅପେକ୍ଷା ଆହୁରି ମର୍ମସ୍ପର୍ଶୀ କରିବାର ଚେଷ୍ଟା ଥିଲା ଏଥିରେ ।

 

ଚଇତା ଚାହିଁଥିଲା ।

 

କହୁ କହୁ କ୍ରୁଦ୍ଧ କଳ୍ପନାଟା ପ୍ରତିଶୋଧର ଇଚ୍ଛାଟାଏ ନେଇ ଫୁଟି ଉଠୁଥିଲା—ଯେନ୍‌ତି ମୁଣ୍‌ଷକୁ ମୁଇଁ ଗଲା ସେନ୍‌ତି କରି ଦେଇତିଁ ଗ ସମ୍‌ଧି, ମୁଇଁ ଗଲା ସେନ୍‌ତି କରି ଦେଇତିଁ ଗ ସମଧି, ମୁଇ ଗଲା ସେନ୍‌ତି କରି ଦେଇତିଁ । ଖାଲି ଇ କେତ୍‌ଟାର ମୁହଁଟିମାନ୍‌ ଦିଶିଯାଉଚି ! ହଁ ଗ ସମ୍‌ଧି, ଇ କେତ୍‌ଟିର ମୁହଁଟିମାନ ଦିଶିଯାଉଚି । ଇ’ଟି ମାନ୍‌ ଛାଡ଼ି କେନ୍‌ ଆଡ଼େ ଯିବି ଗ ? ମୁଇଁ ଥାଉଁ ଥାଉଁ ତ ଏନ୍‌ତି, ଆର୍‌ ଗୁଟାକେ ଗଲେ କିଏ ପଚାରି ଦବ, କିଏ ଉଚାରି ଦବ ଇଟି ମାନ୍‌କୁ ?

 

ଅଭିମାନ, ଓ ଅଭିଯୋଗ, ଆଶଙ୍କା, ଆସ୍ଫାଳନ,.. ମିଶାମିଶି, ଫେଣ୍ଟାଫେଣ୍ଟି, ଗୋଳାଗୋଳି, ଛନ୍ଦାଛନ୍ଦି ଭିତରୁ ପ୍ରତିଶୋଧର ସ୍ପୃହାଟା ପ୍ରକାଶ ପାଇଆସୁଥିଲା ସତ, ପରାସ୍ତ ହେବାଯାଏ ଅପେକ୍ଷା ନକରି ପରାଜୟ ସ୍ଵୀକାର କଲାଭଳି ନିସ୍ତେଜ ହେଇଯାଇଥିଲା ।

 

ପରାଜୟ ପରେ ପରେ ଅନୁନୟ ଆଖି ଖୋଲିଲା—ଏ ସମ୍‌ଧି, ଝିଅ ଦେଇକରି ପୁଅ ତ ପାଇସନ୍‌ ଗ ସମ୍‌ଦି, ଆତଙ୍କ ଗଣୁଥିଲେ ବି ଆତୁର ଗଳାରେ କହି ଚାଲିଥିଲା—ଝିଅ ଦେଇକରି ପୁଅ ତ ପାଇସନ୍‌ ଗ । ତମର୍‌ ପୁଅ କେନ୍‍ଟା, ମର୍‍ ପୁଅ କେନ୍‍ଟା ? ଗୁଟାକୁ ଗୁଟା ତ ଜୁଇଁ କଲି ଗ ସମ୍‌ଧି, ଏତେ ବେଳ୍‌କୁ କିଏ ପଚାରି ଦଉଚି, କିଏ ଉଚାରି ଦଉଚି ? କେହି ନାଇଁ ଗ ସମଧି, ଏତ୍‍କି ବେଳ୍‍କୁ କେହି ନାଇଁ ? ମର୍‍ ଦୁଖ୍‍ଟା ଅକ୍ରମ ସିନା,

 

ଉଙ୍କି ମାରୁଥିଲା ଅକର୍ମ ।

 

ବାପର ଦାବୀ ମିଶା ପ୍ରସ୍ତାବ । ଶାଶୁର ଦରଦ ମିଶା ଗଳା । ଦୁଇଟା ଦୁଇଆଡ଼ୁ ଟାଣି ଧରୁଥିଲେ । ନିଜ ସମ୍ବନ୍ଧୀୟ ଶାଶୁର କଥା ପଦେ ପଦେ ଚୁମ୍ବକ ପରି ଟାଣି ନଉଥିଲା ।

 

ଅନୁନୟ ଭିତରେ ଲୁହ ଢାଳୁ ଢାଳୁ ସୁନ୍ଦରୀ କହିଚାଲିଥିଲା—ଏ ସମ୍‌ଦି, ଏ ସମ୍‌ଧି, ତମର୍‌ କାଇଁଟା ଉଣା ହେଇଚି । ଫେର୍‌ ତ ଯେନ୍‌ ଘରକୁ ସେ ଘର ହେଲା । କେତେ ପୁଅ ଆଇବେ ଇଥ୍‍ର । କେତେ ବହୁ ଆଇବେ ଇଥ୍‍ର । ଝିଅ ଦେଇକିରି ପୁଅ ତ ପାଇସନ୍‌ ଗ ସମ୍‌ଧି, ମୁଇଁ, ମୁଇଁ, ମୁଇଁ ମାଗୁଚେଁ, ଝିଅ ଦେଇକିରି ପୁଅଟେ ମାଗୁଚେଁ ତମ୍‌କୁ । ହଁ, ହଁ, ତମ୍‍କୁ ମାଗୁଚେଁ, ମାଗିଖାଇ ଲେଖା ତମ୍‌କୁ ମାଗୁଚେଁ ! ତମ୍‌କୁ, ତମ୍‌କୁ ଗ, ତମ୍‌କୁ ମାଗୁଚେଁ ଗ ।

 

ଜଳ ଜଳ ଚାହିଁଚି ଚଇତା । ଛଳ ଛଳ ଆଖିରୁ ହଠାତ୍‍ ଶୁଖିଯାଇଛି ।

 

ଚଇତାକୁ ଚାହିଁ ଚାହିଁ ସୁନ୍ଦରୀ ସେମିତି କହିଚାଲିଚି—ସମ୍‌ଧି, ଏ ସମ୍‌ଧି, ଘରେ ତ ଅଁଡ୍‌ରା, ମୁଣ୍‌ଷଟେ ନାଇଁ । ମର୍‌, କଥା କିଏ ବୁଝ୍‌ବ, ମର୍‌ କଥା କିଏ ସୁଝ୍‌ବ ? ଇ ରେଁ ଭେଁକୁ କେନ୍‌ତି ସଁଭାଳ୍‌ ବି ଗ ? କାଇଁଟା ଦେବି ଗ, କାଇଁଟା ଦେବି ଗ ଇ’ଟିମାନ୍‍ ପାଟିରେ ? ଦଇବ ରେ, ମରିଯାଇତିଁ ହେଲେ ! ମରି ଯାଇତିଁ ହେଲେ, ଉଧାର ପାଇତିଁ ! ଉଧାର ପାଇତିଁ, କିଛି ନାଇଁ ଦେଖ୍‍ତିଁ, କିଛି ନାଇଁ ଶୁଣ୍‌ତିଁ !

 

ଜଳ ଜଳ ଚାହିଁଚି ଚଇତା ।

 

—ସମ୍‌ଧି ଗ, ଅଁ ଟା ବାତ୍‌ଟେ ଧଇଲାଣ ! ପଲ୍‌ହା, ଜୁଡ଼ ପାଇଟିକି ନାଇଁ ପାର୍‌ବାକ । ଦଇବ ରେ ! ସଭିଏ ମତେ ଦୁଷ ଦେଲେ । ମର୍‌କଥା କେହି ନାଇଁ ବୁଝ୍‌ଲେ । ମର୍‌ ଦୁଖ କେହି ନାଇଁ ଶୁଣ୍‌ଲେ । ମୁଇଁ କେନ୍‌ଆଡ଼େ ମର୍‌ବି ରେ ଦଇବ ।

 

ସୁନ୍ଦରୀ କହିଚାଲିଥିଲା । କାନ୍ଦି ଚାଲିଥିଲା । ଚଇତା ଆଖିରୁ ଟୋପେ ଟୋପେ ଝରିବା ଯାଏ ।

 

—ଏ ସମ୍‌ଧି । ଏ ସମ୍‌ଧି । ମର୍‌ କଥାଟା ନାଇଁ ଶୁଣ୍‌ଚ କାଁ ଗ ?

 

—ଭାବି ଦେଖ୍‌ବି କଥାଟା ।

 

କଥାଟା ଦରଗିଳା ଅବସ୍ଥାରେ ।

 

ଚାରିଆଡ଼କୁ ଭାବି ଦେଖି ପୁଣି ଥରେ ଆସିବାକୁ ମନେ ମନେ ଠିକ୍‍ କରି ନେଲା ଚଇତା-। ସକାଳୁ, ସକାଳୁ ଚାଲିଯିବାକୁ ବସିଥିଲା । ଯାଇପାରିଲା ନାଇଁ । ରାତି ଅଧରୁ ସୁନ୍ଦରୀର ଗର୍ଭ ବେଦନା ଆରମ୍ଭ ହେଇଚି ।

 

ଏପାଖ ସେପାଖ ହଉ ହଉ ଦିନଟା କଟିଗଲା ।

 

ଯିବା ଆଗରୁ ଦୁଆର ମୁହଁରୁ ପଦେ ଶୁଣେଇ ଦେଇଗଲା–ସବୁ ପୁଅ ସମାନ୍‌ନାଇଁ, ସବୁ ବହୁ ସମାନ ନାଇଁ, କପାଳ୍‌ରେ । ଥିଲେ ଇ ଗୁଟାକ ତମର୍‌ ଦୁଖ ନବ ।

 

ଘରକୁ ସିନା ଫେରିଲା ଚଇତା, ଭିତରଟା ଛନ୍ଦିମନ୍ଦି କରୁ ହେଉଥିଲା । ତରାର ଦୁର୍ବଳ ଦେହଟା ଖୁବ୍‌ ବେଶୀ ଦିଶିଯାଉଥିଲା । ଆସିଲା ବେଳେ ଶୋଇ ପଡ଼ିଥିଲା ତରା । ଶୋଇଲା ତରାକୁ ସାଉଁଳି ଦେଇ ବାହରି ପଡ଼ୁ ପଡ଼ୁ ପଦ ପଦକେ ଅଟକି ଅଟକି ଯାଇଥିଲା ।

 

ଦିନ କେତେଟା ଯାଇ ନାଇଁ ଖବର ମିଳିଲା ତରା ନାଇଁ ।

 

ତରା ଚାଲିଯାଇଚି ।

 

ଆସିଲା ବେଳକୁ ନିଦ ଯାହାର ଭାଙ୍ଗି ନଥିଲା ସେଇ ତରାଟିକୁ ବାହୁନି ବାହୁନି ଚଇତା କାନ୍ଦିଲା । ତରା ପାଇଁ ଗାଁର ଏଠି ସେଠି କାନ୍ଦ ଉଠିଥିଲା । ବାହୁନି ବାହୁନି ଅହିଲା କାନ୍ଦିଥିଲା ଅଦେଖା ତରା ପାଇଁ ।

 

ନବଘନ କାନ୍ଦୁଥିଲା । ଶୁଭି ଯାଉଥିଲା ତରାର ଡାକ, କକା, କକା, କକା ଗ....

 

ତାଳ ଟାକୁଆର ଫାଳ ଭିତରୁ ଧୁବ୍‍ଲା ଧୁବ୍‍ଲା କଅଁଳ ଶଶ ପାଇଁ ହାତ ପାତି ଧାଇଁ ଆସୁଥିବାଟା ଦିଶି ଦିଶି ଯାଉଥିଲା ।

 

ଲୁହ ଝରେଇ ଚଇତା ଚାହିଁଚି । ତରା ହଜା ଆକାଶ ଭିତରୁ କାହାକୁ ଅବା ଛାଣି ଆଣିବ-

 

ଭଗାରି ଗଣି ଚାଲିଛି ପୁଞ୍ଜିତକ । ପୁଞ୍ଜିର ପଡ଼ା ଉଠାଟା କେତେ ଦିନୁ ଲକ୍ଷ୍ୟ କରୁଥିଲେ ବି କୋଉ ଆଡ଼େ ପଶିଯାଉଛି ସେ ଆଡ଼ଟା ଦେଖିପାରି ନଥିଲା । ଏବେ ଏବେ ଦେଖିଲା ଭଳି କିଛି କିଛି ଦେଖିବାର ଚେଷ୍ଟା କରୁଚି ।

 

ଆହୁରି ବି ଜାଣି ପାରିଲାଣି ମହୁରୀର ଚାକିରି ସତକୁ ସତ ମିଛ । ମଝିରେ ବୟସ୍କଙ୍କ ପାଇଁ ପୁଣି ଯେତେବେଳେ ଶୋଭାଯାତ୍ରା ଆଗେଇଥିଲା, ପଛେ ପଛେ, ଆଗେ ଆଗେ, କଡ଼େ କଡ଼େ ଲମ୍ବି, ଯାଇଥିଲା ।

 

ଅନେକ ଦିନୁ ତିଳ ତାଳର ତାରତମ୍ୟ ଭିତରେ ଦସ୍ତଖତଟି ଶିଖି ନେଇଥିଲା । ଏଠି ‘ବୁଢ଼ା ପାଠ’ ରେ ପୁଣି କିଛି ଦିନ ଯୋଗ ଦେଲାପରେ ଭୁଲି ଭୁଲି ଯାଇଥିବା ସ୍ଵର ବ୍ୟଞ୍ଜନର ମୂଳ ଅକ୍ଷର ଗୁଡ଼ିକ ମଗଜ ଭିତରେ ପୂରାପୂରି ଢୁକେଇ ଦେବା ପାଇଁ, ମୂଳେଇ ଧରି ବୁଲେଇବାର ଚେଷ୍ଟା କରୁଚି । କାଠ ଚକ ସହିତ ଅକ୍ଷର ଚକର ସାମଞ୍ଜସ୍ୟ ନ ଦେଖି ପଢ଼ା ସାଙ୍ଗ ଫଗୁଣ ମଝି ପହିଲି ପହିଲି ଯେତେବେଳେ ଘାବରେଇ ଯାଇଥିଲା ଭଗାରି ଫଗୁଣକୁ ‘ଗଜ ମୁର୍ଖ’ ଗାଳି ଦେଇଥିଲା । ଖୋଦ ନିଜେ ଯେତେବେଳେ ଅନ୍ୟ ପଢ଼ା ସାଥିର ଗଳ୍‌ ଗଳ୍‌, ଗଡ଼୍‍ ଗଡ଼୍‍ ଗଦ୍ୟ ପଦ୍ୟ ସହିତ ଗତି କରି ନପାରି ପଦେ ପଦେ ଅଙ୍ଗେଇ ଯାଉଥିଲା ସେତେବେଳେ ଫଗୁଣର ‘ବୁଢ଼ା ପାଠ’, ନାରଣର ‘ଛତୁ ଉଠା’ ପ୍ରବଚନଟିର ସତ୍ୟତାକୁ ଅନେକ ଅଂଶରେ ସମର୍ଥନ କରିଥିଲା ।

 

ଏ କାମରୁ ଫେରିଯିବାକୁ ଥରକୁ ଥର ଠିକ କଲାଣି ଭଗାରି । ଗଡ଼ର ରଜାଘରିଆ ବଳସ ମହୁରିର ସାଙ୍ଗରେ କେତେ ଥର କଥାବାର୍ତ୍ତା ହେଲାଣି । କଥାବାର୍ତ୍ତା ବେଳେ ଏଇ ଇଚ୍ଛାପୁର ଗଡ଼ତିଆ ପୁଅର ଇଚ୍ଛାଟା କିଛି ଅଂଶରେ ଧରି ନେଇଚି ବୋଲି ଧାରଣା କଲାଣି ।

 

ପ୍ରତିଶୃତି ପାଇଲା ପରେ କହିଥିଲା—କେତେ ତ ଡାକୁଚନ୍‌, କାହାକୁ ନାଇଁ ବଲ୍‌ବି ? କାହାକୁ ହଁ ବଲ୍‌ବି ? ଜାମୁନାଳିଆ ଫେର୍‌ ଡାକୁଚନ୍‌ ଯେ ....

 

ଜାମୁନାଳି କଥାଟା ଜାଣି ଜାଣି ଉଠେଇ ଦେଇ ଭଗାରି ଲକ୍ଷ୍ୟ କରୁଥିଲା ମୁହଁକୁ, ଭାବ ଭଙ୍ଗିକୁ । ଲାଗି ରହିଥିବା ଜମି ବାଉଁଶେ ପାଇଁ ବଉଁଶ କୁଟୁମ୍ବ ବୁଡ଼ାବୁଡ଼ି ହେଇ, ଦାବୀଠାରୁ ଜିଦ୍ ଯାଏ ଯାଇ, ଇଚ୍ଛାପୁର ଆଉ ଜାମୁନାଳି ଭିତରେ ଦଙ୍ଗାଠୁ ଦାରୁଗା ଯାଏ, ପାଙ୍ଗଣିଆଠୁ ନାଶ୍‌ଣିଆ ଯାଏଁ, ଗାଁ ପଡ଼ା କଥାରୁ ଗଡ଼ର କଚେରୀ ଯାଏ, ଗୁଛାତଳ ଦେବ୍‍ତାଠୁ ଗୁଡ଼ି ଭିତର ଠାକୁର ଯାଏଁ...ଯାହା ଯାହା ସବୁ ଘଟି ଯାଇଚି ଜାମୁନାଳିରେ ଥିଲାବେଳେ କେତେଟାର ପ୍ରତ୍ୟକ୍ଷଦର୍ଶି, କେତେଟାର ପ୍ରତ୍ୟକ୍ଷ କର୍ମୀ ହିସାବରେ ଯାହା ଯାହା ଜାଣିଥିଲା, ପରୋକ୍ଷରେ ଯାହା ଯାହା ଶୁଣିଥିଲା, ଜାମୁନାଳି କଥାଟା ଜାଣି ଜାଣି ମନେ ପକେଇ ଦେଲା ବେଳେ ସେଥିରୁ କିଛି କିଛି ଉଙ୍କି ମାରୁଥିଲେ । ନିଜେ ବି ଉହୁଙ୍କି ପଡ଼ି କେତେଟାକୁ ଟାଣି ଓଟାରି ଆଣୁଥିଲା ।

 

ଏଠୁ ବିଦା ହବା ସକାଳୁ ବନ୍ଧାବନ୍ଧି, ଗଣ୍ଠାଗଣ୍ଠି ଚାଲିଚି । ହେନା ଚୁପ୍‍ଟି ହେଇ ଠିଆ ହେଇଚି । ଦେଖି ନଉଚି ।

 

ସଞ୍ଜ ଶେଷ ହଉ ହଉ ଖିଆ ସାରି ଦେଇ ଭଗାରି ଲାଗି ଯାଇଚି ସଜାଡ଼ିବାରେ । ଗାଁରୁ ପହିଲି କରି ଏ କାମରେ ଆସିବା ବେଳେ ଯୋଉ ଦି’ଚାରିଖଣ୍ଡ ଆଣିଥିଲା ମଝିର ଏଇ ବ୍ୟବଧାନ ପରେ ବି ସେଇ ଚିହ୍ନରୁ କିଛି ଲଣ୍ଠନ ପୋଛା ଆକାରରେ ରହିଯାଇଛି । ଶୋଇଲା ସମୟର ଗୋଡ଼ ଛାଟିବା ବେଳେ, କଡ଼ି ଲେଉଟାଇବାବେଳେ, ଚିଙ୍ଗୁଡ଼ି ପରି ଚାପିଚୁପା ହେବା ବେଳେ, ଫର୍‌ଫାର୍‌ ସୃଷ୍ଟି କରି ଆସୁଥିବା କନ୍ଥା ଭିତରେ ବି ସେଥିରୁ କିଛି କିଛି ରହି ଯାଇଚି । ଏଇ ଗଡ଼ରେ କିଣା ଆଲ୍‌ମୋନିୟମ ଡେକଚି, ବାସନ, ଲୋଟା ଭିତରୁ ଡେକ୍‌ଚିଟି ହେନା ମାର ଅସହାୟ ଅସାବଧାନତାରେ, ବାସନଟି ହେନା ଝିଅର ଝମ୍‌ ଝାମ୍‌ ଢନ୍‌ ଢାନ୍‌ ଖେଳରେ ଲୋଚା ଅବସ୍ଥାକୁ ଆସିଚି ।

 

ଫକ୍‌ଫକ୍‌ ହେଇଆସୁଥିଲା ଲଣ୍ଠନଟି । ଟିକିଏ ଦବେଇ ଦେଇ ଭଗାରି ବସିଗଲା । ଅଧା ପୋଡ଼ା ବିଡ଼ି ଖଣ୍ଡକ ପଟିଆ ତଳୁ ଦରାଣ୍ଡିଲା । ପୁଡ଼ାରେ ହାତ ଦେବାକୁ ଯାଉ ଯାଉ ବୁଲିପଡ଼ିଲା । ପାଉଁଶ ଘାଣ୍ଟିବାକୁ ଗଲା ବେଳେ ହେନାର ଝୁଲା ପଣତଟା ଆଗ ପଡ଼ିଗଲା ଆଖିରେ ।

 

—ଆଁ, ତୁଇ ?

 

ଚୁପ୍‌ ହେଇ ଠିଆ ହେଇଚି ହେନା ।

 

ମୁହଁ ଉଠେଇଲା ଭଗାରି—ଯାଉଚିଁ ଲ, ଘର୍‌କୁ ଯାଉଚିଁ ।

 

ନିଜର ଯିବା ନ ଯିବାଟା ହେନା ବା ହେନା ମା କୁ ଆଗରୁ କିଛି କହିନାଇଁ । ଠିକ୍‌ କରି ନେଇଥିଲା କିଛି କହିବନାଇଁ । ବିଶେଷତଃ ଗଲା ଓଷା ବାସୀଦିନ ପୁଞ୍ଜି ପ୍ରତି ସଚେତନ ହେଇ ଉଠୁଉଠୁ ହେନା ଆଉ ହେନା ମା ପ୍ରତି ବେଶ୍‌ ବିରକ୍ତ ହେଇଚି । ଅସନ୍ତୁଷ୍ଟ ହେଇଚି । ମୁହେଁ ମୁହେଁ କହି ଦେବାକୁ ଠିକ୍‍ କରି ବରଞ୍ଚ ନ କହି ନୀରବ ରହିବା ଓ ଦୂରେଇ ରହିବାଟା ବୁଦ୍ଧିମାନର କାମ ବୋଲି ଭାବି ନେଇଥିଲା । ହୁଁ ହାଁ ଭିତରେ କଟେଇ ଆସିଥିଲା ଏ ଯାଏଁ ।

 

ଚୁପ୍‌ ହେଇ ଠିଆ ହେଇଚି ହେନା । କାନ ଫୁଲର ନାଲି କାଚ ଫକ୍‌ ଫକ୍‌ରେ ଆହୁରି ଚକ୍‍ମକ୍‍ କରୁଚି ।

 

ସାମନାରେ ଠିଆହେଇଚି ହେନା । ମଷ୍ଟର୍‌ରୁଲ୍‌ର ମଝାମଝି ଯୋଉ ନାଁକୁ ଆଗ ଦବାପାଇଁ, ମହୁରିର୍‌କୁ କେତେଥର ଇଙ୍ଗିତ ଦେଇଚି, ନିର୍ଦ୍ଧିଷ୍ଟ ଜାଗାରେ ଯୋଉ କାଳିବୋଳା ଟିପକୁ ଦଳିବାକୁ ହାତ ବଢ଼େଇ ନେଇଚି ସେଇ ହେନା ଠିଆ ହେଇଚି ସାମନାରେ ।

 

କଣେଇ ଚାହୁଁ ଚାହୁଁ ଭଗାରି ମୁହଁ ଘୁରେଇଲା । ତେଜିବା ଆଡ଼େ ହାତ ନେଲା ।

 

—କେବ୍‌କୁ ଫେର୍‍ ଆଇବ ?

 

କଣ କହିବାକୁ ହେନା ଆଡ଼େ ମୁହଁ ଘୁରଉ ଘୁରଉ ପୁଣି ବୁଲିପଡ଼ିଲା । ଲଣ୍ଠନ ତେଜିଲା-। ଅସମ୍ଭବ ରକମର ତେଜି ହଉ ହଉ ଦାଉ ଦାଉ ଦୁଇ କେନିଆ ଶିଖାରୁ ଧୂଆଁ ଉଠୁଥିଲା-। ତେଜିବା ଦବେଇବା ଭିତରେ ସମସ୍ତ ଭାବନାକୁ କେନ୍ଦ୍ରିଭୂତ କରିବାକୁ ଚେଷ୍ଟା କରୁ କରୁ ହଠାତ୍‍ କହିଦେଲା–ଆଇବି ? ମୁଇଁ ? ତୁଇ ନାହିଁ ଜାଣି କାଁ ?

 

—କାଇଁଟା ?

 

କଣ ଉତ୍ତର ଦେବାକୁ ଯାଉଥିଲା । ଅଟକି ଗଲା । ବନ୍ଧା ବନ୍ଧରେ ମନ ଦେଲା ।

 

ଚୁପ୍‌ ହେଇ ଠିଆ ହେଇଚି ହେନା । ଖସା ପଣତେ ଉଠାଉଠି । ଚୁଡ଼ି ଚୁଡ଼୍‍ ଇତ୍ୟାଦି ଝଣ୍‌ ଝାଣ୍‌ ଖଣ୍‌ ଖାଣ୍‌ ।

 

ଭଗାରି ଧୀରେ ଧୀରେ ଫେରି ଚାହିଁଲା—ତୁଇ ଆଜି କାମ୍‌କୁ ନାଇଁ ଯାଇ ତ । ତର୍‌ ତେଁକି ପାଖ୍‌କୁ ଯାଇଥିଲି । ତତେ ନାଇଁ ଦେଖ୍‌ଲି ।

 

—ଆଜି ମୁଇଁ ନାଇଁ ଯାଇ ତ । ଘରେ ଥିଲି ।

 

—ଘରେ ଥିଲୁ ? ନାଇଁ ତ । ସେଆଡ଼ୁ ଫେରିକିରି ତର୍‌ ପାଟି ନାଇଁ ଶୁଣିତ ।

 

—ଥିଲିରେ ଭାଇ ।

 

—ଥିଲୁ ?

 

ରଙ୍ଗି ଯାଉଥିବା ପକ୍ଷୀଲଗାଟାକୁ ଭଗାରିର କାନ୍ଧ ପାଖରୁ ଧୀରେ ପୋଛି ଆଣୁଥିଲା ହେନା—କେବେ ଆଇବ ?

 

ଭଗାରି ଚୁପ୍‌ରହି ଆସୁଥିଲା ।

 

କାନ୍ଧରୁ ଖସା ପକ୍ଷୀଲଗାଟା କାଚରେ ଧକା ଖାଇଚି । ତେଲ ଘରା ତଳର ଛାଇ ଆଡ଼କୁ ଖସି ପଡ଼ିଚି । ଆଲୁଅ ଆଡ଼କୁ ଲମ୍ଫ ଦେବାକୁ ପୁଣି ଡେଣା ମେଲୁଚି ।

 

ଗାଁ ଆଡ଼କୁ ଲମ୍ବିଯାଇଥିବା ଚଲାବାଟରେ ଚାଲୁ ଚାଲୁ ମନକୁ ମନ ପସ୍ତେଇ ହେଉଚି ଭଗାରି । ପସ୍ତେଇ ହଉଚି । ପୁରୁଣା ଟାଏ ଚେଇଁ ଚେଇଁ ଉଠୁଚି–ଦୁଇ ଚିନା ? ଆଁ, ନାଇଁ ନାଇଁ, ଦୁଇ ଚିନା ଦୁଇ ପଦିକା—ହଁ ହଁ ସେଦିନ ଏତ୍‌କି ତ ।

 

ପୁଞ୍ଜିରୁ କାଢ଼ି ଖର୍ଚ୍ଚ କରିଥିଲା ଯୋଉ ପରିମାଣ, ହେନାର ପହିଲି ପହିଲି ଯଚାଯଚିରେ ଫେରସ୍ତ ଆଣି ନାଇଁ । ତା ପରର ଫେରସ୍ତ ଦେବାର ପ୍ରତିଶ୍ରୁତିକୁ ହସରେ ପୋତି ଦେଇଥିଲା–ହଃ, ଦବୁ ନାଇଁ କାଁ ? ତ’ଠି ବୁଡ଼ିଯାଉଚି କାଁ ? ସକାଳ ପାଇଲେ ତ ଦେଖା ଦେଖି, ଚାହାଁ ଚୁହିଁ—ତ’ଠି ଥିଲେ କେନ୍‌ଟା ? ମ’ଠି ଥିଲେ କେନ୍‌ଟା ?

 

ପାଣ୍ଠି ଗଣାଗଣିରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିବା ବେଳେ କେତେଥର ଯାଇଛି ହେନା ଘରକୁ । ଦେଇଥିବା ପରିମାଣଟି ମାଗିବାକୁ ତୁଣ୍ଡ ଖୋଲୁ ଖୋଲୁ କେତେଥର କଥା ବଦଳେଇଚି—ଖାଇଲଣି ? ଶୁଇଲଣି ? କାଇଁ ତିଅଣ କରିଥିଲ ? ବଘ୍‌ରାଟା କେଡ଼େ ଘାଏ ଚେଁ କରୁଥିଲା ତ—କେଡ଼େ ଘାଏ ବାସୁଥିଲା ତ !

 

କଥା ବଦଳେଇ ଫେରି ପଡ଼ିବା ବେଳେ ପୁଣି ଘୁରିପଡ଼ି କେତେଥର କହିଚି— ହଁ, ହଁ ମନେ ପଡ଼୍‍ଲା । ମାଖ୍‌ନ ଫାଳ୍‌ଟେ ରହିଗଲା । ମୂଳା ଯୁଡ଼େ ଶୁଖି ଯାଉଛି । ଯା, ଯା ନେଇ ଆଇବୁ-। ହେ ଶଳା ମୂଷାଟାକୁ ନାଇଁ ପାରି ହୁଏ । କେନ୍‌ ଛଟକ୍‌ରେ ବୁହି ନଉଚି ! ସକାଳ୍‌କୁ ଗୁଟେ ନାଇଁ ଥିବ । ମର୍‌ ଆଖିଟା ସିନା ବଡ଼୍‍ ଲ, ପେଟଟା ସାନ୍‌ । ହଁ ହଁ, ତର୍‌ ଝିଅ ଲାଗି ଗୁଟେ ଜିନ୍‌ଷ ଆଣି ଦେଇଚିଁ । ଶୁଇଲାଣି କାଁ ? ଶୁଇଲାଣି ? ଆଁ ?

 

ବେଶ୍‌ ଟିକିଏ ଓଜନିଆ ଲାଗୁଚି ପିଠିର ଗଣ୍ଡିରାଟା । ହାଲ୍‌କା ଗୁଡ଼ିକ ହାତରେ ଓହଳିଚି-। ଗଣ୍ଡିରାକୁ ଠାଆକୁ ଠାଆ ଫୁଲେଇଥିବା ଡେକ୍‌ଚି, କଡ଼େଇ ଝୁଣ୍ଟିଲା ବେଳେ କୁଟି ହେଇଯାଉଚି-

 

ଚାଲୁ ଚାଲୁ ପସ୍ତେଇ ହଉଚି ଭଗାରି । ଗାଁ ଟା ଦିଶିଲାଣି ।

 

ଗଲା ରାତିର ଜିନିଷ ଗଣ୍ଠାଗଣ୍ଠି ଶେଷ ବେଳଟା ମନେ ପଡ଼ୁପଡ଼ୁ ଆହୁରି ପସ୍ତେଇ ହେଲା ଭଗାରି—ଇ’ଟା କା ଲାଗି ? ହେ’ଟା କା’ ଲାଗି ? ଆଉ କାଇଁଟା କିଣ୍‌ ଲ ?

 

ଫେରି ଚାହୁଁଥିଲା ଭଗାରି । ଖୋଲି ଖୋଲି ଦେଖଉଥିଲା ।

 

—ଇ’ଟା ତର୍‌ ଝିଅକୁ ହବ କାଁ ଲ ? ନାଇଁ ହୁଏ ? ନାଇଁ ଲ ହବ । କଣ୍ଟି କିରି ଦେଖ୍‌ ତ-

 

ଲଣ୍ଠନ ଆଲୁଅରେ ହଳଦୀ ସିନା ହାଲ୍‍କା ହେଇଯାଇଥିଲା, ଲାଲ୍‌ ଲାଲ୍‌ ଫୁଲ ଗୁଡ଼ିକ, ଟିପ୍‌ ଟିପ୍‌ ଗୁଡ଼ିକ, ଛିପ୍‌ ଛିପ୍‌ ଗୁଡ଼ିକ ବେଶ୍‌ ଫୁଟି ଦିଶୁଥିଲା ।

 

ପସ୍ତେଇ ହଉଚି ଭଗାରି । ମନେ ପଡ଼ିଯାଉଚି ଗଲାଥର ଘରୁ ଆସିବା ବେଳଟା ।

 

ସୁନ୍ଦରୀ ଶୋଇଥିବା ମୁଣ୍ଡା ପଟିଆଟା ମନେ ପଡ଼ୁଥିଲା ।

 

ଘର ଆଡ଼ର ପଟିଆ ସାଙ୍ଗେ ସାଙ୍ଗେ ଗଡ଼ ଆଡ଼ଟା ମନେ ପଡ଼ୁଥିଲା—ଇ’ଟା ନେଇ ଯା ଲ । ହେ’ଟା ନେଇ ଯା ଲ । ହେ’ ଟା । ତୁଇ ଲଗେଇବୁ । ହେଟା ତର ଝିଅ ପାରି ଶୁଇବ । ହେ ଶିଶିଟା ସଇଲାଣ କାଁ ?

 

ଅଁଳା ତେଲ ଶିଶିର ମହକଟା ମନେପଡ଼ୁଥିଲା । ଗଡ଼ ରାସ୍ତାରେ ଆଗଉ ଆଗଉ ଗତିଶୂନ୍ୟ, ଗତି ମନ୍ଥର ମଟର ଭିତରୁ ଭାସି ଆସୁଥିବା ଗଳାଚଢ଼ା ଗ୍ରାମ୍‍ ଫୋନ୍‍ ଗୀତ ଶୁଣୁ ଶୁଣୁ ପାଦେ ପାଦେ ଆଗେଇ ଯାଇଥିଲା । ଓଡିଆ, ହିନ୍ଦୀ, ବଙ୍ଗଳା ଇତ୍ୟାଦିର ମିଶା ମିଶି ଫେଣ୍ଟାଫେଣ୍ଟିରେ, ବାଳ ପଚା ବାଳ ଉପୁଡ଼ାଠୁ ଆରମ୍ଭ କରି ମୁଣ୍ଡ, ଦେହ, ହାତ, ଗଣ୍ଠି, ଇତ୍ୟାଦିର ଯାବତୀୟ ପ୍ରକାର ବେମାରି ଆଉ ବ୍ୟାଧିପାଇଁ ଅଁଳା ତେଲର ଯୋଉ କେତୋଟି ଗୁଣ କୀର୍ତ୍ତନ କରାଯାଇଥିଲା ତାକୁ ଯେତେ ମନେ ପକେଇ ଶୁଣିଥିଲା, ପ୍ରଚାର ଉଦ୍ଦେଶ୍ୟରେ ଶସ୍ତା ବିକ୍ରି କଥାଟାରେ ତା’ଠୁ ବେଶୀ ଲୋଭେଇ ଯାଇଥିଲା । କୌଣସି ଦିନ ଗୁରୁତ୍ଵ ଦେଇନଥିବା କଡ଼ୁ କଡ଼ୁ ପାଚି ଆସିଥିବା ନିଜର କେତେ କେରା ବି ହଠାତ୍‌ ଗୁରୁତ୍ଵପୂର୍ଣ୍ଣ ଖିଆଲକୁ ଆସିଯାଇଥିଲେ ।

 

ଶିଖି ଦେଖି ଦାମ ମିସ୍ତ୍ରୀ ଦାବନ୍‍ଟିଏ ହେବା ସାଙ୍ଗେ ସାଙ୍ଗେ ସାବଧାନ କରି ଦେଇଥିଲା-। ଦାମ ମିସ୍ତ୍ରୀର ଦାବନ୍‌ଟା, ସାବଧାନ ବାଣୀଟା ତା’ପରେ ଛପିଥିଲା, ହେନା ଯେତେବେଳେ ଅଁଳା ତେଲର ମହକ୍‌ଟାକୁ ମହ ମହ ବାସି ଯାଉଚି ବୋଲି ମତ ଦେଇଥିଲା !

 

ଦାମ ମିସ୍ତ୍ରୀର ସାବଧାନ ବାଣୀକୁ ଅନେକ ଅଂଶରେ ବିଶ୍ଵାସ କରିଥିଲା । ସାବଧାନ ବାଣୀରେ ଓଲଟା ଫଳର ଆଶଙ୍କାଟା ଶୁଣି ବି ପକେଟରୁ ଯାଇଚି ଯେତେବେଳେ ପୂରାପୂରି ଛାଡ଼ି ଦବାଟା ଠିକ୍‌ ହବ ନାଇଁ ଠିକ୍‌ କରି, ଅଧାଅଧି ମାଖି ରଖିଦେଇଥିଲା । ଫଳର ଓଲଟା ଆଶଙ୍କାଟାକୁ ବିଶ୍ଵାସରେ ଆଣିଲେ ବି କିଣିଲା ବେଳେ ନିଜେ ଅନୁଭବ କରିଥିବା ଗନ୍ଧ ହେନାର ମତାମତଟି ଭିତରେ ପ୍ରାୟ ଛନ୍ଦ ରଖି ଚାଲିଥିଲା । ହେନା ଯେତେବେଳେ ମଝିରେ ମଝିରେ ଟୁଙ୍ଗି ଭିତରେ ମୁଣ୍ଡ ତେଲର ବାସନା ବିଞ୍ଚି ଦେଇ ଚାଲିଯାଏ, ପ୍ରସ୍ଥାନ ପରେ ପରେ ଫାଙ୍କା ପଡ଼ିଯାଉଥିବା ବାସନା ଉଦ୍ଦେଶ୍ୟରେ ପେଡ଼ି ଆଡ଼କୁ ହାତ ନିଏ ।

 

ଭଗାରି ପସ୍ତେଇ ହଉଚି ସେଇ ଅଧାଅଧି ତରଳ ସବୁଜ ଭରା ଶିଶିଟି ପାଇଁ—ଆସିଲାବେଳେ ହେନାକୁ ଦେଇଚି । ସୁନ୍ଦରୀ ମନେ ପଡ଼ିଲାଣି । କେତେ ଦିନୁ ଦେଖି ନଥିବା ସୁନ୍ଦରୀ ବେଶୀ ବେଶୀ ମନେ ପଡ଼ି ପଡ଼ି ଆସୁଚି ।

 

ବାଟ କଡ଼ । ଆମ୍ବ ଗଛ ଛାଇ । ଛାଇ ତଳେ ବସି ପଡ଼ିଲା ଭଗାରି । ଦୂରର, ପାଖର, ଆହୁରି ଦୂରର ପାହାଡ଼, ମୁଣ୍ଡିଆ, ପାବ୍‌ଲି, ଲଟା, ବୁଦା, ବଣ—ଖଣ୍ଡକୁଖଣ୍ଡ ଛପେଇ ଆକାଶ ନେଳିକୁ ବି ଛପେଇ ଦବାକୁ ବସିଚି ଚଇତି ଧୂଆଁ । ଚଇତି ଖରା ଟାଇଁ ଟାଇଁ ମାଡ଼ି ଆସିଲାଣି ।

 

ଗଣ୍ଡିରାରେ ମୁଣ୍ଡ ଦେଇ ଭଗାରି ଗଡ଼ିପଡ଼ିଲା ।

 

ପାଖ ଗଛରେ ପେନ୍ଥା ପେନ୍ଥା ମହୁଲ । ଗୋଟେ ଅଧେ ଟୁପ୍‌ ଟାପ୍‌ ପଡ଼ୁଚି । ଭଗାରି ଚାହିଁଥିଲା । ଗୁର୍‍ ଗୁର୍‍ ହେଲା—ରଇଥା, ଇଥ୍‌ର କେନ୍‌ ଆଡ଼େ ଯିବୁ ? ପାଖ୍‌କୁ ତ ଆଇଲିଣି । ମର୍‌ ହୁଡ଼ାରେ କି ତର୍‌ ହୁଡ଼ାରେ ଠିକ୍‌ ଜାଣ୍‌ବୁ !

 

ଝାଳନାଳ ହେଇ ଗଡ଼ିପଡ଼ିଥିଲା ଭଗାରି । ଛାଇ ତଳେ ପବନର ସ୍ଵାଦ ଅନୁଭବ କରୁଥିଲା । ଆମ୍ବ, ମହୁଲ, ବଉଳ । ବାସନାବୁହା ମଳୟ ପବନ ଆସୁଥିଲା ସିନା, ମୁଣ୍ଡ ଉପରକୁ ଉଠି ଉଠି ଆସୁଥିବା ବେଳଟାରେ ମଉଳି ମଉଳି ଯାଇଥିଲା । ମଉଳି ଥିଲେ ବି ଛାଇତଳର ସ୍ଵାଦୁ ମନ୍ଦ ନଥିଲା ।

 

ଆଖି ପତା ମାଡ଼ି ମାଡ଼ି ଆସୁଥିଲା ।

 

—କେବେ ଆଇବ ଫେର୍‌ ?

 

—ଆଇବି ?

 

—ଆଉ ନାଇ ଆସୁକାଁରେ ଭାଇ ?

 

—କାହିଁ ଲାଗି ଆଇବି ଆଉ ? କାମ ତ ଛାଡ଼ିଦେଲି ।

 

—ଛାଡ଼ି ଦେଲୁ ? ଆଁ !

 

ତଳକୁ ମୁହଁପୋତି ହେନା ଲେଉଟ ପାଉଟ କରି ଦେଖୁଥିଲା । କବଟା ଖଣ୍ଡକ—ସୁନ୍ଦରୀ ପାଇଁ କିଣା କବ୍‌ଟା ଖଣ୍ଡକ ।

 

ବନ୍ଧାବନ୍ଧି ଆଡ଼ୁ କଣେଇ ଚାହିଁ ଟିକିଏ ପାଖେଇ ଆସିଥିଲା । ଭଗାରି—ତୁଇ, ତୁଇ କାଁଦୁଚୁ ?

 

—ନାଇଁ ତ ।

 

—ନାଇଁ ତ କାଇଁଟା ? ଏଦି ତ, ତର୍‍ ଆଖିରେ କେତେ ଲୁହ !

 

ଆଖି ପୋଛିଥିଲା ହେନା ।

 

—ନାଇଁ କାଁଦ୍, ନାଇଁ କାଁଦ୍ । ମୁଇଁ ଫେର୍‌ ଆଇବି ଯେ । ଇ ଗଡ ସହର୍‌ଟା ମର୍‌ ପଣିଘାଟ ! ସତେ ଲ,ଇ ଗଡ଼୍‍ ସହର୍‌ଟା ମତେ ଭଲ୍‌ ଲାଗ୍‌ସି । ରଇଥା ଦେଖ୍‌ବୁ, ଇ’ଠି ଡିହ ନେବି, ବାଡ଼ି ନେବି, ଜମି ନେବି । ଇ’ଠି ଘର ବନେଇବି । ତମର୍ ଇ ସାଇ ପାଖ୍‌ରେ, ନାଇଁ ନାଇଁ ଇ ସାଇ ଭିତ୍‌ରେ ଡିହ ଖଁଡ଼େ ଦେଖିଥିବୁ ତ–ମର୍‌ ଲାଗି ଖଁଡ଼େ ଆଖେଇ ଥିବୁ ତ । ଇ ପାଖ୍‌ରେ, ତମର୍‌ ଇ’ ସାଇରେ । ଆଁ ? ଆଁ ?

 

ମାଡ଼ିମାଡ଼ି ଆସୁଥିଲା ପତା । ଅଳ୍ପ ଅଳ୍ପ ମେଲା ହେଇ ପୁଣି ବୁଜି ବୁଜି ହେଇ ଯାଉଥିଲା-

 

ତଳ ଡାଳରେ ପକ୍ଷୀ ଦୁଇଟାର ଚେଁ ଚାଁ । କାପ୍ତା ବି ଘୁମୁରୁଚି କୋଉଠି । ଦଉଡ଼ିଲା ଭଳି ଦମକାଏ ପବନ ଆସିଚି ।

 

ଭଗାରି ମଟକରି ଚାହିଁଦେଲା ।

 

ସେଇ ମହୁଲ ଗଛଟା ।

 

ଗଡ଼ତିଆ ଘର ଖେତ ହୁଡ଼ାର ଗଦା ଗଦା ମହୁଲ ଗଛ ସାମନାରେ ଝୁଲି ଉଠିଲା । ଆହୁରି ବି ଶୁଭି ଯାଉଥିଲା ଗଡ଼ତିଆଣିର କଥା ପଦେ—ସୁନାଟିକେ ଗୁଣାଟିକେ ଲାଗି ତର୍‌ ମାଇଝି କେତେ ରକ୍‌ ସକ୍‌ ହଉଚି । ଗଢ଼େଇ ଦେ, ଗଢ଼େଇ ଦେ ରେ ।

 

ଉଠିପଡ଼ିଲା ଭଗାରି । ଆଗେଇଲା ।

 

ଚିହ୍ନା ବାଟୋଇ ଟିଏ ଡାକି ପକେଇଚି

 

ଏ ଭଗାରି, ଏ ଭଗାରି !

 

ସାମ୍‌ନା ସାମ୍‌ନିରେ ଅଟକ ନାଇଁ । ଆଗେଇ ଯିବା ପରେ ବି ଅଟକି ନାଇ ।

 

—ରଇଥା, ରଇଥା ।

 

—ନାଇଁ ନାଇଁ ବେଳ ନାଇଁ ପାଏ ମତେ ।

 

ଆଗେଇ ଚାଲିଚି ଭଗାରି । ପାହାଡ଼ କଡ଼ ଉଠାଣି ବଙ୍କା ଟଙ୍କାରେ ଉଠି ଚାଲିଛି ।

 

ଉଠାଣି, ଖସାଣି—–ପାହାଡ଼ ଶେଷ ମୁଣ୍ଡ ଆଡ଼କୁ ହେଲା ବେଳକୁ ପାହାଡ଼ କଡ଼ ଝଙ୍କା ଝରଣି ଆମ୍ବ ଗଛ ଛାଇତଳେ ହଠାତ୍‍ ଟିକିଏ ଠିଆ ହେଇ ପଡ଼ିଲା । ଠିକ ସେଇଠି ପାହାଡ଼ କାନ୍ଥରୁ ଉହୁଙ୍କି ଆସିଚି ବଡ଼ ପଥରଟାଏ । ଏଇ ଅବା ଖସିପଡ଼ିବା ଭାବଟା ଘସରା ହେଇ କେବେଠୁ ଅଚଳ ଅବସ୍ଥାକୁ ଆସି ଯାଇଚି ।

 

ତିଆରି ଚାଲିଥିବା କୋଠାର ମୁଣ୍ଡ ଭାଗଟା ଦିଶିଲାଣି । ଗାଁ ଦିଶି ନାଇଁ । ଜାଗାଟା ଅନୁମାନରେ ଆସୁଚି ।

 

ଗାଁ ଛପିଥିଲା କୋଠା ଦିଶୁଥିଲା ।

 

ଗଡ଼ର ସେଇ ତଳ ସାଇରୁ କେତେଟା କୋଠା ର ମୁଣ୍ଡ ଭାଗ ଅଣ୍ଟାଭାଗ ଦିଶେ । ହେନା ଘର ଅଗଣାର ସଜନା ଗଛକୁ ଚଢ଼ି ଅଗ ଡାଳକୁ ଆଙ୍କୁଡ଼ି ବଢ଼େଇଲା ବେଳେ ଆହୁରି ଭଲ ଭାବରେ ଦିଶେ ରାଜବାଟିର କୋଠାଗୁଡ଼ିକ ।

 

—ଏ ବୁଢ଼ୀ, ନାଇନି କାଁ ?

 

—କିଏ ରେ ବା ?

 

—ଛୁଆ ଛାଡ଼ି କେନ୍‌ଆଡ଼େ ଯାଇଚି ?

 

—ଏ ବା, ଉତ୍‌ରିଆ ଉତ୍‌ରିଆ । ମଟ୍‌କାଟା !

 

—ହେନା କେନ୍‌ଆଡ଼େ ଯାଇଚି ? କେନ୍‌ଆଡ଼େ ଯାଇଚି ?

 

—ସତେ ରେ ବା, ଥରେ ସଜ୍‌ନା ଗଛ୍‌ରେ ଚଢ଼ିକରି, କିଏ ତ ଗୁଟେ, ଉଁ .... ନାଁ ଟା ଇ ଅଗ୍‌ ଜିଭ୍‌ରେ ଅଛିରେ ବା ।

 

ଆଗେଇ ଚାଲୁ ଚାଲୁ ଝୁଣ୍ଟି ହେଇ ପଡ଼ିଚି ଭଗାରି । ନଖ ଫାଟିଛି । ଟିକିଏ ଝରିବା ଉପରେ ।

 

—ଆଃ !

 

ପାଦ ଆଡ଼େ ହାତ ନଉଥିଲା ଭଗାରି । ଖିଆଲ ପରଠୁ ଯନ୍ତ୍ରଣାଟା ଚିରିଆସୁଚି ।

 

—ହେଟା ଗୁଟେ ଏନ୍‌ତିଟେ !

 

—ନାଇଁ ଜାଣିଥିଲି କାଁ ?

 

—ନାଇଁ ଜାଣିଥିଲି ?

 

—କେନତି ନାଇଁ ଜାଣ୍‌ଲି ? ଗୁଟାକୁ ଗୁଟା ରଂଗଢ଼ଙ୍ଗିଆ କେନ୍‌ଠୁ ପାଇସି ?

 

ଛାଇ ତଳେ ବସିଯାଇଚି ଭଗାରି । ଗାଁ ଦିଗକୁ ଆଖି ଚାଲିଯାଉଚି ।

 

—ନାଇଁ, ନାଇଁ, ନାଇଁ ଲ ସୁନ୍ଦ୍‍ରି, ମୁଇଁ ନାଇଁ ଜାଣି ଏତେ କଥା ! ତର୍‌ଠୁ ତ ଏଦି ଶୁଣ୍‌ଲି । ତତେ କିଏ ଲଗେଇ ଯଚେଇ । କହିଚି....ହେତ୍‌ ! ହେତ୍‌ ! କେନ୍‌ଠୁ ଜାଣ୍‌ଲୁ ଏତେ କଥା-? ନାଇଁ, ନାଇଁ, ନାଇଁ ମୁଁଇ ଇଥ୍‌ରେ ନାଇଁ ।

 

ଛି, ଛି ...... ନାଇଁ ବିଶାସ୍‌ କରୁଚୁ ମର୍‍ କଥା ? ନାଇ ହେଲେ ନାଇଁ । ଭଲ୍‌କୁ ସଭିଏ କହିବେ ଭଲ୍‌ । ତୁଇ ନାଇଁ କହିଲେ ମର୍‌ କାଇଁଟା ଗଲା ? ଯାଃ ..... କହୁଚୁ ବଇଲେ ଭଲ୍‌ କଲି । ତର୍‌ଆଗ୍‌ରେ ଏନ୍‌ତି କି ସେନ୍‌ତି କଲେ ପାଶୀ ଦବୁ କାଁ ?

 

ହେନାର ରୂପଟା ଦିଶିଯାଉଥିଲା—ଜଳିଲା ଭଳି ଦାଉ ଦାଉ !

 

ଭଗାରି ଆଗେଇ ଚାଲିଛି । ଗାଁ ଟା ପ୍ରାୟ ଦିଶିଲାଣି ।

 

ସୁନ୍ଦରୀଠୁ ସବାତଳ ଯାଏଁ ଉଙ୍କି ମାରିଲେଣି ।

 

ଆଗଆଡ଼ର ମୁଣ୍ଡିଆକୁ ଚାହିଁ ଆଗେଇ ଚାଲିଛି ।

 

ମୁଣ୍ଡିଆ ଗଡ଼ାଣିରେ ସାହାଲ ପରେ ସାହାଲା ଗଢ଼ାଚାଲିଛି । କୋଉ ସାହାଲାର ତଳ ସରିନାଇଁ । କୋଉ ସାହାଲାର ମହକ ଉଠିଲାଣି । ମଣିଷ, ହାତୀ, ହାତ, ହତିଆର, ବଳଦଗାଡ଼ି କାହାକୁ କେନ୍ଦ୍ର କରି କିଏ, କାହାକୁ କଡ଼ କରି କିଏ, କାହାକୁ କାହାକୁ କେନ୍ଦ୍ର କରି କିଏ, କାହାକୁ କଡ଼ା କରି କିଏ, କାହାକୁ ତଳେ, କାହାକୁ ଉପରେ, କାହାକୁ ତେଢ଼େଇ, କାହାକୁ ମଡ଼େଇ—କାହା ସହିତ କିଏ କୌ ସମ୍ବନ୍ଧ ରଖି ଆଗେଇ ଚାଲିଛି, ଗରଜି ଚାଲିଛି, ନୀରବ ରହିଛି, ସ୍ଥିର ରହିଛି; ଅସ୍ଥିର ହେଉଚି ।

 

ଗାଁ ମୁଣ୍ଡରୁ ବାଟ ଭାଙ୍ଗି ଚାଲିଯାଉଥିବା ଜଣେ ଚିହ୍ନା ବାଟୋଇଠୁ କଥାଟେ ଶୁଣି ଚିନ୍ତିତ ହୋଇ ଘରକୁ ଫେରିଲା ଚଇତା । ଅହିଲାକୁ କହିଲା—ମୁଇଁ ଯେନ୍‍ଟା ଭାବୁଥିଲି,

 

—କାଇଁଟା ?

 

—ତର୍‍ ଛୁଆ ଯୁଡ଼ାକ କଥା ଲ ।

 

ହଠାତ୍ ଗମ୍ଭୀର ହୋଇଉଠିଲା ଅହିଲା । ମୁହଁ ଫେରେଇଲା । ରନ୍ଧାଘରକୁ ପଶିଯିବାକୁ ବସିଲା ।

 

ଚଇତା ଡାକିଲା—ଶୁଣ୍‍ । ମର କଥାଟା ଟିକେ ଶୁଣ ।

 

ଅହିଲା ପାଦ ବଢ଼ଉଥିଲା । ଅଟକିଯାଉଥିଲା ।

 

ପାଖେଇଗଲା ଚଇତା—ଏଦି ତ, ଇଖ୍‌ଣି ଫେର୍‌ ଶୁଣ୍‌ଲି । ଅଠି ପହର୍‌ ରେଁ ରେଁ ମାଁ ମାଁ ହଉଚି ।

 

—ହଉଥାଉ ।

 

—ନାଇଁ ବଁଚେଲ । ବେଗେ ଯାଇ ନାଇଁ ଆଣ୍‌ଲେ ନାଇଁ, ବଁଚେଁ ।

 

—ନାଇଁ ବଁଚ୍‌ଲେ ନାଇଁ ।

 

—ଆଁ ! ଆଁ ! ତୁଇ ତାର୍‌ ମାଁ ?

 

ମୁହଁ ପୋତିବି ଅହିଲା ।

 

ପାଖେଇଗଲା ଚଇତା—ସତେ ଲ, ନାଇଁ ଆଣ୍‌ଲେ ନାଇଁ ବ ଚେ ବଲି ଶୁଣ୍‌ଲି । ମୁଇଁ ଯିବି କାଁ ?

 

—ନାଇଁ ।

 

—ନାଇଁ ଲ ଯାଉଚିଁ । କହିବୁଲି ନେଇ ଆଇବି ।

 

—ଆଣୁଥ । ତମେ ତମର୍‍ ଆଣୁଥ । ତମେ ବୁଝୁଥିବ ତମେ ସୁଝୁଥିବ ।

 

ଚଇତା ଚାହିଁଲା ଉପରକୁ ।

 

ମୁହଁ ଫେରେଇଲା । ଅହିଲା ଆଡ଼େ ଚାହିଁଲା । ଭିତରଟା ଜଳି ଜଳି ଆସୁଥିଲା ।

 

ଗୁମ୍ ମାରି ଦାଣ୍ଡ ଆଡ଼େ ଆଗେଇଗଲା ।

 

ଅହିଲା ଉଙ୍କି ମାରିଲା ଦାଣ୍ଡକୁ ।

 

ଚଇତା ଶୋଇଚି । ମୁହଁ ମାଡ଼ି ଶୋଇଚି । ବାହାରେ ଅନ୍ଧାର । ଶେଷ ଜେଷ୍ଠର ମେଘ ଖଣ୍ଡେ ଉଠି ଆସିଛି । ସଞ୍ଜ ପହରୁ ମେଘକୁ ଅନେଇଥିଲା ଚଇତା ।

 

ଚଇତା ଶୋଇଚି । ରନ୍ଧାଘର ତାଟି ବାନ୍ଧି ଅହିଲା ଆସିଲା । ଡିବିରି ଶିଖା ଦୋହଲୁଚି । ଫୁଙ୍କି ଦେଇ ଲିଭେଇ ଦେବା ଆଗରୁ ପଣତ ପବନରେ ଲିଭିଲା । ଅନ୍ଧାର । ପାଦେ ପାଦେ ପଟିଆ ଆଡ଼େ ଆଗେଇ ଗଲା ।

 

—ଶୁଇଲଣି ? ଆଁ ?

 

ଉତ୍ତର ପାଇଲା ନାଇଁ ।

 

ଝଲକାଏ ଝକ୍‍ ଝକ୍‍ ରେ ଚଇତାକୁ ଦେଖିନେଲା । ତା ପର ପର ଘଡ଼ ଘଡ଼ ରେ ପାଖେଇ ଆସିଲା ।

 

—ଇ ମାଁ ଗ !

 

ଚଇତା ପାଖକୁ ଲାଗିବସିଲା ।

 

—ଶୁଇଲଣ ! ଆଁ ? ଇ ଘଡ଼୍‍ଘଡ଼ିଟା କେନ୍‍ଠି ମାଇଲା କାଇଁସେ ? ନାଇଁ ? ଶୁଇଲଣ, ହ’ଗ ଏ, ଶୁଇ ପଡ଼ୁଚ କାଁ ? ଆଁ ?

 

ବାହାରେ ଝରିଲାଣି । ତାଟିଫାଙ୍କ, ଚାଳିଆ ଫାଙ୍କରେ ଦମକାଏ ଦମକା ପଶିଲାଣି ।

 

ଅନ୍ଧାର ଭିତରେ ଛପିରହିଚି ଅହିଲାର ଆଖି । ଆକ୍ରୋଶ ମିଶା ଗଳା, ଅଭିମାନ ମିଶା ଗଳା—କାହିଁ ଲାଗି ମତେ ଏନ୍‌ତି କରୁଚ ଗ । ମୁଇଁ କାଇଁ ଦୁଷ କଲି ? ତମର୍‍ ପୁଅ ନାଇଁ ଆଇଲା, ତମର୍‌ ବହୁ ନାଇଁ ଆଇଲା, ଏଥିର୍‌ ଲାଗି ମୁଇଁ ଦୁଷି ?

 

ସୁଁ, ସୁଁ ।

 

କଡ଼ ଲେଉଟେଇଲା ଚଇତା—ଉଁ, ଶୁଇ ପଡ଼୍‍ ନାଇଁ ଯେ ।

 

—ମତେ କହିଁ ଲାଗି ଏନତି କରୁଚ ଗ ?

 

—କାଇଁଟା କଲି ?

 

—ତମର୍‌ ପୁଅ, ବହୁ, ନାତି, ନାତ୍‌ଣି ନାଇଁ ଆଇଲେ, ଇଥର୍‌ ଲାଗି ମୁଇଁ ଦୁଷି କାଁ ଗ ?

 

—ତତେ ଦୁଷ ଦେଲି କାଁ ଲ ?

 

—କାହିଁ ଲାଗି ଡାକ୍‌ଲେ ହାକ୍‌ଲେ ନାଇଁ ଶୁଣୁଚ ଯେ ?

 

—କେବେ ନାଇଁ ଶୁଣଲି ?

 

ଅନ୍ଧାର ଭିତରେ ଅହିଲାକୁ ଦେଖିପାରୁ ନଥିଲେ ବି ଅନେକଟା ଅନୁମାନ କରିପାରୁ ଥିଲା ।

 

—ମୁଇଁ ମର୍‌ ମାଁ ଘର୍‌କୁ ବାହାର୍‌ଲି । ତମେ ସଁମାଳୁଥ ତମର୍‌ ଘର ।

 

ଉତ୍ତର ଦେଲା ନାଇଁ ଚଇତା । ଗମ୍ଭୀର ହେଲା । କାମକୁ ଗଲା ।

 

ହଳ ବୁଲାଉ ବୁଲାଉ ତୀର୍ଥ କହିଲା—ଭଲ୍‌କରି ମୁଁ ଦେଇଚି ରେ ।

 

କମଳୁ ଗୀତ ଧରିଚି .....

 

ଅଶକ ବନରେ ଯେ ଅସୁରି ଜଗାଏ .... ଏ ..... ହ, ହ ହ......

 

ପହିଲି ଓଦା ମାଟିରେ ହଳ ବୁଲାଉ ବୁଲାଉ ତୀର୍ଥ ପାଟି ଶୁଣାଗଲା । ଶୁଭିଲାଟାରେ ବେଳେ ବେଳେ ହୁଁ ହାଁ କରୁଥିଲା । ବେଳେ ବେଳେ ଚୁପ ରହୁଥିଲା । ବେଳେବେଳେ ଚିଡ଼ି ଉଠି ପାଞ୍ଚଣ ପାହାର ବସାଉଥିଲା—ଆଇଗେ । ଉଃ !

 

ମେଘରେ ବୁଡ଼ ବୁଡ଼ି ଯାଇଚି ପାହାଡ଼ । ସବୁଜ ଛପି ଛପି ଯାଉଚି । ମେଘ ଆଡ଼େ ବେଳେ ବେଳେ ଆଖି ଫେରେଇ ନଉଥିଲା ଚଇତା । ବେଳେ ବେଳେ ଭାବୁଥିଲା ପଳେଇଥିବା କଥାଟା ପଦାରେ ନପଡ଼ୁ । ପଦାରେ ପଡ଼ିବା ଆଗରୁ ନେଇ ଆସିଲେ ଭଲ ହୁଅନ୍ତା ।

 

ନବଘନ ଅନେଇ ଥିଲା ଚଇତା ଆଡ଼େ । ବଡ଼ ପୁଅଠୁ ଶୁଣିପାରିଲାଣି ଅହିଲାର ଦୁମ୍‍ ଦୁମ୍‍ ଚାଲିଟା ।

 

ଘରେ ପାଦ ଦଉ ଦଉ ସ୍ତ୍ରୀକୁ ପଚାରିଲା—ବହୁ କାହିଁ ଲାଗି ପଳେଇଲେ ?

 

—ନାଇଁ ତ ।

 

—ନାଇଁ ତ କାଇଁଟା ? ସବୁ ଜାଣିଚୁ । ପଚାର୍‌ଲେ କି ଉଚାର୍‌ଲେ .....

 

—ନାଇଁ ଗ ।

 

—ଅଜାଣି ଟା !

 

ସ୍ତ୍ରୀ ମୁହଁକୁ ନିକିଟି ଚାହିଁ ଥିଲା ନବଘନ ।

 

ଭାଙ୍ଗ ଟିପେ ପାଇଁ କମଳୁ ଆସିଚି—ଅହିଲା ପଳେଇଚି କାଁ ରେ ? ଟୁପ୍‌ଟାପ୍‌ ତ ହଉଚନ୍‌ ।

 

ଭାଙ୍ଗ ଡବା ବଢ଼େଇଦେଲା ଚଇତା ।

 

ଛେପ କଳ କଳ ପାଟିରେ କମଳୁ କହିଚାଲିଲା—ହେତ୍‍, କାହିଁ ଲାଗି ପଲେଇବ ? ମାଁ ଘରକୁ ଯିବି ଯିବି ତ ହଉଥିଲା ।

 

କମଳୁର କଥାଟା ଏତିକିରେ ବନ୍ଦ ରହିଲା । ମନେପଡ଼ିଗଲା ଆଉ ଗୋଟିଏ କଥା । ଏଇକ୍ଷଣିକି ଆଉଟିକକରେ ଗାଁକୁ କନିଆ ଦେଖି ଆସିବେ ଜହ୍ନି ମୁଣ୍ଡାରୁ କେତେ ଜଣ । ବନ୍ଧୁରେ ବନ୍ଧ ବାନ୍ଧି, ବନ୍ଧ ଘେରା ପାଣିରେ ପଟୁଆ ପକେଇ ପଦ୍ମିନୀ କନ୍ୟା ତୋଳାତୋଳି ଅଧ୍ୟାୟଟା ଆରମ୍ଭ ହେବା ଆଗରୁ, ହସକୁ ଚାପିଚୁପି ରଖିବା ସାଙ୍ଗେ ସାଙ୍ଗେ ଗମ୍ଭୀର ଦିଶିଲା ଭଳି, ଆଶଙ୍କା ଉପୁଜିଲା ଭଳି ହାବଭାବ ମୁହଁ ପରଦାରେ ଫୁଟେଇ, ଅଙ୍ଗଭଙ୍ଗିରେ ଫୁଟେଇ କନିଆ ଦେଖା ଦଳକୁ ଦେଖେଇ ଦେଖେଇ ଏଇ ଗୁଡ଼ିକ କହିବି ବୋଲି ମନେ ମନେ ଠିକ କରି ନଉଚି–ଆମର୍‌ ପଟର୍‌ ସଭିଏଁ ଶୁଣ ହୋ ସଭିଏଁ ଶୁଣ । ଆମର୍‌ ଗାଁକୁ ଆଇଚନ୍‌ କେତ୍‌ ଜଣ୍‌ ଯେ, ତାଁ କର୍‌ ଏଡ଼େ ଏଡ଼େ ପାଟି ! ଏଡ଼େ ଏଡ଼େ କାନ ! ଏଡ଼େ ଏଡ଼େ ନାକ ! ଏଡ଼େ ଏଡ଼େ ଦାଁତ ! ପଚାର ତ ଇମାନେ କିଏ ? ପଚାର ତ ବୁକ୍‌ ଚାପତର୍‌ ଠେଗାବାଡ଼ି ଧରି ଆମର୍‌ ଗାଁ କୁ କାହିଁ ଲାଗି ଆଇନନ୍‌ । ପଚାର ତ ଇ’ମାନେ କାହିଁ ଲାଗି .....

 

ସଞ୍ଜପହରର ଟିକିଏ ଆଗରୁ ସୁନ୍ଦରୀ ଖୋସା ପାରୁଚି । ତେଲ ଜର୍‌ ଜର୍‌ ଜକ୍‌ ଜକ୍‌ । ଗଡ଼ତିଆଣିଠୁ ଆଜି ମୁକୁଳେଇଚି ଗୁଣାଟେ । ମାଜି ଘସି ସେ ବି ଚକ୍‌ଚକ୍‌ । ହରଡି ଫାଳରୁ ଯୋଡ଼ିଏ ବି ମୁକୁଳେଇଚି । କଳା ପୋହଳା ଭିତରେ ତାକୁ ବି ଗୁନ୍ଥି ସାରିଲାଣି ।

 

ପାଖ ପାଖ ହଉଚି ଭଗାରି । ସୁନ୍ଦରୀ ଆଡ଼େ ଟିକିଏ ଟିକିଏ କଣେଇ ଚାହୁଁଚି । ଦାଣ୍ଡ ଆଡ଼େ ବାଡ଼ି ଆଡ଼େ ହଉଚି । ନୂଆ ତୋଳା ଚାଳିଆ ଭିତରେ ପଶିଯାଇ ପଟିଆରେ ଟିକିଏ ଗଡ଼ି ଯାଇଚି ।

 

ଆଜି ପହିଲି କରି ଗଡ଼ିବାକୁ ଟିକିଏ ଫୁରସତ୍‌ ପାଇଚି । ଗଡ଼ରୁ ଆସି ପହଞ୍ଚିବା ପହିଲି ଦିନ ଘରର ଅବସ୍ଥା ଯାହା ଦେଖିଥିଲା ବେଶ୍‌ ଟିକିଏ ଭାଙ୍ଗି ପଡ଼ିଥିଲା । ପହଞ୍ଚିବା ଆଗରୁ ଗାଁ ପୋଡ଼ିଥିଲା ।

 

ବାସୀ ଦିନଠୁ ଲାଗିଯାଇଥିଲା ପହିଲେ ବାସ ଖଣ୍ଡକ ଠିଆ କରିବାର ଯୋଗାଡ଼ରେ ।

 

ପୁରୁଣା ଜାମୁନାଳିକୁ ପୁଣିଥରେ ମନେ ମନେ ବାଛି ଥିଲା । ଜାମୁନାଳି ଗଡ଼ତିଆ ପୁଅ ବନ୍ଧା ହୋଇ ଗଡ଼କୁ ନିଆ ହେବାର ଖବରଟେ ଶୁଣି ସେ ଗାଁ ରେ ପାଦ ଦବାକୁ ବି ଦବିଗଲା । ଖବରଟେ ପାଇ ମନକୁ ମନ ଭାବୁଥିଲା, ନାଇଁ ତ, ଗଡ଼ତିଆ ଘର ସେନ୍‌ତି ନାଇଁ ତ । କେଜାଣି, ଏବ୍‌କୁ ..... ଏବ୍‌କୁ ।

 

ଗଡ଼ତିଆଙ୍କୁ ଯାଇ କହିଦେବାକୁ ମନ କରୁଥିଲା, ଜାଣୁଚ ତ ରଜା ଗୁଜା, ଯେନ୍‌ଟା ବୁଝ୍‌ବେ ସେଟା, କାହିଁ ଲାଗି ତମର୍‌ ପୁଅ ମାତିଥିଲା ?

 

ଯିବାକୁ ପାଦ ବଢ଼ିନାଇଁ । ଗାଁରେ କିନ୍ତୁ ପ୍ରକାଶ୍ୟରେ କହି ବୁଲିଥିଲା—ରଜାକୁ ତଡ଼୍‍ବେ ଇମାନେ ? ସାଇବକୁ ତଡ଼୍‌ବେ ଇ’ମାନେ ? ଫୁଃ ! କେନ୍‌ ମୁଣ୍‌ଷରେ ମୁଣ୍‌ଷ ଇମାନେ ! ରଜ୍ଜା, ରଜା ତ ପୂଜା ପାଇବା କଥା ...... ତାଁକ୍‌ର ସାଁଗ୍‌ରେ ?

 

ମୁଣ୍ଡିଆ ତଳ ନୂଆ କୋଠା କାମରେ ଥିବାବେଳେ ରଜା, ପଟେଇତ ବିଜେ କରିବେ ଶୁଣି ଆମ୍ବ ତୋରଣ ପୂର୍ଣ୍ଣ କୁମ୍ଭର ଆୟୋଜନ କରିବାକୁ ମତେଇଥିଲା ।

 

ଜାମୁନାଳି ଖବରଟା ଭଲ ଭାବରେ ଜାଣିବାକୁ ମଇତିର ଭାଇର ଶଳା ଘରକୁ ବି ଯାଇଥିଲା ! ମଇତିର ଭାଇର ଶଳା ନିଜ ଥାନାରେ ସିପେଇ । ଘରେ ନ ଦେଖି ଥାନାକୁ ଯାଇଥିଲା-। ମଇତିର ଭାଇର ଶଳାକୁ ଖାକି ଖୋଳରେ ଦେଖୁ ଦେଖୁ, ନିଜ ଭିତରଟା ଖୋଲା ଖୋଲି ଭାବରେ ଖୋଳା ଖୋଳି କରି ଯେତେ ଢାଳିଦେଇ ଯେତେ ଆଦାୟ କରିବାକୁ ଭାବିଥିଲା ତା କରି ପାରି ନାଇଁ । ପଦା ଆଡ଼େ ପଦେ ଅଧେ ହେଇ ଫେରି ଆସିଥିଲା ।

 

ଗଡ଼ରୁ ଫେରିବା ପରେ ଆଜି ପହିଲି କରି ଟିକିଏ ଗଡ଼ିବାକୁ ଫୁର୍‌ସତ୍‌ ପାଇଚି ଭଗାରି-

 

ଚେଇଁ ଶୋଇଚି । ଗାମେଇ ଶୋଇଚି । ଗଡ଼ରୁ ଆଣିଥିବା ଲଣ୍ଠନଟି ଦବେଇ ଦେଇଚି । ସାନ ପୁଅଟି ଖୁବ୍‌ ପାଖରେ ଶୋଇଚି । ସେପାଖ ଚାଳିଆର ସୁଲ ନାନୀ ପାଖରେ ନେଉଳି ଶୋଇବାର ଠିକ୍‌ ହୋଇଚି ।

 

ଅକର୍ମ ବିରକ୍ତ ହେଇଥିଲା—ଇ ଘରେ କେନ୍‍ଠି ଜାଗା ହବ ତତେ ? ମାଁ ପାଖରେ ଶୁ ନାଇଁ ଯେ ।

 

ଭଗାରି କରିଥିଲା—ନାନୀ ପାଖ୍‍ରେ ଆଜିକ ଶୁଇଥାଇ । ଇ’ ଘରଟା ଉଦା ଉଦା ହେଇଚି । ଖାସ ଲେସ୍‌ ମଟେ ତ ଧରିଥିଲା । ଲେଉଟେଇ ଦବ ବଇଲେ ରଖିଥୁଇ ହବ ନାଇଁ ।

 

ନୂଆ ଘର ତଲଟା ଭଲ କରି ଶୁଖି ନାଇଁ । ପିଣ୍ଡାରୁ ଏ ଘରକୁ ପଟିଆ ଉଠେଇ ଆଣିଚି-

 

ଭଗାରି ଗଡ଼ିଛି । କାନେଇଚି । ରନ୍ଧା ଘର ଆଡ଼ୁ ଖଣ୍‌ ଖାଣ୍‌, ଖଡ଼୍‌ ଖାଡ଼୍‌, ଖଣର୍‌ ଖାଣର୍‌, ଝଣର୍‌ ଝାଣର୍‌ ଭାସି ଆସୁଚି । ସୁନ୍ଦରୀ ଆଉ ସୁଲର ପାଟି ଅଳ୍ପ ଅଳ୍ପ ଶୁଭୁଚି । ଅକର୍ମ ଛୁଆରୁ ଗୋଟିଏ ଚିତ୍କାର ଛାଡ଼ିଚି ସେ ପାଖ ଘରେ । ଅନ୍ଧାର ଗୁଡ଼ିର ଭୟ ଠାରୁ ଆଦର ବୋଳା କଥାଯାଏ ଆଗେଇ ଅକର୍ମ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଚି କାନ୍ଦିଲା ଛୁଆଟିର କାନ୍ଦ ବନ୍ଦ କରିବାକୁ–କାନ୍ଦ ବନ୍ଦ କରି ଶୁଆଇ ଦେବାକୁ ।

 

ଭଗାରି ଗଡ଼ି ପଡ଼ିଚି । ଏକଡ଼ ସେକଡ଼ ହଉଚି । କଡ଼ ଲେଉଟାଇଚି । ଗୋଡ଼ ଛାଟୁଚି । ଅଣ୍ଟାଠୁ ଉପରକୁ ଉଠାଇ ପୁଣି ଖସାଉଚି । କାନଉ କାନଉ, କୁଡ଼ ବାଡ଼ ଚାଳ ଆଡ଼େ ଚାହୁଁଚି । ଝାଟିର ଠାଏ ଠାଏ ମାଟି ଲେସା ହେଇ ନାଇଁ । ନଡ଼ା ଲଦା ହେଇଚି । ଛାଉଣି ହେଇ ନାଇଁ ।

 

ସିଙ୍ଗାରି ପଡ଼ା ଗଡ଼ତିଆଙ୍କଠୁ ଏ ନଡ଼ାତକ ମିଳିଚି ।

 

ଜାମୁନାଳି ଗଡ଼ତିଆଙ୍କର ଅବସ୍ଥା ଦେଖି ସେ ଗାଁରେ ତ ପାଦ ମାଡ଼ି ନାଇଁ, ଇଚ୍ଛାପୁର ଗଡ଼ିତିଆ ପୁଅର ଇଚ୍ଛାଟା ହଠାତ୍ ବଦଳି ଯାଇଥିବାରୁ ବିସ୍ମିତ ହେଲା । ଗଡ଼ରେ ହାତୀ ଦେବି ଘୋଡ଼ା ଦେବିଟା ଏଠି ହାତ କାମ, ହତିଆର କାମ ଆଡ଼େ ଆଗେଇ ଯାଇଥିଲା—ଲଁଗ୍‌ଳ ଜାଣିଚୁ-? ଜିଆଁଳି ଜାଣିଚୁ ? ଅଖଟା ଲଗେଇ ପାର୍‌ବୁ ? ଚକଟା ଫିଟେଇ ପାର୍‌ବୁ ? ଏତେ କଥା ନାଇଁ ଜାଣ୍‌ଲେ କେନ୍‌ତି ତତେ ଖମାରିଟେ କରିଦେବି ?

 

ଗଡ଼ତିଆ ପୁଅର ଗଡ଼ କଥାଟା ଏଠି ଏତେ ବଦଳି ପାଇଥିବାରୁ ଭଗାରି ଯେତେଟା ବିସ୍ମିତ ହେଇଥିଲା ତାଠୁ ବେଶୀ ସନ୍ଦିହାନ ହେଇଥିଲା । ନିଜର ଶତୃ ଅଥଚ ଗଡ଼ତିଆ ବା ଗଡ଼ତିଆ ପୁଅର ମିତ୍ର ଗୁଡ଼ିକୁ ମନେ ମନେ ଦରାଣ୍ଡୀ ନେଉଥିଲା ।

 

ମନେ ପଡ଼ିଲେ ଏବେ ବି ଉଣ୍ଡା ଉଣ୍ଡି କରେ ।

 

ମନ ମାନିଲା ଭଳି ଖମାରି ରଖା ଗଡ଼ତିଆ ବା ବଡ଼ ଚାଷୀକୁ ପାଖ ଆଖରେ ଖୋଜିବାକୁ ଯାଇ ଖୁବ୍‌ ବେଶୀ ଅପେକ୍ଷା କରି ପାରି ନାଇଁ । ଲଙ୍ଗଳ, ଜୁଆଳି ବାଲାଙ୍କୁ ଖମାରିରେ ଗଣିବାକୁ ମନ କରେ ନାଇଁ । ହଳିଆ ଆଗରେ ବଡ଼ଟାଏ ଯୋଗ କରି ଦେଲେ ସେମାନଙ୍କ ପକ୍ଷରେ ଯଥାଯଥ ଓ ଯଥେଷ୍ଟ ବୋଲି ଧରି ନେଇଚି ।

 

ଗାଲେଇ ଶୋଇ ଭଗାରି କାନେଇଚି । ହାଣ୍ଡି ତାଟିଆ, ଚୁଡ଼ି ମାଠିର ସେଇ ଝୁଣ୍‌ଝାଣ, ଖଡ଼୍‍ ଖାଡ଼୍‌ ଆଡ଼େ କାନେଇଚି । କଡ଼ ଲେଉଟେଇଥିବା ଛୁଆଟି ଉଠି ପଡ଼ିବା ଭୟରେ ପାପୁଲିର ସଞ୍ଚାଳନକୁ ସ୍ଥିର ରଖି ଆସୁ ଆସୁ ପୁଣି ଉଠି ପଡ଼ିବା ଆଶଙ୍କା କରି ସଂଚାଳନ ସମ୍ବନ୍ଧରେ ଆହୁରି ସତର୍କ ହେଇ ଉଠୁଛି ।

 

ପଟିଆଟା ଅଳ୍ପ ଅଳ୍ପ ଜାଡ଼ି ଆସିଲାଣି । ଭିଜା ମାଟିର ଥଣ୍ଡାଟା ପଟିଆରେ ବିଛା ଅଳ୍ପ ପୋଡ଼ା କନ୍ଥାକୁ ପଶି ଆସିଲାଣି । କନ୍ଥା ଉପରେ ବିଛା ନୂଆ ମାଠ ଖଣ୍ଡକୁ ବି ଥଣ୍ଡା କରି ଦେଲାଣି-

 

ତଥାପି କି ଏକ ଉଷୁମ ଅନୁଭବ କରୁଚି ଭଗାରି । ଗଡ଼ୁ ଗଡ଼ୁ ଥଣ୍ଡା ମାଠର ଠାଆକୁ ଠାଆ ଉଷୁମ କରି ଚାଲିଚି ।

 

କେତେବେଳେ ଆଖି ବୁଜୁଛି । କେତେବେଳେ ଆଖି ଖୋଲୁଚି । ଏକଡ଼ ସେକଡ଼ ହଉଚି-। ଦେହର ଉଷୁମ ସହିତ ଲେପି ହେଇ ଯାଉଚି ବାହାରୁ ବୋହି ଆସୁଥିବା ଭିଜା ବତାଶ-। ସଞ୍ଜ ପହରରୁ ବର୍ଷାଟେ ହେଇ ଛାଡ଼ିଯାଇଛି । ଆଷାଢ଼ ଆଗର ନୂଆ ମେଘ ଘୋଟି ରହିଛି-। ଚାଳ କାନ୍ଥର ସଂଗମ ଜାଗା ଦେଇ ନୂଆ ତାଟି ପାଙ୍କ ଦେଇ ପଶି ଆସୁଚି ଦମକାଏ ଦମକାଏ ଭିଜା ପବନ ।

 

ଭଗାରି ଚାହିଁଚି ଉପରକୁ । ଜାଲି ତାଟ ବଉଁଶା, ବାଉଁଶ.....ଏସବୁ ବି ଯୋଗାଡ଼ କରିପାରିଚି ସିଙ୍ଗାରିପଡ଼ା, ଗଡ଼ତିଆଙ୍କଠୁ । ସିଙ୍ଗାରି ପଡ଼ାରୁ ଯେ ହଠାତ୍ ଏସବୁ ମିଳିବ ଏ ଆଶା କରି ନଥିଲା । ପୂରାପୂରି ଆଶା ନ ହେଲେ ବି ଆଶାଟାକୁ ଆଶଙ୍କା ଆଡ଼କୁ ଠେଲି ଦେବା ଦିଗରେ କୃପଣ ଇହେଥିଲା ।

 

ଅଳ୍ପ ଦୂରରେ ଚୁଡ଼ି ମାଠିର ଖଣ୍‍ ଖାଣ୍‍ ।

 

ଭଗାରି କଡ଼ ଲେଉଟାଇଲା । ମନେ ହେଲା ନିଦରେ ଶୋଇଚି ।

 

ଖଣ୍‌ ଖାଣ୍‌ ଦୂରେଇ ଗଲା ।

 

ଭଗାରି ପୁଣି ଏ ପାଖକୁ ଲେଉଟିଲା । ଆଖି ଖୋଲିଲା । ଦର ଆଉଜା ତାଟି ଆଡ଼େ ଚାହିଁଲା । ବିରକ୍ତ ହେଲା ।

 

ଏପାଖ ସେପାଖ ହଉ ହଉ, ତଳ ଉପର, ଏକଡ଼ ସେକଡ଼ ଆଖି ବୁଲୁଥିଲା । ସେଇ ଚାଳ, ବାଡ଼, କାନ୍ଥ.....ବର୍ତ୍ତମାନ ଅବସ୍ଥାରେ ଏ ବାଉଁଶତକ, ନଡ଼ାତକ ବାଉଁଶଟା ଯାକର ମୁଣ୍ଡ ଗୁଞ୍ଜାକୁ କେଡ଼େ କାମରେ ଆସିଚି ଆଜି ସକାଳେ ଝୋ ଝୋ କୁଟିଲା ବେଳେ ବେଣୀ ବେଶୀ ଅନୁଭବରେ ଆଣୁଥିଲା । ସୁନ୍ଦରୀକି କହିଥିଲା—ଗଡ଼୍‍ତିଆ ଋଣ ସୁଝି ପାର୍‌ମା ନାଇଁ ଲ !

 

ରହାରୁହିର ପହିଲି ବେଳେ ଗଡ଼ତିଆଙ୍କ ସାଙ୍ଗରେ ଦବା ନବାର କଥା ଚାଲୁ ଚାଲୁ ହଠାତ୍‌ ଯାହାକୁ ଦେଖିଥିଲା ବିଲେଇ ଛିଙ୍କିଲା ବୋଲି ଭିତରେ ଛି ଛା ହେଇ ଆସୁଥିଲା ।

 

ଗଡ଼ତିଆ ପାଖକୁ ଋଣ ପାଇଁ ଆସିଥିଲା ପାଖ ଗାଁର ଯଦୁ ଥପା । ଥପାକୁ ଦେଖୁ ଦେଖୁ ହଠାତ୍‍ ମନେ ପଡ଼ି ଯାଇଥିଲା ବର୍ଷ କେତେଟା ତଳର କଥା । କାଳିଆର କନିଆ ଆସିବା ବେଳ, ସୁଲକୁ ଶାଶୁଘର ପଠେଇବା ବେଳ—ଥପାଠୁ ଋଣ ଆଣିଥିଲା ।

 

ଦିନ ଗଡ଼ିଥିଲା । ଥପା ଟାଣିଥିଲା ଥାନାକୁ । ବାରୁଗା କହିଥିଲେ ଦେୱାନି ମୋକଦ୍ଦମା ଦାଏର୍‍ କରିବାକୁ । ଭଗାରିର ମୁକ୍ତାର ଶୁଣେଇ ଦେଇଥିଲେ ପୂରାପୂରି ମିଛ ନ କହିଲେ ଏଭଳି ମକଦ୍ଦମାରୁ ବଞ୍ଚେଇ ପାରିବେ ନାଇଁ । ବଞ୍ଚେଇ ନ ପାରିଲେ ପଇସା ନେବା ତାଙ୍କ ପକ୍ଷରେ ଅନ୍ୟାୟ ହେବ । ମୁକ୍ତାର ଶିଖେଇଥିବା ସାଙ୍ଗରେ ଆଉ କେତେ ପଦ ମନରୁ ମିଶେଇ ଥିଲା । ମୁକ୍ତାର ତାରିଫ୍‌ କରିଥିଲେ ।

 

ଅପା ଗଲା ପରେ ଭଗାରି କହିଥିଲା—ମୁଇଁ ଯେନ୍‌ଠି ଯେନ୍‌ଠି ରହିଚେଁ ଦବା ନବାଟା ଏକା ପଦକେ ତୁଟି ଥାଇସି । ମୁଇଁ ତମ୍‌କୁ ସାଉ ବଲି ମାନ୍‌ଲି ତ, ତୁମେ ସେନ୍‌ତି ମର୍‌ ଉପ୍‌ରେ ବିଶାସ୍‌ ରଖ୍‌ଲେ ହେଲା । ହେଲେ, ହେଲେ ମର୍‌ଆଡ଼ୁ ମୁଇଁ କହୁଚିଁ—ଇ କଳିକାଳ୍‌ ରେ ବାପ୍‌କୁ ଗଲା ସବୁ ଜାଗାରେ ବିଶାସ୍ ନାଇଁ କର୍‍ବା ଭଲ । ମୁଇଁ ତ ପରଟେ ! ମର୍‍ କଥା ଛାଡ଼ । ତମେ ମତେ ଏନ୍‌ତି କହିଲ ସେନ୍‌ତି କହିଲ ବଲି କିଏ କହିଲେ ଗଲା ମୁଇଁ ନିଜେ ଇ ଦୁଇ କାନ୍‌ରେ ନାଇଁ ଶୁଣିଥିଲେ, ଦୁଇ ଆଖିରେ ନାଇଁ ଦେଖିଥିଲେ ବର୍‌ ମାଁ ହେଲେ ଗଲା ତା’ କଥା ନାଇଁ ଶୁଣେଁ । ହଁ ସାଉ ଯେତ୍‌ବେଳେ ଆମ୍‌ର ଭୁଲ୍‌ ଦେଖ୍‌ଲେ ପଦେ ବିପଦ୍‌ ନାଇଁ କହିବ ବଲି ଇ’ଟା ଫେର୍‌ କିଏ କହିବ ? ମର୍‌ ତ ପଦେ ପଦେ କଥା । ସାଉର୍‌ ମାଣେ କି ପୁସେ ଲୁକ୍‌ସାନ୍‌ ନାଇଁ କରିଦିଏଁ କି ମର୍‌ହକ୍‌ ଗଁଡ଼ାକ ନାଇଁ ଛାଡ଼େଁ । ହଁ, ଆର୍‌ଗୁଟେ କଥା, ମତେ ତମେ ଭଲ୍‌ ବଲ କି ଅସାର୍‌ ବଲ, ସାଉର୍‌ କୁ’ଠି ମାଣେ ପୁସେ କି ଟଁକେ ମସେ ଲୁକ୍‌ସାନ୍‌ ହେଲେ ମର୍‌ ଦିହ ନାଇଁ ସହେ । ଇ’ଟା ତ ସାଉ କି ସାଉଆଣିର୍‌ ଦୁଷ ବଲି ଯେ ଘୂଡ଼େଇ ଦେବି ଇ’ଟା ମର୍‌ ବା ନାଇଁ ଶିଖେଇ !

 

ଅଗ୍ରିମ ପାଇ ସାରିଲା ପରେ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ କୃତଜ୍ଞତାଟିଏ ଜଣେଇଥିଲା—ତମର୍‌ ପାଖ୍‌ରୁ ବଲି ଏତ୍‌କି ନଉଚିଁ ଗଡ଼୍‌ତିଏ । ଆର କେନ୍‌ଠୁ ହେଇଥିଲେ ତିନି୍‌କୁଡ଼ି ନାଇଁ ନେଇ ନାଇଁ ଛାଡ଼ିଥାଇତିଁ । କେତେ ତ ଡାକୁଚନ୍‌ । ହେଲେ, ତମର୍‌ ଠି ରହିବି ବଲି କେନ୍‌ ଦିନୁ ମନ୍‌ଟା ଥିଲା ।

 

ଚୁଡ଼ି ମାଠିର ଖଣ୍‌ଖାଣ୍‌ଟା ଦୂରେଇ ଯିବା ପରେ ଭଗାରି ପୁଣି କଡ଼ ଲେଉଟାଇଲା । ଏ କଡ଼ ସେ କଡ଼ ହଉ ହଉ ପୁଣି ସ୍ଥିର ଅବସ୍ଥା ଆଡ଼କୁ ଆସିଲା । କାନେଇଲା । ମନେ ହେଲା ଶବ୍ଦ ପୁଣି ଆଗେଇ ଆସୁଚି । ଆଗେଇ ଆସୁଚି, ପୁଣି ପଛେଇ ଯାଉଚି ।

 

—କାମ ତର୍‌ନାଇଁ ସରେ କାଁ ଲ ? ଶୁଣ୍‌ତ, ଏ ଶୁଣ୍‌ତ, କାନଫୁଲ୍‌ଟେ ଗଢ଼େଇବୁ କାଁ ?

 

—କାନ୍‌ଫୁଲ ? କାଇଁଟା ?

 

—ସେ ଯେନତି ଟେ ଲଗେଇସି ? ସାନ୍ ସାନ୍ ଯୁଡ଼େ । ମଝିରେ ଲାଲ୍‌ କାଚ୍‌ଟେ ।

 

—କିଏ ଲଗେଇସି ?

 

—କିଏ ? କିଏ ? ଆଁ ? କିଏ ? କିଏ ଫେର୍‌ ହେଇତା ? ତର୍‌ ସାନ୍‌ ଜା ।

 

—ଜା ? କେନ୍‌ଜା ?

 

—ଉଃ, ଦେଖ୍‌ତ ଭୁଲି ଯାଉଚି । କେନ୍‌ଟା ବଇଲେ କେନ୍‌ଟା କହୁଚିଁ ।

 

କିଏ ଲଗେଇସି ?

 

—କିଏ ଲଗେଇସି ? ଆଁ ? କିଏ ଲଗେଇସି ? ତୁଇ ମତେ ଅବିଶାସ୍‌ କର୍‌ଚୁ ? ଆ ?

 

କଡ଼ ପାଖ ଛୁଆଟିର କଡ଼ ଲେଉଟା । କେଁ କେଁ ଆରମ୍ଭ ।

 

କଡ଼ ଲେଉଟାଇଲା ଭଗାରି ।

 

ବାଟ ତାଟି ପାଖରୁ ସୁନ୍ଦରୀର ଚିକ୍‍ ଚିକ୍‍ ମଥାଟା ଆଗ ପଡ଼ିଲା ଆଖିରେ ।

 

ବିରକ୍ତି ଫୁଟେଇ ସୁନ୍ଦରୀ କହି ଉଠୁଥିଲା–ଅଲ୍‌ ଖେଣିଆଁ ଛୁଆଟା । ଆଖିରେ ଟୁପେ ଗଲା ନିଦ ନାଇଁ ?

 

କଡ଼ ଲଉଟେଉ ଯୋଉ ଅବସ୍ଥାରେ ଥିଲା, ଠିକ ସେଇ ଅବସ୍ଥାରେ ଆଖି ଦିଟା ବୁଜି ଦେଲା । ମନେ ହେଲା ନିଘୋଡ଼ ନିଦରେ ଶୋଇଯାଇଚି ।

 

ମାଁ ଘରୁ ନିଜ ଘରକୁ ଫେରି ଆସିଚି ଅହିଲା । ଚଇତା ସାଙ୍ଗରେ ହସିଲା ମୁହଁରେ କଥା ହେବା ଚେଷ୍ଟା କରିବାକୁ ଯାଉ ଯାଉ ଗମ୍ଭୀର ହେଉଚି ।

 

ଅହିଲା କଥାରେ ହସ ମିଶିଥିବା ବେଳେ ଚଇତା ବି ହସ ଝରଉଚି ।

 

ଅସଲ ଚାଷ ବେଳଟାରେ ଅହିଲା ରହି ଯାଇଥିଲା ମାଁ ଘରେ । ପ୍ରବଳ ବର୍ଷା ପରେ ପରେ ପରବର୍ତ୍ତୀ ଛାଡ଼ି ପାଗ । ଚାଷ ଭଲ ହେଇ ନାଇଁ ।

 

ଚଇତାକୁ ଶୁଣେଇ ଶୁଣେଇ ନିଜକୁ ନିନ୍ଦୁଚି ଅହିଲା—ମୁଇଁଥିଲେ ଆହୁରି କେତେ କରି ଥାଇତିଁ ! ଆହୁରି କେତେ ପାଇ ଥାଇତେଁ ।

 

ଅମଳ ସରୁ ସରୁ ବାଉଁଶ କମ୍ପାନୀ, ପତର ଫଡ଼ି କାମରେ ଲାଗି ଗଲେଣି କେତେ ଜଣ-

 

ଅହିଲା କହି ଚାଲିଚି, କୁଁ ପାନିରେ କାହିଁଲାଗି ପଶ୍‌ବ ତମେ ? ଆମର୍‌ ଯୁଡ଼େ ପେଟ୍‌କୁ ତ ଅଁଟି ଅଗ୍‌ଳି ପଡ଼ୁଚେ । ଖେତ୍‌ଟେ ସାଜ୍‌ଲେ ଆହୁରି ହେଲେ ମାଣେ ପୁସେ ମିଳ୍‌ବ ।

 

ଚଇତାର ବି ଇଚ୍ଛା ଏ ବର୍ଷ ଆହୁରି ଗୋଟେ ଖେତ ସଜେଇବ—ପୁରୁଣାର ବି ମରାମତି ।

 

ପହିଲି ପହିଲି ପ୍ରବଳ ବର୍ଷାର ପାହାଡ଼ ଗଡ଼ା ପାଣି–ହୁଡ଼ା ଭାଙ୍ଗିଚି । ଖେତ ଭିତରେ ନୂଆ ଖାଲ, ନୂଆ ନାଳିଆର ସୃଷ୍ଟି ।

 

ଦଣ୍ଡକୁ ଯିବା ଆଗରୁ ଚଇତା ଘର ଆଡ଼େ ଆଗେଇ ଆସୁଚି କମଳୁ । ଦୋଳ ଦେଖି ଫେରୁ ଫେରୁ ଦଣ୍ଡକୁ ବାହାରିଚି ।

 

ନୂଆ ବିହା କନିଆକୁ ନେଇ ବିଶି ଏଥର ଯାଇଥିଲା ଦୋଳ ଦେଖି । ଯାତ୍ରା ପଦାରେ ମାଁ ଭାଇଙ୍କୁ ଦେଖି ବିଶିର କନିଆଁ, ମାଁ ଘରକୁ ଯିବାଲାଗି କାନ୍ଦିଥିଲା । ତାକୁ ବୁଝା ସୁଝା କରି ଫେରାଇ ଆଣୁ ଆଣୁ ଡେରି ହେଇଚି ।

 

ଦୋଳ ପରର ଦଣ୍ଡ ନାଚ । ଦୋଳର ଠିକ ବାସୀ ଦିନ ଦଣ୍ଡ ଉଠିଚି ଏଥର । କମଳୁର ବି ଡେରି ହେଇଚି ।

 

କାଦୁଆ ପଡ଼ା ଦଣ୍ଡକୁ ବାହାରିଚି କମଳୁ । ଯିବା ଆଗରୁ ଚଇତା ଘରକୁ ଆସିଚି ।

 

କମଳୁକୁ ଦେଖୁ ଦେଖୁ ଅହିଲା ମୁହଁ ବୁଲେଇଲା । ଆଖି ଉପରୁ ପୋଛି ଆଣିଲା ପଣତ-

 

ଅହିଲା ଆଡ଼େ ଟିକିଏ ଚାହିଁ ନେଲା–କାଁଦୁଥିଲୁ କାଁ ଲ । କାଁ ଦ୍‍ କାଁଦ୍‍, ନୁଆଁ ନୁଆଁ ତ ଫେର କେତେ ରୁଷା ଫୁଲା, କେତେ କାଇଁଟା ।

 

ଲେଖା ଯୁଖ ନାତୁଣୀ ମାନ୍ୟଟିକୁ ପଦେ କହି ହସି ଆସୁ ଆସୁ ଏଠିକୁ ଆସିବା କାମଟା ମନେ ପଡ଼ିଗଲା—ଚଇତା କାହିଁ ଗଲା ?

 

ଉତ୍ତରକୁ ଅପେକ୍ଷା ନ କରି ଚଇତା ଉଦ୍ଦେଶ୍ୟରେ ବାଡ଼ିପାଖ ଖଳା ଆଡ଼େ ଚାଲିଲା ।

 

—ଏ ଚଇତା ! ମର୍‌ ଆଇବା ଯାକେ ତର୍‌ ମାଉସୀ ଲାଗ୍‍ଲା ଟି ।

 

ଚଇତା କହିଲା—ଉହୁଁ, ଇଖ୍‌ଣି ନାଇଁ ଯା । ଆଉ ଟିକେ ଭଲ୍‌ ହଉ ।

 

କାଲି ସଞ୍ଜରେ ମାଉସୀକୁ ଦେଖି ଆସିଥିଲା ଚଇତା—ମାଉସୀ ତା ପାଦରୁ ଜଙ୍ଘ ଯାଏ ପାଚଖିଆ ଦଉଡ଼ିଟାଏ ଗୁଡ଼େଇ ଗୁଡ଼େଇ ନେଉଥିଲା ।

 

ଚଇତା କହି ଚାଲିଚି—ନାଇଁ, ନାଇଁ ଇଖ୍‌ଣି ନାଇଁ ଯା । ଏ ମଉସା, ନାଇଁ ଯା ଇଖ୍‌ଣି । ରୁଗଟା ବଢ଼ିଯାଇଚି । ବସେଇ କରି ମୁଠେ ଉତ୍‌ରେଇ ନାଇଁପାରେ । ଇଥର୍‌ଟା ନାଇଁ ଯା ।

 

ଜିଭ କାମୁଡ଼ିଲା କମଳୁ ବାଘ–ହେତ୍‌ ହେନ୍‌ତି ନାଇଁ କହ । ଜାଚି ଦେଇଚିଁ, ନାଇଁ ଯିବି ! ଗଲା ବର୍‍ଷ କାଇଁଟା ହେଲା ନାଇଁ ଦେଖ୍‌ଲୁ ? ଯାଚି ଦେଲା, ନାଇଁ ଗଲା, ଗୁଟେ ଦିନ ଗୁଟେ ରାତି ଯାଇ ନାଇଁ, ପଟ ! ଇ’ଥର୍‍ଟା ବଡ଼୍‍ ଭାଗ ତର୍‌ ମାଉସୀ ଲାଗି ବଲି ଯାଉଚିଁରେ । ଇ’ଥର୍‌ଟା କାଦୁଆ ପଡ଼ା ଯାଉଚିଁ—ହେ’ଠିର୍‌ଟାକୁ ଡାକି ଦେଲେ ଓ କର୍‌ସି ! ମର୍‌ ଗୁହାରିଟା ଶୁଣ୍‌ଲେ ତର୍‌ ମାଉସିର୍‌....

 

ଯୋଡ଼ ହାତ ଟେକିଲା କମଳୁ ବାଘ ।

 

ପହିଲି ଝୁଣା ଖେଳ ସରିଲା ପରେ ପରେ, ସିନ୍ଦୁର କଲି ମରା କଷ୍ଟ ବଘାର ପରଭାକୁ ପିଠି ପାଖେ ବାନ୍ଧି ଲିଗ୍‌ ଲିଗ୍‌ ବାଜା ମହୁରି ଭିତରେ ସାମନାକୁ ନଇଁ ନାଇଁ ଛାତି ତଳ ଦେବତା ଯାଏଁ ଯେତେବେଳେ ଆଗେଇ ଆସେ, ପିଣ୍ଡା ତଳେ, ପିଣ୍ଡା ଉପରେ, ଗାଁ ଦାଣ୍ଡର ଧୂଳି ମାଟିରେ, ଘାସ ଉପରେ କାନି ପରା, ପଟିଆ ବିଛା, ଅଧା ଶୁଆ, ଅଧା ବସା, ଦର ଉଠା, ଦର ଆଉଜା, ଗୋଡ଼ ଲମ୍ବା, ନିଦ ଘଉଡ଼ା ଦର୍ଶକ ଗହଳିରୁ କୋଉଠୁ କେମିତି ଉଠୁଥିବା କେଁ ଭେଁ ଭିତରେ ଭୟ ଭକ୍ତି ଉତ୍କଣ୍ଠା ମିଶ୍ରିତ ହୁଳହୁଳି ଯେତେବେଳେ ଉଛୁଳି ଉଠେ, ଦୃଶ୍ୟ ପାଇଁ ପ୍ରସ୍ତୁତ ହେଉଥିବା ମୟୁର ଖାଲି ଧରା କମଳୁ ବାଘ ବିସ୍ଫାରିତ ଆଖି ସହିତ ଅସ୍ଫୁଟ ଚିତ୍କାର କରି ଉଠେ—ଲାଗ୍‌ଲା, ଲାଗ୍‌ଲା, ଲାଗ୍‌ଲା......

 

ଯୋଡ଼ି ହାତ ଉଠେଇଚି କମଳୁ । ସାମ୍‍ନାରେ ତାର ନାଚି ଉଠୁଚି, ଉଦୁ ଉଦିଆ ଦି ପହରଟା–ତାଳୁଫଟା ଖରାରେ, ପାଦ ପୋଡ଼ା ମାଟିରୁ ରୁଗୁଡ଼ି ଉପରେ ପାଣି ଦଣ୍ଡର ଦଣ୍ଡ ଭାଙ୍ଗିବା ଦୃଶ୍ୟଟା । ମନକୁ ମନ ଠିକ କରି ନଉଚି ଆହୁରି ପାଦ ତାତି, ପିଠି ତାତି, ପେଟ ତାତି ଭିତରେ....

 

ଆଜି ସକାଳୁ ସକାକୁ ନବଘନର ବି ପୁଅ ହେଇ ଗାଁର ସଦ୍ୟ ଜନ୍ମ ସଂଖ୍ୟା ଗୋଟିଏ ବଢ଼େଇ ଦେଇଚି । ସଦ୍ୟ ଜନ୍ମ ହେଲାଟିର ସରୁ ସରୁ ହାତ ଗୋଡ଼ ଦେଖୁ ଦେଖୁ ପାର ମାଉସୀ ନିଶ୍ଵାସଟିଏ ଛାଡ଼ି କହିଚି, କେ’ଜାଣି, ଆଇସ ଆଣିଥିଲେ.....

 

ଗାଁ ଟା ଭିତରେ ଏଠି ସେଠି କ୍ଵାଁ କ୍ଵାଁ, କେଁ କାଁ, ଭେଁ ଭାଁ, ମାଁ ମାଁ, ବା ବା....

 

କାନ୍ଦ, ରାହା ଧରା କାନ୍ଦ, ହସ, ଉଛୁଳା ହସ, ଅଳି, ଧୂଳି ...... ଦାଣ୍ଡେ ଦାଣ୍ଡେ ଆଗେଇ ଯାଉଚି ଚଇତା । କାନେଇ କାନେଇ ଶୁଣୁଚି । ଠିଆ ଠିଆ ହଉଚି ।

 

କେତେ ଦିନ ହେଲାଣି ଅହିଲା ବି କଣ କହିବ କହିବ ହେଇ ତୁଣ୍ଡର କଥା ତୁଣ୍ଡରେ ରଖିଚି । ହଠାତ୍‍କୁ ହଠାତ୍‍ ଗମ୍ଭୀର ହୋଇ ଉଠୁଚି । ଗୁର୍‍ ଗୁର ହେଉଚି । ଆଖି ତରାଟୁଚି । ଦାନ୍ତ କାମୁଡ଼ୁଚି । ତେଲ ବୋଳିଲାବେଳେ, ଖୋସା ଚିକ୍‌ଣେଇଲାବେଳେ, ଖୋସା ଫିଟେଇ ଦଉଚି । ମୁକୁଳା ବାଳରେ ଘର, ଅଗଣା, ଦାଣ୍ଡ, ପଡ଼ିଶା ହଉଚି ।

 

ଆଖି ବୁଜି ଚଇତା ଶୋଇଚି । ଡିବିରି ଲିଭେଇ ଦେଇ ନାଇଁ ଅହିଲା । ଚାହିଁଚି । ଗଡ଼ି ପଡ଼ିବାକୁ ଯାଉ ଯାଉ ପୁଣି ଉଠି ବସୁଚି । ଚଇତା ଆଡ଼େ ଚାହୁଁଚି । ବାହାରକୁ ଚାହୁଁଚି । ଦାନ୍ତ ଚାବୁଚି । ଲମ୍ବା ନିଶ୍ୱାସ ଛାଡ଼ିଚି । ଚିକ୍‌ଚିକ୍‌ ଖୋସାଟା ଫିଟେଇ ଦବାକୁ ହାତ ନଉଚି । ଫେରେଇ ଆଣୁଚି ।

 

ବାହାରେ ମେଘ । ଶ୍ରାବଣର ମେଘ । ଗୁରୁ ଗୁରୁ । ଗର୍ଜୁଛି ।

 

ଗୁରୁ ଗୁରୁ ରଗ୍‌ରଗ୍‌ ହଉଚି ଅହିଲା ଭିତରଟା ।

 

ଶ୍ରାବଣର ମେଘ । ଘୋଟିଚି । ତୁହାକୁ ତୁହା ବର୍ଷା । ଝିପ୍‍ ଝିପ୍‍, ଝୁପ୍‍ ଝୁପ୍‍କୁ ଟିକିଏ ଟିକିଏ ମଝିରେ ରଖି ଦେଇ ଅଜାଡ଼ି ଦେଇ ଯାଉଚି ।

 

ଘଡ଼୍‌ଘଡ଼୍‌, ଝକ୍‌ଝାକ୍‌ । କାନ୍ଥ ଫାଙ୍କରେ, ଚାଳ ଫାଙ୍କରେ ଭିତରକୁ ଆସିଲା ଚକ୍‌ମକ୍‌ ।

 

—ଶୁଇଲଣି ?

 

ପ୍ରଥମ ଡାକରେ କଡ଼ ଲେଉଟେଇଲା ଚଇତା ।

 

—ହଗ ଏ ଶୁଇଲାଣି ?

 

—କାଇଁଟା ?

 

ଓଲଟା ପ୍ରଶ୍ନଟେ କରିଦେଇ ଆହୁରି ଯୋରରେ ଆଖି ବୁଜିଲା । କଡ଼ ଲେଉଟେଇଲା ।

 

ଦାନ୍ତ କଡ଼ ମଡ଼ କରି ଆସୁଥିଲା ଅହିଲା ! ଚାପି ରଖିଲା । ଗଲା କଅଁଳ କଲା—ଜାଣ୍‌ଲ ଗ, ମର୍‌ ମନ୍‌ଟା ଆଉ ନାଇଁ ରହିବାକ ! ପିଲାଟାକୁ ନାଇଁ ଆଣଲେ,

 

ସେଇ ଅବସ୍ଥାରେ ଚଇତୀ ।

 

ଅହିଲା କହିଚାଲିଚି—ପିଲାଟା ଅଠି ପହର୍‍ ରେଁ ରେଁ କରୁଥବ । ମାଁ ମାଁ ହଉଥିବ ! ଚାଲ ଗ ଚାଲ । ସକାଳୁ ଚାଲ । ବଡ଼୍‍ଟା ଆସୁ କି ନାଇଁ ଆସୁ, ସାନ୍‌ଟାକୁ ନାଇଁ ଆଣ୍‌ଲେ ନାଇଁ ହୁଏ-। ହଗ ଏ ଶୁଇଲଣ । କାଇଁଟା କହିଲି ଶୁଣ୍‌ଲ ?

 

—ଆଁ ।

 

—ଚାଲ, ସକାଳୁ ଚାଲ । ଦୁହେଁ ଯାକ ଯିମା । ଛୁଆକୁ ନେଇ ଆଇମା ।

 

—ଯିମା ?

 

—ହଁ ଗ ଚାଲ । ସକାଳ ନାଇଁ ପାହୁଣୁ ଚାଲ । ତମେ ତ ନାଇଁ ଗଲ । ନାଇଁ ଆଣ୍‍ଲ । ଆଣିଥିଲେ ମୁଇଁ ପକେଇ ଦେଇ ଥାଇତି କାଁ ? ମର୍‌ ଛୁଆକୁ ମୁଇଁ ପକେଇ ଦେଇ ଥାଇତି କାଁ ? ତମ୍‌କୁ ନାଇଁ ପାରି ହୁଏ । ଯେନ୍‌ଟା ରଟି ବସିଥିବ ସେ’ଟା । ହଗ ! ସକାଳ ପାଇଲେ ଯିବ ତ ?

 

—ତୁଇ, ତୁଇ ଇଟା କହୁଚ ତ ?

 

ଗୋଡ଼ ଚିପିଲା ଅହିଲା—ନାଇଁ କର ନାଇଁ କର ବଇଲେ ଏତେ କାମ୍‌ ଧାମ କାହିଁ ଲାଗି କରୁଚ । ଯୁଡ଼େ ତ ପେଟ, ଇଥିର୍‌ ଲାଗି ଏତେ କାଇଁଟା ? ଆଜି ଯେନ୍‌ତକ କଲ, ଇ ଗୁଡ଼ ହାତ କାଇଁଟା ବଲୁଥିବା !

 

ଗୋଡ଼ ଚିପି ଚାଲିଚି ।

 

ଚଇତା ଚାହିଁଚି—ଯିବୁ ? ସକାଳେ ତୁଇ ଯିବୁ ? ଛୁଆକୁ ଆଣ୍‌ବୁ ? ତୁଇ ଇ’ଟା କହୁଚୁ ତ ?

 

—ମୁଇଁ କାହିଁ ମର୍‌ସିଁ ରେ ମା ! ମତେ ଗଲା ଅବିଶାସ୍ ? ଇ ଅଁଡ଼୍ରାକୁ ନାଇଁ ପାରିହୁଏ !

 

ନରମ ହେଇ ଆସୁଥିଲା ଚଇତାର ଗଳା—କାଇଁଟା କଲିଲ ମୁଇଁ ?

 

ଅହିଲାର ଅଭିମାନ ଆହୁରି ଫୁଟିଲା । ଛଳ ଛଳ ହେଳା । ହଠାତ୍‍ ଝର ଗଡ଼ିଲା—କାଇଁଟା ନାଇଁ କରୁଚ ଯେ !

 

ଚଇତା ହସିଲା—ନାଇଁ ଲ, ତୁଇ ମତେ ଯେନ୍‌ତି ଭାବ୍‌ସୁ, ମୁଇଁ ସେନ୍‌ତି ନାଇଁ । ସତେ, ସତେ ତୁଇ ତର୍‌ ଛୁଆକୁ ଆଣ୍‌ବୁ ?

 

ଚଇତା ଶୁଣିପାରୁଥିଲା—କେଁ ଭେଁ, କ୍ଵାଁ କ୍ଵାଁ ... ଝର୍‌ ଝର୍‌ ଲୁହରେ ଚଇତାର ଛାତି ତିନ୍ତେଇ ଚାଲିଚି ଅହିଲା—ନାଇଁ ଆଣ୍‌ବି କାହିଁ ଲାଗି ? ତମ୍‌କୁ ତ ଭଲ୍‌ ଲାଗ୍‌ଲା, ନାଇଁ ଆଣ୍‌ବି କାହିଁ ଲାଗି ? ମୁଇଁ ଅର୍‌ ଖିତିଆଣିଟା ! ତମର୍‌ କଥା ନାଇଁ ଶୁଣଲି । ପିଉଥିଲା, ଛାଡ଼ି ଆଇଲି । ରେଁ ରେଁ ହଉଥିବ ଗ, ମାଁ ମାଁ ହଉଥିବ ! କିଏ କାଇଁଟା କହିଲା, କା’ ରାଗ୍‌ଟା ଛୁଆ ଉପ୍‌ରେ ଛିଡ଼େଇଲି ! ମୁଇଁ ଛୁଆ ଖାଇ ଡାହାଣିଟା ଗ ! ମୁଇଁ ଛୁଆ ଖାଇ ଡାହାଣିଟା ! ଛୁଆ ଛାଡ଼ି ଆଇଲି—ମୁଇଁ କାଇଁ ବୁଦ୍ଧିଟେ କଲି ରେ ଦଇବ !

 

—ନାଇଁ କାଁଦ୍‌ । ନାଇଁ କାଁଦ୍‌ । ନାଇଁ କାଁଦ୍‌ । ଯେନ୍‌ଟା ହେବାର୍‌ ହେଇ ଯାଇଚି ।

 

ଛାତି ଉପର ଅହିଲାର ମଥାଟା । ମଥାର ଓଜନଟା ଫୁଲ ପରି ଲାଗି ଲାଗି ଆସୁଥିଲା । ବର୍ଷାର ଝରଟା ଶୁଭିଲା ଭଳି ଶୁଭି ଶୁଭି ଆସୁଥିଲା । ଉଷୁମଟାଏ ଚରି ଚରି ଆସୁଥିଲା । କ୍ଵାଁ କ୍ଵାଁ, କେଁ ଭେଁ ଶୁଭୁଥିଲା; ଲିଭି ଲିଭି ଯାଉଥିଲା ।

 

ଲାଛୁ ପ୍ରଧାନ ଯାଇଥିଲା ଗଡ଼କୁ । ଗାଁକୁ ଫେରି ସମ୍ବାଦଟିଏ ଶୁଣେଇଲା—ରଜା ଆଉ ନାଇନ ।

 

—କେନ୍‌ ଆଡ଼େ ଗଲେ ?

 

—ଗାଦିରୁ ତ ଗଲେ, ଆଉ ଫେର୍‌ କେନ୍ ଆଡ଼େ ଯାଇତେ । ଯିବେ ଯିବେ ବଲି ମୁଇଁ ତ କେନ୍‌ ଦିନୁ ଶୁଣ୍‌ଲଣ ।

 

ରଜା କଥା ଛାଡ଼ି, ରଜାଙ୍କ ପେସ୍‌କାରଠୁ ଏଇ ହାଲ କିଣି ଆଣିଥିବା ପୁରୁଣା ଟୁପିଦାରଟିର ଗୁଣ ବର୍ଣ୍ଣନା କରିଚାଲିଥିଲା । ଦୋଷଗୁଡ଼ିକୁ ଦବେଇ ଦବେଇ ରଖିଲେ ବି ବେଳେ ବେଳେ ଫୁଟିପଡ଼ୁଥିଲା । ଗୁଣର ଗୁଣନ ବେଳେ ଥରେ କହି ଦେଇଥିଲା—ଇଥ୍‌ରେ ଆଉ ଚେଁଙ୍ଗା ଚେଁଗି ପାଠ ନାଇଁ । ଚିପିଦେଲେ ତୁ ମିର୍‌ଗ, ସିଁଗାଳ କଥା ଛାଡ଼, ବାଘ ହଉ କି ହାତି ହଉ, ଛକାଠିଆରେ ବାଜୁ କି ନାଇଁବାଜୁ, ଯେନ୍‌ଠି ବାଜିଲେ ଠିକ୍‌, ଠାକ୍‌, ଠକ୍‌!

 

ଲାଜୁକଥା ଶୁଣିବା ଭକ୍ତ ଯେତେ ଥାଆନ୍ତି ନା କାହିଁକି, ଯୋଉ ସମ୍ବାଦଟି ନଗଦ ଦେଇଚି ସେ ବିଷୟ ନେଇ ଆଉ ମାନଙ୍କର କଥା ଚାଲୁ ଚାଲୁ ଲାଛୁର ବକ୍ତୃତା, ବର୍ଣ୍ଣନା ଇତ୍ୟାଦି ବେଳେବେଳେ ବୁଡ଼ିଯାଉଥିଲା ।

 

—କିଏ ଫେର୍‍ ରାଇଜ ଚଳେଇବା ?

 

—କିଏ ଆଇବା ?

 

କହୁଥିବା ବେଳେ ଏଆଡ଼େ କାନଉ ଥିଲା ଲାଛୁ । ସେ ଆଡ଼ଟା ବନ୍ଦକରି ଏ ଆଡ଼େ ଶୁଣେଇ ଦେଲା–ଆଇବ କାଇଁଟା ?

 

ଆଇଲେଣି ତ ।

 

—କିଏ ଆଇଲେ ?

 

—ଏସ୍‌ଡୁ ।

 

—ଏସ୍‌ଡୁ ?

 

—ଏସ୍‌ ଡ଼ୁ କାଇଁଟା ?

 

ଟୁପିଦାର କଥା ଆଡ଼େ ପୁଣି ଫେରିଯିବା ଆଗରୁ ଲାଛୁ ମୁହଁରେ ବିରକ୍ତ ଫୁଟିଲା—ଏସ୍‌ଡ଼ୁ ତ ଏସ୍‌ଡ଼ୁ, ଫେର୍‌ ଆଉ କାଇଁଟା ?

 

ହପ୍ତା ବିତେଇ ଗଡ଼ି ଗଡ଼ି ଯାଉଥବା ଝଡ଼ିରେ ଭଗାରି ନିଜ ଗାଁ କୁ ଯା ଆସ କରି ପାରୁନାଇଁ । ନାଳ ତୁଡ଼ିଚି । ସିଙ୍ଗାରିପଡ଼ା ଗଡ଼ତିଆଙ୍କ ଦୁଇ ଗାଁର କାମ ବୁଝୁ, ବୁଝୁ ସକାଳରୁ ସଞ୍ଜ । ସଞ୍ଜ ପରେ ଆହୁରି ବି ଗଡ଼ି ଯାଉଚି । କଟାକଟି, ମହାମଡ଼ି, ପେଡ଼ାପେଡ଼ି ଦିନରେ ଖରାତରା ଦୁଇଟାଯାକ ସମାନ । ଗଡ଼ତିଆଠୁ ଆରମ୍ଭ କରି ବଡ଼ ସାନ ଦୁଇ ଗଡ଼ତିଆଣୀ ଡାକ ପକାନ୍ତି,

 

—ଏ ଭଗାରି, ଖାଇ ଦେଇ ଯା ।

 

—ଏ ଭଗାରି, ଖାଇ ଦେଇ ଯା ।

 

—ଏ ଖମାରି ପିଲା, ଗଁଡ଼େ ଖାଇ ଦେଇ ଯା ଗ ।

 

ବ୍ୟସ୍ତତାର ବିସ୍ତୃତି ଭିତରେ ଭଗାରି ଖାଏ; ଭଗାରି ଧାଏଁ; ଭଗାରି ଏ ପାଖ ସେପାଖ ହୁଏ । କେତେବେଳେ ଚିତ୍କାର ବଢ଼ାଏ । କେତେବେଳେ ସ୍ଵର ଖସାଏ । କେତେବେଳେ ଧମକାଏ । କେତେବେଳେ ଥାପୁଡ଼ାଏ । କୁଆଡ଼େ ଗଲ ରେ ? କୁଆଡ଼େ ଗଲୁରେ ? ଇ’ଟା ସଇଲେ ଯାଇ । ହେ’ଟା ସରଲେ୍ ‌ଯାଇ । ଇ’ଟା କାଲି ରୁଆ ହବ । ହେ’ଟା କାଲି ବୁଣା ହବ । ଭୁଗ୍‌ରାକୁ ତମେ ଦୁଇଜଣ୍‌ । ପିଠାମାଳ୍‌କୁ ତମେ । ପିଠା ବାହାଳ୍‌କୁ ତୁଇ । ତୁଇ କୁସାରି ବାଡ଼ିରେ, ତୁଇ କୁଳ୍‍ଥଆଟ୍‌ରେ । ଏ ପିଲା, ଶୁଣ । ଏ ବୁଢ଼ୀ, ଯା ଯା, ପାରା ଲାଗ୍‌ବେଣ । ଯା, ଯା, କଁସାଫଟା ନାଇଁ ମିଳେ । କୁଆଡ଼େ ଗଲରେ ? .... ଆଁ ? ଆଁ ? ଆଁ ?

 

ଗଡ଼ତିଆ, ଗଡ଼ତିଆଣି ଗହଣରେ ଗୁମମାରି ବସିପଡ଼େ । ଗୁମପରେ ବିରକ୍ତି ଫୁଟାଏ–ହେତ୍‌ ! ହେତ୍‌ ! ଇ’ ମାନ୍‌କୁ ନେଇ କାଇଁ କାମ କର୍‌ବ ଯେ ମୁଣ୍‌ଷ ।

 

ଭାଙ୍ଗି ଭାଙ୍ଗି ଯାଉଥିବା ବଳସ ଘରର ମରାମତିଟା, ଲମ୍ବି ଲମ୍ବି ଯାଉଥିବା ଚାଷଟା, କାମ ତୁଳନାରେ କମି କମି ଆସୁଥିବା ଖର୍ଚ୍ଚଟା ଆଡ଼େ ଲକ୍ଷ୍ୟ କରୁ କରୁ ଗଡ଼ତିଆଠୁ ଗଡ଼ଆଣି ଯାକେ କହନ୍ତି—ଯେନ୍‌ଟା ତର୍‌ କଥା ନାଇ ମାନିବାକୁ ମତେ କହ ତ....ଆମ୍‌କୁ କହ ତ । ମତେ କହିଦେ ତ ।

 

ଭଗାରି ପ୍ରାୟ ହସିବାକୁ ଚେଷ୍ଟାକରେ ନାଇଁ ମାନ୍‌ବେ କୁଆଡ଼େ ଯିବେ ? ରଇଥ, ମର୍‌ ନିଜ ଘର ଆଡ଼େ ଟିକେ ଲନ୍ଦ୍‌ପନ୍ଦ୍‌ ଅଛି ବଲି ଇ’ ଆଡ଼୍‍ଟା ବେଶୀ ନାଇଁ ଦେଖିପାର । ମର୍‌ ଘର ଆଡ଼ କାମ୍‌ଟା ସଇଲେ,

 

—କାଇଁ କାମ ? କହ ନାଇଁ ଯେ ।

 

—କହିବି ନାଇଁ ? ସାଉକୁ ପେଟ ଅଁଟା ନାଇ ଦେଖେଇଲେ ସାଉ କେନ୍ତି ଜାଣ୍‌ବ ? ନାଇଁ କହି ବୁଲି ସାଉ ସାଉଆଣି ନାଇଁ ଦେଲେ ବଇଲେ କା’ର୍‍ ଦୁଷ ?

 

ଏଇ ରାତିରେ ଆଖୁପେଡ଼ା ପାଇଁ ସବୁ ଠିକ ଠାକ ହେଲାବେଳେ ଭଗାରି ଆସିଚି ଘରକୁ । ନାତୁଣୀ ଦେହ ଶକ୍ତ ବେମାର କାରଣ ଦେଖାଇଚି । ଆଜିକି ପାଇଁ ଆଖୁପେଡ଼ା ବନ୍ଦ କରିଚି । ଆଖୁପେଡ଼ା ଆଡ଼େ ଆଣିଥିବାଙ୍କୁ ପଠେଇ ଦେଇଚି ଧାନ ମଡ଼ା ମଡ଼ି ଆଡ଼େ ।

 

ସଞ୍ଜ ପହରର ଟିକିଏ ଆଗରୁ ଅଗଣାରେ ଗୋଡ଼ ଦେଲା । ବାଡ଼ରେ ମାଟି ଲେସୁଥିଲା ସୁନ୍ଦରୀ ।

 

ଫାଟର ଆଁ ରୁ ଫୁଟି ଦିଶୁଥିଲା ଝାଟି । ଅନଉ ଅନଉ ଭଗାରି କହିଲା, ଇ’ଟାକୁ ତ ଢବା ବନେଇବି, କାହିଁ ଲାଗି ଲାଗିଚୁ ?

 

ସୁନ୍ଦରୀ ମୁହଁ ଘୁରେଇଲା । ଗଳା ଚଢ଼େଇଲା–ଯ,ଯ, ହାଁଟ୍‌ରି ହେଲେ କାଇଁଟା ହବ ? ଚୁଡ଼ି ମୁଠାକୁ ତ ମୁଁଡ଼ ନାଇଁ !

 

ଚୁଡ଼ିଟା ଚଟ୍‌କରି କାନକୁ ଲାଗିଲା । ଜାଣିପାରିଲା, ଚୁଡ଼ି ପାଇଁ ନୁହେଁ ଯେ ଚୁଡ଼ି ପାଖ ବନ୍ଦରିଆ ବରାଦଟା ବେଳୁ ବେଳୁ ସଫଳତା ଭିତର ଦେଲ ଗତିକରି ଆସୁଥିବାରୁ ଏଇ ଗାଳି ଗୋଳା ଆଉ ଏ ଗାଳି ଗୋଳା ବିଦ୍ରୁପର ସୃଷ୍ଟି ।

 

ହସିବାକୁ ଚେଷ୍ଟାକଲା—ନାଇଁଲ, ତର୍‌ କଥାଟା ମନେ ଅଛି । ଇ’ଭିତ୍‌ରେ,

 

—ଇ’ଭିତ୍‌ରେ ବଇଲେ ?

 

—କୁସାରି ପେଡ଼ା ସରୁ ।

 

—କାର୍‌, ସଇଲେ ନାଇଁ ସଇଲେ ମର୍‌ ଭାସିଯାଉଛି !

 

ମୁହଁ ବୁଲେଇଲା । ଭଗାରି ବି ମୁହଁ ଫେରେଇଲା ।

 

ଅଗଣା ଭାଡ଼ି ତଳେ ନିଆଁ ଅନ୍ତରା । ଦୁକ୍‌ଦୁକ୍‌ କଲାଣି । ଛୁଆ କାଖେଇ ଅନ୍ତରା ପାଖେ ବସିଗଲାଣି ସୁଲ ।

 

ଟିକେ ଦୁରରେ ସୁମ ଦଉଡ଼ି ପାଚ ଖୋଇ ଚାଲିଚି ଅକର୍ମ । କାଠ ତାକୁଡ଼ିଗୁଡ଼ା ପାରଖିଆ ଦଉଡ଼ି ମୁଣ୍ଡାଟାର ଘୂର୍ଣ୍ଣନ–ସଞ୍ଜ ଆଗର ଆଲୁଅରେ ଆହୁରି ଅସ୍ପଷ୍ଟ ହେଇ ଆସିଲାଣି ।

 

ଭଗାରି ଆଖିବୁଜି ଘୁଙ୍ଗୁଡ଼ି ମାରିବା ଆଗରୁ ସୁନ୍ଦରୀ ପୁଣି ଥରେ ରୂପା ବନ୍ଦରିଆର ପ୍ରତିଶ୍ରୁତିଟା ଶୁଣିବାକୁ ମନ କଲା । ପ୍ରତିଶ୍ରୁତିଟା ଯେତେ ପୁରୁଣା ହେଉ ପଛକେ, ଯେତେ ଘସରା ହେଉ ପଛକେ, ଟିକକ ଆଗର ସେଇ ପୁନରାବୃତ୍ତି ଘସରା ଭଳି ମନେ ହେଉ ନଥିଲା ।

 

ସୁନ୍ଦରୀ ଡାକିଲା ।

 

ବିରକ୍ତି ଫୁଟେଇ କଡ଼ ଲେଉଟାଇଲା ଭଗାରି—ଉଁ ! ଶୁଇ ପଡ଼୍‍ନାଇଁ ଯେ ! କେତେ ରାତି ହେଲାଣି । ସକାଳ ନାଇଁ ପାହୁଣୁ ଗଲେ ଯାଇ ଚଳେ । କାଲ୍‌ଠୁ କୁସାରି ପେଡ଼ା, ଗୁଡ଼ ରଁଧା କେତେ କାଇଁଟା ।

 

ସାନଟିକୁ ଆଣିବା ବେଳେ ବଡ଼ଟି ବି ମାଁ ସାଙ୍ଗେ ସାଙ୍ଗେ ଚାଲି ଆସିଚି ।

 

ଅହିଲା ଗାଳି ଦେଇ ଆସୁଛି—ଇ’ଠି ଥିଲେ ଭାଗ ଖାଇବୁ କାଁ ? ସେ ଆଡ଼େ ତ ପର ଖାଇଯିବେ !

 

ଛେଳିଚରା ବୟସର ଛେଉଣ୍ଡଟିକୁ ଚଇତା ଅନାଏ । ଅହିଲା କଥାକୁ ତଉଲି ଦେଖେ । ଛେଉଣ୍ଡଟି ପାରିଉଠିଲେ ସେଆଡ଼ୁ ଯେ ଆସି ନେଇଯିବାର ଦାବୀ କରିବେ ଏଥିରେ ବୀ ସନ୍ଦେହ ରହୁ ନଥିଲା ।

 

ଛେଉଣ୍ଡଟି ମାନୁ ନାଇଁ । ଆଗର ଏଇ ମାଁଠୁ ଦୂରରେ ରହିଥିଲା ସିନା, ଏବର ଏଇ ମାଁକୁ ଦେଖୁ ଦେଖୁ ପାଖ ଛାଡ଼ୁ ନାଇଁ । ମା ତାକୁ ଲଗେଇ ଦେଇଚି—ଗାଈ, ବଳଦ, ଛେଳି ରେ ।

 

ଛେଉଣ୍ଡଟିର ଲଙ୍ଗଳ କଣ୍ଟି ଧରିବାର ବୟସ ହେଇ ଆସିଲା ବେଳକୁ ଚଇତା ଶୁଣିଲା ନୂଆ ଡାକ, କ୍ଵାଁ .... କ୍ଵାଁ .... କ୍ଵାଁ ।

 

ଅହିଲାର ପୁଅ ହେଇଚି ।

 

ଅହଲର ପୁଅ ହେଇଚି ।

 

ଏଠି ସେଠିର ଟୁପଟାପ୍‍.....

 

—ଯତନ୍ କରି ନାଇଁ ଜାଣେ ।

 

—ଇ କୁଳର୍‌ ହଉ କି ସେ କୁଳର୍‌ ହଉ, ଆଣ୍‌ଲା ସିନା, କେନ୍‌ଠି ରଖି ପାର୍‍ଲା ?

 

—ଫେର୍‌ତ ଗୁଟେ ଦେଲେଣ !

 

—ଦଉ, ଦଉ, ଯିଏ ଦଉଚି ସେ ରଖ୍‌ବ ଲ !

 

—ହଁ ଗ ଆଇ ଯିଏ ଚଢ଼େଇଥିଲା ସେ ଉତ୍‌ରେଇଲା । ତୁଇ କହିଲେ କେତେ ? ମୁଁ ଇ କହିଲେ କେତେ ?

ଚଇତା ଲକ୍ଷ୍ୟ କରୁଥିଲା ଛୁଆ ପ୍ରତି ଯତ୍ନ ।

ଅହିଲା ମଖାଏ, ଘସାଏ, ପିଆଏ, ଖୁଆଏ, ଗେଲକରେ ।

ଏବେ ଏବେ ପଚାରିଥିଲା ଅହିଲା—କା’ ଲେଖା ହବ କହ ତ ?

—ତୁଇ କହ ତ ।

ଅହିଲା ହସିଥିଲା । ଚଇତା ହସିଥିଲା ।

ଆହୁରି ହସ ଝରିଲା ଚଇତାର, ଅହିଲା ଆଡ଼ର ଏଇ ପହିଲି ପୁଅଟି ଯେତେବେଳେ ମୁଚ୍‌ ମୁଚ୍‌ ହସିବା ଆରମ୍ଭ କଲା, ଅଳ୍ପ ଅଳ୍ପ ବସିବାକୁ ଆରମ୍ଭ କଲା, ଲଥ୍‌ ଲଥ୍‌ ପଡ଼ା ଉଠା ଭିତରେ ଧାଁ ଦଉଡ଼ା ଆରମ୍ଭ କରିଦେଲା ।

ବିଶି ସସ୍ତ୍ରୀକ ଆସିଚି ନାନୀ ଘରକୁ । ସାଙ୍ଗରେ କୋଳ ଛୁଆଟି ।

ଅକର୍ମକୁ ଦେଖୁ ଦେଖୁ ବିଶି କହିଲା ମଣ୍ଡଳି କଥା, ଯାତ୍ରା କଥା, ଖଞ୍ଜଣି ପିଟା .. ଭାଗ ନଉ ନ ନଉ, ନବାଭଳି ହଉ ନହଉ, ଯୋଉ ଗୁଡ଼ିକରେ ଅକର୍ମ ଅନ୍ତତଃ ଯୋଗଯାଗ କରେ, ଯୋଗ ଦିଏ, ସେଥିରୁ କେତେ ମନେ ପକେଇଲା ।

ଶାଶୁଘରୁ ଅଇଁଠା ଆସିଚି । ତଳ ଉପର ଦୁଇଟିଯାକୁ ସାଙ୍ଗରେ ଆଣିଚି ।

ନିଜ ପୁଅଟିକୁ କାଖକରି ବିଶି ଆସିଚି ଭଗାରି ଘରକୁ ।

ଯାଉଣୁ ଆସୁଣୁ ଅଇଁଠାର ସାନ ଛୁଆଟିକୁ ଗେଲ କରୁଚି । ଦାଣ୍ଡ ପଟ ବାଡ଼ିପଟ ହଉଚି-

ଏଥର କିଛିଟା ପରିବର୍ତ୍ତନ ଦେଖୁଛି । ଦାଣ୍ଡ ପାଖଟା ଯାହା ଦେଖିଥିଲା, ନୂଆ ତାଟ ବାଉଁଶ ଛଡ଼ା ଆଉ ପ୍ରାୟ କିଛି ବଦଳି ନାଇଁ । ବାଡ଼ିପାଖ ଝାଟିମାଟି ବଖରାଟା । ଭଙ୍ଗା ହେଇଚି । ଭଙ୍ଗା ଜାଗାରେ ଆଟୁ ଉଠା ହଉଚି । ବାଡ଼ିଆଡ଼ ମେଲାଟାରେ ନୂଆ ଜାଲି ତାଟି । କୁଅଟା ଅଧା ଉଦ୍ଧାର ହେଇଥିଲା । ପୁଣି ପୋତା ପଡ଼ି ପଡ଼ି ଆସିଲାଣି ।

ବାଡ଼ି ପାଖର ଅଧାଅଧି ଉଠା ଆଟୁ—ଏପଟ ସେପଟ ବୁଲି ଦେଖୁଥିଲା ବିଶି । ପରସ୍ତ ପରସ୍ତ ହେଇ ମାଟି ପଥର ବସା କାନ୍ଥ—ପରଖିଲା ଭଳି ଦେଖି ଦେଖି ନଉଥିଲା ।

—କାଇଁଟା ଦେଖୁଚୁରେ ଭାଇ ?

ବିଶି ଫେରି ଚାହିଁଲା ।

ପାଖରେ ଅଇଁଠା ।

 

—କାଇଁଟା ଦେଖ୍‌ଚୁ ?

 

—ପଟା ପକେଇବ କି ବାଉଁଶ ପକେଇବ ?

 

ବିଶି ଚାହିଁଲା ଆକାଶ ଆଡ଼େ । ପଟା ବା ବାଉଁଶ ପଡ଼ିଥିଲେ ଯୋଉ ଆକାଶଟା ଛପି ଯାଇଥାଆନ୍ତା । ସେଇଆଡ଼େ ।

 

—କାଇଁଟା ଦେଖୁଚୁ ? କାଇଁଟା ଦେଖୁଚୁ କହ ନାଇଁ ଯେ ।

 

ବିଶି ଫେରି ଚାହିଁଲା । ଅଇଁଠା ଅଳ୍ପ ଅଳ୍ପ ହସୁଚି । ଚିକଣିଆ ଢାଲିଆ ଖୋସା—ଖୋସା ଦେହରେ ପାନ ପତ୍ରିର ଝୁଲ୍‍ପା ଗୁଡ଼ିକ ଝଲ୍‌ ଝଲ୍‌ । ନାକର ସୁନାଟା ଦାଉଦାଉ ।

 

—ଇ’ଟା କେବେ ଗଢ଼େଇଲୁ ?

 

—କାଇଁଟା ?

 

ପରଖିଲା ଭଳି ସୁନାରେ ଟିକେ ଟିପ ମାରିଲା ବିଶି—ପଡ଼ିଆ ସୁନାଟା !

 

ଅଇଁଠା କଣେଇ ଚାହିଁଲା—ଏନ୍‌ତି ଚିନ୍‌ ଲାଟା ତୁଇ !

 

ଆଉଜି ପଡ଼ିଥିବାଟି ମୁହଁ ଘୁରେଇଲା ।

 

ଧୀର ପାପୁଲି ଚଳେଇ ଆଣୁଥିଲା ବିଶି । ଆଖି ପୁଣି ବୁଜି ବୁଜି ହେଇ ଆସୁଥିଲା ।

 

—ଢବାଟା କେତେ ଉଁଚା କର୍‌ବ । କେଡ଼େଟେ ପିଁଡ଼ା ରଖ୍‌ବ ? ସେ ପାଖ୍‌କୁ କି ଇ’ପାଖ୍‌କୁ ?

 

ଅଇଁଠା ମଙ୍ଗ ମୋଡ଼ିଲା—ବିହା ପରା ନାଇଁ ହଉଥିଲୁରେ ଭାଇ ! ଇଗୁଟାକ କେନ୍‌ଠୁ ଆଇଲା ?

 

ବିଶି ଫେରି ଚାହିଁଲା ।

 

ଅଇଁଠା ହସୁଥିଲା ।

 

ଛାତରୁ ମୁହଁ ଘୂରେଇ ବାପ ମୁହଁଆଡ଼େ ବଲ୍‌ ବଲ୍‌ ଚାହିଁଲାଣି ଶିଶୁଟି ।

 

ଅଇଁଠା ଆଡ଼େ ଚାହିଁଥିଲା ବିଶି—ମାଁଠୁ ପିଉଥିଲେ ଗଲା ଇ’ଟିକ ମତେ ଦେଖ୍‌ଲା ବଇଲେ ଘିଡ଼୍‌ଘିଡ଼ଣୁ ଅନେଇସି । ମର୍‌ ପାଖ୍‌କୁ ଆଇଲେ ବଇଲେ ଲେଟ୍‌ କିଲା ।

 

ଶିଶୁ ଆଡ଼େ ଚାହିଁଲାଣି ଅଇଁଠା – ମର୍‌ ସାନ୍‌ଟା ଗଲା ସେନ୍‌ତି ରେ ଭାଇ । ମ’ଠୁ କା’ ପାଖ୍‌କୁ ନାଇଁ ଯାଏ । ଇଖ୍‌ଣା ଟିକେ ରୁଗେଇଚି–ନାଇଁ ହେଲେ ଦେଖି ଥାଇତୁ !

 

ସୁନ୍ଦରୀର ନୂଆ କତରିଆ ହଳଟା—ଲଗଉ ଲଗଉ ପୁରୁଣା ବନ୍ଦରିଆର ନକଲି ରୂପଟା ମନେ ପଡ଼ୁଥିଲା । ଅସଲ ରୂପ ଦେଖିଲା ପରେ ଆସିଥିବା ଦୁଃଖଟା, ନୂଆ କତ୍‌ରିଆ ଲଗଉ ଲଗଉ ଅନେକ ଅଂଶରେ ଭୁଲି ଭୁଲି ଯାଉଚି ।

 

ରୂପା ବନ୍ଦରିଆ ବୋଲି ଯୋଉ ହଳଟା କିଣିଥିଲା, ବର୍ଷ ନ ପାହୁଣୁ ତମ୍ବା ପାଲଟି ଯାଉଚି-। ତମ୍ବା ପିତଳ ମିଶା ମିଶି ରୂପ—ବନ୍ଦରିଆ ହଳଟି ଯୋଉଦିନୁ ତାର ଏଇ ପ୍ରକୃତ ରଙ୍ଗର ପୂର୍ଣ୍ଣତା ଆଡ଼େ ଗତି କରିବାର ସଂକେତ ଦେଇ ଦେଇ ଆସିଲେଣି ସେଇ ଦିନଠୁ ଶଙ୍କି ଶଙ୍କି ଯାଇଚି ସୁନ୍ଦରୀ-। ପ୍ରକୃତ ରଙ୍ଗଟି ରୂପାର ରୂପ ଫୁଟେଇଥିବା ଚକ୍‌ମକି ଖୋଳପାରୁ ମୁକ୍ତ ହେଇ ହେଇ ଆସିଲାଣି–ପ୍ରକୃତ ରଙ୍ଗର ପୂର୍ଣ୍ଣତା ଦିଗକୁ ଗତି କରୁ କରୁ ଭଗାରିର ଗାଳିଟା ବି ବଢ଼ି ବଢ଼ି ଆସୁଥିଲା–ତମେ ମାଇକିନେ କିଛି ନାଇଁ ଜାଣ । ସଭିଏ ତମ୍‌କୁ ଠକି ଖାଇବେ !

 

ସୁନ୍ଦରୀ ବି ବେଳେ ବେଳେ ଛାଡ଼ିନାଇଁ–ତମେ ଅଁଡ୍‌ରେ କାଇଁଟା ଜାଣିଚ ? ଚୁଡ଼ି, ମାଠି, ସୁନା, ଗୁଣା କଥା–ତମେ ଅଣ୍ଡ୍‌ରା ମୁଣ୍‌ଷ କାଇଁଟା ଜାଣ୍‌ବ ଇଥିରୁ ?

 

 

ନୂଆ କତରିଆ ହଳଟା ଭଗାରି ମନକୁ ମନ କିଣି ଦେଇଚି ।

 

କିଣା ହେଲା ପରେ କିଛି ପରିମାଣରେ ଭଗାରର ବିଦ୍ରୂପଟା ମାନି ନେଇଚି । ଆହୁରି ବରାଦ ଦେଇଚି, ବାହାକୁ ବାହାସୁତାଟେ ଅଣ୍ଟାକୁ ଅଣ୍ଟା ସୁତାଟେ । ପଛକୁ ଆଉ ସବୁ ଥାଉ ପଛକେ ବର୍ତ୍ତମାନ ହରଡ଼ ଫାଳରୁ ଆଉ କେତେଟା ।

 

ଭଗାରି କହିଚି—ହଲ ଏ, ତୁଇ ସବୁଟାରେ ମଲ୍‌ ମଲ୍‌ ହେଲେ କାଇଁଟା ହବ ? ଏକା ରାତିକେ ରାଣି ହେଇ ବସ୍‌ ସନ୍‌ କାଁ ?

 

ଚୁଡ଼ି ମାଠିକୁ ମଝିରେ ରଖିଥିବା ଦୁଇ ପାଖର ମେଘନାଦ ପାଚେରୀ—କତରିଆ ଆଉ ବନ୍ଦରିଆ । ସୁନ୍ଦରୀ ଥରେ ଥରେ ନିକିଟି ଦେଖେ । ନୂଆ କତରିଆର ଧୋବ ଫର୍‌ ଫର୍‌ ଚକ୍‌ ମକ୍‌–ଚକ୍‌ ମକ୍‌ଟା ଯେତେ ଯେତେ ଆଖିରେ ପଡ଼େ, ପୁରୁଣା ବନ୍ଦରିଆର ଫିକା ରୂପଟା ସେତେ ସେତେ ଆଖିକୁ ଲାଗେ । ଗୋଟାକ ପାଇଁ ଉଲ୍ଲାସର ଉଚ୍ଛ୍ଵାସ ଜାଗୁଥିବା ବେଳେ ଆରଟିର ବିପରୀତବୋଧକ ଉଚ୍ଛ୍ଵାସ ତାକୁ ଓଲଟେଇ ଦେବାର ଚେଷ୍ଟା କରେ ।

 

ଗଡ଼ତିଆଣିଙ୍କର ରନ୍ଧା, ତା ସାଙ୍ଗକୁ ଗଡ଼ତିଆଙ୍କର ନିଜ ହାତ ରଂଧା ଆମିଷ ପରସା—ଖାଇଦେଇ ଠିକ୍‌ ବେଳା ବେଳଟାରେ ଭଗାରି ଆଜି ଶୋଇ ଯାଇଚି । ଶୋଇଯାଇଚି ଖମାର ଘର ପଛ ପାଖ ବାରନ୍ଦାରେ ।

 

ବଡ଼ ଗଡ଼ତିଆଣି ତ ଦୁଇବର୍ଷ ହେଲାଣି ମାଘ ପାଇ ଗଲେଣି । ସାନ ଗଡ଼ତିଆଣି ଖିଆ ପିଆ ଖର୍ଚ୍ଚ ଯେତେ କମେଇବାକୁ ଚେଷ୍ଟା କଲେ ବି ଗଡ଼ତିଆ ଏବକୁ ଏବକୁ ବଢ଼େଇ ବଢ଼େଇ ଚାଲିଛନ୍ତି !

 

ଭଗାରି ଶୋଇ ଯାଇଚି । ଗଡ଼ତିଆଙ୍କ ଚଉଁରୀ ମରା ଘର ଭିତରୁ ମୁକୁଳି ଆସିଚି । ଏଠି ଟିକିଏ ଖୋଲା ପବନ ।

 

ଶୋଇଯାଇଚି ।

 

ମାଘ ଆଉ ଫଗୁଣର ମଝା ମଝି । ଆକାଶଟାରେ ମେଘ ଖଣ୍ଡେ ବିଛାଡ଼ି ହୋଇ ପଡ଼ିଛି-। କାଉଁଳିଆ ଖରା ଟିକିଏ ଟିକିଏ ଗୋଡ଼ଆଡେ ଲାଗୁଚି । ପହିଲେ ଲାଗୁଚି ପାଦରେ । ଉଷୁମଟା ପାଦଆଡ଼ୁ ଉପର ଆଡ଼େ ଚରି ଚରି ଆସୁଚି ।

 

ଭଗାରି ଶୋଇଚି ।

 

ବେଳ ଗଡ଼ି ଗଡ଼ି ଆସିଲାଣି । କାମକୁ ଯିବାକୁ ଉଠ୍‌ ଉଠ୍‌ ହଉଚି । ଉଠୁ ଉଠୁ ପୁଣି ଗଡ଼ି ଯାଉଚି । ଆଖି ଖୋଲୁଚି । ଆଖି ବନ୍ଦ କରୁଚି । ଖୋଲା ଅବସ୍ଥାର ଦୃଶ୍ୟଟା ବନ୍ଦ ଅବସ୍ଥାରେ ଅନେକଟା ଦେଖି ନଉଚି । କଳ୍ପନା ବୋଳା ଦୃଶ୍ୟ ଗୁଡ଼ିଏ ବେଳେ ବେଳେ ତା ସାଙ୍ଗରେ ମିଶୁଚି ।

 

ସବୁ ଗୁଡ଼ାକର ମିଶା ମିଶିଟା ଅନ୍ଧାର ଭିତରେ ବେଳେ ବେଳେ ସତ୍ତା ହରାଇ ବସୁଚି । ବେଳେ ବେଳେ ଅନ୍ଧାରକୁ ଓଲଟ ପାଲଟ କରି ଡେଣା ମେଲୁଚି ।

 

ଆଖି ଖୋଲିଚି । ଗଡ଼ତିଆ ଘର ଆଖି ପାଉଥିବା ଅଂଶଟା—ଆଖି ପୁରାଇ ଦେଖି ନେଉଚି । ଆଖି ଉହାଡ଼ରେ ଥିବା ଗୋଟିକି ଗୋଟି—ସେଗୁଡ଼ିକ ବି ଥରକୁ ଥର ଫୁଟି ଉଠୁଚନ୍ତି । ଫୁଟି ଉଠୁଚନ୍ତି ଗଡ଼ତିଆଙ୍କ ଘର, ଦୁଆର, ଅମାର, ସିନ୍ଦୁକ । ଶୁଭିଯାଉଚି ଖଣ୍‌ ଖାଣ୍‌ ଝଣ୍‌ ଝାଣ୍‌ ଠନ୍‌ ଠାନ୍‌ ।

 

ଗଡ଼ତିଆଠୁ ଗଡ଼, ଗଡ଼ଠୁ ଗାଁ, ଗାଁଠୁ ଘର—ଆଖି ପଲକରେ ଘୁରି ଆସୁଚି ଠାଆକୁ ଠାଆ । ଗୋଟାଏ ଗୋଟାଏ ଛପି ଗଲାବେଳେ, ଫୁଟି ଉଠିଲା ବେଳେ ଆଖି ପତା ପଡ଼ୁଚି, ଉଠୁଚି, ଦରମେଲା ରହି ଯାଉଚି ।

 

ଆଜି ସକାଳୁ ସକାଳୁ ଗଡ଼ତିଆଙ୍କ ସାଙ୍ଗରେ ଯୋଉ କଥାବାର୍ତ୍ତା ଆରମ୍ଭ କରି ଦେଇଥିଲା ତା’ର ପରିଣତିଟା କୋଉଆଡ଼େ ଗତି କଲେ କଣ କରିବାକୁ ହେବ ସେ ଆଡ଼ଟା ବି ଅନେକ ଭାବି ନେଇଥିଲା ।

 

ଅଭିମାନ ଭିତରେ ଧମକଟାଏ ଫେଣ୍ଟି ହେଲା ଭଳି ସ୍ଵର ନିଅ ଗଡ଼୍‍ତିଏ, ତମ ବଳ୍‌ସ ଘରର୍‌ କୁଁ ଚି କାଠି ନିଅ ଯାହା କହିବ ମୁହଁ ଆଗ୍‌ରେ କହିଲେ ମୁଁ ଇ ସହିଯିବା ଲୁକ, ଇ ତାର୍‌ ତାର୍‌ ଆଗ୍‌ରେ କହିଲାଟା ମତେ ଭଲ୍‌ ନାଇଁ ଲାଗେ ।

 

—କ’ଣ ହେଲା କହ ରେ, ଏନ୍‌ତି କାହିଁ ଲାଗି ହଉଚୁ ? କିଏ କ’ଣ ଟା କହିଲା ?

 

—ନାଇଁ ଶୁଣୁଥିବ କାଁ ? ଇଟା ନେଲା, ସେଟା ନେଲା, ଧାନ ବିକ୍‌ଲା, କୁଳଥ ବିକ୍‌ଲା, ଗୁଡ଼ ବିକ୍‌ଲା... ।

 

ସ୍ମରଣ କଲା ଭଳି ଭାବ ଭିତରେ ଗୁମ୍‌ମାରି ଆସିଥିଲେ ଗଡ଼ତିଏ । ଗଡ଼ତିଆଙ୍କୁ କଣେଇଁ ଚାହିଁ ଭଗାରି କହି ଚାଲିଥିଲା—ଜାମୁନାଳୀ ପାଖରେ ଏତେ କାଳ କଟେଇଲି, ଦେଖି କିଏ କହୁଚ କେନ୍‌ ଦିନ ଶାଗ୍‌ମଁଜିଟେ ଛୁଇଁ ଦେଇଚିଁ ବଇଲେ ! ତମେ ମର୍‌ ହାତ୍‌କୁ ପୁଅ ସମାନ୍‌କୁଁ ଚିକାଠି ବଡ଼େଇ ଦେଇଚ । ବାମୁଣ ତମେ । ଦେବ୍‌ତା ସମାନ୍‌ ! ମୁଇଁ ଖାଇ ଦେବି, ପି ଦେବି ? ବାମୁଣ ଧନ ମତେ ପାର ଯିବା ! ବାମୁଣ ତମେ ! ଦେବ୍‌ତା ସମାନ୍ ! ତମର୍‌ଟା ଖାଇଦେଲେ ମତେ ଧର୍‌ମ ସହିବା ? ଧର୍‌ମ ! ଧର୍‌ମ ? ହଁ, ହଁ ଧର୍‌ମ !

 

ଟିକିଏ ଟିକିଏ ଅଟକି ଯାଇଥିଲା ଭଗାରି । ପାଟି ଅଠା ଅଠା ହେଇ ଆସିଥିଲା—କିଏ ଧର୍‌ମରେ ଅଛି ଯେ ମତେ କହୁଚି ! ଦେବ୍‌ତା ମୁଁଡ଼୍‌ରେ ହାତ ଛୁଇଁ କହୁଚ କିଏ ଧର୍‌ମରେ ଅଛି । କହୁ ତ, ଦେଖି କହୁ ତ ! ମୁଇଁ ଆହୁରି ଦିନ ନାଇଁ, ରାତି ନାଇଁ.....

 

ଭଗାରିର ଅନର୍ଗଳ କଥାରେ ବାଧା ଦଉ ଦଉ ଗଡ଼ତିଏ କହିଥିଲେ—ଥାଉ ରେ ଥାଉ, କାହିଁକି କା କଥା ଶୁଣୁଚୁ ? ତୁଇ ମଠୁ କେବେ ଶୁଣ୍‌ଲୁଣି ?

 

ଭଗାରି କହି ଚାଲିଥିଲା ।

 

ଗଡ଼ତିଏ ପୁଣି ବାଧା ଦେଇଥିଲେ—ଏ, ଏ, ଏ ଭଗାରି ! ତୁନ୍‌ ପଡ୍‌ରେ । ତୁଇ ମ’ଠୁ ଶୁଣ୍‌ଲୁଣି ? ମୁଁ କେବେ ଦିନ୍‌କ ସକାଶେ କହିଲିଣି ? କହିଲିଣି ଇଟା ଖାଇଲୁ କି ସେଟା ଖାଇଲୁ ? ତର ଗଡ଼ତିଆଣି କେବେ କହିଲାଣି ? କହିଲାଣି ?

 

—ନାଇଁ ତ ।

 

—ନାଇଁତ, ଫେର୍‌ ?

 

—ନାଇଁ ଯେ, ମୁଇଁ କାଇଁଟା କହୁଚିଁ କି,

 

—ତୋ କଥା ନାଇଁ ଶୁଣେ ମୁଁ । ଯା, କାମ୍‌କୁ ଯା । ଆଜି ଚଣା ଘିଚେଇବୁ ପରା ?

 

ଭଗାରି ଚୁପ୍‌ ରହି ରହି ଆସୁଥିଲା ।

 

ଭଗାରି କଥାକୁ ଟପେଇ, ଛପେଇ ଗଡ଼ତିଏ ତାଙ୍କ କଥା ଭିତରେ ପ୍ରମାଣ କରିବାକୁ ଚାହୁଁଥିଲେ ଭଗାରି ଉପରେ ତାଙ୍କର ଅଗାଧ ବିଶ୍ୱାସ !

 

ଭଗାରି ରହିବା ପରଠୁ ଗଡ଼ତିଆଙ୍କ ଖେତଆଡ଼େ, ଆଟ ଆଡ଼େ ଯିବାଟା ଅନେକ କମି ଗଲାଣି । ଏବକୁ ଏବକୁ ନ ଯିବାଟା ବଢ଼ି ବଢ଼ି ଯାଉଛି । ମପା ବେଳେ, ରଖା ବେଳେ ଅଧା ଅଧିରୁ ପଳେଇ ଆସିଲେଣି । ପଳେଇ ଆସିଲେଣି ମଝି ଖଞ୍ଜା ଟପି ବାଡ଼ି ପାଖ ବଖରାକୁ । କଞ୍ଚାର ପରିମାଣଟା ବଢ଼ି ବଢ଼ି ଆସିଲାଣି । ପାଖ ଗାଁର ରନ୍ଧା ଆଡ଼େ ଥରେ ଥରେ ମୁହଁ ମାରି ଆସିଲେଣି ।

 

ଆହୁରି ବର୍ଷ ଗଡ଼ୁ ଗଡ଼ୁ, ଗଡ଼ତିଆଙ୍କ ରନ୍ଧାଟା ଆରମ୍ଭ ହେଲାଣି ନିଜ ଘରେ । ଭଗାରି ଲକ୍ଷ୍ୟ କରୁଥିଲା ।

 

ବାଡି ପାଖ ବଖରାରେ ହଠାତ୍‌ ଦିନେ ଠିଆ ହେଲା । ଉମ୍ଭେଇ ପାଖରେ ନିଧି ଡାଙ୍ଗ । ପିତଳ ଗିନାରେ ତରଳ ଆଉଟୁଚି ।

 

ଛାଲି ପଡ଼ା ଧୂଆଁ ଭିତରେ ଅଳ୍ପ ଅଧିକ ଅସ୍ପଷ୍ଟ ରହିଥିବା ଗଡ଼ତିଆଙ୍କୁ ଟିକିଏ ଚାହିଁ ନେଲା ଭଗାରି । ଫେରି ଆସିଲା ।

 

ଛିଟା ଟାଣି ଡାଙ୍ଗ ଫେରିଲା । ଭଗାରି ପୁଣି ପଶିଲା ଭିତରେ ।

 

—ଗଡ଼୍‍ତିଏ, ଇ ଗୁଡ଼ାକ ନାଇଁ ଖ । କଁଚା ତ ଖାଉଥିଲା; ଫେର୍‌ ଇଟା କାଇଁଟା ?

 

କିଛି ଶୁଣିବା ଆଗରୁ ଭଗାରି କହି ଚାଲିଲା—ତମେ ତ ଖାଇଲ ଖାଇଲ, ଇଏ ଫେର୍‌ କାହିଁଲାଗି ! ଗଡ଼୍‍ତିଏ, ଇ ଲୁକଟା ଭଲ୍‌ ନାଇଁ । ଭଲ୍‌ ନାଇଁ । ମୁଟ୍‌ ଉପ୍‌ରେ ଭଲ୍‌ ନାଇଁ !

 

ଭଗାରି କଥା ଅନେକ ଶୁଣା ଶୁଣି ପରେ ଗଡ଼ତିଏ କହିଲେ ପଦେ—ଡାଙ୍ଗର ପାଗଟା ଭଲ୍‌ !

 

ଗଡ଼ତିଆଣି କହିଲେ—ଏ ଖମାରି ପିଲା । ଦେଖ, ଦେଖ, ଯୁଥିରେ ପଶିଲେଣି ସବୁ ଉଡ଼େଇଦେବେ । ସବୁ ବୁଡ଼େଇ ଦେବେ । ମ କଥା ତ ନାଇ ମାନୁଚନ୍‌, ତମେ କହ ।

 

—କହିଲିଣ ।

 

—ନାଇଁ, ନାଇଁ, ଆହୁରି କହ । ଆହୁରି କହ । ଆହୁରି କହ । ଥର୍‌କୁ ପାଞ୍ଚ୍‌ ଥର କହ । ଏ ଖମାରି ପିଲା, ଦେଖୁଚ ତମର, ଅବସ୍ତା ! ଇଏ ତ ଏନତି ହେଲେ, ଇତାର, ଭାଗିଆରେ କ’ଣ ଅଛି କେଜାଣି ! ଇଏ ଫେର୍‌ ପାଠ୍‌ଶାଠ ପଢ଼ିବ ! ଇଏ ଫେର୍‌ ମଣିଷଟେ ହବ ।

 

ଗଡ଼ତିଆଣିଙ୍କ ଲୁହ ଆଡ଼େ ଅନେଇଲା । ମାମୁଁ ମାମୁଁ କହି ପାଖେଇ ଆସିଲାଣି ପିଲାଟି-। କୋଳେଇ ଧଇଲା । ଗେଲ କରୁ କରୁ ଦୁଇ ସରିଆ ଗୋପ୍‌ଆଡ଼େ ଚାହିଁଲା । କାନଫୁଲ ଆଡ଼େ ଚାହିଁଲା ।

 

—ଗଡ଼୍‌ତିଆଣି ଗ, କାଳ ବେଳ ଯାହା ହେଲାଣ, ପିଲାକୁ ନାଇଁ ପିନ୍ଧ ଇ’ଟା । ବେକ୍‍ରେ ଏଡ଼େଟେ ପଡ଼ିଚି ! ତିନ୍‌ ଭରି କି ଚାର ଭରି କାଇଁସେ । ଡାଁଗ ଲେଖା ଏନ୍‌ତି କେତେ ଯିବେ ଆଇବେ । କାର୍‍ ଲୁ ପଶିଯିବ ବଇଲେ ? ସୁନା ପାଇଲେ ଦୁଷ୍, ହଜିଲେ ଦୁଷ୍ !

 

ଯାଉଣୁ ଆସୁଣୁ ଭଗାରି ଦେଖେ ଗଡ଼ତିଆଣିଙ୍କ କାଇଲା ମୁହଁ । କଥା କଥାକେ ଲୁହ ଗଡ଼ା ଦେଖେ । ଠିଆ ଠିଆ ହୁଏ । ଅନାଏ ।

ବାଡ଼ି ପାଖ ବଖରା । ଏକ ଜାଗାରେ ଦୁଇ । ଚୁଲି ଝିଙ୍କା ପରି ତିନିଟା ମୁଣ୍ଡ । କୋଉଟା ନଉଁଚି । କୋଉଟା ଉଠିଚି । କୋଉଟା ଉଠୁଚି । ମଝିରେ ରାଉ ରାଉ କରୁଛି ନିଆଁ । ନିଆଁ ଉପରେ ଗିନା ଭିତରେ ଟବ୍‌ଟବ୍‌ ଫୁଟୁଚି । ମେଞ୍ଚାଟି ମିଳେଇ ମିଳେଇ ଯାଉଚି ।

ପଶି ଯାଉଥିଲା ଭଗାରି । ଫେରି ଆସିଲା ।

ଛିଟା ଟଣା ସାଙ୍ଗ ଦୁଇଟି ବିଦା ହେଲେ । ଭଗାରି ପାଖେଇ ଗଲା । ଗଡ଼ତିଏ ଆଉଜି ପଡ଼ିଲେଣି । ଗିନା, ଗିଲାସ, ଉମ୍ଭେଇ, ନିଆଁ, ଖିର, ଗୁଡ଼, ଚୁଡ଼ା, ପାଚିଲା କଦଳୀ .... ଚାରିଆଡ଼େ ଟିକିଏ ଟିକିଏ ଆଖି ବୁଲେଇ ନେଲା ।

କ’ଣ କହିବ କହିବ ହେଇ କହି ପାରୁନାଇଁ । ଗଡ଼ତିଆଣିଙ୍କ ସକାଳ କଥାଟା ମନେ ପଡ଼ୁ ପଡ଼ୁ ଫେରି ଆସୁଥିଲା—ଏ ଖମାରି ପିଲା, ଯେନଟା କହିଲି ନାଇଁ ଦେଖିଲ ?

—ମୁଇଁ କାଇଁଟା କର୍‌ବି ଗ ଗଡ଼୍‌ତିଆଣି ? ଭୁତି ବରତନ୍‌ ନଉଚିଁ; ଖଟୁଚିଁ । କହିବି ସିନା ପଦେ, ତମର୍‌ ଉପ୍‌ରେ ମର୍‌ କାଇଁ ଅଧିକାର୍‌ ଟେ ?

—ନାଇଁ ଗ ଖମାରି ପିଲା, ତମେ ଟିକେ ଭଲ୍‌ କରି ଦେଖ । ଟିକେ ଡରା ହରା କରି କାମ ପାଇଟିକୁ ଡାକ । ବଳସ ଘର ଦେଣ୍‌ ନେଣ୍‌ଟା ତାଙ୍କର୍‌ ହାତ୍‌ରେ ଦିଅ । ଆଉ କିଛି ନାଇଁ ହେଲେ ନାଇଁ, ସେ ଆଡ଼ଟା ବୁଝ୍‌ବେ ବଇଲେ.....

 

ଭଗାରି କଣେଇଁ ଚାହିଁଥିଲା । ଗଳା ତେଜିଥିଲା—ବୁଝି ନାଇଁ ଯେ, ଦେଣ ନେଣ ବୁଝ ନାଇଁ ଯେ । ରଖ ତମର୍‌କୁଁ ଚି କାଠି । ମର୍‌ ଗଲା ଇ ଭିତ୍‌ରେ ପଶ୍‌ବାକ ମନ୍ ନାଇଁ ।

 

—ନାଇଁ ଗ ଖମାରି ପିଲା, ମୁଇଁ କାଇଁଟା କହୁଚିଁ କି,

 

—ବୁଝୁଚିଁ ଗ, ତମର୍‌ କଥାଟା ବୁଝୁଚିଁ । ତମେ ସିନା ନାଇଁ କହୁଚ, ଇଏ ତ କହିଲା ଖାଇଲା ସେ ତ କହିଲା ଖାଇଲା ! କେନ୍‌ଟା ଭଲ୍‌ ଲୁକ୍‌ଟେ ଯେ କାହାକୁ କହିବି ‘ତିନ୍‌ ତୁଁଡ଼୍‍ରେ ଛେଳିଟା କୁକର୍‌ ହେଇ ଯାଇସି ! ପାଁଚ୍‌ ଜଣ୍ କହିଲେ ଭଲ୍‌ଟା ଗଲା ଅସାର୍‌ ହେଇ ଯାଇସି ! ନିଅ, ତମର୍‌ କୁଁଚି କାଠି ତମେ ନିଅ ।

 

ଭଗାରି ଅନର୍ଗଳ କହିଚାଲିଥିଲା ।

 

—ଏ ଖମାରି ପିଲା, ଏ ଖମାରି ପିଲା, ତୁନ୍‌ ପଡ଼, ତୁନ୍‌ ପଡ଼ । ଯିଏ କହିଲେ ବଇଲେ କାଇଁଟା ହବ ? ଉପ୍‌ରେ ଗୁଟେ ଅଛି ! ସେ ସବୁ ନାଇଁ ଦେଖୁଚି, ନାଇଁ ଜାଣୁଚି କାଁ ?

 

—ଉପରେ ? ହଁ, ହଁ ଗ ଗଡ଼୍‍ତିଆଣି ଉପ୍‌ରେ ଅଛି । ଉପରେ ଗୁଟେ ଧରମ ଅଛି ।

 

ଭଗାରି ମୁହଁ ଉଠି ଉଠି ଯାଉଥିଲା । ନଇଁ ନଇଁ ଆସୁଥିଲା । ପାଟି ଅଠା ଅଠା ହେଇଆସୁଥିଲା । ଭିତରଟା ଚଲ୍‌ ଚଲ୍‌ କରୁଥିଲା । ଦମ୍ଭେଇ ଠିଆ ହେଇଥିଲା । ଗଳାଟାକୁ ଆହୁରି ଜୋର କରିବାକୁ ଚେଷ୍ଟା କଲେ ବି ଖସି ଖସି ଆସୁଥିଲା । ଧର୍‌ମ ! ହଁ—ଧର୍‍ମ ଅଛି । ଧର୍‌ମ ଅଛି ଗ ଗଡ଼୍‍ତିଆଣି, ଧର୍‌ମ ଅଛି । ମାନ୍‌ଲେ ଦିଅ, ନାଇଁ ମାନ୍‌ଲେ ପଥ୍‌ର । କିଏ ମାନୁଚେ ? କହୁ ତ ଦେଖି କିଏ ମାନୁଚେ ? ମାନୁଥିଲେ ପୁର୍‌ଥିଟା ଏନ୍‌ତି ହେଇଥାଇତା କାଁ ? ଯିଏ କହିଲେ ହେଲେ ମୁଇଁ ମାନିଯିବି ? ମୁଇଁ ଶୁଣିଯିବି ? ମୁଇଁ ଇଟା ଜାଣେ, ଯାର୍‌ ଖାଇଲି, ତାର୍‌ ଗାଇଲି, ତାର୍‌ କଲି । ରାତି ନାଇଁ, ପାହାଁତି ନାଇଁ କଲି ଧଇଲି ଯେ, ଶେଷ୍‌କୁ, ହୁଁ !

 

ସକାଳ କଥାଟା ଛପି ଛପି ଯାଉଥିଲା । ଉପରକୁ ଚାହିଁଲା । ଦିଶିଗଲା ଗଡ଼ତିଆଣିଙ୍କ କାଇଲା ମୁହଁଟେ । ଶୁଭିଲା ସେଇ ମାମୁଁ ମାମୁଁ ।

 

ବୁଲି ପଡ଼ିଲା । ଆଗେଇଗଲା ।

 

—ଗଡ଼୍‍ତିଏ, ନାଇଁ ଖ ଇରାକ । ବିଷରାକ ! କଲ୍‌ଜା ଘର୍‌କୁ ପାଣି କର୍‌ଦବ । ପଇସାରାକ ପାଣି ଲେଖା ଯାଉଚି । ନାଇଁ ଦେଖ୍‌ଚ ମତେ ? ସାଙ୍ଗପାଙ୍ଗ୍‌ରେ ପଡ଼ି ବିଡ଼ି ଖଁଡ଼େ ଖଁଡ଼େ ପିଉଥିଲି ଯେ ସେଟା ଗଲା ପଟ୍‍ କରି ଛାଡ଼ିଦେଲି । ମଦ, ଗଁଜେଇ, ଆପୁ, ଛି ! ଛି ! ଏ ଗଡ଼ତିଏ, ନାଇଁ ଖ, ନାଇଁ ଖ । ଗୁଟେ ଆଉଥିଲା, ଯୁଡ଼େ ଆଇଲେଣ । ଏନ୍‌ତି ଏନ୍‌ତି ହେଇ ଆହୁରି ପାଁଚ୍‌ଦଶ୍‌ ଆଇବେ । ଭଲ୍‌ ନାଇଁ, ଭଲ୍‌ ନାଇଁ, ଯେନ୍‌ରାକ ଆଉଚନ୍‌ କେହି ଗୁଟେ ଭଲ୍‌ ନାଇଁ ! ଘର୍‌ଟା ଭିତର୍‌ଦେଇ ଯାଉଚନ୍‌ ଆଉଚନ୍‌ । କେତେ ଜିନ୍‌ଷ ଇଠି ସେଠି ପଡ଼ିଚି । କେତେବେଳେ କାଇଁଟା ଉଠେଇ ନେବେ ବଇଲେ ? ନେବେ କାଇଁଟା, କେତେ ନେଲେଣ କିଏ ତାର ହିସାବ ରଖିଚ କାଁ ?

 

ଭଗାରିଠୁ ଆହୁରି ଆହୁରି ଅନେକ ଶୁଣିଗଲେ । ଉପରକୁ ଆଖି ନେଲେ—ମର୍‌ ହାତ୍‌ରେ କ’ଣଟା ଅଛିରେ ? ସରୁ ତାର୍‌ଲୀଳା ! ସବୁ ତା’ର ଖେଳା !!

 

ଆଖୁପେଡ଼ା ଘଣା ଭଡ଼ାରେ ଆଣିବାକୁ ଗଡ଼କୁ ଯାଇଥିଲା ଭଗାରି । ଗଡ଼ରୁ ଫେରି ଘରକୁ ରାତିକ ପାଇଁ ଆସିଚି ।

ରାତି ଥାଉଁ ଥାଉଁ ଧଡ଼୍‍ପଡ଼୍‌ ହେଇ ଉଠି ବସିଲା । ଗଡ଼ରେ ଯୋଉଟା ମୁଣ୍ଡରେ ପଶିଚି ସେଇଟା ସେଇଟା ହେଉଚି । ସେଇ ଭିତରେ ଧନ୍ଦି ହେଉଚି, ଘୁରି ହେଉଚି ।

ଛୁଆ ଦୁଇଟାର କେଁ ଭେଁ ରେ ସୁନ୍ଦରୀର ନିଦ ଭାଙ୍ଗି ଯାଇଥିଲା । ସେ ପାଖ ଘରୁ ଅକର୍ମର ପିଲାଟିଏ ବି କାନ୍ଦି ଉଠିଲାଣି ।

ଭଗାରି ଉଠି ବସିଚି । ଅନ୍ଧାର ଭିତରେ ବୁକ୍‌ଚା ଦରାଣ୍ଡୁଚି ।

–ରାତିଟେ ଅଛି ଗ, ଆଉଟିକେ ଯାଉ । ଭାଲୁ ଭୁଲା ଭେଟ୍‌ବ !

—ନାଇଁ ଲ ନାଇଁ, ବେଗେ ନାଇଁ ଗଲେ ନାଇଁ ହୁଏ । ଏ ସୁନ୍ଦ୍‌ରି, ଗୁଟେ କଥା ଶୁଣ୍‌ବୁ କାଁ ?

—କାଇଁଟା ?

କହିବାକୁ ଯାଉ ଯାଉ ଅଟକି ଗଲା ଭଗାରି–ନାଇଁ ଲ, କିଛି ନାଇଁ ।

ପାହାନ୍ତା ପହର । ମାଘୁଆ ଶୀତଟା—ଭଗାରି ତରତର ହୋଇ ଚାଲିଗଲା ।

ଚଇତ ପଶିଚି । ଦିନ ଦି ପହରଟା । ଆକାଶର ଏଠି ସେଠି ଛପି ଛପିକା ମେଘ । ଟିକିଏ ଖରା ଭରା ଉଜ୍ଜ୍ଵଳ ଆଲୁଅକୁ ଟିକିଏ ଛାଇଗୋଳା କାଉଁଳିଆ ପାଗ ।

ବାଡ଼ି ପାଖ ଆଟୁ ବଖରାରୁ ଭଗାରି ଡାକିଲା—ଏ କାଳିଆର ମାଁ, ଶୁଣ୍‌ତ ।

କେତେ ଡାକ ପରେ ସୁନ୍ଦରୀ ଆସିଲା । ଦ୍ଵାର ବନ୍ଧ ପାଖରେ ଠିଆ ହେଲା ।

—ଇଆଡ଼େ ଆ, ଶୁଣ୍‌ତ ।

—ବେଗେ କହ ଗ । କେତେ ପାଇଟି ।

ଫେରିଯିବାକୁ ପାଦ ବଢ଼ଉ ଥିଲା ସୁନ୍ଦରୀ—ଇଖଣି ତମର କଥା ଶୁଣବା ଲାଗି ବେଳ ନାଇନି ମର୍‌ !

—ଶୁଣ୍‌, ଶୁଣ୍‌, କେଡ଼େ କାମ୍‌ଟେ ।

ହାତ ପାହାନ୍ତା ଟ୍ରଙ୍କଟା ଟିକିଏ ଖୋଲିଲା । ଅଧା ଖୋଲି ଢାଙ୍କୁଣୀଟା ଛାଡ଼ି ଦେଲା । ଛୁଆ ଚମକିଲା । ଉଠି ଆସିଲା । ଥାପୁଡ଼େଇଲା ।

ଗଲାବର୍ଷ ଫଗୁଣରେ ଗଡ଼ରୁ କିଣିଥିଲା ଏଇ ଟ୍ରଙ୍କଟି । ଫୁଲା ଫୁଟା ରଙ୍ଗିନ୍‌ ଲତ ଲତ୍‌ ଆଡ଼କୁ ଆଖି ଟାଣି ହେଇ ଯାଇଥିଲା । ହେଲେ, ଏ ଖଣ୍ଡ ଫୁଲ ଫୁଟା ଲତ୍‌ ଲତ୍‌ ନୁହେଁ ।

ବେଶ୍ ଟିକେ ମଜଭୁତ୍‌ କଳ କିଟ୍‌ କିଟ୍‌ ବି ପରଖି ଥିଲା ।

 

ମଜଭୂତରେ ମଝି ମିଝିଆ ଶାଗୁଆ ଛିପ୍‌ ଛିପ୍‌ଏ ଖଣ୍ଡକ ।

 

—କାଇଁ କାମ ? ପଛେ କହିଲେ ନାଇଁ ହବ କାଁ ?

 

ନାଇଁଲ, ଶୁଣ୍‌ । ଆ । ଭିତରକୁ ଆ । ବ । ତର୍‌ତର୍‌କଥାଟେ ଯେ ଠିଆ ଠିଆ କହିଦେବି କାଁ ?

 

—କାଇଁ ଏନ୍‌ତି କଥାଟେ ଯେ

 

ଭଗାରି ଟ୍ରଙ୍କ ଖୋଲିଲା । ବାହାର କଲା ବୁଜୁଳାଏ । ଅଣି, ଦୋ ଅଣି, ପଇସା—ଟଙ୍କା କେତଟା କୋଉଠୁ କେମିତି ଫୁଟି ଦିଶୁଚି । ତାରି ଭିତରେ ଟଙ୍କାକିଆ, ଦୁଇ ଟଙ୍କିଆରୁ ଆଙ୍ଗୁଳି ବହଳ ଥାକଟେ ।

 

ସୁନ୍ଦରୀର ବିସ୍ଫାରିତ ଆଖି ଦୁଇଟା—ଆଁ ! ଏତେ କେନ୍‍ଠୁ ପାଇଲ ! ଗଡ଼କୁ ଯିବ କାଁ ? ଲାଟ୍‌ବଁଦି କାଁ ?

 

ନାଇଁଲ, ଜାଣ୍‌ଲୁ,

 

ସୁନ୍ଦରୀ ମୁହଁକୁ ନିକିଟି ଚାହିଁଲା ଭଗାରି । କଥା ବଦଳେଇଲା—ତତେ, ତତେ ନାଇଁ ପାରି ହୁଏ । ତତେ ଭୁଲେଇ ଦେବି ବଇଲେ କେହି ନାଇଁ ପାରେ । ହଁ ଲ ହଁ, ଲାଟ୍‌ବଁଦି । ଆମ୍‌ଙ୍କୁ ଏତ୍‌କି ମିଳ୍‌ତା ବଇଲେ ! ଅ ! ନାଇଁ କହତ ।

 

—କହ ଗ, ବେଗି କହ । ମର୍‌ କେତେ ପାଇଟି ।

 

—କାଇଁଟା କହୁଚି କି.....

 

ଛେପ ଢୋକିଲା ଭଗାରି—ମୁଇଁ କାଇଁଟା କହୁଚି କି, ଜାଣ୍‍ଲୁ ଲ ମୁଇଁ କାଇଁଟା କହୁଚି କି, ଜାଣ୍‌ଲୁ ଲ ମୁଇଁ କାଇଁଟା କହୁଚି କି,

 

–କାଇଁଟା ?

 

—କାଇଁଟା ? କାଇଁଟା ଫେର ହେଇତା । ଜମି ଭାଗ୍‌ଟେ ତ କିଣ୍‌ମା କାଇଁଟା ଫେର୍‌ହେଇତା । ଭଲ୍‌ଜମିଲ !ଅଉଲ୍‌! ଆଠକାଳି ବାରମାସି ପାଣି ମାଡ଼୍‌ବ !

 

—ଜମି ?

 

ହଁ ଲ ହଁ, ପାଣି ମାଡ଼ୁଚି । ଆଠକାଳି ବାରମାସି ପାଣି ମାଡ଼ୁଚି !

 

—ପାଣି ମାଡ଼ୁଚି ? ଆଠକାଳି ବାରମାସି ? ତମେ ? ଏନ୍‌ତି ଜମିଲାଗି ତମେ କେନ୍‌ଠୁ ପାଇବ ଏତେ ଟଁକା ?

 

ଭଗାରି ହସିବାକୁ ଚେଷ୍ଟାକଲା—ତର୍‌ କତ୍‌ ରିଆ ବନ୍ଦରିଆ ସୁନା ଗୁଣା ଲାଗି ଟକା ମିଳ୍‍ଲା, ଜମି ଖଣ୍ଡେ ଲାଗି ନାଇଁ ମିଳେ ?

 

ଭଗାରିର କଥା ଶେଷ ହେଇନାଇଁ; ମୂହୁର୍ତ୍ତକର ଗାମ୍ଭୀର୍ଯ୍ୟ ପରେ ପରେ ସୁନ୍ଦରୀ ଗଳାରୁ ଝଡ଼ ଛୁଟିଲା–ନିଅ, ନିଅ, ନିଅ ତମର୍‌ କତ୍‌ରିଆ ବନ୍ଦରିଆ । ନିଅ ତମର ସୁନାଗୁଣା । ଇଥିର୍‌, ଲାଗି ବଲି ଖୁଁଟା ଦଉଥିବ କାଁ ?

 

ହାତ ଆଡ଼େ କାନ ଆଡ଼େ ହାତ ନଉ ନଉ, ଫେରେଇ ଅଣା ହାତକୁ ଶୂନ୍ୟରେ ଦୋହଲା ଦୋହଲି ଆରମ୍ଭ କରିଦେଲା । ରାଗଗୋଳା ଅଭିମାନ କଥା ଗୁଡ଼ିଏ । ଶୁଣିବାକୁ ଖୁବ୍ ବେଶୀ ଧୈର୍ଯ୍ୟ ନ ଥିଲା ଭଗାରିର । ଗଳାକୁ କଅଁଳ କଲା—ବ, ବ, ମର୍‌ ଅସଲ୍‌ କଥାଟା ନାଇଁ ଶୁଣିକିରି ଏନ୍‌ତି କାହିଁ ଲାଗି ହଉଚୁ ? ତର୍‌ସୁନା ରୂପା ତ ତର୍‌ । ମର୍‌ ସେଥ୍‌ରେ କାଇଁଟା ଅଛି ? ଶୁଣ୍‌, ତତେ କାହିଁଲାଗି ଡାକିଚିଁ ଆଗ ଶୁଣ୍‌ । ଟିକାକୁ ଏନ୍‌ତି ବିର୍‌କର୍‌ବୁ ବଇଲେ କେନ୍‌ତି ବୁଝେଇବି ତତେ ?

 

ସୁନ୍ଦରୀ ଗଳା ଥମି ଥମି ଆସିଲାଣି । ଭଗାରି କଥା ଆଡ଼େ ଟିକେ ଟିକେ କାନେଇଲାଣି-

 

ଭଗାରି ଲକ୍ଷ୍ୟ କରୁଚି ।

 

–ଜାଣ୍‌ଲୁ ଲ, ସେ ଯେନ୍‍ ଗଡ଼ୁଆ ମିସ୍ତ୍ରୀ, କୁଠାରେ ଯେନ୍‌ଟା କାମ କରୁଥିଲା,

 

ସୁନ୍ଦରୀ ପଚାରି ଆସୁଥିଲା ପ୍ରଶ୍ନଟିଏ ।

 

ସୁନ୍ଦରୀର ପ୍ରଶ୍ନ ଆଉ ସ୍ମରଣଟା ପ୍ରାୟ ଏକ ସାଙ୍ଗରେ ହେଲା । ସକାଳ ପାହିଲେ ଯୋଉ କୋଠାର ମୁଣ୍ଡ ଭାଗଟା ଆଖିରେ ପଡ଼େ, ସେଇଟା ସୁନ୍ଦରୀର ସ୍ମରଣକୁ ଆସି ଯାଇଥିଲା । ପଞ୍ଝା ପଞ୍ଝା ତ ଦୂରର କଥା, ପୁଞ୍ଜେ ଅଧେ ବି ସେ ଆଡ଼େ କୋଉଦିନୁ ଯାଉନାହାନ୍ତି । ବର୍ଷ କେତେଟା ଭିତରେ ପାହାଡ଼ ତଳ ମୁଣ୍ଡିଆର ସେଇ ଆଡ଼ଟା ଶୂନ୍‍ଶାନ ହେଇ ଆସିଲାଣି । କଟା ଜାଗାରେ ନୂଆ ଉଠିଲାଣି । ନୂଆ କଅଁଳିଲାଣି । କୋଠାର ତଳ ଆଡ଼ୁ ଛପେଇ ଛପେଇ ନେଲାଣି ।

 

ସେଇଠି କାମ କରୁଥିଲା ଯୋଉ ମିସ୍ତ୍ରୀଟି ସ୍ମରଣକୁ ଆସିଗଲା ।

 

ଭଗାରି ସାଙ୍ଗରେ ମିସ୍ତ୍ରୀର କଥାବାର୍ତ୍ତା ଏଇ ଘରେ କେତେ ଥର କାନେଇ ଶୁଣିଚି ସୁନ୍ଦରୀ । ମିସ୍ତ୍ରୀଠୁ ତାର ତୋଳାତୋଳି, ଗଢ଼ାଗଢ଼ିର ବର୍ଣ୍ଣନା ଶୁଣୁ ଶୁଣୁ ଭଗାରି ବେଳେ ବେଳେ ପଚାରି ଦିଏ—କେନ୍‌ ମାସ୍‌ରେ କୁଅ ଖୁଳେଇଲେ ଇଟା ବସେଇ ହବ ? ଆବ୍‌ରା ଇଟାରେ ଘର ହବ କି ନାଇଁ ? କେତ୍‌ ଗାଡ଼ି ଖଣ୍ଡିଆ ଇଟାରେ ବଖ୍‌ରେ ଦି’ ବଖ୍‌ରା ହବ ।

 

ଆବ୍‌ରା ଇଟାର ଆବାସ ଅସରାଏ ବର୍ଷାରେ ଆଉଜି ପଡ଼ିବା ସାଙ୍ଗେ ସାଙ୍ଗେ ଆଉ ଟିକିଏ ପାଣି ପାଉ ପାଉ ଛାଣି ହେଇ ଯିବାର ଅବସ୍ଥାକୁ ଆସିଯିବ; ଖଣ୍ଡିଆ ଇଟାରେ ବେଶୀ ଚୂନ ବେଶୀ ସିମିଟ୍‌ ଖର୍ଚ୍ଚଟା ଚରମ ସୀମାକୁ ଆସିଯିବ, ଏଇ ଧରଣର ଉତ୍ତର ଶୁଣୁ ଶୁଣୁ ପ୍ରଶ୍ନ କରିବାର ଉତ୍ସାହ ଅନେକ ଥର ମରି ମରି ଯାଇଥିଲା ।

 

କେଁ ଭେଁ ଭାସି ଆସିଲା । ସୁନ୍ଦରୀ ଉଠି ପଡ଼ିଲା । ଧାଇଁ ଯିବାକୁ ପାଦ ବଢ଼ାଇଲା । ପାଦେ ପକାଇ ଅଟକିଲା । ଆଉ ପାଦେ ପକେଇ ଠିଆ ହେଲା । ଭଗାରି ବର୍ଣ୍ଣନା କରି ଚାଲିଥିବା ପାଣି ମଡ଼ା ଜମିଟା ମଥା ଭିତରେ ଭଉଁରି ଖେଳିଲାଣି । କଳ୍ପନାର ଜମିଟା କେତେବେଳେ ଦିଶୁଚି, କେତେବେଳେ ହଜି ଯାଉଚି, କେତେବେଳେ ଅଧାଅଧି ଲୁଚି ଯାଉଚି । କେତେବେଳେ ନୂଆ ରୂପରେ ଦିଶୁଚି । ପୁରୁଣା ଆଉ ନୂଆ ରୂପ ଖାପ ଖାଉ ନାଇଁ । ତଥାପି ପହିଲି କଳ୍ପନାଟା ପୂରା ହଜି ଯାଉନାଇଁ ।

 

ସବୁଟା ବି କେତେବେଳେ ଛପି ଯାଉଚି । ସଞ୍ଜ ଆଗର ଛାଇ ଭଳି ବେଳେ ବେଳେ ଅସ୍ପଷ୍ଟ ହେଇ ଆସୁଚି ।

 

କହୁ କହୁ ଲକ୍ଷ୍ୟ କରୁଚି ଭଗାରି ।

 

ବସି ପଡ଼ୁଥିଲା ସୁନ୍ଦରୀ—ଜମିଟା କେନ୍‌ଠି ଗ ? କେତେ ପଡ଼ୁଚେ ?

 

—କହିବି ଲ, ସବୁ କହିବି ।

 

ପାଖ ଧୂଳିଆ ପଡ଼ା ମୌଜା ଅନ୍ତର୍ଗତ ମିସ୍ତ୍ରୀ ଜମିର ନମ୍ବର, ଚୌହଦୀ, କିସମ, ଖଜଣା ଇତ୍ୟାଦିର ଆଂଶିକ ବର୍ଣ୍ଣନା କରି ସରିଲାଣି ଭଗାରି । ବର୍ଣ୍ଣନା ଭିତରେ କଳ୍ପନାର ଯେତେଟା ଆଶ୍ରୟ ନେଇଥିଲା ସୁନ୍ଦରୀ ଆଗରେ ସେଇ ମିଛଟା ଅପରିହାର୍ଯ୍ୟ ବୋଲି ଭାବି ନେଉଥିଲା । ମିଛଟା ଅପରିହାର୍ଯ୍ୟ ବୋଲି ଭିତରେ ଭିତରେ ଯୁକ୍ତି କରୁଥିଲେ ବି ନିଜର ସେଇ କାଳ୍ପନିକ ବର୍ଣ୍ଣନାଟି ନିଜ ଭିତରେ ବି ବେଳେ ବେଳେ ସତ ବୋଲି ଧାରଣା ଆସି ଯାଉଥିଲା । ଧାରଣାଟା ଧୀରେ ଧୀରେ ‘ମାନିନବା’ ଆଡ଼େ ମାଡ଼ି ଯାଉଥିଲା । ମାନିନେବା ସଙ୍ଗେ ସଙ୍ଗେ ଏଇ ଅବା ହାତ ମୁଠାକୁ ଆସିଗଲାର ସ୍ଵପ୍ନଟାଏ ଦେଖି ନଉଥିଲା । ତା ଭିତରେ ‘ହୁଏ ତ’ ଯେତେଟା ଥିଲା; ନିଶ୍ଚୟ ହବାର ଦୃଢ଼ତା ତାଠୁ ବେଶୀ ଥିଲା । ନିଜର ମିଛ ବର୍ଣ୍ଣନାରେ ନିଜେ ବି ଭାସି ଯିବାରେ ଅନେକଟା ସାହାଯ୍ୟ କରିଥିଲା, ଆଖ ପାଖରେ ଏକ ଚକଡ଼ି ପାଣିମଡ଼ା ଅଉଲ ଜମି କିଣିବାର ଅତ୍ୟଧିକ ମୋହଟା । ମୋହର କୋଉ ଅଂଶ ବର୍ଣ୍ଣନାଟା ସତ ଭାବରେ ମାନି ନବାଟାକୁ ଶକ୍ତ କରି ଦଉଥିଲା ସେ ଆଡ଼ଟା ଖିଆଲ ରଖିବା ସୀମାଠୁ ବେଶ୍‌ ଦୂରରେ ରହି ଯାଇଚି ।

 

ଜମିର ଭୂତ, ଭବିଷ୍ୟତ, ବର୍ତ୍ତମାନ ସମ୍ବନ୍ଧରେ ବହୁତ କିଛି କହି ସାରିବା ପରେ ଗଳା କମେଇ ଆଣିଲା ଭଗାରି—ଜାଣ୍‌ଲୁ ଲ, ସବୁ ହବ ଯେ, ହେଲେ, ହେଲେ ଇଖ୍‌ଣି ନାଇ କିଣଲେ ନାଇଁ ହୁଏ । ଦୁଇ କାନ୍‌ରୁ ଚାର୍‌କାନ୍‌ ନାଇ ହେଇ । ମୁଁଇଁ ତାକୁ ଗଡ଼୍‍ରେ ପଟାପଟିଟେ କରିଚି । ଇଖ୍‌ଣି ତାର ଗରଜ୍‌ ପଡ଼ିଚି ଗଲା ।

 

ସୁନ୍ଦରୀ ଭାବି ଯାଉଥିଲା ।

 

ଜମିର ବର୍ତ୍ତମାନ ଆଉ ଭବିଷ୍ୟତଟା ଅତିଶୟୋକ୍ତି ଭିତର ଦେଇ ବର୍ଣ୍ଣନା କରିବାକୁ ଇଚ୍ଛାଟାଏ ଆସୁଥିଲେ ବି ଧରା ପଡ଼ିଯିବାର ଆଶଙ୍କାରେ ପୂର୍ବର ବର୍ଣ୍ଣନାକୁ ଆଉ ଟିକିଏ ଅତି ରଞ୍ଜନ ଆଡ଼େ ନଉଥିଲା ।

 

ବର୍ଣ୍ଣନାକୁ ଟିକିଏ ଥମେଇ ଅସଲ ଉଦ୍ଦେଶ୍ୟଟା ବାଢ଼ିବାକୁ ଚେଷ୍ଟାକଲା—ଜାଣ୍‌ଲୁ ଲ, ମୁଇଁ କାଇଁଟା କହୁଚିଁ କି, ପାଟି ଅଠା ଅଠା ହେଇ ଆସୁଥିଲା—ଜାଣ୍‌ଲୁ ଲ, ମୁଇଁ କାଇଁଟା କହୁଚିଁ କି, ଉଃ କହିଲେ ତ ଫେର୍‌ ଇଖ୍‌ଣି ବିର୍‌ କରବୁ ।

 

ସୁନ୍ଦରୀ କଣେଇ ଚାହିଁଲା ।

 

—ଏ ଦି ତ, ଏ ଦି ତ କିଛି ନାଇଁ କହୁଣୁ କେନ୍‌ତି କେନ୍‌ତି ହେଲୁଣ !

 

—କାଇଁ କଥା ଗ ? କହ ନାଇଁ ଯେ କାଇଁଟା । କାହିଁ ଲାଗି ବିର୍‌ କର୍‌ବି ?

 

ସୁନ୍ଦରୀକୁ ଭଲ କରି ଚାହିଁ ନଉ ନଉ ଭଗାରି ପୁଣି ଆରମ୍ଭ କଲା—ତୁଇ ମନ୍‌ ନାଇଁକଲେ କିଣି ନାଇଁ ହୁଏ ।

 

—ମୁଇଁ !

Unknown

 

ଭଗାରି କହିଚାଲିଲା—ଇ ଘର ଦୁଆର କିଛି ନାଇଁରହେ ଲ । ଆଜି ଅଛି, କାଲ୍‌କି ଭାଁଗି ରୁଜି ଯାଇଥିବ । ଘର, ଦୁଆର, ସୁନା, ରୂପା କିଛି ନାଇଁ ରହେ । ରହିବ ଯେନଟା ସେଟା ହଉଚି ମାଟି ! ମାଟିଟା ସବୁ ଦିନର୍‌ । ମାଟିଟା ସବୁ । ମାଟିଟା ସୁନା !

 

ଭଗାରି କହି ଚାଲିଛି ।

 

‘ସୁନା’ ‘ରୂପା’ ଶୁଣୁ ଶୁଣୁ ସୁନ୍ଦରୀ ଚମକିଲାଣି । ଭଗାରି ବାକି କଥାରୁ କେତେ ପଶିଚି କେତେ ନାଇଁ ।

 

ଭଗାରି ଯେତେବେଳେ ଅସଲ ଉଦ୍ଦେଶ୍ୟଟା ସିଧାସଳଖ କହିଦେଲା ସୁନ୍ଦରୀ ଚଟ୍‌କରି ଉଠି ପଡ଼ିଲା ନାଇଁ–ନାଇଁ ଇ କଥା ନାଇଁ ହେଇପାରେ । ଇଥ୍‍ରେ ଆଖି ନାଇଁ ଦିଅ ।

 

ଭଗାରି ହାତ ଧରିଲା । ଆହୁରି ନରମ କଲା ଗଳା ଏ ସୁନ୍ଦ୍‌ରି, ଏ କାଳିଆର୍‌ ମାଁ, ତୁଇ ଏନ୍‌ତି ନାଇଁ ହ । ତର୍‌ କତ୍‌ରିଆ, ତର୍‌ ସୁନାଗୁଣା କିଛି ନାଇଁ ହୁଏ । ବିକା ଭଁଗା ନାଇଁ ଲ, ଖାଲି ରଖେଇ ଦେଇଥିମା । ଯେତ୍‌କି ଉଣା ସେତ୍‌କି ଖାଲି ଆଣିବ । ମାସେ କି ପଖେ ନାଇଁ ଯାଇଥିବ, ତର୍‌ ହାତ, ନାକ, କାନ ଫେର୍‌ ଯେନ୍‌ଟାକୁ ସେ’ଟା ।

 

ଭଗାରି କହି ଚାଲିଲା । ବର୍ଣ୍ଣନାରେ ଆହୁରି ଆହୁରି କଳ୍ପନାର ବୋଜ ବୋଳି ବୋଳି ଚାଲିଲା ।

 

ସୁନ୍ଦରୀ କେତେବେଳେ ପଛେଇ ଯାଉଥିଲା । କେତେବେଳେ ଆଗେଇ ଯାଉଥିଲା । ଠିଆ ଠିଆ ହେଉଥିଲା । ଧୀରେ ଧୀରେ ଶୁଣି ଆସୁଥିଲା—କେତେବେଳେ ମୁହଁ ପୋତି, କେତେବେଳେ ଉପରକୁ ଚାହିଁ, କେତେବେଳେ ଭଗାରିକୁ ନିକିଟି । ପାଖକେ ରୂପା କତ୍‌ରିଆ, ସୁନା ଗଣ୍ଡାକ, ଗୁଣାଟା, ଝଲ୍‌କାଟା ଝଲ୍‌ ମଲ୍‌ କଲାବେଳେ, ଆର ପାଖରେ ପାଣିମଡ଼ା ଖେତର ସବୁଜ ଲହଡ଼ି ଥଲ୍ ଥଲ୍ କରୁଥାଏ । ପାଚିଲା କିଆରି ଲପ୍‌ ଲପ୍‌ କରୁଥାଏ ।

 

ବେଳେବେଳେ ଦୁଇଆଡ଼ଟା ଏକାବେଳକେ ଛପିଯାଇ ଅନ୍ଧାରଟାଏ ଗିଲ୍‌ ଗିଲ୍‌ କରୁଥାଏ ।

 

ଭଗାରିର ଗଳା ଥକି ଥକି ଆସିଲା ବେଳକୁ, ସୁନ୍ଦରୀର ଥରକୁ ଥର ବାହାର ଆଡ଼େ ପାଦବଢ଼ାଟା କମି କମି ଆସିଲାଣି ।

 

ଆଉ କଣ କହି ଥାଆନ୍ତା ଭଗାରି । କଥାରେ ବାଧା ଦେଲା ସୁନ୍ଦରୀ—କେତେ ପଡ଼ୁଚି ଗ ସେ ଚକ୍‌ଡ଼ାଟା ? ମରି ମରି ଆସୁଥିବା ଉତ୍ସାହଟା, ଉଚ୍ଛ୍ଵାସଟା ପୁଣି ଭରି ଭରି ଯାଉଥିଲା ଭଗାରି ଗଳାରେ—କେତେ ? କେତେ ପଡ଼୍‌ବି ? ସବୁ କହିବି ଲ ସବୁ କହିବି, ଗୁଟି ଗୁଟି କରି ସବୁ କହିବି ।

 

ବାକ୍ସ ଆଡ଼କୁ ହାତ ନେଲା ଭଗାରି—ମର୍‌ ପାଖରେ ଯେତକି ଦେଖଲୁ, ଆଉ ସେଥିର୍‌ ଅଧା ହେଲେ ଯାଇ ।

 

ସୁନ୍ଦରୀ ଚମକିଲା । ନିକିଟିଲା । ନିକିଟା ଭିତରେ ସନ୍ଦେହର ମେଘଟାଏ ।

 

ସୁନ୍ଦରୀ ମୁହଁକୁ ଚାହିଁ ରହିଥିଲା ଭଗାରି । ହଠାତ୍ କଥା ବଦଳେଇଲା—ମର୍‌ ପାଖ୍‍ରେ-? ମର୍‌ ପାଖରେ ଏତ୍‌କି ଥାଇତା ବଇଲେ.....

 

ସୁନ୍ଦରୀ ଠିକ୍‍ ସେମିତି ସନ୍ଦେହ ଦୃଷ୍ଟିରେ ଚାହିଁଚି—ଇ ତକ କେନ୍‌ଠୁ ପାଇଲ ?

 

—କେନ୍‌ ତକ ?

 

—ଯେନ୍‌ ତକ ବାକ୍‌ସରୁ କାଢ଼ି ଦେଖେଇଲ ।

 

—ଇ ତକ ନାଇଁ ଯେ, ଆଉ କେନ୍‌କଥା ପଚାରୁ ଚେ ?

 

ଢୋକି ଢୋକି କଥା ଆରମ୍ଭ କଲା ଭଗାରି—ଲାଟ୍‌ବନ୍ଦି ପରା ଲ୍ ।

 

ସୁନ୍ଦରୀର ହଠାତ୍‌ ସ୍ମରଣ ହେଲା ବାରପଣି ଲାଟ୍‌ ବନ୍ଦିଟା ଗଲାଣି । ଖଜଣା ଟଙ୍କା ନେଇ ଗଡ଼କୁ ଗଲାବେଳେ ଭଗାରି ସେ ଆଡ଼ୁ ସେ ଆଡ଼ୁ ଖବର ପଠେଇ ଥିବାଟା ବି ହଠାତ୍‌ ମନେ ପଡ଼ିଗଲା ।

 

ଗଳା ଚଢ଼େଇ ଚିତ୍କାର କରି ଆସୁଥିଲା ସୁନ୍ଦରୀ । ପଦାକୁ ଚାହିଁଲା । ପଦା ଆଡ଼େ ଚାହିଁ ଗଳାଟା କମି ଆସୁଥିଲେ ବି ସାଧାରଣ ବେଳଠୁ ଚଢ଼ାରେ ଥିଲା—ନାଇଁ, ନାଇଁ, ନାଇଁ, ଇଟା ଲାଟ୍‌ ବଁନ୍ଦି ନାଇଁ । ଏତେ କେନ୍‌ଠୁ ପାଇଲ ? କେନ୍‌ଠୁ ପାଇଲ ? କେନ୍‌ଠୁ ପାଇଲ କହ ।

 

—କାଇଁଚି କେତେ ଲ ?

 

ଭଗାରି ବିରକ୍ତି ପ୍ରକାଶ କଲା–ହେତ୍‌ ! ତୁଇ ଇଥ୍‌ରୁ କାଇଁଟା ପାଇବୁ ? ମୁଇଁ ଯେନ୍‍ଠୁ ଆଣଲେ ତୁଇ କାଇଁଟା ପାଇବୁ ?

 

—ନାଇଁ, ନାଇଁ, ତମେ ଏନତି ନାଇଁ କର ! ଟୁପ୍‌ଟାପ୍‌ ତ ହଉଚନ୍‌ । ଇଟା ଖାଇଲା, ସେଟା ଖାଇଲା, ଅମ୍‌କକୁ ଡମ୍‍କ କଲା......

 

ହସ ଫୁଟେଇବାକୁ ଚେଷ୍ଟା କଲା ଭଗାରି—ହେତ୍‌ ! ତୁଇ କାହିଁ ଲାଗି କାର୍‌ କଥା ଶୁଣୁଚୁ-। ଯାର୍‍ ଧନ ସେ ତ ପଦେ ନାଇଁ କହି—ଦିନ୍‍କ ସକାଶେ ପଦେ ଗଲା ନାଇଁ କହି-। କିଏ କୁକ୍‌ର ଲେଖା ଭୁକି ହେଲେ କାର୍‌ ଭାସି ଯାଉଚି !

 

ସୁନ୍ଦରୀର ସେଇ ପ୍ରତିବାଦ ମିଶା ଗଳା—ନାଇଁ, ନାଇଁ, ନାଇଁ....

 

ସୁନ୍ଦରୀକୁ ବୁଝେଇବାକୁ ଚେଷ୍ଟାକଲା ଭଗାରି । ଚିହ୍ନାଠୁ ଅଚିହ୍ନା ଯାଏ ଖମାରି, ମହୁରିର ଇତ୍ୟାଦିଙ୍କ କାର୍ଯ୍ୟକଳାପରୁ ଏଠୁ ସେଠୁ ବର୍ଣ୍ଣନା କରି ଚାଲିଲା । କାହାର ଟିକିଏ ଆଭାସ, କାହାର ଟିକିଏ ଅଂଶ, କାହା ବିଷୟରେ ବିଶଦ୍‌ ଭାବରେ କହିବାକୁ ଇଚ୍ଛା ହେଉଥିଲେ ବି ବାଛି ବାଛି ନଉଥିଲା ଯୋଉ ଗୁଡ଼ିକ ଚଟ୍‌ ଚଟ୍‌ ଲାଗିଯିବ ।

 

ସବୁଟା କହିବାକୁ ସମୟ ଦେଖୁ ନଥିଲା । ବଛା ବିଛିଟା ସବୁ ଯୋଗଫଳଠୁ ଯେମିତି ବଳିଯାଏ, ସେ ଆଡ଼ଟା ଲକ୍ଷ୍ୟ ରଖିଥିଲା । ବର୍ଣ୍ଣନା ସାଙ୍ଗେ ସାଙ୍ଗେ ଉପାଖ୍ୟାନ ସାର ମର୍ମ ଭଳି ସୁଚେଇ ଦେବାକୁ ଚେଷ୍ଟା କରୁଥିଲା, କାହାର କୋଉ ଗୁଡ଼ିକ ଦୋଷ ହେବାର କଥା, କେଉଁ ଗୁଡ଼ିକ ଗୁଣର ଗୁଣଫଳ । କୁଡ଼ି ଗଣା ମିଶାଣ ଫେଡ଼ାଣ ସାଙ୍ଗକୁ ଭାଜ୍ୟ, ବିଭାଜ୍ୟ, ଭାଗଫଳ ଭଳି ଗୁଡ଼ିଏ ଗାଇ ଯାଉ ଯାଉ ଭାଗ୍ୟ, ଦୁର୍ଭାଗ୍ୟ, ଭାଗ୍ୟଫଳ ଇତ୍ୟାଦି ତା ସଙ୍ଗେ ମିଶେଇ ମିଶେଇ ଚାଲିଥିଲା । ଦୁର୍ଭାଗ୍ୟକୁ ଅବଶ୍ୟ ଦୂରେଇକରି ରଖିଥିଲା । ସବୁଠୁ ବେଶୀ ପ୍ରମାଣ କରିବାକୁ ଚାହୁଁଥିଲା । ଦୋଷଠୁ ନିଜେ କେତେ ଦୂରରେ ଆଉ ଗୁଣର କେତେ ଗହିରକୁ ଗମନ କରିପାରିଚି ।

 

ମିସ୍ତ୍ରୀ ଜମିର ବର୍ଣ୍ଣନାରେ ନୂଆ ନୂଆ ଫୁଟି ଉଠୁଥିଲା । ପଲକ ପୂର୍ବରୁ ଚିନ୍ତା କରି ନଥିବା ବର୍ଣ୍ଣନାର ବିଷୟ ବସ୍ତୁ ବି ପଛକୁ ପଛ କୋଉଠୁ ଯେ ଆସୁଥିଲା ସେ ଆଡ଼ଟା ଭାବିବାକୁ ଅବସର ନଥିଲା । ନଥିଲେ ବି ଆକସ୍ମିକ୍‌ ଭାବରେ ଆସି ଯାଉଥିବାରୁ କେତେଟା ବେଶ କାମରେ ଲାଗିବ ଭାବି ଆନନ୍ଦ ପାଉଥିଲା । ନୂଆ ଆଶା ଗଜଉ ଥିଲା ।

 

ମିସ୍ତ୍ରୀ ଜମିରେ ଧାନ ଗଜେଇ ଧାନ ପାଚିଲେ ଧାନଠୁ ମାଳଠୁ ଗଣ୍ଠିଆ ଶିଙ୍କୁଳି ଯାଏ ଛାଇଁ ହେଇ ଯିବାର ବେଳ ଖୁବ୍‍ ଶୀଘ୍ର ଯେ ଆସିଯିବ ସୁନ୍ଦରୀ ଆଗରେ ସେ ଦିଗଟା ନିଃସନ୍ଦେହ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଥିଲା ।

 

କାନ, ମନର ନିବିଡ଼ ଯୋଗାଯୋଗ ଭିତରେ କିଛି ସମୟ କଟେଇ ଦେଲା ପରେ ସୁନ୍ଦରୀ ହଠାତ୍‌ କହି ଉଠିଲା—ହେ, ମର୍‌ ମାମୁଁ ପୁଅ ଭାଇଟା ଗ, ଜାଣ୍‌ଲ,

 

ସୁନ୍ଦରୀର ଗଳା ବାରିପାରି ଭଗାରି ଅଟକିଗଲା—ହଁ, ହଁ, ତର୍‍ ସେ ମାମୁଁ ପୁଅ ଭାଇଟା-। ଦେଖ କାଇଁଟା କଲାଣ ! ତୁଇ କାଇଁ ଏନତି ଭୁଗଟେ କରି ପକେଇଲୁଣ ଯେ ତତେ ପିତା ଲାଗୁଚି ଲ !କାଇଁ ଏନ୍‌ତି ଭୁଗଟେ କରି ପକେଇଲୁଣି ? କତ୍‌ରିଆ, ବନ୍ଦରିଆ ଝଲ୍‌କା, ଗଁଠିଆ, ଗଜ୍‌ବଁଦ୍‌.....

 

ଭଗାରି କଥା ଉପରେ କଥା ପକେଇ ସୁନ୍ଦରୀ କହି ଚାଲିଥିଲା । ଗଳାରେ ଉତ୍ସାହ, ଉଚ୍ଛ୍ଵାସ ମିଶି ମିଶି ଆସୁଥିଲା—ସେ ଯେନ୍‌ ଦିନଠୁ ଖମାରି ହେଲା ସେ ଦିନ୍‌ଠୁ, ହଁ ଗ ହଁ ସେ ଦିନ୍‌ଠୁ ଗଡ଼୍‌ତିଆ ଉଠି ବଇଲାଣ । ଏବେ ତ ଶୁଣ୍‌ଲି ତାର୍‌ ମାଇପ ଲାଗି ଝଲ୍‌କା ହଲ୍‌ଟେ ଗଡ଼ଉଚି-। ଗଁଠିଆ ହଳ୍‌ଟେ ହେଲାଣ । ଗଁଠିଆର ଶିଁକୁଳି ଅଶିଣ ଆଡ଼େ ଗଢ଼େଇବ । ଗଡ଼୍‌ତିଆ ଲାଗି ଯେନ୍‌ତି ବଳ୍‌ସ କମେଇ ଦଉଚି, ନିଜେ ସେନ୍‌ତି ମାଇପ ଲାଗି, ଝିଅ ଲାଗି, ପୁଅ ଲାଗି....

 

ହଠାତ୍‌ କଥା ବନ୍ଦକଲା । ଉପରକୁ ଚାହିଁଲା । ତଳକୁ ମୁହଁ ପୋତିଲା । ଭଗାରିକୁ ସାମ୍‌ନା ସାମ୍‌ନି ଚାହିଁବାକୁ ଚେଷ୍ଟା କଲା ।

 

ପୁଣି ଆରମ୍ଭକଲା—ନାଇଁ ସହିଲାମାନେ ସିନା ଖାଇଲା ଖାଇଲା ବଳି କହୁଚନ୍‌ ଗ, ନାଇଁ ହେଲେ କେତେ ତ କହୁଚନ୍‌ ଇଟା ତାର୍‌ ପାର୍‌ଲା ପଣ୍‌ଟେ !

 

ଭଗାରି ଟିକିଏ ହସିବାକୁ ଚେଷ୍ଟା କଳା—ଜାଣୁଚ ତ, ଫେର୍‌ ?

 

—ନାଇଁ ଗ, ମୁଇଁ କାଇଁଟା କହୁଛି କି,

 

—ଫେର୍‌ ଆଉ କାଇଁଟା ?

 

—ମୁଇଁ କାଇଁଟା କହୁଚି କି, ଆମର୍‌ ଯେତ୍‌କିକୁ ସେତ୍‌କି । ଗଡ଼ତିଆର୍‌ ଧନ ଗଡ଼୍‌ତିଆ ଖାଉ । ଆମର୍‌ ଧନଟା ଆମେ । ଆମର୍‌ ଆଡ଼ୁ ଟିକେ ରଁଚେ ଯାଉ ପଛ୍‌କେ,

 

ସୁନ୍ଦରୀ କହି ଚାଲିଲା ।

 

ଭଗାରି ଚାହିଁଥିଲା । ଝିମେଇ ଆସିଥିବା ସୁଅ ଭିତରୁ ବି ଛାଣି ନଉଥିଲା କିଛି କିଛି ।

 

ମିଶଲ ଉପରେ ମିସ୍ତ୍ରୀର ଜମି ଖଣ୍ଡକ ଅକ୍ତିଆରକୁ ଆଣିସାରି ଘରକୁ ଫେରିବାର ମାତ୍ର କେତେ ଦିନ ପରେ ସୁନ୍ଦରୀ ଆଗରେ ଭଗାରି ଯୋଉ ପ୍ରସ୍ତାବଟି ବାଢ଼ିଲା, କାନରେ ଶୁଣୁ ଶୁଣୁ ଆଖିଶୁଣାର ଲାଙ୍ଗୁଳଠିଆ ଅବସ୍ଥାକୁ ଆସିଗଲା ।

 

ଚୋଟ ସମ୍ଭାଳିବାର ଗଦ ବି ସାଙ୍ଗେ ସାଙ୍ଗେ ଗଚ୍ଛିତ ରଖିଥିଲା ଭଗାରି ।

 

କିଛିଟା ସମ୍ଭାଳି ନେଲା ପରେ ପ୍ରସ୍ତାବର ସମର୍ଥନ ଦିଗଟାକୁ ସରଲା, ସରସ, ମର୍ମସ୍ପର୍ଶୀ କରିବାକୁ ଚେଷ୍ଟାକଳା, ଜୁଇଁ ଯେନ୍‌ଟା ପୁଅ ସେଟା ଲ ! ହେଲେ, ହେଲେ ଏତେ ତ ଜୁଇଁ କଲୁ ଅକ୍ରମ ଲେଖା ଜୁଇଁଟେ କେନ୍‌ଠୁ ଦେଖିଚୁ ? ଏନ୍‌ତି ସୁଧାର୍‌ ପିଲାଟେ କିଏ ଦେଖିଥଲେ ଦେଖିଥିବ, ମର୍‌ ଆଖିରେ ତ କେନ୍‌ଠି ନାଇଁ ପଡ଼ି !! ସେଥିଲାଗି ତର୍‍ ଜୁଇଁକି ମୁଇଁ ନିଁଦା ନାଇ ଦବାକୁ ତ ।

 

—ଜାଣୁଚ ତ, ଫେର୍‌ କାଇଁଟା ?

 

ହଳିଆ ନାଇଁ ରଖ୍‌ଲେ ଜମିତକ ଆତେଇ ହବ କାଁ ?

 

—ରଖ ନାଇଁ ଯେ, କିଏ ମନା କରୁଚି ।

 

—ରଖ୍‌ବିତ । ନାଇଁ ହେଲେ ଆତେଇ ହବ କେନ୍‌ଠି ? ହେଲେ, ହେଲେ ଗୁଟେ ହଳିଆ ଯେତ୍‌କି ପାଇଟି କର୍‌ବ, କେତେ ଦବୁ ତାକୁ ? ଗୁଟେ ପେଟ୍‌କୁ ସିନା ଯାହା ଦବାର୍‌ଦବୁ । ସଁସାର୍‌ରେ ଯେନ୍‌ଟା ହେଇଚି ସେତ୍‌କି ସିନା ଦବୁ ।

 

ଭଗାରି କଥାର ଅସଲ ଉଦ୍ଦେଶ୍ୟଟା ଚଟ୍‌କରି ଧରି ପାରିବାର ଅବସ୍ଥାରେ ଥିଲା—ଛି, ଛି, ଛି, ମୁଇଁ କାହିଁ ମର୍‌ସିଁରେ ମାଁ ! ଝିଅ, ଜୁଇଁ, ନାତି, ନାତ୍‌ଣି, କା’ ମୁହଁକୁ ଗଲା ନାଇଁ ଅନେଇବାକ ଇ ମୁଣଷ ! ହଗ ଏ, ଇଥିର୍‌ ଲାଗି ଝିଅ ଝିଅ ହେଇସ ? ଇଥିର୍‌ ଲାଗି ନାତି ନାତି ହେଇସ ? ଦଇବରେ ! ମୁହିଁ କାହିଁ ମରସି ! ଝିଅ, ଜୁଇଁ, ନାତି, ନାତଣି, କା’ ମୁହଁକୁ ଟିକେ ...

 

ପଦାକୁ ଚାହିଁ ଗଳାଟା କମି ଆସୁ ଆସୁ ହଠାତ୍ ପୁଣି ଫୁଲି ଉଠିଲା । ପାପୁଲି ଦୁଇଟାକୁ କ୍ଷିପ୍ର ଗତିରେ ପରସ୍ପର ପାଖକୁ ନେ ଆଣ୍‌ କଲା–ତ୍ରିଭୂଜର ତୃତୀୟ ବାହୁହୀନ ଅବସ୍ଥା ପରି ମାତ୍ର ଯୋଡ଼ିଏ ଆଙ୍ଗୁଳି ମୁନକୁ ଏକତ୍ର ଯୋଗ ବିଯୋଗ କରୁ କରୁ ସେମିତି ଉତ୍ତେଜିତ ହୋଇ କହି ଚାଲିଲା—ଧନ ଧନ ହଉଥ ତମେ ତମେ ଧନ ଧନ ହଉଥ । ଧନ ମୁଇଁ ସରଗ୍‌କୁ ନେବି କାଁ ? ମଲା ବେଳ୍‌କୁ ମୁଁ ଡେଇ ନେବି କାଁ ? ମର୍‌ ଦୁଃଖ ଯେତ୍‌ବେଳେ ଗାଉଣି ଗାଇଲେ ନାଇଁ ସରୁଥିଲା ଇ ଅକ୍ରମ ନାଇଁ ଥିଲେ ମୁଇଁ ଆଜି କେନଠି ଥାଇତି ? ବାର ଦୁଆର ଶୁଁଡ଼ି ପିଁଡ଼ା ହଉ ହଉ ତ....

 

ଆପାତତଃ କଥାଟାକୁ ଏଇଠି ବନ୍ଦ ରଖିଲା ଭଗାରି—ବନ୍ଦ ରଖିଥିବାଟା ବୁଦ୍ଧିମାନର କାମ ବୋଲି ଭାବିନେଲା । ମୁହଁ ଆଗରୁ ଖସିଗଲା ।

 

ଆଉ ଦିନେ ପୁଣି ଯେତେବେଳେ ସେଇ କଥା ପକେଇଲା ସୁନ୍ଦରୀର ସେଇ—ନାଇଁ, ନାଇଁ, ନାଇଁ । ମୁଇଁ ଯେନ୍‌ଟା ଭାବିଥିଲି ସେଟା କର୍‌ବି । କେନ୍‌ମୁହଁରେ ଫେର୍‌ ସେମାନେ ଯିବେ ? କେନ୍‌ ମୁହଁରେ ମୁଇଁ ତଡ଼୍‍ବି । ହଗ ଏ, ଜୁଇଁ ଯେନ୍‌ଟା ପୁଅ ସେଟା ନାଇଁ କାଁ ?

 

—କିଏ ନାଇଁ ବଇଲା ?

 

—ଫେର୍‌ କାହିଁ ଲାଗି ଏନ୍‌ତି କଥା କହୁଚ ଯେ ? ମତେ କାହିଁ ଲାଗି ଏନ୍‌ତି ବାର ହଟ୍‌ ହଟା କରୁଚ ଗ ?

 

ସୁନ୍ଦରୀ ଆଖିରେ ହଠାତ୍ ଲୁହ ।

 

—କାଇଁ ଏନ୍‌ତି କଥାଟା ଯେ କାଁଦି ପକଉଚୁ ଲ ?

 

ତର୍‌ ଅଗ୍‌ ଆଖିରେ ଲୁହ କାଁ ଲ ?

 

ସୁନ୍ଦରୀ ଲୁହ ପୋଛିଲା ।

 

ବୁନ୍ଦେ ବୁନ୍ଦେ ଥାଉ ଥାଉ ନିଆଁ ଜଳିଲା । ନିଆଁ ଭିତରେ ସେଇ–—ନାଇଁ, ନାଇଁ, ନାଇଁ । ତମର୍‌ କଥା ନାଇଁ ଶୁଣେ ।

 

ଭଗାରି ଗଳା ବି ଚଢ଼ି ଉଠିଲା । ସୁନ୍ଦରୀ ଆତଙ୍କ ଗଣିଲା । ଗଳାଟାକୁ ଶ୍ଵାସରୁଦ୍ଧ ଅବସ୍ଥାକୁ ନେଇ ଆସିଲା—ଏ, ଏ, ଏ କାଳିଆର୍‍ ବା, ତମ୍‍କୁ ବହୁତ କରି କହୁଚିଁ ! ତମ୍‌କୁ ମୁଁ ଡିଆ ଜୁହାର ମାରୁଚି । ଏଡ଼େ ପାଟି ନାଇଁ କର ! ଝିଅ ଯୁଇଁ ଶୁଣ୍‌ବେ ବଇଲେ......

 

ଚଢ଼ିଲା ଗଳାଟାକୁ ହଠାତ୍ ଦବେଇ ଦେଲା ଭଗାରି । ନୀରବ ରହିଗଲା ।

 

ଦୁଇଜଣଙ୍କର ନୀରବତା ଭିତରେ ଚେମ୍‌ଣିର ଡେଣା ଝଡ଼ାଟା ଖାଲି ଟିକିଏ ଶୁଭିଥିଲା ।

 

ଭଗାରି ବୁଝେଇବାରେ ଲାଗିଥିଲା—ଏ କାଳିଆର୍‌ ମାଁ, ଝିଅ ଯୁଇଁ ସୁଖ୍‌ରେ ରହିବେ, ଇ’ଟା ତତେ ପିତା ଲାଗୁଚି କାଁ ? ଏଡ଼େ ସୁଁଦ୍‌ର ଖେତ୍‌ ବାଡି ଛାଡ଼ିକିରି ଇ’ଠି ପଡ଼ି ରହିବେ କାହିଁ ଲାଗି ?

 

ବର୍ଣ୍ଣନାର ରଂଜନ ଭିତରେ ଭଗାରି ପ୍ରମାଣ କରିବାକୁ ଚେଷ୍ଟାକଲା, ସମୁଧି ଘର ଚାଷ ଜମି ଖୁବ୍‌ ବଳୁଆ ! ମାଟିଟା ଯେହେତୁ ଆପେ ଆପେ ବଳୁଆ, ଫସଲ କମେଇବାରେ ଝିଅ ଜ୍ଵାଇଁଙ୍କର ବେଶୀ ବଳବପୁ ଖର୍ଚ୍ଚ ହେବ ନାଇଁ । ତେଣୁ ସମୁଧି ଜମିର ବଳୁଆ ମାଟିଟା ଝିଅ, ଜ୍ଵାଇଁ, ନାତି, ନାତୁଣୀଙ୍କ ଭବିଷ୍ୟତ ପାଇଁ ଖୁବ୍‌ ବଡ଼ ବଳଟାଏ !

 

ଭଗାରି କହିଚାଲିଥିଲା ବେଳେ ଶେଷ ଆଡ଼ଟା ଟିକେ କାନେଇବାକୁ ଚେଷ୍ଟା କଲା ସୁନ୍ଦରୀ । ଭଗାରି ବି । ସେତେବେଳଟା ଲକ୍ଷ୍ୟକରି ତୁହାଇ ତୁହାଇ ପୁନରାବୃତ୍ତି କରିବାକୁ ଛାଡ଼ିନାଇଁ-

 

ଶେଷଆଡ଼କୁ ସୁନ୍ଦରୀର ସେଇ—ନାଇଁ, ନାଇଁ, ନାଇଁ । ଇ କଥା ନାଇଁ ହେଇପାରେ । ଝିଅ ଦେଇ କରି ପୁଅ ପାଇଚିଁ ମୁଇଁ ।

 

ପହିଲି ବର୍ଷାରେ ନୂଆ କିଣା ଜମିକୁ ହଳ ଗଲା । ନୂଆ ରଖା ହଳିଆ ସାଙ୍ଗେ ଅକର୍ମ ବି ଅଣ୍ଟା ଭିଡ଼ି ବାହାରି ପଡ଼ିଥିଲା । ହଳିଆ ଟୋକାକୁ ହଳ ଧରାଧରିର ଧୈର୍ଯ୍ୟ, କ୍ଷିପ୍ରତା ଇତ୍ୟାଦି ସମ୍ବନ୍ଧରେ ଉତ୍ସାହିତ କରିବା ପାଇଁ ଭଗାରି ନିଜେ ଲଙ୍ଗଳ କଣ୍ଟି ଧରି କେତେ ଗାର ବୁଲେଇଥିଲା ।

 

ଭଗାରିର ହଳ ଧରା ଅଭ୍ୟାସ ସମ୍ବନ୍ଧରେ ବଳଦ ଦୁଇଟା ସନ୍ଦିହାନ ହେଲାଭଳି ସିଧା ସଳଖ ଗତି କରୁ କରୁ ଗତି ବଦଳଉ ଥିଲେ । ସରଳ ପରିବର୍ତ୍ତେ ସର୍ପିଳ ରେଖା ସଷ୍ଟି କରୁଥିଲେ । ହ’ ହ’ ରେ ଚଞ୍ଚଳତା ପ୍ରକାଶ କରିବା ପରିବର୍ତ୍ତେ ଚପଳତା ସୃଷ୍ଟି କରୁଥିଲେ । ଅଳ୍ପ କେତୋଟି ଗାର ଭିତରେ ମଠୁଆଟା ଅଳ୍ପ ଅଧିକ ଆଠ ଦଶ ଥର ଆଣ୍ଠେଇ ପଡ଼ିଥିଲା ।

 

ପାଞ୍ଚଣ ଉଠେଇଲେ ବି ପାହାର ବସେଇବାକୁ ପଛେଇ ଯାଉଥାଏ ଭଗାରି ।

 

ପାଞ୍ଚଣର ନିର୍ମମ ପାହାର ବହୁତ ଦେଖିଛି ଭଗାରି । ପାହାର ସମ୍ବନ୍ଧରେ କୋଉଠି କେମିତି ମନା କରିଥିଲେ ବି କାମର କ୍ଷିପ୍ରତା ଚିନ୍ତାଟା କ୍ଷିପ୍ର ଗତିରେ ଆସି ଯାଇଥାଏ ।

 

ମନାଟା ଅନେକ ସମୟରେ ମନ ଭିତରେ ହିଁ ରହିଯାଏ ।

 

ହଳ ଧରାଧରି ବେଳେ ସୁନ୍ଦରୀ ବି ଜମି ବୁଲି ଦେଖିଥିଲା । ପହ୍ଳାରୁଆ ବେଳେ ଭେଳି ଭିତରେ ମିଶିଥିଲା । ଗଜା ଉପରକୁ ବଣୁଆ ପାରା ମେଘ ଭଳି ମାଡ଼ି ଆସିଲା ବେଳେ, ଆଉ ଆଉ ଗୁଡ଼ିକ ଦଳ ବାନ୍ଧି ଜମି ଆସିଲା ବେଳେ ତଡ଼ିବାକୁ ଧାଇଁବୁଲେ ।

 

ଭଗାରି କେତେଥର ମନା କଲାଣି—ତୁଇ ଇଖ୍‌ଣି ନାଇଁ ପାରୁ, ଅଁଟାଟା ଟିକେ ଭଲ୍‌ ହଉ । ଏବେ ତ ଦିହଟା ନଶିଥିଲା ।

 

ଅଣ୍ଟା କଥାଟା ସୁନ୍ଦରୀର ବି ମନେ ପଡ଼ିଯାଏ । ଅଧାଅଧିରୁ ଉଠିଆସେ । ଜମି ବୁଲି ବୁଲି ଦେଖେ । ବରାଦ ଦିଏ । ମନ ନ ବୁଝିଲେ ନିଜେ ଲାଗିଯାଏ ।

 

ସୁନ୍ଦରୀ ଜମି ଦେଖେ । ନିଜ ପୂର୍ବ ଜ୍ଞାନରୁ ଆଉ ଶୁଣା ଶୁଣିରୁ ଅତିରଞ୍ଜନ ମାତ୍ରାଟାକୁ ଅନେକ ଅଂଶରେ ଜାଣି ନେଲାଣି । ଭଗାରିକୁ କେତେଥର କହିଲାଣି–ଯାହା ବଲ କି ତା ବଲ, ତମେ ମାଟି ଚିନି ନାଇଁ ଜାଣ ।

 

ପାଟି ଫିଟେଇ ଯାହା ଯାହା ଯୁକ୍ତି କରି ଆସିଚି ଭଗାରି, ନ ଫିଟିଥିବା ଏଇ କଥାଟା ପ୍ରାୟ ସବୁଟାରେ ଫୁଟି ଉଠିଚି—ହୁଃ, ମାଟି ନାଇଁ ଚିନ୍‌ଲେ ନାଇଁ ଚଳେ କାଁ ?

 

ସୁନ୍ଦରୀ ସମେତ ଏଠି ସେଠି ବାଢ଼ି ବାଢ଼ି ଆସିଥିବା ଯୋଉ ଅତିରଞ୍ଜନକୁ ନିଜେ ବି ବେଳେ ବେଳେ ସତ ବୋଲି ଧରି ନଉଥିଲା ତା’ ଟିକେ ଟିକେ ବୁଝି ପାରିଲାଣି ଭଗାରି । ଏଇ ଥରର ଜମି କିଣାଟା ଭବିଷ୍ୟତ କିଣାକିଣି ପାଇଁ ଜ୍ଵଳନ୍ତ ଶିକ୍ଷାଟାଏ ଧରି ନେଇ ସାନ୍ତ୍ଵନା ଗୁଡ଼ିଏ ସଂଗ୍ରହ କରିଚି ।

 

ଶୁଣାଶୁଣିରୁ ଦେଖାଦେଖିରୁ ଭଗାରିର ଏ ଜମି କିଣାକୁ ଯେତେ ପସନ୍ଦ ନ କଲେ ବି ପହିଲି ଫସଲ ଗଦା ଦେଖି ସୁନ୍ଦରୀ ପୁଲକି ଉଠିଥିଲା । ଲଗାଏତ ପଡ଼ିଆ ପଡ଼ି ପାହାଡ଼ର ଯୋଡ଼ାଝର ପଚା ପାଣି ଇତ୍ୟାଦି ପିଇ ପିଇ ଆସିଥିବା ଢାଲୁ ତକିଆ ଦୁଇ ଚାରି କିତାରୁ ଯାହା ମିଳିଥିଲା ତାକୁ ଦେଖି ନେଇଥିଲା । ବୁଡ଼ିଯିବା ଆଶଙ୍କାରେ ଥିବା ଗୁଡ଼ିକର ମୁକୁଳା ମୁକୁଳି କରିବାର ମନଟା ଚେଇଁ ଉଠିଥିଲା । ଆହୁରି ବି ଚେଇଁ ଉଠିଥିଲା ଭଗାରିର ଯୁକ୍ତିଟା—ଏଡ଼େ ସୁଁଦ୍‌ର ଖେତବାଡ଼ି ଛାଡି ଇଠି ପଡ଼ି ରହିଥିବେ ତର୍‌ ଝିଅ ଯୁଇଁ !

 

ଆହୁରି ଚେଇଁ ଉଠିଥିଲା—ଛି ଗ ମାଁ, ଯୁଇଁ ଟାକୁ ଶିଖେଇ ମତେଇ ଘର ଭାଁଗୁଚି !

 

ଯୋଉ କଥା ଶୁଣୁ ଶୁଣୁ ନିଆଁ ହୁଏ, ଏବକୁ ଏବକୁ ସେ ଗୁଡ଼ିକ ଶୁଣିଲା ବେଳେ ବା ଚେଇଁଲା ବେଳେ ଜଳିଲାଟା ଆଉ ସେତେ ରାଉ ରାଉ କରୁନାଇଁ । ନିଜକୁ ପଚାରି ଯାହା ମିଳୁଚି ସେଥିରୁ କେତେ ହାଲ ପୁରୁଣାର ସଂସ୍କାର । କେତେଟା ପୂରାପୂରି ନୂଆ । ହାଲ ପୁରୁଣା, ହାଲ ନୂଆର ମିଶା ମିଶି ବେଳେ ଯାହା ହେଉନା କାହିଁକି, ଧକ୍‍କାଧକି ବେଳେ ଗୁମ୍ ମାରି ବସି ଯାଉଚି ।

 

ଏଇ ଗୁମ୍‌ମରାଟା ଅନେକ କମି ଯାଇଥିଲା ବଳିଆ ଆସିବା ପରେ ପରେ । ଗଲା ବଡ଼ ବ୍ୟବଧାନ ପରେ ସ୍ତ୍ରୀ ସହ ବଳିଆ ଆସିଲାଣି । ବହୁର ଦେହଟା ଗଲାଥର ଆସିବା ବେଳର ଛାଞ୍ଚରେ ବି ଦେଖୁନାଇଁ । ଏଥର ବହୁ ତା ବାପ ଘରେ ଯେତେ ଔଷଧପାତି ଖାଉଥିବାର ଖବର ପାଉଥିଲା, ଭାବିଥିଲା ଆସିବା ଆଗର ଦେହଟିକୁ ଆଉ କିଛି ବଢ଼େଇ ଆସିବ ।

 

ସେ ଯାହା ହଉ ଦିନାକେତେ ଚଳାଚଳି ପରେ ମନେ କଲାଣି, ରୋଗଟା ଡରେଇବା ଅବସ୍ଥାରୁ ଟିକିଏ ଦୁରେଇ ରହିଚି ।

 

ନୂଆ ଜମିରେ ବଳିଆ ବି ଲାଗି ଗଲାଣି । ଅକର୍ମ, ବଳିଆ, ହଳିଆ—ସୁନ୍ଦରୀ ଖେତକୁ ଯାଏ—ତିନି ଜଣଙ୍କୁ ଲକ୍ଷ୍ୟ କରେ ।

 

ପାଚି ଆସିଥିବା ଫସଲ ଆଡ଼େ ଚାହିଁ ପହିଲେ କତରିଆ ଆଉ ଗୁଣା ମୁକୁଳେଇବାକୁ ଠିକ୍‌ କରି ନେଲାଣି ।

 

ବନ୍ଧା ମୁକୁଳେଇବା ସାଙ୍ଗରେ ଆନୁସଙ୍ଗିକ ଆଉ ଗୁଡ଼ିଏ ଚେଇଁ ଉଠି ଛଟ୍‌ ପଟ୍‌ ହଉଚି ।

 

ହଠାତ୍‌ ଦିନେ ଆଗେଇ ଗଲା ଭଗାରି ପାଖକୁ—ହଗ ଏ !

 

—କାଇଁଟା ?

 

—ମର୍‌ ଝିଅ ଜୁଇଁ କାହିଁଲାଗି ଭାଗ ନାଇଁ ପାଇବେ ସେଥ୍‌ରୁ ?

 

—କେନ୍‌ଥରୁ ?

 

—ଏନ୍‌ତି ତମେ ଭୁଲି ଯାଇସ କାଁ ଗ ? ସମ୍‌ଧି ଘର ଜମି ଭାଗ୍‌ଟା ଅଉଲ୍‌ ପରା ଗ ?

 

—ନାଇଁ ଜାଣିଥିଲୁ କାଁ ?

 

—ମର୍‌ ଜାଣ୍‌ଲେ ନାଇଁ ଜାଣ୍‍ଲେ କାଇଁଟା ହେଲା । ମର୍‌ ଝିଅ ଜୁଇଁ କାହିଁ ଲାଗି ଭାଗ ନାଇଁ ପାଇବେ ସେଥ୍‍ରୁ ।

 

—କିଏ ନାଇଁ ବଇଲା ? ଇ’ଟା ଦୁନିଆଁ ବାହାର୍‌ କଥାଟେ କାଁ ? ହେଲେ ତର୍‌ ଝିଅ ଯୁଇଁକୁ ଇଠି ରଖିଥା ଯେ ସେମାନେ ସେ ଆଡୁ ବଡ଼୍‌ ବଡ଼୍‌ ଭାଗ ପାଇବେ । ପାଇଲେ ହେଲେ ପର ନାଇଁ ଖାଇବେ ସେ ତର୍‌ ଝିଅ ଜୁଇଁ ଖାଇବେ କାଁ ? ଇଥ୍‌ର ଲାଗି ତତେ ମୁଇଁ—ଉଃ, ତୁଇ ଯେନ୍‌ତି ବିତ୍‌ ବିତା କଲୁଣ !

 

ଭଗାରି କହି ଚାଲିଚି ।

 

ଭଗାରି କଥାଟା ଏଥର ଆଉ ଛୁଞ୍ଚି ଭଳି ଗଳି ଯାଉ ନାଇଁ ।

 

ଛୁଞ୍ଚି ପରି ଗଳି ଯାଇ ନାଇଁ, ଖାଲି କେତେଥର ଚଲ୍‌ ଚଲ୍‌ କରିଥିଲା । ଚଲ୍‌ଟା ବି ଚଞ୍ଚଳ ଚଞ୍ଚଳ ଲିଭିଥିଲା । ହସ ଝରିଥିଲା—କାହିଁଲାଗି ଘରେ ରଖ୍‍ବି ଗ । ଯାର୍‌ ମାଲ୍‌ ସେ ନଉ । କିଏ କାହିଁଲାଗି ଅଠି ପହର କହୁଥିବେ ଝିଅ ଯୁଇଁକି ଘରେ ରଖ୍‌ଲା, ଘରେ ରଖ୍‌ଲା ? ନାଇଁଗ ମାଁ, ମତେ ଏନ୍‌ତି ଘର୍‌ ଭଁଗା କଥା ନାଇଁ ଆସେ !

 

ବଣ କୁକୁଡ଼ାର ଡାକ ଶୁଭୁଶୁଭୁ ଚଇତା ଆଜି ଉଠି ବସି ନାଇଁ ।

 

ଅହିଲା ଯାଇଚି ମାଁ ଘରକୁ । ଅନେକ ରାତିରେ ନିଦ ହେଇଥିଲା ଚଇତାର ।

 

ମା ଘରୁ ଲେଉଟି ଆସିବାର କଣ୍ଟଟା ଗଡ଼ିଯିବା ପରେ ପରେ ସେ ଆଡ଼ଟା ଭାବି ନେଲାଣି ।

 

ପରବର୍ତ୍ତି କଣ୍ଟରେ ବି ଅହିଲା ଆସିଲା ନାଇଁ । ସେ ଭିତରେ ଆସିଲା ଅକର୍ମ ।

 

ନାତି, ନାତୁଣି ଗହଣରେ ଚଇତାର ଅବସରଟା କଟୁଚି । ନିଦ ହବାଯାଏ କଟୁଚି । ଅହିଲା ଆଡ଼ରଟି ଥିଲେ ନାତି ନାତୁଣିଙ୍କ ମେଳରେ ଖେଳନ୍ତା, ସେ ଦୃଶ୍ୟଟା ଦିଶି ଯାଉଚି ।

 

ଅକର୍ମ ଆଉ ଅକର୍ମର ପୁଅ ଝିଅଙ୍କୁ ତୁଳନାକଲେ ଅହିଲା ଆଡ଼ରଟି ଯେ ସଫାଦିଗରୁ ଟିକିଏ ଉଣା ପଡ଼ିବ କେହି କେହି ଏଇ ମତ ଦେଇଛନ୍ତି । ଥରେ ସେଇ ମତଟାକୁ ଉଦ୍ଧାର କଲାବେଳେ, କଳା ଗୋରାର ପାତର ଅନ୍ତର ବିରୁଦ୍ଧରେ ପ୍ରତିବାଦଟାଏ କରିଥିଲା—ଗୁରା କହିଲେ କିଏ କଳା ହେଇ ଯାଉଚି, କଳା କହିଲେ କିଏ ଗୁରା କରି ଦଉଚି ! ଆହୁରି କେନ୍‌ଠୁ ଗୁରିଟେ ବାଛିକରି ଆଣ୍‌ଲ ନାଇଁ ?

 

ଆସନ୍ନ ଝଡ଼ଟାକୁ ହସ ଭିତରେ ଉଡ଼େଇ ଦେବାକୁ ଚେଷ୍ଟା କରିଥିଲା—ତତେ କିଏ କାଳିଟା କହିଲା କାଁ ଲ ? ତତେ କାଳି କହିଲେ କି ବିଲେଇ କହିଲେ ଆଉ ମାନେ କେନ୍‌ ଆଡ଼େ ଯିବେ ?

 

ଡେଣା ଝାଡ଼ୁ, ଝାଡ଼ୁ ଝଡ଼ର ଡେଣାଟା ଛିଡ଼ି ଛିଡ଼ି ଆସିଥିଲା ।

 

ଅହିଲାକୁ ଡାକି ଯିବା ପାଇଁ ଠିକ୍‌ କରିଥିଲା ଚଇତା । ଠିକ୍‌ ଏତିକି ବେଳକୁ ମନ ଜାଣିଲା ପରି ଜଗୁ ଗୁସେଇଁ ଡାକି ଆସିଛନ୍ତି ।

 

ଗୁସେଇ ଯୋଉଠିକୁ ଯିବାକୁ ଡାକି ଆସିଚନ୍ତି, ସେଇଠୁ ଆଉ ଅଳ୍ପ ବାଟରେ ଅହିଲାର ମାଁ ଘର ।

 

ବେଳା ବେଳକୁ ଜଗୁ ଗୁସେଇଁ ପହଞ୍ଚିଛନ୍ତି ଗାଁ ରେ । ବିହା, ପୁଆଣି, ପୁଣ୍ୟତିଥି, ଦଶା, ଓଷା, ବାରଘର....ଚୁଡ଼ା ଗୁଡ଼ ଠାରୁ ମଳୁ ମଡ଼ାଯାଏଁ କୌଣସିଟା ପାଇଁ ଡକରା ପଡ଼ିବା ସମୟ ନ ପଡ଼ିଥିବା ବେଳେ ରାଧୁ ଗୁସେଇଁଙ୍କ ଆବିର୍ଭାବଟା ବିଚିତ୍ର ନହେଲେ ବି ସେ ଯେ ଏଇ ଉଦୁଉଦିଆ ଦିପହରଟାରେ ଗାଁ ଦାଣ୍ଡରେ ଏମିତି ଅତିରଛ ହେବେ ଏ କଥା ନୂଆକରି ଦେଖୁଚନ୍ତି । ସଦ୍ୟ ଗଡ଼ରୁ ଫେରିଥିଲେ ବି ଗୁସେଇଁଙ୍କର ଏ ହଠାତ୍‍ ଆବିର୍ଭାବଟା ଲାଛୁ ବାଣୁଆ ଚଟ୍‌କରି ଧରି ପାରି ନଥିଲା ।

 

ଗାଁର ଦଳଟିକୁ କେନ୍ଦ୍ରଆଡ଼େ ମୁହେଁଇ ଦେବା ଆଗରୁ ନିଜର ଆଉ କେତେଟା ଜଜମାନି ଆଡେ ଯିବାକୁ ତରତର ହେଲେଣି ।

 

ଗୁସେଇଁଙ୍କର ତଡ଼୍‍ ବଡ଼୍‍ରେ ତର ତର ହେଇ ଯାଉଥିଲେ ଆଉମାନେ ।

 

ଗୋଠ ଛାଡ଼ି ଆସିଥିଲା ତୀର୍ଥ । ନଡ଼ାଗଦା ଛାଡ଼ି ନବଘନ ଆସିଥିଲା । ବରଷକର ବାଡ଼ାବନ୍ଦି ଛପର ବନ୍ଦି ପାଇଁ ବାଉଁଶ ଚିରୁ ଚିରୁ ଆଉ କିଏ କିଏ ଆସିଥିଲେ ।

 

ଟିକେ ଟିକେ ଚାଲିବୁଲି ପାରୁଥିବା ଚେମି ଆଇଠୁ ଦଣ୍ଡକେ ପହରକେ ଉଠି ବସି ପାରୁଥିବା ଚଇତାର ବାପ ଯାକେ—ତାଲିକାରୁ କାହାରିକୁ ବାଦ୍‌ ଦେବାକୁ ଚାହାନ୍ତି ନାଇଁ ଜଗୁ ଗୁସେଇଁ ।

 

ଜଙ୍ଗଲ ବାଟ ଦେଇ କେତେବେଳ ପଛରେ ପଡ଼ି, କେତେ ବେଳେ ଆଗକୁ ବଳି ଚାଲିଲା ବେଳେ ସେଁ ସେଁ ହୋଇ ଯାଉଥିଲେ ଗୁସେଇଁ । ପାହାଡ଼ କଡ଼ର ଲମ୍ବା ଛାଇଟା ଭିତର ଦେଇ ଗତି କଲାବେଳେ ଗୁସେଇଁ ବେଳଟାକୁ କଳି ପାରୁ ନଥାନ୍ତି ।

 

—ଚାଲ, ଚାଲ, ବେଗେ ବେଗେ ଚାଲରେ, ବେଗେ ବେଗେ ଚାଲ ଲ । ଆରେ ଏ, ହଇରେ ଏ,

 

ଗୁସେଇଁଙ୍କର ଦାବି ମିଶା ଗଳା । ଦରଦ ମିଶା ସାଉଁଳା । ମା, ବାବା, କକା, ଭାଇ, ବହୁ ଇତ୍ୟାଦି ସମ୍ବୋଧନ ଗୁଡ଼ିକରେ ଆନ୍ତରିକତା ପରିବର୍ତ୍ତେ ବେଶୀ ଉତ୍କଣ୍ଠା ଭରି ରହିଥିଲା ଭଳି ଜଣା ଯାଉଥିଲା ।

 

ପାଟିଟା ବଢ଼ିଲା ବେଳକୁ ଉଠାଣିରେ ଗତିଟା ମନ୍ଥର ହେଇ ଯାଉଥିଲା ।

 

ଗଳା ବାକ୍‌ସର ଚିହ୍ନଟାକୁ ବାରମ୍ବାର ସ୍ମରଣ କରେଇ କରେଇ ଗଳାଟା ବି ଘଁ ଘାଁ, ଗଁ ଗାଁ, ଆଗକୁ ଗତି କଲାଣି ।

 

ଅଣ୍ଟାଖୋସା ଡିବାରୁ ଗୋଟାଏ ଜାଗାରେ ଦୁଇଟା ଗିଳି ନଥିଲେ ଏତେଟା ଯେ ସମ୍ଭବ ହୋଇ ପାରନ୍ତା ନାଇଁ, ଗୁସେଇଁ ମନକୁ ମନ ସ୍ଵୀକାର କରି ଚାଲିଚନ୍ତି ।

 

ବାଟରେ ଚାଲୁ ଚାଲୁ ବାଟ ଛିଣ୍ଡା ଗୀତ ଆରମ୍ଭ କରି ଦେଇଥିଲା କମଳୁ ।

 

ଶଶି ମାଉସୀର ସେଁ ସେଁ ସଂଗେ ମାଁ ଗ ଶୁଣି କମଳୁ ଗୀତ ବନ୍ଦ କଲା । ଫେରି ଚାହିଁଲା-। ଫେରି ଚାହିଁଲେ ଆଉ କେତେ । ଉଠାଣିରେ ବସି ଯାଇଚି ଶଶି । ଧକି ଫୁଟୁଚି । ଚିକ୍‍କଣ କରି କୁଣ୍ଢେଇ ଥିବା ଚିକ୍‍ଚିକ୍‍ ମଥାଟା ଘୁରିଲା ଭଳି ମନେ ହେଉଚି । ପହାଡ଼ ସମେତ ବଣଟା ବି ଘୁରି ଘୁରି ଯାଉଚି ଶଶୀ ମାଉସୀ ସାମନାରେ ।

 

ଗୁସେଇଁ ବିଳାପ ଗୋଳା ଚିତ୍କାର ଛାଡ଼ିଲେଣି—ଚାଲ, ଚାଲ, ଚାଲରେ । ଏ କକା ! ଏ ବବା ! ଆରେ ଏ ! ହଲ ଏ !

 

ଗୁସେଇଁଙ୍କର ତର ତର ଅବସ୍ଥାଟା—କମଳୁର ମନେ ପଡ଼ି ଯାଉଥିଲା ଥରେ ରଜା ଅମଳର ହାତୀଧରାକୁ ଡକରାପାଇ ଗଲାବେଳେ ବାଟ ସାଥି ଗତିର ଗତି କେମିତି ହେଇଥିଲା !

 

ଜର ଲେଉଟେଇଚି ଶଶିକୁ । କମଳୁ ବାଘ ଭାବୁଚି କେମିତି ଆଗକୁ ନେବ ସ୍ତ୍ରୀକୁ । ଅଣ୍ଟା ଧରାଟା ଉପରେ ଆଣ୍ଟ କରିଥିଲା ସିନା, ଜରଟାକୁ ବର୍ତ୍ତମାନ କ’ଣ କରିବ ସେଇ କଥାଟା ଭାବୁଚି ।

 

ଜଗୁ ଗୁସେଇଁ ଭାଳେଣିରେ ପଡ଼ିଲେଣି । ଶଶି ସାଙ୍ଗରେ କମଳୁ ବି ଖସିଯିବ । ଗାଁ ଭିତରେ ଯେତେଟା ଗୁଁ ଗାଁ ହେଇ ରହିଥାନ୍ତୁ ପଛେ ବାଟରେ ଗୋଟାଏ ଯୋଡ଼ାଏ ଖସି ଯିବାଟା, ଜିଣେଇ ଦେବାର ଖୁସିଟାକୁ ଅନେକ ତଳକୁ ଖସେଇ ନେଲାଣି ।

 

ଗୋଟାଏ ଯୋଡ଼ାଏର ମାହାତ୍ମ୍ୟ ଗୁସେଇଁ ଯେତେ ପଣ ବୁଝିଥିଲେ, କମଳୁ ସେଥିରୁ ପୂରାପରି ପଣେ ବା ଅଣାଏ ବୁଝିଥିଲେ କେଜାଣି ବା ଆଉ କ’ଣ ହେଇଥାନ୍ତା ।

 

ତଥାପି ଟାଙ୍ଗରୁ ମାଝି ଆଗଉ ଆଗଉ ଟଳ ଟଳ ହେଉଚି । ଚଇତାର ବୁଢ଼ାବାପା ପଛେଇ ଯାଉ ଯାଉ ଧଇଁକାଶ ଭଳି ଧକେଇ ହେଉଚି ।

 

ଚଇତା ସାଙ୍ଗରେ ଅହିଲା ଆସିଚି । ଆଗରୁ ଶୁଣିଥିଲା । ଆସୁ ଆସୁ କଥାବାର୍ତ୍ତା ଅନେକ କମେଇ ଦେଉଚି । ଶାଶୁଠୁ ଯେତିକି ଶୁଣୁଚି ସୁଲର ବି ସେତିକିରେ ହଁ, ନାଇଁ ।

 

ଶାଶୁ ବହୁଙ୍କର ଛକାପଞ୍ଜା ବେଳେ ଛାଉଣି ଛପର ବାଡ଼ା ବନ୍ଦିରେ ଲାଗିଯାଇଚନ୍ତି ଅକର୍ମ ଆଉ ଚଇତା । ନୂଆ ଘର ଦୁଇ ବଖରା ଠିଆ କରିଛନ୍ତି । ଝାଟିରେ ମାଟି ମାରିବାକୁ ଶାଶୁ ବହୁ ଭିତରେ ଯୋଉ ଓଲଟା ପ୍ରତିଯୋଗିତା ଆରମ୍ଭ ହେଉଚି ତାକୁ ଚାହିଁ ମାଟି ମରାମରି, ଲିପାଲିପି କାମଗୁଡ଼ିକ ପ୍ରସ୍ତୁତିଠୁ ଢେର ପଛେଇ ପଛେଇ ଚାଲିଚି–ଆଗେଇବାର ଲକ୍ଷଣ ଦେଖା ଯାଉ ନାଇଁ-

 

ଝିଅକୁ ଛାଡ଼ି ଆସିବାବେଳେ ଶାଶୁ କଥା ମାନି ଚଳିବାକୁ ଉପଦେଶ ଦେଇ ଯାଇଥିଲା ସୁନ୍ଦରୀ । ଛାଡ଼ିବା ଆଗରୁ ଚଇତା ଆଗରେ ପୁଣି ପୁନରାବୃତ୍ତିଟାଏ କରିଥିଲା—ସମ୍‌ଧି ଗ, ପାଇଲ ତମର୍‌ ପୁଅ, ବହୁ, ନାତି, ନାତ୍‌ଣି । କେତେ ତ କିଏ ଦେଖେଇ ଶିଖେଇ କହି ପକଉ ଥିଲେ ! ମୁଇଁ ଶିଖେଇ ମତେଇ ରଖି ନେଇଥିଲି ? ନାଇଁ ଗ ମାଁ, ମତେ ଏନ୍‌ତି ଘର୍‌ ଭଗାଁ କଥା ନାଇଁ ଆସେ । ଘର୍‌ଟା ତୁଳିଦବ ସିନା, ଭାଁଗିଦବାଟା କେଡ଼େ ହୀନ୍‌ କଥାଟେ । ଛି ଗ ମାଁ, ମତେ ଏନ୍‌ତି ନାଇଁ ଆସେ !

 

ମାସ କେତେଟା ଭିତରେ ମାଁର ଉପଦେଶଟାକୁ ସୁଲ ଓଲଟା ଅର୍ଥରେ ନେଲାଣି । ମାଁ ଘରେ ଅକର୍ମର ପରିଶ୍ରମ ତକ ଦିଶିଲା ଭଳି ଦିଶି ଦିଶି ଆସିଲାଣି । ଆସିଲା ଆଗରୁ ମାଁକୁ ଯୋଉ ପଦକେତେ ଶୁଣେଇଥିଲା ସେଥିରେ ଆଉ କି କି ବିଷ୍ଫୋରକ ମିଶେଇବ ତାକୁ ବଛାବଛି କରି ରଖି ନେଲାଣି ।

 

ଜବତ୍‌ଠାରୁ ଜବାବଟା ବଢ଼ି ବଢ଼ି ଯାଉଥିବାରୁ ଜବାବ ସୁଆଲ୍‍ ବେଳେ ଅହିଲା ଚଇତାର ଦୃଷ୍ଟି ଆକର୍ଷଣ କଲାଣି ।

 

ଜବତ୍‌ କରିବାର ଯୋଉ ଉପାୟ ଗୁଡ଼ିକ ଜଳ ଜଳ ଦଶିଲାଣି ତାକୁ ଯତ୍ନ ସହକାରେ ସାଇତି ରଖିଲାଣି ଭବିଷ୍ୟତ ପାଇଁ । ପେଟର ବୋଝ ବଢ଼ି ଯାଉଚି । ବାନ୍ତି ବନ୍ଦ ହେଇ ହେଇ ଆସିଲେ ବି ବିନ୍ଧାବିନ୍ଧି ଆରମ୍ଭ ହେଲାଣି ।

 

ସୁନ୍ଦରୀର ବି ଆରମ୍ଭ ହେଇ ଯାଇଥିଲା । ଚମକି ପଡ଼ି ଖସି ଯାଇଚି । ଅପୂର୍ଣ୍ଣାଙ୍ଗଟି ପାଇଁ ଟିକିଏ କାନ୍ଦି ପକେଇ କହିଥିଲା—ନାଇଁ ଖୁଜୁଥିଲି ତ ଆହୁରି ।

 

ସିଙ୍ଗାରି ପଡ଼ାରେ ଥିବାବେଳେ ଗଡ଼ର ଚନ୍ଦ୍ର ଶେଠିଠୁ ଭଗାରି ଏ ଖବରଟା ପାଇଥିଲା । ଗଡ଼ ମହାଜନର ଧାନ, ମୁଗ, କୋଳଥ, ଇତ୍ୟାଦି ଗାଁ ଗାଁ ବୁଲି କିଣିବା ସଂଗେ ସଂଗେ ଡାକ୍ତରି, କବିରାଜ, ହୋମିଓପାଥି, ଏଇ ତିନି ପ୍ରକାର ଇଂଜେକ୍‌ସନ୍‌ ଶେଠି ପାଖରେ ମହଜୁଦ୍‌ ଥିବାର ଶୁଣାଯାଏ । କବିରାଜି ବଟିକାଠୁ ଡାକ୍ତରି ପିଲ୍‌, ହୋମିଓ ଗୁଲି... ଡିଚେନ୍‌ସାଙ୍ଗକୁ ଡଉଁରିଆ, ଫୁକାଝଡ଼ା ସାଙ୍ଗକୁ ଫୋମେଣ୍ଟ ଇତ୍ୟାଦି—

 

ଚନ୍ଦ୍ର ଶେଠି ଗାଁ ଭିତର ଦେଇ ସାଇକେଲ ଚଳାଇଲା ବେଳେ ସୁନ୍ଦରୀ ପାଇଁ ହାଲହୋଳ ପଡ଼ିଥିଲା । ଭଗାରି ପାଖରେ ବି କାମ ଥିଲା ଶେଠିର ।

 

ଇଂଜେକ୍‌ସନ୍ ପର୍ଯ୍ୟନ୍ତ ଯାଇନାଇଁ । ବଟିକା, ପିଲ୍‌, ଗୁଲି.... କୋଉଟାରେ ଯେ ସୁନ୍ଦରୀ ଉଠି ବସିଲା ତା କେବଳ ସ୍ଵୟଂ ହନୁମାନ୍‌ଜୀ ଜାଣନ୍ତି ବୋଲି ଚନ୍ଦ୍ର ସେଠି ପରିଷ୍କାର କହି ଦେଇଚି । ଭବିଷ୍ୟତରେ ଚମକିଲେ ବି କୌଣସି କ୍ଷତି ହେବାର ଆଶଙ୍କା ନ ହେବାକୁ ହନୁମାନ୍‌ଜୀକୁ ସ୍ମରଣ କରେଇ ଡଉଁରିଆ ଦେଇଚି ।

 

ସୁନ୍ଦରୀ ସେଥିରୁ ଗୋଟିଏ ବାହାରେ ବାନ୍ଧିଚି । ଆଉ ଗୋଟିଏ ମାଳିରେ ଗୁନ୍ଥିଚି ।

 

ଘରେ ନଥିଲା ବେଳେ ବି ଭଗାରି ଚାବିକାଠି ଦଉ ନାଇଁ । ଆଟୁରେ ଏକ ପାଖିଆ କବାଟ ଲଗେଇଚି । ରନ୍ଦାମରାଠୁ ଦୁଇ ପାଖିଆର ଖର୍ଚ୍ଚ ଶୁଣି ବାର୍‌ସି ଚଞ୍ଛାକୁ ଲଗେଇ ଥିଲା ।

 

କବାଟଲଗା ଆଟୁରୁ ଧାନ, ଚାଉଳ ଇତ୍ୟାଦି ନିଜେ କାଢ଼ି କାଢ଼ି ଦଉଚି । ଖର୍ଚ୍ଚ ହେଲା ଖର୍ଚ୍ଚ ହେଲା ଚିତ୍କାର ଛାଡ଼ୁଚି । ଅବଶ୍ୟ ମଝିରେ ମଝିରେ ଯେତେବେଳେ ଭଲ ମନ୍ଦ ଖାଇବାକୁ ମନ ଡାକୁଚି ଖର୍ଚ୍ଚକୁ ଆଖିବୁଜି ଦେଉଚି ।

 

ଖର୍ଚ୍ଚ ପରେ ଚମକୁଚି । ପୁଅ, ଝିଅଙ୍କ ହାତରେ ପାଟିରେ, ଥାଳିରେ, ପତରରେ ଦେଖି ଖୁସି ହେଇ ଆସୁଥିଲେ ବି ବ୍ୟୟଟାକୁ ଅପବ୍ୟୟର ପର୍ଯ୍ୟାୟଭୁକ୍ତ କରୁ କରୁ ନିଜର ଖାଇବା ସ୍ଫୃହାଟା ବି ତେର କମିଯାଉଚି । ଖର୍ଚ୍ଚ କରି ସାରିବା ପରେ ପସ୍ତେଇ ହଉଚି । ପସ୍ତେଇ ହେବା ସଂଗେ ସଂଗେ ଭବିଷ୍ୟତରେ ସଜାଗ ରହିବାକୁ ଠିକ୍‌ କରି ନଉଚି ।

 

ଭଗାରିର ଚିପା ହାତ ଥିବା ବେଳେ ବେଳ କାଳ ଉଣ୍ଡି ପିଲାଙ୍କ ପାଇଁ ଭଲ ମନ୍ଦଟେ କରିବାକୁ ସୁନ୍ଦରୀ ପଛଉ ନାଇଁ । କିନ୍ତୁ ଭଗାରି ଆସିବା ଆଗରୁ ଶିଳ ଶିଳପୁଆରୁ ବି ଭଲ ମନ୍ଦର ଚିହ୍ନଟା ପୋଛି ଦଉଚି । ଅବଶ୍ୟ ଦୁଇ ଓଳି ଚୁଲି ନ ଜାଳିବା ଆଇନ୍‌ଟାକୁ ସମର୍ଥନ ଜଣେଇଚି । ଖରା ଦିନିଆ ନିଆଁ ସଞ୍ଜ ଆଗରୁ ଲିଭେଇ ଦେବାକୁ ଗାଁରେ ଯୋଉ ପ୍ରସ୍ତାବ ଉଠିଥିଲା ଭଗାରି ସାଙ୍ଗରେ ନିଜେ ବି ପ୍ରତିବାଦ କରି ନାଇଁ ।

 

ପ୍ରସ୍ତାବର ଉଦ୍ୟୋକ୍ତାମାନଙ୍କୁ ପ୍ରଶଂସା କରିଚି ଭଗାରି । ସେଇ କାରଣରୁ ରାତି ପଖାଳଟା ଅପରିହାର୍ଯ୍ୟ ବୋଲି ଧରି ନେଇଚି । ଧରି ନେବା ପରେ ପରେ ରାତିରେ ତତଲା ଖାଇ ଆସୁଥିବା ମୋହଟା ବି ଅନେକ ମରି ଯାଇଚି ।

 

ଆଇନଟା ବେଳେ ବେଳେ ବଦଳିଲେ ବି, ବଦଳି ଯାଇ ପୁଣି ପୂର୍ବ ଅବସ୍ଥାକୁ ଆସିଲେ ବି ସୁନ୍ଦରୀ ନିଜ ପାଇଁ ଆପତ୍ତି କରି ନାଇଁ । ସଞ୍ଜଟା ସକାଳକୁ, ସକାଳଟା ସଞ୍ଜକୁ—ମନ ନ ମାନିଲେ ସଞ୍ଜଟା ସଞ୍ଜକୁ, ସକାଳଟା ସକାଳକୁ ।

 

ସଞ୍ଜ ସକାଳର ପଖାଳ ସାଙ୍ଗକୁ ପୋଡ଼ାପୋଡ଼ିର ଯେ ପରିବର୍ତ୍ତନ ହେବ ତାର ଆଭାସ ମିଳିନାଇଁ ।

 

ସୁନ୍ଦରୀ କିଛିଟା ଜାଣି ପାରିଚି ଭଗାରିର ହାଲ୍‌ ଆଖିବୁଜା ଚିପା ହାତର କାରଣଟା ।

 

ଗଡ଼ୁଆ ମହୁରିର୍‌ ମଧୁମିଶ୍ରର ଜମି ଭାଗଟା କିଣିବାକୁ ଭିତରେ ଭିତରେ ପ୍ରସ୍ତୁତ ହେବାଟା ଭଗାରି ପାଟିରୁ ଥରେ ଅଧେ ଫିଟି ପଡ଼ିଥିଲା—କାନରେ ବାଜିଚି ।

 

ଯୋଉ ସମୟରେ କୋଠା ଆରମ୍ଭ ହେଇଥିଲା ସେତେ ବେଳଠୁ ଏ ଆଡ଼େ ଜମି କିଣାକିଣି ଆରମ୍ଭ ହେଇଯାଇଥିଲା । ବିଶେଷତଃ ଗଡ଼ ଆଡ଼ର ବ୍ୟବସାୟିଠୁ ବଡ଼ ବଡ଼ ଅମଲା ଯାଏ, ଛୋଟ ଛୋଟ ଚାକିରିଆଠାରୁ ବଡ଼ ବଡ଼ ଚାଷୀଯାଏ ଏ ପାଖର ନୟାବାଦିଠୁ ନୂଆ ପୁରୁଣା ଜମି ପର୍ଯ୍ୟନ୍ତ ପଟ୍ଟା ପାଉତି କରି ନେଇ ଥିଲେ । ରାତ୍‌ ରାତ୍‌ ଯେମିତି ଦରଖାସ୍ତ କରିଥିଲେ ଶାସନ ବଦଳିବା ପରେ ବଡ଼ ଭାଗ ସେଇ ଧରଣର ବରଖାସ୍ତ ଆରମ୍ଭ କରି ଦେଇଥିଲେ ।

 

ମଧୁମିଶ୍ର ଜମିର ଦାମ ତୁଳନାରେ ଜମିର ପରିମାଣଟା ଶୁଣି ସୁନ୍ଦରୀ ବି ଲୋଭେଇ ଯାଇଚି । ମହୁରିକୁ ଚିହ୍ନେ । କାଠା କାମ ବେଳେ କେତେଥର ଘରକୁ ଆସିଚି । ନୀ, ଅଇଁଠାକୁ ପଖାଳ ମାଗିବାକୁ ପଛେଇ ନାଇଁ । ପଖାଳ ନାଁ ଶୁଣି ସୁନ୍ଦରୀ କେତେଥର ଜିଭ କାମୁଡ଼ିଚି । ବରଞ୍ଚ ଚୁଡ଼ା ଗୁଡ଼ର ବ୍ୟବସ୍ଥା କରିଚି, ପଖାଳ ଆଡ଼େ ଯିବାଟା ପାପ ବୋଲି ଭାବି ନେଇଚି ।

 

ଭଗାରି ଗଡ଼କୁ ଗଲା ପରେ ନୀଳା ଅଇଁଠାକୁ କେତେ ଥର କାମକୁ ଡାକିଚି ମଧୁମିଶ୍ର । ସୁନ୍ଦରୀ ଠୋ କରି ମନା କରି ଦେଇଚି—ନାଇଁ ଗ ମାଁ, ଇଆଡ଼େ ମୂଲ ପାତି ନାଇଁ ମିଳ୍‌ଲେ ନାଇଁ ପଛ୍‌କେ, ଠିଗାଦାର୍‌ କାମରେ ନାଇଁ ପଶି କି ନାଇଁ ପଶୁ ।

 

ମଧୁ ମିଶ୍ରର ଜମି କିଣା ବେଳେ ମୁକୁଳେଇବା ସମ୍ବନ୍ଧୀୟ ସାବଧାନ ବାଣୀ ଥରକୁଥର ଶୁଣେଇଥିଲା ।

 

ଗୁଣା, ନାକଚଣା ଫିଟେଇଥିଲା । ବହୁ ବେକରୁ କିଛି, ପୁଅ ବେକରୁ କିଛି ବି ମିଶିଥିଲା । ଭଗାରି କିଣି ଦେଇଥିବା କତ୍‌ରିଆଟା ବନ୍ଦରିଆର ଅବସ୍ଥାକୁ ଆସି ଯାଇଥିବାରୁ ଏଥର ବନ୍ଧକ ବେଳେ ଅକାମି ହେଇ ଯାଇଥିଲା ।

 

କିଣା ସାରିଲା ପରେ ଏଥର ବି ଶୁଣିଲା ଜମିଟା ଭଲ ନାଇଁ । ଶୁଷା ଜାଗାଟା । ଉପରୁ ଯେତେ ପଡ଼ିଲେ ଦଣ୍ଡକେ ପିଇଦେବ । କିଣିବା ଆଗରୁ ଜାଗାକୁ ଯାଇ ଦେଖିବାକୁ ବଳିଆ କେତେଥର କହିଥିଲା । ଭଗାରି ହଁ, ହଁ, କରିଥିଲା । ହେଲେ ମୂଲ୍ୟକୁ ଚାହିଁ ପଟ୍ଟାରେ ଲେଖା କିସମ୍‌ଆଉ ପରିମାଣଟା ଆଡ଼େ ଏତେ ଝୁଙ୍କି ଯାଇଥିଲା ଯେ କାହା କଥାରେ କାନ ଦବାର ଅବସ୍ଥାରେ ନଥିଲା । ମନା ଶୁଣା ବେଳେ ନିଜର ହଁ ହଁ, ହୁଁ ହୁଁ ଗୁଡ଼ିକ କିଣିବାର ଉତ୍କଣ୍ଠାକୁ ଅଳ୍ପ ଟିକିଏ ବି ଉଖାରି ପାରୁ ନଥିଲା ।

 

ଏବେ ଏବେ କହୁଚି—ମାଟି ଆଗ ହାତ୍‌କୁ ଆସୁ । ଯେତେ ଆସ୍‌ବ ଆସୁ । ମାଟିକୁ ସୁନା ବନେଇ ଦେବି !

 

ବଳିଆ ପରଖି ପରଖି ଦେଖୁଚି । ଦେଖୁଚି କିଣା ପରମାଣରୁ କୋଉତକ ସୁନା କରି ଦେଇ ପାରିବ ।

 

ହଳିଆ ସାଙ୍ଗରେ ବଳିଆ ଖାଟ୍‌ଚି । ଭାବି ଭାଇ ଭାଗରେ ନ ଖାଟିବାକୁ ଶାଶୁ ଉପଦେଶ ଦେଇ ଗଲାଣି ।

 

ପୁଅ ଝିଅ ନ ହେବାର ମଉଳା ମନଟା ଭିତରେ ବଳିଆ ଖଟେ । ବେଳେ ବେଳେ ହାତ ମୁଠାରେ ଲଡ଼୍‍ ଲଡ଼୍‍ ହୁଏ । ବେଳେ ବେଳେ ବେପରୁଆ ଭାବ ଫୁଟାଏହଃ, ଯିଏ ହଉ, ଭାଇ ତ ଖାଇବ । ଝିଆରି ପୁତ୍‌ରା ତ ଖାଇବେ ।

 

ଜମି କିଣା ପରେ ବନ୍ଧା ମୁକୁଳେଇବା ପ୍ରତିଶ୍ରୁତିଟା ଅନେକ ପଛେଇ ଯାଇଚି । ଅଭିମାନ ପରେ ପରେ ଅଳ୍ପ ଅଳ୍ପ ପାଟି ଫିଟାଫିଟି ଆରମ୍ଭ କରି ଦେଲାଣି । ବନ୍ଧା ମାଲ୍‌ ମୁକୁଳେଇବା ଅଙ୍କଟା ମୂଳ ମୂଲ୍ୟକୁ ଲମ୍ଫ ମାରିବା ଭଳି ଅବସ୍ଥାରେ । କିଛି ଦିନ ପାଇଁ ରୁଷି ପଳେଇଥିଲା ଝିଅ ଘରକୁ ।

 

ବନ୍ଧାଗୁଡ଼ିକ ପୂରାପୂରି ନ ମୁକୁଳେଇ ଥିବାବେଳେ ଭଗାରି ପୁଣି ପ୍ରସ୍ତୁତ ହେଲାଣି ଜମି କିଣିବାକୁ । ଦେଖି, ଦେଖେଇ, ଚିହ୍ନି, ଚିହ୍ନେଇ ଜମି କିଣିବାକୁ ଯେତେ ପ୍ରତିଜ୍ଞା କରିଥିଲେ ବି ପରିମାଣର ମୋହଟା ପରିକଳ୍ପନାକୁ ପୁଣି ଅପରଣାମଦର୍ଶୀର ପରିଣତ ଆଡ଼େ ଟାଣିନେଉଚି ବୋଲି କେହି କେହି ମତ ଦେଲେଣି । କାଁ ଭାଁ କେତେ ଜଣ ବି ସିଧା ସଳଖ ମୁହେଁ ମୁହେଁ କହି ଦେଲେଣି ।

 

ଶାଶୁ ବହୁର କଳିଆ– ଚଇତା ବହୁ ଆଡ଼କୁ ଢଳି ପଡ଼ି ଥିଲା । ପରେ ପରେ ଛୁଆକୁ ତଳେ ଗଡ଼େଇ ଦେଲା ଅ ।

 

ମା ଘରକୁ ବାହାର ଯିବାର ଧମକ ଦେଲା ।

 

କଅଁଳା ଛୁଆର କାନ୍ଦ—ଚଇତାର ଗୋଡ଼ଠୁ ମୁଣ୍ଡ ଯାଏ ଥରିଲା ।

 

ଆସିଲା ଦିନୁ ଚଇତାର ଏମିତି ପ୍ରଚଣ୍ଡ ରୂପ କେବେ ଦେଖି ନଥିଲା ଅହିଲା । ଶଙ୍କି ଯିବା ସଙ୍ଗେ ସଙ୍ଗେ କାନ୍ଦି ପକେଇଲା ।

 

ଚଇତାର ରୂପ ବଦଳିଲା । ଗଳା କମିଲା ।

 

ଚଇତାର ପ୍ରଚଣ୍ଡ ରୂପ ଦେଖିଥିବା ବେଳେ କୋଳେଇ ଆଣିଥିଲା ଛୁଆଟିକୁ ।

 

କଅଁଳ କଥା ଶୁଣୁ ଶୁଣୁ କଅଁଳା ଛୁଆଟିକୁ ପୁଣି ଗଡ଼େଇ ଦେଇ ଉଠି ପଡ଼ିଲା ।

 

ଆଉ କିଛି ଶୁଣିବା ଆଗରୁ ମାଁ ଘରକୁ ବାହାରି ପଡ଼ିଲା ।

 

ଫେରେଇ ଆଣିବାର ଚେଷ୍ଟାରେ ଥିଲେ କେତେ ଜଣ । ଚଇତା ଚିତ୍କାର ଛାଡ଼ୁଥିଲା—ଯାଉ, ଯାଉ, ଭୂତ ଲାଗିଚି ସେ’ଟାକୁ । ଯାଉ କେନେ ଆଡ଼େ ଯାଉଚି । ଯାଉ ହେ ଭୂତ୍‌ମୁଡ଼ିଟା ।

 

କାହା କଥା ନମାନି ଅହିଲା ଚାଲି ଯାଇଚି । ମୁହଁ ଚାହିଁ ଶିଖୁଥିବା କଅଁଳା ଛୁଆଟି ଛାଡ଼ି ଚାଲି ଯାଇଚି । ନବଘନର ସ୍ତ୍ରୀ ଯେତେ ପିଏଇଲେବି ମୁହଁକୁ ଚାହିଁ ରଡ଼ୁଚି । ହସି ଆସୁ ଆସୁ ଥରିଲା ଥରିଲା ଓଠ ଦୁଇଟି ଲମ୍ବି ଆସୁଚି । ଲମ୍ବି ଆସିବା ପରେ ପରେ ରାହା ଧରୁଚି । ସାନ ବଡ଼ ଆର ଯୋଡ଼ିକରୁ ଗୋଟିଏ ଟିକକୁ ଅଧକୁ, ମାଁ, ମାଁ,...ରେଁ...ରେଁ....

 

ସବୁଆଡ଼େ ଦେଖୁ ଦେଖୁ ଚଇତା ଦେଖୁ ଚଇତା ବାହାରି ପଡ଼ିଲା ଘରୁ ।

 

ବେଳ ବୁଡ଼୍‌ ବୁଡ଼୍‍—ଚଇତାକୁ ଦେଖୁ ଦେଖୁ ଅହିଲାର ମୁଁ । ବୁଢ଼ୀ ଗଳା ଝାଡ଼ି ନେଇ ଚିତ୍କାର ଛାଡ଼ିଲା—କାହିଁଲାଗି ଆଇଲ ? ତମର୍‌ ପୁଅ ଝିଅ ତମେ ସମାଳ ଇଥ୍‌ର । କାହିଁଲାଗି କି, କାହିଁଲାଗି କି ଏତେ ଡର୍‌ ଡର୍‌ ପଡ଼ିଚି ? ଏବ୍‌କୁ ଏବ୍‌କୁ ରାଁଡ଼ି ଗୁଆକୁ ଛାଡ଼୍‍ରି ଗୁଟାକୁ ତିନ୍‌ଶ ଦୁଇଶ ହେଲାଣ ତ ।

 

ବୁଢ଼ୀର ଗଳାଟା ଘଡ଼୍‌ଘଡ଼୍‌ ଆଡ଼କୁ ଗତି କରିବା ଯାଏ ଚୁପ୍‌ହେଇ ଶୁଣିଗଲା ଚଇତା ।

 

ତା ଆରଦିନ ସକାଳ ଯାଏଁ ଅହିଲାର ବି ସେଇ ଗୋଟିଏ କଥା– କଥା ନାଇଁ ତୁଟ୍‌ଲେ ନାଇଁ ଯାଏଁ ମୁଇଁ । ତମର୍‌ ପୁଅ ବହୁ ତମେ ସମାଳ ।

 

ଆଟୁ ଭିତରେ ଏଠି ସେଠି ଆଣ୍ଠୁଏ ମାଟି । ପରସ୍ତକୁ ପରସ୍ତ ସଫା କଲେ ବି ପୁଣି ସେଇ ଅବସ୍ଥା । ମନେ ହେଉଚି ଭିତରଟା ଫାଙ୍କା କରି ଗହ୍ଵରକୁ ଟାଣି ନେବେ ।

 

ଭଗାରିର ବେଶୀ ବେଶୀ ଅନୁପସ୍ଥିତ ବେଳେ ଗଦା ବେଶୀ ବେଶୀ ଫୁଲୁଚି । ଡୋଲି ପୁଡ଼ୁଗ ବି ଫୋଡ଼ା ହବା ଅବସ୍ଥାକୁ ଆସୁଚି ।

 

ଅନୁପସ୍ଥିତ ବେଳର ଦେଖା ଚାହାଁଟା ପାଇଁ ବି ସୁନ୍ଦରୀ ହାତରେ କି ପୁଅ ବୋହୁ ହାତରେ କୁଞ୍ଚ କାଠି ଦେବାକୁ ନାରାଜ । ମୂଷାଙ୍କ ଉପରେ ବିଶ୍ୱାସ ରଖିବାକୁ ଯେତେ ପରିମାଣରେ ବାଧ୍ୟ ହେଉଥିଲେ ବି ମଣିଷଙ୍କ ଉପରେ ସେଇ ପରମାଣରୁ କଣିକାଏ ଛାଡ଼ି ଦେବାକୁ ମନ ବଳୁ ନାଇଁ । ମୂଷାଙ୍କ ବିପକ୍ଷରେ ଅଭିଯୋଗ, ମୂଷାଙ୍କ ପାଇଁ ଅନୁମାନ ଇତ୍ୟାଦି ସାଂଗକୁ ମୂଷା ଧରା ଧରି ଅଭିଯାନ ଚଳେଇଲେ ବି ମଣଷଠି ଏସବୁ ଅବସ୍ଥାର ସମ୍ମୁଖୀନ ହେବାକୁ ମନ ହଉ ନାଇଁ ।

 

ଗାଁ ଗଡ଼ତିଆଣି ବୁଢ଼ୀଠୁ କିଣା ଗୋଟିଏ କିତା ଗାଁ ମୁଣ୍ଡିଆ ଗହିର ଜମି କିଣିଲା ପରେ ପରେ ବନ୍ଧକଟା ମୁକୁଳେଇବାକୁ ସୁନ୍ଦରୀ କେତେଥର ଶୁଣେଇ ଦେଲାଣି । ଭଗାରି ହଁ, ହଁ ହଉଚି । ଗହଣା ଫିଟେଇଲା ପରେ ସୁନ୍ଦରୀ ଆଗରେ ଜଳ ଜଳ ଦିଶି ଯାଉଥିଲା ସେଇ ଜମି । ଦିଶି ଦିଶି ଯାଉଥିଲା, ସେଇ ଜମିରେ ପହ୍ନା ମାରିଲା ବେଳେ ହୁଡ଼ା ଉପରେ ଗଡ଼ତିଆଣିର ଠିଆ ଠିଆ ଚାଲିଟା । ଗଡ଼ତିଆଣିର ଚାଲି, ଠାଣି, ମନେ ପଡ଼ୁ ପଡ଼ୁ ଗହଣାର ଭଉଁରି ଫିଟାଇବାକୁ ହାତ ଦିଟା ଚଞ୍ଚଳ ହୋଇ ଉଠିଥିଲା । ଓଲଟା ପଟକୁ ମୋଡ଼ୁ ମୋଡ଼ୁ, ଭଉଁରି ନ ଫିଟୁଣୁ ଗହଣା ଓଟାରୁ ଓଟାରୁ, ଉଃ ଆଃ ହବାର ବି ଶୁଣା ଯାଇଥିଲା । ଗହଣା ଫିଟାଇବା ଆଗ ଦିନ ଗୁରୁବାରରେ ଝୋଟି ଦଉ ଦଉ ଝୁଣ୍ଟି ପଡ଼ିଥିଲା କେତେ ଥର ।

 

ଗହଣା ମୁକୁଳେଇବାର ନାଁ ଆଉ ଧରୁନାଇଁ ଭଗାରି । ପାତ୍ରପଡ଼ାର ଶୁଣ୍ଢି ଜମି କିଣିବା ଚିନ୍ତାରେ ଧନ୍ଦି ହେଇ ଯାଇଚି । ଛନ୍ଦାଛନ୍ଦି ଧନ୍ଦାଧନ୍ଦି ଭିତରକୁ ସୁନ୍ଦରୀର ପ୍ରତିବାଦଟା ଧସେଇ ପଶି ପାରୁନାଇଁ ବେଳେ ବେଳେ ପଶୁଥିଲେ ବି ଛନ୍ଦା ଛନ୍ଦିର ଗୋଲକଧନ୍ଦା ଭିତରେ ସୁନ୍ଦରୀ ଯେ କୋଉଠି ତାକୁ ଆବିଷ୍କାର କରିବାର ଅବସର ବି ନଥିଲା ।

 

ତଥାପି ଥରେ ଅଧେ ଆଶ୍ଵାସନା ଶୁଣେଇଥିଲା । ଆଶ୍ଵାସନାରେ ସୁନ୍ଦରୀର ସ୍ଵପ୍ନ ପାଇଁ ଖୋରାକ ଗୁଡ଼ିଏ ଯୋଗେଇ ଚାଲିଥିଲା । କେତେଥର ମନ ଦେଇ ଶୁଣି ଥିଲେ ବି ଟିକକ ଆଗରୁ ସେଇ ପୁନରାବୃତ୍ତି ଶୁଣି କହିଥିଲା—

 

 

ମର୍‌ ଦିହକ ଗଲାଣି ଏନ୍‌ତି ରେ,

 

ମୁଇଁ ରାଇଜ ପାଲ୍‌ବି କେନ୍‌ତି ରେ !

 

ଜମି ବଛାବଛି ଚିନ୍ତାରେ ଧନ୍ଦି ହଉ ହଉ, ଜମି କିଣିବା ପାଇଁ ଜମାକୁ ଥରକୁ ଥର ଖୋଲି ଦେଖି ହତାଶ ହଉ ହଉ, ଆହୁରି ଗୁଡ଼ିଏ ଅବସ୍ଥାରେ ପଡ଼ି ବିବ୍ରତ ହେଇ ଯାଇଚି ।

 

ସୁନ୍ଦରୀ ଝିଅ ଘରକୁ ଚାଲି ଯାଇ ସେଇ ବିବ୍ରତର ବଡ଼ ଅଂଶଟାଏ ।

 

ସୁଁ ସୁଁ ଭିତରେ ଅଭିଯୋଗ ଗୁଡ଼ିଏ ଅଜାଡ଼ି ଦଉ ଦଉ ପିଉଥିଲା ଯୋଡ଼ିକୁ ଧରି ସୁନ୍ଦରୀ ଚାଲିଯାଇଚି ଝିଅ ଘରକୁ । ଗଲାବେଳେ ବେଶ୍‌ ଚଢ଼ାଗଳାରେ ଚେତେଇ ଦେଇ ଯାଇଚି—ତମ୍‌କୁ ଦଇବ ଛାଡ଼୍‍ଲାଣ । ନାଇ ହେଲେ ମର୍‌ ଦିହରେ ଫେର୍‌ ହାତ ଦେଇ ଥାଇତ ?

 

କଟକଣା ସାଙ୍ଗକୁ ଗହଣା ମୁକୁଳେଇବା ଦିଗରେ କାନ ନ ଦେବାରୁ ସୁନ୍ଦରୀ ତରଫରୁ ଯୋଉ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ତାକୁ ଏଡ଼ାଏଡ଼ି କରି ଚାଲି ଯାଉଥିଲେ ବି ହଠାତ୍‌ ଗୋଟିଏ ତେଢ଼ା କଥାର ପ୍ରତ୍ୟୁତ୍ତର ସ୍ଵରୂପ ଫାଳିଆରେ ଲାଗ୍‌ ଲାଗ୍‌ ଦୁଇ ପାହାର ବସେଇ ଦେଇଥିଲା ।

 

ଅଇଁଠାର ଜନ୍ମଆଗରୁ ମାଁ ଘରକୁ ଯିବାର ଅଳିପାଇଁ ସେଇ ଯେ ଖୁନ୍ଦାଟାଏ ମାରିଥିଲା, ମରାମରିଟା ସେଇ ଦିନୁ ବନ୍ଦ ହୋଇଯାଇଥିଲା ।

 

ସେଇ ଖୁନ୍ଦାଟାକୁ ଖୁସିବାସି ବେଳେ ବି କେତେଥର ଖୁଣ୍ଟା ଦେଇଚି ସୁନ୍ଦରୀ ।

 

ଭଗାରି ସେଇ ଖୁନ୍ଦା ମରାଟା ପାଇଁ ଖେଦୋକ୍ତି ପ୍ରକାଶ କରିଥିଲେ ବି କେତେଥର ଭାବିଚି ଅତୀତର ସେ ଖୁନ୍ଦାଟା ସୁନ୍ଦରୀ ସହିତ ବହୁ ଧନ୍ଦା ସମାଧାନ ବେଳେ ମଦ କାମ ଦେଇ ନାଇଁ ।

 

ବାଉଁଶ ଫାଳିଆଟା ଦୁଇଥର ବ୍ୟବହାର କରି ତୃତୀୟ ଥର ଟେକିଲା ବେଳେ ଭଗାରିର ମନେପଡ଼ିଯାଇ ସେଇ ଖୁନ୍ଦା ଆଉ ଖୁଣ୍ଟା ଦେବାଟା ।

 

ସୁନ୍ଦରୀର କାନ୍ଦ ଇତ୍ୟାଦି ଆରମ୍ଭ ହେଇ ଥିଲା ବେଳକୁ ବାଉଁଶ ଫାଳିଆଟା ଗୁରୁତ୍ଵପୂର୍ଣ୍ଣ ଖିଆଲ୍‌କୁ ଆସି ଯାଇଥିଲା ।

 

ବାଉଁଶ ଫାଳିଆର ପଡ଼ା ଉଠାରେ ବନ୍ଦ୍‌ରିଆଟା ଚେପା ହୋଇଥିଲେ ବରଞ୍ଚ ଦୁଃଖିତ ହେଇ ନଥାନ୍ତା, ଲାଖଚୁଡ଼ି ପଟେ ଭାଙ୍ଗି ଯାଇଥିବା ଦେଖୁ ଦେଖୁ ସୁନ୍ଦରୀର କାନ୍ଦଟା କିଛି ସମୟ ପାଇଁ ବିବ୍ରତ ଭିତରେ ବନ୍ଦହେଇ ରହି ଯାଇଥିଲା । ଲାଖ ଚୁଡ଼ିକୁ ତୁଣ୍ଡରୁ ମୁଣ୍ଡ, ମୁଣ୍ଡରୁ ତୁଣ୍ଡ ଆଡ଼େ ଥରକୁଅର ଆଗେଇ ନେଉ ନେଉ ଚୁ ଚୁ କରୁଥିଲା—ଅଶୁଭ ସ୍ଵପ୍ନ ଗୁଡ଼ିଏ ଚେଇଁ ଚେଇଁ ଉଠୁଥିଲା ।

 

ସୁନ୍ଦରୀ ଚାଲି ଯାଇଛି ଝିଅ ଘରକୁ । ଗଲାବେଳେ ଶୁଣେଇ ଦେଇ ଯାଇଚି—ଇ ଘର ପୁଡ଼ି ଯାଉ କି ଜଳି ଯାଉ ମୁଇଁ ଆଉ ନାଇଁ ଦେଖେଁ । ପୁଡ଼ି ଯାଉ କି ଜଳି ଯାଉ ମୁଇଁ ଦୁଆରେ ପାଦ ନାଇଁ ପକେଁ ଆଉ !

 

ଶୁଣ୍ଢିର ଜମିଗୁଡ଼ିକ କିଣିବା ଚିନ୍ତା—ସୁଦରୀ ପାଇଁ ଭାବନାଟା କେତେ ଅଂଶରେ ଛପି ଯାଇଚି ସେଇ ଭିତରେ । ତଥାପି ପୁଅ ଝିଅଙ୍କର କେଁ ଭେଁ ଭିତରେ, ବ୍ୟବଧାନ ବିତେଇ କାମରୁ ଫେରିବା ବେଳେ ସୁନ୍ଦରୀ ଦିଶିଯାଉଚି ।

 

ସୁନ୍ଦରୀ ମନେ ପଡ଼ୁଚି ।

 

ବ୍ୟବଧାନ ବେଳର କାମ ଧାମରେ ବୁଡ଼ିଥିବା ବେଳେ ବି ସୁନ୍ଦରୀ ସମ୍ବନ୍ଧୀୟ ଭାବନା ବେଳେବେଳେ ଉଙ୍କିମାରେ । ଉଙ୍କିମାରେ ଅତର୍କିତ ଭାବରେ ।

 

ନିଧି ଡାଙ୍ଗଠୁ ରନ୍ଧା ପାଗଟା ଶିଖିନବା ସଂଗେ ସଂଗେ ପାଗର ପୂର୍ଣ୍ଣତା ପାଇଁ ଚନ୍ଦ୍ର ଦନ୍ତା ଗବେଷଣା ଚଳେଇଥିଲା । ସେଥିରେ ବେଶ୍‌ କିଛି ଅଂଶ ସଫଳ ହେବାର ସାର୍ଟିଫିକେଟ୍‌ ବି ଗଡ଼ତିଆଙ୍କଠୁ କେତେଥର ଶୁଣି ସାରିଲାଣି । ଏଇ ରନ୍ଧା ପାଗ ଯୋଗୁଁ ଗଡ଼ତିଆଙ୍କ ପ୍ରିୟପାତ୍ର ହେଇ ହେଇ ଆସୁଥିବା ବଡ଼ ହଳିଆ ଚନ୍ଦ୍ର ଦନ୍ତା ଭଗାରି ଚିନ୍ତା ସୁଅକୁ ଭିନ୍ନ ଆଡ଼େ ଟାଣି ଚାଲିଚି ।

 

ସିଙ୍ଗାରି ପଡ଼ାରେ ଆଉ କେତେ ଥାକି ପାରିବ ସେଇକଥା ଭାବୁଚି । ଧରା କଟା, ଉଠା ଇତ୍ୟାଦି କାମରେ ଦନ୍ତା ମୁଖ୍ୟରୁ ପ୍ରୟୋଜକ ଆଡ଼େ ଗତି କରିବାର ଲକ୍ଷ୍ୟ କଲାଣି । ଅନ୍ୟ ମୁଖ୍ୟମାନେ ବି ଏଇ ପ୍ରୟୋଜକର ପ୍ରରୋଚନାରେ ପ୍ରଭାବିତ ହେବାଟା, ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ଲକ୍ଷ୍ୟ କଲାଣି ।

 

ପାଗର ଗବେଷଣା ଚଳେଇ ଥିଲେ ବି ପାଗଟା ନିଜ ପ୍ରତି ପ୍ରୟୋଗ କରିବା ଦିଗରେ ଦନ୍ତା ଯେ ଖୁବ୍‌ ସତର୍କ ଅଛି ସେଇ ଧାରଣାଟା ଧୀରେ ଧୀରେ ଆସିଗଲାଣି ।

ସ୍ଵାର୍ଥକୁ ଟିକେ ଦୂରେଇ ରଖି ଦନ୍ତାର ଏ ଚତୁରତାକୁ ମନେ ମନେ ତାରିଫ୍‌ କଲେ ବି ସେ ରାସ୍ତା ଧରିବାକୁ ମନ ବଳୁ ନାଇଁ ।

ଦନ୍ତା ଯେ ମୁଖ୍ୟରୁ ପ୍ରୟୋଜକ ପାଲଟି ପାରିବ ନାଇଁ ଏ ବିଷୟରେ ନିଜର ଏକ ତରଫା ଯୁକ୍ତି ଭିତରେ ଯେତେ ସାନ୍ତ୍ଵନା ସଂଗ୍ରହ କରିଥିଲେ ବି କାର୍ଯ୍ୟକ୍ଷେତ୍ରରେ ତାର ଓଲଟା ଦେଖି ଦେଖି ଉପାୟ ଚିନ୍ତା କଲାଣି ।

ଗଡ଼ତିଆ ଆଉ ଦନ୍ତା, ଏ ଦୁହିଁଙ୍କର ଘନିଷ୍ଠତା ଭିତରେ ନିଜର ଯାହା କ୍ଷତି ହେଲେ ବି ଅଉଲ୍‌ରୁ କିତାକୁ କିତା ଚାଲି ଯାଉଥିବାଟା ଗଡ଼ତିଆ ଯେ ଆଉ ରୋକି ପାରିବେ ନାଇଁ, ରୋକି ନ ପାରିଲେ ଏଠି ନିଜର ଭବିଷ୍ୟତଟା କ’ଣ, ସେ ଆଡ଼ଟା ବି ଅନେକ ଅଂଶରେ ଅନୁମାନ କରି ନେଲାଣି ।

ଅଉଲ୍‌ ଗୁଡ଼ିକ ଅଳ୍ପ ମୂଲ୍ୟରେ ଚାଲି ଯାଉଚି । ନିଜେ କିଛି କିଣି ନବାକୁ ରକ୍‌ ସକ୍‌ ହେଉଚି ।

ମୁନିବ ଆଗରେ ସାମ୍‌ନାସାମ୍‌ନି ଗଣାଗଣିର ମହାଜନୀ ମନୋବୃତ୍ତିଟାର ପରିଚୟ ଦେବାକୁ ପଛେଇ ରହୁଚି ।

ଗୁଡ଼ାଏ ଘୁରା ଘୁରି କରି ଖଟରେ ଆସି ପଡ଼ିଯାଇଚି ଭଗାରି । ଚାହିଁଚି ଆକାଶକୁ । ବାଟରେ ଦେଖି ଆସିଚି ହୋମ ଯାଗ । ଗର୍ଜନ ଶୁଣି ଭାବୁଚି ଏଇ ମେଘ ଆସିଲାଣି । ଏଇ ବର୍ଷି ଦେଇ ଯିବ । ଏଇ ସୁନା ଢାଳି ଦେଇ ଯିବ ।

ଗର୍ଜନଟା ପ୍ରବଚନ ମାଧ୍ୟମରେ ଖିଆଲ୍‌କୁ ଆସୁ ଆସୁ ଝର୍‌ ଝର୍‌ ଝୋଝୋର ସ୍ଵପ୍ନ ଛପି ଛପି ଯାଉଥିଲା ।

ଭଗାରି ଚାହିଁଚି ଆକାଶକୁ । ଜମାଟଟା ଫାଟି ଫାଟି ଗଲାଣି । ଗଲା ବର୍ଷର ମରୁଡ଼ି । ତା ସାଙ୍ଗକୁ ଏ ବର୍ଷର ଅବସ୍ଥା ଦେଖି, ଏ ଅବସ୍ଥା ସଂଗରେ ନିଜର ବର୍ତ୍ତମାନ ଅବସ୍ଥାକୁ ମିଶାଗୋଳା କରୁଚି ।

ଭାବି ଯାଉଚି ।

ଆକାଶକୁ ଚାହିଁ ଖଟରେ ପଡ଼ି ରହିଚି । ବଳିଆ ସ୍ତ୍ରୀ ସଂଗରେ ଆଜି ଲଗେଇଚି ଗୋଟିଏ । ଆଉ ଗୋଟିଏ କେଁ, କେଁ–ମଝିଆଁଟି ମାଁ ମାଁ ହେଉ ହେଉ ଶୋଇ ଶୋଇ ପଡ଼ୁଥିଲା ।

ମାଁ, ମାଁଟା ଭଗାରିର ଭାବନାକୁ ବେଶି ବେଳଯାଏ ମନ୍ଥି ଦେଇଥିଲା ।

ଠିକ୍‌ କରିନେଲା ସକାଳୁ ଉଠି ଝିଅ ଘରକୁ ଚାଲିଯିବ । ବୁଝେଇ ସୁଝେଇ ସୁନ୍ଦରୀକୁ ନେଇ ଆସିବ ।

ସକାଳ ନ ପାହୁଣୁ ଘରେ ଆସି ପହଁଞ୍ଚି ଯାଇଚି ମଇତିର ଭାଇ ଶୁତ୍ରୁ ମାଝୀ । ଦେଖୁ ଦେଖୁ ଆସିବାର ଉଦ୍ଦେଶ୍ୟଟା ପ୍ରାୟ ଧାରଣା କରି ନେଇଥିଲା ।

ମଇତିର ଭାଇ ବର୍ଣ୍ଣନା କରି ଯାଉଚି ବର୍ତ୍ତମାନର ଦୁଃଖଟା । ତା ସଂଗେ ସଂଗେ, ପୋଡ଼ା କାନ୍ଥର ଡାଳଛାଇ ଉପରେ ଇନ୍ଦ୍ର ଦେବତାଙ୍କ ଦୟାଟା ବି ସୂଚେଇ ଦେଉଚି ।

ମାଟି ହଳର ଜରୁରୀ ଦରକାର ଜନିତ ସରକାରୀ ଋଣ ଅଣା—ଋଣ ଟଙ୍କାରେ ବାହାପୁଆଣିର ସାଜସରଂଜାମ ସାଙ୍ଗକୁ ମନ ଟାଣିଥିବା ଆଉ ଆଉ ଆଖି ଝଲ୍‍ସା ଚିଜ କିଣା—କିସ୍ତି କେତେଟା ଗଡ଼େଇ ଚାଲିଚି ମଇତିର ଭାଇ ଶୁତ୍ରୁ ମାଝି । ସରକାରୀ ମଣିଷ ଗାଁକୁ ଗାଁ ପୋଡ଼ି ବଢ଼ିର ସାହାଯ୍ୟ ଦେବାକୁ ଆସି ଏକବସ୍ତ୍ରୀ ମାଝୀ ପରିବାରକୁ ଜଣେଇ ଦେଇ ଯାଇଚନ୍ତି, ସାହାଯ୍ୟ ପରିମାଣଟା ସରକାରୀ ଋଣର ବାକି ବାବଦକୁ ଅସୁଲ ପଡ଼ି ଯାଇଚି ।

ଏକବସ୍ତ୍ରୀ ବେଳର ଏଇ ରସିଦଟା, ପକେଟ ପୂର୍ଣ୍ଣ ବେଳର ମନଟା—ଏ ଦୁଇଟିର ଅସହାୟ ଅସହଯୋଗରେ ବିବ୍ରତ ହୋଇ, ନିରୁପାୟ ହେଇ ମଇତିର୍‌ ଭାଇ ଆସିଚି ଭଗାରି ପାଖକୁ ।

ମଇତିର ଭାଇକୁ ଗୁଡ଼ ମିଶା ଗାଳିଟିଏ ଦେଲା ନାଇଁ ଜାଣୁଥିଲ କାଁ, ସର୍‍କାରୀ ପଇସା ଯେନ୍‌ଟା ବିଷ ସେଟା ! ମାଟି ଲାଗି ତ ଆଣ୍‍ଲ, ମାଟି ନାଇଁ କଲ କାହିଁ ଲାଗି ? ମାଟି ଯେନ୍‍ଟା ସୁନା ସେଟା ! ମାଟିକୁ ଯିଏ ନାଇଁ ଚିନି ଜାଣି ତାକୁ ମୁଇଁ ଛି କରେଁ ! ହଁ, ହଁରେ ମଇତିର୍‌ ଭାଇ ଇ ମାଟି ଛୁଇଁ କହୁଚିଁ, ମାଟିକୁ ଯିଏ ନିଦା କରେ ମର୍‌ ଦିହ ଜଳି ଯାଇସି !!

ମଇତିର ଭାଇ ମାଗିଥିବା ପରିମାଣରୁ ପୂରାପୂରି ଆଠଅଣା କାଟିଥିଲା ।

କାଟିବାଟା ମଇତିର ଭାଇ ପକ୍ଷରେ ମଙ୍ଗଳ ବୋଲି ସୂଚେଇ ଦେଇଥିଲା ।

ବାକି ଆଠଅଣାରୁ ହାକିମ ସାଖି ଥିବା କଣ୍ଟ ବନ୍ଧକର ଖର୍ଚ୍ଚଟା କାଟିଥିଲା । ଗଡ଼ର ଖିଆାପିଆ ଖର୍ଚ୍ଚଟାଏ ଭଳିଆ ଅବସ୍ଥାରେ ମଇତିର ଭାଇ ଉପରେ ପକେଇ ଦବାକୁ ମନ ବଳେଇ ନାଇଁ ।

 

ମଇତିର ଭାଇର କାମ ତୁଟେଇ ଗଡ଼ରୁ ଫେରିବା ପରେ ପରେ ଭଗାରି ଯାଇଥିଲା ଝିଅ ଘରକୁ । ପହିଲି ଦେଖାରେ ସୁନ୍ଦରୀ ଠୋ କରି ମନା କରି ଦେଇଥିଲା ।

 

ଘରକୁ ଫେରି ଆସୁ ଆସୁ ଲକ୍ଷ୍ୟ କରିଥିଲା ସୁନ୍ଦରୀକୁ । ତା ଆଗରୁ ଚେମି ଆଇ ଆଗରେ, ବାକି ସାନ ଦୁଇଟିକୁ ଛାଡ଼ି ଆସିଥିବା ଦୁଃଖଟା କହି ଯାଉଥିବା ବେଳେ ଭଗାରି କାନେଇଥିଲା । ଭାବିଥିଲା ସାଙ୍ଗରେ ନଗଲେ ବି ଆଉ ଡେରି ନାଇଁ ।

 

ଅନୁମାନର ଡେରିଟା ଡେଇଁଯିବା ପରେ ପରେ ଭିତରଟା ବିଷେଇ ବିଷେଇ ଉଠିଲା ।

 

ବିଷକୁ ବେଳେ ବେଳେ ହଜମ କରିବାକୁ ଚେଷ୍ଟା କରୁଚି । କେତେ ଥର କଥା ହେଲାଣି ସେଇଆଡ଼େ ଯାଉଥିବା ଚିହ୍ନା ଅଚିହ୍ନା ବାଟୋଇ ସାଙ୍ଗରେ । କଥା ଭିତରେ ଡକେଇ ପଠାଇ ଥିବାର ପ୍ରତ୍ୟକ୍ଷ ଆଭାସ ନଥିଲେ ବି ପରୋକ୍ଷ ଇଙ୍ଗିତ ଅଛି । ଇଙ୍ଗିତ ଗୁଡ଼ିକରେ ଧମକରୁ ଯେତେ ଅଣା ଅଛି, ପିଲାପିଲିଙ୍କର ମା ପାଇଁ କାନ୍ଦଣା ସମ୍ବାଦଟା ତା’ଠୁ ଅନେକ ବେଶୀ ଅଛି । ପୂରା ଷୋ’ଳଣା ହବାକୁ ସେଥିରେ ଅଛି ଅନ୍ୟାନ୍ୟ ଆକର୍ଷଣ ।

 

ଏଇ ଗଲା ଥରେ ସମ୍ବାଦ—ସମ୍ବାଦଟିର ଚୁମ୍ବକ ଭଳି ଟାଣି ଆଣିବାର ଶକ୍ତି ସମ୍ବନ୍ଧରେ ନଶ୍ଚିନ୍ତ ହେଇ ଯାଇଚି ।

 

ସୁନ୍ଦରୀ ଫେରିନାଇଁ ।

 

ଏ ଭିତରେ ଗୁଡ଼ିଏ ପରିବର୍ତ୍ତନ ଭିତର ଦେଇ ଆଗେଇ ଚାଲିଚି ଭଗାରି ।

 

ସିଙ୍ଗାରି ପଡ଼ାରୁ ଛାଡ଼ି ଜାମୁନାଳିରେ ରହିଲାଣି । ଜାମୁନାଳିରେ ରହିବା ଆଗରୁ ସର୍‌ଗି ପଦର ଯାଇଥିଲା । ଗଡ଼ତିଅଙ୍କ ଅଣ୍ଟାରେ ଅମାର ଘର କୁଞ୍ଚକାଠି ଲକ୍ଷ୍ୟ କରିଥିଲା । ହୁଡ଼ାରୁ ଗୋଟେଇ ଖେତରେ ମେଞ୍ଚାଏ ମେଞ୍ଚାଏ ପକାଇଥିବାଟା ବି ଲକ୍ଷ୍ୟ କରିଥିଲା ।

 

ଜାମୁନାଳିରେ ଜବାବ୍‌ଟା ପକ୍‍କା କରିଦେବା ଦିଗରେ ଆଉ ଟିକିଏ ମଠେଇ ଥିଲେ ମନ୍ଦ ହୋଇ ନଥାନ୍ତା—ଏଇଟା ମତ୍‌ଲବ୍‌ ଥିଲା ।

 

ବର୍ତ୍ତମାନ ଅବସ୍ଥାକୁ ଚାହିଁଥିଲା । ଫସଲ ହାନୀ ସାଙ୍ଗକୁ ସିଙ୍ଗାରି ପଡ଼ାର ତ୍ରିଶଙ୍କୁ ଅବସ୍ଥାଟା ଭିତରେ ଝୁଙ୍କି ହେଇ ଯାଉଥିଲା ।

 

ଦୁଇଆଡ଼େ ଗୋଡ଼ ଦେଲେ ମଝିରେ ଗଳିପଡ଼ିବାର ସମ୍ଭାବନା ସାଙ୍ଗକୁ, ଗଳି ପଡ଼ିଲେ ବି ଗଲା ଫାଙ୍କରେ ନୂଆ କିଛି ଦେଖି ପାରିବାର ସୁଯୋଗ ମିଳିବା ସମ୍ଭବ ବୋଲି କେତେଟା ଅଭିଜ୍ଞତାରୁ ଜାଣିଚି–ଜାଣିଥିଲେ ବି ଏଇ ଦ୍ଵିତୀୟ ସମ୍ଭାବନାଟା ସେତେବେଳେ ଆଶଙ୍କା ପୂର୍ଣ୍ଣ ଅବସ୍ଥାରେ ଦେଖିଥିଲା । ଅଧାପନ୍ତରିଆ ମେଘ ସାଙ୍ଗକୁ ଆଁ ଆଁ, ଖାଁ ଖାଁ, ଟାଇଁ ଟାଇଁ । ପାଁଚ୍‌ ଜଣଙ୍କ ସାଙ୍ଗରେ ଦୁଖଟା ଦୁଃଖ ନାଇଁ ବୋଲି ଚନ୍ଦ୍ର କକାଠୁ ସାନ୍ତ୍ୱନା ପାଇଥିଲେ ବି, ବାରପଣି ସାଙ୍ଗକୁ କିସ୍ତି ତାରିଖଟା ବହୁତ ବଳେଇ ଯାଇଥିବାରୁ ସାଉଁଳା ପାଉଁଳା ପରେ ପରେ ଯୋଉ ଧମକ୍‌ ଚମକ୍‌ ଆରମ୍ଭ ହେଇଥିଳା, ସାନ୍ତ୍ୱାନାଟା କୋଉ ରାସାନ୍ତଳକୁ ଚାଲିଯାଇଥିଲା ।

 

ସେତେବେଳର ଅବସ୍ଥାକୁ ଦେଖି ମନେପଡ଼ିଯାଇଥିଲା ସର୍‌ଗିପଦରରେ ହଳିଆ ଥିବା ବେଳର ଦୃଶ୍ୟଟାଏ–

 

ହଡ଼୍‌ ବଡ଼େଇ ଯାଇଥିଲେ ସର୍‌ଗିପଦର୍‌ ଗଡ଼ତିଏ । ହାତୀଟା ଡାଳ ଭାଙ୍ଗୁଥିଲା । ଗାଁ ଗାଁ ବୁଲି ବୁଲି ଝାଳେଇ ଯାଇଥିଲା ।

 

ଜମିଥିବାଙ୍କ ସପକ୍ଷରେ ମର୍ମସ୍ପର୍ଶୀ ପଦେ ପଦେ କହି ସର୍‌ଗିପଦର ଗଡ଼ତିଆ ପଦେ ପଦେ ଆଶା, ଆତଙ୍କ, ଉତ୍କଣ୍ଠା ଭିତର ଦେଇ ଗତିକରୁଥିବାର ଲକ୍ଷ୍ୟ କରିଥିଲା ।

 

ହତୀଟା ଆଗେଇ ଯିବା ପରେ ପରେ, ‘ଚାକିରି ଯିବା ଆଗରୁ ଗଡ଼ିତି ଯାଇଥିବା’ଟା ସ୍ମରଣ କରୁ କରୁ ଜମିଥିବା ଆଉ ଜମି ଥିବାଙ୍କୁ ଯାହା ଯାହା କହିଥିଲେ ସେଥିରୁ ମନେ ପଡ଼ିଯାଇଥିଲା । ଦୁଇଟି ମଧୁର ବ୍ୟଞ୍ଜନ, ଗୋଟିଏ ଠେଙ୍ଗାର ସମନ୍ଵୟ ସମ୍ବୋଧନଟି ।

 

ଗଡ଼ତିଆଙ୍କ ଗଳାରେ ସମ୍ବୋଧନଟି ନୂଆ କରି ଶୁଣିଥିଲା ସେଦିନ ।

 

ସୁନ୍ଦରୀ ଆସିଲା ନାଇଁ । ପୁଣି ଥରେ ଡାକିଯାଇ କେତେ ପଦ ସାଉଁଳା ପାଉଁଳାଠୁ ଅନ୍ୟାନ୍ୟ ଖୋସାମତ୍‌ ତୋଷାମଦ୍‌ ଆଡ଼େ ଆଗେଇ ଯିବାକୁ ସମ୍ମାନହାନୀ ବା ବଡ଼ କଥାଟାଏ ଭାବୁ ନାଇଁ । କିନ୍ତୁ ତା ପଛରେ ଭବିଷ୍ୟତ ଅର୍ଥହାନୀର ଆଶଙ୍କା ଦେଖୁଚି । ଡାକିଯାଇ ନିଜଆଡ଼ୁ ଭାଉ ବଢ଼େଇ ଦେବା ସାଙ୍ଗେ ସାଙ୍ଗେ ସେ ଆଡ଼ୁ କୁଞ୍ଚିକାଠି ରଖିବାର ଜିଗର୍‌ଟା ଯେ ବଢ଼ିଯିବ ସେ ଆଡ଼ଟା ଜଳ ଜଳ ଦିଶିଯାଉଚି ।

 

ସୁନ୍ଦରୀ ଆସିନାଇଁ ।

ସୁନ୍ଦରୀର ଅଭାବଟା ଯୋଉ ମୁହୂର୍ତ୍ତଗୁଡ଼ିକୁ ବିଚଳିତ କରି ଦେଉଥିଲା ସେଗୁଡ଼ିକୁ ବି ଏ ନୂଆ ଜାଗା ଆଉ କାମ ସମ୍ବନ୍ଧୀୟ ଚିନ୍ତାରେ ଖର୍ଚ୍ଚ କରିଦେବାକୁ ଚେଷ୍ଟା କରୁଚି । ଚେଷ୍ଟାଟା ବି ନିହାତି ପ୍ରୟୋଜନ ବୋଲି ଭାବି ନେଲାଣି । ସେତେବେଳର ଜାମୁନାଳି ଆଉ ଆଜିର ଜାମୁନାଳି ଭିତରେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରୁଚି । ପରିବର୍ତ୍ତନଟା ବିଶେଷ ଭାବରେ ଲକ୍ଷ୍ୟ କରୁଚି ଗଡ଼ିତିଆଙ୍କ ଘରେ । ଖୋସା ଖୋସିଠୁ ପିନ୍ଧାପିନ୍ଧି ଯାଏ, ବାସନ ବାରମ୍ବାର ଯାଏ, ବସିବା ଆସନଠୁ ବାସଘର ଗଠନ ଯାଏ, କଥାବାର୍ତ୍ତାର ଢଙ୍ଗଢାଙ୍ଗଠୁ ହସ ଖେଳର ରଙ୍ଗରସ ଯାଏ....କୋଉଟା ତା ଆଖିକୁ ଲାଗୁଚି ତ କୋଉଟା ଆଖି ଦୃଷ୍ଟିଆ ଭଳି ।

ସିଙ୍ଗାରପଡ଼ାରେ ରହିବାର ଢେର ପରେ ମଝିରେ ମଝିରେ ଏ ଆଡ଼େ ଆସିଥିଲା । ସେତେବେଳେ ପରିବର୍ତ୍ତନର ଝିମେଇ ଝିମେଇ ଟିପେଇ ଟିପେଇ ଆଗେଇବାଟା ଦେଖୁଥିଲା । ଆଗଉ ଆଗଉ ଖସାଣି ଉଠାଣିର ପଛେଇ ପଡ଼ିବାର ଗତି ବି ଦେଖୁଥିଲା ।

ବର୍ତ୍ତମାନ ଦେଖିଲାରେ ପଛେଇ ଯିବାର ପ୍ରଶ୍ନ ଉଠୁନାଇଁ—ଆଗେଇଥିବା ପବନରେ ପର ଲାଗିଚି ।

ଏଇଠି ରହିଲା ପରେ ପହିଲି ପହିଲି ଯୋଉ ଧାରଣା ଆଣୁଥିଲା ଧୀରେ ଧୀରେ ତାର ଅନେକ ଅଂଶ ଓଲଟ ପାଲଟ ହେଇ ଯାଇଚି । ଯୋଉ ଗୁଡ଼ିକ ଠିକ୍‌ ବୋଲି ଭାବି ନେଲାଣି ସେ ସମ୍ବନ୍ଧୀୟ କଥାବାର୍ତ୍ତାରେ ବେଶୀ ସମୟ ନଉ ନାଇଁ । ଦ୍ଵନ୍ଦ ବା ଛନ୍ଦ ଭିତରେ ଯୋଉଗୁଡ଼ିକ ସେ ଆଡ଼ଟା ଲକ୍ଷ୍ୟ କରୁଚି ।

ଯାହାପାଇଁ ବେଶୀ ମୁଣ୍ଡ ଖର୍ଚ୍ଚ ସେ ହଉଚି ମହୁରୀର ଚନ୍ଦ୍ର ମହାପାତ୍ର ।

ଚନ୍ଦ୍ର ମହାପାତ୍ର ଭଗାରିର ଅନେକ ଦିନର ଚିହ୍ନା । ଭଗାରି ଯେତେବେଳେ ଏଠି ଥିଲା ହଳିଆ ଚନ୍ଦ୍ରକୁ ଦେଖିଥିଲା ପତରିଆ ପାଖରେ ଚେକର୍‌ ଥିବାର । ବିନା ଖମାରିରେ କାମ ଚଳୁଥିବା ଏଇ ଗଡ଼ତିଆଙ୍କର କେବେ ସେ ଖମାରିର ଆବଶ୍ୟକତା ଟପି ମହୁରିର ପର୍ଯ୍ୟନ୍ତ ଦରକାର ହେଲା ସେ ଆଡ଼ଟା ନଜର ରଖି ପାରିନାଇଁ । ଏ ଭିତରେ ସେଥିରେ ମଥା ଭର୍ତ୍ତିକରି କେତେ କଥା ଜାଣିନେଲାଣି ।

ଗଡ଼ତିଆଙ୍କ ତିନି ଗାଁ ଭିତରୁ ଏଇ ଜାମୁନାଳି ପ୍ରଧାନ ପୀଠ ବୋଲି ଧାରଣା କରି ନେଲାଣି । ମହୁରିରକୁ ମଙ୍ଗେଇ ଏଇଠି ରହିବାର ଯୋଗାଡ଼ କରି ନେଇଚି ।

ଗଡ଼ତିଆଙ୍କ ବଡ଼ମଝିଆଁ ଗଣେଶବାବୁଙ୍କ ସାଙ୍ଗରେ ଗଡ଼କୁ ଆସିଚି ଭଗାରି । ଗଡ଼ ବୁଡ଼ିଂକୁ ଆଣି ଛାଡ଼ିବା ବେଳଠୁ ଏ ଚିହ୍ନା । ସେତେବେଳର ‘ଗଣେଶ’ ଟା ବର୍ତ୍ତମାନ ବଦଳିଚି । ସେଇ ଅନୁସାରେ ପୁରୁଣା କଳା ମାନ୍ୟଟିରେ ବି ଅଳ୍ପକେଁ ରହିଯାଇଚି ।

ଗଣେଶବାବୁ ଗଡ଼ରେ ନୂଆ ଘର ତୋଳୁଚନ୍ତି । ପୂତ ଅଭିଜ୍ଞତା ଦୃଷ୍ଟିରୁ ଏଠିକୁ ଅଣା ହେଇଚି । ତୋଳା କଡ଼ର ନଡ଼ାଛାଉଣୀ ବଖରାଟାରେ ରହିଯାଇଚି ।

ଏଥର ଗଡ଼କୁ ଆସିବା ଆଗରୁ ଭଗାରି ଦେଖି ପାରୁଥିଲ, ଶୁଣି ପାରୁଥିଲା ଅତୀତର କିଛି କିଛି—ଢେଙ୍କି ପାହାର ବେଳେ ଢଗମାଳି, ମାଟି ବୁହା ବେଳେ ମରାଳଗତି, ମୁରୁମ୍‌ ବିଛା ବେଳର ମନ୍ଥର ଭଙ୍ଗି....ମିଠାମିଶା ଗାଳିରୁ ଫୁଟା ମୁଲ୍‌ ମୁଲ୍‌ ହସଠୁ ଭାଙ୍ଗି ପଡ଼ି ନଥିବା ମିଳିତ ହସ ଭିତର ହେବାର ଚୁପ୍‌ଚୁପ୍‌ ହାବ ଭାବଟା ।

 

ଗଣେଶ ବାବୁଙ୍କ ଚୂନ ଇଟା କାମରେ ଲାଗି ଯିବା ପାଇଁ ହେନାକୁ ଡାକିଚି ।

 

ସିଙ୍ଗାରି ପଡ଼ାରେ ଥିବାବେଳେ ଖଜଣାଠୁ ଆଖୁ ଘଣା ଇତ୍ୟାଦି କାମରେ ଗଡ଼କୁ ଆସିଲା ବେଳେ କେତେଥର ଦେଖିଛି ହେନାକୁ । ଥରେ ଦେଖିଥିଲା କଚେରୀ ଆଗର ଗଛ ଛାଇତଳେ । ଛାଇ ଲେଉଟିବେଳେ ଥରେ ଦେଖିଥିଲା ଛେଳି ପଛେ ପଛେ ହବାର । ଥରେ ଦେଖିଥିଲା ମନ୍ଦିରକୁ ଯିବାର ମନ୍ଥର ଗତିଟା ।

 

ସେଇ ଦେଖାଦେଖି ବେଳେ ଥରେ ପଚାରିଥିଲା ମାଁ ବୁଢ଼ୀ କଥା । ମନେ ପଡ଼ିବାରୁ ଆଉ ଦିନେ ପଚାରିଥିଲା ଝିଅଟିର କଥା ।

 

ବୁଢ଼ୀପାଇଁ ଟିକିଏ କାନ୍ଦିଥିଲା ହେନା । ଝିଅ କଥାଟା କହୁ କହୁ ବେଶ୍‌ ବେଳଯାଏଁ ଲୁହ ଗଡ଼େଇଥିଲା । ଝିଅଟି ଧାଦଉଡ଼ ବେଳଠୁ ବୁଢ଼ୀ ପଛେ ପଛେ ଚାଲିଯାଇଛି ଶୁଣୁ ଶୁଣୁ ନିଜେ ବି ଟିକିଏ ଶୋକ ମିଶା ସାନ୍ତ୍ଵନା ଦେଇଥିଲା–ନାଇଁ କାଁଦ୍‌, ନାଇଁ କାଁଦ୍‌ । ନାଇଁ କାଁଦ୍‌ ଲ !

 

ସାନ୍ତ୍ଵନା ଦେବା ସାଙ୍ଗେ ସାଙ୍ଗେ ଝିଅଟି ବଞ୍ଚିଥିଲେ ଏତେ ବେଳକୁ କେଡ଼େଟାଏ ହୁଅନ୍ତାଣି ସେଇ ଆଡ଼ଟା ବି ଦିଶି ଯାଇଥିଲା ।

 

ପୁଣି ଗୋଟାଏ ବ୍ୟବଧାନ ପରେ ଏଥର ଦେଖିଲା ହେନାକୁ । ସେଇ ଚୁପ୍‌ଚୁପ୍‌ କଥା, ସେଇ ଦବିଲା ଦବିଲା ହସ । ପହିଲି ଥରରୁ ହେନାର ବାହାରଟା ଯାହା ବଦଳି ଥାଉ ନା କାହିଁକି ଏଥର ସେଇ ପୁରୁଣା ରୂପଟା ଦିଶିଗଲା ।

 

ଖପରିଲ୍‌ ଗଦା ଆଉ ଖଟ–ମଝି ଫାଙ୍କାରେ ଠିଆ ହେଇ ଆକାଶର ମେଘକୁ ଚାହିଁଥିଲା-। ଟିକକ ଆଗରୁ ଭାବୁଥିଲା ଆଜି ହେବା ସାଙ୍ଗର କଥାବାର୍ତ୍ତାଟା—ଗୁଡ଼ି ଆଡ଼େ ଯାଉଚୁ କାଁ ଲ-? କା’ ନାଁରେ ପାଣି ରୁକଉଚୁ ଏବେ ?

 

ହେନା ଆଡ଼ୁ ମନଟା ବାଙ୍କି ଗଲାଣି । ବାଙ୍କି ଗଲାଣି ହଳିଆ, ଜମି, ଜମା ଆଡ଼େ ।

 

ବର୍ଷା ପାଖେଇ ଆସିଲାଣି । ଦାଣ୍ଡ ପାଖ ବଖରାଟିର ଅଧା ଉଠା କାନ୍ଥ—ସେ ଆଡ଼େ ବର୍ଷା ହେଇଥିଲେ କଣ ହବଣି ସେ ଆଡ଼କୁ ଭାବନାଟା ଚାଲି ଯାଇଥିଲା ।

 

ଦାଣ୍ଡ ପାଖକୁ ଭଲକରି ଖଣ୍ଡେ କରିବାକୁ କେତେଦିନୁ କଳ୍ପନାରେ ଥିଲେ ବି ଦାଣ୍ଡଆଡ଼ଟା ଭାବି ଦବି ଦବି ଯାଇଚି ।

 

ଗଣେଶ ବାବୁଙ୍କ ଘର କାମ ଜୋରସୋରରେ ଚାଲିଥିଲେ ବି ଜଣେଇ ଦେଇ ସକାଳୁ ଉଠି ଗାଁକୁ ଚାଲିଯିବା ପାଇଁ ଠିକ୍‌ କରିଥିଲା ।

 

ସକାଳ ପାହି ପୁଣି କେତେ ସକାଳ ବିତିଗଲା ।

 

ଜଣେଇ ପାରିନାଇଁ ।

 

ବାହୁଡି ପାରିନାଇଁ ।

 

ବାହୁଡ଼ି ଯିବାର ଚେତା ପଶିଲା ବାହୁଡ଼ା ଯାତ୍ରାର ବାସୀ ଦିନ । ଚେତାଟା ତିକ୍ତତା ଭିତରେ ଜଳି ପୋଡ଼ି ଚକ୍‌ ମକ୍‌ କରି ଉଠିଲା ।

 

ରିକ୍ତ ହାତରେ ଫେରିବା ଚିନ୍ତାଟା ଘରେ ପାଦ ଦଉ ଦଉ ଆହୁରି ଶକ୍ତିଶାଳୀ ହେଇ ଉଠିଲା ।

 

ବେଳା ବେଳକୁ ଘରେ ପହଞ୍ଚି ଭାବୁଥିଲା, ମୁଇଁ କାଇଁ କର୍‌ମଟେ କଲି ରେ ଦଇବ ! ଆଁ-? ଫେର୍‌ ମତେ ପାଲ୍‌ରେ ପକେଇ ଦେଲୁ ! ଆଁ । ଫେର୍‌ତ ମତେ ପାଲ୍‌ରେ ପକେଇ ଦେଲୁ-!

 

ଖଟ ଖାଲରେ ଗଡ଼ିଯାଇଚି । ଏ ପାଖ ସେପାଖ ହଉଚି ।

 

ଅସ୍ଥିର ମନଟା ଭିତରେ ଖଟରେ ପଡ଼ିରହି ଏପାଖ ସେପାଖ ହଉଚି ।

 

ନୀରବରେ ଗୋଟିଏ ଅସ୍ଥିର—ସ୍ଥିର ହେଇ ଆଉ ଗୋଟିଏ କେଁ କେଁ କଟ୍‌ କଟ୍‌ ଡାକୁଚି-

 

ଗଡ ପେସ୍‌କାରଙ୍କ ଏ ଆଡ଼ର ଜମି ଚକଡ଼ାଏ ପାଇଁ ଯୋଉ ବାକି ତୋଡ଼ାଟି ନେଇଥିଲା ବାହୁଡ଼ା ଯାହାର ବାସୀକୁ, ବହୁ ଚେଷ୍ଟାରେ ବଢ଼େଇ ଥିବା ସେଇ ତୋଡ଼ାଟି ଯାଇଥିଲା । ଚୁକ୍ତି ଦିନଟା ପାଖେଇ ପାଖେଇ ଆସିଲାଣି । ଜମିତ ଦୁରର କଥା ଚୁକ୍ତି ଅନୁସାରେ ମୂଳ ଅଗ୍ରିମଟା ବି ଯେ ଉଡ଼ିଯିବ ସେ ଆଡ଼ଟା ଜଳ ଜଳ ଦିଶି ଯାଉଥିଲା ।

 

ବଳିଆ ସ୍ତ୍ରୀର ଆଉ ଗୋଟିଏ ଡାକରେ ଭଗାରି ଫେରି ଚାହିଁଲା । ବହୁ ପାଖରେ ଠିଆ ହେଇଛି ତଳ ଆଡ଼ର ସାନଟିଏ । ମା ଓଳି ଆଣିଚି ।

 

ସୁନ୍ଦରୀ ହଠାତ୍‌ ଚେଇଁ ଉଠିଲା ।

 

ସୁନ୍ଦରୀର ଜିଦ୍‌ଟା ବି ହଠାତ୍‌ ଅବାକ୍‌ କରିଦେଲା ।

 

ତଥାପି ହଠାତ୍‌ ଧାରଣାଟାଏ ହେଲା, ଏଥର ଡାକିଗଲେ ସୁନ୍ଦରୀ ଆସିବ—ନିଶ୍ଚୟ ଆସିବ ।

 

ଡାକି ଯିବାର ସଂକଳ୍ପ ସାଙ୍ଗେ ସାଙ୍ଗେ କଳ୍ପନାର କୁସୁମ ଫୁଟୁ ନଫୁଟୁଣୁ କେତେବେଳେ ଯେ ହେନାଆଡ଼େ ବାଙ୍କେଇ ଯାଇଚି ସେ ଆଡ଼ଟା ଖିଆଲକୁ ଆଣି ପାରିଲା ନାଇଁ ।

 

ବାହୁଡ଼ା ଯାତ୍ରାରୁ ବାହୁଡ଼ିବା ଆଗଠୁ ପରଯାଏ ମନେ ପଡ଼ି ଯାଉଥିଲା ।

 

ସକାଳୁ ଉଠି ଭଗାରି ଚାଲିଗଲା ସୁନ୍ଦରୀକୁ ଡାକି ।

 

ଭଗାରି ଡାକି ଆସିବା ଆଗରୁ ନିଜେ ଚାଲିଆସି ଆତ୍ମସମର୍ପଣ କରିବାକୁ ଠିକ୍‌ କରିଥିଲା ସୁନ୍ଦରୀ । ସେଇଟା ସତେ ସତେ କାର୍ଯ୍ୟରେ ପରିଣତ ହେଇ ପାରି ନଥିବାରୁ ଆତ୍ମସନ୍ତୋଷ ଲାଭ କରିଚି ।

 

ପାହାଡ଼ କଡ଼ ଗଲା ବାଟ ଦେଇ ଘର ମୁହାଁ ହେଲାବେଳେ ବେଳେ ବେଳେ ବାବଦୁକ ପାଲଟୁଥିଲା ସୁନ୍ଦରି । ବେଳେ ବେଳେ ବାକ୍‌ଶୂନ୍ୟ ଅବସ୍ଥାକୁ ଆସି ଯାଉଥିଲା ।

ମଝିରେ ଥରେ ଲାଗି ଆସିଥିଲା ଭଗାରି—ଝିଅ ଘରେ ବସି ବସି ବନି ଯାଇଚୁ ତ ! ଆଁ, ବନି ଯାଇଚୁତ !

ଗଣ୍ଡିରା ବୋହି ଅଳ୍ପ ଦୂରରେ ଆଗେଇ ଯାଉଥିଲା ଅକର୍ମ ।

ବୋଝ ଭିତରୁ ଖସି ଆସିଥିବା ଲୁଗା କାନିରେ ସୁନ୍ଦରି ମୁହଁଟା କଡ଼ଆଡୁ ଟିକିଏ ଢାଙ୍କି ହେଇଥିଲା । ଢଙ୍କା ପାଖରେ ଥିଲେ ବି ଅନେକଟା ଅନୁମାନ କରିନଉଥିଲା ଭଗାରି ।

ଭଗାରି ଆଖି ଫେରି ଯାଉଥିଲା ଆକାଶ ଆଡ଼େ । ଗାଁ ପାଖେଇ ଆସିଲାଣି । ଘଞ୍ଚ ବଣଟା ଦୂରେଇ ରହିଲାଣି । ପାତଳା ବଣର ମଥା କଡ଼କୁ ନେଳିଆ ଆକାଶଟା ରଙ୍ଗ ଭିତରେ ଆହୁରି ଆହୁରି ଗାଧୋଇ ପଡ଼ୁଚି ।

ଆଟୁଘର ଦୋହରା ଚାବିଟା ସୁନ୍ଦରୀର ବରତ ସୁତାରେ ଲାଖିଲାଣି । ଏଠିକୁ ବୋହୂ ହୋଇ ଆସିଲା ପରେ ପରେ ଏଇ ପ୍ରଥମ କରି ଚାବି ଓହଳେଇଚି । ଓହଳେଇବାର ପହିଲି ପହିଲି ଘନ ଘନ ଫିଟା ଫିଟିରେ ତାଲାକୁ ଅଚଳ ଅବସ୍ଥା ଆଡ଼େ ନେଇ ଆସିଥିଲା ।

ପାଖକୁ ଚାବିକାଠି ଆସିଥିଲେ ବି ଲାଗ୍‌ ଲାଗ୍‌ ମରୁଡ଼ିଟା ବର୍ତ୍ତମାନର ସବୁ ଆଶାକୁ ଚାଟିଚୁଟି ଦେଇଚି । ଗଡ଼ତିଆଣିର ତଡ଼୍‌ବଡ଼୍‌ରେ ବାରପଣିର ଗୁରୁତ୍ଵ ବୁଝି ଓଲଟି ବାକି ଦୁଇଟି ସୁନା ଗହଣାରୁ ଗୋଟିଏ ଫିଟେଇ ଥିଲା ।

ସୁନ୍ଦରୀ ହାତକୁ ଚାବିକାଠି ଦବାର କଳ୍ପନା କରି ନଥିଲେ ବି ଦେଇ ଦେଲା ପରେ କିଛିଟା ଉଶ୍ୱାସ ଅନୁଭବ କରୁଚି ଭଗାରି । ବେଳେ ବେଳେ ଉଶ୍ୱାସଟା ଅବିଶ୍ଵାସରେ ମିଶିଯାଇ ଚରମକୁ ଉଠି ଯାଉଚି । ଦୁଇଟିର ମିଶାମିଶି, ପଡ଼ା ଉଠା ଭିତରେ ଗୋଟିଏ ନୂଆ ଅବସ୍ଥା ଆଡ଼େ ଆଗେଇ ଯାଉଚି ।

ଜାମୁନାଳିର କଟାକଟି, ମଡ଼ାମଡ଼ି, ଉଠା ଉଠି ବେଳ । ସେ ଆଡ଼େ ଲାଗି ଯାଇଚି । ସିଙ୍ଗାରିପଡ଼ା ଗଡ଼ତିଆ ଘର ସହିତ ଯୋଉ ଧରଣର କଥାବାର୍ତ୍ତା କରି ଆସୁଥିଲା ତା ଯେ ଏଠି ଖାପ ଖାଇବ ନାଇଁ ସେ ଆଡ଼ଟା ଅନୁଭବରେ ଆଣିଲାଣି । ଏଠି କାମ ଛାଡ଼ିଦବାର ଧମକ୍‌ତ ସମ୍ଭବ ହେଇ ପାରୁନାଇଁ, ଅଭିମାନ କଲେ ବି ଶୂନ୍ୟସ୍ଥାନ ପୂରଣ କରିବାର ଅଭାବ ଦେଖୁନାଇଁ । ପ୍ରତିଯୋଗିତାରେ ବଳି ନ ପାରିଲେ ଏଠି ସେ ପଛେଇ ଯିବାକୁ ହେବ, ପସ୍ତେଇ ହବାକୁ ହବ ସେଇ ଧାରଣାଟା ଆସି ଆସି ଯାଉଚି ।

ପ୍ରତିଯୋଗିତାଟା ବିଲ କାମ ବଳସ କାମରେ ଯାହା ଥାଉନା କାହିଁକି, ବେଶି ଦରକାର ଦେଖୁଚି ଗଡ଼ତିଆ ପରିବାରର ମର୍ଜି ଜଗି ଚଳିବା ଦିଗରେ । ଗଣେଶବାବୁଙ୍କ ସ୍ତ୍ରୀଠୁ ଗଡ଼ତିଆଙ୍କ ମାଇନର ପଢ଼ା ସାନମଝିଆଁ ନାତୁଣିଯାଏ, ଯୋଉଠି ଯେମିତି ଦରକାର ଭାବୁଚି ସେମିତି ଆଗେଇବାର ଚେଷ୍ଟା କରୁଚି ।

ଅନେକ ଦିନରୁ ଚିହ୍ନା ଏଇ ପରିବାରର ମର୍ଜି ଗୁଡ଼ିକ ମଜା ଘସା ଭିତରେ ଯୋଉ ରୂପ ଧରି ଧରି ଆସିବାର ଦେଖୁଚି ତ, କୋଉଟା ତା ଆଖିକୁ ମଜାମଜି ପରି ଉଜ୍ଜ୍ଵଳ ଦିଶୁଚି ତ, କୋଉଟା ଘସାରଗଡ଼ାଖିଆ ବିକୃତ ରୂପାନ୍ତର ଭଳି ମନେ ହେଉଚି ।

 

ଯେତେ ଜଗି ରହି ଚଳିଲେ ବି ସିଙ୍ଗାରିପଡ଼ା ଅପେକ୍ଷା ଏଠି ଭବିଷ୍ୟତ ଉଜ୍ଜ୍ଵଳ ଦେଖୁଚି । ସିଙ୍ଗାରିପଡ଼ାର ସଂକୀର୍ଣ୍ଣ ଗଣ୍ଡି ଭିତରେ ଭବିଷ୍ୟତର ଯୋଉ କଳ୍ପନା ଗୁଡ଼ିକର ସୀମା ଅତି ପାଖରେ ଥିଲା ଭଳି ମନେ କରୁଥିଲା ଏଠିକାର ବସ୍ତୃତ କ୍ଷେତ୍ରରେ ସେଇ ସୀମା ଦୂରେଇ ଦୂରେଇ ଯାଉଥିବାର ଦେଖି ପାରୁଚି ।

 

କଳ୍ପନାରେ ଆଗଉ ଆଗଉ କଳ୍ପନାରେ ଆଣିଥିବା ସୀମାକୁ କେତେବେଳେ ଯେ ଟପି ଯାଉଚି ସେ ଆଡ଼ଟା ଖିଅଲକୁ ଆସି ପାରୁନାଇଁ । ଟପିଯିବାର ବ୍ୟାପ୍ତିଭିତରେ ବାଟ ଖୋଜି ପାଉନାଇଁ—ବଣା ବଣା ହଉଚି ।

 

ଗଡ଼ିତିଆ ପରିବାରର ମର୍ଜି ଜଗା–ତା ସାଙ୍ଗକୁ ମହୁରୀ ଚନ୍ଦ୍ର ମହାପାତ୍ର ।

 

ମହାପାତ୍ରକୁ ମହାମନି ପଟାପଟିଟା ଆହୁରି ଭଲ ଭାବରେ ନ କଲେ ଚଳିବାଟା ମୁସକିଲ୍‌ ବୋଲି ଧରିନେଲାଣି । ମହୁରୀ କଥାକୁ କାନେଇଲାଣି । ମହୁରିର୍‌ ଅନେକ କାମ ଲାଘବ କରିଦେଲାଣି ।

 

ଖଟରେ ଶୋଇ ମହୁରିର ତା ଟିପା ଖାତାରେ ଟିପାଟିପି କରି ପାରିବା ଭଳି ବ୍ୟବସ୍ଥା କରି କରି ଆସୁଚି ।

 

ମହୁରିର୍‍ର ଛକା, ତାସ୍‌, ତ୍ରିନାଥ ମେଳା ଇତ୍ୟାଦି ପାଇଁ ଢେର ସମୟ ଖାଲିକରି ଦେଲାଣି ।

 

ମେଳାରେ ଟଣାଟଣି ବେଳେ ମହୁରୀ ଭଗାରିକୁ ଟାଣେ । ଗୁ ଗାଁ ହେଲେ ବି ପ୍ରିୟପାତ୍ର ହେବା ଦିଗରେ ପଛେଇ ଯିବା ଆଶଙ୍କାକରି ଆଗେଇ ଯାଏ । ସତର୍କ ହୋଇ ଟାଣିଲେ ବି ଟଣାଟଣି ଦେଲେ କାଶି କାଶି ବେଦମ୍ ହୁଏ । ଧୂଆଁକୁ ଦବେଇ ରଖିବା ଚେଷ୍ଟାଟା ଛାଡ଼ିଦିଏ ।

 

ମହୁରିର୍‌ ମହାପାତ୍ରକୁ ଅନୁକରଣ କରି ଟଣାଟଣି ଆଗରୁ ନଳିଟି ମଥାରେ ଲଗାଏ ।

 

ଗଡ଼ତିଆ ଘର ଆଡ଼ର ସତର୍କତା ପାଇଁ ମୁଣ୍ଡ ଖର୍ଚ୍ଚଟା ଦରକାର ପଡ଼ୁଥିବା ବେଳେ ଏ ଆଡ଼େ ଋଷି ପାଇଁ ରବେଇ ଖବେଇ ହେଲାଣି । ଗଣି ଦେଇଥିବାଟା ଅପ୍ରମାଣ ହେବା ଉପରେ । ଦେହୁରୀ ସ୍ତ୍ରୀ ଦାଣ୍ଡ ଫଟଉଚି । ଦେହୁରୀ ସ୍ତ୍ରୀର ମୁହାଁ ମୁହିଁ ହବାକୁ ସୁନ୍ଦରୀ ରୀତିମତ ଭୟକଲାଣି । ସମ୍ପ ଭିତରେ ଲଂପଟା, ଲମ୍ଫ ଭିତରେ ଲକ୍ଷହୀନ ହେଇ ଲାଖି ଯାଇଥିବା ଖଡ଼ୁ ଚିହ୍ନଟା–ଲକ୍ଷ୍ୟ ହୀନ ଭାବୁ ବା ଲକ୍ଷ୍ୟ ଥିବା ଭାବୁ, କପାଳ ପାଖର ସେଇ ଖଡ଼ୁ ଚିହ୍ନଟା ଉପରେ ଯେତେ ଗୁରୁତ୍ଵ ଦେଇଚି, ପୁଅ ଖାଇ, ଝିଅ ଖାଇ, ଘଇତାଖାଇ, ବାଡ଼ିପଡା, ବଡ଼ରୁଗ ହଉ... ଲମ୍ବି ଲମ୍ବି ଯାଉଥିବା ଏଇ ଅନର୍ଗଳ ସଂପାକଟାରେ ତା’ଠୁ ଢେର ବେଶୀ ଶୀତେଇ ଉଠୁଚି । ଶୂନ୍ୟକୁ ହାତଯୋଡ଼ି, ସର୍ବମଙ୍ଗଳାଙ୍କୁ ସୁମରଣା କରି ପୁଅ, ପତି, ନାତି, ନାତୁଣୀ ଇତ୍ୟାଦିଙ୍କର ଶୁଭ ମନାସୁ ମନାସୁ ସଂକୁଚିତ ହେଇ ବସି ରହୁଚି ।

 

ଅକର୍ମର ସାନ ଝିଅକୁ କନିଆ କରି ଫେରି ଯାଇଚନ୍ତି ଧୂଳିଆ ନାଳୀର ଥିଲା ଘରଟିଏ । ବନ୍ଧୁକୁ ବନ୍ଧ ପକେଇ ଫୁଲ ତୋଳା ତୋଳି ପର୍ବ ଆରମ୍ଭ ହେବାଦିନର ଅନେକ ଆଗରୁ ଭଗାରି ଚେତେଇ ଦେଇଥିଲା—କନିଆ ମୂଲ ହୁ ହୁ ବଢ଼୍‍ଲାଣି । ଆହୁରି ବଢ଼୍‍ବ । ସାନ୍‌ରୁ ନାଇଁକର ।

 

କନିଆ ଦେଖା ପକ୍ଷ ମୂଲ ଦେଇ ଆସିବା ଆଗରୁ ପ୍ରାୟ ସେଇକଥା ଚେତେଇ ଦେଇଥିଲା ତୀର୍ଥ ।

 

ନାତୁଣୀ, ବାହାଘରକୁ ସୁନ୍ଦରୀ ଯାହା ଯାହା ଲଗେଇ ଆସିବ ଭାବିଥିଲା ତା ତ ଦୂରର କଥା ହେଲା, ଥିଲା ଗୁଡ଼ିକ ବି ପର ହାତକୁ ଚାଲି ଯାଇଥିବାରୁ ଉତ୍ସବ ଭିତରେ ସଙ୍କୁଚିତ ହେଇ ଯାଉଥିଲା ।

 

ବାହାଘର ବାସୀଦିନ ଫେରିଯିବାକୁ ପ୍ରସ୍ତୁତ ହେଲା ।

 

ସୁନ୍ଦରୀର ବିଦାୟ ବେଳରେ ଏଥର କିଛି ବିଶେଷତ୍ଵ ନଥିଲା । ଏ ଘରୁ ସେ ସରୁ ବିଦାୟ ନେଲା ବେଳେ ଯାଉଚି ଗ ମାଉସି, ଯାଉଚି ଗ ନାନୀ, ମନେ ପକଉ ଥିବ, ଗାଳି ଦଉଥିବ....ବାଟେଇ ଦେଇ ଆସିଥିବାଙ୍କୁ ଯା ରେ, ଯ ଲ, ଯ ଗ...ଏ ସବୁର ଜୁଆର ଭଟ୍ଟା ପଡ଼ି ପଡ଼ି ଯାଇଥିଲା ।

 

ସୁନ୍ଦରୀ ଆସିଲା ବେଳଠୁ ନବଘନ ଲକ୍ଷକରୁଥିଲା ସୁନ୍ଦରୀର ନାକ, କାନ, ବେକ । ଗଲାଥରର ଗହଣା କେତେଟା ଦେଖି, ସ୍ତ୍ରୀକୁ କହିଥିଲା, ତର୍‌ ଲାଗି କିଛି କରିନାଇଁ ପାର୍‌ଲି !

 

ଗଲାଥରର ସେଇ ବାଦଲ ଖଣ୍ଡକ ଏଥର ଉଭେଇ ଯାଇଚି ।

 

ବାଦଲ ଛପୁ ଛପୁ ବେଳା ଉବେଳା ନମାନି ବଂଶୀ ବଜେଇଥିଲା ।

 

ସୁନ୍ଦରୀ ବିଦାୟ ନେବାର ବାସୀଦିନ ଚଇତାର ବାପ ଚାଲିଗଲା । ବାହାଘର ଦିନ ଅଶୌଚର ଆଶଙ୍କାଟା ଅନେକ କରିଥିଲେ ।

 

ଦାଣ୍ଡ ପିଣ୍ଡାରୁ ଚଇତା ଚାହିଁଥିଲା । ବାପର ଚିତାନିଆଁ ଯୋଉଠି ଜଳିଥିଲା ଚାହିଁଥିଲା ସେଇ ଆଡ଼େ । ପାଖ ଗାଁ । ଚେରୁ ଶେଠିର ଖାରପୋଡ଼ା ଧୂଆଁ ଠିକ୍‌ ସେଇ ସିଧାରେ ଉଠି ମିଶିଲା ଭଳି ଜଣାଯାଉଥିଲା ।

 

ଟିକକ ଆଗରୁ ଗାଁର ଆଉ ଗୋଟିଏ ଦେହ ସେଇଆଡ଼େ ଯାଇଚି । ତା ପାଇଁ ଧୂଆଁ ଉଠିନାଇଁ—ଉଠିବ ନାଇଁ ।

 

ଚଇତା ଚାହିଁଥିଲା ।

 

ଚଇତା ଚାହିଁଥିଲା । ଆଖି ଫେରିଯାଉଥିଲା ଖେତ ବାଡ଼ି ଆଡ଼େ । ଚାଳର ଆଁ ବୁଜିଚି—ଯାହା ଭୟରେ ବୁଜିଥିଲା ତାକୁ ଆକୁଳ ହେଇ ଡାକିଲେ ବି ଆସୁନାହିଁ ।

 

ମାଟିର ଆଁ ଅନେଇଚି । ଝରୁନାଇଁ ଆକାଶରୁ । କୂଅ, ଗାଡ଼ିଆ, ନାଳ—ସବୁ ଠୋ ଠୋ କଲାଣି ।

 

ପତର ମହୁରିର୍‌ ଅଭୟ ଦେଲାଣି ।

 

ବାଉଁଶ ଆଡ଼େ ବାହାରିଲେଣି ।

 

ବାପ ସାଙ୍ଗରେ ବାଉଁଶ କାଟି ଚାଲିଚି ଅକର୍ମ । କଟା ଜାଗା ପାଖର ଗଛ ଉପରେ ଏ ବାହି ସେ ବାହି କଂସା, ପିତଳ, ଡେଗ୍‌ଚି, ଖୁରୁଡ଼ା...କରିଆ ବନ୍ଧା, ଦଉଡ଼ି ଫନ୍ଦା, ଲଇଛନ୍ଦା ଆହାର ଝୁଲୁଚି । ଝୁଲାରୁ ଟୋପେ ବେଶ୍ କିଛିକ୍ଷଣ ବିନ୍ଦୁ ପାଲଟି ବୁନ୍ଦେ ପଡ଼ିଲା ଅକର୍ମ ଉପରେ । ଅକର୍ମ ଉଠି ବସିଲା । ବାପ ଆଡ଼େ ଆଗେଇଲା ।

 

 

ବାଉଁଶ କାଟୁ କାଟୁ ବିଶିର ସତର୍କ ଆଖି ଘୂରି ବୁଲୁଚି ଭଲ ଅଗରା ପାଇଁ । ରଥ ଯାତ୍ରାର ଘୋ ଘା ଭିତରେ ପିଙ୍ଗୁ ନଳିରେ ପିଙ୍ଗୁ ଭରି, ଦଳର ହଁ ହଁ ହଁରେ ତାଳ ମିଶେଇ, ନଇଁ ପଡ଼ିଥିବା ଅବସ୍ଥାରୁ ସଳଖ ହେଇ ଆସୁ ଆସୁ ଗଜକୁ ଯେତେବେଳେ ଠେଲେ, ଯାତ୍ରା ପଦାର ବହୁ ଶବ୍ଦଭିତରୁ ବାରି ହେଇ ଯାଉଥିବା ପିଙ୍ଗୁନଳିର ମିଳିତ ଆବାଜ୍‌ ଭିତରୁ ନିଜଟାକୁ ବି କାନେଇବାକୁ ଚେଷ୍ଟା କରେ ।

 

ଖଟ୍‌ଖାଟ୍‌, ସର୍‌ସାର୍‌, ଝସ୍‌ଝାସ୍‌, ଉଃ, ଆଃ...ପ୍ରକୃତି ଆଉ ମଣିଷ ଢଳା ଶବ୍ଦଭିତରେ କମଳୁ ଚେତେଇ ଦେଇଥିଲା ଆଗାମୀ ରଥଯାତ୍ରାଟା ।

 

ପର ବର୍ଷର ପତ୍ର ତୋଳାତୋଳି ବେଳେ ସୁନ୍ଦରୀ ଦିନେ ହଠାତ୍‌ ଆସି ପହଞ୍ଚି ଯାଇଚି ଝିଅ ଘରେ । ଏଥର ସୁନ୍ଦରୀକୁ ଦେଖୁ ଦେଖୁ ଚମକି ପଡ଼ିଥିଲା ନବଘନ ।

 

ବନ୍ଦରିଆ, ଝଲକା, ମଗରମୁହିଁ ରୁଣା....ଯୋଉ ଗୁଡ଼ିକ ବୁଲା ବେପାରିକୁ ବରାଦ୍‌ଦିଆ ଯାଇଚି ବୋଲି ସୁନ୍ଦରୀ କହିଗଲା, ଯୋଉ ଗୁଡ଼ିକ ବଣିଆ ଶାଳରେ ପ୍ରସ୍ତୁତି ପଥରେ ଆଗେଇ ଚାଲିଚି ବୋଲି ବର୍ଣ୍ଣନା କରିଗଲା, ସବୁ ଗୁଡ଼ିକୁ ଟିକି ନିଖି କାନେଇବାକୁ ଚେଷ୍ଟା କରିଥିଲା ।

 

ବାହାନିମିତ, ଡକାହକା, ଖବରଦବର—କିଛି ନଥିବାବେଳେ ସୁନ୍ଦରୀର ଆବିର୍ଭାବଟା ଅତି ଆକସ୍ମିକ ଭଳି ମନେ ହେଉଚି । ନିଜର ପିନ୍ଧାପିନ୍ଧି ପାଇଁ ଚାରି ଫୁଲିଆ, ଛପୁଲିଆ—ଝିଅ ପାଇଁ ଖଣ୍ଡେ ଆଣି ଦେଇଚି ।

 

ପହଞ୍ଚିବା ଦିନ ପତ୍ର ତୋଳାରୁ ଫେରା ବେଳଟା ଦେଖି ନେଇ ଗଳା ଚଢ଼େଇଥିଲା—ମର୍‌ଝିଅ ପତ୍‌ର ତୁଳି ନାଇଁଯାଏ । ମର ଝିଅ ମୂଲ ଭୂତି କରି ନାଇଁ ପାରେ ।

 

ଗଳାଟାକୁ ଖସେଇ ଆଣିଥିଲା ହଠାତ୍‌ । ଚାହିଁଥିଲା ଏ ପାଖ ସେ ପାଖ—ତଳ ଉପର-

 

ଆସିଲା ପରେ ପରେ ଅହିଲା ସାଙ୍ଗରେ ଗପ ଲମ୍ବେଇବାକୁ ବସିଥିଲା । ଗପ ଭିତରେ ଯୋଉ ଗୁଡ଼ିକ ଚଟ୍‌ଚଟ୍‌ ଲାଗୁଥିଲା ଯେଉଁ ଗୁଡ଼ିକ ଲକ୍ଷ କରୁଥିଲା, ଉତ୍ତର ଦେବାକୁ ପାଟି ଖଲ୍‌ଖଲ୍‌ କରି ଆସୁଥିଲେ ବି ତଳ ଉପର ଚାହିଁ ଚୁପ ରହି ଯାଉଥିଲା ।

 

ଝିଅ ଜ୍ଵାଇଁ ପାଇଁ ଦରବ ମିଶା କଥାର ଡଙ୍ଗାଟା ଶୁଣାଶୁଣି କରି, ଦେଖା ଦେଖି କରି, ୟାର ପ୍ରତିକ୍ରିୟା ପୁଅ ବହୁ ଉପରେ କିପରି ପଡ଼ିବ ଚଇତା ସେଇ ଆଡ଼ଟା ଲକ୍ଷ କରୁଥିଲା । ୟା ଆଗରୁ ଶାଶୁ ବୋହୁଙ୍କର ଦବିଲା ଫୁଟିଲା ଇଚ୍ଛାଟାକୁ ଅବଜ୍ଞାଭରା ଆଖିରେ ନଦେଖି, ତାଙ୍କର ସେଇ ଅଲଗା ଚୁଲି, ଅଲଗା ଚାଷ, ଅଲଗା ବାସ କଥାଟା ମନେ ମନେ ବିଚାରକୁ ଆଣୁଥିଲା ।

 

ଚୁଲି, ଚାଷ, ବାସର ଅଲଗା ଅଲଗା ବ୍ୟବସ୍ଥାର ପ୍ରସ୍ତାବରେ ସୁନ୍ଦରୀ ଅବଶ୍ୟ ପାଟି ଫିଟେଇ ନାଇଁ କି ନିଜ ଆଡ଼ୁ ପଦେ ବା ଗଦେ କହି ନାଇଁ ।

 

ସୁନ୍ଦରୀ ଥିବା ଭିତରେ ନବଘନ ଯାହା ବା ଟିକିଏ ଟିକିଏ କଥାବାର୍ତ୍ତା କରୁଥିଲା, ଯିବା ପରେ ବିଲ୍‌କୁଲ୍‌ ଚୁପ୍‌ ହେଇ ଯାଇଚି । ଗୁର୍‌ ଗୁର୍ ହେଉଚି । ରଗ୍‌ ରଗ୍‌ ହେଉଚି । କୋଡ଼ି ପାଇଁ ଯାଉ ଯାଉ ଥରେ ଥରେ ଶାବଳ ଉଠଉଚି । ପାଦ ବଢ଼ଉ ବଢ଼ଉ ପଡ଼ିବା ଅବସ୍ଥାକୁ ଥରେ ଥରେ ଆସି ଯାଉଚି । ପାଚ କରୁ କରୁ ବେଳେ ବେଳେ ଓଲଟା ଦିଗକୁ ବଳୁଚି । ବଇଁଶୀ ଆଡ଼େ ହାତ ଯାଉ ଯାଉ ଫେରି ଆସୁଚି । ବଂଶୀଟି ଓଠ ପାଖକୁ ନେଉ ନେଉ ଥରେ ଥରେ ଫିଙ୍ଗା ଅବସ୍ଥାକୁ ଆସି ଯାଉଚି ।

 

ବାସନା ବିରୁଦ୍ଧରେ ବିଦ୍ରୋହ ଉଠିଲା ବେଳେ, ଅନୁଭବ କରୁଚି କିଏ ଯେମିତି କାହାକୁ ଉପରକୁ ଉଠେଇ ଦେଇ ନିଜକୁ ରସାନ୍ତଳକୁ ଠେଲି ଠେଲ, ପେଲି ପେଲି, ଧକେଇ ଧକେଇ ନଉଚି-!

 

ବଂଶୀ ଛାଡ଼ି ଦେଇଚି । କାମ ବେଳେ ଥରେ ଥରେ କାମ ଛାଡ଼ି ଚାଲି ଆସୁଚି । ହାଡ଼ ଭଙ୍ଗା କାମ କରିବାର କାମନାଟାଏ ଜଗାଇଲେ ବି ଆସୁନାଇଁ । ବେଳେ ବେଳେ ହେତୁ ଶୂନ୍ୟ ଭଳି ମନେ ହେଉଥିବା ବିରକ୍ତି, ବ୍ୟସ୍ତତା, ନୈରାଶ୍ୟ, ଆଶଙ୍କା ସାଙ୍ଗକୁ ସହି ନପାରିବା ଭଳି ଭାବଟାଏ, କହି ନପାରିବା ଭଳି କଥା ଗୁଡ଼ାଏ, ଫିଟି ନପାରୁଥିବା ଭଳି ରାଗଟାଏ ଭିତରେ ଭିତରେ ଦଳି ଚକଟି ହେଉଚି ।

 

ଘରଟା ଗୋଟା ରଙ୍ଗେ ବଦଳେଇ କିପରି ଛାଞ୍ଚରେ ଗଢ଼ିବ, ଅଗଣାରେ ଶୋଇ ଶୋଇ ଭଗାରି ଭାବି ହେଉଥିଲା ସେଇ କଥା । ତା ସାଙ୍ଗେ ସାଙ୍ଗେ ବିଲର ମାଟି ଖୋଳା, ବାଡ଼ିର କୁଅ ଖୋଳା...ଏ ସମ୍ବନ୍ଧୀୟ ଧକ୍‌କାଧକି, ଦଳାଦଳି ବେଳେ ବର୍ତ୍ତମାନର ଅବସ୍ଥାଟା ମଝିରେ ମଝିରେ ଜଳ ଜଳ ଦିଶି ଯାଉଥିଲା ।

 

ନାହିଁ ନାହିଁ ହଉ ହଉ ମଇତିର ଭାଇଠୁ କକା ମାନ୍ୟ ଯାଏ ଯୋଉ କେତେ ଜଣଙ୍କୁ ଋଣ ଦେଇଚି ତା ଭିତରୁ କେତେ ଜଣଙ୍କ ପାଇଁ ଟଣା ଟଣି ଯାଏ ଯିବାକୁ ପଛଉଥିଲା । ଯେତେ ପଛେଇ ରହିବାକୁ ଚେଷ୍ଟା କଲେ ବି ତା ଭିତରୁ ଜଣେ ଦି ଜଣଙ୍କୁ ଉପାୟ ହୀନ ଅବସ୍ଥାରେ ଛାଡ଼ିଥିଲା ।

 

ଦିନ କେତେଟା, ମାସ କେତେଟା ଭିତରେ ନବଘନର କଳ୍ପନା ଗୁଡ଼ିକରେ କଳ୍ପନାର ଜୁଆଣ ପଡ଼ିଲାଣି । କାମ କରିବାର ଇଚ୍ଛା ତ ଦୂରର କଥା କାମନା ବି କଅଁଳୁ ନାଇଁ । ବାସନା ବିରୁଦ୍ଧରେ ବିଦ୍ରୋହ କରିବାର କାମନାଟା ବି ବେଳେ ବେଳେ କୀଟଚରା ଅକାମୀ ଅବସ୍ଥାକୁ ଆସି ଯାଉଚି ।

 

ହଳଧରା, ବୁଣା, ରୁଆ, ବିହୁଡ଼ା...

 

ମାଳଧାନ କଟାକଟି ବେଳ ବି ଆସି ଗଲାଣି । କାମ କରିବାକୁ ବେଳେ ବେଳେ ଉତ୍ସାହର ସହିତ ଆଗେଇ ଆସିଲେ ବି ଉତ୍ସାହ ମରି ମରି ଯାଉଚି । ଅଳସ ହେଇ ବସି ପଡ଼ୁଚି । ବସି ପଡୁ ପଡ଼ୁ ଗଡ଼ି ପଡ଼ୁଚି ।

 

ଏବକୁ ଏବକୁ ପାଖ ଭାଲିଆ ଖାଇ ମୌଜାକୁ ଯାଇ ରାତି ପାହାନ୍ତି ଫେରୁଚି ।

 

ଭାଲିଆ ପଦରକୁ ଗଲା ଦିନରୁ ଚଇତା ଲକ୍ଷ୍ୟ କରୁଚି ।

 

ହଠାତ୍‌ ଦିନେ ନବଘନର ବାଡ଼ି ପାଖ ବଖରାକୁ ପଶିଗଲା ।

 

ଚଇତାକୁ ଦେଖୁ ଦେଖୁ ନବଘନ ତରକି ଚାହିଁଲା ।

 

ପାଦ ଶବ୍ଦ ଶୁଣୁ ଶୁଣୁ ଖଟ ତଳକୁ ଉମ୍ବେଇଟା ଘୁଞ୍ଚେଇ ଦେଇଥିଲା ।

 

ଖଟ ତଳକୁ ଉଙ୍କି ମାରି ଚଇତା ଚିତ୍କାର କରି ଉଠିଲା—ତୁଇ, ତୁଇ ଇଥ୍‌ରେ ପଶ୍‌ଲୁଣ । ଆଁ, ତୁଇ ଇଥରେ ?

 

ନବଘନ ଭାଲିଆ ପଦରରୁ ଫେରିବାବେଳେ ଦୁଇଥର ଚଇତା ହାବୁଡ଼ରେ ପଡ଼ିଥିଲା । ଜେରାରେ ଯୋଉ ଉତ୍ତର ଦେଇଥିଲା ସେଥିରେ ଲେଉଟ୍‌ ପାଉଟ୍‌ ହେଉଥିଲା ଜମିବାଡ଼ି ସମ୍ବନ୍ଧଠୁ ଦେହପା ଯାଏ ।

 

ଭାଲିଆଖାଇ ଟପିଲେ ନିଜ ଗାଁ ଗଡ଼ତିଆର ରହିଲା ଗାଁଟା । ଆଉ ଟିକିଏ ଗଲେ ଜଜମାନୀ ଜଗୁ ଗୁସେଇଁଙ୍କ ଗାଁ । ସେଇ ଗାଁରେ ବି ଚେରୁ ବଇଦ ।

 

ଉତ୍ତରଟାକୁ ଅନେକ ଅଂଶରେ ବିଶ୍ୱାସ କରି ନେଇଥିଲା ଚଇତା । ଥତ୍‌ ମତ୍‌ ବେଳେ ଟିକିଏ କଣେଇଁ ଚାହିଁ ଥିଲା ସିନା, ଆଖି ଦୁଇଟିରେ, ମୁହଁ ପରଦାରେ କରୁଣତା, ନିରୀହତା ଅସହାୟତାର ଆଭାସ ପାଇ ଟୁପ୍‌ଟାପ୍‌ଟା କେତେଦୂର ସତ ସେ ବିଷୟରେ ସନ୍ଦିହାନ ହେଇ ଉଠିଥିଲା ।

 

ଭାଲିଆପଦରକୁ ଲୁଚି ଲୁଚି ଯିବା ଆଗରୁ ଗଲା ଆଷାଢ଼ରେ ଯାଇଥିଲା ଆଉ ଟିକିଏ ଦୂରର ରାଣିବନ୍ଧ ଗଡ଼ତିଆ ଘରକୁ । ସେଇ ଗଡ଼ତିଆଙ୍କ ଖମାରି କାମ ଛାଡ଼ି ପଳେଇ ଥିବାର ଖବର ପାଇଥିଲା । ଖମାରି ଭାବରେ ରଖିବାକୁ ଗଡ଼ତିଏ ନାହିଁ କରି ଦେଇଥିଲେ ।

 

ହଳିଆରୁ ଉଠି ଉଠି ଖମାରି ହେବା କଳ୍ପନାଟିଏ ଆସୁ ଆସୁ, ଆଙ୍କୁ ଆଙ୍କୁ ଫେରି ଆସିଥିଲା ।

 

ନବଘନର ଉଦ୍ଦେଶ୍ୟଟା ଶୁଣି ଚଇତା ବି ମନେ ପକେଇ ଦେଇଥିଲା ବାପ କଥା । ନିଜ ଜମିରେ ମାଟି କରି କରି ମାଟି କାମୁଡ଼ି ରହିଥିବା ଆଗୁଆ ପଛୁଆ ମନ୍ଥର ଗତିଟାରୁ ମରମ ଛୁଇଁଲା ଭଳି କେତେ ଘଟଣା ମନେ ପକେଇ ଦେଇଥିଲା । ତା ପରେ ପରେ ପାଖ ଭାଲିଆପଦରକୁ ଯାଇଚି । ଛିଟା ଟାଣିବା ଗୁଜବ ଶୁଣିଚି । ସତର୍କ କରି ଦେଇଚି ।

 

ଭାଲିଆ ପଦର ନାଁ ଶୁଣିଲେ ଚଇତା ବିରକ୍ତ ହୁଏ । କଞ୍ଚାଠୁଁ ରନ୍ଧାଯାଏଁ, ବଟାଠୁ ଟଣାଯାଏ......ଏ ସବୁରେ ସେ ଗାଁର ଯେପରି ନାଁ ପଡ଼ି ପଡ଼ ଆସୁଚି, ତାର ଜନ୍ମ କେନ୍ଦ୍ରଠୁ ଆରମ୍ଭ କରି ସେ ସବୁଠୁ ବ୍ୟାପୁଥିବା ମୌଜା ଗୁଡ଼ିକୁ ବେଳେ ବେଳେ ଲକ୍ଷ କରେ ।

 

ଖଟ ତଳକୁ ଉଙ୍କି ମାରୁ ମାରୁ ଚଇତା କହିଲା—ତୁଇ, ତୁଇ ଇ ଭିତ୍‌ରେ ପଶ୍‌ଲୁଣ ? ଆଁ, ତୁଇ ସତ୍‌କୁ ସତ୍‌ ଇ ଭିତ୍‌ରେ ପଶ୍‌ଲୁଣ ।

 

ଉମେଇରେ ପରିଣତ କରିଥିବା ମାଠିଆ ମଙ୍ଗ—ମଙ୍ଗର ଓଲଟା ଆଁ ଭିତରୁ ଧୂଆଁ ଉଠୁଥିଲା । ଏଇମାତ୍ର ଛାଲି ପକେଇ ଥିଲା ନିଆଁ ପହଟାଇବା ପାଇଁ । ପୋଡ଼ା କାଳିରେ ପରିଣତ କରି ଦେବାକୁ ମହଜୁଦ ଥିବା ଖଜୁରୀ ପତ୍ର, କୁହୁଡ଼ିପତ୍ର, ପିତଳ ଗିନା, ଚୁଙ୍ଗିନଳ, ରନ୍ଧାରନ୍ଧି, ଛଣାଛଣି, ଟଣାଟଣିର ପ୍ରାୟ ସବୁଟା ସରଞ୍ଜାମ ଖଟ ତଳ ଆଡ଼କୁ ସଜିଲ ହେଇ ରହିଛି ।

 

ସବୁଆଡ଼ୁ ଟିକିଏ ଟିକିଏ ଆଖି ବୁଲେଇ ଆଣୁ ଆଣୁ ଚଇତାର ଗୋଡ଼ ହାତ ଥରୁଥିଲା । ବିସ୍ଫାରିତ ଆଖି ଦୁଇଟା ଆହୁରି ପଲକହୀନ ହେଇ ଆସୁଥିଲା । ବେଶ୍‌ ଯୋର୍‌ରେ କମ୍ପି ଉଠିଥିବା ହାତଟାକୁ ଉଠାଇଲା ।

 

ନବଘନ ଆଡ଼କୁ ଆଗେଇ ଯାଉଥିଲା ।

 

ଯନ୍ତ୍ରଣା ସୂଚକ ଚିତ୍କାର କରି ଚଇତା ଟିକିଏ ନଇଁ ପଡ଼ିଲା ।

 

ଚଇତାର ହାତ ଉଠା ସାଙ୍ଗେ ସାଙ୍ଗେ ନବଘନ ଚୁଙ୍ଗିନଳଟି ଲକ୍ଷ୍ୟ କରିଥିଲା ।

 

କପାଳ ଆଉ କାନର ମଝାମଝି ଫୁଲା ଜାଗା–ଝରିଥିବା ଟିକକ ପୋଛୁ ପୋଛୁ ଯନ୍ତ୍ରଣା ସମ୍ଭାଳି ନେବାକୁ ଚେଷ୍ଟା କରୁଥିଲା ଚଇତା । ବୁଜି ହେଇ ଯାଇଥିବା ଆଖି ଝରିବା ଆଗରୁ ଖୋଲି ସାରିଲାଣି ।

 

ଚଇତା ଆଡ଼େ ଚାହିଁ ନବଘନ ଥରୁଥିଲା । ଗୋଟା ପଣେ ଥରୁଥିଲା । ବଡ଼ ଭାଇ ମଥାରୁ ଝରୁଥିବା ବୁନ୍ଦା କେତେଟା ପୋଛି ଦେବା ପାଇଁ ଭିତରୁ, ଭିତରୁ, ଆହୁରି ଭିତରୁ ତରଙ୍ଗ ଗୁଡ଼ିଏ ଚହଲି ଚହଲି ଆସୁଥିଲେ ବି ପାଦ ବଢ଼େଇ ପାରୁ ନଥିଲା । ଭୂଇଁ ସାଙ୍ଗରେ ପାଦ ଦି’ଟା ଯାଇଚି ଅବା ।

 

ଦ୍ଵାର ବନ୍ଧର ଦର ଆଉଜା ତାଟି—ଆଢ଼ୁଆଳରେ ନିଜକୁ ଅଧା ଛପେଇ ଠିଆ ହେଇଚି ନବଘନର ସ୍ତ୍ରୀ । କଣ କହିବ କହିବ ହେଇ କହିପାରୁ ନାଇଁ । ନବଘନର ନିଆଁ ପହଟା କେତେ ଥର ଦେଖିଲାଣି । ପାଟି ଫିଟେଇ ନାଇଁ । ଏଠିକୁ ବୋହୁ ହେଇ ଆସିଲା ଦିନୁ, ଭାତ ତିଅଣ ପୋଡ଼ାପୋଡ଼ିରେ, କାମବେଳେ ବେଳେ ବେଳେ ଅଳସେଇ ରହିବାରେ, ଘର ଜିନିଷଠୁ ପର ଜିନିଷଯାଏଁ ହଜାନଶାରେ, ନାକରୁ କାନରୁ ଫିଟେଇ ରଖି ପାଶୋରି ଦବାରେ, ଦବାଥୁଇବାର ଦାତ୍ରିକ ପଣିଆରେ, କଇଫିୟତ୍‌ ତଲବ୍‌ ବେଳେ କଥା ନକହି ଚୁପ୍‍ମାରି ରହିବାରେ... ଆଉ ଆଉ ଯୋଉଥରେ ହଉ, ନବଘନଠୁ ଆରମ୍ଭ କରି ପୁଅ ବହୁଠୁ ମାଡ଼ଗାଳି ଖାଇଲେ ବି କାନ୍ଦଟା ଦାଣ୍ଡକୁ ଶୁଭିଚି ବୋଲି ଏଯାଏ ପ୍ରାୟ ଶୁଣା ଯାଇ ନାହିଁ । ଦୁମ୍‌ଦାମ୍‌ଟା ଦୂରକୁ ଶୁଭିଲେ ବି କାନ୍ଦଟା କିପରି ତା ଭିତରେ ଦବି ରହି ଛପିଲା ଛପିଲା ଭଳି ରହିଯାଏ, ତାକୁ ଲକ୍ଷ୍ୟ କରି କେହି କେହି ସମବେଦନା ମିଶା ମତ ଦେଇଚନ୍ତି—ଅକାଟ୍‌ ଖାଇଟା ! କାହିଁ ଲାଗି ଇଠି ରହିଚି କେଜାଣି ଗ ମାଁ !

 

ମୁହାଁ ମୁହିଁ କହି, ତାତିବାର ସ୍ଵରଟିଏ ଶୁଣିବାକୁ ଅପେକ୍ଷା କରି ବି ଶୁଣିନାହାନ୍ତି ।

 

ପହିଲେ ପହିଲେ ଖବର ପାଇ ସେ ଆଡ଼ୁ ଭାଇ କେତେଥର ଡାକି ଆସିଥିଲା । ଟଣା ଟଣି, କୁହାବୁଲାରେ ପଛେ ପଛେ ଲମ୍ବି ଯାଇଥିଲା—ଏ ଆଡ଼ୁ ନେଇଗଲା ବେଳେ ବି ପଛେ ପଛେ ଆସିବାକୁ ଆପତ୍ତି କରିନାଇଁ–ଆପତ୍ତି କରିଥିଲା ଯୋଉ କେତେ ଥର ସେତେବେଳେ ମା ବଞ୍ଚିଥିଲା-

 

ଦେଢ଼ଶୁର ଆଗରେ ଅଧା ଅଧି ଛପି ରହି ଲୁହ ପୋଛୁଥିଲା ନବଘନର ସ୍ତ୍ରୀ ।

 

ମୁହଁ ପୋତି ଠିକ୍‍ ସେମିତି ନିଶ୍ଚଳ ହେଇ ଠିଆ ହୋଇଚି ନବଘନ ।

Unknown

 

ଚଇତା ଚାହୁଁଥିଲା ଏପାଖ ସେପାଖ, ତଳ ଉପର । ବାଡ଼ି ପାଖର ସେଇ ଆଡ଼ଟା—ଚୁପ୍‌ଚାପ୍‌ । ପାରିଆଶ୍ରେଣୀ, ତୁଳିଆଶ୍ରେଣୀ ଇତ୍ୟାଦି କାଟି ଚାଲିଥିବା ଟିକି ଟିକି ଜୀବର ଟୁକ୍‌ ଟୁକ୍‌ ବି ଏ ନୀରବତା ଭିତରେ ବାରି ହେଇ ପଡ଼ୁଥିଲା । ଦାଣ୍ଡଆଡ଼ୁ ଭାସି ଆସୁଥିଲା ପିଲା ଛୁଆଙ୍କର ଖଡ଼୍‌ ଖାଡ଼୍‍, ଖଣର୍‌ ଖଣର୍‌, କେଁ ଭେଁ, ହସାହସି.....ନୀରବତା ଭିତରେ ଏଇ ଶବ୍ଦ ବାରି ହେଇ ପଡ଼ୁଥିଲେ ବି ଉପସ୍ଥିତ ନୀରବତାର ଗୁରୁତ୍ଵ ଭିତରେ ତାର ସତ୍ତା ଅନୁଭବ କରି ହଉ ନଥିଲା ।

 

ଛାଇ ଛାଇଆ କୋଠରୀ ଭିତରଟା ଆହୁରି ନୀରବ । ତାରି ଭିତରେ ପଥର ପରି ଠିଆ ହୋଇଥିବା ନବଘନର ଶିରାଗୁଡ଼ିଏ ଫୁଲି ଫୁଲି ଉଠିଚି । ପ୍ରକାଶିତ, ଅପ୍ରକାଶିତ ଗୁଡ଼ିକର ଦପ୍‌ ଦପ୍‌ ଚଲ୍‌ ଚାଲ୍‌—କାନ ପାଖକୁ ଆସି ପାରୁ ନଥିଲେ ବି ଉପସ୍ଥିତ ତିନୋଟି ଆତ୍ମା ସେ ଭାଷା ଶୁଣିବାକୁ ସେ ଭାଷା ବୁଝିବାକୁ ଅବା ବ୍ୟଗ୍ର ହେଇ ଉଠୁଚନ୍ତି ।

 

ଚଇତା ଚାହିଁଚି ।

 

ପୋକାଖିଆ ଶ୍ରେଣୀରୁ ଝିର୍‌ ଝିର୍‌ ଝରୁଚି । ତାଟି, ଚାଳ, ଝାଟି, ମାଟିର ଫାଙ୍କ ଦେଇ ଝରୁଥିବା ଆଲୁଅର ସରୁ ମୋଟ ସମାନ୍ତର ରେଖାର ଠାଏ ଠାଏ ଆଖପାଖ ଧୂଆଁ ଗୋଲକଧନ୍ଦା ସୃଷ୍ଟି କରୁଚି । ଗୋଲକଧନ୍ଦାର ଅଣୁ ପରମାଣୁ ଭଳି ପୋକଚରା ଗୁଣ୍ଡରୁ ଗୁଡ଼ିଏ ଝିଲ୍‌ମିଲ୍‌ କରୁଚି ।

 

କଥା କହିବାକୁ ଚେଷ୍ଟା କଲା ଚଇତା—ଇ ବଖ୍‌ରାଟା ଏନ୍‌ତି ହେଲାଣ ! ଇ ଖୁଁଟ ଶେଣିରେ ଆଉ କାଇଁଚି କାଇଁଟା ଅଛି ? ପିଲା ଛୁଆ ଘର—କେତ୍‍ବେଳେ କାଇଁଟା ! ଚାଲ୍‌, କାଲି ସକାଳେ ଚାଲ୍‌ ମର୍‌ ସାଁଗ୍‌ରେ ।

 

ନବଘନ ଠିଆ ହେଇଚି । ମୁଁହ ପୋତିଚି ।

 

ଅଳ୍ପ ଟିକିଏ ପାଖେଇ ଆସିଲା ଚଇତା । ଏ ନବ୍‍ଘନ, ଶୁଣୁଚୁକି ନାଇଁ ? ଶୁଣୁଚୁକି ନାଇଁ ମୁଇଁ କାଇଁଟା କହିଲି ? ଆଁ ?

 

ନବଘନର ଆଖି ଚାଲି ଯାଉଥିଲା ଚଇତାର କପାଳ ଆଡ଼େ ।

 

ସେଆଡ଼ୁ ଝରିବାଟା ଶୁଖି ଯାଇଥିଲା ସିନା, ଏ ଆଡ଼ୁ ଝରିବା ଆରମ୍ଭ ହେଉଥିଲା । ସେ ଆଡ଼ୁ ପୋଛି ହେଇ ଯାଇଥିଲା ସିନା ଏ ଆଡ଼ରଟା ପୋଛି ହେବା ପାଇଁ ଆହୁରି ଡେରିଥିଲା ।

 

ଚଇତା ଚାହିଁଥିଲା । କହି ଚାଲିଥିଲା ପରମିଟଠୁ କଟା କଟି ଯାଏଁ । କହିବା ଭିତରେ ନବଘନର ଅଚଳ ଗହ୍ଵର ଭିତରେ ପଶି ଗହ୍ଵରର ଗୁରୁତ୍ଵପୂର୍ଣ୍ଣ ସୂକ୍ଷ୍ମତମ ଅଂଶଟିକୁ ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲା ଅବା ।

 

ଅଲଗା ରାନ୍ଧି ଖାଇବା ପାଇଁ କଜିଆ ଆରମ୍ଭ କରି ଦେଇଚି ସୁଲ । ମାଁ ଘର ହଳିଆ ଯୋଉ ମନସଧ ଭାର ଆଣି ଦେଇଥିଲା ତାକୁ ରଖି ଦେଇଥିଲା ନିଜ ଶୋଇବା କୋଠରୀରେ । ଅହିଲା ଆଡ଼ର ସାନ ସାନ ଟିକି ଟିକି ଦିଅର ନଣନ୍ଦଙ୍କୁ ଯାହା ଦେଇଥିଲା ଅହିଲା ଗୁର୍‌ ଗୁର୍‌ ହେଇ ସେ ଗୁଡ଼ିକ ପିଲାଙ୍କ ହାତରୁ ଛଡ଼େଇ ଆଣିଥିଲା । ଅଳିଆ ଗଦାକୁ ଫିଙ୍ଗି ଦେଇଥିଲା । ବାଡ଼ି ପାଖରେ ଛପି ରହି ଅପେକ୍ଷା କରିଥିବା ଅହିଲାର ବଡ଼ଟି ଭିତରୁ ଲମ୍ବା । ନିଶ୍ୱାସଟାଏ ଝରେଇ ଦେଇ ସୁଲ ନିଜ ସାନ ମଝିଆଁ ହାତରୁ ଛଡ଼େଇ ନେଇ ସାଇତି ଦେଇଥିଲା ।

 

ଅଲଗା ରାନ୍ଧି ଖାଇବାକୁ ଜିଦ୍‌ ଧରିଲାଣି ସୁଲ । ଅକର୍ମ ବାପ ଆଗରେ ହଁ ନାଇଁ କରୁଥିଲେ ବି, ଏଇ ହଁ ନାଇଁ ଭିତରେ ନାଇଁଟା ବେଶୀ ଥର ପୁନରାବୃତ୍ତି ହେଉଥିଲେ ବି, ସ୍ତ୍ରୀର ଜୁଲମଠାରୁ ଜେରା, ତୋଡ଼୍‌ଠାରୁ ତୁ ତା ରେ ରା ପର୍ଯ୍ୟନ୍ତ ଶୁଣି ଶୁଣି ପାତ୍ରପଡ଼ା କୁମ୍ଭାର ଘରୁ ହାଣ୍ଡି ଆଟିକା ଅଧଭାରେ ଆଣି ସାରିଲାଣି ।

 

ଅଲଗା ଖନ୍ଦା ପରେ, ଅଲଗା ଖନ୍ଦା ଆଗରୁ ଯୋଉ ଯୋଉ ଜମି ଗୁଡ଼ିକୁ ନିଜେ ଚଷିବାକୁ ଠିକ୍‌ କରିଚି ବାପକୁ କହିବ କହିବ ହେଇ କହିପାରି ନଥିଲା । ସୁଲର ସିଧା ସିଧା କଥାରେ ସେ ଗୁଡ଼ିକ ପ୍ରକାଶ ପାଇବା ପରେ ନିଜେ ତାର ପୁନରାବୃତ୍ତି କରିଚି ମାତ୍ର ।

 

ଯୋଉ ଜମି ଗୁଡ଼ିକ ସବୁଠୁ ଭଲ ବୋଲି ନବଘନ ଏ ଭିତରେ ଚେତେଇ ଦେଇଥିଲା, ଯୋଉ ଖେତଟା ଭାତ ହାଣ୍ଡି ବୋଲି ତୀର୍ଥ ଜଣେଇ ଦେଇଥିଲା, ସେଥିରୁ କେତେଟା ଏକ ପୁନରାବୃତ୍ତି ଭିତରେ ବରାବର ରହିଥିଲା ।

 

ଖେତ ଗୁଡ଼ିକର ନାଁ ଶୁଣୁ ଶୁଣୁ ଅହିଲା ଦାନ୍ତ କାମୁଡ଼ି ମାଡ଼ି ଆସିଥିଲା ଅକର୍ମ ଆଡ଼େ । ଗାଳି ଭିତରେ ଯେତେ ବିଶେଷଣ, ବକ୍ରୋକ୍ତି, ଅତିଶୟୋକ୍ତି ଇତ୍ୟାଦି ପ୍ରୟୋଗ କରିଥିଲା ତା ଭିତରେ ମାଇଗୁଲିଆ, ମାଇପ ବୁଦ୍ଧିଆ, ଶାଶୁଘର କୁକୁର ସମ୍ବନ୍ଧୀୟ କଥା ଗୁଡ଼ିକ ବଡ଼ ଭାଗ ମାଡ଼ି ବସିଥିଲା ।

 

ଚଇତାର ହଉ ଦେଖିବା, ହଉ ବୁଝିବା ଇତ୍ୟାଦିର ଟଳା ଟଳି ସାଙ୍ଗେ ସାଙ୍ଗେ ପୁଅ ପ୍ରସ୍ତାବରେ କଅଁଳ ଉତ୍ତର ଦେଇଥିବାରୁ ଅହିଲା କଟୁ କଥା ଉଦ୍‍ଗାରିଲା । ତାକୁ କିଛିଟା ହଜମ୍‌ କରିବାକୁ ଚେଷ୍ଟା କରୁଥିବା ଅବସ୍ଥାରେ ଅହିଲା ଆଡ଼କୁ ମାଡ଼ି ଆସିଲା ଚଇତା । କେତେଟା ଆଖିବୁଜା ଦୁମ୍‌ଦାମ୍‌ ପରେ ହଠାତ୍‌ ହାତଟାକୁ ଯୋରକରି ଅଟକେଇ ନେଲା । ଦୁମ୍‌ଦାମ୍‌ ସହିତ ମିଶିଲା ଅହିଲାର ଚିତ୍କାର ।

 

ଚିତ୍କାରଟା ଚଇତାର ଉଠିଲା ହାତକୁ ଆହୁରି ଶିଥିଳ କରି ଦଉଚି ।

 

ଶିଥିଳତା ସାଙ୍ଗେ ସାଙ୍ଗେ ଅହିଲାର ରଣ ଚଣ୍ଡୀ ମୂର୍ତ୍ତି ।

 

ଯେତିକି ଦମ୍ଭରେ ଠିଆ ହେବାକୁ ଚେଷ୍ଟା କରୁଚି ଗୋଡ଼ ଦିଟା ସେତିକି ସେତିକି ଲଡ଼୍‍ ବଡ଼୍‍ ହେଇ ଯାଉଚି ।

 

ଉଷ୍ମ ଆଉ ଶୀତଳତାର ମିଶା ମିଶି ଗୋଳାଗଳି ବେଳେ ଯୋଉ ଧୂଆଁ ଉଠୁଚି ତା’ରି ଭିତରେ ଅଣ ନିଶ୍ଵାସୀ ହେଇ ଯାଇଚି ।

 

ଅହିଲାର ଉଗ୍ର ମୂର୍ତ୍ତିଟା ରାଉ ରାଉ କରୁଚି । ଅହିଲା ଆଡ଼କୁ ହାତ ନେଲା ବେଳେ, ଆତ୍ମ ରକ୍ଷାର ହଲାହଲି ବେଳେ, ବନ୍ଦରିଆର ତୀକ୍ଷ୍‌ଣ ମୁନ ଟିକିଏ ଝରେଇ ଥିଲା । ଦୁମ୍‌ ଦାମ୍‌ କସିଲା ବେଳେ ବି ସେଇ ଝରଟା ଦୃଷ୍ଟିକି ଆସି ନଥିଲା କି ଖିଆଲକୁ ଆସି ନଥିଲା ।

 

ମଝିରେ ଠିଆ ହେବାକୁ ଆଗେଇ ଆସିଥିଲା କମଳୁ । ଚେତେଇ ଦେଲା—ଯା, ଯା, ଉଦା କନାଟେ ବାଁଧ୍‌ ଆଗ, ପଛେ ଯାହା ହଉଥିବ ପଛ୍‌କେ ।

 

ତୁଟୁକା ଖୋଜିବା ପାଇଁ ଆଗେଇ ଯିବାକୁ ପାଦ ବଢ଼ଉଥିବା ବେଳେ ସାବଧାନ କରି ଦେଇଗଲା ଚଇତାକୁ—ଇ ବର୍‌ମ୍‌ ଚଁଡ଼ାଳ ରାଗଟାକୁ ଛାଡ଼୍‌, ଛାଡ଼୍‌ ।

 

ଅହିଲାକୁ ବି ସାବଧାନ କରିବାକୁ ପଦଟେ ପୂରଣ ନ ହେବା ଆଗରୁ ନିଜ ଉପରେ ବାକ୍ୟବାଣ ବର୍ଷିଗଲା । ଅଳ୍ପ ଟିକିଏ ଶୁଣି ନେଇ ହସ ଫୁଟେଇବାକୁ ଚେଷ୍ଟା କଲା ଯେତେ ହେଲେ ତୁଇ ନାତକଣିଟାଲ, ତର୍କଥା ମୁଇଁ ନାଇଁ ଧରେ କି, ଧର୍‍ବି ବଇଲେ ନାଇଁ ଚଳେ ।

 

ସେ ଦିନର ଝଡ଼ ପରେ ଏକୋଇଶିଆ ଡେଇଁ ନଥିବା କଅଁଳା ଛୁଆଟିକୁ ଛାଡ଼ି ଅହିଲା ଚାଲିଗଲା ମାଁ ଘରକୁ । ଯିବା ଆଗରୁ ଯେ ଯିବା ଯାଏଁ ଚଇତାକୁ ବୁଡ଼େଇ ଦେଉଥିଲା ସଂପରେ । ବାଡ଼ି, ମଡ଼କ, ବଡ଼୍‍ରୁଗ ଇତ୍ୟାଦିର ମାଧ୍ୟମରେ ନିଜକୁ ବିଧବା ବନେଇ ଦବାର ବର୍ଣ୍ଣନାଟାଏ ଉଦ୍‍ଗାରି ଦେବା ବେଳେ, ସଂପର ସୁଅ ଭିତରେ ଝାଂପ ମାରିଲା ଭଳି ଲମ୍ଫ ମାରିଲା ଭଳି ଅବସ୍ଥାରେ ଥିବା ବେଳେ ଆହୁରି ଆହୁରି ଗରମ ଝର ବର୍ଷି ଦେଇ ଯାଇଥିଲା ।

 

ବର୍ଷାର ବେଶ୍‌ ଟିକିଏ ଟିକିଏ ଛଟିକା ବାଜିଥିଲା ପ୍ରକାଶ୍ୟ ଭାବରେ ଚଇତା ପକ୍ଷ ସମର୍ଥନ କରୁଥିବା କେତେ ଜଣଙ୍କ ଉପରେ ।

 

ଅହିଲାର ଦାବୀ ଆଉ ଯୁକ୍ତିକୁ ସମର୍ଥନ କରି ପଦେ ଅଧେ କହିଥିବାଙ୍କ ଉପରେ ବି ସେଇ ଛିଞ୍ଚାରୁ ଟୋପାଏ ଟୋପାଏ ପଡ଼ି ଯାଉଥିଲା । ସେମାନେ ବିସ୍ମିତ ହୋଇ ଅହିଲା ଆଡ଼େ ଚାହୁଁଥିଲେ—ବିସ୍ମୟର କାରଣଟା ବୁଝିବାଭଳି ଅବସ୍ଥାରେ ଅହିଲା ନଥିଲା ।

 

ଅହିଲାକୁ ଅଟକେଇ ରଖିଥିବାଙ୍କୁ ଚଇତା କହୁଥିଲା—ଛାଡ଼ ଛାଡ଼, ଛାଡ଼ିଦିଅ ହେଟାକୁ । ଯାଉ, ଯାଉ ହେ ଡାହାଣିଟା; ଯାଉ ହେ ଛୁଆଖାଇ ଡାହାଣୀଟା ଯାଉ, ଯାଉ, ଯାଉ ଯାଉ କେନ୍ଆଡ଼େ ଯାଉଚି, ଯାଉ ।

 

ପୁଅ ଏକୁଇଶିଆ ଦିନ ଧୁବ୍‍ଲି ଛୁଆର ବି ଏକୋଇଶିଆ । ଅହିଲା ନାଇଁ । ନବଘନର ସ୍ତ୍ରୀ କଅଁଳା ଛୁଆଟିକୁ ନିଜଠୁ ପିଏଇବାରେ ବିଫଳ ହେଉଚି । ପାରନାନୀ, ରାଧିମାଉସୀ ଆଦି ବି ନିଜ ନିଜ ଆଡ଼ୁ ଚେଷ୍ଟା ଚଳେଇଚନ୍ତି ।

 

ଏକୋଇଶିଆ ଯୋଗାଡ଼ରେ ଲାଗିଚି ନବଘନର ସ୍ତ୍ରୀ । କୁସୁମା ସୁଲ ସାଙ୍ଗରେ ଅହିଲା ବିଷୟ ନେଇ ଟୁପ୍‍ ଟାପ୍‍ ହଉ ହଉ ଜଜମାନିଆ ଗୁସେଇଁ ଟୋକାଙ୍କର ରୋଷେଇ ସରଞ୍ଜାମ ଯୋଗାଡ଼ କରୁଚି ।

 

ଗୋସେଇଁ ଟୋକା ଗାଧୁଆ ପାଧୁଆ ଶେଷକରି ଆସିଚନ୍ତି ବାଟ ନାଳରେ । ଦାଣ୍ଡପାଖ ବଖରାରେ ଲୁଗା ବଦଳା, ଫିରେଇ କଟା, ଚିତାଚଇତନରେ ଲାଗିଯାଇଚନ୍ତି ।

 

କାମ ନସରିବା ଯାଏଁ କାମିଜ ଖଣ୍ଡକ କୌଣସି କାମରେ ଆସିବ ନାଇଁ । ସେ ଖଣ୍ଡକ ଅଲଗା ରହିଚି ।

 

ଧୁବ୍‌ଲିଠୁ ଟୋପାଏ ଦୁହିଁବା ପାଇଁ ଚଇତା ଲାଗି ଯାଇଚି । ଧୁବ୍‌ଲିର କାଣ୍ଡରେ ଗୁହାଳ ଭିତରେ ଭୀଡ଼ ଜମିଲାଣି । ଏଇ ପହିଲି ଟୋପାକ ଦୁଇଭାଗ କରି ଗାଁ ପୀଢ଼ ଆଉ ଚାରି ପାଞ୍ଚକୋଶ ଦୂରରେ ଥିବା ରଥି ପଦର ମନ୍ଦିରରେ ଢାଳିବାକୁ ଠିକ୍‍କରିଚି । ରଥି ପଦର ମହାଦେବ ଥପା ନ ହୋଇ, ଉଭାଲିଙ୍ଗ ହିସାବରେ ନାଁ ଥିବାରୁ, ସେଇ ଦେବତାଙ୍କୁ ଯେତେ ବଡ଼ ବୋଲି ଭାବିଥିଲେ ବି, ପହିଲେ ଗାଁ ପୀଢ଼ ଦେବତାଙ୍କୁ ସୁମରଣାକରି ଚିରରେ ହାତ ମାରିଥିଲା । ଚଇତାର ପହିଲି ପଦକ୍ଷେପରେ ଧୂବଲିର ସଁ ସାଁ ଆରମ୍ଭ ହେଇ ଯାଇଚି । ଛନ୍ଦଣିଟା ଆଖିରେ ପଡ଼ିଲା ମାତ୍ରେ ଗୋଡ଼ ଛାଟୁଚି ।

 

ଯେତେଟା ଅବନ୍ଧା ଅଛନ୍ଦା ଓଲେଇଙ୍କି ଠିକ୍‌ ବାଟରେ ଆଣିବାକୁ କ୍ଷମ ହେଇଚି ସେଇମାନଙ୍କୁ ପାସଙ୍ଗରେ ଧୁବ୍‌ଲି ପଡ଼ିବ କି ନାଇଁ ସେଇ କଥା ବି ଭାବୁଚି ।

 

ଚଇତା ହଟିଲା ପରେ ପଛକୁ ପଛ ଆହୁରି ବାହାରିଲେଣି ।

 

ସେଇ ଆଡ଼େ ଅନେଇ ଅନେଇ ଭାବି ହଉଥିଲାବେଳେ ଶୁଣିବାକୁ ପାଇଲା ବଙ୍କା ସିଙ୍ଗିଆ ଫେରିନାଇଁ ।

 

ନବଘନର ବଙ୍କାସିଙ୍ଗିଆ ଫେରିନାଇଁ । ଦୁଇ ଦିନ ଖୋଜିବା ପରେ ବି ପତା ନ ମିଳିବାରୁ କିଏ କହୁଚି, ବାଘରେ ଗଲାଣି, କିଏ କହୁଚି ସାପରେ ଗଲାଣି, କିଏ କହୁଚି ବଳଦ ଚୋର କବଳରେ ବର୍ତ୍ତମାନ ସୁଦ୍ଧା, ବିକା ଭଙ୍ଗାଆଡ଼େ ଯାଇ ନଥିବ ।

 

ବଙ୍କାସିଙ୍ଗିଆ ପାଇଁ ବିବ୍ରତ ହୋଇ ଉଠିଚି ନବଘନ ।

 

ବଙ୍କାସିଙ୍ଗିଆ ପାଇଁ ବିବ୍ରତ ହୋଇ ଉଠିଥିଲା ନବଘନ । ପରବର୍ଷ ଜେଷ୍ଠ ପୂର୍ଣ୍ଣିମାର ଠିକ୍‌ ବାସିଦିନ ଭଙ୍ଗାସିଙ୍ଗିଆ ବି ଯେତେବେଳେ ହଜିଲା ନବଘନକୁ ସେତେ ବିବ୍ରତ ହେବାର ଦେଖାଗଲା ନାଇଁ । ଘରୁ ବାହାରିବାକୁ ତର ତର ହେଉଥିଲା । ଖୋଜି ଆଣିବାକୁ ପଦେ କହି ଦେଇ ଘରୁ ବାହାରି ପଡ଼ିଲା । ଯିବାକୁ ହେବ ଏ ଅଞ୍ଚଳର ଭୂତପୂର୍ବ ପଟାଦାର୍‍ ପାଖକୁ । ସେଠୁ ନହେଲେ କୁଟ୍ରା ପାଲିର ଯଦୁରଥଙ୍କ ସ୍ତ୍ରୀ—ତା ନହେଲେ ସେଇ ଗାଁର ମଧୁ ମିଶ୍ରଙ୍କ ମାଉସୀ । ତା ପରେ ଆଉ କୋଉଠୁ କୋଉଠୁ ମିଳିବ ସେଇଟା ବାଟରେ ବଳେ ଖବର ମିଳିବ ବୋଲି ଧରି ନେଇଚି ।

 

ସକାଳ ପାହିଲେ ପହିଲି ଆଷାଢ଼ । ପହିଲି ଆଷାଢ଼ରେ ଭଙ୍ଗା ସିଙ୍ଗିଆ ହଜିଲା । ନବଘନର ମନଟା ଏ ଆଡ଼େ ନ ଥିବାର ଦେଖି ଚଇତା ଚିନ୍ତିତ ହେଇ ଉଠିଲା । ଉପାୟ ଖୋଜି ପାଉ ନଥିଲା ।

 

ଘରେ ପଶି ଚୁଙ୍ଗି, ଖପରା ଥରକୁ ଦିଥର ଭାଙ୍ଗିଲାଣି । ପୁଣି ଚୋରେଇବ । ପୁଣି ଗଜେଇଚି । ପୁଣି ଶାଖା ମେଲିଚି ।

 

ନବଘନ ବି ଥରେ ଚଇତା ଆଗରେ ପ୍ରତିଜ୍ଞା କଲା ଭଳି ଭାଙ୍ଗି ଭୁଙ୍ଗି ଫିଙ୍ଗି ଦେଇଥିଲା । ଦିନ କେତେଟା ପରେ ସେଇ ଭଙ୍ଗାରୁ ପୁଣି ଦେଖିବାକୁ ମିଳିଥିଲା—ଦେଖିବାକୁ ମିଳିଥିଲା ନବଘନର ସେଇ ଟୁଙ୍ଗିରେ ।

 

ଲୁଚାଛପାଟା ବନ୍ଦକରି ପ୍ରକାଶ୍ୟରେ ନିଜ ଘରେ ରନ୍ଧା ପାଗ ଆରମ୍ଭ କରି ଦେଇଚି ନବଘନ । ନିଜ ଗାଁର ଜଣେ ବି ସାଙ୍ଗରେ ଜୁଟିଚି । ଆଉ ଜଣେ ଅଧେ ବି ବେଳେ ବେଳେ ମୁହଁ ମାରି ଗଲେଣି । ଏଣୁ ଏଣିକି ଖୋଲା ଖୋଲି ଭାବରେ କଇଫିଅତ୍‍ ଦେଲାଣି—ନାଇଁ ଖାଇଲେ ନାଇଁ ଚଳିପାରେ ଆଉ ।

 

କଇଫିଅତ୍‍ଟାକୁ ବେଳେ ବେଳେ କାରୁଣ୍ୟ ଆଡ଼େ ଟାଣିନେବାର ଚେଷ୍ଟାକରି ସେଥିରେ ଜଣେଇ ଦଉଚି, ନ ଖାଇଲେ ଯୋଉ ରୋଗ ଧରିବ ସେଥିରେ ବସିରହିବା ଅସମ୍ଭବ । ବଞ୍ଚିଲେ ବି କଷ୍ଟ ସହିବା ସମ୍ଭବ ନୁହେଁ । ରୋଗବାଗ, ପେଟଟଣା, ଶରୀର ପୀଡ଼ା, ତରଳଝାଡ଼ା, ମୋଡ଼ାଭୀଡ଼ା...ଛାଡ଼ିଦେଲେ ଏ ଭିତରୁ ଯୋଉଥିରେ ହେଲେ ଜୀବଟା ଠକ୍‍କରି ଚାଲିଯିବ ବୋଲି ଜଣାଇ ଦେଲାଣି ।

 

ଝିଅ ବାହାଘର ପାଇଁ ଝିଅ ଯୋଇଁଙ୍କୁ ନବାକୁ ଏ ଭିତରେ ଭଗାରି ଆସିଥିଲା । ଗଣେଶ ବାବୁଙ୍କଠୁ ନିଶା ନିବାରଣ ସମ୍ବନ୍ଧୀୟ ଯାହା ଶୁଣିଥିଲା ସେଥିରୁ ଯୋଉ ପଦେ ଅଧେ ମନେଥିଲା ଥାକ ମାରି ମାରି କହିଗଲା ।

 

ବେଶ୍‌ ଟିକିଏ ଶୁଣାଶୁଣି କରି ନବଘନ କହିଥିଲା—ମୁଇଁ ଜାଣୁଚି ଗ ସମାଧି, ଯେନ୍‌ ଯେନ୍‌ ରାକ କହିଲ ତା’ଠୁ ବେଶୀ ଜାଣ୍‍ଲିଣ । ଜାଣୁ ଚେଁ ମୁଇଁ, ପଜରା ଦୁହଲେଇ ଦବ, କଲଜା ଘର କର୍ଦବ । ସବୁ ଜାଣ୍‌ଲେ ହେଲେ କାଇଁଟା କର୍ବି ? ଖାଇଲା ଦିନୁ ମନ୍‌ଟା ତ କେନ୍ତି ପାତ୍‌ଳା ଧରିଗଲାଣ !

 

ଭଙ୍ଗାସିଙ୍ଗିଆ ଫେରିଲା ନାଇଁ । ନଗଦ୍‌ ହଜିଚି । ଡେରିକଲେ ଚଳିବ ନାଇଁ । ଭିନେ ହେଲାଙ୍କୁ ବାଦ୍ ଦେଇ ନବଘନର ଯୋଉ ପାରିଲା ଯୋଡ଼ିକ ପାଖରେ, ସେଥିରୁ ଗୋଟିଏ ପାଳି ଜରରେ । ଆଉ ଗୋଟିଏ ଗୁଁ ଗାଁ ।

 

ଭଙ୍ଗା ହଉ, ଫଟା ହଉ, ତୁଟା ହଉ, ଛୋଟା ହଉ, ବୁଢ଼ା ହଉ, ହଡ଼ା ହଉ... ଏ ଦିଗରେ ବାପର ବଳ ଭାଙ୍ଗି ଭାଙ୍ଗି ଯାଉଥିବାରୁ ବିଶେଷତଃ ଏଇ ଭଙ୍ଗାସିଙ୍ଗିଆ ପରେ ପରେ ବଡ଼ ପୁଅ ବାପ ଜମିରେ ଜବର୍‍ଦସ୍ତ ହଳ ପୂରେଇବାକୁ ଆଜି ପ୍ରସ୍ତୁତ ହେଲାଣି ।

 

ଯୋଉ ଭିନ୍ନେ ଗୋଟିକ ଖୋଜିବାକୁ ବ୍ୟଗ୍ର ହେଲାଣି ପହିଲି ବର୍ଷାରେ ନିଜ ବାସଖଣ୍ଡିକ ଟଳି ପଡ଼ିବା ଅବସ୍ଥା ଆଡ଼କୁ ଚାହିଁ ଏ ପାଖ ସେ ପାଖ ଟିକିଏ ଆଖି ବୁଲେଲ ଥିଲା ସିନା ଆଉ ଆଗକୁ ଯାଇପାରି ନାଇଁ ।

 

ନବଘନ ଫେରିନାଇଁ । ସବୁ ଆଡ଼କୁ ଭାବି ଗୁଁଗାଁଟିକୁ ସାଙ୍ଗରେ ନେଇ ନିଜେ ବାହାରିବାକୁ ଠିକ୍‌ କଲାଣି ଚଇତା ।

 

ବାହାରି ପାରୁନାଇଁ ।

 

ହଡ଼ାଟି ଯିବା ଯିବା ଉପରେ । ପଡ଼ି ଯିବାରେ ଧକ୍କା ଖାଇ ପିଠିରୁ ଛାଲ ଉଠିଥିଲା–ଆଜି ସକାଳୁ ଲାଗିଲାଣି କାଉଟାଏ ।

ଜଗୁ ଜଗୁ ବି ପୁଳାଏ ପୁଳାଏ ଟାଣିନେଲା ବେଳେ ଚଇତା ଭିତରଟା ଚଲ୍‌ଚଲ୍‌ କରୁଚି ।

ଏଇ ଚାଲିଗଲା ହଡାଟି ।

ହଡ଼ା ସହିତ ଜଡ଼ିତ ଥିବା କେତେ ସ୍ମୃତି କାରୁଣ୍ୟ ଭିତର ଦେଇ ଝରିପଡ଼ିଲା ।

ଯୋଉ ଗୋଟିକ ଗୁଁ ଗାଁ ହଉଥିଲା ବଳଦ ଖୋଜିବାକୁ ତାର ମନ ନଥିଲା ।

ମଧ୍ୟପୁରର ଜଣାଶୁଣା ସଂକୀର୍ତ୍ତନ ଦଳର ନାଁ କରା ମଧୁ ପଲେଇକୁ ମାତ୍ର ଦୁଇ ଦିନ ପାଇଁ ଡାକି ଆଣିଥିଲେ ଗାଁ ବାଲେ । ଛିଣ୍ଡିଥିବା ପରିମାଣଟି ଲୋଭରେ ମଧୁ ପଲେଇ ଅଟକୁ ଅଟକୁ ଅଟକି ଯାଇଥିଲେ ବି ବର୍ଷା ପଡ଼ିବାରୁ ତରତର ହେଲାଣି—ଆଉ ଦିନେ ବା ଦୁଇଦିନ । ଦାଉଁଆଁ ପଟେ, ଚାଉଁଆଁ ପଟେ ଯେତେ ଦଖଲ୍‌ ହାସଲ କରିଚି, ପଲେଇ ହାତକୁ ଚାହିଁଲା ବେଳକୁ ଶେଷ ପର୍ଯ୍ୟନ୍ତ ମନ ମାନିନାଇଁ ।

ସାନ ଆଡ଼ର ସେଇ ମଝିଆଁଟିକୁ କୌଣସି ପ୍ରକାରେ ମଙ୍ଗେଇ ନେଇ ବାହାରି ପଡ଼ିଲା ।

ଯୁଡ଼, ନାଲ, ଢିପ, ଟାଙ୍ଗର, ମୁଣ୍ଡିଆ, ପାବ୍‍ଲି, ବଣ, ଲଟା, ଲଟି, ବାଟ, ଅବାଟ...ଭେଟା ଭେଟିରେ ପଚରା ଉଚରା କରି, ଗାଁ ଗୁହାଳରେ ଗୋଠମାନଙ୍କରେ ଡଙ୍ଗାଡ଼ୁଙ୍ଗି କରି, ଆଉ ଆଉ ଅଟକି ଥିବାଭଳି ଅଟକେଇ ଥିବାଭଳି ଜାଗା ନିକିଟ ନିକିଟି ଆଗେଇ ଚାଲିଚନ୍ତି ଦୁଇଜଣ ।

ଜହ୍ନରାତିରେ ବାଘକୁ ବଳଦ ଭ୍ରମ କରିବା ପରିବର୍ତ୍ତେ ବଳଦଟାକୁ ଦେଖି ବାଘ ଭ୍ରମ ଆସିଥିବା ଯୋଗୁ ଟିକିଏ ଲଜ୍ଜା ପ୍ରକାଶ କରିବା ସାଙ୍ଗେ ସାଙ୍ଗେ ବେନୁ ମୁଣ୍ଡା ବଳଦଟିକୁ ଯେପରି ବର୍ଣ୍ଣନା କରି ଚାଲିଚି ପଇତାର ମୁହଁ ଉଜଳି—ଆଁ, ଡେବ୍‌ରି ପାଖ୍‌ଟା ଆଗ୍‌କୁ ମୁଡ଼ି ହେଇଥିଲା ? ଭୁଜ୍‌ନି ପାଖ ଭଁଗା ତ ? ଜଁଘେଯାକ ହବା ତ ? ଚାଲ୍‌ଲା ବେଳେ ପଛ୍‌ଗୁଡ଼ ଯୁଡ଼ାକ ବାଜୁଥିଲା ତ ?

ବାଟ ଭାଙ୍ଗୁ ଭାଙ୍ଗୁ ବେନୁ ମୁଣ୍ଡା କହିଲା—ଏତେ କଥା ଆମେ ନାଇଁ ଜାଣୁ । ତମର୍ ସିନା ସେ ଆଡ଼େ ନିଘା । ମୁଇଁ ବଳ୍‌ଦ ବଇଲେ ବଳ୍‌ଦ ଜାଣେ ।

ବେନୁ ମୁଣ୍ଡାର ବର୍ଣ୍ଣନା ଅନୁସାରେ ମାଉଳ ମୁଣ୍ଡିଆ ଆଡ଼େ ଆଗେଇ ଗଲେ ଦୁଇଜଣ । ମଣ୍ଡାପୁର ନାଳ ପାଖରେ ପହଞ୍ଚିଲା ବେଳକୁ ମୁଣ୍ଡ ଉପରେ ବେଳ ।

ଚଇତା ଚାହିଁଲା ଆକାଶକୁ । ଲଗାଲଗି ଗଛ ଶିଖ ଫାଙ୍କ ଦେଇ ଆକାଶଟା ଖଣ୍ଡକୁ ଖଣ୍ଡ ଛିଣ୍ଡି ପଡ଼ିଲା ଭଳି, ଫାଟିପଡ଼ିଲା ଭଳି ଦିଶୁଚି ।

ମୁଣ୍ଡ ଉପରେ ବେଳ ।

ମଣ୍ଡାପୁର ନାଳରେ ଦୁଇ ଜଣ ହାଲିଆ ମାରିଲେ । ପଖାଳ ଖାଇଲେ ।

ଆଉ ଟିକିଏ ଆଗେଇଯିବା ପରେ ପନ୍ଥେଇ ଦେବତାଙ୍କ ପଥର ଗଦା ।

ପଥର ଗଦାରୁ ମୁଣ୍ଡ ଟେକିଚନ୍ତି ପନ୍ଥେଇ । ହାଲ୍ ହଇରାଣର ଗୁହାରିଟା ବେଶୀ ପରିମାଣରେ ଶୁଣଉ ଶୁଣଉ, ବାଟ ବତେଇ ଦବାକୁ ଜଣଉ ଜଣଉ ଦୁହେଁ ଦୁଇଟି ପଥର ଫିଙ୍ଗିଲେ ଗଦା ଉପରକୁ ।

 

ବଡ଼ ହଳିଆ ସ୍ତ୍ରୀର କଥାଗୁଡ଼ିକ ଶୁଣିଯାଉଥିଲେ ବି ସୁନ୍ଦରୀ ମନଟା ଥିଲା ଖଳା ଆଡ଼େ, ବଣିଆ ଶାଳ ଆଡ଼େ ।

 

ଦାଣ୍ଡ ପାଖ ଆଟୁ ଦୁଇ ବଖରାରେ ମାଟି ଲେପୁଥିବା ମୂଲିଆଣିଙ୍କୁ କର୍ମଚଞ୍ଚଳ କରି ଦେବା ପାଇଁ ଆଗେଇ ଗଲା ବେଳେ ଗାଁ ଭିତରୁ ଭାସି ଆସୁଥିବା ବଣିଆର ଠକ୍‌ ଠାକ୍‍ କାନରେ ବାଜୁଚି ।

 

ଭୁତିଧାନ ପାଇଁ ପଛେ ପଛେ ହଉଥିବାଟି ତା ଦୁଃଖ ଗାଇ ଚାଲିଥିଲା—କାଇଁଟା ଆଉ କର୍‍ବି ଗ ସାଉଆଣି, ଚାଁଦଟି ପୁନି ପରାଟାରେ ତ ଚାଲିଗଲା ! ହେଲେ ନାଇ ନିଁଦ୍‍ବାକୁ ତାକୁ । ଦେଇଥିଲା—ଏଦି ଇ ଗୁଣାଟିକ କାର୍‍ଲାଗି ଯେ ? ଇ ନୁଳିଟା, ଇ ମୁଦିଟା, ଇ ବିଛୁଆଟା....

 

ନୋଳି, ଗୁଣା ଇତ୍ୟାଦି ଶୁଣୁ ଶୁଣୁ ଗପ ଲମ୍ବେଇଥିବା ମୁଲିଆଣି ଆଡ଼େ ଆଗେଇ ଯାଉଥିବା ପାଦ ବଣିଆ ଶାଳ ଆଡ଼େ ଆଗେଇ ଗଲା । ଝଲକା ପଟେ ଗୋଟେ କାନରେ ଝଲ୍ ଝଲ୍‌ କଲେ ବି ଆର କାନଟା ଗଢ଼ା ସରିନାଇଁ । ଶିଙ୍କୁଳି ଲଗା ଗଣ୍ଠିଆଟା ବର୍ତ୍ତମାନ ପାଇଁ ସମ୍ଭବ ଦେଖନାଇଁ । ଅନ୍ତତଃ ପକ୍ଷରେ ଖାଲି ଗଣ୍ଠିଆ ଗଡ଼େଇବାର ପ୍ରସ୍ତାବ ନେଇ ବଣିଆ ପାଖରେ ବସି କେତେ ଗପ ଲମ୍ବେଇ ଦେଲାଣି ।

 

ଗଢ଼ାଗଢ଼ି, କିଣାକିଣି ହେଇପାରିନଥିବା ଅସନ୍ତୋଷଟା ଜାଗି ଉଠିଲା ବେଳେ ହେଇ ପାରିଥିବା ଉଲ୍ଲାସର ଉଚ୍ଛ୍ଵାସଟାକୁ ଉଛୁଳା ଅବସ୍ଥାରୁ ମୁକୁଳା ଆଡ଼େ ଟାଣି ନଉଚି ।

 

ଉଲ୍ଲାସ ଆଉ ଉତ୍କଣ୍ଠାର ମଝାମଝି ବେଳେ ଖବର ପାଇଲା ଶାଶୁ ଘରୁ ସେଆଡ଼ୁ ସେଆଡ଼ୁ କାଳିଆ ବୁଲି ଯାଇଥିଲା ଅଇଁଠା ଘରକୁ । ଠିକ୍ ସେଇ ଦିନ ଅଇଁଠାକୁ ମାଡ଼ ମାରିଥିଲା ତା ବର । ଅଇଁଠା ଦେହରେ ଦାଗ ଦେଖୁ ଦେଖୁ ଅଇଁଠା ବରକୁ ମାଡ଼ ମାରିଚି କାଳିଆ । ମାଡ଼ ମାରି ସାରି ଭଉଣୀକୁ ଏଆଡ଼େ ଆଣି ଛାଡ଼ୁଥିଲା ।

 

ଦୁଇ ମାସ ଭରଣା ହେଇ ନଥିବା କଅଁଳା ଛୁଆକୁ ଛାଡ଼ି ଭାଇ ସାଙ୍ଗରେ ଚାଲିଆସୁଥିଲା ଅଇଁଠା ।

 

ଡଙ୍ଗା ଘାଟରେ ବାଧାଦେଲା ଗାଁ ଗଡ଼ତିଆ । ଆଉ ଯୋଡ଼ିକ ନ ହେଉ ପଛକେ କଅଁଳାଟିକୁ ନ ଆଣିଲେ ଡଙ୍ଗାରେ ପାରି କରିବାକୁ ଅମଙ୍ଗ ହେଇଥିଲା । ବେଶୀ ବଳା ବଳିରେ ବୁଝେଇ ଥିଲା–ମୁଇଁ ହେଲେ କାଇଁଟା କର୍‍ବି କହ ? ଧର୍ମ ଡଁଗାରେ ତ ଏତେ ବଇଚନ୍, ପଚାର୍‍—କଇଁଟା ଯଦି ହେଇଯାଏ ଇ ପାପ କାହାକୁ ଲାଗ୍‍ବା ପଚାର୍ । ମୁଇଁ ହେଲି ଗଡ଼୍‌ତିଆ, ମୁଇଁ ହେଲି ଘାଟିଆ, ଇଠି ମୁଇଁ ତ ହେଲି ସବୁ । ଶିଶୁ ଦୁଷ କାହାକୁ ଲାଗ୍‌ବ କହ ? କହ, ତମର୍ ଆଡ଼ୁ ପଦେ କହ ତ ।

 

ଚାଉଳରେ ବାଲି ଗୋଡ଼ି ମିଶେଇ, ବତୁରେଇ, ବାଲି ଗୁଡ଼ରେ ବାଲି ଯୋଗକରି ବିକାବିକି କରିବାରେ ଜଣା ଶୁଣା ରାଧି ମାଉସୀ ଏ ବାଟ ଦେଇ ଗଲା ବେଳେ ଏ ଖବର ଦେଇ ଯାଇଚି । ସାନ୍ତ୍ଵନା ବି ଶୁଣେଇଦେଇ ଯାଇଚି—ଲହକାଣି ତ କେନ୍‍ଠି ନାଇନ । ମତେ ଲାଗୁଚି ଉପର ଘାଟ୍‍ରେ ହଉ, ତଳ ଘାଟ୍‍ରେ ହଉ ଯେନ୍‍ ଘାଟ୍‍ରେ ହେଲେ ତାର ପାରି ହେଇ କିରି ଆଇବେ । ନାଇଁ କାଁଦ୍‍ ନାଇଁ କାଁଦ୍, ଏ ହନ୍ତାର ମାଁ, ନାଇଁ କାଁଦ । ହେ ଗଡ଼ତିଆ ଲେଖା ସଭିଏ ହେଇଚନ୍ କାଁ ? ଘାଟ ନେଲା ଯେ ଇଁଦ୍ର ହେଲା କାଁ ? ଲାଟ୍ ହେଲା କାଁ ! ଛି, ଛି, ଏନ୍ତି ମାର୍ସନ୍ ହେଲେ ! ଇ ଆଖିରେ ଦେଖିଚିଁ ଗ ହଁତାର, ଠାଣେ ଅଠାଣେ ଯେନ୍‍ଠି ପାର୍‍ଚି ମାରଚି । ଜାନ୍‌ଲ ଗ ହଁତାର୍ ମା, ମର୍‍ ଝିଅକୁ ସେନ୍ତି କୁର୍‍କୁଟି କରି ମାରିପକେଇଲେ ଯେ......

 

ଅଇଁଠା ପହଞ୍ଚୁ ପହଞ୍ଚୁ ଶୁଣେଇ ଦେଲାଣି ସେଠିକୁ ଆଉ ଯିବନାଇଁ । ଜାତି ମାଲିକଠି କଥା ପକେଇ ମାଲିକ ଆଗରେ ଲାଖ ଚୁଡ଼ି ଫେରେଇ ଦେବାର ସଂକଳ୍ପଟା ବି ଜଣେଇ ଦେଲାଣି । ଆହୁରି ସାବଧାନ କରି ଦେଲାଣି, ବାପ ମା ଏ ଆପତ୍ତି ନ ଶୁଣିଲେ କନିଅର ବଟା ଖାଇଦବ ପଛକେ ସେଠିକାର କଳିଆଣି ଜା’ପାଖରେ ଚଳିପାରିବ ନାଇଁ ।

 

ଅଇଁଠା ଆସି ପହଞ୍ଚିଥିଲା ବୁଧବାର । ଆରଦିନ ଛାଇ ଲେଉଟା ବେଳେ ଖବର ମିଳିଥିଲା ନେଉଳର ଝିଅ ହେଇଚି । ବନ୍ଦାପନା ଘରଠୁ ତିନି ଚାରି ବର୍ଷର ଏଇ ବଡ଼ ବ୍ୟବଧାନଟାଏ ବିତେଇ ନେଉଳିର ପୁଅ ହେଇଥିବାରୁ, ପହିଲି ନାତିପାଇଁ ଯାହା ହେଉନା କାହିଁକି, ନେଉଳିକୁ ଅପଳନ୍ତ ଆଖ୍ୟା ଦେଇଆସୁଥିବାଙ୍କର ମୁହଁ ବନ୍ଦ ହେଇ ଯାଇଥିବାର ଦେଖି ସୁନ୍ଦରୀର ଆନନ୍ଦ ମାତ୍ରାଟା ବଢ଼ି ଯାଇଚି ।

 

ନାତି ଦେଖି ଯିବାକୁ ଠିକ୍‌ କଲାଣି ।

 

ପହିଲି ପାଳି ଆସିବା ପରେ ନେଉଳି ଆଉ ମାତ୍ର ଥରଟିଏ ବର ସାଙ୍ଗରେ ଆସିଥିଲା–ଆସି ବି ମାତ୍ର ଯୋଡ଼ିଏ ଦିନ ରହି ଚାଲି ଯାଇଥିଲା ।

 

ସୁନ୍ଦରୀ ସଫା ସଫା ଶୁଣେଇ ଦେଇଥିଲା ଚାର୍ ଦିନ ଲାଗି କିଏ ଖଁଡେ ଦବ, ବୁଝେ ଦବ ?

 

ଅହିଲା ଆସୁନାଇଁ । ଆଣିବା କଥା ପଚାରିଲେ ଆଉ ଡାକି ନ ଯିବାକୁ ଚଇତା ବି ଶୁଣେଇ ଦେଲାଣି ।

 

ଏ କେତେ ଦିନ ହେଲା ନବଘନ ଏ ଗାଁ ସେ ଗାଁ । ହେଇ ଫେରୁଚି ।

 

ବଡ଼ ବ୍ୟବଧାନଟାର ପରେ ପବନା ପୁଣି ଆସିଥିଲା । ନବଘନ ଯୋଉ ଚଢ଼ା ମୂଲ ଦାବୀ କରିଥିଲା ଅଳ୍ପ କାଟିଥିଲା ।

 

ପବନା ଗଲା ପରେ ପରେ ନାନୀକୁ ଛାଡ଼ିନେଲାଣି ନବଘନର ସାନ ମଝିଆଁ ।

 

ଝିଅକୁ ବିଦାକରି ପୁଣି ଏ ଗାଁ ସେ ଗାଁ । ହେଲା ନବଘନ । ନାଁ ପଡ଼ିଥିବା ନାରଣପୁର ଥାନା ଅଞ୍ଚଳଠୁ, ନାଁ ନଥିବା ଅଥଚ ଟୁପ୍‌ଟୁପ୍ ଶୁଣାଯାଉଥିବା ଅଞ୍ଚଳରେ ବି ଟିକିଏ ଟିକିଏ ମୁହଁମାରି ଆସିଲାଣି ।

 

ତରଳ ଝାଡ଼ାରେ ନୟାନ୍ତ ହେଲେ ବି ଧାଁ ଧପଡ଼୍ ଛାଡ଼ି ନାଇଁ । ପହିଲି ବୈଶାଖର ଝଡ଼ ଭିତରେ ତରଳ ଝାଡ଼ାରେ ଲଡ଼ବଡ଼ ହେଉଥିବା ଅବସ୍ଥାରେ ଏ ପାଖ ସେ ପାଖ ହଉଚି । ଫେରି ଆସିବା ପରେ ଦିନା କେତେ ଚୁପ୍ ଚାପ୍ ରହି ଯାଉଚି । ଟୁଂଗି ଭିତରେ ବେଶୀ ବେଳ କଟଉଟି ।

 

ଚଇତାର ମଇଁଷୀ ପଟେ ହଜିଚି । ସେ ବି ଝଡ଼ ଭିତରେ ଏପାଖ ସେପାଖ ହଉଚି । ମିଳିବ କି ନ ମିଳିବ, ଏ ଦିଗ କି ସେ ଦିଗ କଥା କମଳୁକୁ ପଚାରିବା ଆଗରୁ, ‘ଏକ, ତୁର୍‍ତୀୟ, ସପ୍‍ତମ, ନବମ—ପରମ ମଁଗଳ ଖଡ଼ି ଉତମ’ କହି, ଗୁସେଇଁଙ୍କୁ ପଚାରି ଯାହା ଜାଣିଚି ତା କହିଦେଇଚି । ମୋଟାମୋଟି ଭାବରେ ଜଣେଇ ଦେଇଚି ମିଳିବାରେ ବାର ପଣ ଆଶା ।

 

କମଳୁ ବେଳେ ବେଳେ ଆସୁଚି ନବଘନର ଟୁଂଗି ଆଡ଼େ । ଘୁଡ଼ୁ ଘୁଡ଼ୁ ଚୁଟ୍ ଆଡ଼େ କାନେଇ ଅନେଇ ନିଜ ଚିଲମ୍‍ରେ ନିଆଁ ଧରଉଚି । କେତେବେଳେ କୁହୁଳା ଢୁକୁ ଢୁକୁ, କେତେବେଳେ ନାକ ବାଟେ ଛାଡ଼ୁ ଛାଡ଼ୁ, କେତେବେଳେ ଦଳୁ ଦଳୁ, କେତେବେଳେ ଭରୁ ଭରୁ, ଗିଳା ଦରଗିଳା ଝିଙ୍କା ବଙ୍କା ଟଣା ଓଟରା ସ୍ଵରରେ ମନେ ପକେଇ ଦେଇ ଆସୁଚି ନିଜର ସେଇ ପୁରୁଣା ମନଟା—ଛି ! ଛି ! ଇ ଗୁଡ଼ାକ କାହିଁଲାଗି ଖାଉଚୁରେ !

 

ବେଳେ ବେଳେ ଥଟାର ସମ୍ବନ୍ଧ ଆଡ଼ୁ ଥଟ୍ଟା ମାନ୍ୟ କରି, ଦଣ୍ଡ ଉଦ୍ଦେଶ୍ୟରେ ମୁଖସ୍ଥ ଥିବା ଗୀତରୁ ପଦେ ଅଧେ ମେଲିଦିଏ—

 

ନରନାରାୟଣ ଚୁଁଗି ଚକ୍‍ରଧର, ନଡ଼ିଆରେ ଅଛି ପାଣି,

 

ଗଁ ଗା ଗଇଆ ଗଲେ କି ଫଳ ପାଇବୁ...

 

ନଈ ବାଲିକୁ ଦୋ ପାଗି ଉଖୁଡ଼ା, ନଈ ପାଣିକୁ ଖିର, ନଈ ପଥରକୁ ଟେଳା ଅଫିମ ସହିତ ତୁଳନା କରି ଗୀତ ବାନ୍ଧି–ଥିବା ନାଁ ଅଜଣା କବିଙ୍କଠୁଁ, ନାଁ ଜଣା କବିଙ୍କର ଗୀତ ଗୁଡ଼ିକ କାନ ପାଖକୁ ହାତ ନେଇ, ମଥାକୁ ସେଇ ଆଡ଼େ ସାମାନ୍ୟ ଝୁଙ୍କେଇ ଏକା ରାହାକେ ବୋଲିବାକୁ ଚେଷ୍ଟା କରେ । ଜଣା ଶୁଣା ଆସୁ କବି ମଧୁ ଚାଉଳିଆର କୋଉ ଗାଁର ଚୁଡ଼ା, କୋଉ ଗାଁର ଖଡ଼ା, କୋଉ ଗାଁର ମୁଢ଼ି ଇତ୍ୟାଦି ମନ ମୋହି ନେବା ଓ ମନ ଦହି ଦେବା ସମ୍ବନ୍ଧୀୟ ଗୀତଟି ଯାନିଯାତ୍ରା ଭିଡ଼ ଭିତରେ ବି ଆଗ୍ରହୀଙ୍କ ଅନୁରୋଧ ରକ୍ଷା କରି ବୋଲେ । ଗୋବିନ୍ଦ ଗୋସେଇଁଙ୍କର ଦଣ୍ଡ ଗୀତଟି ଛପା ହୋଇ ଆସିଲା ଦିନୁଁ ମଧୁ ଚାଉଳିଆ ସେ ତରଫ ଲୋକଙ୍କୁ ଗୀତ ଦେବାକୁ ମନା କରି ଦେଲାଣି । ଗାଇଲେ ବା ଶିଖିଲେ କିମ୍ବା ଶିଖେଇଲେ ବଂଶ ବୁଡ଼ି ଯିବାର ଭୟ ଦେଖେଇଚି । ତଥାପି ସେ ଆଡ଼ର କମଳୁ ଠୁ କପିଳା ଯାଏଁ ତା ଦୁଆରେ ।

 

ନିଜ ଗାଁ ବିଶିକୁ ଗୀତ ଭଂଗା ଚେଷ୍ଟାରେ ଥିବା ଦେଖି ମନା କରିଦେଲାଣି କମଳୁ । କଞ୍ଚା ବୟସରେ ଗୀତ ଭାଂଗିଲେ ଆୟୁସ ତୁଟି ଯିବ ବୋଲି ସତର୍କ କରି ଦେଇଚି ।

 

ଜାମୁନାଳି ଗଡ଼ତିଆ ଘର ଇଟାଭାଟି ଲଗାଲଗିରେ ବ୍ୟସ୍ତ ରହି ଭଗାରି ଖୁବ୍ କମ୍ ସମୟ ପାଇଁ ଘରକୁ ଆସୁଥିଲା । ଭାଟି ପାଖରେ ଖିଆ, ପିଆ... ଶୁଆଟା ବି ବେଳେ ବେଳେ । ମହୁରିର୍‍ ପହିଲେ ପହିଲେ କେତେ ଦିନ ଯାଇଥିଲା ତଦାରଖ୍ କରି । ଶେଷ ଆଡ଼କୁ ପ୍ରାୟ ପୂରା ଭାର ଦେଇ ଦେଇଚି । ଦାଣ୍ଡ ଆଡ଼େ ଉଠୁଥିବା କୋଠା ଆଡ଼େ ଲକ୍ଷ୍ୟ କରୁ କରୁ ଏ ଭିତରେ ଗଡ଼ତିଆ ବି ବେଳେ ବେଳେ କାମ କଥା ପଚାରୁଚନ୍ତି । ନ ହୋଇ ପାରୁଥିବା ଗୁଡ଼ିକର ଅସୁବିଧା ଦେଖେଇ ସତ ସତ କହିଦେଇ ପ୍ରାୟ ଗାଳି ଖାଇଲେ ବି, ନହଇଥିବାଟା ହେବାର ବର୍ଣ୍ଣନା ଭିତରେ ରଖି, ଦରକାର ମନେ କଲେ ବର୍ଣ୍ଣନାକୁ ଆଉ ଟିକିଏ ରଂଜନ କଲେ ଗଡ଼ତିଆଙ୍କୁଠୁ ସାବାସ୍ ଓ ମହୁରିର୍‍ଠୁ ମନମାଫିକ୍ ମିଳି ଯାଉଥିବାର ଅଭିଜ୍ଞତା ଆସିଲାଣି । ଆସିଲା ଦିନଠୁ ତୃତୀୟ ପନ୍ଥାଟି କ’ଣ ସେଇ ଆଡ଼ଟା ଅନେକ ଭାବିଚି । ଭାଟିକାମ ବେଳେ ଭାବି ଚିନ୍ତି ତୃତୀୟଟି ତୁଣ୍ଡ ଅଗ ଯାଏ ଆଣିଲାଣି ।

 

ପୋଡ଼ା ପରେ ପରେ ମତ ଦେଇଚି ମୋଟ ଇଟାରୁ ପାଏ ଖଣ୍ଡେ ଦରପୋଡ଼ା । ବାକି ପାଏ ଖଣ୍ଡେ ପାଣି ପାଉ ପାଉ ଛାଣି ହେବା ଭଳି ହେଇପାରେ ।

 

ମୋଟାମୋଟି ମତଟିଏ ବି ଦେଇଚି, ସର୍ବମୋଟରୁ ଅଧା ବା ଅଧାରୁ ଟିକିଏ କମ ଅଥବା ଟିକିଏ ବେଶୀ କାମରେ ଆସିବ ।

 

ଆହୁରି ବୁଝେଇଚି, କମ୍ ବେଶୀରେ କିଛି ଯାଏ ଆସେ ନାଇଁ । ଯାହା ବାହାରିଚି ସେ ଗୁଡ଼ିକ ବଳସ ଘର ପାଇଁ ଅତି ଉପଯୁକ୍ତ । ସେ ଭଳିଆ ସହଜରେ ଉତୁରେ ନାଇଁ ।

 

ସବା ଶେଷରେ ଯେଉଁ ପରିମାଣ ଅନୁପଯୁକ୍ତ ବୋଲି ମହୁରିର ଆଗରେ ମତ ଦେଇଚି, ସେଇ ପରିମାଣଟି ମହୁରି ତା ଟିପା ଖାତାରୁ କାଟି ଦେଇଚି । କଟା ହେବା ପରେ ପରେ ନିଜ ଘର ମୂଷାଗାଡ଼ି, ଖାଲ, ଢିପର ଟପାଟପି କାମରେ ଦରକାର ଆସିବ କହି ଯେତେଟା ସମ୍ଭବ କଢ଼େଇ ଆଣିବ । ବାଡ଼ିପାଖେ ଥାକମାରି ରଖିଲାଣି ।

 

ଥାକ ସିନା ମାରିଚି, ଥାକର ଫାଙ୍କରେ କେତେ ଚୂନ, କେତେ ସିମିଟ୍ ଲାଗିବ ମିସ୍ତ୍ରୀଠୁ ତା ଜାଣିନେଲା ପରେ ଗୁଣି ହଉଚି । ମଜୁରୀ ଓ ଫାଙ୍କ ପୂରଣ ପାଇଁ ପରିମାଣଟା ହେଜି ହେଉଚି ସିନା ହିସାବକୁ ଆଣିପାରୁ ନାଇଁ ।

 

ମୋଟ ପରିମାଣର ଧାରଣାଟା ଦରଖଣ୍ଡିଆ ହେଲେ ବି ମୋଟାମୋଟି ଭାବରେ ଯାହା ଅନୁମାନ କରିପାରିଚି ତା ବର୍ତ୍ତମାନ ପାଇଁ ସମ୍ଭବ ନୁହେଁ ବୋଲି ଧରି ନେଲାଣି । ମନକୁ ମନ ସାନ୍ତ୍ଵନାର ଶସ୍ତା ଚାଷଟିଏ ଆରମ୍ଭ କରି ଦେଲାଣିଧାରା ପରେ ଧାରା ବୋହି ଯାଉ, ଝର ପରେ ଝର ଅଜାଡ଼ି ହେଇଯାଉ—ପାଣି ଖାଇ ଖାଇ ପୁରୁଣା ପାଲଟିଲେ ସେଥିରେ ଯୋଉ କାନ୍ଥ ଉଠିବ ପୁଅ, ଝିଅ,ନାତି, ନାତୁଣୀଙ୍କ ପାଇଁ ସେ ହେବ ଅନନ୍ତ କାଳର ଆଶ୍ରାଟିଏ !

 

ସାନ୍ତ୍ୱନାଟା ଯେତେ ଶସ୍ତାରେ ସଂଗ୍ରହ କରିଥିଲେ ବି ହିନସ୍ତାର ଲକ୍ଷଣ ଦେଖୁ ନାଇଁ ବରଞ୍ଚ ଏ ସମ୍ବନ୍ଧୀୟ ବର୍ତ୍ତମାନର ଅଶାନ୍ତିଠୁ ସେଇ ସମୟତକ ଦୂରେଇ ରହିଯାଉଚି ।

 

ଭଗାରି ଘୁରି ବୁଲୁଥିବା ବାଡ଼ି ପାଖ ଖଳାରେ । ଦିନ କେତେଟା ଅନୁପସ୍ଥିତ ପରେ ଆଜି ଘରକୁ ଆସିଚି—ଖଳା ଭିତରେ ପଶିବାକୁ ବେଳ ପାଇଚି । ଗଡ଼ତିଆ ଘର ବାହାଘର କାମରେ ବେଶୀ ସମୟ ଏପାଖ ସେପାଖ ହେବାକୁ ପଡ଼ିଥିଲା । ଗଣେଶ ବାବୁଙ୍କ ପିଲାପିଲି ଗଡ଼ରୁ ଆସି, ପାଖରୁ ଛାଡ଼ି ନଥିଲେ ।

 

ଗାଁରୁ ଫାଳେ ଯେଉଁ ନୂଆ ନାଟ ପାଟି ଗଢ଼ିଛନ୍ତି ବିପରୀତ ଫାଳରେ ଭଗାରିର ଘର । ହେଇଥିଲେ ବି ଗାଁର କଳାଟା ପଦାରେ ଫୁଟିବା ସମ୍ବନ୍ଧୀୟ ମିଳାମିଶାର ଯୋଗାଡ଼ଟିଏ କରି ପାଟିକୁ ବରଯାତ୍ରୀ ଆଗରେ ନଚେଇଥିଲା । ଗଣେଶ ବାବୁ ତାରିଫ୍‌ କରିଥିଲେ । ଗଣେଶ ବାବୁଙ୍କ ଗଡ଼ସ୍ଥିତ ଘର ଆଗରେ ବି ହେଇଥିଲା । ହେନାକୁ ଭେଟି ଥିଲା । ବାରନ୍ଦାରେ ବସି ଦେଖିବାକୁ ଜାଗା କରି ଦେଇଥିଲା ।

 

ପରବର୍ତ୍ତୀ ଆଉ ଦୁଇ ଦିନ ଚୁଡ଼ା ଗୁଡ଼ରେ ଚୁକ୍ତି ଛିଣ୍ଡେଇ ଗଡ଼ ବଜାର ଛକ ଆଉ ତଳ ସାହିରେ ନାଚି ଥିଲେ ।

 

ସେଆଡ଼େ ବେଶୀ ବେଳ ବିତିଯାଇଥିଲା । ସେ ଦୁଇ ତିନି ଦିନ ଏ ଆଡ଼ର ଖଳା ବାଡ଼ି ଅମଳ ଇତ୍ୟାଦି ପ୍ରାୟ ଭୁଲି ଯାଇଥିଲା ।

 

ଜାମୁନାଳୀର ବଡ଼ ହଳିଆ ବିଶ୍ୱାସୀ ହେଲାଣି ବୋଲି ବିଶ୍ଵାସ ଜାଗିଲା ଦିନୁ, ଅନ୍ୟ ଆଡ଼େ କିଛି ବେଳ କଟେଇ ବି ଜାମୁନାଳି କାମ ସମ୍ବନ୍ଧରେ କିଛି ଅଂଶରେ ନିଶ୍ଚିନ୍ତ ରହି ପାରିଲାଣି ।

 

ବାଡ଼ିପାଖ ଖଳାର ଏ ପାଖ ସେ ପାଖ ଘୂରି ବୁଲୁଚି ଭଗାରି । ବଡ଼ ହଳିଆ କେତେବେଳେ ପଛେ ପଛେ, କେତେବେଳେ ଆଗେ ଆଗେ, କେତେବେଳେ କଡ଼େ କଡ଼େ ହେଇ କୋଉଠି କୋଉ କାମ କରିଚି । କୋଉ କାମ କରେଇଚି ବୁଝେଇ ଚାଲିଥିଲା ।

 

ଖଳାର ଏ ପାଖ ସେ ପାଖ ହଉଚି ଭଗାରି । ସାନ ହଳିଆ ଧାନ ଉଡ଼ଉ ଉଡ଼ଉ ମଝିରେ ମଝିରେ ବଡ଼ ହୁସ୍‌ହୁସ୍‌ ହାର ଟାଏ କରି ମରେଇ ଉପରେ ଚରି ଯାଉଥିବା ମାଳ ମାଳ ଫିଡ଼୍‍କି ହୁରୁଡ଼େଇବାରେ ଲାଗି ଯାଇଥିଲା । ଖଳାର ପଶ୍ଚିମ ପାଖ ତାଟି ସେ ପାଖକୁ ଠିଆ ହୋଇଚି ଓଲେଇଟିଏ । ତାଟିର ଦୁର୍ବଳତର, ଦୁର୍ବଳତମ ଜାଗା ଗୁଡ଼ିକ ପାଖକୁ ପାଖେଇ ଯାଇ ଫାଡ଼ିବାର ଚେଷ୍ଟା କରୁଚି । ମୁଣ୍ଡଟା ଗଳେଇବାର ସଫଳତା ଅର୍ଜିବା ସାଙ୍ଗେ ସାଙ୍ଗେ ନଡ଼ା ନଡ଼ା ଗଦାରୁ ଟଣା ଟଣି ଆରମ୍ଭ କରିଦେଲା ।

 

ବଡ଼ ହଳିଆ ଫେରି ଚାହିଁବା ଆଗରୁ ଭଗାରି ଫେରି ଚାହିଁଲା ସେଇ ଆଡ଼େ । ହଁ ହାଁ ହ ହା କରି ଆଗେଇ ଯାଉଥିଲା ।

 

ବଡ଼ ହଳିଆ ଟପିଯିବା ଆଗରୁ ଭଗାରି ଠିଆ ହେଇ ପଡ଼ିଥିଲା । ତଡ଼ିବା କାମଟା ହଳିଆର ବୋଲି କୋଉ ଭିତରେ ଖିଆଲଟିଏ ଚେଇଁ ଉଠି ହଠାତ୍‌ ପୁଣି ଅନ୍ୟ ଭାବନା ଭିତରେ ଛପିଗଲା ।

 

ଠିଆ ହୋଇ ପଡ଼ୁ ପଡ଼ୁ ପଛ ପାଖକୁ ଘୂରି ପଡ଼ିଥିଲା ଭଗାରି । ସାନ ହଳିଆ ସେତେବେଳେ ଅସ୍ପଷ୍ଟ ହୋଇ ଯାଇଥିଲା ଧାନ, ଫୁଲ, ଗୁଣ୍ଡ ମିଶା ଝର ସେ ପାଖରେ ।

 

କୁଲାରୁ ଝରୁଚି ଧାନ, ପୁଲ, ଗୁଣ୍ଡ । ଏକାଠି ମିଶା ତିନୋଟି—ଝରିଲା ପରେ, ପଡ଼ିଲା ପରେ ଯିଏ ଯୋଉଆଡ଼େ ଯାଉନା କାହିଁକି ଗତି ପଥରେ ଗୋଟାଏ ଭଳି ଝିଲ୍‌ମିଲ୍‌ କରୁଥିଲେ ।

 

ଝିଲ୍‌ମିଲ୍‌ ସେ ପାଖର ସାନ ହଳିଆକୁ ଚାହିଁ ଭଗାରି କ’ଣ ଆଦେଶ ଦେଇ ଆସୁଥିଲା । ଜିଭ ଅଗରୁ ବନ୍ଦ କଲା । ଯୋଉ କାମ ପାଇଁ ଆଦେଶ ଦେବାକୁ ଯାଉଥିଲା ତାକୁ ବଡ଼ ହଳିଆ ଜରିଆରେ କରେଇ ନେବାକୁ ଠିକ୍‌ କଲା ।

 

ବେଳକୁ ଅନେଇ ଆଗ ପଛ ହେଇ ଚାଲି ଗଲେଣି ଦୁଇ ହଳିଆ ।

 

ହଳିଏ ଚାଲିଯିବା ପରେ ପରେ ପୁଆଳ ଗଦା ଭିତରୁ ଭଗାରି ଯାହା ଆବିଷ୍କାର କରିଥିଲା ସୁନ୍ଦରୀ ତାକୁ ଦେଖୁ ଦେଖୁ ମୁଣ୍ଡରେ ହାତ ଦେଇ ବସିଗଲା । ସୁନ୍ଦରୀର ଭାବଭଙ୍ଗୀ ଦେଖି ଭଗାରି ଆତଙ୍କ ଗଣିଲା । ସୁନ୍ଦରୀକୁ ଦେଖେଇ ଦେଇ, ଜଣେଇ ଦେଇ ଠିକ୍‌ କାମଟେ କରି ନାଇଁ ବୋଲି ହଠାତ୍‌ ଖିଆଳକୁ ଆସିଗଲା ।

 

ସୁନ୍ଦରୀର ପାଟିଟା ବଢ଼ି ବଢ଼ି ଆସୁଥିବାରୁ ଭଗାରି କହିଲା—ଏ, ଏ, ଏ ସୁନ୍ଦ୍‌ରି, ଏ କାଳିଆର୍‌ ମାଁ !

 

ଗଳାକୁ ଆହୁରି ଚାପିଲା ଭଗାରି–ଏ କାଳିଆର୍‌ ମା, ଏନ୍‌ତି ପାଣି ନାଇଁ କର୍‌ । କିଏ ଶୁଣ୍‌ବ ବଇଲେ ତାଁକର୍‌ କାନ୍‌ରେ ଫୁଡ଼ି ଦବଟି ହଁ !

 

ସୁନ୍ଦରୀର ସେଇ ଉତ୍ତେଜିତ ଗଳା—ଫୁଡ଼ୁନ୍‌ ନାଇଁ ଯେ । ଏନ୍‌ତି ଗୁଡ଼ାକୁ ରଖି କରି କାଇଁ ଲାଭ୍‌ଟେ ? ଏକା ରାତିକେ କଳା କନା ବୁଲେଇ ଦେବେ ଗ ମାଁ । ଦଇବ ରେ ! ମର୍‌ କପାଳ୍‌କୁ ବଲି ଏନ୍‌ତି !! ମର୍‌ ପୁଡ଼୍‌ପୁଡ଼ା କପାଳ୍‌କୁ ବଲି ଏନ୍‌ତି କାଁ ?

 

କପାଳ ନିନ୍ଦା ଖସା ଗଳାଟା ହଠାତ୍‍ ଚଢ଼ି ଚଢ଼ି ଉଠୁଥିଲା—ମୁଁଇଁ, ମୁଇଁ ତ ଭାବୁଚେଁ ଇଟା ଆଉ କେହି ନାଇଁ, ଆଉ କେହି ନାଇଁ, ଇଟା ହେ ଲଖ୍‌ଣର୍‌ କର୍‌ମ । ଯେନ୍‌ ଦର୍‌ବରେ ହେଲେ ହେଟାର ଆଖି !

 

‘ଲଖଣ’ ଆଗରେ ‘ନିଆଁ ଲଗା’ ଲଗେଇବାକୁ ଲେଉଟି ଆସୁଥିଲେ ବି କୌଣସି ପ୍ରକାରେ ଭିତରେ ଭିତରେ ଗିଳି ଦେଲା ।

 

ବଡ଼ ହଳିଆ ଲଖ୍‌ଣର ମୁହଁଟା ଝଲଝଲ ଦିଶୁଥିଲା ଭଗାରି ସାମନାରେ ।

 

ସୁନ୍ଦରୀ କହି ଚାଲିଥିଲା —ହଁ ଗ, ହେ ଲଖ୍‌ଣ କାଇଁସେ । ତା’ର୍‌ ବିନୁ କେହି ନାଇଁ । ନାଇଁ ନାଇଁ ତା’ର ବିନୁ କେହି ନାଇଁ । ତମେ ସିନା ତାକୁ ମୁଁଡ଼୍‍ରେ ବସେଇଚ, ହେଲେ ମୁଇଁ....

 

—ହେତ୍‌ ତୁଇ କିଛି ନାଇଁ ଜାଣି ।

 

—କାଇଁଟା ଆଉ ଜାଣ୍‌ବି ?

 

—ସେ ଏନ୍‌ତି ନାଇଁ ।

 

ଭଗାରି ହସିବାକୁ ଚେଷ୍ଟା କଲା ।

 

ନିକିଟି ଚାହିଁଲା ସୁନ୍ଦରୀ—ଆଁ । ଧନ ତମ୍‌କୁ ପିତା ଲାଗ୍‌ଲାଣ କାଁ ? ଆହୁରି ହସୁଚ ?

 

ଏ ଭିତରେ ବସି ପଡ଼ିଥିଲା ସୁନ୍ଦରୀ । ପୁଆଳ ଭିତରୁ ଆବିଷ୍କୃତ ଧାନ ବସ୍ତା—ତା’ରି ପାଖକୁ ଲାଗି ବସିପଡ଼ିଥିଲା । ବସ୍ତାର ବନ୍ଧା ଜାଗାଟା ଖୋଲିବାକୁ ଚେଷ୍ଟା କରୁଥିଲା ।

 

ହାତରେ ନପାରି ଦାନ୍ତରେ ଛିଣ୍ଡେଇଲା । ଛିଣ୍ଡାଇଲା ବେଳେ କ୍ଷୁଧିତ ବାଘୁଣୀ ପରି ମୁହଁ ଲଗେଇଥିଲା ! ବସ୍ତାଟା ସମେତ ଟିକ୍‌ଟିକ୍‌ ଛିଣ୍ଡେଇ ଦବାକୁ ଅବା ଅଣ୍ଡାଳି ହଉଥିଲା, ଅସମ୍ଭାଳ ହେଇ ପଡ଼ୁଥିଲା !

 

ଅଖାର ପ୍ରାୟ ଅଧାଯାଏ ପୁଲ ଗୁଣ୍ଡ ମିଶା ଧାନ ଗୁଡ଼ିକ ଦେଖୁ ଦେଖୁ ସୁନ୍ଦରୀ ଚିତ୍କାର କରି ଉଠିଲା—ଆଁ ! ଆଁ ! ମର୍‌ ଲିଆଫୁଟ୍‌ଣି ଧାନ୍‌ଗାଁ ଡାକ୍‌ରେ ଆଖି ଦେଇଚି ! ଦଇବରେ ! ମୁଇଁ କାହିଁ ମର୍‌ବି ଗ ମା !

 

ଝିଅ ଝିଆଣି, ବାହା ପୁଆଣିର ଲିଆ ଉଖୁଡ଼ା ପାଇଁ ଯୋଉ ଧାନ ହାଲ୍‌କିଣା ଦୁଇ କିତାରେ ବୁଣେଇଥିଲା ସେ ଧାନକୁ ଦେଖୁ ଦେଖୁ ଚିହ୍ନି ପାରୁଚି ସୁନ୍ଦରୀ ।

 

ସୁନ୍ଦରୀର ଭାବଭଙ୍ଗୀ ନିକିଟି ଦେଖୁଥିଲା ଭଗାରି ।

 

ମୁଣ୍ଡ ଉପରେ ବେଳ । ଛାଇ ଗୁଡ଼ିକ ଛପିଲା ଭଳି ଅବସ୍ଥାରେ ରହି ଯାଇଥିଲା ସିନା ସୁନ୍ଦରୀର ଛାଇ ଭିତରୁ ହଲା ଦୋହଲା ଶାଖା ମେଲୁଥିଲା । ବେଳେ ବେଳେ ସ୍ଥିର ହୋଇ ଯାଉଥିଲା । ଫୁଟି ଉଠୁଥିବା ଆଉ ଘନ ଘନ ବଦଳୁଥିବା ଭାବ ଭଙ୍ଗି ଆଡ଼େ ଭଗାରି ଘନ ଘନ ଚାହୁଁଥିଲା ।

 

ହୁସ୍‌ହାସ୍‌, ହୁଃ ହାଃ, ହ ହ କରି ସୁନ୍ଦରୀ ହଠାତ୍‍ ଉଠି ପଡ଼ିଲା । ଧାଇଁ ଗଲା ସବୁଠୁ ଉଚ୍ଚା ଧାନ ଗଦା ଆଡ଼େ ।

 

ଅମଡ଼ାଠୁ ମଡ଼ାଯାଏ ସବୁଆଡ଼େ ବେଢ଼ି ଯାଇଛନ୍ତି ପଲ ପଲ ଫିଡ଼୍‍କି, ଦଳ ଦଳ ଘର ଚଟିଆ । ମେଲା ବାଟରେ ପଶି ଆସିଚନ୍ତି ମାଁ ଛୁଆ ଯୋଡ଼ିଏ । ଓଲେଇଟାଏ ବି ବାଡ଼ ସେ ପାଖେ ମୁହଁ ଉଠେଇଲାଣି ।

 

ସୁନ୍ଦରୀ ଧାଇଁ ଯାଉଥିଲା ଗଦା ଆଡ଼କୁ ।

 

ଚୁଁ ଚୁଁ ହେଇ ଗଦାତଳ ଗାତ ଭିତରେ ପଶିଗଲା ଗୋଟାଏ ।

 

ସୁନ୍ଦରୀ ଚିତ୍କାର ଛାଡ଼ିଲା—ସାଇଲେ ରେ, ସଭିଏ ସାଇଲେ ମତେ ! ମର୍‌ ଗଁଡ଼ାକ୍‌ରେ ସଭିଏ ଆଖି ଦେଲରେ, ସଭିଏ ଆଖି ଦେଲେ ରେ !

 

ହୁଃ, ହୁସ୍‌, ହ ହ,... ଏ ଗଦାରୁ ସେ ଗଦା, ଗଦାରୁ ତାଟି, ତାଟିଠୁ ବାଟ—ଧାଇଁ ପଳାଉଥିବା, ଡେଇଁ ପଳାଉ ଥିବା, ଉଡ଼ି ପଳାଉଥିବା, ଫାଡ଼ି ପଳାଉଥିବା ସାଙ୍ଗେ ସାଙ୍ଗେ ନିଜର ସଁ ସାଁ—ତା’ରି ଭିତରେ ସୁନ୍ଦରୀର ଗଳାଟା ଅନ୍ୟ କାହାର ଭଳି ଶୁଭି ଆସୁଥିଲା । ଘଉଡ଼ୁ ଘଉଡ଼ୁ, ହୁରୁଡ଼ଉ ହୁରୁଡ଼ଉ ସୁନ୍ଦରୀ ଭିତରେ ସ୍ପଷ୍ଟ ହୋଇ ଦୋହଲୁଥିଲା ସେଇ ବସ୍ତାଟା । ଆହୁରି ଜୋର୍‌ରେ ପାଦ ଚାଲୁଥିଲା । ଆହୁରି ଜୋରରେ ଗଳା ତେଜୁଥିଲା ।

 

ବିରାଟ ଗୋଟାଏ ଜାଲ ବିଛେଇ ସବୁଗୁଡ଼ାକ ବନ୍ଧା, ଛନ୍ଦା ବନ୍ଦି ଅବସ୍ଥାରେ ରଖି ନେବାକୁ ସମସ୍ତ ଶକ୍ତିକୁ ଅବା ଆହ୍ଵାନ କରୁଚି !

 

ସେଁ ସେଁ ହେଇ ବସ୍ତା ପାଖରେ ବସି ପଡ଼ିଲା ସୁନ୍ଦରୀ । ଦେହ ମୁହଁ ଝାଳ । ଭୀଡ଼ା ପଣତ ଖସିଚି । କାନି ଘୁସୁରୁଚି । କାନ ସୁନାରେ କେତେ କେରା ଛନ୍ଦି ହେଇ ଯାଇଚି । ମୁହଁ ଲାଲ ପଡ଼ି ଆସିଚି ! ଆଖି ଢଳ ଢଳ ।

 

ଏଇ ଅବା ଅଜାଡ଼ି ହୋଇଯିବ ।

 

ବସ୍ତାର ପୁଲ ଗୁଣ୍ଡ ମିଶା ଧାନ—ଘାଣ୍ଟି ଚାଲିଥିଲା ସୁନ୍ଦରୀ । ଘଣ୍ଟା ଘଣ୍ଟିରୁ ଫୁଟୁଥିଲା ଅଧାଝଡ଼ା କେରାଏ କେରାଏ ପାଳ ।

 

ଆହୁରି ଲାଲ୍‌ ପଡ଼ି ଆସୁଥିଲା ସୁନ୍ଦରୀ । ବଡ଼ ଧରଣ ବିସ୍ଫୋରଣର ଆଶଙ୍କା କରି ଭଗାରି କହିଲା—ଏ, ଏ, ଏ ସୁନ୍ଦ୍‌ରି ! ଏ କାଳିଆର ମାଁ, ଏନ୍‌ତି ନାଇଁ ହ । ନାଇଁ ଦେଖ୍‌ବାକ, ନାଇଁ ଜାଣ୍‌ବାକ କାଳ କେନ୍‌ତି ହେଲାଣ ? ବେଳ କେନ୍‌ତି ହେଲାଣ ?

—କାଇଁଟେ ହେଇ ଗଲାଣ ?

—ଯାଇଁଟା ହଉ କି ନାଇଁ ହଉ ସହି ସଁଭାଳ ନାଇଁ ଚଳ୍‌ଲେ କେନ୍‌ ହଳିଆ ମୂଲିଆ ତର୍‌ ପାଖ୍‌ରେ ରହିବେ ?

—ନାଇଁ ରହିଲେ ନାଇଁ ! ଏନ୍‌ତି ଚୁର ଗୁଡ଼ାକ ରଖିକରି ଯେନ୍‌ଟା, ନାଇ ରଖି କରି ସେଟା ।

ସୁନ୍ଦରୀ କହି ଚାଲିଲା । ଗମ୍ଭୀର ହବାକୁ ଯାଉ ଯାଉ ପୁଣି ହସିବାକୁ ଚେଷ୍ଟାକଲା ଭଗାରି-

ଏଥର ହସଟାକୁ ସୁନ୍ଦରୀ ଦେଖିପାରି ନାଇଁ । ଥରକୁ ଥର ଉଠି ଆସୁଥିବା ପାପୁଲିରୁ ଖସି ଯାଉଥିଲା ପୋଷକୁ ପୋଷ । ଗୁଣ୍ଡ ଉଠୁଥିଲା । ଝାଳେଇଥିବା ମୁହଁ ଦେହରେ ଠାଆକୁ ଠାଆ ଲାଖି ଯାଉଥିଲା ।

କାନ୍ଦ କାନ୍ଦ ହେଇ ଆସୁଥିଲା ସୁନ୍ଦରୀର ଗଳା—ଏନ୍‌ତି କର୍‌ବେ ବଇଲେ କେନ୍‌ତି ଚଳି ହବରେ ଦଇବ ! ସବୁ ତ ବୁହି ନେବେ । ଏନ୍‌ତି ଏନ୍‌ତି କରି ସବୁ ତ ବୁହି ନେବେ । କେନ୍‌ ବାଟ୍‌ରେ ସବୁ ତ ବୁହି ନେବେ ! ଇ ଚୁର ଥେଟେ ସବୁ ତ ବୁହି ନେବେ ! ଇଥ୍‌ରେ କାଇଁ ଘର କର୍‌ବ ? ଇଥ୍‌ରେ କାଇଁ ଦୁଆର କର୍‌ବ ? ଇଥ୍‌ରେ ଲଖେ ଅର୍‌ଜିଲେ ପଖେ ତ ନାଇଁ ଯାଏ । ଲଖେ ଅର୍‌ଜିଲେ ହେଲେ ଅଁଟ୍‌ ବଇଲେ କେନ୍‌ଠୁ ଅଁଟ୍‌ବ ? ବୁହି ନେବେ, ବୁହିନେବେ, ଏ କାଳିଆର୍‌ ବା, ଏନ୍‌ତି ଏନ୍‌ତି କିରି ସବୁ ତ ବୁହିନେବେ । ନେବେ କାଇଁଟା ଗ, କେତେ ତ ନେଲେଣ କାଇଁ ସେ । ମାଁ ମଁଗ୍‌ଳା ! ମୁଇଁ କାର୍‌ ଲାଗ୍‌ରେ ନାଇଁ, କାର୍‌ ଲେସ୍‌ରେ ନାଇ । ତୁଇ ସବୁ ଜାଣ୍‌, ତୁଇ ସବୁ ଜାଣ୍‌ !

ଭଗାରି ଟିକିଏ ଗମ୍ଭୀର ହେଇ ଆସୁଥିଲା । ପୁଣି ହସିବାକୁ ଚେଷ୍ଟା କଲା ।

ହସ ଦେଖୁ ଦେଖୁ ହଠାତ୍‌ ଉଠି ପଡ଼ିଲା ସୁନ୍ଦରୀ । ଭଗାରିକୁ କଣେଇ, ତେଢ଼େଇ, ନିକିଟି ଚିତ୍କାର ଛାଡ଼ିଲା—ତମେ, ତମେ, ହଁ ହଁ ତମେ ମୁହଁ ବଢ଼େଇଚ । ତମେ ହେ ଲଖ୍‌ଣଟାକୁ ମୁହଁ ଦେଇଚ । ତୁମେ ହେ ଚୁରଟାର୍‌ ମୁହଁ ବଢ଼େଇଚ ! ତମର୍‌ ଲାଗି ସେ ଏନ୍‌ତି ଉତ୍‌ପାତ୍‌ ହେଲାଣ ।

ଭଲ ମନ୍ଦ ବେଳେ ଭଗାରି ବଡ଼ ହଳିଆ ଲଖ୍‌ଣକୁ ପାଖରେ ବସି ଖୁଆଏ । ସେତିକି ବେଳର ବଢ଼ାବଢ଼ି ପରସା ପରସିରେ ସୁନ୍ଦରୀ ବେଳେ ବେଳେ କରଛଡ଼ା ଦେଇଚି ।

ମଥା ଉପରେ ଖରା ଚରିଚି । ମୁହଁ ଦେହରୁ ଝର ଝରୁଚି । ସଜନା ଛାଇ ତଳକୁ ଚାଲି ଗଲାଣି ଭଗାରି ।

ଜାଗାରୁ ଉଠୁନାହିଁ ସୁନ୍ଦରୀ । ଝାଳ ପୋଛି ପାରି ନାଇଁ । ଭଗାରି ଡାକିଲା, ଚାଲ୍‌, ଘର୍‌କୁ ଚାଲ୍‌ ।

 

ସୁନ୍ଦରୀ ଦେଖି ଚାଲିଥିଲା ବସ୍ତା ଧାନ ଗୁଡ଼ିକୁ ।

 

ବାରମ୍ବାର ଡାକିଲେ ବି ଉଠିବାର ଉପକ୍ରମ ଦେଖୁନାଇଁ—କାଇଁଟେ ହେଲା ଯେ ତୁଇ ଏନ୍‌ତି ହେଇ ଯାଉଚୁଲ ? ଏତ୍‌କିରେ ଏନ୍‌ତି ହବୁ ବଇଲେ ଘର କେନ୍‌ତି କର୍‌ବୁ ? ଗଡ଼୍‌ତିଆଣିର ହେ ଚକ୍‌ଡ଼ାଟା ଯାକ କିଣ୍‌ବୁ ପରା ଲ ? ଟିକାକୁ ଏନ୍‌ତି ଧରି ବଇବୁ ବଇଲେ କିଏ ବୁଝ୍‌ବ ସୁଝିବ ତର୍‌ ସେଡ଼େଟେ ଆଖ୍‌ଡ଼ା ?

 

ସୁନ୍ଦରୀର ବର୍‌ବରଟା ହଠାତ୍‌ ବନ୍ଦ ହୋଇଯାଇଥିଲା । ଗୁର୍‌ଗୁର୍‌ ରଗ୍‌ରଗଟା ଭିତରେ ଭିତରେ କୁହୁଳି ଥିଲେ ବି ସେ ଆଡ଼ଟା ଖିଆଲ୍‌ ଯାଏ ଆସିପାରୁ ନଥିଲା । ଗାଁ ଗଡ଼ତିଆଣି ଜମିଟା କାନରେ ବାଜୁ ବାଜୁ ଭଗାରିର କଥା ଆଡ଼େ କାନେଇ ସାରିଲାଣି । ଚିନ୍ତାର ତରଙ୍ଗ ସୁଅ ପାଲଟି ସେଇଆଡ଼େ ମାଡ଼ି ଯାଉଥିଲା । ସେଇଆଡ଼େ ବୋହି ଯାଉଥିଲା ।

 

ଗଡ଼ତିଆଣିର ବିସ୍ତର ଚକଡ଼ାଟା ତଳକୁ ହାତକୁ ଆସିଗଲେ ଗାଁ ଗଡ଼ତିଆ ଘରକୁ ବେଶି ତମକୁ କାହିଁକି ରାସାନ୍ତଳକୁ ଖସେଇ ଦେଇ ପାରିବାର ଧାରଣାଟାଏ କେତେଥର କଳ୍ପନାକୁ ଆସି ଯାଇଛି ।

 

ଭୋଗରାଟା ନିଲାମ ହେବାବେଳେ ଧରିବାର ଇଚ୍ଛାଟାଏ ହେଇଥିଲା । ବକକୁ କଳି ହଟି ରହିଥିଲା । ବାକି ବିସ୍ତରଟା ବିକ୍ରୀ ହେବ ଶୁଣିଲା ଦିନୁ ଯୋଗାଡ଼ରେ ଲାଗି ଯାଇଚି । ନିଲାମ ଧରିବାକୁ ମନକରିଥିବା ବେଳେ ଛାଇ ଛାଇଆ ହେଇ ନାଚୁଥିଲା ବହୁଦିନ ତଳର ଦୃଶ୍ୟଟାଏ ।

 

ସେତେବେଳେ ଭଗାରି ଥିଲା ଛେଳିଚରା ବୟସର । ଦୁଧିଆ ନାଳିର ଭୀମ ଅଦାବର ନିଲାମରେ ଧରିଥିଲେ ଏ ଗାଁ ଗଡ଼ତି । ଗଡ଼ତିଆ ଶାଢ଼ି ଭିଡ଼ିବା ପାଇଁ ଗଡ଼କୁ ଯାଇଥିଲେ । ସାଙ୍ଗରେ ଗାଁର ଯୋଉ ଦଳକୁ ନେଇଥିଲେ ସେଥିରେ ଥିଲା ଭଗାରିର ବାପ ।

 

ବାପ ସଂଗରେ ଭଗାରି ବି ଥିଲା ।

 

ଛାମୁଙ୍କ ଆଗରେ ଗଡ଼ତିଆ ଶାଢ଼ି ମୁଣ୍ଡରେ ଭିଡ଼ି ଗଡ଼ ଦାଣ୍ଡରେ ଆଗେଇ ଆସିଥିଲେ ଗଡ଼ିତିଏ । ଆଗରେ ଆଗରେ ଗାଁର କୀର୍ତ୍ତନ୍ୟ ଦଳ, ଗଡ଼ୁଆ ହାଡ଼ିବାଜା ।

 

ଏକଦନ୍ତା ଉପରେ ବସି ଗଡ଼ ରାସ୍ତାରେ ଆଗଉ ଆଗଉ ଲାଜେଇ ପଡ଼ିଥିଲେ ଗଡ଼ତିଏ-

 

ଫୁଲମାଳ, ଶଂଖ, ହରିବୋଲ, ଶିରଶାର, ଢୋ ଢା, ଢମ୍‌ ଢାମ୍‌...ରେହେଁ ରେହେଁ ଟପ୍‌ ଟପ୍‌...

 

ଅଧା ରାସ୍ତା ପାର ହେଲା ପରେ ଲାଜ ଯାଉଥିଲା ଛପି । ତଳ ମୁହଁ ଉପରକୁ ଉଠି ଉଠି ଆସୁଥିଲା । ଝାଳେଇ ଥିବା ଦେହଟା ଚୋରା ବତାଶ ବାଜିଲା ଭଳି ଅବସ୍ଥାରେ ।

 

–ଇ’ଟା କିଏ ?

–ଇ’ଏ କିଏ ?

–କିଏ ଯାଉଚନ୍‌ ?

—କିଏ ଯାଉଚି ?

—ଗଡ଼୍‍ତିଆ ।

—ଗଡ଼ତିଆ ?

—କୁ ଗାଁର ?

—କେନ୍‌ ଗାଁର ?

—କୋଉ ଗାଁର ?

—ଉଛବ୍‌ କରି ଯାଉଚି ତ ?

—ପଇସା ଥିବ ।

—ପଇସା ନାଇଁ, ମନଟା ।

କେତେବେଳେ ବାପ ସଂଗେ ସଂଗେ, କେତେବେଳେ ଦଳ ଭିତରେ, ଦଳ ପଛରେ, ଦଳ ଆଗରେ ଆଗେଇ ଯାଉ ଯାଉ ମନ ଧନ ସମ୍ବନ୍ଧୀୟ କେତେ କଥା ବାଜୁଥିଲା ଭଗାରି କାନରେ । ଏ ପାଖ ସେ ପାଖ ଚାହୁଁ ଥିଲା ।

 

ଗଡ଼ୁଆ ଟୋକା, ଗଡ଼ ବଜାର ଚୂନ ଧଉଳା କାନ୍ଥଠୁ ରଙ୍ଗ ଧରା କବାଟ ଆଡ଼େ ଆଖି ଟାଣି ଟାଣି ହେଇଯାଉଥିଲା ।

 

ଗାଁ ଗଡ଼ତିଆଣିର ବିସ୍ତର ଜମିଟା–ମନେ ପକେଇ ଦଉ ଦଉ ପୁଣି ସେଇ ଏକଦନ୍ତା, ସିର୍‌ ସାର୍‌, ଢୋ ଢା, ରେହେଁ ରେହେଁ, ଟପ୍‌ଟପ୍‌ ଇତ୍ୟାଦିର ଅତି କୁହୁଳିଆ କୁହୁଳିଆ ସ୍ମୃତିଟା ଦାଉ ଦାଉ କରି ଉଠୁଥିଲା । ତା ସାଙ୍ଗରେ ବି ଅଳ୍ପ ଟିକିଏ ମିଲ୍‌ କରି ଜଳ ଉଠିଥିଲା ଭୀମ ଅଦାବରଙ୍କ ଶେଷ ଦୃଶ୍ୟଟାଏ, ବାଡ଼ିଏ ମଡ଼ାଣ ପାଇଁ ମାତ୍ର କୋଡ଼ିଏ ଖାଇ ଗାଁ ଥାନା ଗଡ଼ ମାଇନାକୁ କଢ଼ା ହୋଇ ଯାଇଥିଲେ ଯିଏ ।

 

ସେଇ କଢ଼ା ହେବାର ଦୃଶ୍ୟଟା, କିଣା ହେବାର ପ୍ରସ୍ତାବକୁ କେନ୍ଦ୍ର କରି, ଦାଉ ଦାଉ କରି ଉଠିଥିବା ସ୍ଵପ୍ନ ଭିତରେ ଟିକିଏ । ମିଲ୍‌ କରୁଚି ସିନା, ଦାଉ ଦାଉ, ହୁ ହୁ ଭିତରେ ମିଲ୍‌ ମାଲ୍‌ ଟିକକ ହଜି ହଜି ଯାଉଚି ।

 

କଢ଼ାହେବା ବେଳେ କହିଥିଲା, ହାଡ଼ି ଛୁଇଁ କି ବାମୁଣ ଛୁଇଁ, ଗଡ଼୍‍ରେ ତ ମାଟି କିଣିଥିଲେ ଗଡ଼୍‍ତିଏ, ଆଉ କେନ୍‌ଆଡ଼େ ଯାଇ ଥାଇତେ ?

 

ମନକୁ ମନ ପଚାରି ହୋଇ ଥିଲା, ଗଡ଼ତିଆଣି କେନ୍‌ଠି କିଣିଚି କେଜାଣି ? ମାଇକିନାଟେ, ଏତେ ଆଡ଼୍‌କୁ ଆଖେଇ ପାର୍‌ବ ? କେଜାଣି ?

 

ବସ୍ତା ଆଡ଼ୁ ବିଲ୍‍କୁଲ୍‍ ଆଖି ଫେରେଇ ସୁନ୍ଦରୀ ପ୍ରାୟ ସିଧା ସଳଖ ଚାହିଁଲାଣି । କ’ଣ କହିବ କହିବ ହଉଚି ।

 

ଭଗାରି କହିଲା—କେନ୍‌ଠି କେନ୍‌ଟା ତମେ ମାଇକିନେ ନାଇଁ ଜାଣ । ହଲ ଏ, ଏନ୍‌ତି ହବୁ ବଇଲେ ଘର କର୍‌ବୁ କେନ୍‌ତି ? ସେତ୍‌କ ଆଇଲାଠୁ ଏତେ ଆଖଡ଼ା କେନ୍‌ତି ଚଳେଇ ପାର୍‌ବୁ ? ସେ ଚକ୍‌ଡ଼ାଟା ଆଇବ, ଆହୁରି କେନ୍‌ଠୁ ଆଇବ, ଆହୁରି କେନ୍‌ଠୁ ଆଇବ, ଆହୁରି କେନ୍‌ଠୁ ଆଇବ....

 

ଭଗାରିର ସୁଅଟା ଅସମ୍ଭାଳ ଗତିରେ ବୋହି ଚାଲୁ ଚାଲୁ ସୁନ୍ଦରୀ ଭିତରେ ବି ଗୁଡ଼ାଏ ଓଲଟ ପାଲଟ ହେଇ ଯାଉଥିଲା ।

 

ଅଟକେଇବାର ଅସମ୍ଭାଳ ଅବସ୍ଥାରେ ଭଗାରି କହି ଉଠିଥିଲା—ଏନ୍‌ତି ଏନ୍‌ତି କେତେ ତ ଆଇବ, ଖମାରି ନାଇଁ ରଖ୍‍ଲେ, ହଠାତ୍‌ କଥା ବନ୍ଦକଲା । ଏଯାଏଁ ପାଟିରୁ ଖସି ନଥିବା ଖମାରି ରଖିବା କଳ୍ପନାଟା ହଠାତ୍‌ ଖସି ପଡ଼ିଥିବାରୁ ବେଶ୍‍ ଟିକିଏ ଅପ୍ରସ୍ତୁତ ହେଲା ଭଳି ଦେଖାଗଲା । ସୁନ୍ଦରୀ ମୁହଁକୁ ନିକିଟି ଚାହିଁଲା । କଳ୍ପନାର ଏଇ ଆକସ୍ମିକ ପ୍ରକାଶଟାକୁ କେହି କେହି ଖାଣ୍ଟି କଳ୍ପନାଟାଏ ବୋଲି ଭାବିପାରେ, ସେଇ କଥା ଖିଆଲକୁ ଆଶି ବେଶ୍‌ ସତର୍କ ରହି ରହି ଆସିଥିଲା ।

 

ଆହୁରି କେତେ ସାବଧାନ ହେବାଟା ଉଚିତ ଥିଲା ସେ କଥାଟା ଭାବିଯାଉଥିଲା । କିଛି ନହେଲେ ବି ସୁନ୍ଦରୀର ଅବିଶ୍ୱାସ ମୂଳକ ବିଦ୍ରୂପଟା ଶୁଣି କଳ୍ପନାର କୁସୁମଟି ମୁହୂର୍ତ୍ତକ ପାଇଁ ବି ମଉଳେଇ ଦବାକୁ ମନ ବଳିନାଇଁ ।

 

ଭଗାରି ଯାହା ପାଇଁ ଅପ୍ରସ୍ତୁତ ଓ ସଙ୍କୁଚିତ ହେଲା ଭଳି ଭାବିହେଉଥିଲା, ସୁନ୍ଦରୀ କିନ୍ତୁ ସେ ଭିତରେ ମୋଟ ଉପରେ ପଶି ପାରିନାଇଁ । ‘ଖମାରି’ଟା କାନରେ ବାଜିଥିଲା ସତ ମନଟା କିନ୍ତୁ ସେତେବେଳେ ଗାଁ ଗଡ଼ତିଆଣିର ବିସ୍ତର ଜମି ଚକଡ଼ାକୁ ଚରା ଭୂଇଁ କରିସାରିଥିଲା । ଚରୁ ଚରୁ ଯୋଉ ଚିନ୍ତା, ଯୋଉ ଭାବନା, ଯୋଉ କାମନା, ଯୋଉ କଳ୍ପନା, ଯୋଉ ସଂକଳ୍ପ ଇତ୍ୟାଦି ମୁହୂର୍ତ୍ତକୁ ମୁହୂର୍ତ୍ତ, କେତେବେଳେ ମିଶା ଗୋଳା ଭାବରେ, କେତେବେଳ ଛନ୍ଦା ଛନ୍ଦି ଭାବରେ, କେତେବେଳେ ସ୍ଵତନ୍ତ୍ର ସତ୍ତା ଥିବାଭଳି ଓଲଟ ପାଲଟ ହେଉଥିଲା, ତା ଭିତରେ କେତେବେଳେ ଉବେଇ ଟୁବେଇ ହେଉଥିଲା ତ କେତେବେଳେ ଉପରେ ଉପରେ ଆରାମରେ ଭାସିଯାଉଥିଲା ।

 

ପାଖେଇ ଆସିଲା ଭଗାରି । କଣେଇ ଚାହିଁଲା ସୁନ୍ଦରୀକୁ । ଦମ୍ଭେଇ ଠିଆହେବାକୁ ଚେଷ୍ଟା କଲା । ଗଳାକୁ ସଜେଇ ନେଲା ।

 

—କଥାଟା ତର୍‌ ମନକୁ ନାଇଁ ପାଇଲା କାଁ ?

 

ସୁନ୍ଦରୀ ଚାହିଁଥିଲା ସେଇ ଆଡ଼େ ।

 

ସେଇ ଆଡ଼େ ସେଇ ବିସ୍ତର ଚକଡ଼ାଟା ।

 

—ମନ୍‌କୁ ନାଇଁ ପାଇଲା ?

 

ମୁହଁ ଉଠେଇଲା ସୁନ୍ଦରୀ—ଆଁ ?

 

—ମନ୍‌କୁ ନାଇଁ ପାଇଲା ?

 

—କାଇଁଟା ?

 

ବସ୍ତା ଆଡ଼େ ଲାଖିଗଲାଣି ସୁନ୍ଦରୀର ଆଖି ।

 

ସୁନ୍ଦରୀକୁ ଆହୁରି ନିକିଟିଲା ଭଗାରି—ଯେନ୍‌ଟା ଇଖ୍‌ଣି କହିଲି ।

 

—ଲଖ୍‌ଣ ? ହେ ହେ ଚୁର ?

 

—ହେତ୍‌ !

 

—ହେତ୍‌ କାଇଁଟା ? ଚୁରଟେ ତ !

 

—ନାଇଁଲ, ତା’ର୍‌ କଥା ନାଇଁ । ଯେନ୍‌ଟା କହିଲି ?

 

—ଫେର୍‌ କାଇଁଟା ?

 

—ଯେନ୍‌ଟା ଇଖ୍‌ଣି କହିଲି ?

 

—କହୁଚ ବଇଲେ, ପାରୁଚ ବଇଲେ କିଣ । ହାଁଟ୍‌ରି ହେଲେ କାଇଁଟା ହବ ?

 

—ହେତ୍‌, ହେ’ ଟା ନାଇଁ ।

 

—କାଇଁ କଥା ଯେ ?

 

—ଖମାରି ।

 

—ଖମାରି ? କେନ୍‌ ଖମାରି ?

 

ସୁନ୍ଦରୀ ମୁହଁକୁ ନିକିଟି ଚାହିଁଲା ଭଗାରି । ସ୍ଵସ୍ତିର ନିଶ୍ଵାସ ମାରି ଆସୁଥିଲା । ଧୀରେ ଧୀରେ ଧାରଣା କରି ଆସୁଥିଲା ସୁନ୍ଦରୀ ତା କଥା ଶୁଣି ବି ଶୁଣି ପାରି ନାଇଁ ।

 

ବେଶ୍‍ ଧାରଣା କଲା ପରେ ଭଗାରି ପୁଣି ସ୍ଵସ୍ତିର ନିଶ୍ୱାସ ମାରିଲା । ତା ସଙ୍ଗେ ସଂଗେ ଭାବି ଯାଉଥିଲା କାର୍ଯ୍ୟ ସିଦ୍ଧିର ଶେଷ ଆଡ଼ଟା ନ ଦେଖିବା ପର୍ଯ୍ୟନ୍ତ ଖମାରି ରଖିବାର କଳ୍ପନାଟା ଆଉ ପ୍ରକାଶ କରିବ ନାଇଁ । ଭଗାରିର ଏଇ ସଂକଳ୍ପ ଭିତରେ ପ୍ରତିଜ୍ଞା ଯେତେ ପରିମାଣରେ ଥାଉନା କାହିଁକି ସଂକଳ୍ପଟାକୁ ଆଉ ସବୁ ଦିଗରୁ ଦେଖା ଦେଖି କରି ଯେତେ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିଲେ ବି, ଦୁର୍ବଳ ଦୁର୍ବଳତାର ଦୁର୍ବଳତମ ଜାଗା ଗୁଡ଼ିକ ଦବି ଦବି, ଫାଟି ଫାଟି, ନଇଁ ନଇଁ ପଡ଼ୁଥିଲା । ଛିଣ୍ଡି ଛିଣ୍ଡି ପଡ଼ୁଥିଲା । ନାହିଁ ନାହିଁ ହଉ ହଉ ସେଇ କଥାକୁ ଆହୁରି କେତେଥର କହି ଗଲା । ପୁନରାବୃତ୍ତିର ଘନ ଘନ ପୁନରାବୃତ୍ତି ପରେ ସୁନ୍ଦରୀ ଧୀରେ ଧୀରେ ବୁଝି ପାରି ଆସୁଥିଲା ଭଗାରିର ମନ କଥାଟା ।

 

ବେଶ୍‌ ଟିକିଏ ବୁଝି ପାରିଲା ପରେ ବିଦ୍ରୂପ ଗୁଡ଼ିଏ ବର୍ଷି ଦେଇଗଲା । ବିଦ୍ରୂପ ଭିତରେ ବେଳେ ବେଳେ ହସ ମିଳେଇ ଥାଏ, ଏଥିରେ ପ୍ରାୟ ହସ ନଥିଲା । ସାମନାର ଧାନ ବସ୍ତା ଉପରେ ଲାଖି ରହିଥିଲା ଆଖି ।

 

ବିଦ୍ରୂପ ମିଶା ବାକ୍ୟ ବାଣକୁ ଭ୍ରୂକ୍ଷେପ ନକଲା ଭଳି ଭଗାରି କହିଚାଲିଚି—ରହ ଦେଖ୍‌ବୁ ମର୍‌ କଥା ସତ କି ମିଛ । ଗଡ଼୍‍ତିଆଣିର୍‌ ଜମିତକ ନେବି, ନେବି, ନେବି । କିଏ କେତେ ବଢ଼୍‍ବ ବଢ଼ୁ, ହଃ ବଢ଼୍‍ବା ଯାକେ କାହିଁ ଯିବ କି ? ମୁଇଁ ତାର୍‌ ସଲାସୁତର୍‌ ନାଇଁ କରୁଚି କାଁ ? ଭିତ୍‌ରେ ଭିତ୍‌ରେ ସଲାସୁତର୍‌ ନାଇଁ କରୁଚି କାଁ ?

 

ଯୋଉ ସଲାସୁତର ଆରମ୍ଭ କରି ଦେଇଚି, କହୁ କହୁ ସେଥିରୁ କିଛିଟା ଜଳ ଜଳ ଦେଖି ପାରୁଥିଲା ।

 

ଗଡ଼ତିଆଣିର ପୋଷିଆଁ ପୁଅ ଜାମୁନାଳି ଯିବା ଆସିବା ଆରମ୍ଭ କରି ଦେଇଚି । ଜାମୁନାଳିରେ ଥିବା ଗତ ଗଡ଼ ବୁଡ଼ି ସାଙ୍ଗ, ଗୋଲାଘର, ରେଡ଼ିଓ ସ୍ଵର, ସେବକ, ସେବିକା, ସେକ୍ରେଟେରୀ, ପଞ୍ଚ.... ଖୋଳାଖୋଳି, ମପାମପି, ବଣ୍ଟାବଣ୍ଟି, ଧରାଧରି, ଡକାଡକି... ତା’ ଭିତରେ କୋଉଠି ଧରାଧରି, କୋଉଠି କୋଳାକୋଳି, କୋଉଠି କଳି, କୋଉଠି ମେଳି, କୋଉଠି ହସାହସି, କୋଉଠି ଫସାଫସି, କୋଉଠି ଜମାରୁ, କୋଉଠି ଜମିରୁ—ଗଡ଼ତିଆଣିର ସେଇ ପୋଷିଆଁ ପୁଅ ଜାମୁନାଳି ସହିତ ଏଭଳି ଧରଣର ଯେତେଟା ସଂପର୍କରେ ଆସିଚି, ସେଥିର କିଛିଟା ମୂଳରେ ଭଗାରିର ସମର୍ଥନ ଓ ସକ୍ରିୟ ସହଯୋଗ ରହିଆସିଚି । କଥା ଛଳରେ ସେଇ ସହଯୋଗ, ସମର୍ଥନ ଇତ୍ୟାଦିକୁ ସହାନୁଭୂତି ବୋଲି ଅନେକ ସମୟରେ ମୌଖିକ ଧାରଣା ବି ଦେଇଚି । ସହଯୋଗ, ସମର୍ଥନ ଗୁଡ଼ିକ କେତେଦୂର କାର୍ଯ୍ୟକାରୀ ହେଇଚି ତା ବି ଲକ୍ଷ୍ୟ କରୁଚି ।

 

‘ଉଆଡ୍‌ ମେହେମ୍ବର’ରୁ ଓହରି ଆସିବା ପାଇଁ ଗଡ଼ତିଆଣି ପୁଅକୁ ଅନେକ ମନା କରିଥିଲେ ବି ମନା ନ କରିବା ଭିତରେ ଭଗାରି ଥିଲା । ଦମ୍ଭ ଦେଇଥିଲା ।

 

ହାରିଯିବା ପରେ ପରେ ମାଂକଡ଼ ଚିତ୍‌, ଚିତ୍‌ ପଟାଙ୍ଗ୍‌ ଇତ୍ୟାଦ ମିଶ୍ରିତ ବ୍ୟଙ୍ଗୋକ୍ତି, ବକ୍ରୋକ୍ତି ଇତ୍ୟାଦିର ଚର୍ବିତ ଚର୍ବଣ ଫେଣେଇ ଉଠୁଥିବା ବେଳେ ଭଗାରି ସାନ୍ତ୍ୱନା ଓ ସାହସ ଦେଇଚି—ହଃ ! କାଇଁଟେ ଏନ୍‌ତି ହେଇଗଲା ? ପହିଲି ପାଳିତ ଭୀମ ହାର୍‌ସି !

 

ପ୍ରତ୍ୟକ୍ଷ ଆଉ ପରୋକ୍ଷରେ ଜାଣିଥିବା, ଖବର ରଖିଥିବା, ଗଡ଼ତିଆଣିର ପୋଷିଆଁ ପୁଅଠୁ ଏ ଯାଏଁ ଖସିଥିବା ପରିମାଣଟି ମନେ ପକେଇ ଆହୁରି କୋଉ ମାଧ୍ୟମରେ କିପରି ଭାବରେ ବର୍ଷା କରେଇ ହେଇପାରେ ସେଇ ଆଡ଼ଟା ଲକ୍ଷ୍ୟ କରୁଚି । ବିସ୍ତର ଜମି ଚକଡ଼ାଟା ନିଜ ଭିରରେ ଯେତେବେଳେ ଯୋଉ ପରିମାଣରେ ଚେର ବଢ଼େଇ ଚାଲିଚି, ଯେତେ ଯେତେ ଗଜେଇ ଚାଲିଚି, ବର୍ଷାଟାକୁ ସେତେ ସେତେ ଆହ୍ଵାନ କରୁଚି । ଗଡ଼ତିଆ ପୁଅକୁ ଠିକ୍‌ ବାଟରେ ଚଳେଇବାକୁ ଚେଷ୍ଟା କରୁଥିବାଙ୍କ ଉଦ୍ୟମକୁ ଅବଶ୍ୟ ନିନ୍ଦା କରି ପାରିନାଇଁ । ଏଇ ନିନ୍ଦା ନକରିବାଟା ପ୍ରଶଂସା ଆଡ଼କୁ ଗତି କରେ ଯେତେବେଳେ ମନେ ପଡ଼େ ଗଡ଼ତିଆଙ୍କ ସହିତ ବାପର ସଂପର୍କଟା । ସଂପର୍କଟା ମଧୁର ବୋଲି ଏ ଯାଏଁ ବି ଧାରଣା ଅଛି । ହେଲେ, ଯେତେବେଳେ ବିସ୍ତର ଚକଡ଼ାଟା ଝଲ୍‌ଝଲ୍‌ କରେ, ରାଉ ରାଉ କରେ, ଭିତରେ ଭିତରେ ହୁ ହୁ ଟାଏ ଉଠେ, ଧୂଧୂଟାଏ ଛୁଟେ, ଉଦ୍ୟମକାରୀଙ୍କୁ ଭିତରେ ଭିତରେ ବାଧା ଦେବାରେ ପଛାଏ ନାଇଁ ।

 

ଗଡ଼ତିଆ ପୁଅ ଜାମୁନାଳିର ମହୁରିର ସହିତ ଖଟିଆଡ଼େ, ଭାଟିଆଡ଼େ ଆଗେଇବାର ଦେଖିଚି–ଭେଟା ଭେଟିରେ ଯେତେବେଳେ ଏଇ ହୁ ହୁ ଘୁଘୁଟା ପ୍ରବଳ ହୋଇଥାଏ, ଗଡ଼ତିଆ ପୁଅକୁ ସାନ୍ତ୍ୱନା ସୂଚକ ସ୍ଵରରେ କହେ–ହଃ, ଯିଏ କହିଲେ କହୁଥାଉ, ତମେ ନାଇଁ ଶୁଣ୍‌ଲେ ଗଲା । ହଜାରେ କୁକ୍‌ର ଭୁକି ହଉଥିବେ । ରଜାପୁଅ ଛାତି ଫୁଲେଇ ଚାଲ୍‌ଥିବ । ଜାଣ୍‌ଲ, ମଦଟା ରଜ୍ଜା ନିଶା ! ଆପୁଟା ସୁକ୍‌ ମାରିଆ । ଗଁଜେଇଟା ସେନ୍‌ତି ନାକ୍‌ରା ନିଶା ପାଇଁ—ହରି ଭକ୍ତିଆ, ଭକ୍ତି ଅଂଶିଆଟେ । କେନ୍‌ଟା କା’ଠୁ ଉଣା ନାଇଁ । ହଁ ହେଲେ ହେବେ ଉଣିସ୍‌ ବିଶ୍‌ । ଏତ୍‌କି ଯାହା । ଯେନ୍‌ଆଡ଼େ ଯାଉଚ ସେଟା ନିଶା ଭିତ୍‌ରେ ରଜ୍ଜାଟା !

 

ସୁନ୍ଦରୀର ବିଦ୍ରୂପ ମିଶା କଥା ଆଡ଼େ କାନଟା ଥିଲେ ବି ନଶୁଣିଲା ଭଳି କହି ଚାଲିଥିଲା–ସତେ ଲ, ରହ ଦେଖ୍‌ବୁ । ରହ ଦେଖ୍‌ବୁ ମର୍‌ କଥାଟା ସତ କି ମିଛ । ନେବି, ନେବି, ଯେନ୍‌ଟା କହିଚିଁ ନେବି । ମର୍‌ ହାତ୍‌ରୁ ଖସି ନାଇଁ ଯାଏ । ଯେତ୍‌ ବେଳେ ଯୁଡେ ଜାଗାରେ ତିନ୍‌, ତିନ୍‌ ଜାଗାରେ ପାଁଚ୍‌, ପାଁଚ୍‌ ଜାଗାରେ ଦଶ୍‌ ହବ,...

 

କହୁ କହୁ ବେଳେ ବେଳେ ଚମକୁଥିଲା । ବେଳେ ବେଳେ କଥାଟା କଳ୍ପନାକୁ ଟପି ଯାଉଥିବାର ଲକ୍ଷ୍ୟ କରି କଥାଟାକୁ ସେଇଠି ବନ୍ଦ କରି ଦେବାକୁ ଭାବୁଥିଲା । ଅତି ଅତର୍କିତ ଭାବରେ କୋଉ ଅଜଣା ଅଶୁଣାଠୁ କଳ୍ପନା ବର୍ହିଭୂତ କଥା ଗୁଡ଼ାଏ କେମିତି ଯେ ଖସି ପଡ଼ୁଥିଲା ସେ ଆଡ଼ଟା ଖିଆଲକରି ପାରୁନଥିଲା । କଥା ଗୁଡ଼ାକ ହାଲ୍‌ କଥାର ସୁଅ ଭିତରେ ମିଶି ସୁଅକୁ ଏତେ ପ୍ରଖର କରି ଦେଉଥିଲା ଯେ ରୋକି ପାରୁନଥିଲା । ସୁଅ ଅଟକା ବନ୍ଧ ଗୁଡ଼ାକ ହଠାତ୍‌କୁ ହଠାତ୍‌ ଭୁସୁଡ଼ି ଯାଉଥିଲା ।

 

ଭଗାରି କଥା ବନ୍ଦ ହୋଇ ନାଇଁ । ସୁନ୍ଦରୀର ବିଦ୍ରୂପ ମିଶା ଭାଷା କମି କମି ଗଲାଣି । ଯୋଉ ଆଡ଼େ ଅନେଇଚି ସେଇ ଆଡ଼େ ଆଗକୁ ଆଗକୁ ମାଡ଼ିଯାଇଚି ସେଇ ବିସ୍ତର ଚକଡ଼ାଟା–ନାଳି, ମାଳ, ଆଟ, ବନ୍ଧ—ତା ଉପରକୁ ଢିପ, ଟାଙ୍ଗର । ଆହୁରି ଦୂରରେ ମୁଣ୍ଡିଆ ପାବ୍‌ଲି ପାହାଡ଼-। ଆହୁରି ଦୂରରେ ଆକାଶ ସହିତ ହଜିଲା ଭଳି ପାହଡ଼ଟା ଆଖପାଖର ବଣ ଭୂଇଁ ସହ ଚଇତି ଧୂଆଁ ଭିତରେ ବିଲ୍‌କୁଲ୍‌ ହଜିଯାଇଥିଲା ।

 

ଭଗାରିଠୁ କେତେଥର ଶୁଣିଲାଣି ସେଇ ଆଡ଼ର ପାହାଡ଼ ଆଡ଼େ ଝରିମୁଣ୍ଡା ନାଳ ବନ୍ଧାହବ । ଆଠକାଳି ବାରମାସୀ ଏ ଆଡ଼େ ପାଣି ମାଡ଼ିବ ।

 

ସେଇଆଡ଼େ ସମ୍ପ୍ରସାରଣ ବିଭାଗର ଜିପଗାଡ଼ି ଗତି କଲା ବେଳେ ସୁନ୍ଦରୀ ଥରଟିଏ ଭଗାରିକୁ ଦେଖିଥିଲା ଜାମୁନାଳି ଗଡ଼ତିଆଙ୍କ ସହିତ ପଛ ପାଖରେ ବସି ଥିବାର ।

 

ସେଇ ଆଡ଼େ ଚାହିଁଥିଲା ସୁନ୍ଦରୀ । ସେଇଆଡ଼େ ଜମି, ଆଟ, ବନ୍ଧ ସାଙ୍ଗକୁ ତାଳ ତୋଟା । ହୁଡ଼ାରେ ହୁଡ଼ାରେ, ଆଟ କଡ଼େ କଡ଼େ ମାଳ ମାଳ ମହୁଲ ଗଛ । ଚଇତି ପବନରେ ଝଡ଼ି ଝଡ଼ି ଯାଉଥିବା ମହୁଲର ଟୁପ୍‌ ଟାପ୍‌ ଏଇଠି ଥାଇ ବି ଶୁଣିପାରୁଥିଲା । ତାଳବୁରି କଡ଼େ କଡ଼େ ଲମ୍ବି ଯାଇଥିବା ଆମ୍ବ ପଣସ ତୋଟା ବି ଜଳ୍‌ ଜଳ୍‌ ଦିଶିଯାଉଥିଲା ।

 

ଏ ଆଡ଼ର ଦୋଳ ଦେଖିବାକୁ ଦିନ କେତେଟା ତଳେ ବିଶି ସାଙ୍ଗରେ କମଳୁ ଆସିଥିଲା-। କଥାଟା ଖୋଲି ନ କହିଲେ ବି ମନ କାମନାଟା ପଚାରିଥିଲା କମଳୁକୁ ।

 

ନାଶା ବାରି କମଳୁ ଚାହିଁଥିଲା ସୁନ୍ଦରୀକୁ । ପଲକହୀନ ଉତ୍କଣ୍ଠାକୁ ଲକ୍ଷ୍ୟ କରୁ କରୁ କଥା ବଦଳେଇ ଥିଲା—ହଃ, ନାଶା ବାର୍‌ବ ସିନା, ସବୁବେଳେ ଠିକ୍‌ ନାଇଁ ବାଜେ ତ । ରାଶି, ନଖତ୍ର, ଅମୁର୍‌ତ ବେଳା ଠିକ୍‌ ନାଇ ଥିଲେ......

 

ଚଇତା ଚାହିଁଥିଲା ଆକାଶକୁ । ମେଘ ଘୋଟିରହିଚି । ପାହାଡ଼ ଉପରକୁ ଚରି ଚରି ଆସୁଚି । ପାହାଡ଼ ଦେହରେ ଏଠି ସେଠି କେବେ ମେଞ୍ଚା ସଫେଦ ମେଘ ଲାଖି ରହିଚି । ଟିକକ ଆଗରୁ ବର୍ଷି ଯାଇଥିବା ମେଘର ଡେଣାଝଡ଼ା ପର ଗୁଡ଼ିଏ ଅବା ।

 

ଉପର ଆଡ଼ୁ ଚରିଚରି ଆସୁଥବା ମେଘଟା ଏଇ ମେଞ୍ଚା କେତେଟାକୁ ଗିଳି ଦବାଭଳି ଅବସ୍ଥାରେ ।

 

ସକାଳୁ ସକାଳୁ ଚଇତାକୁ ଗିଳିବସିଚି ଆଳସ୍ୟଟାଏ । ରାତିରେ ବର୍ଷା ପଡ଼ିଚି । ହଳ ଧରାଧରି ଆରମ୍ଭ ହେଇ ଗଲାଣି । କାମକୁ ଯିବାକୁ ତର ବରିଆ ଭାବଟାଏ ଭିତରେ ଭିତରେ ତଳ ଉପର ହେଉଚି—ଲଙ୍ଗଳ ଯୁଆଳି ଯାଏଁ ବି ଆଗେଇ ଯାଇ ପାରୁନାଇଁ ।

 

ଆଖି ଓହ୍ଲେଇ ଆସୁଚି ମେଘ ଆଡ଼ୁ । ପାହାଡ଼ ତଳର ବଣ ଆଡ଼େ ଚାହୁଁଚି ଥରକୁ ଥର । ସେଇଆଡ଼େ ନେଇ ଯାଇଚନ୍ତି ଅହିଲା ଆଡ଼ର କଅଁଳା ଛୁଆଟିକୁ । ତା ଉପରଟି ମାଁ ମାଁ ହେଇ ଯାହା ହେଲାଣି ଅହିଲା ନ ଚାହିଁଲେ ବଞ୍ଚିଲା ଭଳି ଭାବୁନାଇଁ । ଟିକକ ଆଗରୁ ମାଁ ମାଁ ହେଇ ଗଡ଼ା ଗଡ଼ି ଆରମ୍ଭ କରିଦେଇଥିଲା ।

 

ବେଳକୁ କଳି ନଉ ନଉ ହଳ ଲଙ୍ଗଳ ପାଇଁ ଆଗେଇଗଲା ବାଡ଼ି ପାଖକୁ । ଟିକକ ଆଗର ସେଇ ରାହା ଧରାଟି ମୁଢ଼ି ଟୋକେଇ ଆଗରେ ମୌନ ହେଇ ପଡ଼ିଚି—କାନ୍ଦର ହିକାଟା ହଜି ଯାଇନାଇଁ । ପାଖ ଦେଇ ଆଗେଇ ଗଲା ବେଳେ ଦଣ୍ଡେ ଠିଆ ହେଲା । ପାଟି ନାକର ତରଳ ପଦାର୍ଥ ସାଙ୍ଗରେ ଲାଖିରହିଚି ମୁଢ଼ି କଣା ଗୁଡ଼ିଏ । ହସ କାନ୍ଦର ଆକୁଞ୍ଚନ ପ୍ରସାରଣ ବେଳେ ଝରିପଡ଼ୁଚି ଗୋଟିକୁ ଗୋଟି, ପୁଞ୍ଜାକୁ ପୁଞ୍ଜା ।

 

ପୋଛି ଦେଇ ଆଗେଇ ଗଲା ଚଇତା ।

 

ହୁଡ଼ାତଳେ ହଳ ଲଙ୍ଗଳ ଯୋଖିଲା ବେଳେ କମଳୁ ପାଖେଇ ଆସିଲା । ଭାଙ୍ଗ କଳ କଳ ପାଟିରେ କହିଲା—ଯେନ୍‌ଟା ଭାବୁ ଥିଲି ସତ ।

 

—କାଇଁ ଟା ?

 

—ତର୍‌ ଇ ଖେତ୍‌ରେ, ଠିକ୍‌ ଇ ପାଖ୍‌ରେ ହଁ, ହଁ ଠିକ ଇଠିତ ଭେଟ୍‌ଣା । ନାଇଁ ଡର୍‌ ! ନାଇଁ ଡର୍‌ରେ ଚଇତା ନାଇଁ ଡର୍‌ ! ସାତ୍‌ଟା କୁଲା, ସାତ୍‌ଟା ଟୁପା, ସାତ୍‌ ଜାତିର୍‌ ଫୁଲ...

 

ହଳ ଫାନ୍ଦୁଫାନ୍ଦୁ ଶୁଣିଯାଉଥିଲା ଚଇତା ।

 

ନିଜର ଠିଆ ହଳ ଆଡ଼େ ଆଗେଇ ଯାଇ କମଳୁ କହି ଚାଲିଥିଲା—ଇଥ୍‌ର ଯେନ୍‌ ଗୁସେଇଁ ଆଗ ଆଇବ ଇ ଖେତର ପହିଲି କୁଲାକ ତାର୍‌ ଅଁଟିରେ ଅଜାଡ଼ି ଦବୁଟି ! ଆଁ ? ମେଘଆଡ଼େ ଥରକୁ ଥର ଚାହୁଁଥିଲା ଚଇତା । ଥରକୁ ଥର ଚାହୁଁଚି—ହଳ ବୁଲେଇ ଚାଲିଚି ।

 

ଖରାଫଟା ମାଟିର ଆଁ ଗୁଡ଼ିକ ମିଶି ମିଶି ଯାଉଚି ଲଙ୍ଗଳ ଚିରାଆଁ ଧାରରେ ।

 

ଏପାଖେ ଚିରି ନଉଚି । ସେପାଖ ଚିରାଟା ଦୁହୁରି ନଉଚି ଅକର୍ମ ।

 

ମେଘକୁ ଚାହିଁଚି ଚଇତା । ମେଘ ଭିତରେ ଦୂର ପାହାଡ଼ ନିଶ୍ଚିହ୍ନ ହେଉଚି । ପାଖ ପାହଡ଼ ମଥାର ଫାଳଟେ ମେଘର ଆଁ ଭିତରେ ।

 

ହଳା ଫିଟାଫିଟି ବେଳ ଟପିଚି । ଟପିଲେ ବି ଲାଗିଯାଇଚନ୍ତି କେତେଜଣ । ଡେରିରେ ଝରିଚି—ପୁଣି ଝରିବା ତା ଉପରେ ।

 

ପୁଅ ଜିମା ହଳ ଛାଡ଼ିଦେଇ ତୀର୍ଥ ପୁନରାବୃତ୍ତି କରୁଥିଲା କାଲି କଥାଟା । ସକାଳୁ ଲମ୍ବି ଆସିଲା ବେଳର ସେଇ କଥାଟା ହଃ, ତମେ ଗଲେ ଯାଉଥ । ମୁଇଁ ନାଇଁ ଯାଇ ପାରେଁ । ସେଥ୍‌ର ତ ଦେଲ, ସେଥ୍‌ର ତ ଦେଲ—କାଇଁଟା ପାଇଲଣ ? ହଃ, ଯିଏ ରଜା ହବାର୍‌ ହଉ ଥାଉ, ଆମର୍‌ ଏନ୍‌ତି ଇଁଦ୍‌ର ପାଳୁଥାଉ ଲଁଗ୍‌ଳ କାଟୁ ଥାଉ, ଧାନ ପାଚୁଥାଉ ।

 

ହଳ ଫିଟେଇ ଆଗେଇ ଯାଉଚି ଚଇତା ।

 

କୁରୂପା ଭୁଇ ଶେଷ ଅଞ୍ଚାକ ଧରି ଦବାକୁ ନିଜର ମଠୁଆ ଉପରେ ପାହାର ବସଉ ବସଉ ଗାଳିଦେଇ ଚାଲିଚି—ଉଁ, ଶଳାର୍‌ ବଳ୍‌ଦ ! ଟୁପେ ନାଇଁ ଚଁକ୍‌ ବାକ !

 

ମାୟା ମୁର୍‌ଗଠୁ ହନୁ ଠାବ ଯାଏ ଗୀତ ଗୁଡ଼ିକ କେତେ ବେଳୁ ଛପିଗଲାଣି ।

 

ଏଇ ଦିଶୁଥିବା ପାହାଡ଼ଟା ଏଇ ହଠାତ୍‌ ଛପିଗଲା ।

 

ପାହାଡ଼ ସହିତ ବଣଟାବି ଆକାଶ ଭିତରେ ଯାଦୁକରର ହଟଚମଟ ଭଳି ହଠାତ୍‌କୁ ହଠାତ୍‌ ହଜି ଯାଇଚି ।

 

ହଠାତ୍‌କୁ ହଠାତ୍ ଦିଶି ଯାଉଚି ।

 

ବୁଣାବୁଣି ସାରି ଦେଇ ଚଇତା ଗଲା ଅହିଲାକୁ ଡାକି । ଶାଶୁ ଘରେ ପହଞ୍ଚିଲା ବେଳକୁ ମୁଣ୍ଡ ଉପରେ ବେଳ ।

 

କାନ୍ଦ ବୋବାଳି ଗାଁ ମୁଣ୍ଡରୁ ଶୁଣି ପାରିଥିଲା । ଅହିଲା କାନ୍ଦଟା ଖୁବ୍‌ ବେଶୀ ବାରିହେଇ ପଡ଼ୁଥିଲା । କାନ୍ଦ ସାଙ୍ଗେ ସାଙ୍ଗେ ଶାଶୁ ବୁଢ଼ୀକୁ ମଶାଣିକି ନେବାର ପହିଲି ଯୋଗାଡ଼ ବି ଚାଲିଚି ।

 

ପାଟି ପଡ଼ିଯାଇଚି ବୁଢ଼ୀର । ଆଉ ଯେ ଫିଟିବ ନାଇଁ ସେ ଖବରଟା ଫୁଟି ଉଠିବା ସାଙ୍ଗେ ସାଙ୍ଗେ ଏ ଯୋଗାଡ଼ । ଶାଶୁ ବୁଢ଼ୀକୁ ଶେଷ ମୁହୂର୍ତ୍ତରେ ଦେଖି ପାରି ଥିବାରୁ, ଯାହାଙ୍କୁ ସୁମରଣା କରି ବାହାରିଥିଲା ତାଙ୍କ ଦୟାରୁ କଣିକାଏ ବୋଲି ଭାବି ନେଲାଣି ।

 

ଶାଶୁ ବୁଢ଼ୀର ପୂରାପୂରି ଶେଷ ଅବସ୍ଥାଟା ଦେଖି ପାରିଲା ନାଇଁ । ମଶାଣିର ସାଜ ସରଞ୍ଜାମ ସଜିଲ ହେଇଥିବା ଅବସ୍ଥାରେ ବୁଢ଼ୀର ପଡ଼ିଥିବା ପାଟି ଖୋଲିଗଲା ।

 

ଫେରିବା ଯାଏଁ ଶାଶୁ ବୁଢ଼ୀର ସେଇ ପୁରୁଣା କଥା–ରାଁଡି ଛାଡ୍‌ରି ଗୁଟାକୁ ଚାର୍‌ଶ ପାଁଶ ହେଲାଣ ! ଟଁକା ପଇସା ମତେ ପିତା ଲାଗୁଚି କାଁ ? ଫେର୍‌ କାହିଁ ଲାଗି ଆଇଲୁ । ଯା, ମର୍‌ ଘରୁ ଯା । ଇ ଘରେ ଆଉ ପାଦ ପକେଇଥିବୁ ତ ଦେଖ୍‌ବି ।

 

‘କୁକୁର’ଟା ଫିଟି ଆସୁଥିଲେ ବି କୌଣସି ପ୍ରକାରେ ସହି ସମ୍ଭାଳି ଆଉଥର ପାଇଁ ସାଇତି ରଖିଲା ।

 

ଏ ଘରେ ଆଉ ପାଦ ନପକେଇବାକୁ ବୁଢ଼ୀ ମନା କରିଥିଲେ ବି ପୁଣି କିନ୍ତୁ ଆସିବାକୁହିଁ ହେଲା । ଅହିଲାକୁ ଆଣିବାରେ ବିଫଳ ହେଇ ଘରକୁ ଫେରିବାର ମାତ୍ର ଦୁଇ ଦିନ ପରେ ଖବରଟାଏ ମିଳିଥିଲା—ଶାଶୁବୁଢ଼ୀର ପାଟି ଶେଷ ଥର ପାଇଁ ପଡ଼ିଯାଇଚି ।

 

ସମ୍ବାଦଟା ମରମରେ ଭେଦିବା ଆଗରୁ ଅହିଲାର ବଳଟା ଭାଂଗି ଯାଇଚି ବୋଲି ଧାରଣାଟାଏ ଚହଲିଯାଇଥିଲା ।

 

ଏକାଦଶୀରେ ବୁଢ଼ୀ ଚାଲିଯାଇଚି । କେତେ ପୁଣ୍ୟ ବଳରେ ଏକାଦଶୀ ପାଇ ଚାଲିଗଲା–ଚଇତା ଏଇ କଥା କେତେ ଜଣଙ୍କୁ କହିଲାଣି । ଅହିଲାକୁ ବି ସ୍ଵତନ୍ତ୍ର ଭାବରେ କହିଲା । ସୁଧଘର ଉଠିବା ଯାଏଁ ଡକା ହକରା, ଦିଆ ଥୁଆରେ ଲାଗି ଯାଇଚି ।

 

ଘରଆଡ଼ୁ ଯାହା ଯାହା ନେଇଥିଲା ଶଳା ବା ଶଳାଭାଉଜକୁ ଦେଖେଇବା ଆଗରୁ ଅହିଲାକୁ ଦେଖେଇଚି ।

 

ଧାନ କଟାକଟି ବେଳେ ଅହିଲା ଆସିଲା । ଆସିଲା ଭାଇ ସାଙ୍ଗରେ । ଚଇତା ସାଂଗରେ ଦି’ ପଦ ହସ ଖୁସି ହୋଇ ଶଳା ଚାଲିଗଲା ।

 

ଅହିଲା ପ୍ରସ୍ତାବରେ ହଁ ହାଁ କରି ଚାଲିଚି ଚଇତା ।

 

ଦିନ କେତେଟା ପରେ ପହିଲି ନାତିର ବାହାଘର । ବାହାଘରଟା ତୁଟିଲେ ଆଉ କଥା ତୁଟା ହବ ବୋଲି ପ୍ରତିଶ୍ରୁତି ଦେଲାଣି ।

 

ଦିଆ ଥୁଆ, ସବୁ ଆଡ଼କୁ ଲକ୍ଷ୍ୟ କରୁଚି ଅହିଲା ।

 

ପହିଲି ନାତିର ବାହାଘର । ଚଇତାର ହାତ ଖଲ୍‌ ଖଲ୍‌ ହେଲେ ବି ଅହିଲା ପାଇଁ ବେଶୀ କିଛି ଖୋଲାଖୋଲି କରି ପାରୁ ନାଇଁ ।

 

ମଙ୍ଗଳ କାମରେ ଅଳ୍ପ ଟିକିଏ ଝଡ଼ ଛୁଟେଇବାକୁ ମନ ବଳୁ ନାଇଁ ।

 

ନବଘନ ପୁଅର ବଡ଼ କନିଆଁ ଆସିବ । ଅକର୍ମର ପୁଅ ବାହା । ଗାଁର ଆଉ ଗୋଟିଏ ବି ସେଇ ଲଗ୍ନରେ ।

 

ବିହା ଲଗ୍ନ ଫିଟିଚି । ଗାଁ ଗାଁରେ ପିଠାଖିଆ ବାଜା ଚମକିଲାଣି ।

 

ଚଇତା ଘର ଆଗରେ ବି ବାଜିଲାଣି ପିଠା ଖିଆ ବାଜା ।

 

ବର ଲମ୍ଵିବ ଏଥର ।

 

ବାଜା ଘୁଂଗୁର ତାଳ ଭିତରେ, କାନି ଝୁଲା ଝୁଲି, ଚୂଳ ହଲାହଲି, ପାପୁଲି ମୁଠାର ଟିକି ଆଇନା ଦେଖାଦେଖି ଭିତରେ ଆରମ୍ଭ ହେଇ ଗଲାଣି ପିଠାଖିଆ ଗୀତ–କେଲି କଦଁମ ମୂଲେ ବଁଶି ବଦନା......

 

ଗୁସେଇଁ ତଡ଼ବଡ଼ କଲେଣି । ପ୍ରାରମ୍ଭିକ କଙ୍କଣ ପାଶ ହରିଦ୍ରା ବାସ କରିଦେଇ କେତେଟା ଜାଗା ଆସିଚନ୍ତି । ଯେତେ ରାତି ହଉ ପାହାନ୍ତି ହଉ ସବୁଆଡ଼େ ଟଣାହେଇ ଯିବେ ।

 

ବାହାଘରେ ଲମ୍ଵି ଯିବା ଆଗରୁ ଚିନ୍ତିତ ହେଇଉଠୁଥିଲା ନବଘନ । ଅନେକ ପଚରାଉଚରା ଖୋଳା ଖୋଳିରେ ବିଶ୍ଵସ୍ତ ସୂତ୍ରରୁ କନ୍ୟାଘର ଗାଁରେ ଜଣେ ରନ୍ଧା ଖାଉଥିବାଙ୍କର ନାଁ ଶୁଣିଚି । ଶୁଣି ଅନେକଟା ବଳ ପାଇଚି । ତଥାପି ହଠାତ୍‌ ମେଘ ଖଣ୍ଡେ ଦେଖି ଟୁଙ୍ଗିରୁ ଗୋଡ଼ କାଢ଼ିବାକୁ ମନ ବଳୁ ନାଇଁ । ସେ ଆଡ଼ର ସମ୍ବନ୍ଧରେ ସନ୍ଦିହାନ ବି ହଉଚି ।

 

ବାଜା ହୁଳହୁଳି ଶୁଭି ବି ନଶୁଭିଲା ଭଳି ।

 

ପାହାଡ଼ ଉପରକୁ ଜହ୍ନ ଉଠିଲାଣି । ଫଗୁଣର ଜହ୍ନଟା ମେଘ ଭିତରେ ପ୍ରାୟ ଛପି ଯାଇଚି । ଏତେ ଗୁଡ଼ିଏ ବିହା ଲଗ୍ନରେ ମେଘ ଯେ ପିଠା ଖାଇ ଆସିବ କେହି କେହି ଆଗରୁ ଜଣେଇ ଦେଇଥିଲେ ।

 

ଗାଁର ବର ଲମ୍ଵି ଗଲାଣି ।

 

ଗାଁକୁ ବର ଆସିବ ।

 

ଲମ୍ବି ଯିବା ପରେ ବି ଚହଳ ଭାଂଗି ନାଇଁ । ବରଯାତ୍ରୀ ଆସିବେ—ଏଇ ବା ଆଉ ଟିକକୁ ।

 

ବାଜା ଶୁଣୁ ଶୁଣୁ ଗାଁ ମୁଣ୍ଡ ଆଡ଼େ ଆଗେଇ ଗଲେ କେତେ ଜଣ ।

 

ପିଣ୍ଡାରେ ବସି କାନେଇଚନ୍ତି କେତେ ଜଣ । ଲାଛୁ ଯାଇଚି ଜନ୍ତୁ ମାରି । ସେ ଆଡ଼ଟା ନହେଲେ ବି ବନ୍ଧା ମେଣ୍ଢାର ମୁଣ୍ଡହୀନ ଅବସ୍ଥାଟା କଳ୍ପନାକୁ ନେଇ ଆସିଲେଣି କେତେ ଜଣ ।

 

ଭେଁ ଭେଁ ମେଁ ମେଁ ସାଙ୍ଗକୁ, ଏଇ ଅବା ଭାସିଆସିବାର ଢୋ ଢାର ଅପେକ୍ଷାଟା ଭିତରେ, ଅକର୍ମ ଘରକୁ ଭାର ନେଇ ଆସି ହାଲିଆ ହେଇ ପଡ଼ିଥିବା ହଳିଆ ସ୍ଵପ୍ନ ଦେଖୁଚି । ଆଖପାଖକୁ କହି ଚାଲିଚି ନାଳେଇ ଆସୁଥିବା ପାଟିରେ—ବାର୍‌ହା କି ସଁବ୍‌ର ମାଉଁସ ହେଇଥିବ, ସୁର୍‌ଷ ମେଁଚେ ଭଲ୍‌ କିରି ବଟାବଟିଟେ କର୍‌ଦେଇ, ତେଲ୍‌ ଟୁପେ ହଲ୍‌ଦି ଟିକେ....ରନ୍ଧା ପାଗ ବର୍ଣ୍ଣନା କରୁ କରୁ କାନେଇଚି । ଆସୁ ଆସୁ କନିଆ ଘରୁ ଡାକରା ପାଇଚି ।

 

ବରଯାତ୍ରୀରେ ଆଗଉ ଆଗଉ ଗାଁ ଆଡ଼ ବନ୍ଧାଟିର କବନ୍ଧ ରୂପକୁ ମନେ ପକେଇ ନଉଚି କମଳୁ । ସେଆଡ଼ର କନିଆଁ ଘରେ କେତେ ହେଇ ଥିବା କଳ୍ପନା ବି ଚରି ଯାଉଚି । ହାଲ୍‌ଖାଇ ଆସିଥିବା ଜଂଗଲ ନଳା ପୋଡ଼ାଟା ବି ମନେ ପଡ଼ି ଯାଉଚି । ବାଉଁଶ ନଳରୁ ଲୁଣ ହଳଦୀ ମିଶା ଲମ୍ବାଳିଆ ମାଉଁସ ମେଞ୍ଚା ଅଜାଡ଼ି ହୋଇ ପଡ଼ି ଏଇ ଅବା ସାମ୍‌ନାରେ ଥଲ୍‌ଥଲ୍‌ କରୁଚି ।

 

ଚଇତାର ନାତି ବାହାଘରକୁ ବରଯାତ୍ରୀ ହୋଇ ଯାଇଥିବା ଗାଁର ସମ୍ବାରୁ ଥପା ଖିଆ ପିଆରେ ନାଁ କରିଚି, କି ନାଁ ପକେଇ ଆସିଚି ଜାତି ସଭାଯାଏ କଥା ଯାଉ ବୋଲି କେହି କେହି କହିଲେଣି । ପହିଲେ ପହିଲେ ଘରେ ନିଆଁ ବୋଲି ଠିକ୍‌କରିନେଇ ସମ୍ଵାରୁର ଏଇଟା ନାଁ ପକା କଥାଟାଏ ବୋଲି ଧରି ନେଇଥିଲେ ଗାଁ ବାଲେ ।

 

ପରେ ପରେ ତାକୁ ସେଇ ଘରନିଆଁ ହିସାବରେ ଧରିଥିଲେ ବି ଅଣ୍ଟିରେ ପୂରେଇବାର କାଇଦାଟାଏ କରିବାକୁ ଛାଡ଼ି ନାହାନ୍ତି ।

 

ଅଣ୍ଟିରେ ପୂରାଟା ବଡ଼ ଭାଗ ଗାଁ ଭାଇ, ଗାଁ ଆଣ୍ଟ ପାଇଁ ।

 

କମଳୁ କହିଚି ଛାଡ଼ରେ ପିଲେ, ଛୁଟ୍‌ କଥାଟେ ! ଇଥିର୍‌ ଲାଗି କଥାଟା ଏତେ ବାଟ ଯିବ-? ଛାଡ଼, ଧାନ୍‌ କେଁଡାଟା ନଇଁ ଗଲା; ଗର୍‌ଗଡ଼ଟା ମୁଁଡ୍‌ ଟେକିଚି ! ଯିଏ ପାତ୍‌ର ଅଁତର୍‌ କର୍‌ବ କି ଗୁପତ୍‌ କର୍‌ବ ତାର ଧରମ୍‍ ତା’ଠି । ତଥା ତ ତୁଟିଚି, ଯିଏ ଗୁପତ୍‌ କର୍‌ବ ତା’ର୍‌ ବଉଁଶ ବୁଡ଼୍‍ବ, ଆମର୍‌ କାଇଁଟା ଅଛି ?

 

ତୀର୍ଥ କହିଚି—ନାଇଁ ନାଇଁ, ନାଇଁ ଛାଡୁଁ । କାହିଁଲାଗି ଗୁପତ୍‌ କଲେ ? କାହିଁଲାଗି ପାତର୍‌ ଅଁତର୍‌ କଲେ ? ବଡ଼୍‍ଟାକୁ ଯେତ୍‌ଯୁଡ଼ା, କି ଯେତ୍‌ ଗଁଡା, ମୁଠାଟାକର୍‌ ପିଲାଟାକୁ ତ ସେଟା ହବାର୍‌କଥା । ସେ

 

ଖାଉ କି ନାଇଁ ଖାଉ, ପକଉ କି ଫିଁଗୁ, ହଜଉ କି ନଶଉ, ଇଥ୍‌ରେ କାର୍‌ କାଇଁଟା ଅଛି-?

 

ବାହାଘରୁ ଫେରି ନୟାନ୍ତ ହେଲାଣି ନବଘନ । ଯାହା ଶୁଣିଥିଲା, ସେଠି ସେଇ ସୁବିଧା ଟିକକ ମିଳି ନଥିଲା । ଶୁଣାଟା ଗୁଜବ୍‌ବୋଲି ଜାଣିପାରିଥିଲା ।

 

ବାହାଘର ପରେ ପରେ ନୟାନ୍ତ ହେଲାଣି ଚଇତା । ବାହାଘର ବାସୀ ବର କନିଆଁ ଫେରିବା ଆଗରୁ ଅହିଲା ଚାଲି ଯାଇଥିଲା—ନେଇ ଆସିଚି ମାଉସୀଟିଏ । ଚଢ଼ାଗଳା ବାଲା ମାଉସୀଟିଏ । ଗଳା ତେଜାତେଜି, ହାତ ଝଡ଼ାଝଡ଼ି, ସାଙ୍ଗକୁ କାନି ହଲା, ପାଦ କଚଡ଼ା, ନାକ ଛିଞ୍ଚଡ଼ା, ମୁହଁ ମୋଡ଼ା ଇତ୍ୟାଦିର ମାଧ୍ୟମରେ ଅହିଲାର ପକ୍ଷ ନେଇ ଓକିଲାତି କରି ଚାଲିଚି ସେଇ ମାଉସୀ । ଚଇତା ପକ୍ଷ ନେଇଥିବା ଏ ଗାଁର ତାଳ ଦେବା ବାଲାଟି ବି ପରାଜୟର ଗ୍ଲାନି ଭିତରେ ମୋଡ଼ିମାଡ଼ି ହୋଇ ରହିଯାଇଚି । ଲକ୍ଷ୍ୟ କରୁଚି ।

 

ସବୁ ଦେଖିଶୁଣି ଚଇତା ଯୋଉ ଅବସ୍ଥାକୁ ଆସିଥିଲା, ଧରାଧରି ନ କରିଥିଲେ ମାଉସୀର ମନଟା ମାନି ଯାଇଥାନ୍ତା ବୋଲି କେହି କେହି ଟୁପ୍‌ଟାପ୍‌ ହେଉଚନ୍ତି ।

 

ବାହାଘର ଖର୍ଚ୍ଚଠୁ ଆରମ୍ଭ କରି ଭିନ୍ନେ ହେବାର ଯୁକ୍ତି ପର୍ଯ୍ୟନ୍ତ ଦେଖାଇ ମାଉସୀଟି ଅନର୍ଗଳ କହି ଚାଲିଚି । ମାଉସୀ କଥାରୁ ପଦେ ପଦେ ଶୁଣି ଚଇତା ଚମକୁଚି । ଏକାନ୍ତ ଗୋପନୀୟ କଥା ବୋଲି ଠିକ୍‌ କରିନେଇ ଘର ଭିତରେ ଯାହାକୁ ସୀମାବଦ୍ଧ ରଖା ଯାଇଥିଲା ସେ ସବୁ ବି ମାଉସୀ ମୁହଁରୁ ଫିଟି ଆସୁଚି ।

 

ସକାଳୁ ସକାଳୁ କଥା ଗୁଡ଼ିକ ତେଜି ହେଲାଣି । ବେଳା ବେଳକୁ ଦୂର୍‌ଦୂର୍‌ ଅବସ୍ଥାକୁ ଆସିଲାଣି ।

 

ଶାଶୁଠୁ ମୁର୍‌କି ଖିଆ, ମର୍‌କ ଖାଇ, ପୁଅ ଖାଇ, ଘଇତା ଖାଇ ଇତ୍ୟାଦି ଶୁଣୁ ଶୁଣୁ ସୁଲଠି ଯୋଉ ପ୍ରତିକ୍ରିୟା ସଷ୍ଟି ହବାକୁ ଯାଉଚି, ତାକୁ ଲକ୍ଷ୍ୟ କରି ନବଘନର ସ୍ତ୍ରୀ ଆଉ ଗାଁର ପାର–ମାଉସୀ ତାକୁ ସେପାଖ ଅଗଣା ଆଡ଼େ ନେଇ ଗଲେଣି । ସାତ ମଂଗଳା ଶେଷ ହୋଇ ନଥିବା ପୁଅ ବୋହୁଙ୍କର ଅଂମଗଳ ହେବାର ଆଶଂକା କରି ତୁନି ରହିବାକୁ ବୁଝେଇ ଚାଲିଚନ୍ତି ।

 

ଟିକି ବହୁଟି ସାତ ମଂଗଳା ଯାଏ ରହିବାକୁ ଆସି ଶଶୁର ଘର ରୂପଟା ନୂଆ କରି ଦେଖି ନଉଚି । କଳିଆଡ଼େ କାନଉ କାନଉ, ବାର ପାଖାପାଖି ବରର, ବର ଉପରେ ବାର ବାର ଖଡ଼ି ଚଳା ଅସ୍ପଷ୍ଟ ଦାଗ ଥିବା ସିଲଟ୍‌ଆଡ଼େ ଚାହୁଁଚି । ଦିଅର ନଣନ୍ଦଙ୍କ ଟିକିଟିକି ଖେଳ ଜିନିଷଠୁ ଆଖି ଫେରେଇ ଖେଳ ଆଡ଼େ ଚାହିଁ ରହୁଚି ।

 

ନବଘର ଖଂଜାରେ ନୂଆବୋହୁଟିକୁ ଚଉଠି ବେଶ କରି ଦେଉଚନ୍ତି । ତେଲ ଜର ଜର ଢାଲିଆ ଖୋସା ପାରୁଚନ୍ତି । ଚଉଠି ବେଶକୁ ଆହୁରି ନିଖୁଣ କରିବାକୁ ମନ ବଳେଇବା ସାଂଗେ ସାଂଗେ କଳି ଆଡ଼େ ବେଳେ ବେଳେ କାନଉଚନ୍ତି । କେହି କେହି ବରାବର କାନଉଚନ୍ତି–ବେଶ କରା ଛାଡ଼ି ତାଟି ଉପରକୁ ମୁହଁ ଉଠେଇ ଡୁଂଗି ଯାଉଚନ୍ତି ।

 

ଚଉଠି ଭୋଜି ପାଇଁ ଘଣ୍ଟିଆ ନାଳରୁ ମରା ହୋଇ ଦୁଆରେ ଗଦା ହେଲାଣି ।

 

ନବଘନ ଟୁଂଗି ଭିତରୁ ଉଙ୍କି ମାରୁଚି ଏଆଡ଼େ ।

 

ପାଖେଇ ଆସି ଗଦା ଆଡ଼େ ଚାହିଁ ନଉଚି । ଭଜାଭଜି ରନ୍ଧାରନ୍ଧିର ଭାଗ ମାପ ସମ୍ବନ୍ଧରେ ପଦେ ଅଧେ କହିଯାଉଚି ।

 

ଫେରି ଯାଉ ଯାଉ ପୁଣି ଆସୁଚି । କେତେ ଖଣ୍ଡ ଭାଜି ନେଇ ପରୀକ୍ଷା କରିବାକୁ ଏପାଖ ସେପାଖ ହେଲାଣି ।

 

ନୂଆ ଗାଁ ପଞ୍ଚାୟତ ବଂଧରୁ କଳି ତକରାଳ ଭିତରେ ମରା ହୋଇଥିବା ଭିତରୁ ତୀର୍ଥ ଯୋଉଟା କିଣି ଆଣିଚି ସେଇ ଆଡ଼େ ବଡ଼ ଭାଗର ଆଖି । କାନ୍ଧରୁ ଓହ୍ଲାଇ ଥୋଇବା ଆଗରୁ କଳି ତକରାଳର ବର୍ଣ୍ଣନାଟା ଆରମ୍ଭ କରି ଦେଲାଣି । ବର୍ଣ୍ଣନାରୁ ଗୋଟାଏ ବର୍ଣ୍ଣ ବି ଛାଡ଼ିବାକୁ ମନ ବଳଉ ନାଇଁ ।

 

ଅକର୍ମର ଠେଙ୍ଗା ଧରାରେ କଳି ଯେତେବେଳେ କରାଳ ରୂପ ଦେଖେଇ ଆସୁଥିଲା ଦୂରେଇ ଯାଇଥିବା ଚଇତା ଦୁମ୍‌ଦୁମ୍‌ ହୋଇ ଆଗେଇ ଆସିଥିଲା । ଛଡ଼ାଛଡ଼ି ନକରିଥିଲେ ପୁଣି କ’ଣ ଯେ ହେଇଥାନ୍ତା ସେଇ କଥା ଭାବିବାର ଅବସ୍ଥାକୁ ଆସିଗଲାଣି ।

 

ଅକର୍ମର ଠେଙ୍ଗା ଉଠାଟା କେମିତି ଯେ ସମ୍ଭବ ହେଲା ଭାବି ପାରୁନାଇଁ । ଠେଙ୍ଗା କେତେବେଳେ କୋଉ ପାଖକୁ ଯେ ଗତି କରିବ ସେଥିରେ ବି ସନ୍ଦିହାନ ହେଲାଣି । ଠେଙ୍ଗା ଅପେକ୍ଷା ଏକାଠି ରହିବା ଓ ଭାଗ ଭାଗ ହେଇ ରହିବାର ମତ ପରିବର୍ତ୍ତନ ଆହୁରି ବେଶୀ ଅଡ଼ୁଆରେ ପକାଇ ଦେଇଚି ।

 

ମାଉସୀର ମୁହଁ ଆଗରୁ ଖସି ଦାଣ୍ଡ ଆଡ଼େ ପଳେଇ ଆସିଲାଣି ଚଇତା । ବନ୍ଧୁ ବାନ୍ଧବ, ସୂର୍ଯ୍ୟ ବାନ୍ଧବ, ଲେଖାଯୁଖା....ତା ଭିତରୁ ହାଣ୍ଡି ଛୁଆଛୁଇଁ, ଗୁଣ୍ଡା ଦିଆଦୁଇ, ଡକା ଡୁକି..ଗୋଟିଏ ଗୋଟିଏ ଆଖିରେ ପଡ଼ୁ ପଡ଼ୁ ଚଉଠି ଘର ଦାୟିତ୍ଵଟା ଆହୁରି ଆହୁରି ଖିଆଲକୁ ଆସିଯାଉଥିଲା ।

 

ଘର ଆଡ଼ୁ ମାଉସୀର ଚଢ଼ା ଗଳା ଭାସି ଆସୁଚି । ଅହଲାର ସଂପ ବଢ଼ି ଉଠିଚି ।

 

ସଂଗ୍ରାମ ଆହ୍ଵାନର ଶଙ୍ଖ ବାଜି ଉଠୁଥିଲେ ବି ଚଉଠିଘର ଶୁଭ ଶଂଖଟି ଚଇତାର କେନ୍ଦ୍ର ଭିତରକୁ ବେଶୀ ବେଶୀ ଆଗେଇ ଆସିଲାଣି ।

 

ଅହିଲା ଆଉ ମାଉସୀର ସଂଗ୍ରାମ ଆହ୍ଵାନ ଶଂଖ–ଠେଙ୍ଗାଧାର ବିକ୍ରମ ପରେ ଅକର୍ମ କେଉଁଠି ସଂକୁଚିତ ହୋଇ ଛପିଚି—ମୁହଁ ପୋତି ଚଇତା ପଶିଲା ନବଘନ ଘରେ ।

 

ଅଗଣାର ଗଦାଆଡ଼େ ପାଦ ବଢ଼େଇଲା ।

 

ଗଦାକୁ ବେଢ଼ି ଯାଇଚନ୍ତି । ବେଢ଼ା ପଛରେ ଠିଆ ହେଲା । ବନ୍ଧୁ ବାନ୍ଧବରେ ସଂଖ୍ୟା ସହିତ କଳି ନେଲା ।

 

ବଡ଼ ସାନ ମିଶାମିଶି ଗଦାଏ । ଟିକି ଟିକିରୁ ଡିଆଁ ମାରୁଚନ୍ତି କେତୋଟି । ମଝିଲାରୁ ମଟ୍‌ମଟ୍‌ କରୁଚନ୍ତି କେତେଟା, ମିଟ୍‌ କରୁଚନ୍ତି କେତେଟା । ବଡ଼ରୁ ଛଟ୍‌ପଟ୍‌ ହଉଚନ୍ତି ଗୋଟେ ଦିଟା-

 

ଛଟ୍‌ ଛଟ୍‌, ସୁକ୍‌ ସୁକ୍‌, ଆଁ ଆଁ, ପାକୁ ପାକୁ—ବଞ୍ଚି ରହିବାର ବିଫଳ ଚେଷ୍ଟା, ଅନ୍ତିମ ଅସହାୟତା, କୃପାହୀନ କାରୁଣ୍ୟ ।

 

ନାତି ବାହାଘରକୁ ଆସିବା ପାଇଁ ସୁନ୍ଦରୀ ଯେତେ ରକ୍‌ସକ୍‌ ହେଇ ଥିଲେ ବି, ଯେତେ ରସ୍‌ ରସ୍‌ କାନ୍ଦି ପକେଇ ଥିଲେ ବି ଅସଲ ବେଳକୁ ଅଣ୍ଟା ବାତଟା ଆହୁରି ଯୋର୍‌ ସୋର୍‌ରେ ବାହାରିଚି–ଆସି ପାରିନାଇଁ । ଭଗାରି ଆସିଥିଲେ ବି କନିଆ ଘରୁ ପୁଅ ବହୁ ବିଦା ହେବା ପରେ ପରେ ଜରୁରୀ କାମ ଦେଖଇ ଥିଲା । ସେଆଡ଼ୁ, ସେଆଡ଼ୁ ଫେରି ପାଇବ । ଯୋଉ ଦିନ ରହିଥିଲା ଝିଅ ଘରେ, ନବଘନ ସାଙ୍ଗରେ ସେହିଦିନର ଅନୁଭୂତିଟା ଜୀବନରେ ପହିଲିଥର ।

 

ନବଘନ ଚୁଙ୍ଗିଟିକୁ ବଢ଼େଇ ଦେଇଥିଲା । ନାହିଁ ନାହିଁ କରୁ କରୁ ଦି ସୁଡ଼ୁକା ଟାଣିଥିଲା । ପିତାଳିଆ କୁହୁଳାଟା ନଢ଼ୁକିବାକୁ ଠିକ୍‌ କରୁ କରୁ ଅଧାଅଧି ଢୁକିନେଇ ଏଇ ରନ୍ଧା ଖିଆଟାକୁ ନିନ୍ଦା କରିଥିଲା । ସିଙ୍ଗାରିପଡ଼ା ଗଡ଼ତିଆଠୁ ଶଳାର କୀର୍ତ୍ତି ଯାଏ ଉଦାହରଣ ଦେଇ ରନ୍ଧା ଖିଆର ନିନ୍ଦାମିଶା ବର୍ଣ୍ଣନାକୁ ଆହୁରି ନିର୍ଭୁଲ, ଆହୁରି ନିଖୁଣ କରିବାକୁ ଚେଷ୍ଟା କରିଥଲା ।

 

ସେଇ ଦିନ ସଂଜରେ ଚିଲମ ବଢ଼େଇ ଦେଇଥିଲା କମଳୁ ।

 

ଦମ୍‌ ଟାଣୁ ଗଞ୍ଜେଇର ମାରାତ୍ମକତା ବି ବର୍ଣ୍ଣନା କରିଥିଲା । ଶିଖିବାକୁ ଚେଷ୍ଟା କରିଥିବା ନିଶାନିବାରଣ ସମ୍ବନ୍ଧୀୟ ବକ୍ତୃତାରୁ ପଦେ ଅଧେ କହିଗଲା ।

 

ମହୁରିର ସହିତ ପହିଲି ଟଣାଟଣି ବେଳେ କାଶିକାଶି । ବେଦମ୍‌ ହବାଟା ଏଥର ସେତେ ନଥିଲା ।

 

ଭଗାରିର କାଶିବାଆଡ଼େ କାନେଇଥିଲା କମଳୁ । ସେତିକି ବେଳେ ଗଞ୍ଜେଇ ବିରୁଦ୍ଧରେ କେତେ ପଦ କହି ଦେଇଥିଲା । କହୁ କହୁ ହଠାତ୍‌ କଥା ବଦଳେଇଥିଲା ।

 

କଥା ବଦଳେଇଥିଲା କମଳୁ । ମଦ ଆଉ ଅଫିମ ସମ୍ବନ୍ଧରେ ଯେତେଟା ବ୍ୟଙ୍ଗ, ବିଦ୍ରୂପ ବିତ୍ରୋକ୍ତି ଇତ୍ୟାଦି ପ୍ରୟୋଗ କରିଥିଲା, ଗଞ୍ଜେଇ ବେଳକୁ ସେଇ କଡ଼ା, ଗରମ କଥା ଗୁଡ଼ାକ ଉଷୁମ୍‌ ନରମ୍‌ ଲେସମା, ଫାକାଶିଆ ହେଇ ଆସୁଥିଲା । ତ୍ରିନାଥ ଠାକୁରଙ୍କଠୁ ଆରମ୍ଭ କରି ଚାରିକୋଶ ଦୂର ପାହାଡ଼ ଖୋଲର ବାବାଙ୍କ ବ୍ୟବହାରରେ ଆସୁଥିବା ପଦାର୍ଥକୁ ନିନ୍ଦା କରିବାକୁ ସାହାସ କରିପାରୁ ନଥିଲା । ନିନ୍ଦାର କଳ୍ପିତ ଫଳା ଫଳ ଟାଏ ଭୟମିଶା କଣ୍ଠରେ ଶୁଣେଇ ଦଉଥିଲା-

 

ମୋଟ ଉପରେ, ମାରାତ୍ମକତା ବର୍ଣ୍ଣନା କଲେ ବି ନିନ୍ଦାକରି ପାରିନାଇଁ ।

 

ଟଣା ଟଣି ପରେ ନାମ ଗୁଣାଗୁଣିର ଗୁରୁତ୍ଵପୂର୍ଣ୍ଣ ମୂହୁର୍ତ୍ତ ଗୁଡ଼ିକ କିପରି ମନକୁ ମନ ଆସି ଯାଏ ସେଇ କଥା ବି ଧୈର୍ଯ୍ୟ ଧରି ବୁଝାଏ କମଳୁ । ତା ସାଙ୍ଗେ ସାଙ୍ଗ ଗଞ୍ଜେଇର ମସ୍ତକ ଧରା ଅବସ୍ଥାରେ କୋଉ ବାବା କୋଉ ଚେଲା କୋଉ ଗଡ଼ତିଆ କୋଉ ଶଗଡ଼ିଆ କୋଉ ଗାଁ ବାଲା କୋଉ ବାରବୁଲା, କେବେ କେଉଁଠି କିପରି ଭାବରେ ହଟ ହଟାଠୁ ହନ୍ତସନ୍ତ ଯାଏ ହେଇଚନ୍ତି ତା’ର ଟୀକାଟିପପ୍‌ଣୀ ଦେଇ ଆସୁଚି । ଦମ୍‌ ଭିଡ଼ୁ ଭିଡ଼ୁ କାହାର କିପରି ଜୀବ ଛାଡ଼ିଯାଇଛି ସେଇ ବର୍ଣ୍ଣନା ରହୁଚି କମଳରୁ ମସ୍ତକ ଧରା ବର୍ଣ୍ଣନାରେ ।

 

ବର୍ଣ୍ଣନା ଗୁଡ଼ିକ କିନ୍ତୁ ଗରମ୍‌ ନୁହେଁ । ଖୁବ୍‌ ବେଶି ହେଲା ବେଳେ ଉଷୁମ୍‌ ଯାଏଁ । ଗାଁ ପାଖେ ଭାଟି ହେଲା ଦିନଠୁ ଯୋଉ ଦୁଇ ଜଣ ସେଇଆଡ଼େ ଯିବାଟା । ଆରମ୍ଭ କରି ଦେଇଚନ୍ତି କମଳୁ ତାଙ୍କୁ ଲକ୍ଷ୍ୟ କରେ । ମନା କରେ । ଥରକୁ ପାଞ୍ଚଥର କହିଲାଣି–ଛି, ଛି, ନାଇ ଯେ ସେଆଡ଼େ । ଜାଣଲ୍‍ ରେ ପିଲେ, କହିସନ୍‌ ପରା ଆପୁଟା ଗୁମ୍‌ କରେ, ଗଁଜେଇ ମସ୍‌ତକ୍‌ ଧରେ । ମଦଟା ପାଁଚ୍‌ଜଣ୍‌କୁ ସାଖି କରେ—ପାଁଚ୍‌ ଜଣ୍‌ରେ ଇ ଗାଁର୍‌ ନାଁ ପକେଇବ କାଁରେ ? ଆଁ ?

 

ଅହିଲାର ମାଉସୀଟି ପୁଣି ଆସିଚି । ଏଥର କଥା ନ ତୁଟିଲେ ଅହିଲା ତାକୁ ଛାଡ଼ିବାକୁ ନାରାଜ । ରାତି ପାହାନ୍ତି ବକାବକିରେ ମାଉସୀର ଗଳାଟା ବସିଯାଇ କଥା ଗୁଡ଼ିକ ରାଉଁରାଉଁଠୁ ଘାଉଁଘାଉଁ ଘଡ଼ଘଡ଼ ଘର୍‌ଘାର୍‌ଆଡ଼େ ଗତି କଲାଣି । ମାଉସୀର ଯୁକ୍ତି; ଅହିଲାର ସଂପ, ସପକ୍ଷ ବିପକ୍ଷ ଦଳରୁ ବାଦ ପ୍ରତିବାଦ......ଅନେକଟା । ଯେତେବେଳେ ଏକ ସାଙ୍ଗରେ ମିଶିଯାଉଚି ଗୋଟାଏ ବର୍ଣ୍ଣିବି କର୍ଣ୍ଣ ପରଦାରେ ଅସଲ ରୂପ ନେଇ ପ୍ରକାଶ ପାଇବା ସମ୍ଭବ ହେଇ ପାରୁନାହିଁ । ସଞ୍ଜ ପରେ ପରେ ଗାଁ ମୁଣ୍ଡରୁ ମୃଦଙ୍ଗ ଗିନି । ଇତ୍ୟାଦି ଭାସି ଆସିଲା ବେଳେ ସେଇ ତରଙ୍ଗ ଅଙ୍ଗ ଚାଳନା, ତୁଣ୍ଡ ଚାଳନା ସହିତ ମିଶି ଯୋଉ ଗୋଳିଆ ଗୋଳି ସୃଷ୍ଟି ହେଉଚି । ଥରକୁ ଥର ତାର ସ୍ଵାଦୁ ବଦଳି ଯାଇଚି ।

 

ଘରେ ରହିବାର ସମୟଟା ଚଇତା ଏଥର ଅଧିକ ବେଳ କଟଉଚି ଏ ପିଣ୍ଡାରେ, ସେ ପିଣ୍ଡାରେ, ଏଘରେ, ସେ ଘରେ । ଭାଗବତ ଘର ଆଗର ନୂଆ ମଣ୍ଡପରେ ବି ବେଳେ ବେଳେ ବସି ରହୁଚି । ବେଳେ ବେଳେ ଶୋଇ ରହୁଚି । ନୂଆ ମଣ୍ଡପଟି ଭଲ କରି ଲିପା ପୋଛା ହେବା ଇଚ୍ଛାଟା ଉତ୍ସାହିଙ୍କୁ କହିଲାଣି । ଗାଁ କୀର୍ତ୍ତନ ଦଳର ଉନ୍ନତି କଥା କେତେଥର ପକେଇଲାଣି ।

 

ବେଳେ ବେଳେ ହଠାତ୍‍ କଥା ବନ୍ଦକରି ମିତୁରୁ ଅଜାର ଦାଣ୍ଡି ବଖରାଯାଏ ଆଗେଇ ଯାଉଚି । ଖଜଣିର ତାଳ ସଂଗେ ତାଳ ଦିଆ ମିତୁରୁର ସେଇ ପୁରୁଣା ଗୀତଟି ବେଶିଥର ଶୁଣିବାକୁ ପାଏ–ଧାୟି ଗୁରୁ ପୟରକୁ, ଧିଆଇ ଗୁରୁ ପଇଅରକୁ ବଦନା ପାଦ ପଦୁଁକୁ ।

 

ମଣ୍ଡପ ଆଉ ମିତରରୁ ସାଙ୍ଗ, ଏ ସବୁରେ ଚଇତା ସାଧାରଣ ଭାବରେ ଯେତେ ପରିମାଣରେ ଉତ୍ସାହ ଦେଖାଏ ସେଇଟା ହଠାକୁ ହଠାତ୍‍ ବଢ଼ି ଯାଉଥିବା ଛିଡ଼ି ଯାଉଥିବାଟା କେହି କେହି ଲକ୍ଷ୍ୟ କଲେଣି । କେତେବେଳେ ଏପାଖରେ ଜୁଆର ଉଠୁଚି ତ ସେ ପାଖ ଭଟ୍ଟା । ସେ ପାଖ ଜୁଆର ବେଳେ ଏପାଖ ତୁଚ୍ଛା । ଜୁଆର ଭଟ୍ଟା ସାଙ୍ଗକୁ ଅଳ୍ପ ଫୁଲା ଅଳ୍ପ ତୁଛାଟା ଆଖିରେ ପଡ଼ୁ ନାଇଁ-। କଥାବାର୍ତ୍ତା ବେଳେ କଥାର ଢଙ୍ଗ ହଠାତ୍‍କୁ ହଠାତ୍‌ ବଦଳୁଚି । ଏ ସବୁ ଦେଖି, ଶୁଣି କେତେ ଜଣ ବଲ୍‌ବଲ୍‌ ଚାହିଁଲେଣି ।

 

ଏଇ ବଲ୍‌ ବଲ୍‌, ଚାହିଁବାର ଭିତିରି ଭାବଟା ହଠାତ୍‍ ଦିନେ ଆଉ ଟିକିଏ ଭିନ୍ନ ଧାରଣା ଭିତରେ ଗୋଳି ହେଇଗଲା, ଯୋଉ ଦିନ ସକାଳ ପହରରେ ଜଣା ପଡ଼ିଲା ଚଇତା ଘରେ ନାହିଁ କି ଗାଁରେ ନାଇଁ ।

 

ଜଣାପଡ଼ିବାଟା ଶୁଣୁଶୁଣୁ ତୀର୍ଥ କହିଲା—କେନ୍ ଆଡ଼େ ପଲେଇଲାଣ କାଇଁସେ । କୁଁ ଭିପଟୁଆ ହଉ କନାପଟୁଆ ହେଉ ଯେନ୍‍ ଦିଖିଆ ହେଲେ ନବ । ଅଠି ପହର୍‌ ତ ଘର୍‌ଟା ଉଠ୍‌ଲା ପଡ଼୍‍ଲା ! ସାଇଲେରେ ଲୁକ୍‍ଟାକୁ ସାଇଲେ !

 

ତୀର୍ଥ ପରେ ପରେ ଆଉ ଯୋଉ ମତାମତ ଉଠିଲା, ବେଶ୍‌ ଟିକିଏ କାନଉ କାନଉ କମଳୁ କହିଲା, ହେତ୍‌, କାହିଁଲାଗି ବାବାଜି ହବ ? କାହିଲାଗି ଘର ଛାଡ଼୍‍ବ ?

 

ପୁଣି ହଠାତ୍‌ ମତ ବଦଳେଇଲା—କେଜାଣି, ହେଇଥିଲେ ହେଇଥିବ । ସେ ପର୍‌ଭୁ ଟାଣ୍‌ଲେ ବଇଲେ ଘର କିଏ, ଦୁଆର କିଏ, କାହିଁର୍‌ କିଏ !

 

ତୀର୍ଥ ବି ତାର ମତ ବଦଳେଇ ସାରିଥିଲା ଏ ଭିତରେ—ନାଇଁ, ନାଇଁ, ଚଇତା ଫେର୍‌ ବାବାଜି ହବ ଇଟା ମୁଇଁ କେନ୍‌ଦିନ ନାଇଁ ଭାବି କି ନାଇଁ ଭାବେଁ । ବାବାଜି କେନ୍‌ମାନେ ହେଇସନ୍‌-? କେନ୍‌ମାନେ ହେଇସନ୍‌ ନାଇଁ ଦେଖୁଛ ନାଇଁ ଜାଣୁଚ ଯେ ଫେର୍‌ ପଦେ କହିବି କାଁ

 

ଯାହା କହିବାକୁ ବସିଥିଲା ମଣ୍ଡପରେ ମିତରୁକୁ ଦେଖି କଥା ବନ୍ଦ କରିବାପାଇଁ ଠିକ୍‌ କରିନେଲା । ଠିକ କରି ନଉ ନଉ ବନ୍ଦ ନକରି କହି ଚାଲିଲା । କହିଲା ବେଳେ ମଝିରେ ମଝିରେ ମିତରୁ ଆଡ଼େ ଆଖିଟା ଫେରି ଫେରି ଯାଉଥାଏ ।

 

ଏଇ ମିତରୁ—ତୀର୍ଥର ଅସ୍ପଷ୍ଟ ହୋଇ ମନେ ପଡ଼େ ଏଇ ମିତରୁ ଘରୁ ଚାଲିଯିବାଟା । ଆଶା ବାଡ଼ି ଚିମୁଟା ଇତ୍ୟାଦି ବେଳେ ବର୍ଷ କେତେଟାର ବ୍ୟବଧାନ ବଢ଼େଇ ଗାଁକୁ ଥରେ ଅଧେ ଆସିଚି । କୁମ୍ଭୀପଟ ବେଳେ ତାଠୁ ଛୋଟ ବଡ଼ ବ୍ୟବଧାନରେ କେତେଥର ଆସିଚି । କୁମ୍ଭୀ ଛାଡ଼ି କନାକୁ ଆସିଲା ଦିନୁ ବରାବର ଗାଁରେ । କନା ପଟୁଆ ହେଇ ଆସିଲା ପରେ ଚତୁର୍ବର୍ଣ୍ଣ, ଚତୁର୍ଯୁଗର ବର୍ଣ୍ଣନା କଲାବେଳେ ଯୋଉ କଥା ଶୁଣିଲେ ଚିଡ଼୍ ଚିଡ଼୍‍ ହୁଏ, ଚତୁର୍ଦିଗରୁ ତିନିଆଡ଼ର ବର୍ଣ୍ଣନାକୁ ତେର କମେଇ ଶେଷ ମୋକ୍ଷ୍ୟକୁ ମୁଖ୍ୟ ଆକାରରେ ବାତିଲାଦିନୁ ପ୍ରାୟ ଚିଡ଼ା ଚିଡ଼ି ନାଇଁ । ଚୁପ୍‌ଚାପ୍‌ ରହୁଚି । ମଠ କରିଦେବେ ବୋଲି କେତେ ଗାଁରୁ ଡକା ଆସିଥିଲା ମୁଣ୍ଡ ହଲେଇଚି । ଭଜନ ବେଳେ ମଣ୍ଡପକୁ ବି ବେଳେ ବେଳେ ଆସୁନାଇଁ । ଗାଁ ମୁଣ୍ଡ ପାହାଡ଼ ଢାଲୁରେ ଛୋଟ ଖଣ୍ଡେ ବନେଇଲାଣି । ଆମ୍ବ କରମଂଗା କଦଳୀ ଲଗାଇଲାଣି । ଗାଁବାଲା ବି ଜାଗା ଖଣ୍ଡିକ କରେଇ ଦେଲେଣି । ନାଁ ଲେଖିଚି । ଟିପ ମାରିଚି । ପଟା ପାଉତି ପୁଅ ପାଖରେ । ଭକ୍ତ ଗଡ଼ିଲେଣି । କଲି, ଗୁଳା, ଥାଳା–ଯାହା ଆସିଲେ ବି ଗୁଳାଟି ଛଡ଼ା ଆଉ ସବୁ ବଣ୍ଟା ହଉଚି । ବଣ୍ଟା ବଣ୍ଟି ଦିନୁ ମୁହଁ ଏଡ଼େ କରି ପୁଅ ଏଆଡ଼େ ଆସୁନାଇଁ ।

 

ଗାଁ ମଣ୍ଡପକୁ ମିତୁରୁ ଆସିଚି ଆଜି । ମିତୁରୁ ଆଡ଼େ କଣେଇ କଣେଇ ତୀର୍ଥ କହି ଚାଲିଥିଲା—ନାଇଁ, ନାଇଁ, ଚଇତା ସେନ୍‌ତି ନାଇଁ । ବାବାଜି ବଇଷିମ କେନ୍‌ ମାନେ ହେଇ ସନ୍‌ ? ଯେନ୍‌ରାକ ଆଁ ତାରି, କାଁ ତାରି, ପାଇଟି କରି ନାଇଁ ପାରି, ରାଗି, ରୁଗି ଭୁଗି, ଇ ଛଡ଼ ପର୍‌କାର୍‌ ସିନା ବଇରାଗି, ଚଇତା କାହିଁଲାଗି ବାବାଜିଟେ ହେଇଯିବ ?

 

‘ରୋଗୀ’ଠି ହଠାତ୍‍ ଟିକିଏ ଅଟକି ଯାଇଥିଲା ।

 

ତୀର୍ଥର ଭାବଭଂଗୀ ସହ ଜଡ଼ି ରହିଥିବା ବର୍ଣ୍ଣନା ଶୁଣୁ ଶୁଣୁ କମଳୁ ଟିକିଏ ବିରକ୍ତ ଭାବ ଫୁଟେଇଲା । ଭଗା ମୁଣ୍ଡା ମୌଜାର ଭଗ ଉଦ୍ଦେଶ୍ୟରେ ପ୍ରମାଣଟିଏ କରି ସାରି ବେଶ୍‌ ଟିକିଏ ଗମ୍ଭୀର ହେଇ ଆସୁଥିଲା ।

 

—ଯା’ର ନିଁନ୍ଦା କର୍‌ ପଛ୍‌କେ ଗୁରୁ ନିଁନ୍ଦା ନାଇଁ କର୍‌ରେ ନାଇଁ କର୍‌ । ଗୁରୁ ନିଁନ୍ଦା କଲେ ନର୍‌କେ ବାସ !

 

ଗଲାବର୍ଷ ଆଷାଢ଼ ଆଗରୁ ଏ ତରଫକୁ ଭିକ୍ଷା କରି ଆସୁ ଆସୁ ଭଗ ସେଠୀ ରହି ଯାଇଥିଲେ କମଳୁ ଘରେ । କମଳୁଠୁ ବାର୍ଷିକ ପାଉଣା ଅଭାବ ପକ୍ଷରେ ଆଠ ଅଣା ଜାଗାରେ ଚାରିଅଣା ପାଇଥିଲେ ବି ନୂଆକରି ଗୁରୁ ଧରିଥବା ତୀର୍ଥଠୁ ଭୋଗରାଗ, ଲୁଗାପଟା ସହିତ ଆଠଣା ପାଇଥିଲେ ।

 

କମଳୁଠୁ ‘ନର୍‌କେ ବାସ’ କଥାଟା ଶୁଣୁ ଶୁଣୁ, ବେଳେବେଳେ ବାବାଜୀ ଧରଣର ବେଶ ଧରୁଥିବା ସେଇ ଗୁରୁ ହଠାତ୍‌ ଖିଆଲକୁ ଆସିଗଲେ ।

 

ଗୁରୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ନିଜ କଥା ବିପକ୍ଷରେ ଅତର୍ଚ୍ଛ ହେଇ କେତେ କଣ କହିଗଲା ।

 

କମଳୁ ବି ପଦେଅଧେ ମିଶେଇଲା । ଯୁକ୍ତିକୁ ଜୀବନ୍ତ କରିବାକୁ ଚେଷ୍ଟାକଲା ।

 

କମଳୁର ସ୍ତ୍ରୀ ଆଉ ଉଠି ପାରୁ ନାଇଁ । ପୁଅ ଝିଅ ହୀନ ବିଗତ ଜୀବନଟା ଭିତରେ ଯୋଉ ସାଥୀଟି ଥିଲା ସେ ଆଉ ନଥିବା ଭଳି ଅବସ୍ଥାରେ, ଆଶା ଛାଡ଼ିଲେଣି । କମଳୁ ଡାକି ଚାଲିଚି–ଶଶୀ, ଶଶିଲ, ଟିକେ ନାଇଁ ଦେଖୁ ? ...ଦେଖ୍‌ଲ ଦେଖ୍‌ କେନ୍‌ମାନେ ଆଇଚନ୍‌ ।

 

ଚଇତା ଫେରୁଚି । ଗାଁରେ ପାଦ ଦେଲାବେଳେ ଶଶୀ ମାଉସୀ ଜଳି ଯାଇଥିଲା । ଧୂଆଁ ଦିଶୁଥିଲା ।

 

ଶଶି ଜାଲିଯାଇଚି—ଗୁଣାଟା କାଢ଼ିବାକୁ ନାଇଁ ନାଇଁ କରିଥିଲା କମଳୁ । ଗୁଣାଟା ଶଶୀ ସାଂଗରେ ଜଳିଯିବାକୁ ଯେତେକରି କହିଲେ ବି ଉଠିବା ଆଗରୁ ଜିମାରେ ରହିଚି ।

 

ଗାଁ ଦାଣ୍ଡରେ ଆଗେଇ ଆସୁଚି ଚଇତା । ସ୍ତ୍ରୀ ଶବକୁ ଜାଳି ସାରି କମଳୁ ବି ସେତେବେଳେ ପାଖେଇ ଆସିଚି । ଚଇତା ଚାହିଁଚି । ଦଳକୁ ଦେଖି ବୁଝି ପାରିଲାଣି ।

 

ଛୁଆଁ ଛୁଇଁର ବ୍ୟବଧାନ ଭିତରେ ରହି କମଳୁ ଆଗେ କହିଲା—ନାଇଁ କାଁଦ୍‌, ନାଇଁ କାଦ ନାଇଁ କାଁଦ୍‌ରେ ଚଇତା ନାଇଁ କାଁଦ୍‌ । ଯାଉ, ଯାଉ ଯାଉ—ବିଚ୍‌ରିଟି ଗଲାଣି ତ ଯାଉ । ଯିବି ଯିବି ତ ହଉଥିଲାରେ...ଗଲା—ଯାଉ, ଯାଉ, ଯାଉ । ମର୍‍ ଆଉ କାଇଁଟା ? ମର୍‌ ଆଉ କାଇଁଟା ଅଛି ? ହଜିଗଲେ ଖୁଜ୍‌ବା ଲାଗି କେହି ନାଇଁ । ମରିଗଲେ କାଁଦ୍‌ବା ଲାଗି କେହି ନାଇଁ ନାଇଁ, ନାଇଁ, ନାଇଁ–ଆଉ କେହି ନାଇଁ......ଆଉ କେହି ନାଇଁ—ଯାଉ, ଯାଉ, ଯାଉ......

ଏକା ରାହା—ରାହା ଭିତରେ ରହି ରହି ହେଇ ଯାଉଥିଲା । ଦୁଇଟିର ବ୍ୟବଧାନ–ଦୁଇଆଡ଼ୁ ଝରୁଥିଲା ।

ଶେଷ ବୈଶାଖର ସଂଜ ପହରିଆ ବତାଏ—ପାଦ ତଳେ ପଡ଼ିବା ଆଗରୁ ଶୂନ୍ୟରେ ବଦଳୁଥିଲା ଗତି ।

ଆହୁରି ଉପରର ଶୂନ୍ୟ ଆଡ଼କୁ ଚାହିଁଥିଲା ଚଇତା । ସେଇଆଡ଼େ ବି ଚାହୁଁଥିଲା, ଯୋଉଠି ଟିକକ ଆଗରୁ ପାଉଁଶ ହେଇ ଯାଇଚି ଦେହଟାଏ । ଦିଶିଯାଉଥିଲା ଦେହର ପାଉଁଶ ପାଲଟା ଦୃଶ୍ୟଟା ।

ଦିଶିଯାଉଥିଲା ଗୋଟାକ ପରେ ଗୋଟାଏ ଦେହ ଜଳି ଜଳି ପାଉଁଶ ହେଇ ଯିବାର ।

ଦିଶିଯାଉଥିଲା ଗୋଟାକ ପରେ ଗୋଟାଏ ଦେହ ପଚିପଚି ମାଟି ହେଇ ଯାଉଥିବାର ।

ଦିଶିଯାଉଥିଲା ଶୁନ୍ୟର ରୂପ ଟାଏ ।

ଦିଶିଯାଉଥିଲା ନିରାକାରର ରୂପଟାଏ ।

ଦିଶିଯାଉଥିଲା ଅମୁହାଁ ଦେଉଳର ଅଦେଖା ଭିତରଟା ।

ଶୁଭିଯାଉଥିଲା ଶୁଣି ଶୁଣି ଆସିଥିବା.....ଖଁଡ଼ି ଯେ ଖଁଡ଼ି ତର ପଂଜରା କାଠି......

ଆହୁରି ବି ଶୁଭାଯାଉଥିଲା.....ଦିନେ ନଭଜିଲୁ ରାମ, ଦିନେ ନ ଭୁଜିଲୁ ରାମ.....

ଚଇତା ଚାହିଁଥିଲା । ଧାର ଶୁଖି ଶୁଖି ଆସୁଥିଲା ।

Unknown

ସେଦିନ ରାତିରେ କଳି ତକରାଳ–ପଦେ ବି ପାଟି ଫିଟେଇ ନାଇଁ ଚଇତା ।

ପର ଦିନ ସକାଳ—ଚଇତା ନାଇଁ ଗାଁରେ ।

ସକାଳ ଗଡ଼ି ସଞ୍ଜ ହେଲା । ସଂଜ ପରେ ଆହୁରି ସଂଜ ଗଡ଼ିଲା ଚଇତା ଫେରିଲା ନାଇଁ-

ଚଇତାକୁ ଖୋଜିବାକୁ ଯୋଉ ଦୁଇ ଜଣ ବାହାରିଥିଲେ ତା ଭିତରୁ ଜଣେ ବି ଫେରି ନାଇଁ ।

ଚଇତା ଫେରିଲା ନାଇଁ । ସବୁ କଥା ଆଡ଼େ ଆଉ ଯୋଉ କଥା ଆଡ଼େ ବୋଲି ତୀର୍ଥ ଏ ଭିତରେ ଠିକ୍‌ କରି ନେଇଚି ସେଥିପାଇଁ ଖୁବ୍‍ବେଶୀ ଚିନ୍ତିତ ହେଇ ପଡ଼ୁଚି । ଯୋଉଥିପାଇଁ ଚିନ୍ତିତ ହୋଇ ଉଠୁଚି ସେଥିରେ ଚଇତା ଯୋଗାଯୋଗର ଅନେକଟା ପ୍ରୟୋଜନ ଥିବାର ଅନୁଭବ କରୁଚି-। ଓ୍ୟାର୍ଡମେମ୍ବର ପାଇଁ ନୂଆ ଠିଆ ହୋଇ ପୁରୁଣା ମେମ୍ବରକୁ ସାବାଡ୍‍ କରିବାକୁ ସିଧା ସଳଖ ପ୍ରଚାର କରି ଦେଲାଣି ।

 

ଗଣେଶ ବାବୁଙ୍କ କାମରେ ଭଗାରି ଏ ଗାଁ ସେ ଗାଁ ହେଉଚି । ଯୋଉ ‘ବାଇସ୍‌କଲ’ ଟି ପାଇଚି ଅଭ୍ୟାସ ଛଡ଼ା ବ୍ୟବଧାନ ପରେ ଅଡ଼ୁଆ ଅଡ଼ୁଆ ଲାଗୁଚି । ପଛରେ ପଛରେ ପଡ଼ିଯାଉଚି ।

 

ଛାପା କାଗଜର ତାଡ଼ା ପାଇଁ ଯିଏ, କାନ୍ଥ କୁଡ଼ର ଲେଖା ଲେଖି ପାଇଁ ଯିଏ, ସେମାନେ ଆଗେଇ ଗଲେଣି । ଭଗାରି ପଡ଼ିଯାଇଚି ପଛରେ ।

 

ଆଗଉ ଆଗଉ, ଗଣେଷ ବାବୁଙ୍କଠୁ ହାଲ୍‌ ଶୁଣି ଆସିଥିବା ଦୁର୍ଭେଦ୍ୟ ଦୁର୍ନୀତି ସମ୍ବନ୍ଧୀୟ କଥାର ସତ୍ୟତା ବେଳେ ବେଳେ ଅନୁଭବରେ ଆଣୁଚି । ବିଧାନ ଜାଗାକୁ ଗଲେ ଦୁର୍ନୀତିକୁ ବିଧିମତ ପଦାରେ ପକେଇ ଦବା କଥାଟା ଶୁଭି ଯାଉଚି ।

 

ମହାଲିମ୍ବ ପଦର ମୌଜା ଦେଇ ଗଲା ବେଳେ ଗଣେଶ ବାବୁଙ୍କ କଥାର ସତ୍ୟତାଟା ଆହୁରି ଜଳ ଜଳ ଦିଶିଗଲା ।

 

ଯୋଉ ଆଡ଼େ ଚାହିଁଥିଲା ଭଗାରି, ସେଇ ଘରର ଇଟା ସିମେଣ୍ଟର ଲଦନକୁ ଉଠେଇ, କାନ୍ଥ କଣରୁ ଫାଳେ ଫଟାଇ, କାଠ କବଳରୁ ଖସି, ଖଣ୍ଡେ ଖଣ୍ଡିଆ ଭୂତରେ ଭାସି ଯୋଉ ଗୁଡ଼ିକ ଠାଣେ ଠାଣେ ଡେଣା ମେଲି ପଡ଼ିଥିଲା ତାର କେତେକାଂଶ ଆଖିରେ ପଡ଼ିଥିଲା ।

 

ଉଦୁଉଦିଆ ଦି’ପହରଟାରେ ଝାଳନାଳ ହେଇ ଭଗାରି ଫେରିଲା ଘରକୁ । ସେଇ ଝାଳ ନିଗିଡ଼ା ଅବସ୍ଥାରେ ଖଟରେ ଗଡ଼ିଗଲା ।

 

ଟିକିଏ ଦୂରରେ ଖଟରେ ପଡ଼ି ସୁନ୍ଦରୀ କୁନ୍ଥଉଚି । ଘୋଳା ଛଟିକା ଆଜି ଖୁବ୍‌ବେଶୀ ବଢ଼ି ଯାଇଚି ।

 

ଉଠିବସିବାକୁ ଚେଷ୍ଟାକରୁଥିଲା ଭଗାରି—ବଢ଼େହେଲା କାଁ ଲ ?

 

ହଳଦୀ ସଲ ବଲ କନ୍ଥା ଆଉ କନା ଭିତରେ ଅଧା ଅଧି ଛପିଯାଇ ଚିତ୍କାର ଛାଡ଼ିଥିବା ଛୁଆଟିକୁ ନିଜ ଆଡ଼େ ଓଟାରୁ ଓଟାରୁ ସୁନ୍ଦରୀ ସମ୍ମତିସୂଚକ ଉତ୍ତର କଲା ଯନ୍ତ୍ରଣା ଦାୟକ କୁନ୍ଥନରେ ।

 

ଭଗାରି ଆଶ୍ୱାସନା ଦେଲା—ସଁଭାଳି ଯା, ସଁଭାଳି ଯା, ଏ କାଳିଆର୍‌ ମାଁ ଟିକେ ସଁଭାଳି ଯା । ଏନ୍‌ତି ହେଲେ କେନ୍‌ତି ହବ ? ଗଣ୍‌ଷ ବାବୁକୁ କହିଚିଁ । ଗଡ଼ ଡାଗ୍‌ଦର ଖାନାକୁ ଗଲାଠୁ ଆମର୍‌ଲାଗି କହିବେ । ଡାଗ୍‌ଦର ସାଁଗ୍‌ରେ ତାଙ୍କର ଖିର ନୀର ।

 

ଡାକ୍ତର ଖାନା ନାଁ ଶୁଣି ସୁନ୍ଦରୀ ବିରକ୍ତି ପ୍ରକାଶ କଲା ।

 

ଭଗାରି କହିଲା–ନାଇଁ ଯାଉ ଏନ୍‌ତି ଦୁଖ ପାଉଥିବୁ କାଁ ! ନାଇଁ, ନାଇଁ, ନାଇଁ, ଇ ଭିତ୍‌ରେ ନେଇ ଯିବି ତତେ । ପାଁଚ୍‌ ଜାଗରେ ପଚିଶ୍‌ ପଡ଼ୁ ପଛ୍‌କେ । ସତେଲ ସୁନ୍ଦ୍‌ରୀ, ଟଁକାକୁ ମୁଇଁ ନାଇ ଡର୍‌ବାକ । ଟକା ତ ହାଡ଼ି କମଉଚି । ଛି, ଛି, ଏତ୍‌କି ବଳ୍‌କୁ ମୁଇ ହେଲେ ଟଁକାକୁ ଡର୍‍ବି ?

 

ଭଗାରି ଯାହା ଯାହା କହିଗଲା ସେଥିରୁ କେତେ ସୁନ୍ଦରୀର ଯନ୍ତ୍ରଣା ଦାୟକ କୁନ୍ଥନର ଚରମ ବେଳେ ଚପି ଚପି ହୋଇ ଯାଇଥିଲା । ଛଳ ଛଳ ହଉଥିଲା ।

 

ପରେ ପରେ ଇଚ୍ଛାଟାଏ ଚରିବୁଲିଥିଲା–ସୁନ୍ଦରୀ ଶୁଣୁ, ସୁନ୍ଦରୀ ଜାଣୁ, ସୁନ୍ଦରୀ ବୁଝୁ ।

 

ଚରିବୁଲୁଥିବା ବେଳେ ଭଗାରିର ଆଖିଥିଲା ବାଡ଼ି ପାଖ ଧାନକୁଠି ଆଡ଼େ ।

 

କୁଠିଟା ଖାଲି ଖାଲି ହବା ଭଳି । ଗଡ଼ତିଆଣିର ବିସ୍ତର ଚକଡ଼ାଟା କିଣିବା ପାଇଁ ଭୁବନ୍ଧକରେ ଯୋଉ ଭାରି ପରିମାଣଟି ଆଣିଥିଲା, ଚକଡ଼ାଟା ଚଢ଼ା ଦରରେ ଅନ୍ୟ ହାତକୁ ଚାଲିଯିବା ପରେ ପରେ ପରିମାଣରୁ ମୋଟା ଅଂଶଟାଏ କୋଉ ଆଡ଼େ ଯେ ପଶି ଗଲାଣି ଖିଆଲ କରି ପାରୁ ନାଇଁ । ଏ ଖଣ୍ଡକ ଖସି ଗଲେ ବି ଆହୁରି ବଡ଼ ଦିଶିଲାଣି । ପରିମାଣ କମିଚି । ଫାଟୁଆରେ ଗଲେଣି କେତେ ପଟ । ବଡ଼ ଚକଡ଼ା ଆଡ଼େ ଆଖି ଦବା ସାଙ୍ଗେ ସାଙ୍ଗେ ହଳ କିଣିବାରେ ଖର୍ଚ୍ଚ ନ କରିବାକୁ ଗତି ନାଇଁ । ସୁନ୍ଦରୀକୁ କିଛି ମାଗି ପାରୁ ନାଇଁ । ଭିତରସନ୍ଦିଆ ଧାନ କୋଳଥ ବିକି ଯାହା ରଖିଥିବାର ସନ୍ଦେହ କରିଚି ସେ ସମ୍ବନ୍ଧୀୟ ଜୋରା କରିବାଟା ଏବକୁ ଏବକୁ ଛାଡ଼ି ଆସିଲାଣି ।

 

ସୁନ୍ଦରୀ ଆଡ଼ୁ ମୁହଁ ଫେରାଇ ଭଗାରି ପଶିଲା ଶୋଇଲା ବଖରାକୁ । ଝାଳବୁଡ଼ା କାମିଜ ଖଣ୍ଡକ ଫିଙ୍ଗି ଦେଲା ଖଟ ଉପରେ ଗଡ଼ିଗଲା ।

 

କାନ୍ଥର ଯୋଉ ଜାଗାକୁ ଦୃଷ୍ଟି ପହିଲେ ଟାଣିହେଇଗଲା, ସେଇଠି ଥିଲା କାଚ ବନ୍ଧେଇ ପ୍ରମାଣ ପତ୍ରଟିଏ ।

 

ଜାମୁନାଳିର କୃଷି ପ୍ରଦର୍ଶନୀରେ ଯୋଉ ଉତ୍କଷ୍ଟ ଧରଣର ମୂଳା ଥୋଇଥିଲା, ପୁରସ୍କାର ପରିମାଣରୁ ତାର ମୂଳଦାମ ଉଠି ଯାହା ବା ପାଇଥାଉ ସେ ଆଡ଼ଟା ଭାବି ନଥିଲା, ଏ ଖଣ୍ଡକ କିନ୍ତୁ ଗଡ଼ରୁ ବନ୍ଧେଇ ଆଣିଚି ।

 

ପ୍ରଦର୍ଶନୀ ପାଇଁ ଚଇତାଠୁ ଧାନ କେଣ୍ଡା ମଗେଇ ଥିଲା । ଚଇତା ଯୋଉଟା ପାଇଥିଲା ସେ ଆଡ଼ର ପ୍ରଚାର ପାଇଁ ଗଲା ବେଲେ ବନ୍ଧେଇ ଆଣିବାକୁ ପଚାରିଥିଲା । ଖୋଜା ଖୋଜି କରି ଚଇତା ସେ ଖଣ୍ଡ ପାଇନାଇଁ ।

 

ଗଡ଼ ଡାକ୍ତରଖାନକୁ ନବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବଡ଼ ହଳିଆ ଛାଡ଼ି ରହିବାଟା ଭଗାରିକୁ ବିଚଳିତ କରି ଦେଇଚି । କୋଉ ଆଡ଼କୁ କେତେ ଢଳିବ ଠିକ୍‌ କରି ପାରୁନାଇଁ-। ଥରକୁ ଥର ଗୁର୍‌ ଗୁର୍‌ ହଉଚି–ନାଇଁ ନାଇଁ, ଏନ୍‌ତି ଗୁଡ଼ାକୁ କେଭେଁ ଦାନାପାଣି ନାଇଁ ମିଳେ–କେଭେଁ ନାଇଁ ମିଳେ ।

 

ସାନ ହଳିଆକୁ କଅଁଳେଇ କହିଲା–ଦେଖିଲୁରେ ହେଟାକୁ ମୁଇଁ କାଇଁଟା ନାଇଁ କରିଥିଲି-! ଅସଲ୍‌ ପାଣି ମୁଁଡ ବେଳ୍‌କୁ କାଇଁଟା କଲା ଦେଖ୍‍ଲୁ ତ ? ହେଟାକୁ ଧର୍‌ମ ସହବା-? ହେଟାକୁ ଧର୍‌ମ ସହିବ ହେଲେ !

 

ତାତି ଆସୁଥିଲା ଭଗାରି ଗଳା–ଯାଉ, ଯାଉ, ହେ’ଟା ଚୁର ! ନିଖାରି ଚୁରଟା । ମର୍‌ ଲଁଗ୍‌ଳ ଜୁଆଳି, ଦଉଡ଼ା, ଗୁଟାକୁ ବିକ୍‍ଲା—କହିଲା ବେଳକୁ ଚୁର ନେଲା—ଚୁର ନେଲା–କେନ୍‌ଚୁର ଆଉ ନେଇତା ? ମନ୍‌ଟା ଏନ୍‌ତି ହଉଚି ଯେ... ଯ, ଯା,ରେ ତୁଁଡ଼ ! ରଇଥା, ରଇଥା, ଦେଖ୍‌ବୁ କାଇଁଟା କର୍‍ବି ! ପଁଚାତିରେ ପଡ଼ୁ —ନାକ ଧରି ଘୁସାରି ନାଇଁ ଆଣ୍‌ବି ବଇଲେ ମର୍‌ ନାଁ,

ହଠାତ୍‌ କଥା ବନ୍ଦକଲା ଭଗାରି । ମେଘଆଡ଼େ ଚାହିଁଲା । ଜମିଆଡ଼େ ଚାହିଁଲା ! ଖଳାଆଡ଼େ ଚାହିଁଲା । କୁଠିଆଡ଼େ ଚାହିଁଲା ।

ମେଘ ଆଡ଼େ ଚାହିଁଚି । ପାହାଡ଼ ଉପରେ କଣେଇ କଣେଇ ଖସି ଆସୁଚି ମେଘ । ଖସୁ ଖସୁ ମେଞ୍ଚାଏ ମେଞ୍ଚାଏ ଉଠି ଯାଉଚି । ଉଠୁଚି । ଠାଆକୁ ଠାଆ ଖସୁଚି । ପରସ୍ତକୁ ପରସ୍ତ ଖାସୁଚି ଆଉ ଉଠୁଚି ।

ପାହାଡ଼ ସନ୍ଧିରେ ପଶି ଯାଉଚି ମେଘ । ସନ୍ଧିରୁ ଉଠୁଚି । ଉଠୁ ଉଠୁ ଜାଲି ପାଲଟି ସନ୍ଧିର ନୀଳତ୍ଵକୁ ଅସ୍ପଷ୍ଟତା ଭିତରେ ସୂଚେଇ ଦଉଚି ।

ମେଘ ଘୁମୁରୁଥିଲା—ଭଗାରି ଗୁମୁରୁଥିଲା ।

ମେଘ ଭିତରେ ପାହାଡ଼ ଆଉ ଆକାଶ ଏକ ରଙ୍ଗ ପାଲଟି ଆସୁଥିଲା ବେଳେ ଭଗାରିର ଅସ୍ପଷ୍ଟ ଚିତ୍କାର—ଖାଉ, ଖାଉ, ହେଟାକୁ ଧର୍‌ମ ନାଇଁ ସହେ ! ଧର୍‌ମ ନାଇଁ ସହେ । ଖାଉ ଖାଉ, ମର କପାଳ ଖୁଳି ନାଇଁ ନିଏ ! ହେଟାର୍‌ ଲାଗି ମର୍‌କାମ ବଁଦ୍‌ ନାଇଁ ହେଇଯାଏ । ଇ ହାତ୍‌ରେ ଭାତ ବୁଣ୍‌ଲେ ଲଖେ କାଉ ଆଇବେ । ନାଇଁ କାରେଁ ?

ମହୁଲ ହୀନ ମେଞ୍ଚା ପାଗକୁ ସୁଙ୍ଘୁସୁଙ୍ଘୁ, ବେଳେ ବେଳେ ଋଷିଲା ଭଳି ଠିଆ ହୋଇ ପଡ଼ୁଥିବା ମହୁଲଖିଆଟିକୁ ମନେଇବାକୁ ଚେଷ୍ଟା କରୁଥିଲା ସାନ ହଳିଆ—ହଁ ଗ ସାଉ, ହେଟା ନାଇଁ ଆଉ କାଇଁଟା ଯେ ? ଭାତ୍‌ ଥିଲେ ଲଖେ କାଉ—ବାହା ଥିଲେ ଲଖେ ସାଉ ।

ସାନ ହଳିଆ ଆଡ଼େ କଣେଇ ଚାହିଁଲା ଭଗାରି ।

ରାତି ଅଧରେ ସୁନ୍ଦରୀର ଯନ୍ତ୍ରଣା ସୂଚକ ଚିତ୍କାର ବଢ଼ି ବଢ଼ି ଉଠିଚି । ବିନ୍ଧା ଛିଟିକା ସାଙ୍ଗକୁ କମ୍ପ ଆସିଲାଣି । ଜାମୁନାଳି ନୂଆ ଡାଗ୍‌ଦର୍‍ ଖାନାରୁ ଯୋଉ ଔଷଧ ଆଣିଚି ମନ ମାନୁ ନାଇଁ ।

ଆର ଦିନ ଠିକ୍‌ ବେଳା ବେଳା ବେଳକୁ ସୁନ୍ଦରୀର ହାତଠି ହାତ, ଗୋଡ଼ଠି ଗୋଡ଼ ଥିବା ଭଳି ଅବସ୍ଥା । କାନ୍ଦ ବୋବାଳି ପଡ଼ିଲା ।

ଟିକି ଟିକିଠୁ ସାନ ସାନ ଯାଏ ଭାଇ ଭଉଣୀ କେତୋଟିକୁ ସମ୍ଭାଳୁ ସମ୍ଭାଳୁ ଅଇଁଠାକୁ ବେଳ ଅଣ୍ଟୁ ନାଇଁ । ମାଁ ପାଖରେ ବସି ରହୁଚି ବେଳେ ବେଳେ–ଲୁହ ଗଡ଼ଉଚି । ଘର ଗୋଟାକର ଆଳ ସମ୍ଭାଳିବାକୁ ଏ ପାଖ ସେ ପାଖ ହଉଚି । ମାଁ ସାଙ୍ଗରେ ଗଡ଼କୁ ଯିବାକୁ ମନ । ମଝିରେ ମଝିରେ ଲୁଗାପଟା ସଜ କରୁଚି ।

ଏତିକି ବେଳକୁ ବଳିଆ ସ୍ତ୍ରୀର ପୁରୁଣା ବେମାରିଟା ବାହାରି ପଡ଼ିଚି । ମା ଆଉ ସ୍ତ୍ରୀ—ଦୁହିଙ୍କର ତତ୍ତ୍ୱ ନଉଚି ବଳିଆ । ହଳ ହଳିଆ କଥା ବୁଝିବାକୁ ବି ବେଳ ପାଉ ନାଇଁ ।

ମାଁ’ର ବେମାର ଖବର ପାଇଚି ନେଉଳି । ବର ସାଙ୍ଗରେ ଆସିଥିଲା । ଆସିଥିଲା ଶଶୁର କରରେ ପଡ଼ିଥିବା ଅବସ୍ଥାରେ । ସକାଳୁ ସକାଳୁ ଫେରିଗଲେଣି ଦୁଇ ପରାଣି ।

ସୁଲ ପାଖକୁ ମାଁ ବେମାର ଖବରଟା ଯାଇଥିଲା । ଖାଲି ଗୋଟିଏ ଧରି ଆସିଥିଲା । ଆସି ଫେରିଗଲାଣି । ମାଁକୁ ଡାକ୍ତରଖାନାକୁ ନେବା କେତେ ଦିନ ଏ ଆଡ଼ଟା ସମ୍ଭାଳି ନେବାକୁ ବାପ କହିଚି । ପୁଅ ବାହାଘରକୁ ମାଁର ପ୍ରତିଶ୍ରୁତିଟା ମନେ ପକେଇ ଥିଲା । ଠକ୍‌କରି ମନାକରିଦେଇଥିଲା-

 

ଏଇ ଶକ୍ତ ବେମାର ଖବରଟା ସୁଲ ପାଖକୁ ପୁଣି ପଠା ଯାଇଚି ।

 

ଟିକିଏ ଏପାଖ ସେପାଖ ହାତ ଗୋଡ଼ ହଲଉ ହଲଉ ଭଗାରି ସାନ୍ତ୍ୱନା ଦେଇ ଚାଲିଥିଲା–ନାଇଁ ଲ, କିଛି ନାଇଁ ହୁଏ ।

 

ମାଉସୀଟିଏ ବି ସାନ୍ତ୍ୱନା ଦେଉଥିଲା ଭଗାରିକୁ–ଏତେଟେ ପିଲା ଛୁଆର୍‌ ନିଶାସ୍‌ ! କିଛି ନାଇଁ ହୁଏ ରେ । କାହିଁ ଲଗି ଏନ୍‌ତି ହଉଚୁ ?

 

ଗଡ଼ ଡାକ୍ତରଖାନାକୁ ନେବାଟା ଭଗାରି ଭାବି ଯାଉଥିଲା । ତା’ର ଫାଙ୍କରେ ଫୁଟିଉଠୁଥିଲା ନିକଟର ଗଡ଼ ଅନୁଭୂତିଟା । ଫୁଟି ଉଠାକୁ ପୋତି ପୋତି ଦବାକୁ ଚେଷ୍ଟା କରୁଥିଲା–ତେବେ ବି ଫୁଟି ଫୁଟି ଉଠୁଥିଲା ।

 

ହେନାର ପଡ଼ିଶା ବାବନର ‘ହାଜର୍‍ ହେ’ ରେ ହାଜର୍‌ ହେଇ ଜେରା ଇତ୍ୟାଦି ଶେଷରେ ବାହାରି ଆସିବା ପରେ ବାବନକୁ ଅପେକ୍ଷା କରିଥିଲା କଚେରୀ ଶେଷଯାଏ ।

 

ସେଇ ଫୁଟି ଉଠିଲା ଗୁଡ଼ିକ ଦବି ଦବି ଯାଉଥିଲା ! ସୁନ୍ଦରୀର ଅବସ୍ଥା ପୁଣି ହାତଠି ହାତ ଗୋଡ଼ଠି ଗୋଡ଼ ଆଡ଼କୁ ଗତିକଲା ।

 

ଦୁଇ ରାତିର ଅନିଦ୍ରା—ଭଗାରି ଆଖିପତା ମାଡ଼ି ମାଡ଼ି ଆସୁଥିଲା ।

 

ସ୍ଵପ୍ନଟାଏ ଚେଇଁ ଉଠିଥିଲା—ନାଇଁ, ନାଇଁ, ନାଇଁ–ନାଇଁ ଫିଟ—ନାଇଁ ଫିଟ–ଥାଉ, ଥାଉ, ସବୁ ସେନ୍‌ତି ଥାଉ । ସବୁ ପୃଡେଇ ଦିଅ, ସବୁ ଜଳେଇ ଦିଅ !

 

 

ସ୍ଵପ୍ନ ଭିତରେ କାନ୍ଦଟାଏ–ତୁଇ କାହିଁଗଲୁ ଲ ! ତୁଇ କାହିଁ ଗଲୁଲ ସୁନ୍ଦ୍‌ରୀ ? ତୁଇ କାହିଁ ଗଲୁ ଲ କଲିଅର୍‍ ମାଁ !

 

ପଦାକୁ ଫୁଟି ଉଠିଥିବା ‘ନାଇଁ, ନାଇଁ’ ପ୍ରଳାପ ଭିତରେ ଭଗାରି ଆଖି ମେଲିଲା ।

 

ସୁନ୍ଦରି ଆଡ଼େ ନିକିଟି ଚାହିଁଚି ମାଉସିଟି–ନାଇଁ ରେ କିଛି ନାଇଁ ହୁଏ । ଏଦି ତ ଡାକ୍‌ଲି ଯେ ଶୁଣ୍‌ । ଆଉ ଦିନ ଯୁଡ଼ାକ୍‌ରେ ଉଠି ବଇବ । ତାର୍‌ପିଲା ଛୁଆର୍‌ ନିଶାସ୍ ! କେହି କିଛି କରି ନାଇଁ ପାରେ ! ହେ ପାନ୍‌କ ଦେ—ଦେ ତ ।

 

ସୁନ୍ଦରୀ ଆଖି ଖୋଲୁଚି । ପାଟିଆଁ ଆଁ କରୁଚି । ଟିକକ ଆଗର ଜାଳି ଦେବାର ସ୍ଵପ୍ନ ଗୁଡ଼ାକ ନାକ କାନରେ ଦାଉ ଦାଉ କରୁଚି ।

 

ଭଗାରି ଚାହିଁଚି ।

 

ଗିଲ ଗିଲ୍‌ ଅନ୍ଧାର ରାତିଟା । ଝୋ ଝୋ, ଝର୍‌ ଝର୍‌, ଝକ୍‌ ଝକ୍‌ ।

 

କାନ୍ଦ ବୋବାଳି ପଡ଼ିଲା ।

 

ବାହାରେ ଅନ୍ଧାର । ଭଗାରି ଭିତରେ ଅନ୍ଧାର ।

 

ଅନ୍ଧାର ଘୋଟି ଘୋଟି ଆସୁଥିଲା । ଅନ୍ଧାରରେ ଅଣ୍ଡାଳି ହଉଥିବା ବେଳେ, ରହି ରହି ଯାଉଥିବା ଥର ଥର ଗଳାଟାଏ କେତେବେଳେ ତେଜି ତେଜି ହେଇ ଆସୁଥିଲା ତ କେତେବେଳେ ଲିଭି ଲିଭି ଯାଉଥିଲା—ତୁଇ କାହିଁ ଗଲୁ ଲ ? ତୁଇ କାହିଁ ଯାଇଚୁ ଲ ? ତର୍‌ ଚିଙ୍ଗ୍‌ଡ଼ି ବାଛ୍‍ରି ଛାଡ଼ିକିରି ତୁଇ କାହିଁ ଯାଉଚୁଲ !

 

ଧାନ ଗଛରେ କଳାବୁନ୍ଦା ପଡ଼ି ଆସିଲାଣି । ମେଘ ଛାଡ଼ି ଯାଇଚି । ଦିନ ଯାକ ହୁଳା ହୁଳା ପରେ ରାତିର ନିର୍ମଳ ଆକାଶରେ ଉଜ୍ଜଳ ଜହ୍ନ । ଉଜଳ ଜହ୍ନ ଆକାଶକୁ ଯେତେ ମଣ୍ଡି ଦେଇଥିଲେ ବି ଆଶଙ୍କା ଗୁଡ଼ିଏ ଉଙ୍କି ମାରୁଚି ।

 

ଚଇତା ଚାହିଁ ଥିଲା ।

 

ତୀର୍ଥ କହିଲା—କାଇଁଟା ଆଉ ଦେଖୁଚୁ ରେ ? ମତେ ତ ଆଉ ଲାଗୁ ନାଇଁ ମେଘ ହବ ବଲି । ମେଘର୍‌ ବପୁ ଭାଙ୍ଗ୍‌ଲାଣ୍‌ ମେଘର୍‌ ରାଗ ଆଉ ନାଇନ । ଏଣ୍‌କି ଖାଲି ତିଥି ପାଣିକି ଅନେଇବା କଥା ସିନାରେ ।

 

ନବଘନର ବଡ଼ ପୁଅ ବାପ ପାଖକୁ ଖୁବ୍‌ ତର୍‌ତର୍‌ ଆଗେଇ ଯାଉଥିଲା । ହଠାତ୍‌ ଠିଆ ହୋଇ ପଡ଼ିଲା—ଅନେଇଥ । ଇ’ କାଳ ଯାହା ହେଲାଣ ! ଇଥ୍‍ରେ କାହିଁ ଲାଗି ବର୍ଷା ହବ ? ଗୁଣେ ଜାଗାରେ ପାଁଚଗୁଣ୍‌ ସାତ୍‌ଗୁଣ୍‌ ଦେଲୁଁ । ତେବ୍‍କେ ଗଲା ଲୁଚା ଛପା ! ମୁଣ୍‌ଷକୁ ମାର୍‌ବ କାଁ-

 

କଥାର ମର୍ମଟା ଓ କାହାକୁ ଲକ୍ଷ୍ୟ କରି କହୁଚି ତା ପ୍ରାୟ ପୂରାପୁରି ବୁଝି ପାରୁଥିଲା ତୀର୍ଥ । ଆକାଶ ଆଡ଼େ ମୁହଁ ଫେରାଇଲା—ହଁ ରେ ହଁ, ନାଇଁ ହୁଏ କାଇଁସେ । ଗୁଟାକୁ ଗୁଟା ଅମାସିଆ, ଗୁଟାକୁ ଗୁଟା ସଁକ୍‌ରାଂତି, ଆଉ କେବ୍‌କୁ ଟୁପେ ପଡ଼ିବ ?

 

ତୀର୍ଥର ବାକି କଥା ଗୁଡ଼ାକ ଆଉ ଶୁଣି ପାରି ନାଇଁ । ବାପ ପାଖକୁ ତରତରରେ ଯାଉଚି-। ଏକା ଥରକେ ରନ୍ଧା ସଙ୍ଗେ ରସି ଯାଇଥିବା ବେଳେ ଗାଳି ଶୁଣିଥିଲା । ବାପ ସାଙ୍ଗରେ ବୁଝାମଣା ହେଲାଣି । ହେଲା ଦିନଠୁ ବାପର ଜମିକୁ ଭାଗରେ ଧରିଚି । ସବାସାନ ଭାଇ ବୋଲୋ ହାକରେ ରନ୍ଧା ସରଞ୍ଜାମ ଯୋଗାଡ଼ କରୁ କରୁ କେବେ ଯେ ପାଖ ଗାଁ ରନ୍ଧା ଖିଆ କାଳିଆ ଭୁକ୍ତାର ଧରାବନ୍ଧା ଗ୍ରାହକ ଗହଣରେ ମିଶିଗଲାଣି ସେ କଥାଟା ଏ ଭିତରେ ଜାଣି ନେଲାଣି । ମୌଖିକ ତାକିଦ୍‌ କଲେ ବି ତଦନ୍ତ ବା ତଦାରଖ୍‌ କରିବା ଯାଏ ଆଗେଇ ପାରି ନାଇଁ ।

 

ନବଘନ ବି ପ୍ରତିକାର କରିବାକୁ କହିଲାଣି । ଖାଲି ମାଡ଼ ଦେଲେ ମାଡ଼ୁଆ ହେଇଯିବ ଶୁଣୁ ଶୁଣୁ ସେଥିରୁ ଅନେକଟା କ୍ଷାନ୍ତ ରହି ଅନ୍ୟ ଊପାୟ ଭାବିବାକୁ ଚେଷ୍ଟା କରୁଚି । ଟିକି ଟିକି ଜିନିଷ ଗୁଡ଼ାକ କୋଉ ଛଟକରେ ଟେକି ନଉଥିବାଟା ଦେଖିପାରୁ ନଥିଲେ ବି ବେଶ୍‌ ଜାଣି ପାରୁଚି ।

 

ଉଠେଇ ଥିବାଟା ଖସଉ ଖସଉ ଦାନ୍ତ କାମୁଡ଼ିଚି ।

 

ଚଇତା ଚାହିଁଚି ଆକାଶକୁ । ମେଘ ନାଇଁ । ଗାଁ କୁଅରେ ଗୋଟା ବୁଡ଼ୁନାଇଁ ।

 

ଗାଁରେ ପକା କୂଅ ହବାକୁ ମଞ୍ଜୁରି ମିଳିଚି ।

 

ସ୍ଥାନ ନିରୂପଣ, ଦାୟିତ୍ଵ ବହନ, ଦେଣ୍‍ ନେଣ୍‌ର ବ୍ୟକ୍ତି ନିର୍ବାଚନ ପାଲା ଗାଁର ଦୁଇଦଳ ଭିତରେ ଚାଲିଚି—ମଞ୍ଜୁର ଅଙ୍କଟି ତାର ମୂଳ ଜାଗାରେ ମିଳେଇ ଯିବା ଉପରେ ।

 

ଚଇତା ଚାହିଁଚି ଆକାଶକୁ । ଆକାଶର ଚରା ମେଘକୁ ଡାକୁ ଡାକୁ ଯେତେ ଆକୁଳତା ଆନନ୍ଦ ଭିତରେ ମିଶି ଯାଇଚି, ଘରର ମେଘଟା ମନେ ପଡ଼ୁ ପଡ଼ୁ ସେତେ ବ୍ୟାକୁଳତା ବ୍ୟସ୍ତତା ଭିତରେ ଭରି ରହୁଚି ।

 

ଜମି ଭାଗ କରି ଦେଇ ହାଣ୍ଡି ଅଲଗା କରି ଦେଇ ଅହିଲା ଆଉ ପୁଅ ବୋହୁକୁ ସନ୍ତୁଷ୍ଟ କଲା ଭଳି ଅବସ୍ଥାକୁ ନେଇ ଆସିଥିଲା । ହଠାତ କାଲି ସଞ୍ଜୁର ଅକର୍ମ ମତ ବଦଳେଇଚି । ମାନି ନବାକୁ ନାରାଜ । ବାପ ଖେତରୁ ଧାନ କାଟି ନେବ ବୋଲି ସ୍ପଷ୍ଟ ଉଚ୍ଚାରଣ କରି କହି ଦେଲାଣି ।

 

ବଡ଼ ପୁଅଟି ବାପର କଥା ଶୁଣି କେତେବେଳେ ଅଜାକୁ ମାରିବାକୁ ହାତ ଉଠଉଚି ତ କେତେବେଳେ ଅକର୍ମର ମୁହଁ ଗୁଞ୍ଜା ଦେଖି ଅଜା ପାଖକୁ ଡରି ଡରି ପାଖେଇ ଯାଉଚି ।

 

ଅକର୍ମର ମତ ବଦଳା ପଛରେ କାହାର ଠେଲା ପେଲା ଅଛି ଚଇତା ଅଳ୍ପ ଅଧିକ ସନ୍ଦେହ କରି ପାରୁଥିଲେ ବି ସଠିକ୍‌ ସିଦ୍ଧାନ୍ତରେ ପହଞ୍ଚି ପାରୁନାଇଁ ।

 

ଆକାଶରେ ଚରା ମେଘକୁ ଥରେ ଥରେ ଚାହିଁ ଚାହିଁ ଚଇତା ଆଗେଇଗଲା ଜମି ଆଡ଼େ-। ପାଣିଥିବା ଗହିର କିଆରିଟିର ପାଖରେ ବସିଗଲା । ପାଖ ହୁଡ଼ାରେ ଖସି ଉଠି କମଳୁ ଯାଉଛି-

 

କମଳୁର ଦୃଷ୍ଟି ବି ଚଇତା ଆଡେ ନାଇଁ । ଯୋଉ ଆଡ଼େ ଆଗେଇଚି ପାଦ ତର୍‌ବର୍‌ ।

 

ଚିଲମ୍‌ ପରେ ପରେ ଦଳା ପରିମାଣ ଯେତେ ବଢ଼େଇଲେ ବି ଦଣ୍ଡକ ପାଇଁ ସିନା କାଟୁ ହଉଚି; ପୁରା ପହରକ ପାଇଁ ବି ଆଉ କାମରେ ଆସୁନାଇଁ ବୋଲି କେତେ ଦିନୁ କହି ହେଲାଣି । ସେ ଦିନୁ ଭାଟି ଆଡ଼େ ଯାଇ କାଟୁଟା ଆହୁରି କିଛି ବଢ଼େଇବାକୁ ଚେଷ୍ଟା କରିଚି । କୋଉଦିନ ଧାନ ବୁଜୁଳାଏ କୋଉଦିନ ଲଙ୍କା ପୁଞ୍ଜାଏ କୋଉଦିନ....... ଅଣ୍ଟା ଖୋସାଠୁ କାନି ବନ୍ଧାଯାଏଁ ଯୋଉଦିନ ଯାହା ପାରିଚି ସାଙ୍ଗରେ ନଉଚି ।

 

ଘଣ୍ଟିଆ ନାଳ କୂଳେ କୂଳେ ଏପାଖ ସେପାଖ ହଉଚି ନକୁଳ । ଡାକ ଛାଡ଼ିଚି ଆ, ଆ, ଆ...

 

ପାହାଡ଼ ଆଡ଼ୁ ସେମିତି ଆସୁଚି ଆ...ଆ.......

 

ନକୁଳ ଚାହିଁଚି । ସଜାଗ ହେଇ ହେଇ ଆସୁଚି ଅଥର୍ବ କାନ ଦୁଇଟି । ଆକାଶରୁ ଶବ୍ଦକଣା ଛାଣି ଆଣିବାକୁ ସେ ଦୁଇଟିର ଅସହାୟ ଆକୁଳତା ନୀରବରେ ଗୁମୁରି ଉଠୁଚି ।

 

ଲଡ଼ବଡ଼ିଆ ଗୋଡ଼ ଦୁଇଟିରେ ଛୋଟେଇ ଛୋଟେଇ ଏପାଖ ସେ ପାଖ ହଉଚି ନକୁଳ-। ମାନକୁ ମନ ଗୁର୍‌ ଗୁର୍‌ ହଉଚି । ଡାକ ଛାଡ଼ୁଚି—ଆ, ଆ, ଆ.......

 

ଘରୁ ଆସିଲା ବେଳେ ମାଡ଼ଖାଇ ଆସିଚି ନକୁଳ । ପହଲି ସାନଭାଇ ବାହା ହେବା ଆଗରୁ ନିଜ ପାଇଁ କନିଆ କରିବାକୁ ଜଣେଇ ଦେଇଥିଲା । ଦ୍ଵିତୀୟ ସାନଭାଇ ବାହା ହେଲା ପରେ ପରେ ବରାବର ବିଦ୍ରୋହ କରି ଆସିଚି । କନିଆଟେ ବୁଝାବୁଝି କରି ଦେବା ପ୍ରତିଶ୍ରୁତି ଠାରୁ ଥଟା ଟାପରା ପରିହାସ ଉପହାସ....... ଏଠିକୁ ଆସିବା ଆଗରୁ ଆଜି ବି କିଛିଟାର ହେଇଥିଲା ପୁନରାବୃତ୍ତି ।

 

ଘଣ୍ଟିଆନାଳ ଏପାଖ କୂଳେ କୂଳେ ଏଠି ସେଠି ଖୋଜି ହଉଚି ନକୁଳ । ଡାକ ଛାଡ଼ିଚି ଆ, ଆ, ଆ, ବଁକା ସିଁଗା ! ବଁ କାସିଁ ଗା । ଆ ଆ ଆ.......

 

ନାଳ ସେ ପାଖକୁ ଯାଇ ଡାକିବାକୁ ସାହସ ଅଣ୍ଟୁ ନାଇଁ । ସଂଜ ଗଡ଼ ଗଡ଼ି ଆସିଲାଣି । ଗାଁର ଗୋଟିଏ ରାଧି ମାଇଁକୁ ସେ ପାଖେ ପୋତିଚନ୍ତି । ମାଇଁ ପେଟର ଛୁଆ ଅଲଗା, ମାଇଁ ଅଲଗା-

 

ପେଟରେ ଛୁଆ ଥିଲା–ରାଧା ମାଇଁ ପେତ୍‍ନି ହେଇ ଡରେଇବାଟା ଭାବୁ ଭାବୁ ଥରେ ଦିଥର ଚମକିଲାଣି ।

 

ଛୋଟେଇ ଛୋଟେଇ ଗହଳ ଲଟା ଭିତରେ ଏ ପାଖ ସେ ପାଖ ହଉଚି ନକୁଳ । ଯୋଉ ବର୍ଷ ବଙ୍କାସିଙ୍ଗିଆ ହଜିଥିଲା ସେଇ ବର୍ଷ ଫଗୁଣ ପାହିଲା ପରେ ପରେ ମିଳିଥିଲା । ଆଜି ପୁଣି ତାକୁ ଦେଖୁନାଇଁ ।

 

ଡାକ ଛାଡ଼ୁଚି ଆ, ଆ, ଆ......

 

ସେ ଆଡ଼ୁ ଆସୁଚି ଆ, ଆ......

 

ବଙ୍କାସିଙ୍ଗିଆ ମିଳିଲା ନାଇଁ । ବାପଠୁ ପାଇଲା ବିଧା ଗୋଇଠା ।

 

ନକୁଳର ଚିତ୍କାର । ଚିତ୍କାର ସହିତ ହୁଂକାର ବି ମିଶିଥିଲା । ହୁଂକାର ଭିତରେ ବିଶେଷ ପରିମାଣରେ ଥିଲା ହଜିଲା ଭଳି ଦାବିଲା ଭଳି ଛପିଲା ଭଳି ଅଭିଯୋଗ ଗୁଡ଼ିଏ ।

 

ନବଘନକୁ ବାଧା ଦେଇଚି ବଡ଼ ବହୁ । ବାଧା ଦେଇଚି ଚଇତା । ବାଧା ପରେ ପରେ ନବଘନର ସ୍ତ୍ରୀ ସଫଳ ହେଇଚି ପୁଅକୁ ନିଜଆଡ଼େ ଆଉଜେଇ ନବାକୁ ।

 

ନକୁଳକୁ ଶଶୁର କବଳରୁ ଟାଣି ଆଣୁ ଆଣୁ ବଡ଼ ବହୁ ଚିତ୍କାର ଛାଡ଼ିଥିଲା—ମାରି ମରୁଚି ! ପିଲାଟିକୁ ମାରି ମରୁଚି ! ଗୁଲିଆ, ଅଳ୍‌ ପେଇସିଆ ଶିଖେଇ ମାତେଇ ମର୍‌ ସୁନାଘର ଚୂନା କଲା ! ପୁଅଟାକୁ କଳା ଖପ୍‌ରା କଲା ! ମାରି ମରୁଚି—ହାତ୍‌ଗୁଡ଼ା ଛିଡ଼ି ଯାଉଚି !

 

ବଡ଼ପୁଅ ବାପଘର ଭିତରକୁ ପଶି ଆସୁଥିଲା–ସ୍ତ୍ରୀ କଥା କାନରେ ବାଜିଲା—ଦାଣ୍ଡ ମୁହଁରୁ ଖସି ଗଲାଣି ।

 

ବଡ଼ ବହୁ ଟାଣିଆଣୁଥିଲା ନକୁଳକୁ—ଏ ନକୁଳ, ଆସ । ଆସ ମର୍‌ଘର୍‌କୁ । ଇ ମେରିଆ ମାରି ମାରି ଖାଇଦେବ ତମ୍‌କୁ ।

 

ନକୁଳ ଆଉଜି ପଡ଼ିଚି ମା କୋଳରେ । ବହୁ ଆଡ଼କୁ ଆଗେଇ ଆସିବାକୁ ବାଟ ଖୋଜୁଚି ।

 

ଏଇ ବଡ଼ ବହୁ ମାଁକୁ ସମ୍ପିକାଟି ଗଦେଇ ଦେବାକୁ ଯେତେବେଳେ ଦାନ୍ତ କାମୁଡ଼ି ମାଡ଼ିଆସେ, ମାଁ ବିନା ପାଟି ତୁଣ୍ଡରେ ମାଡ଼ି ମୁଡ଼ି ହେଇ କୋଉଠି ଆଉଜି ପଡ଼ିଥିବା ବେଳେ ଥିର୍ଟି କରି ଚାହିଁ ରହେ ନକୁଳ ।

 

ଦୁଇଟିର ପ୍ରବଳ ଆକର୍ଷଣ ତାକୁ କରିଦିଏ ଭାବହୀନ, ଭାଷାହୀନ, ଅଥର୍ବ ।

 

ମା ପାଖରୁ ଆଗେଇ ଆସି ବୋହୁଠି ନିର୍ଭୟ ଆଶ୍ରୟ ପାଇଁ ବାଟ ଖୋଜୁଚି ନକୁଳ ।

 

ନବଘନରେ ଟାଣିବା ବେଳ ଟଳିଗଲାଣି । ରାଗ ଗୁଡ଼ାକ ଚରୁ ଚରୁ ମାଡ଼ି ଦଳି ଦେବା, ଚିରିଫାରି ଦେବା ଅବସ୍ଥାକୁ ଆସିଗଲେଣି ।

 

ନବଘନର ଉତ୍ତେଜନା ଦେଖୁ ଦେଖୁ ନକୁଳକୁ ନିଜ ଆଡ଼େ ଆଉଜେଇ ଆଣୁଥିଲା ଚଇତା ।

 

ନବଘନର ହାତ ଗଲା ଉରା ଉପରକୁ । ଟାଣି ଆଣିଲା ଅଳନ୍ଧୁ ଲଗା ବଇଁଶୀରୁ ଗୋଟେ ।

 

ବଇଁଶୀ ପାଲଟିଲା ପାଞ୍ଚଣ ।

 

ବଇଁଶୀ ନଳିର ଆଖିବୁଜା ପାହାର । ପାଟି ବଢ଼ିଚି ଆସିଗଲେଣି ଆଣ୍‌, ଆଣ୍‌ ଆସିଗଲେଣି ମର୍‌ ବଳଦ ଖୁଜି ଆଣ୍‌ । ନାଇଁ ହେଲେ ତର୍‌ ଦିନେକୁ ମର୍‌ ଦିନେ !

 

ନକୁଳର ଚିତ୍କାର ବଢ଼ିଉଠିଚି ।

 

ନକୁଳକୁ ଝିଙ୍କି ଆଣୁ ଆଣୁ ବଡ଼ ବହୁ ସଂପି ଚାଲିଚି । ଚଇତା କହିଲା—ନବ୍‌ଘନ ! ନବ୍‌ଘନ ! ତତେ ଦଇବ ଛାଡ଼୍‍ଲାଣ କାଁ ରେ ?

 

ନବଘନ ଗଳା ଚଢ଼େଇଲା—ଯା, ଯା, ତର୍‌ ଘର୍‌ଟା ତୁଇ ଆଂଗ ସମାଳ ।

 

ଚଇତାର ଚେତା ପଶିଲା !

 

ଏଇ ଟିକିଏ ଆଗରୁ ଅକର୍ମ ଦାଣ୍ଡ ଫଟେଇ ଠେଙ୍ଗା ଉଠେଇଥିଲା । ଏଇ ଟିକକ ଆଗରୁ ଏକା ଚାପୁଡ଼ାକେ ଅକର୍ମର ଗାଲ ସିଝେଇ ଥିଲା ।

 

ଝାଇଁ ମାରି ପଡ଼ିଯାଇଥିଲା ଅକର୍ମ । ହାଲ ହୋଳ ପଡ଼ିଥିଲା—ପାଣି ମରାଠୁ ତୁଟୁକା ଯାଏ ।

 

ଗାଁ ମୁଣ୍ଡରେ ଖଣ୍ଡେ ପଥର କଡ଼ରେ ବସିଯାଇଚି ଚଇତା । ସାମନାକୁ ଚାହିଁଚି । ସଂଜ ପରେ ପରେ ପାହାଡ଼ ନିଆଁ ଦାଉ ଦାଉ ଦିଶିଲାଣି । ଆହୁରି ଦୁର ପାହାଡ଼ରେ ଠାଏ ଠାଏ ସରୁ ସରୁ ରେଖା କେତେଟା—ବିଜୁଳିର ବିକଳାଙ୍ଗ ଖଣ୍ଡ ଗୁଡ଼ାଏ ପାହାଡ଼ ମୁଣ୍ଡଠୁ ପାହାଡ଼ ପେଟ ଯାଏ ବିଞ୍ଛି ହେଇ ସ୍ଥିର ହେଇ ଯାଇଚି ଅବା ।

 

ନିଆଁ ଦାଉ ଦାଉ କରୁଚି । କମଳୁ ଆଗେଇ ଆସୁଚି । ଟିକକ ଆଗରୁ କମଳୁ ହାତରେ ବି ଦାଉ ଦାଉ କରୁଥିଲା ଗୁଣାଟା । ସ୍ତ୍ରୀ ଦେହଟା ଜଳିବା ଆଗରୁ ଯୋଉଟିକୁ ଜାଳି ଦବାକୁ, ପାଉଁଶ ଭିତରେ ମିଶେଇ ଦେବାକୁ ଝର ଝର ଭିତରେ କହି ଚାଲିଥିଲା ସେଇ ଗୋଟିକ ପେଟରାରୁ କେତେଥର ଖୋଲି ଖୋଲି ଦେଖିଚି । ଆଜି ଗଲାବେଳେ ନେବି ନନେବି ହଉ ହଉ ଆଖିବୁଜା ଭାବରେ କାନିରେ ଗଣ୍ଠେଇ ଥିଲା—ସାଙ୍ଗରେ ନେଇଥିଲା । ସେଇଠି ଦେଇ ଆସିଚି ।

 

ଅଳ୍ପ ଟଳି ଟଳି ଫେରୁଚି କମଳୁ । ଚଇତା କଡ଼ ଦେଇ ଚାଲିଗଲା । ଦେଖି ପାରିନାଇଁ ।

 

କମଳୁକୁ ଚାହିଁ ଚାହିଁ ତୀର୍ଥ ପାଖେଇ ଆସୁଥିଲା—ଫେର୍‌ ସେ ଆଡ଼େ ଯାଇଥିଲୁ କାଁ ରେ ?

 

କମଳୁ ଚମକିଲା । ନାହିଁ ନାହିଁର ମୁଣ୍ଡ ହଲାହଲିରେ, ହଁ ହଁ ନାଇଁନାଇଁ, ଭିତରେ କଥା ବଦଲିଲା—ଉଁ, ଇ ଯେନ୍‌ ପଟାଦାର୍‌ଟା ! ଇଟା ତ ସବୁଠୁ ବଳ୍‌ ଲାଣରେ । ପାଣି ଟୁପେ ଟୁପେ ଦେଇ କରି ଆମଠୁ ସବୁ ଲୁଟି ନବ କାଇଁସେ ! କାଇଁଟେ ମିଶେଇଚି ଯେ ଜିନ୍‍ଷଟା ଚାଉଁ କରୁଚି । ନିଶା ନାଇଁ କି ଫିସା ନାଇଁ । ଉହୁଁ ମୁଟ୍ ଉପ୍‌ରେ ତ ନାଇଁ । ଘଡ଼ିକୁ ପୁଣି ଯେନ୍‌ଟାକୁ ସେଟା ।

 

—ନାଇଁ ଯା ନାଇଁ ଯା ଏତେ କହିଲୁ, ଫେର୍‌ ତ ସେ ଆଡ଼େ ଗଲୁ ?

 

ତୀର୍ଥର କଥା ଭିତରେ କଥା ମିଶେଇ କହି ଚାଲିଥିଲା କମଳୁ–କିଛି ନାଇଁ, କିଛି ନାଇଁ, ଖାଲି ଟିକେ ଚାଉଁ କରୁଚି, ଫେର୍‌ ଯେନ୍‌ଟାକୁ ସେଟା ।

 

କାନିରୁ ପୁଞ୍ଜାକୁ ପୁଞ୍ଜା ପାଟିରେ ପକଉଥିଲା । ଲାଳ ସଲବଲ ପାଟି–କିଛି ନାଇଁ, ଆପୁ, ଗଁଜେଇ, ମଦ–—ସଭିକୁ ସଭିଏ ବଳ୍‍ଲେଣ ।

 

ଗୁଣ ସମ୍ବନ୍ଧରେ ଆଉ ଯାହା ଯାହା କହିଗଲା ସେଥିରେ ଜଣେଇ ଦବାକୁ ଚାହୁଁଥିଲା, ଖାଇଦେଇ ମରିବାକୁ ମନକଲେ ବି ଗୁଣଟା ଖାଲି ଚିହ୍ନା ପକେଇଦବ ସିନା, ଜୀବଟା ଯୋଉ ଜାଗାରେ ସେଇଠୁ ପାଦେ କୁଆଡ଼େ ହଟିଯିବ ନାଇଁ ।

 

କମଳୁ କହି ଚାଲିଚି । ପାଖେଇ ଆସିଲେଣି ଆଉ କେତେଜଣ । ଦର୍ଶକ ଦେଖୁ ଦେଖୁ ସଦ୍ୟ ଶିଖିଆସିଥିବା ଦଣ୍ଡ ଗୀତରୁ ପଦେ ଅଧେ ଆରମ୍ଭ କରିଦେଲା—ଏ, ଏ, ଏ.....

 

ଏ ମତେ ଘାସି ବଇଲେ ବ, କେନ୍‌ତା କେନ୍‌ତା ଲାଗ୍‌ସି,

 

ହାତୀ ଉପ୍‌ରେ ବସ୍‌ଲେ ମତେ ଚଉଦ୍‌ ଭୁବନ୍‌ ଦିଶସି୍ ‌!

 

ଏ, ଏ, ଏ ମତେ.......

 

ଗୀତ ପରେ ପରେ ଅଖାଡ଼ୁଆ ପଦେ ପଦେ ଶୁଣୁ ଶୁଣୁ, ଅଶ୍ରାବ୍ୟ ଆଡ଼େ ଗତିକରିବାର ଆଶଙ୍କା କରି ଜଣେ ଧମକ୍‌ ଦେଲାଣି ।

 

ତୀର୍ଥ କହିଲା—ଏ, ମଉସା, ତର୍‌ ଘରେ ତୁଇ ଯାହା କର୍‌ ପଛ୍‌କେ ଦାଁଡ଼୍‌ରେ ବାଟ୍‌ରେ ଏନ୍‌ତି ନାଇଁ ହ ! ଜାତି ସଭାରେ ଫେର୍‌ ପଡ଼୍‍ଲାଣ !

 

ଚମକି ଚାହିଁଲା କମଳୁ ।

 

ଚମକିଲା ଭାବ ଭଙ୍ଗିଟା ହଠାତ୍‌ ଲିଭିଲା ।

 

ପାଖେଇ ଆସିଲା ତୀର୍ଥ–ହଁରେ ମଉସା, ଜାତି ସଭାରେ ପଇଲାଣ ।

 

—କିଏ ନାଇଁ ବଇଲା ?

 

ଜାଣୁଚୁ ତ, ଫେର୍ କାହିଁ ଲାଗି ଏନ୍‌ତି ହଉଚୁ ? ତତେ ଚାଇଁ କରୁ କି ଝାଇଁ କରୁ ଦାଁଡ଼୍‍ରେ ବାଟ୍‌ରେ ଏନ୍‌ତି ନାଇଁ ହ । ଆପୁ, ଗଁଜେଇ ହେଇଚି କାଁ ? ଏ ମଉସା, ତତେ ଧର୍‌ବ । ଆମ୍‌କୁ ଧର୍‌ବ । ଆମ ଗାଁଟା ଜାକର୍‌ ନାଁ ପଡ଼୍‌ବ ।

 

କାନିରୁ ବୁଣି ବୁଣି ହେଇ ଯାଉଥିଲା । ବାକି ଗଣ୍ଡିକ ପାଟିରେ ପକଉ ପକଉ ବେପରୁଆ ଭାବ–କିଏ ଧର୍‌ବ ରେ ?

 

—ଭୁଇ ପିଲା ସବୁ ନାଇଁ ଜାଣୁଚି କାଁ ? ଆଖି ବୁଜି କିରି ଖିର ଖାଉଚୁ କାଁ ?

 

ଜାତି ମାଲିକ କୁରୁପା ଭୁଇର ନାଁଟା ଶୁଣିବା ଆଗରୁ କମଳୁ ଆଗରେ ମାଲିକର ରୂପଟା ଦିଶି ଯାଇଥିଲା । ଦିଶି ଯାଇଥିବା ପରେ ପରେ ହସଟିଏ ଫୁଟି ଉଠିଥିଲା । ନାଁଟା ଶୁଣୁ ଶୁଣୁ—ହଃ, କାହିଁର୍‌ ମାଲିକ ମାଲିକ ହଉଚୁରେ ? ତୁଇ ତାକୁ ନାଇଁ ଦେଖିଚୁ କାଁ ? ଏବେ ଦେଖି ଆଇଚିଁ ମୁଇଁ, ଇ ଆଖିରେ ଦେଖି ଆଇଚିଁ ରେ, ଏବ୍‌କୁ ଏବ୍‌କୁ ଗୁଟା ରଁଗେ ପେସାଲ୍‌ ନାଇଁ ହେଲେ ତାର ନାଇଁ ଗଳ୍‌ବାକ ।

 

—ଖାଉ ନାଇଁ ଯେ । କିଏ ନାଇଁ ଜାଣୁଚେ ? ତାର୍‌, କଥାଟା କିଏ ଧର୍‌ବ ?

 

କମଳୁ ଆଉ ଆଗେଇ ନଥିଲା ।

 

ଅନେଇଲା ପିଲା ଖେଳ ଆଡ଼େ । ଆକାଶର ଚନ୍ଦଠୁ ପାହାଡ଼ର ନିଆଁ–ଦୁଇ ଆଲୁଅରେ ଗାଁ ଦାଣ୍ଡ ବାରି ହେଇ ପଡ଼ୁଚି । ଗରମରେ ଭାଜି ହେଇ ନିଦରେ ଆଉଜି ପଡ଼ିବା ଆଗରୁ ପିଲା କେତେଟା ଖେଳ ଲଗାଇଚନ୍ତି ।

 

ମଝି ମଝିଆଟିଏ ପାଦେ ପାଦେ ଡେଇଁ ଥରକୁ ଥର ଗାଇ ଚାଲିଚି—ଇ ଗୁଡ଼େ ମାଇଲି ଭେଜ୍‌ଲି କଁଟା, ରଟ୍‌କଲାରେ ।

 

ପଥର କଡ଼ରେ ବସି ରହିଚି ଚଇତା । ଚାହିଁଚି ।

 

ପାହାଡ଼ରେ ଆହୁରି ନିଆଁ । ବଣ ଭିତରେ ନିଆଁ । ନିଆଁ ଚରୁଚି । ଶୁଖା, କଞ୍ଚା, କଅଁଳ, ବତର, ବୁଢ଼ା–କିଏ ଜଳୁଚି; କିଏ ଝାଉଁଳୁଚି; କିଏ ଛଟ୍ କୁଚି; କିଏ ଛୁଟୁଚି; କିଏ ଡେଉଁଚି; କିଏ ହେଉଚି ବିକଳାଙ୍ଗ, କିଏ ହେଉଚି ସାଙ୍ଗ ଛଡ଼ା ।

 

ଚଇତା ଚାହିଁଚି । ପାଖଦେଇ ଲାଛୁ ବାଣୁଆ—ଚାଲି ଯାଉଚି । ଟୁପିଦାରଟି ଓହଳେଇଚି-। ତରତର ହେଇ ଚାଲିଯାଉଚି । ପିଠାପୁର ଗାଁ ମୁଣ୍ଡ ବନ୍ଧ ତଳକୁ ଗଡ଼ିଲେଣି ବା ଆଉ ଟିକିଏ ପରେ-। ଯିବା ଆଗରୁ କହୁଥିଲା.... ଲାଗ୍‌ ଲାଗ୍‌ ତା ଗୁହାଳରୁ ଚାର୍‌ପଟ୍‌ ଛେଳି, ଚାର୍‌ପଟ୍‌ ଦାମ୍‌ଡ଼ି ନେଇଥାଏ । ତାର୍‌ ସାନ ପୁଅଟାକୁ ଗଲା ଚାବି ଦେଇଥାଏ । ତାର୍‌ ବଡ୍‌ ପୁଅଟା ଟୁପିଦାର୍‌ଟେ ରଖିଚି । ହଁ ପଇସା ଅଛି, ରଖିଚି ଟୁପିଦାର୍‌ଟେ । ହେଲେ, ହେଲେ ଖାଲି ରଖ୍‌ଲେ କାଇଁଟା ହବ-? ଚିପିଦେଲେ ସିନା ଖାଲିତୁ, ଅସଲ୍‌ ହାତ ସୁନ୍ଦର୍‌ ଥିଲେ ତ ! ରଖିଚି ସିନା, ଜିଁତୁ ଇଆଡ଼େ ତ ଗୁଳା ସେଆଡ଼େ ! ଜାଣ୍‌ଲୁ, ସେଥିଲାଗି ମତେ କହିଲା ଜଗ୍‌ବାକ । ମତେ କିଏ ନାଇଁ ଜାଣି ? ଉଡ଼ିଗଲେ ତ ଝଡ଼େଇ ଦବା ଲୁକ ମୁଇଁ ! ମ’ଠୁ ବଳିଯାଇତା ପେଁଡ୍ରାଟା ? ଜଗ୍‌ଲି ସେଦିନ-। ଚତୁର୍‌ଟା ! ଜାଣ୍‍ଲୁରେ ଭଣ୍‍ଜା ପିଲା, ବଡ଼ ଚତୁର୍‍ଟା ! ପଁକ ଭିତ୍‌ରେ ପଶି କରି କାଦୁଅ ଲଟ୍‌ପଟ୍‌, ହେଇ ଦାମୁଡ଼ିଟେ ଲେଖା ଦିଶୁଥାଏ । ଦେଖ୍‌ଲେ ନାଇଁ ଜାଣ୍‌ବ ପେଁଡ୍ରାବଲି-। ହେଲେ ମର ଆଗରୁ.......

 

ଲାଛୁ ଛପିଗଲାଣି ।

 

ଚଇତା ଚାହୁଁଛି । ଟିକକ ଆଗର ଗୋଠବାହୁଡ଼ା ନାକା ଦନ୍ତାର ବଂଶୀଟି ଶୁଭିଥିଲା । ତା’ ସାଙ୍ଗେ ସାଙ୍ଗେ ସାମନାରେ ଝୁଲିଯାଇଥିଲା ନକୁଳ ପିଠିରେ ଫାଟିଥିବା ଅଳନ୍ଧୁ ଲଗା ବଇଁଶୀଟି ।

 

ଦନ୍ତାର ବଇଁଶୀ ଆଉ ବାଜୁନାଇ । ବେଳେ ବେଳେ ବାଜିଲା ବାଜିଲା ଭଳି ମନେ ହେଉଚି ଚଇତାକୁ । କପାଳର କୁଞ୍ଚ ଛପି ଛପି ଯାଉଚି । ଦବିଲା ପତା ଫିଟି ଫିଟି ଯାଉଚି । ଅନ୍ଧାର ଗୁଡ଼ାଏ, କୁହାଳ ଗୁଡ଼ାଏ ଘୁଞ୍ଚିଘୁଞ୍ଚି ଯାଇ ସିନ୍ଦୁରା ଫାଟୁଚି, ସୂର୍ଯ୍ୟ ଉଠୁଚି ।

 

ଚଇତା ଚାହିଁଥିଲା ।

 

ଆଷାଢ଼ ଆଗ । ମେଘ ଖଣ୍ଡେ ଇଶାଣ କୋଣରୁ ମାଡ଼ି ଆସିଲାଣି ।

 

ଆକାଶ ଛାଇଁ ଲାଣି ।

 

ଆକାଶ ଛୁଇଁ ଲାଣି । ଖଣ୍ଡେ ଖଣ୍ଡେ କଳାହାଣ୍ଡିଆ ତାଳ ରୂପ ନେଇ ତଳକୁ ତଳକୁ ଖସୁଚି । ପରସ୍ତ ପରେ ପରସ୍ତ ଭାସି ଯାଉଚି । ଜହ୍ନ ମୁକୁଳୁଚି । ଜହ୍ନ ଛପୁଛି । ଜହ୍ନ ହଜୁଛି । ଦରହଜା ଜହ୍ନକୁ । ବେଳେବେଳେ କଳି ହଉନାଇଁ ।

 

ମୁକୁଳା ଜହ୍ନର ଉଛୁଳା ଆଲୁଅଟା ଚଇତା ଆଗରେ ଟିକକ ପାଇଁ ଚିକ୍‌ମିକ କରି ଉଠିଲା-। କୋଡ଼ କାଖର ହାତ ଠରା ଜହ୍ନଟା ଛେଳି ଚରା ବୟସଠୁ ଛପି ଯାଇଥିଲା—ପ୍ରାୟ ଛପି ଯାଇଥିଲା–ଟିକକ ପାଇଁ ହଉ ପଛେ, ସେ ଦିନ ହଜିଲା ଜହ୍ନ ପୁଣି ଦେଖା ଦେଇଥିଲା ।

 

ମେଘକୁ ଚାହିଁଲାଣି ଚଇତା ।

 

ଭାସିଯାଉଚି କଳାହାଣ୍ଡିଆ ।

 

ଏଇ ଅବା ଖସି ଆସିବ । ଏଇ ଅବା କାନ୍ଦିବ—ଅଜାଡ଼ି ଦେଇ ଯିବ ।

 

ଏଇ ଅବା ମେଘ କାନ୍ଦିବ, ମାଟି କାନ୍ଦିବ । କାନ୍ଦ ଭିତରେ ଜଳିବ ସବୁଜ ଦିହୁଡ଼ି । କାନ୍ଦ ଭିତରେ ଉଠିବ ସବୁଜ ଲହଡ଼ି ।

 

ସବୁଜର ବିସ୍ତୃତ ଭିତରେ ଚଇତା ମନଟା ଘୁରିବୁଲିଲା ବେଳେ ଧୂସର ଟାଆଁସିଆ ପାଉଁସିଆ ରୁଗୁଡ଼ିଆ ଆଡ଼େ ଲଗାମ୍‌ ଛଡ଼ା ଭଳି ଆଗେଇ ଯାଉଥିଲା ।

 

ଲଗାମ୍‌ ଟାଣିବାକୁ ଚେଷ୍ଟା କରୁଥିଲା ଚଇତା ।

 

ହଳଧରା ଶେଷ ଆଡ଼ର ବେଳ । ମେଘକୁ ଚାହିଁଥିଲା ଚଇତା । ଭାସି ଭାସି ଯାଉଥିବା, ଉଡ଼ି ଉଡ଼ି ଯାଉଥିବା ଗଲା କେତେ ଦିନର ମେଘ—ଚିନ୍ତିତ ହେଇ ଉଠିଥିଲା । ଆଷାଢ଼ ଆଗର ମେଘ । ଆଷାଢ଼ ଆଗର ଅସରାଏ ପାଇଁ ଚଇତା ଚାହିଁଚି ।

 

ଅସରାଏ ଆସିବା ଆଗରୁ ଭାସି ଯାଉଚି । ଖସି ଆସି ପାହାଡ଼ ନିଆଁକୁ ପାଉଁଶ ଅଙ୍ଗାରରେ ପରିଣତ କରିବା ଆଗରୁ ଭାସି ଯାଉଚି ।

 

ଗଲା ବର୍ଷ ଫସଲ ହାନିଟା ମନେ ପଡ଼ିଯାଉଚି । ଏଇ ଭାସି ଯାଉଥିବାଟାକୁ ପୁଣି ସେଇ ଆଗତୁରିଆ ସୂଚନା ବୋଲି ଭାବି ଯାଉଚି । ଚିନ୍ତିତ ହେଇ ଉଠୁଚି ।

 

ଚଇତା ଚାହିଁଚି ।

 

ଭାସି ଯିବା ଆଡ଼େ ଚାହିଁଚି । ମନେ ହେଲାଣି ଏଇ ତ ଟୁପ୍‌ଟୁପ୍‌ ପଡ଼ିବ, ଏଇ ତ ଝୋ, ଝୋ ଦୁଲ୍‌ ଦୁଲ୍‌ ନିଗାଡ଼ି ଦେଇଯିବ । ଏଇ ତ ଝରେଇ ଦେଇ ଯିବ । ଏଇ ଅବା ଟାଣୁଆ ମେଘ ତରଳିବ । ଜଳିଲା ପାହାଡ଼, କୁହୁଳିଲା ବଣ ଲିଭିଲିଭି ଯାଇ ଝାଞ୍ଜି ଧାସ ବଦଳରେ ମନହରା ମଳୟାନୀଳ ଆସିବ । ଏଇ ଅବା ପୋଡ଼ା ଝଳା ଝାଉଁଳାର ପାଦଠୁ ମଥାଯାଏ କଅଁଳ ପତ୍ର ଭରି ଉଠିବ । ଚଇତା ସାମନାରେ ଏଇ ଅବା ଦିଶିଯାଉଥିଲା, କଅଁଳ ଦୁବ, କଅଁଳ ଘାସ । ଦିଶିଯାଉଥିଲା ପାଚିଲା ଧାନ ଖେତ – ଧାନ ଖେତର ବାର୍‌ହା, ହାତୀ, କୁଟ୍‌ରା, ମିରିଗ, ସିଂଙ୍ଗାଳ, ଶୁଆ, ମୟୁର, ମୂଷା...ଫସଲ ଉପରେ ଏଇ ସବୁର ଆବିର୍ଭାବକୁ କିଛିଟା ସ୍ଵାଭାବିକ ଭାବରେ ଗ୍ରହଣ କରି ଆସୁଥିଲା ଚଇତା ଭିତରଟା । କମଳୁ, ମିତରୁ... ମନ ମରା ବାପର ଗଲା ଗଲା ବେଳର କଥାଟା । ବି ଅନେକ ଦିନପରେ ହଠାତ୍‌ ଫୁଟି ଉଠିଥିଲା—ଚଷା ତ ଲାଖ୍‌ ପୁଷାରେ, ଖାଇଲେ, ବୁହିଲେ, ସାଇଲେ ହେଇ ହେଇ ରବେଇ ଖବେଇ ହେଲେ କାଇଁଟା ହବ ? ଯେତ୍‌କି ପାରୁଚେଁ କରି ତ ଯାଉଚେ । ଇଥର୍‌ ଲାଗି କାଁଦ୍‌ଲେ, କୁଁଥେଇଲେ କାଇଁଟା ହବ ? ନାଇଁ କରୁଥାଇତେଁ କି.......

 

ମନ ଉଲୁସା ପାଇଁ ସାନ୍ତ୍ଵନାଟିଏ ପରସି ଯାଉଥିବା ବାପର ମନ ମରା ଭାବ ଭାଙ୍ଗିଟା ଛପି ଯାଇ କଥାଟା କେବଳ ଶୁଭି, ଶୁଭି ଯାଉଥିଲା ।

 

ଚଇତା ଚାହିଁଥିଲା । ବେଳା ବେଳର ଟାଣ ଖରାଟା ଲାଗୁଥିଲା ମଥାରେ ।

 

ନିଜ ଗାଁ ଗଡ଼ତିଆ ଘର ଗାଁରୁ ତୀର୍ଥର ସ୍ତ୍ରୀ ଫେରୁଥିଲା ଧାନ ବୋଝ ମୁଣ୍ଡେଇ । ମୁଣ୍ଡ ଉପରେ ବେଳ । ଛାଇଟା ପାଦ ତଳେ ଛପିଲା ଭଳି—ବୋଝ ତଳର ଛାଇଟା ମଥା ଉପରେ । ଦୀପ ତଳର ଛାଇ ଯାହା ହେଉନା କାହିଁକି ବୋଝ ତଳର ଛାଇଟା କାମରେ ଲାଗିଥିଲା ।

 

ଚଇତା ଚାହିଁଥିଲା ।

 

ଟିକିଏ ଦୁରିଆ ବଣରୁ କମଳୁ ଫେରୁଥିଲା । ଲାଇ ପଟ ବରଡ଼ାରେ ପଛେଇ ଯାଇଚି । ଛପର ପାଇଁ ଗଦେଇଚି ନଡ଼ା ବାଉଁଶ—ଲଇ ନେଇ ଫେରୁଚି ।

 

ବନ୍ଧାବନ୍ଧି ଛାଉଣି ଛପର...ବନ୍ଧନ ଭିତରେ ସବୁରି ହେବ ମିଳନ ।

 

ଆକାଶକୁ ଚାହିଁଥିଲା ଚଇତା । ମନେ ପଡ଼ୁଥିଲା ମିତୁରୁ ଅଜାର କଥା—ତର୍‌ ହାତରେ କାଇଁଟା ଅଛି ଯେ ଦୁଖ୍‍ କରୁଚୁ ! ତର୍‌ ହାତରେ କାଇଁଟା ଅଛି ? କା’ ହାତ୍‌ରେ କାଇଁଟା ଅଛି ? ଯିଏ କର୍‌ ବାର୍‌ ସବୁ କରି ଯାଉଚି । ତୁଇ ହାତ ଗୁଡ଼ ଚଳା କି ନାଇଁ ଚଳା ତତେ ଯିଏ ଦବାର୍‌ ଦବ—ତତେ ଯିଏ ରଖିବାର ରଖ୍‌ବ—ମାର୍‌ବାର୍‌ ମନ୍‌ ଥିଲେ ମାର୍‌ବ–ତାର୍‌ ବାର୍‌ ମନ୍‌ ଥିଲେ ତାର୍‌ବ ।

 

ମନେ ପଡ଼ୁଥିଲା କମଳୁର କଥା—ଉପର୍‌ ପାଣିକୁ ଆମର୍‌ କାଇଁ ହାତ୍‌ଗୁଡ଼ ଅଛି ? ଉପ୍‌ରେ ଗୁଟେ ବଇଚି—ଯାହା କର୍‌ବାର ସେ କରୁଚି !

 

ଶୁଭି ଯାଉଥିଲା ତୀର୍ଥ କଥା—ରଇଥ, ରଇଥ । ସହି ସଁଭାଳି ରହିଥ । ମୁଇଁ ତ ସଲାସୁତ୍‌ରା କରୁଚେଁ । ଘଁଟିଆଟା ଠିକ୍‌ ଆମର୍‌ । ଉପର୍‌କୁ ବଁଧେଇଲେ ଆମର୍‌ ଗାଁ ଚକ୍‌ଡ଼ାଟା ଆଠକାଳି ବାରମାସୀ ପାଣି ମାଡ଼୍‌ବ ।

 

ସବୁ ମନେପଡ଼ୁଥିବା ଗୁଡ଼ିକ ମିଶାଗୋଳା, ଓଲଟପାଲଟ ହଉ ହଉ ଚଇତା ଆସିଗଲା ଯୋଉ ଅବସ୍ଥାକୁ ସେଇଠି ବେଳେ ବେଳେ ଦେଖୁଥିଲା ସବୁଜ କିଆରି ଆଉ ପାଚିଲା ଖେତର ସ୍ଵପ୍ନ ଗୁଡ଼ିଏ । କେତେବେଳେ ଦେଖୁଥିଲା ପାଚିଲା ଧାନର କଳେଇ ଭିତରେ ଅହିଲାର ହସିଲା ମୁହଁଟିଏ-। ତାରି ଫାଙ୍କେ ଫାଙ୍କେ ବେଳେବେଳେ ଫୁଟି ଉଠୁଥିଲା ଅକର୍ମର ଆକସ୍ମିକ କୀର୍ତ୍ତି, ଅହିଲାର ଆହୁତି, କଳି ଗାଳିର ଫୁଲି ଉଠା ଫେଣରେ ସୁଲର ଜୁଆଣ ।

 

ଚଇତା ଉଠିଲା । ଦାଣ୍ଡି ଦାଣ୍ଡି ଗାଁ ମୁଣ୍ଡଆଡ଼େ ଆଗେଇ ଆସିଲା । ମଣ୍ଡପରେ ଖୋଳ ଗିନି ଚାଲିଚି । ଗାଁ ମୁଣ୍ଡ ମିତୁରୁର କୁଡ଼ିଆ ଆଡ଼ୁ ଭାସିଆସିଲାଣି ଖଂଜଣିର ତାଳ ଭିତରେ—କେତେ ଦିନକୁ ମନ ବାଁଧିଚୁ ଆଁଟ........

 

ଘରଟା । ଦିଶୁ ଦିଶୁ ଚଇତା ଟାଣି ହେଇ ହେଇ ଯାଉଥିଲା ସେଇଆଡ଼େ । ଦିଶିଲା ତାକୁ ଖଁଡ଼ ଖୋଡ଼ ପଜରା କାଠି ବାଣ୍ଟି ହେଇ ଯାଉଥିବାର, ମେଞ୍ଚା ମେଞ୍ଚା ମେଦ ମାଂସ ମିଳେଇ ହେଇ ଯାଉଥିବାର—ସାଙ୍ଗରେ କେହି ଯିବେ ନାଇଁ, ସାଙ୍ଗରେ କିଛି ନବୁ ନାଇଁ, ଏକା ଆସିଚୁ, ଏକା ଯିବୁ; ଆସିଚୁ ଲଙ୍ଗଳା ହେଇ, ଯିବୁ ତୁ ଲଙ୍ଗଳା ହେଇ......

 

ସେଇ ଆଡ଼େ ଘୁରି ଯାଇ ଉଦାସ ହେଇ ଆସୁଥିବା ମନଟାକୁ ଫେରେଇ ଆଣିବାକୁ ଚେଷ୍ଟା କରୁଥିଲା ସତ, ସେଇଆଡ଼େ ପାଦ ବଢ଼ିଯାଉଥିଲା ।

 

ଆର ଦିନ ସଂଜ ଆଗରୁ ବି ମିତୁରୁ କୁଡ଼ିଆ ଆଡ଼େ ଆଗେଇ ଯାଉଥିଲା ଚଇତା । ଆକାଶର ମେଘ ଆଡ଼େ ନିଘା ନାଇ । କାନଉ କାନଉ ଟିକେ ଟିକେ ଠିଆ ଠିଆ ହଉଥିଲା ।

 

ପାହାଡ ଢାଲରୁ ଖାଲଟିଏ ଆଗରେ ଚୁପ୍‌ଟି ହେଇ ଠିଆ ହେଇଚି ମାଟିଆ ବଗ । ମାଟି ବୋଳା, ପାଣିଆଡ଼େ ଅନେଇଚି । ପାଦ ଶୁଣି ଗଛ ଉପରକୁ ଉଠିଲା । ସେପାଖରୁ ଆଉ ଗୋଟିଏ ଖସି ଆସିଚି ତଳକୁ । ମୌନ ହେଇ ବସି ରହିଲାଣି । ଲମ୍ବା ଗୋଡ଼ ତଳକୁ ମାଟିଆ ଟିକକ ଚହଲୁଚି-। ଅସ୍ପଷ୍ଟ ଛାଇଟା ବି ଦୋହଲୁଚି । ରହିଲା ଆଡ଼େ ମୌନ ହେଇ ଅନେଇଚି । ଶୁଣୁଚି ଅବା ମୃତ୍ୟୁର ପଦଧ୍ୱନି ।

 

ଆମ୍ବ ତଳେ ସାଇକେଲ୍‌ଟି ଡେରି ଦେଇଚି ଭଗାରି । ଦରଫିଟା ପାରିଶୁଆଟା ଅଣ୍ଟାଠୁ ଉପରକୁ । ହାଲିଆ ମାରୁଚି । ଆଷାଢ଼ ଶେଷ । ଆକାଶରୁ ଝରୁ ନାଇଁ । ଅସରାଏ ବି ଝରି ନାଇଁ ରଥ ପରେ ପରେ । ଉଦୁଉଦିଆ ବେଳର ଝିଲ୍‌ମିଲ୍ ଆକାଶଟାକୁ ଚାହିଁ ଚାହିଁ ଭାବୁଥିଲା ବୁଣା ହେଇଥିବାଟା । ଭାବୁଥିଲା ଗଜା ମରୁଡ଼ି କଥାଟା ।

 

ଆସିଲା ଆଗରୁ ଗାଁରେ ଶୁଣେଇ ଦେଇ ଆସିଚି—ମର୍‌ କଥାଟା ଶୁଣ୍‌ବ ବଇଲେ ତେଲିଆଟା ଠିକ୍‌ ଉପର୍‌କୁ ବଁଧା ହେବ । ଆମର୍‌ ଗାଁରେ ଆଠିକାଳି ବାର୍‌ ମାସୀ ପାଣି ମାଡ଼୍‌ବ । ଉପର୍‌ ଆଡ଼୍‍କୁ ହେଲେ ଯେନ୍‌ ଗାଁ ବୁଡ଼ୁଚି ବୁଡ଼ୁ, ଆମର୍‌ ତ ନାଇଁ । ସେଥିଲାଗି କହୁଚିଁ କି......

 

କହୁ କହୁ ନିଜେ ବି ଉଲୁସି ଉଠିଥିଲା ଭଗାରି । ପାଇଥିବା ପ୍ରତିଶ୍ରୁତିରେ ଯାହା ଫନ୍ଦାଫନ୍ଦ କରି ମିଶେଇଥିଲା ସେବି ସତ ବୋଲି ଅନେକ ଅଂଶରେ ଧାରଣାକୁ ଆସି ଯାଇଥିଲା । ତାରି ଭିତରେ ନିଜ ଜମିଗୁଡ଼ିକରେ ବାରମାସି ପାଣି ମଡ଼ାର, ସବୁଜ ହଳଦୀ ଇତ୍ୟାଦିର ରଙ୍ଗିନ ସ୍ଵପ୍ନ ଚେଇଁ ଚେଇଁ ଉଠୁଥିଲା ।

 

ରଙ୍ଗିନ୍‌ ମଝିରେ ମଝିରେ ମୁହଁ ରଙ୍ଗା ପଡ଼ି ଆସୁଥିଲା ଶୁଣି ଆସିଲାଣି ତଳ ଆଡ଼ୁ ବନ୍ଧା ହବ—ବନ୍ଧା ହେଲେ ନିଜ ଜମିର ବଡ଼ ଭାଗ ବୁଡ଼ିରେ ତୁଡ଼ାରେ ଚାଲି ଯାଉଚି ।

 

ଆମ୍ବ ତଳେ ସାଇକେଲଟି ଡେରି ଦେଇ ଭାବୁଥିଲା ସେଇ କଥା । ଏଇ ଆସିଲା ବେଳେ ଗଣେଶବାବୁଙ୍କ ପ୍ରତିଶ୍ରୁତିରେ ଅନେକଟା ସାହାସ ପାଇ ଆସିଚି । ଦିନେ ଦି’ଦିନ ଭିତରେ ଗାଁକୁ ଆସି ବକ୍ତୃତା ଦେଇଯିବେ । ଗଣେଶ ବାବୁଙ୍କ କଥା ମନେ ପକେଇ, ପାଣିରେ ବୁଡ଼ି ଉବେଇଟୁବେଇ ହବାର ଦୁଃସ୍ୱପ୍ନଟାକୁ ଘିଅ ମହୁରେ ଭସେଇ ଦେବାର ସ୍ଵପ୍ନ ଭିତରେ ହଜେଇ ଦେଇଚି–ହଜୁ ହଜୁ ଗଛ ତଳର ଛାଇତଳେ ଗଡ଼ି ଯାଇଚି ।

 

ବେଳା ବେଳର ଟାଇଁ ଟାଇଁଆ ଖରା—ଛାଇ ତଳେ ବିଶ୍ରାମ ନେଇଚି ଭଗାରି । ଏଇ ଟିକକ ଆଗରୁ ପତ୍ର ଫଡ଼ିର ନିଆଁ ଧାସ ପାଖଦେଇ ଆସିଚି । ଦୁର୍‌ଦୁର୍‌ ଜଳିବା ଶେଷ ହେଇ ଯାଇଚି । ଦିଶୁଚି ଖାଲି ଧୂଆଁ ।

 

ଅଗଣତି ଭିତରେ ଧୂଆଁ ଚରେଇ ଜରଦା ସହିତ ଯୋଉ ଗୁଡ଼ିକ ଜଳିଯାଇ ଝଡ଼ି ପଡ଼ିଥାନ୍ତା ଏଠି ସେଠି, ସେଇ ଗୁଡ଼ିକ ଫଡ଼ି ସହିତ ଜଳି ଯାଇଚ ।

 

ଗଲା ବୈଶାଖ ଜେଷ୍ଠରେ ଯୋଉ କେତୋଟି ଫଡ଼ି ରାତି ପାହାନ୍ତି ଜଳିଥିଲା ସେଥିରୁ ଗୋଟାକରେ ଭଗାରିର ବଡ଼ଭାଇ ଜଡ଼ିତଥିଲା । ଜମି ଡିହ ଗଣ୍ଡଗୋଳ ନେଇ ଅନେକ ଦିନରୁ ଗଡ଼ିଆସିଥିବା ମୁହଁ ଫଟାଫଟି ବାଟ କଟାକଟି ଏ ଯାଏଁ ବାଦ୍‌ ଦେଇ ନଥିଲେ ବି ବଂଶ ମର୍ଯ୍ୟାଦାଟା ଜଗି ଭାଇକୁ ଜାମିନରେ ଆଣିଚି ।

 

ଜାମିନ୍‌ରେ ଆଣିବାକୁ ବନ୍ଧୁଟିଏ ମନା କରି କହିଥିଲା—କାହିଁ ଲାଗି ସେ ଭିତରେ ପଶୁଚୁ ? ଭାଇକୁ ଭଗାରି, ମଡ଼ାକୁ କାଠ !

 

ସାମନାରେ ଫଡ଼ି ପୋଡ଼ା ଧୂଆଁଟା । ଭଗାରି ଚାହିଁଚି । ଅନୁମାନ କରି ନଉଚି ଏଇ ନଗଦଟାରେ କିଏ କିଏ ଜଡ଼ିତ ହେଇଥାଇ ପାରନ୍ତି ।

 

ଗଡ଼ରେ ଥିବା ପତାବାଲା ଗାଡ଼ିରେ ଗଣେଷବାବୁଙ୍କ ସାଙ୍ଗରେ ଭଗାରି ଥରେ ଦୁଇଥର ଯା ଆସ କରିଚି । ଗଣେଷବାବୁଙ୍କ ପ୍ରତିଦ୍ଵନ୍ଦୀକୁ ସେଇ ଗାଡ଼ିରେ ଦେଖିଲା ଦିନୁ ଗଣେଷବାବୁଙ୍କଠୁ ଓଲଟା ଯୁକ୍ତି ଶୁଣି ଆସିଚି । ଗଣେଷବାବୁଙ୍କର ପହିଲି ମତଟା ଗଣ ଭିତରେ ପ୍ରଚାର କରିବାଟା ସିନା ଅସଙ୍ଗତଠୁ ଆଶଙ୍କାପୂର୍ଣ୍ଣ ଯାଏଁ ବୋଲି ଭାବୁଥିଲା, ବର୍ତ୍ତମାନଟା ଯୋର୍‌ ସୋର୍‌ରେ ଚାଲିଚି । ଭଗାରିର ବି ଇଚ୍ଛାଥିଲା ଗଣେଷବାବୁଙ୍କର ଏଇ ହାଲ୍‌ ମତରେ ।

 

ନିଜ ଜମିରୁ ବେଶ ଚକଡ଼ାଟେ କେନ୍ଦୁଗୁଛାରେ ଆହୁରି ଭଲ ଭାବରେ ଛପି ଛପି ଆସିବାର ଦେଖି ଆସିଲାଣି ।

 

ଭଗାରି ଉଠି ବସିଲା ।

 

ଗାଁ ରହିଚି ଆଉ ଦୁଇ କି ତିନି କୋଶ ଦୂରରେ ।

 

ଉଠିବ, ଉଠିବ ହେଇ ଯିବି ଯିବି ହେଇ କେତେବେଳେ ଅଟକି ଗଲାଣି । ସକାଳଟାଯାକ ଦଳ ମେଳରେ ବକ୍‌ ବକ୍‌ । ସଭା ମଝିରେ ମେଳରୁ ଛିଟିକି ଯାଇ ଦଳର ଖିଆ ପିଆ ସରଞ୍ଜାମ ଯୋଗାଡ଼ କରୁଚି । ସେଇ, କ୍ଳାନ୍ତଟା ଗଛ ତଳର ଛାଇରେ କାୟା ବିସ୍ତାର ଓଟାରି ଧରିଚି-

 

ଦରଉଠା ଅବସ୍ଥାରେ କଡ଼ ଲେଉଟାଇ ଭଗାରି । ପାଖ ଗଛ ମୂଳେ ମଣିଷଟିଏ ଉଠି ବସିଚି । ଆସିଲା ବେଳଠୁ ସେ ଆଡ଼କୁ ଦୃଷ୍ଟି ନଥିଲା ।

 

ମଣିଷଟିକୁ ଦେଖୁ ଦେଖୁ ଟିକକ ପାଇଁ ଦୋ ଦୋ ଚିହ୍ନା ହେଲା । ଚିହ୍ନିବାକୁ ଚେଷ୍ଟା ନକରୁଣୁ ଟିକକ ଭିତରେ ଚିହ୍ନି ପକେଇଲା । ଅନେକ ଦିନ ପରେ ଦେଖୁଚି ଏଇ ଫଗୁଣକୁ । ସର୍‌ଗି ପଦର୍‌ରେ ହଳିଆ ଥିବା ବେଳେ ଏବି ଥରେ ହେଇଥିଲା ଫଗୁ ଖେଳର ସାଥି ।

 

ପାଦଢ଼ଙ୍କା ଫଗୁଣର ହାତ ଦୁଇଟିକୁ ଦେଖୁ ଦେଖୁ ଚମକି ଉଠିଲା । ନିଜର ଆ ହା ହା ଭିତରେ ଯାହା ଶୁଣିଥିଲା ଭୁଲିଯାଇ ଥିଲା ସେତେବେଳର ଭାବନାଟା । ଶୁଣି ଯାଇଥିଲା କୋଉ କୋଉ ଜାଗାରୁ ଘୁରି ଆସିଚି ଫଗୁଣ । ଲରିଠୁ ରେଲ ଯାଏ, ସାହେବଠୁ ସ୍ଵଦେଶୀ ଯାଏ... ଶେଷକୁ ଫଗୁଣ ଖୋଜି ବୁଲୁଚି ଭମର୍‌ମାରି ଗଛ ।

 

ଭମର୍ ମାରି—ଯାହା ତଳେ ଗଦା ଗଦା ମଲା ଭ୍ରମର ଦେଖିଥିଲେ ରାଣୀ ଜଣେ;ମଲା ଗଦା ଭିତରେ ନିଜେ ବି ମରି ଯିବାର ଆଶା ରଖି ଗଛ ତଳେ ଶୋଉ ଶୋଉ ଯୋଉ ରାଣୀଙ୍କର ଗୋଡ଼ ହାତ କଅଁଳି ଉଠିଥିଲା । ରାଜା ରାଣୀଙ୍କର ନାଁ ଶୁଣି ସେଇ ମୁଲକର ସେଇ ଭମର୍‍ ମାରି ଗଛ ସଂଧାନରେ ଯାଇଥିଲା ଫଗୁଣ । ସେଇଠି ଶୁଣିପାରିଚି, ରାଜ୍ୟ ଭିତରକୁ ରୋଗୀର ପ୍ରାବଲ୍ୟ ଦେଖି କୋଉ ଯୁଗରୁ ସେ ଯୁଗର ରାଜା ସେଇ ଭମର୍‍ ମାରିର ମୂଳ୍‌ ପୋଛ୍‌, କରି ଦେଲାଣି ।

 

ଭଗ୍ୟରେଥିଲେ ଭମର୍‍ମାରି ଗଛଟିଏ ପୁଣି ଯୋଉଠୁ ହେଲେ ମିଳିବ ବୋଲି ଫଗୁଣ ଯେତେବେଳେ କହିଗଲା ତା ଆଗରୁ ପକେଟ ଦରାଣ୍ଡି ଫଗୁଣକୁ କିଛି ଦେଇ ସାରିଥିଲା ।

 

ଭାଗ୍ୟ କଥାଟା ଶୁଣୁ ଶୁଣୁ ଦେଇଥିବା ପରିମାଣଟି ବଡ଼ ଆକାର ଧାରଣ କରି ଜଳ ଜଳ ଦିଶିଗଲା ।

 

ମନେପଡ଼ିଯାଇଥିଲା ନଗଦ ଶୁଣି ଆସିଥିବା କୁଟ୍ରାପାଲିର ରାଧାଶ୍ୟାମ ବାବାଙ୍କ କଥା–ପରକାଳର ବହୁ ପୁରୁଣା କର୍ମ ସାଙ୍ଗରେ ଇହ କାଳର କର୍ମକୁ ନେଇ ଗତି ମୁକ୍ତି ସମ୍ବନ୍ଧୀୟ ଯାହା କହିଥିଲେ, ଗାଁକୁ ଫେରିବାର ବେଳ ଆଡ଼େ ଲକ୍ଷ୍ୟ କରୁ କରୁ ସେଥିରୁ ଶୁଣି ଯାଇଥିଲା ଅନେକଟା-

 

ଗଣେଶବାବୁଙ୍କ ଭାଗ୍ୟ ଗଣନା କରିବା ସଙ୍ଗେ ସଙ୍ଗେ ଭାଗେ ଦାତାଙ୍କର ଦାୟିତ୍ଵ ଯିଏ ନେଇଚନ୍ତି, ଫଗୁଣକୁ ଦେଇଥିବା ପରିମାଣଟା ବଡ଼ ହେଇ ଦିଶିଯିବା ଆଗରୁ ସେଇ ବାବା ଦିଶିଯାଉଥିଲେ ଜଳ ଜଳ ହେଇ ।

 

ଗାଁରେ ପହଞ୍ଚିଲା ବେଳକୁ ବେଳ ଢେର ଥିଲା । ପ୍ରାୟ ପକ୍ଷକର ଅନୁପସ୍ଥିତ ପରେ ଆଜି ଫେରୁଚି ଘରକୁ । ପହଞ୍ଚୁ ପହଞ୍ଚୁ, ପଞ୍ଚୁ ସ୍ତ୍ରୀକୁ ଘରୁ ବାହାରି ଆସୁଥୁବାର ଦେଖି ନେଲା । ସେଇ ଆଡ଼େ କଣେଇ ଚାହିଁ ଅଗଣାରେ ପାଦ ଦେଲା ।

 

ସୁନ୍ଦରୀକୁ ପଚାର ଦେଲା—ବିକ୍‌ଲୁକାଁ ?

 

—କାଇଁଟା ?

 

—ଧାନ ।

 

—କିଏ କହିଲା ତମ୍‌କୁ ?

 

—ନାଇଁଲ, କିଏ କାହିଁ ଲାଗି କହିବା ? ତର୍‌ ହାତ୍‌ରେ ସବୁ ଦେଲି—ତୁଇ ତ ବିକ୍‌ଲୁ ଭାଙ୍ଗ୍‌ଲୁ, ମୁଇଁ କାହିଁଲାଗି କହିବି ? ପଁଚୁ କନିଆଁ କୁ ଦେଲୁ କା ? କେତେ ଭାଉରେ ଦେଲୁ ?

 

ରନ୍ଧାଘର ଭିତରକୁ ପଶି ଯାଉ ଯାଉ ସୁନ୍ଦରୀ କହିଲା—ଦୁନିଆଁରେ ଯେନ୍‌ଟା ସେଟା ସିନା, ମୁଇଁ ଫେର୍‌ ଦୁସ୍‌ରା ଭାଉଟେ କର୍‌ବି କାଁ ?

 

ସୁନ୍ଦରୀଠୁ ଦୁନିଆ ଭାଉଟା ଶୁଣି ଭଗାରି ଆତଙ୍କ ଗଣିଲା ।

 

ଆଖ ପାଖର ହଳିଆ ମୂଲିଆ ଭିତରୁ, ଦିନକୁ ଏକ ଜାଗାରେ ତିନି ପାଇବାକୁ ନୂଆ ଖୋଲିଥିବା କମ୍ପାନୀ ବାଉଁଶ କାଟିବାରେ ପଶିଚନ୍ତି । ଗଣି ମିଶ୍ରେ, ରାଧୁ ଦାସେ, ହରି ମହାପାତ୍ରେ ଚନ୍ତ୍ର ପଧାନେ...ସଂଘ ବାନ୍ଧିଲେଣି—ଗୋଡ଼ ପାଖକୁ ଆସିଲା ବେଳେ ଏକରେ ଯେତିକି ତିନ୍‌ରେ ବି ସେତିକି ।

 

ତିନ୍‌ରେ ତିନି ଏତିକି ପାଇଁ ଯେତେଦୂର ଧାଇଁଲେ ବି ମିଶ୍ରଠୁ ପଧାନ ଯାଏ କହି କହି ଆସିଲେଣି, ଚେନ୍ଦି ଛିଣ୍ଡି ଲାଣି । ଆଉ କୁଆଡ଼େ ଯିବେ ? ଆଉ କେନ୍‌ଆଡ଼େ ଯିବେ ପୁତେ !

 

ଆତ୍ମସମର୍ପଣ ଦଳ ଭିତରେ ପଞ୍ଚୁ ନାଇଁ ।

 

ସୁନ୍ଦରୀର କଥା ଶୁଣି ଆତଙ୍କ ଗଣିଲା ଭଗାରି । ସଂଘବଦ୍ଧ ଦଳଙ୍କୁ ସମର୍ଥନ ନ କଲେ ଗଣେଷବାବୁଙ୍କୁ ସମର୍ଥନ କରିବାରେ ବାଧା ଆସିବା ଆଶଙ୍କା କଲା ।

 

ସତର୍କ କରିଦେଲା ସୁନ୍ଦରୀକୁ

 

ଝିଅକୁ ପରଶା ପରଶିର ବରାଦ କରିଦେଇ ସୁନ୍ଦରୀ ଗଲା ବାଡ଼ିପଟ ପିଣ୍ଡାତଳକୁ । ନିଜ ମୁକୁଳା ବାଳରେ ତେଲ ମଳୁ ମଳୁ ଅଇଁଠାର ଖୋସା ପାରିଲା ।

 

ଅଇଁଠାର ବର ଆସିଚି । ଡାକି ଆସିଚି ଏତେ ଦିନ ପରେ । ଭଗାରି ଆସିବା ଆଗରୁ ଅଇଁଠା ସଜବାଜ ହେଇ ଯାଇଚି ବରସାଙ୍ଗରେ ଯିବାକୁ । ବାପ ଆସିବା ଯାଏ ଅପେକ୍ଷା କରିବାକୁ ଶୁଣୁଥିଲେ ବି ବାଡ଼ି ପାଖ ଘରେ ବରସାଙ୍ଗରେ କଣ ଟୁପ୍‌ଟାପ୍‌ ହେଇ ମା ପାଖକୁ ଥରକୁ ଥର ଆସୁଥିଲା—ଶାଶୁ ଘରର ଅଭାବ ଅସୁବିଧା ଦେଖେଇଥିଲା । ଅପେକ୍ଷା କରିବାକୁ ବେଳ ନାଇଁ କହୁଥିଲା ।

 

କଥାଟା । ଅବଶ୍ୟ ବର କଥାର ଉଦ୍ଧୃତାଂଶ ଭଳି ।

 

ଖିଆ ପିଆ ପରେ ଟିକିଏ ବିଶ୍ରାମ ନେବା ଆଗରୁ ଭଗାରି ବଡ଼ ହଳିଆ ସାଙ୍ଗରେ ଗପ ଲମ୍ବେଇ ଦେଇଥିଲା । ବଡ଼ ହଳିଆ ଲଖଣ ପୁଣି ରହିଲାଣି ଫଗୁଣ ପାହୁ ପାହୁ । ରହିଲା ବେଳେ ଭଗାରି କହିଥିଲା—ତୁଇ ଛାଡ଼ି ଯାଇଥିଲୁ । ତର୍‌, ଗଁଡ଼ାକ ତୁଇ ବୁଡ଼େଇଥିଲୁ । ତୁଇ ଯାହା ଭାବ୍‌ ପଛ୍‌କେ ମୁଇଁ ଡାକିବଜେଇ କହିବି—ମର୍‌ ଲେଖା ସାଉକାର୍‌ଟେ କେନ୍‌ଠି ନାଇଁ ପାଉଁ । ସାତ୍‌ ଜନ୍‌ମରେ ନାଇଁ ପାଉଁ ।

 

ଲଖଣ ପୁଣି ରହିଚି । ପରେ ପରେ ଚାଷ ଲମ୍ବିଚି । ଗଣେଷବାବୁ ଦେଇଥିବା ପାଟିର ମୋଟା ଅଙ୍କଟିଏ ବିଲ୍‌କୁଲ ପାଟିରେ ପକେଇ ଦେବାଟା ବିଶ୍ଵାସଘାତକତା କାର୍ଯ୍ୟ ବୋଲି ଠିକ୍‌ କରିନେଇ ଯେତିକି ନିଜର ବୋଲି ଧରି ନେଇଚି ସେଇଟା ଅକର୍ମା ମାଟିରେ ଲଗେଇ ଦେଇଚି ।

 

ଧରି ନେଇଥିବା ଅପେକ୍ଷା ଯାହା ଅଧିକା ହେଇଗଲା ସେଇଟା ହକ୍‌ ନହେଲେ ବି ଧର୍ତ୍ତବ୍ୟ ନୁହେଁ ବୋଲି ଧରି ନଇଚି ।

 

ହଳିଆ ସଂଖ୍ୟା ଦୁଇ ପରେ ଆଉ ଗୋଟିଏ ବଢ଼େଇଚି । ତିନି ହେବା ବାସୀ ଦିନ ଲଖଣକୁ କହି ଦେଇଥିଲା—ତିନ୍‍ ରୁ ଚାର୍‌, ଚାର୍‌ରୁ ପାଁଚ୍‌ ହେବେ ଇଥ୍‌ର । ତତେ ମୁଇଁ ଘରର୍‌ ପୁଅ ଲେଖା ଦେଖି ଆଇଚିଁ । ତର୍‌ ହାତରେ ତ ସବୁ–ଇଥ୍‌ର ଜାଣି ତୁଇ ମର୍‌ ଖମାରି ହେଲୁ ।

 

ଲଖଣ ଟିକିଏ ହସିଥିଲା—ହଁ ଗ ସାଉ, ତମର୍‌ ଇଠି ହଳିଆ ଯେନ୍‌ଟା ଖମାରି ସେ’ଟା-! ମୁଁଇ ନାଇଁ କଲେ, ନାଇଁ ଧଇଲେ ତମେ ଛାଡ଼ିଦବ କାଁ ?

 

ଭଗାରି କହିଥିଲା –ହେ ଦେଖ୍‌, ହେ ଦେଖ୍‌—ମର୍‌ କଥାଟା ଫେର୍‌ ତୁଇ ଅବାଗିଆ ବୁଝ୍‌ଲୁ । ତୁଇ ନାଇଁ କଲୁ, ନାଇଁ ଧଇଲୁ ବଲି କେବେ କହିଲି କାଁ ରେ, ତିନି ଜାଗାରେ ଚାର୍‌, ଚାର୍‌ ଜାଗାରେ ପାଁଚ୍‌, ପାଁଚ୍‌ ଜାଗାରେ ସାତ୍‌ ହଉ ହଉ, ଆହୁରି ଆହୁରି ହଉ ହଉ ତୁଇ ତ ଶୁଇଲା ଜାଗାରେ ସବୁ କରେଇବୁରେ, ସେତ୍‌ ବେଳକୁ ଆଉ ଏନ୍‌ତି ଥିବ କାଁ ?

 

ଅଇଁଠାର ମନ ପାଉନାଇଁ ମାଁ ପାରିଦେଇଥିବା ଖୋସଟା । ପୁଣି ଫିଟେଇ ନିଜେ ପାରୁଚି ।

 

ନିଜ ଖୋସାଟା ନିଜେ ପକେଇଚି ସୁନ୍ଦରୀ । ଗଲାବର୍ଷ ନୂଆ ଅନୁକୁଳ ହେଇଥିବା ଗାଁ ରଥ ଯାତ୍ରାରେ ଯୋଉ ପାନ ଫୁଲଟା ଖୋସାରେ ଖୋସିଥିଲା ତାକୁ ରଖିଦେଇଥିଲା । ଆଜି ପୁଣି ଖୋସୁଚି ।

 

ଲକ୍ଷଣ ସାଙ୍ଗରେ କଥା ହଉ ହଉ ଭଗାରି ଥରେ ଥରେ କଣେଇ ଚାହୁଁଥିଲା ସୁନ୍ଦରୀ ଆଡ଼େ । ଗଡ଼ ଡାକ୍ତରଖାନାରେ ରହିବା ଦିନାକେତେ ସୁନ୍ଦରୀ ଖୁବ୍‌ ବେଶୀ ଝଡ଼ି ଯାଇଥିଲା । ଝଡ଼ି ଯାଇଥିଲେ ବି ଘୋଳା, ବିନ୍ଧା, ଛିଟିକା ପ୍ରାୟ ବନ୍ଦ ହୋଇ ଯାଇଚି ।

 

ଗଡ଼ ଡାକ୍ତରଖାନା ଛାଡ଼ିଲା ବେଳକୁ ଔଷଧଠୁ ଏ ବି ସି ଯାଏ ଆଣିଥିଲା । ଏଠି ସେଗୁଡ଼ିକରୁ ଯେତେଟା ଖାଇଚି ସେତେ ବା ତାଠୁ ବେଶୀ ଲୁଚେଇ ଛପେଇ ଫିଙ୍ଗି ଦେଇଚି ବା ଢାଳି ଦେଇଚି ବୋଲି ବରାବର ସନ୍ଦେହ । ପଖାଳଟା ପୁଣି ଆରମ୍ଭ ହେଇ ପୂର୍ବ ଅବସ୍ଥାକୁ ଆସିଲାଣି-। ପୂର୍ବ ସ୍ୱାସ୍ଥ୍ୟଟା ବି ଫେରି ଆସିବାର ଦେଖି ସନ୍ଦେହଟା ବେଳେ ବେଳେ ସନ୍ଦେହ ଭିତରେ ରହି ଯାଉଚି ।

 

ଲଖଣ ଆଉ ଭଗାରି କଥାକୁ କାନଉ କାନଉ ସୁନ୍ଦରୀ ନିଜ ଖୋସାରେ ଡିମ୍ବକଣ୍ଟା ଫୋଡ଼ୁଥିଲା । ହଠାତ୍‌ କଣ୍ଟା ଆଉ ଫୁଲ କାଢ଼ି ଦେଇ ଖୋସା ପକାଟା ଆଉ ଥରେ ଆରମ୍ଭ କରିଦେଲା । ଯାତ୍ରାର ଗହଳି ଭିତରେ ବି ଖୋସା ଫିଟେଇ ମୁକୁଳା ବାଳକୁ ମାତ୍ର କେତୁଟା ଆଖି ମିଟ୍‌କା ଭିତରେ ପୁଣି ଖୋସାରେ ପରିଣିତ କରିବାରେ ଦେଖା ଯାଉଚି ।

 

ସୁନ୍ଦରୀ ମୁହଁ ଦେଖୁଚି । ମିଠେଇ ମିଠେଇ ଖୋସା ଚିକ୍‍କଣେଇ ନେଉଚି । ନୂଆ କରି ପାନ ଚୋବେଇ ଆସୁଥିବା ଦାନ୍ତଗୁଡ଼ିକ ଓଠର ପ୍ରସାରଣ ବେଳେ ବାରି ହେଇପଡ଼ୁଚି ।

 

ଖୋସା ପାରି ଦେଇ ଶାଢ଼ିଟି ବଦଳେଇବା ଆଗରୁ ଶାଢ଼ିଟିକୁ ଏପାଖ ସେପାଖ ଓଲଟ ପାଲଟ କଲା । ଅଡ଼ୁଆ ଅଡ଼ୁଆ ଲାଗୁଚି ଏ ଦୋକାନୀ ଖଣ୍ଡକ । କିନ୍ତୁ ମନେ ପଡ଼ିଯାଉଚି ଗଡ଼ରେ ଏ ଖଣ୍ଡ କିଣିଲାବେଳେ ଭଗାରି ଖୁବ୍‌ ପ୍ରଶଂସା କରିଥିଲା ।

 

ଆଜି କାଲି ଭୁଲିଆଠୁ କିଣା ବୁଣା କବ୍‌ଟା ଗୁଡ଼ିକର ରଙ୍ଗ ଦିଗଟା, ମଙ୍ଗ ଦିଗଟା ପାଇଁ ଅଭିଯୋଗ କରି ଆସିଚି । ଅଭିଯୋଗ ଭିତରେ ଏବକୁ ଏବକୁ ବେଶୀ ରହୁଚି ଚଉଡ଼ା ହେଇ ଆସୁଥିବାଟା । ଯେତେ ଚଉଡ଼ା ହେଲେ ବି ଅଣ୍ଟା ପାଖରେ ଭାଙ୍ଗି ଭୁଙ୍ଗି ମୋଡ଼ିମାଡ଼ି କରି ଆଣ୍ଠୁରେ ସାମାନ୍ୟ ତଳକୁ ରଖିବାର ଅଭ୍ୟାସଟା ବରାବର ରଖି ଆସିଚି ।

 

ଏବେ ଥରେ ଟୁରା ଆସିଥିଲା । ଯୋଉ ଗୁଡ଼ିକ ସାଙ୍ଗରେ ଆଣିଥିଲା ସୁନ୍ଦରୀ ମନକୁ ପାଇ ନାଇଁ । ତା ଭିତରେ ଯୋଉ ଫୁଲଫୁଟା ବ୍ଲାଉଜ ଖଣ୍ଡକ ଆଣିଥିଲା, ଅଇଁଠା ଆଉ ସୁଲ ଭିତରେ ମୁହଁ ଫଟା ଫଟି ହେଇଥିଲା । ବ୍ଲାଉଜ ଭିତରେ ଅଇଁଠାର ଦୁଇଟା ଦେହ ଗଳିଯିବା ଭଳି–ସୁଲ ଦେହକୁ ଫାଟିଲା ପରି କସାକସ୍‌ ।

 

ଅଇଁଠା ରଖିଚି । ବେଶୀ ବେଳ ରଖି ଦେଉଚି । ହାତରେ କଲିଅରି ହଳଟା ପିନ୍ଧିଲାବେଳେ ପ୍ରତିବନ୍ଧକ ସୃଷ୍ଟି କରି ଆସୁଚି ।

 

ସକାଳୁ ଯିବ ଅଇଁଠା । ସେ ଖଣ୍ଡକ ପିନ୍ଧିବାକୁ ମା ପେଡ଼ିରୁ କାଢ଼ି ଲାଣି । ନିଜ ବୋଝ ପାଖକୁ ଆଣିଲାଣି । ବୋଝ ଭିତରେ ମାଁ ଦେଇଥିବା କବ୍‌ଟାଟି କେତେଥର ଫିଙ୍ଗିଲାଣି । ପସନ୍ଦକୁ ଆସୁ ନାଇଁ । ଆଉ ଥରକୁ ଭଲଟିଏ ପାଇଁ ପ୍ରତିଶ୍ରୁତି ପାଉଚି ।

 

ଶାଢ଼ି ଖଣ୍ଡକ ପିନ୍ଧିନେଉଥିଲା ସୁନ୍ଦରୀ । ମନ ପାଉ ନାଇଁ । ମନେ କିନ୍ତୁ ପଡ଼ିଯାଇଥିଲା କିଣିଲା ବେଳେ ଭଗାରୀର ପସନ୍ଦଟା ।

 

ସଂଜ ପରେ ପରେ ଖିଆପିଆ ସାରିଦେଲା ଭଗାରୀ । ଚଞ୍ଚଳ ଶୋଇବା କାମଟାକୁ ବଢ଼େଇ ଦବାକୁ ମନ କରିଥିଲା । ଶୋଇବା ଘରକୁ ଯାଇ ପାରି ନାଇଁ । ଖିଆ ପିଆ ସରୁ ସରୁ ଡକରା ପାଇଚି; ମିଳା ମିଶା ପାଇଁ ଗାଁର ଏପାଖ ସେପାଖ ଭିତରେ ସଭା ବସିଚି । ଖିଆପିଆ ପରେ ସେଇଠି ଅଟକି ଯାଇଚି ।

 

ପାଖ ଗାଁରୁ ଉଠି ଆସିଥିବା ଜଗା ଦାସେ ଏ ଗାଁରେ ଘର ତୋଳି ରହିଲା ଦିନୁ ଗାଁର ମାଲିମୋକଦ୍ଦମା, ଦଙ୍ଗା ହେଙ୍ଗାମ୍‌ ଇତ୍ୟାଦି ଯେ ବଢ଼ି ଯାଇଚି, ଗାଁର ଯୁବକ ସଂଘଠାରୁ ଆରମ୍ଭ କରି ଗାଁର ବୁଢ଼ା ବୁଢ଼ାମାନେ ଆଲୋଚନା କରି ଆସିଲେଣି । ଯୁବକ ସଂଘକୁ ପଟାପଟି ଫଟାଫଟି କରିବାରେ ଜଗୁ ଗୁସେଇଁଙ୍କର ସବୁଠୁ ବେଶୀ ହଟଚମଟ ଅଛି ବୋଲି କେହି କେହି ପ୍ରକାଶ୍ୟରେ ପ୍ରଚାର କରିଦେଲେଣି । ଗାଁର ଗଲା ରଥଯାତ୍ରା ଗୋଳମାଳରେ ଜଗୁ ଗୁସେଇଁଙ୍କ ମଗଜର ଚେର କେତେ ଭିତରକୁ ମାଡ଼ିଯାଇଚି ତାକୁ ପରୀକ୍ଷା କରି ଦେଖିଲେଣି । ଦେଖିବାକୁ ଯେଉଁମାନେ ଖୋଳା ତୋଡ଼ା ଆରମ୍ଭ କରି ଦେଇଚନ୍ତି ଭଗାରି ବି ସେଥିରେ ପରୋକ୍ଷରେ ସାହାଯ୍ୟ ଦେଇ ଆସିଚି । ପ୍ରତ୍ୟକ୍ଷ ସାହାଯ୍ୟରେ ଅସୁବିଧା ଦେଖୁଚି ।

 

ଜମିବାଡ଼ି ସମ୍ବନ୍ଧୀୟଠୁ ଜନାକାରୀ ଯାଏ—ତିନିଶ ନମ୍ବର ଯାଏଁ ଟପେଇ ପାରିଥିବା ସେଇ ଜଗା ଦାସଙ୍କୁ ସଭା ଭିତରେ ସଙ୍କୁଚିତ ନହେଲା ଭଳି ବସିଥିବାର ଦେଖି ଭଗାରୀ ସେତେଟା ବିସ୍ମୟ ପ୍ରକାଶ କରି ନାଇଁ ।

 

ଜଗା ଦାସଙ୍କ ପାଖରେ ଦାସଙ୍କ ସଙ୍ଗୀଟି । ପାଖରେ ବସି ଢୁଳଉଚି । ହାତ ମାରି ବେଳେ ବେଳେ ଚେତେଇ ଦଉଚନ୍ତି ଦାସେ । ସେଇ ସଙ୍ଗୀଟି—ଦାସଙ୍କ ପରେ ପରେ ଏ ଗାଁକୁ ଉଠି ଆସିଚି, ଯା’ଠୁ ବେଳେ ବେଳେ ସ୍ଵୀକାରୋକ୍ତି ଶୁଣାଯାଏ—ପଞ୍ଚମକାରରେ ବିକାର ନାଇଁ, କଚେରୀ ଜାନା ଆନା, ଜେଲ୍‌ଖାନାଟି ଶଶୁର୍‌ ବାଡି, ଥାନାଟା ଘର—ତା ସାଙ୍ଗକୁ..........

 

ଜଗା ଦାସଙ୍କ ଆଖି ସାମନାରେ ନ ବସି ପଛ ପାଖକୁ ବେଶ୍‌ ଟିକିଏ ଦୂରେଇ ବସି ଯାଇଚି ଭଗାରି । ମୋକଦ୍ଦମାର ମତାମତଠୁ ଅନ୍ୟ ପକ୍ଷରେ ଗତାଗତ ଗୁଡ଼ିକ ଜାଣିବା ଇତ୍ୟାଦି କାମରେ ଦାସଙ୍କୁ ସାହାଯ୍ୟ ମାଗିଚି, ଛାଏଁ ଛାଏଁ ବି ପାଇଚି । ତିନିଶ ନମ୍ବର ଭିତରୁ ମାତ୍ର ଗୋଟିଏ ନମ୍ବରରେ ମାତ୍ର ଅଳ୍ପ କେତେ ଘଣ୍ଟା ହାଜତ ବାସ ପାଇଥିବା ଏଇ ଦାସେ—ଜିଣା ରାୟ ପରେ ବାଜାବାଲାଙ୍କ ପଛେ ପଛେ ଗାଁରେ ଯୋଉ ଥର ପାଦ ଦେଇଥିଲେ ଏଇ ଦାସେ, ସେଥିରେ ବି ଲମ୍ବି ଆସିଥିଲା ଭଗାରି ।

 

ସଭା ଭିତରେ ଦାସଙ୍କ ଚାରି ପାଖରେ ଫାଙ୍କା ଜାଗା—ଲାଗି ବସିବା ତ ଦୂରର କଥା ପାଖେଇ ବସିବାଟା ବୁଦ୍ଧିମାନର କାମ ବୋଲି ମନେକଲା ନାଇଁ ।

 

ସଭାର ତନାଘନା ତର୍କ ବିତର୍କ । ମଝିରେ ମଝିରେ ହଟ୍ଟଗୋଳ । ସେ ଆଡ଼େ କାନଟା ବରାବର ଥିଲେ ବି ବେଳେ ବେଳେ ଅନେଇ ଦଉଥିଲା ଅନ୍ଧାର ଭିତରେ ଝାପସା ଦେଖାଯାଉଥିବା ମନ୍ଦିର ଆଡ଼େ । ଏଇ ଅବା ଧସେଇ ପଡ଼ିବା ଅବସ୍ଥାରେ ଥିବା ଶିବ ମନ୍ଦିରଟିର ଜୀର୍ଣ୍ଣ–ସଂସ୍କାର ପାଇଁ ଏବେ ଯୋଉ ମତ ଦେଇଥିଲା ଗାଁର କେତେ ଜଣଙ୍କୁ ସେ କଥାଟା ଅଜୀର୍ଣ୍ଣ ହେଲା ଭଳି ଅନୁମାନ କରୁଥିଲା । ଏବେ ସେଇଟା ଅନୁଭବରେ ଆଣିଲାଣି । ତାଙ୍କ ଭିତରୁ ମୁଖିଆ ଜଣଙ୍କ ଚେଷ୍ଟାରେ ଗାଁର ନୂଆ ରଥଯାତ୍ରା ଆରମ୍ଭ ହେଇଚି ବୋଲି ଜାଣିପାରିଲା ଦିନୁ ଏଇ ମନ୍ଦିର ମରାମତି ଜିଦ୍‌ଟା ବଢ଼ିଯାଇଚି । ଗାଁ ରଥଯାତ୍ରାରେ ଯୋଗ ଦେଇଥିଲେ ବି ଯାତ୍ରା ପାଇଁ ଯୋଉ ଉଚ୍ଚ୍ଵାସ ଭିତରେ ଭିତରେ ଉଠୁଥିଲା, ମୁଖିଆ ନାଁ ଟା ମନେ ପଡ଼ୁପଡ଼ୁ ଉଚ୍ଛ୍ୱାସଟା ଭିତରେ ଭିତରେ ଦବି ଦବି ଯାଉଥିଲା ।

 

କାନଉ କାନଉ ଭଗାରି ଚାହିଁଥିଲା ଜୀର୍ଣ୍ଣ ଦେଉଳକୁ । ଗାଁର ପୁରୁଣା କୃଷ୍ଣ, ନୂଆ ଜଗନ୍ନାଥଙ୍କ ଅପେକ୍ଷା ଏ ଶିବଙ୍କୁ ଆହୁରି ପୁରୁଣା ବୋଲି ପ୍ରମାଣ କରିବାକୁ ଚେଷ୍ଟାକରି ପହିଲେ ଏ ମନ୍ଦିର ମରାମତିଟା ଆବଶ୍ୟକ ବୋଲି ମତ ଦେଇଚି । ସମର୍ଥନକାରୀଙ୍କ ସଖ୍ୟା ବଢ଼ାଇବା ଚେଷ୍ଟାରେ ରହିଲାଣି । ଗଣେଷବାବୁଙ୍କୁ କେନ୍ଦ୍ର କରି ଯୋଉ କାମରେ ଲାଗିଚି, ବର୍ତ୍ତମାନ ପାଇଁ ଏ ଚେଷ୍ଟାଟାକୁ ଦବେଇ ରଖିଚି । କୃଷ୍ଣ ଜଗନ୍ନାଥଙ୍କର ପ୍ରଶଂସା କଲାଣି । ସେଇ ଉଦ୍ୟୋକ୍ତାଙ୍କ ଉଦ୍ୟମ ଦ୍ଵାରା ଉତ୍ତରୋତ୍ତର ଉନ୍ନତି ହେବା ସମ୍ବନ୍ଧୀୟ କଥା କହିଲାଣି ।

 

କାନଉଚି ଭଗାରି । ମନ୍ଦିର ଆଡ଼େ ଚାହିଁଚି । ପୁରୁଣା ଆଉ ନୂଆ ଅପେକ୍ଷା ଆହୁରି ପୁରୁଣା ବୋଲି ପ୍ରମାଣ କରୁଥିବାଙ୍କ ଉପରେ ଏ ଭିତରେ ଆଉ ଟିକିଏ ବିଶ୍ଵାସ ଜଗିଚି । ପିଲାପିଲିଙ୍କ ନାଁରେ ପାଣି ରୁକିବାର ନିର୍ଭର ପ୍ରତିଶ୍ରୁତି ଦେଇ ସୁନ୍ଦରୀଠୁ ଭୋଗାରାଗ ପାଇଁ ଅରୁଆ ଚାଉଳ ମୁଗ ଇତ୍ୟାଦି ନଉଥିବା ଶଙ୍କର ମାଳିଠୁ ଏଇ ହାଲ୍‌ ଶୁଣିଚି—ଯେତେ ଯେନ୍‌ଠି ଥାପ୍‌ନା କରୁଥ, ପୂଜା କରୁଥ, ଭୁଗରାଗ କରୁଥ, ଶିବ ତଳ୍‌ ସଭିଏ । ସେ ଥପା ହଉନ୍‌ କି ଉଭା ହଉନ୍‌, ସୁଚ୍ଛ୍‌ ମନ୍‌ରେ ମାଗ, ସୁଚ୍ଛ୍‌ ମନରେ ଅଧିଆପଡ଼, ଦେଖ୍‌ବ ସେଠୁ ଯେତେ ଚଟ୍‌କିରି ବର ମିଳ୍‍ସି ଆଉକୁ’ଠୁ ନାଇଁ । ଆମର୍‌ଠିତ କଥା ନାଇଁ–ଡାକି ଦେଲେ ଓ କର୍‌ସନ୍‌!

 

ସଭାରୁ ଫେରୁଚି ଭଗାରି ।

 

ଫେରିଲା ବେଳେ ସେଇ ମନ୍ଦିର ମରାମତି କଥାଟା କହିଲା ଗାଁର ପାଣୁ ଅଜାକୁ । କହି ଦେଇ ସାରିବା ପରେ ବର୍ତ୍ତମାନର ପ୍ରତିଜ୍ଞାଟା ସ୍ମରଣକୁ ଆସିଗଲା । କଥାଟା ଆଉ ଅଲୋଚନାକୁ ନଆସିବା ପାଇଁ ଅନ୍ୟ କଥା ଉଠେଇଲା ।

 

ତା’ରି ଭିତରେ ଅଜା କହିଲା—ତମେ ସବୁ ଲାଗରେ । ଆମର୍‌ଠି ଆଉ କାଇଁଟା ଅଛି । ଆମେ ତ ଖାଲି ଗାଡ ଟିକ୍‍ରା କର୍‍ବାକ୍‍ ବଇଲୁଣ । ଆମର୍‌ ଆଉ ବଳ କାଇଁଚି କି ବେଳ କାଇଁଚି !

 

ଅଜା କଥାକୁ ଟପେଇ ଛପେଇ ଗାଁ ସେପାଖରେ ଓ୍ୟାର୍ଡ ମେମ୍ବର ମଧୁ ପଲେଇ କଥା ଆରମ୍ଭ କଲା । ସଭା ଭିତରେ କହିବ କହିବ ହେଇ ଯୋଉ କଥାଟା କହି ନଥିଲା ଏଠି ଦେଲା ସେଇ ମତାମତଟା—ଜଗା ଗୁସେଇଁ ସହଜ୍‌ ଜିଁତୁ ନାଇଁ । ତାକୁ ପାର୍‌ଲା ଲେଖା ଲାଗୁନାଇଁ । ହଉ ଦେଖୁ୍ଁତ ।

 

ମେମ୍ବର ପଛେ ପଛେ ଗୁଡ଼ୁ ଗୁଡ଼ୁ ହେଇ ଆସୁଥିବା ପିତ ନାଇକ କହିଲା—ହେ’ଟାର୍‌ କଥା ନାଇଁ କହତ । ମୁଇଁ ତ ମୂଳ୍‌ରୁ କହୁଚେଁ, ହେ ବଡ଼୍ ଫାସ୍‌କୁ ନାଇଁଯାଏ, ସାନ୍‌ ଫାସ୍‌ରେ ନାଇଁ ଗଳେ ! ହଉ ଦେଖୁଁତ । ହେଲେ, ଆମେ ଚାଁଟିପିଁପ୍‌ଡ଼ି ଯାକ ଏନ୍‌ତି ଭେଳା ନାଇଁ ବାଁଧ୍‌ଲେ କିଛି ନାଇଁ ହୁଏ ।

 

ଅନେକଟା ଶୁଣିବା ପରେ ଭଗାରି ଗଳା ଗାମ୍ଭୀର୍ଯ୍ୟ ଆଡ଼େ ଗତିକଲା—ହବ, ହବ, ସବୁ ହବ । ଗଣ୍‍ଷବାବୁ ଆସେମିଲ୍‌ରେ ଗୁଟି ଗୁଟି କରି ସବୁ ପକେଇବେ । ଫେର୍‌ କହି ରଖୁଚି ଦେଖ, ଆମର୍‌ ଆଗ୍‌ରେ ହଁ ହଁ କର୍‌ଦେଲେ ନାଇଁ ହୁଏ, ସତ ରଖିକରି ମାନ୍‌ବ ବଇଲେ ସବୁ ହେଲା । ରଥ ଭଗ୍‌ବତ, ଆଖ୍‌ଡ଼ା କି ଆଉ ଯେନ୍‌ଟା ହଉ ଗଣ୍‌ଷବାବୁ କେନ୍‌ଥିରେ ଉଣା ନାଇଁକରି ଦିଅନ୍‌ । ଆଉ ଜାଣ୍‌ଲରେ,

 

ଆଉ କେତେ କଣ କହିଯିବାକୁ ପାଦେ ପାଦେ ଅଟକୁଥିଲା । ସଭାରେ ଯାହା କହିବ କହିବ ହେଇ କେତେ ଆଡ଼କୁ ଦେଖି ଚାହିଁ କହିପାରି ନଥିଲା, ଏଠି କହିଦେଇ ବେଶ୍‌ ଟିକିଏ ହାଲୁକା ଅନୁଭବ କଲା ।

 

କହୁ କହୁ ଘରଆଡ଼େ ଚାହୁଁଥିଲା ଥରକୁ ଥର ।

 

ହଠାତ୍‍ କଥା ବନ୍ଦକରି ଘରମୁହାଁ ହେଲା ।

 

ଘରେ ପାଦ ଦଉ ଦଉ ଶୋଇବା କୋଠରୀ ଆଡ଼େ ଆଗେ ଆଗେଇ ଗଲା ।

 

ରନ୍ଧା ଘର ଆଡ଼ୁ ଭାସି ଆସୁଥିବା ଖଣ୍‌ଖାଣ୍‌ ବିରକ୍ତ ହେଲା । ପିଲାଛୁଆ ଶୋଇ ପଡ଼ିଲେଣି । ଚେଁତପଟ୍‌ ନାଇଁ । କେବଳ ସବା ସାନର ଉପରଟି ମା ପାଖରେ ଚେଇଁ ବସିଚି ।

 

ଭଗାରି ଡୁଙ୍ଗି ଆସିଲା ।

 

ସୁନ୍ଦରୀ ଲିଆ ପାଗିବା କାମରେ ।

 

ମାଁ ପାଖରଟି ହାଣ୍ଡିରେ ଫୁଟୁଥିବା ଗୁଡ଼ ଆଡ଼େ ଅନେଇଚି । ପାଣି କଂସାରୁ ଗୁଡ଼ ପାଗର ପରଖା ଟିକକ ଛାଣି ଆଣୁଚି । ଚାକୁଳେଇ ନଉଚି । ଚାଟି ନଉଚି । ପୁଣି ଅନେଇଚି ମା ହାତକୁ ।

 

ଗୁଡ଼ ପାଗର ଏଇ ପରୀକ୍ଷାଟା ଆହୁରି ଦୀର୍ଘ ସମୟ ଧରି ଚାଲୁ ରହିବାର ଆଶାଟା ଯେତେ ଜାଗି ଉଠୁଚି, ମାଡ଼ି ମାଡ଼ି ଆସୁଥିବା ଆଖିପତା ସେତେ ଫିଟି ଫିଟି ଯାଉଚି—ଉଖୁଡ଼ା ମୁଆଁର ଭାବି ରୂପଟା ସେତେ ଛପି ଛପି ଯାଉଚି ।

 

ମଝିରେ ମଝିରେ ମାଁକୁ ସାହାଯ୍ୟ କରୁଚି ଅଇଁଠା । ବଡ଼ ବୋଝଟା ପୂରଣ ନହେଲେ ଶାଶୁଘର ଖୁଣ୍ଟା ଖାଇବା କଥାଟା ଖୋଲା ଖୋଲି ଜଣେଇ ଦଉଚି । ଘଣା ହାଣ୍ଡିରେ ଧାନ ପଡ଼ିବା ଆଗରୁ ବି ଜଣେଇ ଦେଇଚି ।

 

ସୁନ୍ଦରୀ କହିଥିଲା—ମୁଇଁ ତ ଝିଅଝିଆଣିକୁ ଧୁଇଲା ଚାଉଳରୁ ଦବା ମୁଣ୍‌ଷ, ଅସଲ୍‌ ପାର୍‌ବା କଥା । ଏକ୍‌ଲା ମୁଣ୍‌ଷ କେତେ ଆଡ଼୍‍କୁ ହେବି କହ ?

 

ଶୋଇବା ଘରେ ଗଡ଼ିପଡ଼ି ରନ୍ଧାଘର ଆଡ଼େ କାନେଇ ଥିଲା ଭଗାରି । ଆଖିପତା ମାଡ଼ି ମାଡ଼ି ଆସୁଥିଲା—ପୁଣି ଫିଟି ଫିଟି ଆସୁଥିଲା । ଫିଟା ମଡ଼ା ଭିତରେ ବିରକ୍ତଟାଏ କୁହୁଳି କୁହୁଳି ଉଠୁଥିଲା ।

 

ସକାଳୁ ସକାଳୁ ଯିବାର ଥିଲା ଅଇଁଠାର । ପାହାନ୍ତା ପହରରେ ସୁନ୍ଦରୀ ଉଠେଇଲା ଝିଅକୁ । ଅଇଁଠା ଚେଇଁ ଶୋଇଥିଲା । ମାଁର ଏତେ ଡକରା–ଉଠିବାର କୌଣସି ଉପକ୍ରମ ଦେଖା ଯାଉନାଇଁ ।

 

ଟିକକ ପରେ ଅଇଁଠା ଯେ ହଠାତ୍ କୁଆଡ଼େ ଗଲା ସୁନ୍ଦରୀ ଜାଣି ପାରିଲା ନାଇଁ ।

 

ଅଗଣାରେ ଲହର୍‌ ପହର୍‌ ହେଲାଣି ଅଇଁଠାର ବର ।

 

ଆଉ ଟିକକ ପରେ ଅଇଁଠାକୁ ଯୋଉ ବେଶରେ ଦେଖାଗଲା ହାଁ କରି ଚାହିଁ ରହିଲା ସୁନ୍ଦରୀ ।

 

ନାକରେ କେବଳ ଟିକି ଗୁଣାଟା ।

 

ଟିକକ ଭିତରେ ଏଇ ଗୁଣାଟି ଛଡ଼ା ବାକି ତକ ନାକରୁ, କାନରୁ, ବେକରୁ ଫିଟେଇ ଆସିଚି ।

 

ବର ଆସିବା ପରଠୁ ବଣିଆ ପାଖରେ କେତେ ଥର ଲହର୍‌ ପହର୍‌ ହେଇଥିଲା ।

 

ଗାଁରେ ଶାଳ ବାନ୍ଧିଚି ବଣିଆ ।

 

ଅଇଁଠା ନାକରେ ଖାଲି ସେଇ ଚିପା ଗୁଣାଟି । ନିଜ ତର୍‌ବର୍‌, ତାରକ ତାରକ୍‌, ମୁହଁ ଫେରା, ମୁହଁ ଘୁରା ଯୋଗୁଁ ବଣିଆର ଚିମୁଟା ବାଜି ନାକରେ ଟିକିଏ ଆଞ୍ଚୁଡ଼ା ଚିହ୍ନ ରହିଯାଇଚି ।

 

ସୁନାତକ ସାଙ୍ଗକୁ ରୂପା କଲିଆରିଟା ବି ବଢ଼େଇଦେଲା ମାଁ ହାତକୁ—ଇଖ୍‌ଣି ତର୍‌ ପାଖ୍‌ରେ ଥାଉତ ।

 

ଝିଅକୁ କିଛି ପଚାରିବା ଆଗରୁ ଝିଅର ଏଇ ଗହଣା ଫିଟାଟା କାମଟାଏ ନା କାଣ୍ଡଟାଏ ଏଥିରୁ କୌଣସି ଗୋଟିଏ ସିନ୍ଧାନ୍ତରେ ପହଞ୍ଚି ପାରୁନଥିଲା । ମିଟ୍‌ମାଟ୍‌ ପରେ ଝିଅର ଏଇଟା ପ୍ରତ୍ୟୁତ୍ପନ୍ନମତି ନା ପ୍ରତିଆକ୍ରମଣର ପହିଲି ସୂଚନା ତା ମନକୁ ମନ ତଉଲି ନଉଥିଲା ।

 

ଅଇଁଠା ବର ଲକ୍ଷ୍ୟ କରୁଥିଲା ଅଇଁଠାର ଖାଲି ଖାଲି ବେଶଟା ।

 

ସୁନ୍ଦରୀ ଲକ୍ଷ୍ୟ କରୁଥିଲା ଜ୍ଵାଇଁର ଭାବଭଙ୍ଗି ଆଡ଼େ । କୋଉ ଆଡ଼କୁ ଢଳିବ ଠିକ୍‌ କରି ପାରୁନଥିଲା ।

 

ମକ୍‌ଦମା ଫଳାଫଳ ଶୁଣି ଭଗାରି ଗୁମ୍‌ମାରି ବସିଯାଇଥିଲା । ଅପ୍ରମାଣର ଆଶଙ୍କାଟା ସତରେ ଯେ ଆସିବ ନାଇଁ ସେ ଆଶାଟା ରାୟ ଶୁଣିବା ଯାଏ ପାଇ ଆସିଥିଲା ।

 

ଏ ଭିତରେ ଯେତେଟା ମୋକଦ୍ଦମାରେ ପରୋକ୍ଷ ଆଉ ପ୍ରତ୍ୟକ୍ଷ ଭାବରେ ଜଡ଼ି ରହିଥିଲା ତା ଭିତରୁ ଶଳାର ଚୋରା ବେପାର ସମ୍ବନ୍ଧୀୟ ମକଦ୍ଦମା—ମୋକଦ୍ଦମା ଆଗରୁ ବେପାରରେ ନ ପଶିବାକୁ ଶଳାକୁ ବରାବର ମନାକରି ଆସୁଥିଲା । ଶଳାର ଅବସ୍ଥା, ସୁନ୍ଦରୀର କାନ୍ଦ, ସର୍ବୋପରି ବନ୍ଧୁର ବନ୍ଧଟା ମଜ୍‌ଭୁତ ରଖିବା ପାଇଁ ସାଖୀମାନଙ୍କୁ ବିଭିନ୍ନ ଉପାୟରେ ସଖା ଆଡ଼େ ଟାଣିବାକୁ ସକ୍ଷମ ହେଇଥିଲା । ଜଣାଶୁଣା ଡାକବଜାଟିକୁ ଦଣ୍ଡରୁ ଦୂରେଇ ନରଖିବା ପାଇଁ ହାକିମ ତାଙ୍କର ହୃଦ୍‍ବୋଧକୁ ଜଗଉଥିଲେ ବି ନିଜକୁ ଜଗିବାର ଉପାୟ ଖୋଜି ନପାଇ ଖାଣ୍ଟି ଖଲାସଟାଏ ନହେଲେ ବି ଖଣ୍ଡିଆ ଖଲାସଟାଏ କରିଦେଇଥିଲେ ।

 

ନିଧି ଥପାଠୁ ଋଣ ଆଣି ଦେବି ଦେବି ହଉ ହଉ, ନିଧିର ଟଣାଟଣିରେ ବିଲ୍‌କୁଲ୍‌ ନେଇଥିବା ସମ୍ବନ୍ଧୀୟ ଯୋଉ ଅଭିନୟ କରିଥିଲା ଆଭିନୟର କାରୁଣ୍ୟ ଭିତରେ ହାକିମ ହଜି ଯାଇଥିଲେ ।

 

ନିଧି ଥପାଠୁ ଦେବି ହଉ ହଉ, ନିଧିରେ ଟଣାଟଣିରେ ବିଲ୍‌କୁଲ୍‌ ନନେଇଥିବା ସମ୍ବନ୍ଧୀୟ ଯୋଉ ଅଭିନୟ କରିଥିଲା ଅଭିନୟର ଅଭିନୟର କାରୁଣ୍ୟ ଭିତରେ ହାକିମ ହଜି ଯାଇଥିଲେ ।

 

ଜମି ସମ୍ବନ୍ଧୀୟ ଦଙ୍ଗାଟେ ମଜା ହିସାବରେ ଦେଖିବାକୁ ଆଗଉ ମଝିରେ ଯୋଉଥର ନିଜେ ଜଡ଼ିତ ହୋଇ ପଡ଼ିଥିଲା, ଡରରେ ମେଞ୍ଚାଏ ଧରିଥିଲା । ଗ୍ରହୀତାଙ୍କ ଗ୍ରହଣ ଦିଗଟାରେ ହଠାତ୍‌ ସନ୍ଦିହାନ ହେଇ କାଢ଼ିବା ଜାଗାକୁ ହାତ ମଡ଼େଇ ନ ଥିଲା—ସେଇ ଦ୍ଵିତୀୟ ବିପଦରୁ ଖସିଆସିବାଟା ଖଳ ଗ୍ରହର ଖଣ୍ଡନ ବୋଲି ଭାବି ନେଇଥିଲା ।

 

ଏଥର ରାୟଟା ଶୁଣି ଆସି ରାତିଟାଜାକ ନିଦ ହେଇ ନାଇଁ । ତା’ର ଭିତରେ ସୁନ୍ଦରୀକୁ କେତେଥର କହିଚି—କାଳଟା ଯାହା ହେଲାଣି ନାଇଁ ଚଳିହୁଏ ଆଉ । ଲାଁଚ ଖୁଁଚକୁ ଯିଏ ଯେତେ ପାର୍‌ଲା ସେ ସେତ୍‌କି ଜିତ୍‌ଲା । ସକାଳ ପାଇଲେ ତ ଯେନ୍‌ଠି ଶୁଣ ଲାଁଚ ଖୁଁଚ । କେନ୍‌ତି କିରି ଜିତ୍‌ଲା ? ଆଁ, ଲାଁଚ ଖୁଁଚ ନାଇ ଦେଇ ତ କେନ୍‌ତି କରି ଜିତ୍‌ଲା ହଉ, ହଉ, ସତ୍‌ ମନ୍‌ରେ ସତ୍‌ ଚିତ୍‌ରେ ତ ଏତେଟେ ଦେଇଥିଲେ, ନଉ, ନଉ, ମର୍‌ କପାଳ ନାଇଁ ଖୁଳି ନିଏ ! ସେ ପର୍‌ଭୁ ସବୁ ନାଇଁ ଜାଣୁଥିବେ କାଁ ।

 

ଶେଷ ଆଉଟା କହୁଥିବା ବେଳେ ଅପିଲ ପାଇଁ ବର୍ତ୍ତମାନର ଅସହାୟ ଆବସ୍ଥାଟେ ଜଳ ଜଳ ଦିଶି ଯାଉଥିଲା ।

 

ବସି ବସି ଭାବୁଥିଲା ଭଗାରି ।

 

ଚିତ୍‌....ଚିତ୍‌....ଚିତ୍‌....

 

ଭଗାରି କହିଲା, ସତ୍, ସତ୍‌ ।

 

ଲାଞ୍ଚ ଦେବା ଆଉ ପ୍ରଭୁ ଜାଣିବା, ଏ ଦୁଇଟାର କେଉଁଟା ପାଇଁ ‘ଚିତ୍‌ଚିତ୍‌’ ସେ ଆଉଟା କିଛି ଭାବିବା ଆଗରୁ, ପ୍ରଥମଟା ପ୍ରଥମେ ମରମରେ ଚେଇଁ ଉଠିଥିଲା ।

 

ବଡ଼ ହଳିଆ ସାଙ୍ଗରେ ଜମି ବୁଲି ବୁଲି ଦେଖୁ ଦେଖୁ ଧାନ ଯେ ଏ ବର୍ଷ ତୁଳନାତ୍ମକ ଭାବରେ ଭଲ ହେବ ସେ ସମ୍ବନ୍ଧୀୟ ଯୁକ୍ତି ଦେଖଉଚି ଭଗାରି । ପହଲି କିଣା ଜମିରୁ ହାଲ୍‌କିଣା ଯାଏ ଯୋଉ ହୁଡ଼ା ଗୁଡ଼ିକରେ ଭଗାରିର ପାଦ ଏଯାଏ ପଡ଼ି ନଥିଲା ସେଥିରୁ କେତେ ବି ହଳିଆ ଦେଖେଇ ଦଉଚି । ବଳିଆ ବି ଚିହ୍ନେଇ ଦଉଚି ବାପକୁ ।

 

ଜମି ସମ୍ବନ୍ଧୀୟ ଯେତେ ଶୁଣିଲେ ବି ମଝିରେ ମଝିରେ ନିଜର ମତାମତ ଦଉଚି । ତଳ ଆଡ଼ର ଯୋଉ ଖଣ୍ଡକ ତୁଡ଼ା ଦିଆ ଯୋଡ଼ ପାଣିରେ ବୁଡ଼ିରହିଚି ସେଖଣ୍ଡକ ଯେ ସକାଳ ସୁଦ୍ଧା ମୁକୁଳି ଯିବ ସେଇ ଭବିଷ୍ୟତ ବାଣୀ ଶୁଣେଇ ଚାଲିଚି ।

 

ଭଗାରିର ମତାମତଟା ବେଶୀ ହେଇ ଯାଉଥିବା ବେଳେ ମୁହଁ ବୁଲେଇ ମୁଚ୍‌ମୁଚ୍‌ ହସୁଚି ଲଖଣ । ନିଜ ମତ ଦେଇ ଭଗାରି ଯୁକ୍ତିକୁ ଖଣ୍ଡନ କରୁଚି । ଭଗାରି ବି ଖୁବ୍‌ ସହଜରେ ଟାଣି ହେଇ ଆସୁଚି ।

 

ଜମି ବୁଲି ବୁଲି ଥକ୍‌କା ହେବା ଅବସ୍ଥାକୁ ଆସିଗଲାଣି ଭଗାରି । ଆଟଆଡ଼େ ଉଠାଣିଆଡ଼େ ଯିବାକୁ ଆଉ ମନ ନାଇଁ । ମେଘ ଦେଖୁ ଦେଖୁ ତର ତର ହେଲାଣି ।

 

ପାହାଡ଼ ତଳକୁ ଖସିଆସିଚି ମେଘ । ପାହାଡ଼ ଆଉ ପାହଡ଼ ତଳର ଗଛ ଲଟା–ମେଘ ଭିତରେ ଏକ ପାଲିଟିଚି । ପାହାଡ଼ ଉପରେ ଅଂଶଟା–ବେଳେ ବେଳେ ଅସ୍ପଷ୍ଟ ଭାବରେ ଦେଖା ଦେଉଚି । ତଳ ମେଘ ଭିତରେ ସୀମା ରେଖା ସୃଷ୍ଟି କରିଚି । ବଣ, ପାହାଡ଼, ଟାଙ୍ଗର....ଏଇ ଛପି ଯାଉଚି, ଏଇ ପୁଣି ଦିଶିଯାଉଚି । ଆକାଶ କୋଉଠି କୋଉଠି ଆକାଶ ଭଳି ମନେ ହେଉ ନାଇଁ—ମେଘ ଭିତରେ ମେଘ ଭଳି ।

 

ଗାଁ ମୁହାଁ ହେଲାଣି ଭଗାରି । ନିକଟରେ ଦେଖି ଦେଖି ଯାଇଥିବା ଜମି ଗୁଡ଼ିକ ଫେରି ଆସିଲା ବେଳେ ଦେଖି ପୁଣି ପଚାରି ପଚାରି ଦଉଚି—ଇ ଚକ୍‌ଡ଼ାଟା କାର୍‌ ? ହେ ଚକ୍‌ଡ଼ାଟା କାର୍-? ଇ ଧାନ୍‌ଟା କିଏ କରିଚି ?

 

ଘୁରା ଫେରା ଭିତରେ ଅନ୍ୟ ଖେତକୁ ନିଜର ବୋଲି ଭାବି ନଉଚି ବେଳେବେଳେ । ବେଳେବେଳେ ଖୁସି ହେଉଚି ତ ବେଳେ ବେଳେ ମନ ମରୁଚି ।

 

ବିଗତ ଜୀବନରେ ଧାନ କିସମ୍‌ଠୁ ଧାନ ବାଳୁଙ୍ଗା ଇତ୍ୟାଦି ଚିହ୍ନା ଚିହ୍ନିରେ ଯେତେ ପରିମାଣରେ ଯୋଉଠି ଅପଦସ୍ତ ହେଇଥିଲା, ଯେତେ ଯେଉଁଠି, ଗାଲୁ ମାରିଥିଲା, ଯେତେ ଯେଉଁଠି ପ୍ରକୃତିରେ ଭ୍ରମଜନ୍ନାଟାକୁ ପ୍ରକୃତିରେ ପ୍ରକୃତିଛଡ଼ା ନୀତି ବୋଲି ଗାଳିଦେଇଥିଲେ ବା ଅସନ୍ତୋଷ ପ୍ରକାଶ କରିଥିଲା, ଏବକୁ ଏବକୁ ସେ ସବୁଟା ଆଶଙ୍କାରେ ଗୁଣନାଇଁ–ପ୍ରୟୋଜନ ବୋଲି ଭାବୁନାଇଁ । ଅଜ୍ଞତା ଯୋଗୁ ଉତ୍ପାଦନ, ଉପାର୍ଜନରେ ଆଞ୍ଚ ଆସିବ ବୋଲି ଯୋଉ ଧାରଣା ବେଳେ ବେଳେ ଉଠୁଚି ସେତେବେଳେ ଲଖଣର କାର୍ଯ୍ୟ ଦକ୍ଷତାକୁ ଖୁବ୍‍ବେଶୀ ବିଶ୍ଵାସ କରିବାକୁ ଚେଷ୍ଟା କରୁଚି । ଆଶଙ୍କାଟା ଅକାରଣ, ଅପ୍ରୟୋଜନ, ଅର୍ଥହୀନ....ଏ ଭଳିଆ କିଛି କିଛି ଭାବି ହେଲାଣି ।

 

ଗଲା ବର୍ଷ ବେକାର ହେବା ଅବସ୍ଥାରେ ଟୁରା ଆସି ଘରେ ବସିଥିଲା । ଖେତ, ଧାନ, ବାଳୁଙ୍ଗା ଇତ୍ୟାଦି ଚିହ୍ନାଚିହ୍ନିରେ ବଣା ହେବାର ହେଖି ବଳିଆ ବିରକ୍ତ ହେଇଥିଲା ।

 

ବାପକୁ ଜମି ଚିହ୍ନେଇ ଦଉ ଦଉ ବଳିଆ ଭାବୁଥିଲା ଟୁରା କଥା ।

 

ଟୁରା ପୁଣି ଚିଠି ଦେଇଚି ନିକଟରେ ଆସିବ । ବଳିଆ ଆଉ ବଳିଆ ସ୍ତ୍ରୀକୁ ନିଜେ କାମ କରୁଥିବା କାରଖାନା ଇତ୍ୟାଦି ବୁଲାଇ ଆଣିବା ପ୍ରତିଶ୍ରୁତି ଥିଲା ଚିଠିରେ ।

 

ଏ ଭିତରେ ମାସକୁ ମାସ ଟୁରାଠୁ ନିୟମିତ କିଛି କିଛି ପାଇ ପୁଅକୁ ପ୍ରଶଂସା କଲାଣି ଭଗାରି ।

 

ଟୁରା ପାଇଁ ଲୁହ ଗଡ଼ଉଚି ସୁନ୍ଦରୀ—ଦଇବ ରେ ! ଏନ୍‌ତି ପୁଅଟେ ! ଇ ପେଟ ଯାହା ଫାଟି ନାଇଁ ଗଲା !

 

ଟୁରା ଆସିବ ବୋଲି ଚିଠିରୁ ଶୁଣୁଚି ସୁନ୍ଦରୀ । ଆସିଲେ ବାହା କରେଇ ଏଠି ବାନ୍ଧରଖିବାକୁ ଠିକ୍‌ କରି ନେଇଚି ।

 

ଟୁରା ଜନ୍ମର ସମୟକୁ ଦିନେ ଓଳିଏ ଟିପିଥିବା ନାତି ଟୋକାର କନିଆ ଟୋରୀର ଏଇ ସପ୍ତମ ଗର୍ଭ ଦେଖି ଏଥର କହିଥିଲା—ଏତେ ଫଳ କେନ୍‌ଠି ଥାଏଗ ମା ! ବର୍‌ଷ ମୁଁଡ଼୍‌କୁ ଗୁଟେ—ବରଷ ମୁଁଡ୍‌କୁ ଗୁଟେ ! କୁଳ୍‌ରେ ବାଳ୍‌ତ ଲାଗିଚି—ଫେର୍‌ ?

 

କହୁଥିବା ବେଳେ ନିଜ ଘରର ତଳ ଖଂଜା ଆଡ଼େ ଚାହୁଁଥିଲା । ଚଉଁରି ମାରିଆସୁଥିବା ଘରଗୁଡ଼ିକ ଭିତରେ କୋଉଠି କୋଉଠି କୋଉ ପୁଅ ବହୁ ରହିବେ, ନାତି ନାତୁଣି ରେ ଘରଟା କେମିତି ଫାଟି ପଡ଼ୁଥିବ ତା’ର କାଳ୍ପନିକ ଦୃଶ୍ୟଟାଏ ବି ଫୁଟି ଉଠୁଥିଲା । ସେଇ କଳ୍ପନାର ଫାଙ୍କେ ଫାଙ୍କେ ବଳିଆର ପୁଅ ଝିଅ ହୀନ ସଂସାରଟା ମନ ମାରି ଦଉଥିଲା । ଆହୁରି ମନେ ପଡ଼ୁଥିଲା କାଳିଆର ସଂସାରଟା—ପୁଜାଟା ପୁଣି ପୂରଣ ହେଇ ପୁଞ୍ଜାକୁ ଆହୁରି ଟପି ଯାଇଥିବା କାଳିଆର ପରିବାର କଥାଟା ।

 

କାଳିଆ ଆସିଚି । ବାପ ସାଙ୍ଗେ ଭାଗ ନବା ପାଇଁ ଲାଗିଚି ।

 

ଗଡ଼ତିଆଣି ସାଂଗରେ ଗପ ଲମ୍ବଉ ଲମ୍ବଉ ସୁନ୍ଦରୀ କାନେଇ ଥିଲା ବାପ ପୁଅର ସେଇ ଖଟ୍‌ଖାଟ୍‌ଆଡ଼େ । ବେଳେ ବେଳେ ଚାହୁଁଥିଲା ଗଡ଼୍‍ତିଆଣି ମୁହଁକୁ । କ’ଣ କହିବ କହିବ ହେଇ ଗଡ଼ତିଆଣି ଯେ କହି ପାରୁ ନାଇଁ ତା ଧୀରେ ଧୀରେ ଅନୁମାନ କରି ଆଣୁଥିଲା ।

 

ସୁନ୍ଦରୀ କାନେଇଚି ।

 

ଭଗାରି ଆଉ କାଳିଆର ଗରମ ଗରମ କଥା—ସେଇ ଆଡ଼େ କାନେଇଚି ।

 

କାଳିଆର ଗରମଟା ଚରମ ଆଡ଼କୁ ଗତିକଲା । ପରେ ପରେ ଭଗାରିର ଚିତ୍କାର–ଯା, ଯା ମର୍‌ ଘରୁ ଇଖ୍‌ଣି ଯା । ଯେନ୍‌ଠି ଏତେ ଦିନ କୁକ୍‌ର ଲେଖା ଥିଲୁ ସେଠ୍‌କୁ ଯା । ମର୍‌ କମେଇଲା କୁଢ଼େଇଲା ଜମିବାଡ଼ି—ମର୍‌ ଯାହାକୁ ମନ୍‌ ତାକୁ ଦେବି ।

 

କାଳିଆର ଧମକ ।

 

ଭଗାରି ରାଗର ଫାଙ୍କ ଭିତରେ ବେପରୁଆ ହସ—ଯା, ଯା, କେନ୍‌ ହାକିମ ତତେ ଦବା ଦେଖ୍‌ବି । ମୁଇଁ କମେଇଚିଁ । ମର୍‌ ହାଡ଼୍‌ଗୁଡ଼ ଭାଁଙ୍ଗି ମୁଇଁ କମେଇଚିଁ । ମର୍‌ ହାଡ଼୍‍ଗୁଡ଼ ଭାଁଗି ମୁଇଁ କମେଇଚିଁ । ମର୍‌, ତୁଁ ଡର୍‌ଝାଳ ମୁଁଡ୍‌ରେ ମାରି ମୁଇଁ କମେଇଚିଁ । ଖରା ତରା ନାଇଁ ମାନି ମୁଇଁ କମେଇଚିଁ ! ମର୍‌, ଦିହକ୍‌ରେ ମୁଇଁ କମେଇଚିଁ ! ମର୍‌, ଯାହାକୁ ମନ୍‌ତାକୁ ଦେବି ।

 

ଭଗାରି ଗଳା ଚଢ଼ି ଉଠୁଥିଲା ।

 

କାଳିଆର ହୁଙ୍କାର ବି ବଢ଼ି ଉଠୁଥିଲା । ବଢ଼ିଉଠିଲା ବେଳେ ଥରେ ଥରେ ଦବି ଦବି ଯାଉଥିଲା ।

 

ଖୁବ୍‍ ବେଶୀ ବଢ଼ି ଉଠିଥିବା ବେଳେ ଗଡ଼ତିଆଣିକୁ ଏକା ବସେଇ ସୁନ୍ଦରୀ ଧାଇଁ ଯାଇଥିଲା ସେ ପାଖକୁ—ଏ, ଏ କାଳିଆର୍‌ ବା, ତମର୍‌ ପାଟି ତୁଁଡ଼୍‌ର ଠିକ୍‌ ଠିକ୍‌ଣା ନାଇଁ କାଁ ? ତମ୍‌କୁ କେହି ଦୁଷ ନାଇଁ ଦିଅନ୍‌ । ସଭିଏ କହିବେ ମୁଇଁ କଲି । ସଭିଏ କହିବେ ମୁଇଁ କଲି । ସଭିଏ କହିବେ ସାବ୍‌ତ ମାଁଟା ଏନ୍‌ତି କଲା ସେନ୍‌ତି କଲା !

 

ଆଗେଇଗଲା କାଳିଆ ପାଖକୁ—ଏ ବା, ତୁଇ ମୁହଁ ଆଗରୁ ଯାତ ଇଖ୍‌ଣି । ମୁଇଁ ବୁଝି ଦେବି ତର୍‌ କଥା ।

 

ବାତାବରଣକୁ ଟିକେ ବାଗେଇଲା ଭଳି ଅବସ୍ଥା ଆଡ଼େ ଆଣି ସୁନ୍ଦରୀ ଫେରି ଆସିଲା ପୂର୍ବ ଜାଗାକୁ ।

 

ଗଡ଼ତିଆଣି ସାଙ୍ଗରେ ଗପ ଲମ୍ବେଇଚି ସୁନ୍ଦରୀ ।

 

ପୁଣି ବଢ଼ି ଉଠୁଥିବା ବାପ ପୁଅର ପାଟି ତୁଣ୍ଡଆଡ଼େ କାନେଇଚି ଗଡ଼ତିଆଣି ।

 

ଗଡ଼ତିଆଣିକୁ ଗପଆଡ଼େ ଆକର୍ଷଣ କରିବାକୁ ଚେଷ୍ଟାକଲା ।

 

ଗଡ଼ତିଆଣିର ବରାବର ସେଇଆଡ଼େ କାନଥିବା ସନ୍ଦେହ କରି ଉଠି ପଡ଼ିଲା—ଯାଏଁ ଗ ମାଁ । କେତେ ପାଇଟି ! ଘର୍‌ଟା ରଣ୍‌ ଝଣ୍‌ ହେଇ ପଡ଼ିଚେ । ଛ ମାସିଆ ଛୁଆଟେ ଝୁଁଟେଇ ହେଇ ଯିବା ଇ ଘର !

 

ସୁନ୍ଦରୀ ଉଠି ପଡ଼ିବା ସାଙ୍ଗେ ସାଙ୍ଗେ ଗଡ଼ତିଆଣୀ ବି ଉଠି ବସିଲା ।

 

ଗଡ଼ତିଆଣିର ଖାଲି କାନ ଦେଖି ଯୋଉ କଥାଟା ସନ୍ଦେହ କରି ଆସିଥିଲା ଠିକ୍‌ ସେଇ କଥା ଶୁଣିଲା ।

 

ଗରଜଟା ଶୁଣି ମାସେ ପକ୍ଷେ ପାଇଁ ଅଳ୍ପ ଅଧିକ ଦବାକୁ ରାଜି ହେଲା । ଗଣ୍ଠିଆଟା ରଖିବାକୁ ନାହିଁ ନାହିଁ କଲା ।

 

ଗଡ଼ତିଆଣି କହିଲା–ନାଇଁ ଲ, ରଖ୍‌ ! ମର୍‌ କପାଳରେ ଆଉ କାଇଁଟା ଅଛି କେଜାଣି ! କେତ୍‌ବେଳେ କେନ୍‌କଥା ରଖିଥା ।

 

ଯେତେ ହଁ ନାଇଁ ହଁ ନାଇଁ ଭିତରେ କଥାଟା ଗତି କରି ଥାଉନା କାହିଁକି, ଡାହାଣ ହାତରେ ଗଣାଗଣି ବେଳେ ବାଁ ହାତ ମୁଠାରେ ଶିଙ୍କୁଳି ଲଗା ଗଣ୍ଠିଆ ପଟକ ରହି ସାରିଥିଲା ।

 

ଗଡ଼ତିଆଣି ଗଲାବେଳେ ସୁନ୍ଦରୀ ଚାହୁଁଥିଲା । ମନେ ପଡ଼ି ଯାଉଥିଲା ଗଡ଼ତିଆଣୀ ପାଖରେ ବୁଡ଼ି ଯାଇଥିବା ଗୁଣାଟା । ହରଡ଼ ଫାଳ କେତେଟା । ମନେ ପଡ଼ିଯାଉଥିଲା.....

 

କୋଉଦିନୁ ଗଡ଼ତିଆଣିର ଗଡ଼ିତ ଖଣ୍ଡକ ଯାଇଥିଲେ ବି ଗଡ଼ତିଆଣି ଡାକଟା ଛାଡ଼ି ପାରି ନାଇଁ ।

 

ଗଡ଼ତିଆଣି ଚାଲି ଯାଉଥିଲା ।

 

ଶିଙ୍କୁଳି ଲଗା ଗଣ୍ଡିଆ ଆଡ଼େ ଆଖି ଲାଖି ରହିଲାଣି ।

 

ବରତ ସୂତାରେ ଚାବିଟା ଗଣ୍ଠଉ ଗଣ୍ଠଉ ଟହଲି ଟହଲି ଗଡ଼ତିଆଣି ପଛେ ପଛେ ଖଣ୍ଡେ ବାଟ ଆଗେଇଗଲା ।

 

ବୁଲି ପଡ଼ିଲା ହଠାତ୍ ।

 

ଭଗାରି ଆଡ଼େ ମୁହେଁଇଲା ।

 

ଜଣେଇ ଦବାକୁ ମନ ହାଉଥିଲା—ଇ ଘର ଦୁଆର ଏନ୍‌ତି ରଣ୍‌ଝଣ୍‌ ହେଇ ପଡ଼ିଥିବ କାଁ ? ଏଡ଼େଟି ଖଁଜା କିଏ ବୁଝ୍‌ବ ? ସାନ୍‌ ହଳିଆଣି ତ କର୍‌ବି କର୍‌ବି ହଉଚି—କରୁ, ଭଲ୍‌ ହେଇତା ।

 

ଭଗାରିକୁ ଜଣେଇବାରେ କେତେ ପ୍ରୟୋଜନ ଅଛି ସେ ଆଡ଼ଟା ଭାବୁ ଭାବୁ ହଠାତ୍‌ ଠିଆହେଲା । ଛାଞ୍ଚୁଣି ଆଡ଼େ ଆଗେଇ ଗଲା ।

 

କାଳିଆ ସ୍ତ୍ରୀ ରୁଷି ବସିଛି । ବଳିଆ ସ୍ତ୍ରୀର ଆଗ ବେମାରିଟା ପୁଣି ବଳେଇ ପଡ଼ିଚି । କାଳିଆର ପାରି ଆସିଲା ଭଳି ବଡ଼ ଝିଅଟି ଆଗେଇ ଆସୁଥିଲା ସୁନ୍ଦରୀ ସାଙ୍ଗରେ ପାଇଟିରେ ମିଶିଯିବାକୁ ।

 

ଏଇ ପାରି ଆସିଲା ଝିଅଟି—ଆଇଲା ଫଗୁଣରେ ବିହା । ବାହାଘରର ସବୁଟା ବାପ ଦଉ—ଏଇଟା କାଳିଆର ଦାବୀ ।

 

ଭଗାରି କହିଚି—ମୁଇଁ ତର୍‌ ବାପ ନାଇଁ, ତୁଇ ମର୍‌ ପୁଅ ନାଇଁ ।

 

ଝିଅ ବାହାଘର ଶଶୁର ଘରେ କରିବାକୁ ଠିକ୍‌ କରିଚି କାଳିଆ । ଭଗାରି କହିଚି—ମର୍‌ ପହିଲି ନାତ୍‌ଣି, ଇ’ଠି ହବ ହେଠି ନାଇଁ କରେଇ ଦିଏଁ ।

 

ସୁନ୍ଦରୀ କହିଚି—ମର୍‌ ପହିଲି ନାତ୍‌ଣି—ଇ’ଠି ନାଇଁ ହେଲେ ଲକେ ମତେ କାଇଁଟା ବଲ୍‌ବେ । କେହି କା କଥା ନାଇଁ । ଜଣେନ୍‌—ସଭିଏଁ କହିବେ ସାବ୍‌ତ ମାଁଟା ଏନ୍‌ତି କଲା ସେନ୍‌ତି କଲା ।

 

ପାଟିଟା କମେଇ କାଳିଆକୁ ବୁଝେଇବାରେ ଲାଗିଯାଇଚି ଭଗାରି ।

 

ଗାଁ ମୁଣ୍ଡରେ ନିଜର ଦୁଇ ଗୁଣ୍ଠ ଛାଡ଼ି ଦେଇଥିବା ଦିନୁ ଗାଁର ଭଲ ମନ୍ଦ ବେଳେ ପାଁ ଜଣରେ ଡକରା ପାଇଲାଣି । ଘର ପାଟିଟା ପଦାକୁ ନ ଫିଟୁ, ସେଇ ଆଡ଼ଟା ଭାବି ଆସିଲାଣି ।

 

ଦୁଇ ଗୁଣ୍ଡ ଛାଡ଼ି ଦବାର ନିର୍ଭର ପ୍ରତିଶ୍ରୁତି ଦବା ବେଳଠୁ କହିଥିଲା—କିଏ କେତେ ଦେଇ ଦଉଚନ୍‌, ମୁଇଁ ଏନ୍‌ତି କାଇଁଟା ଦେଲି ? ପାଁଚ୍‌ ଜଣ୍‌ ଲାଗି ସିନା ଦେଲି । ଇ ମାଟି ଖଁଡେ ଲାଗି ଅଟ୍‌କି ଯାଇଥାଇତା କାଁ ? ପାଁ ଜଣ୍‌ ବସ୍‌ବ, ହସ୍‌ବ, ଖେଳ୍‌ବ, ବିହାପୁଆଣି, ଭୁଜି ଭାତ, ହାକିମ୍‌ ହୁକୁମା, କେତେ କାଇଁ କାମ୍‌ରେ ଆଇବ । ମାଟି ଖଁଡ଼େ ଲାଗି ପଛେଇ ଥାଇତିଁ ମୁଇଁ । ମରିଗଲେ କିଏ କାଇଁଟା ନବ ? ସର୍‌ଗକୁ ମୁଁ ଡେଇ ନେବି କାଁ ? ନାଇଁରେ ନାଇଁ, କେହି ନାଇଁ ନିଅନ୍‌, ମୁଇଁ ଗଲା ନାଇଁ ନିଏଁ । ତିନି୍ ‌ହାତ୍‌ କାଁଡ଼େ ଅଟି ଅଗଳି ଯିବା, ଜାଗାଟା ଯାର୍ ମନ୍‌ ନାଇଁ ପାଇବାକୁ ଦେଖି ନିଜ ହାତ୍‌ରୁ ଦଉତ ଖଁଡ଼େ ଦେଖ୍‌ମା—–କେନ୍‌ତି କଢ଼୍‍ଆଟା ! ଖାଲି କହିଲେ ହେଲା କି ଦେଲେ ହେଲା ? ହୁଃ !

 

ଏ ଖଣ୍ଡ ମଣ୍ଡଳରେ ଆଙ୍ଗୁଳି ହେଜା ଯୋଉ କେତେ ମାଣ ଦାନ ଭିତରେ ଅଛି ବୋଲି ଗଣେଶ ବାବୁଙ୍କଠୁ ଶୁଣିଚି ତାକୁ ଟିକିଏ ବନେଇ ଚୁନେଇ, ଗଣେଶ ବାବୁଙ୍କ ଢିମାପଥର ମୌଜାର ଜମିଟା ରାଜାଙ୍କ ରଇତନାଳି ମୌଜାର ଜମି ତୁଳନାରେ ଶତ ଗୁଣ ଭଲ, ପରିମାଣରେ ବି ଅନେକ ବେଶୀ ବୋଲି ପ୍ରଚାର ଚଳେଇଚି ।

 

ନାହିଁ ନାହିଁ ଶୁଣାଯାଉଥିଲେ ବି ରାଜା ସାହେବ ଏ ଭିତରେ ଠିଆ ହେବାର ଟିକେ ଟିକେ ଶୁଣିଲାଣି ।

 

ପାହାଡ଼ ତଳ ମୁଣ୍ଡିଆ ବାଟର ଦରଛାପା ଦରଖଣ୍ଡିଆ କୋଠା ଆଡ଼କୁ ଆଙ୍ଗୁଳି ଦେଖାଇ ଭଗାର ଚିତ୍କାର ଛାଡେ–କା ରକ୍‌ତରେ ତୁଳା ହେଇଚି ଇ କୁଠା ? କା ଲାଗି ଆମର୍‌ ହାତ୍‌ ଗୁଡ଼ ଚୂନା ହେଇଚେ ? ଆମର୍‌, ଆମର୍‌ ରକତ୍‌ ଟୁପା ଟୁପା, କଁସା ନିଗ୍‌ଡିଚି । ହେ, ଦେଖ, ହେ ଦେଖ, ଆମର୍‌ ନିଶାସ୍‌ରେ କେନ୍‌ତି ଭାଂଗି ଗଲାଣ । ଆହୁରି ଭାଁଗ୍‌ବ—ଆହୁରି ଭାଂଗ୍‌ବ । ଆହୁରି ହବ—ଆହୁରି ହବ—ଆହୁରି କେତେ କାଇଁଟା.....

 

ଗଣେଶ ବାବୁ ଆଉ ତାଙ୍କର ସହକର୍ମୀମାନଙ୍କଠୁ, ଶୁଣିଥିବା ଶିଖିଥିବା ସାଧୁ ଶବ୍ଦଗୁଡ଼ିକ ସଂଯୋଗରେ ରଜା ଆଉ ରାଜ ପରିବାରର ଅସାଧୁ କୀର୍ତ୍ତି ବର୍ଣ୍ଣନା କରେ—ବର୍ଣ୍ଣନାରେ ମନେ ନପଡ଼ୁଥିବାର ଏଠି ସେଠି ଅଳ୍ପ ଅଳ୍ପ ଅଟକି ଯାଏ ସିନା, କଥାଟାକୁ ଦରଖଣ୍ଡିଆ ନରଖି ନିଜ ଶବ୍ଦରେ ଆହୁରି ଶବ୍ଦାୟମାନ,| ଆହୁରି ଜୀବନ୍ତ କରିବାର ଚେଷ୍ଟାରେ କିଛିଟା ଦକ୍ଷତା ହାସଲ କରି କରି ଆସିଲାଣି ।

 

ଗଣେଶ ବାବୁଙ୍କ ଚେଷ୍ଟା ସଫଳ ହେବା ପରେ, ସୁଫଳ ବାକୁ ଫଳର ସନ୍ତୋଷଜନକ ଜନରବ ସୃଷ୍ଟି ନ ହେଉଣୁ, ମାସ ପରେ ମାସ ବତିଲାଣି ।

 

ବର୍ଷଟାଏ ସରି ସରି ଆସିଲାଣି । ଆଗ ଆଗ ସୁଫଳଟା ପ୍ରଚାର କରିବାରେ ଭଗାରିର ଝୁଙ୍କି ବଢ଼ିଯାଇଥିଲା—ଏବେ ଏବେ ଦୁଇଟି ଯାକର ସମାନ୍ତର ଗତି ସମ୍ବନ୍ଧୀୟ ମତ ଦଉଚି ।

 

ଏଇ ବ୍ୟବଧାନରେ ଭଗାରି ଭିତରେ ନୂଆ ଜୁଆର ଆସୁଚି ଯାଉଚି ।

 

ଜୁଆର ବେଳେ ଜୁଆରକୁ ଜୀଆଁଇ ରଖିବାର ଚେଷ୍ଟା କରୁଚି ।

 

ଗଣତି ବେଳ—ଗଣେଶ ବାବୁ ଧାଡ଼ି ଲମ୍ବା ଡାଲାର ଧାରେ ଧାରେ ଏପାଖ ସେପାଖ ହେଇ ଘୁରି ବୁଲିଲା ବେଳେ, ପହଲି ମୁହୂର୍ତ୍ତକ ମୁହୂର୍ତ୍ତ ମୁହଁ ପରଦାରେ ଯୋଉ ମେଘ ମାଡ଼ି ମାଡ଼ି ଆସିବାର ଲକ୍ଷ୍ୟକରିଥିଲା, ମଝି ଆଡ଼କୁ ସେଇ ମେଘ ଫାଟି ଯିବାର ଦେଖିଥିଲା । ଶେଷ ଆଡ଼କୁ ମୁହୂର୍ତ୍ତକୁ ମୁହୁର୍ତ୍ତ, ମାଡ଼ି ମାଡ଼ି ଆସିବା, ଫାଟି ଫିଟି ଯିବା ଭିତରେ ଯୋଉ ଟିକିଏ ଚକ୍‌ ମକ୍‌ ଚେଇଁଥିଲା, ତା ଝରର ସଂକେତ ନା ଝଲକର ସଙ୍କେତ ଠିକ୍‌ ଧରି ପାରୁ ନଥିଲା ।

 

ଧରିଲା ବେଳଠୁ, ବୁଝିଲା ବେଳଠୁ ବେଳ ଗଡ଼ି ଗଡ଼ି ଏଯାଏଁ ଆସିଲାଣି ।

 

ଗଣେଶ ବାବୁଙ୍କଠୁ ଶୁଣି ଶୁଣି ଆସୁଚି—ଖୋଦ୍‌ ନିଜେ କ୍ଷମତାକୁ ଆସିଲେ, ଦରକାର ପଡ଼ିଲେ କ୍ଷତି ବିନିମୟରେ, ଦରକାର ପଡ଼ିଲେ ଅଖ୍ୟାତି ବା କୁଖ୍ୟାତି ପ୍ରତି ବେପରୁଆ ହେଇ, ଦରକାର ନଥିବା ଖ୍ୟାତି ଯଦି ଆପେ ଆପେ ଆସେ ତା ‘ଆପଣ’ ମାନଙ୍କର ବୋଲି ଭାବି ନେଇ ଏ ଅଞ୍ଚଳର କ୍ଷତଗୁଡ଼ିକ ନିର୍ମୂଳ କରି ଦେଇ ପାରିବେ ।

 

ଖୋଦ୍‌ ନିଜେ ବି ସେମିତି ଭାବି ହେଲାଣି ମେମ୍ବରଟିଏ ହଉ ହଉ ମୂଳରୁ ଅଗ ଯାଏ ଆଗେଇ ଯାଇ ପାରିବ ।

 

ଚଇତା ଚାହିଁଥିଲା ଧାନ ଖେତକୁ । ଘରର କେଁ କଟର ଭିତରୁ ଖସି ଆସି ଧାନ କେଣ୍ଡା ଭିତରେ ହଜି ଯିବାକୁ ଚେଷ୍ଟା । କରୁଥିଲା ।

 

ଘରୁ ଆସିଚି । ଚାହିଁଚି ସବୁଜ କିଆରି ଆଡ଼େ । ମନ ଭରା ସବୁଜ ମନ ଭାରି କରି ଦଉଚି ।

 

ଅଶିଣର ଖିର ଖିଆ ଧାନ ! ଅସଲ ବେଳକୁ ବର୍ଷା ଟୋପାଏ ବି ପଡ଼ିଚି । ଫୁଲ ଝଡ଼ି ଝଡ଼ି ଆସିଲାଣି । ସବୁଜ ଖୋଳପା ଭିତରେ ଜମି ଜମି ଆସୁଚି ଖିର । ତରଳ ଖିର ଜମାଟ ହେବ ଏଥର ।

 

ଚଇତା ଭିତରର ଜମାଟବନ୍ଧାଟା ଫାଟି ଫାଟି ଆସୁଥିଲା ! ଧାନ ଖେତର ହିଡ଼େ ହିଡ଼େ ଆଗେଇ ଯାଉଥିଲା ।

 

ତୀର୍ଥ ଆଗରେ ହସ ଫୁଟେଇବାକୁ ଚେଷ୍ଟା କରୁ କରୁ ମଉଳା ମୁହଁଟା ବାରି ହେଇ ପଡ଼ୁଥିଲା—ନାଇଁ ପାର୍‌ଲି ରେ ନାଇଁ ପାର୍‌ଲି !

 

—କାଇଁଟା ?

 

—ନାଇଁ ପାର୍‌ଲି ରେ, ତାର୍‌bପଦ୍‌କୁ ମର୍‌ଟା ବଢ଼ି ଯାଉଚି ।

 

—ଫେର୍‌ ପିଟ୍‌ଲୁ କାଁ ?

 

ଚଇତା ଚୁପ୍‌ ରହିଲା ଟିକିଏ !

 

ତୀର୍ଥ କହିଲା—ତୁଇ ଫେର୍‌, ରାଗ ଛାଡ଼୍‌ବୁ ? ତର୍‌ତ ହେ’ଟା ରାଗ ନାଇଁ, ଗରମ ଚଁଡ଼ାଳ ! କେନ୍‌ତି କିରି ଛାଡ଼ି୍‌ବୁ ହେଲେ କହ ତ ? ଏନ୍‌ତି ପୁଅ ! ଏନ୍‌ତି ମାଇପ ! ଯିଏ ହେଲେ ତ ନାଇଁ ପାରେ । ତର୍‌ କଥା ତ ଛାଡ଼୍‍ । ଏତେ ନାଇ ଖାଇଲୁ, ଏତେ ରୁଷ୍‌ଲୁ ଫୁଲ୍‌ଲୁ, କାଇଁଟା ହେଲା-?

 

ପରେ ପରେ ଆଉ ଯାହା ଯାହା କହିଲା ସେଥିରେ ବଡ଼ ଭାଗ ବୁଝେଇବାକୁ ଚେଷ୍ଟାକରିଥିଲା, ଗୋଟିଏ ସ୍ଥିର ରହିଲେ ବି ଆରଟି ଆଗେଇ ଆସି ଶବ୍ଦ ସୃଷ୍ଟି କରିବ ।

 

ତୀର୍ଥ କଥା ଭିତରେ ଚଇତା କହୁଥିଲା—ନାଇଁ, ନାଇଁ, ପାର୍‌ବି । ପାର୍‌ବି—ମୁଁଇ ପାର୍‌ବି ।

 

ଧାନ ଖେତ ଆଡ଼କୁ ହାତ ଠାରିଲା ତୀର୍ଥ—ପାର୍‌ବୁ ? ପାର୍‌ବୁ ? ହେ ଖେତ୍‌ଟା ଯେତେ୍‌ବେଳେ ପାଚିକିରି ଫାଟି ପଡ଼୍‌ବ ଦୁଷ୍‌ରାଟେ ଆସି ଦା ବୁଲେଇଲେ ତୁହି ରହି ପାର୍‌ବୁ ? ଯାଇ ଥିଲୁ ତ ଘରୁ । ସେଆଡ଼େ ସେ ଆଡ଼େ ବାବାଜି କି ବଇସିମଟେ ହେଲୁ ନାଇଁ ? ବଇଷିମ ହଉ ହଉ ତ ଏତେ ଲୁଭ ! ଆଉ, ତୁଇ ଘର କରି, ଦୁଆର୍‌, କରି.......

 

ଚଇତା ଚାହିଁ ଥିଲା ।

 

ତୀର୍ଥ କହିଯାଉଥିଲା—ଏଦି ତ ଅକ୍ରମ ଡାକି ବଜେଇ କହୁଚେ ଇ ବର୍‌ଷ ଆଉ ନାଇଁ ଡରେ । କାଟି ନବ । କେନ୍‌ଠୁ କେନ୍‌ଠୁ ବଳ ପାଉଚେ ଜାଣିଚୁ ? ହେ ଆଡ଼ର୍‌ ଖବର୍‌ ଦାବର୍‌ ରଖିଚୁ କାଁ ।

 

ଖେତ ଉପରେ ଲାଖି ରହିଥିଲା ଚଇତାର ଆଖି ।

 

ତୀର୍ଥ କହିଚାଲିଚି—ହେ, ହେ ତର୍‌ ପୁଅ ନାଇଁ ଯେ ଶତ୍‌ରୁ । ହେଟା ତାର୍‌ମାଁ ପେଟ୍‌ରେ ଶତ୍‌ରୁଟେ ଆଇଚି ! ପର୍‌ ବୁଧିଆଟା—ମାଇପ ବୁଧିଆଟା ।

 

ତୀର୍ଥ କହି ଚାଲିଚି । ଚଇତା ଚାହିଁଚି । ଭିତରେ ଭିତରେ ଖଣ୍ଡିଆ ଭୂତଟେ ଭଉଁରି ଖେଳିବା ଆରମ୍ଭ କରି ଦେଲାଣି ।

 

ସେଇ କଥାଟା ଅସ୍ପଷ୍ଟ ହେଇ ଫୁଟି ଉଠୁଥିଲା—ପାର୍‌ବି, ପାର୍‌ବି, ପାର୍‌ବି ।

 

ତୀର୍ଥ କହି ଚାଲିଥିଲା—ପାଚ୍‌ଲା ଧାନ—ତର୍‌ ମୁଡର୍‌ ଝାଳ ତୁଁଡ଼୍‌ରେ ଲଗା ପାଚ୍‌ଲା ଧାନ । ତର୍‌ ଭାତ୍‌ ହାଁଡ଼ି—ଇଟା ତର୍‌ ପିଲା ଛୁଆର୍‌ ଭାତ୍‌ ହାଁଡ଼ି ! ଇ ଖେତ୍‌ଟା ଯିଏ ନବା—ଇ ଖେତ୍‌ରୁ ଧାନ ଯିଏ କାଟିନବା ..ଉଁ.. ମୁଇଁ ତ ହେଇଥିଲେ,....

 

ହଠାତ୍‌ ଚିତ୍କାର କରି ଉଠିଲା ଚଇତା—ମର୍‌ ପାଚ୍‌ଲା ଧାନ ? ମର୍‌ ପାଚ୍‌ଲା ଧାନ ? ମର୍‌ ପାଚ୍‌ଲା ଧାନ କାଟି ନବ ! ନଉତ—ଦେଖି କିଏ ନଉତ !

 

ଚଇତାର ଦେହ ଥରୁଥିଲା । ଆଖି ଜଳୁଥିଲା ।

 

ତୀର୍ଥ ମୁରୁକି ହସିଲା—ଏଦି ତ !

 

ଚମକି ଚାହିଁଲା ଚଇତା—କାଇଁଟା ?

 

—ଏଦି ତ ପାର୍‌ଲୁ ।

 

ଆଉ ଟିକିଏ ପାଖେଇ ଆସିଲା ତୀର୍ଥ—ନାଇଁ ରେ, ତୁଇ ନାଇଁ ପାରୁ । ନାଇଁ ରାଗେ ନାଇଁ ରାଗେ ବଲି ଯେତେ ହାଁଟ୍‌ରି ହେଲେ ଗଲା ନାଇଁ ପାରୁ । ତର୍‌ହେ ମାଇକିନାକୁ ଆଉ କିଛି ନାଇଁ, ଜାଉଣୁ ଆସ୍‌ଣୁ ଗୁଟାକୁ ଗୁଟା ! ଲଗା, ଲଗା—ଲଗା ଯେତେ ପାର୍‌ଚୁ ଯାଉଣୁ ଆସ୍‌ଣୁ । ନାଇଁ ହେଲେ ଆଉ କାହିଁରେ ସାଧିଅ ନାଇଁ ହୁଏ । ମାଡ଼—ମାଡ଼—ହେଟାକୁ ଖାଲି ମାଡ଼ । ଏତେ ତ ଗୁଣ୍‌ଲୁ—ଆଉ ଗୁଟେ ଆଣି ଫେର୍‌ ଗଣ୍‌ବୁ କାଁ ? ରାଁଡି ଛାଡ଼୍‍ରି ମୂଲ କେନ୍‌ତି ହୁ ହୁ ବଢ଼୍‍ଲାଣ୍‌ ! ନାଇଁ ଦେଖୁଚୁ କାଁରେ ? ମାଡ଼, ମାଡ଼, ଇଟାକୁ ମାଡ଼ରେ ସାଧିଅ କର୍‌ । ଆଉ କେନ୍ଆଡ଼େ ଯିବ ? ଜାଣିଲୁ ରେ, ମୁଇଁ ଦେଖ୍‌ଲିଣ, ତର୍‌ ଜମି ବାଡ଼ିରେ ଲୁଭ ପଶିଗଲାଣି । ଏନ୍‌ତି ଗୁଟାକୁ ଗୁଟା ଖାଉଥିବ ପଛେ ନାଇଁଯାଏ କାହିଁ । ମାର୍‌–ଯାଉଣୁ ଆସ୍‌ଣୁ ମାର୍‌—ଠାଣେ ଅଠାଣେ ଯେନ୍‌ଠି ପାରୁଚୁ ମାର୍‌ । ମରି ହଜି ଗଲେ ଆମେ ଅଛୁଁ ।

 

ଅହିଲାକୁ କେନ୍ଦ୍ର କରି ଆହୁରି କେତେ କହୁଥିବାବେଳେ ଚଇତାର ମଞ୍ଚା ପାଖ ଢାଲୁ ତଳୁ ଯାହାର ମୁଣ୍ଡ ଦେଖାଗଲା ତୀର୍ଥ ପାଟି ଅଠା ଅଠା ହେଇଗଲା ।

 

ଛପି ଛପି ଶୁଣୁଥିବା କୁରୁପା ଆଗେଇ ଆସୁଥିଲା ହୁଙ୍କାର ଦେଇ—ଜାଣ୍‌ଲି, ଜାଣ୍‌ଲି, ତୁଇ ସବୁର୍‌ ଗୁବର୍‌ ଧନ୍‌ ! ପରକୁ ଶିଖେଇ ମତେଇ ମର୍‌ ମାଉସୀକି....

 

କଥା ବଢ଼ୁ ବଢ଼ୁ ତୀର୍ଥ ଆଉ କୁରୁପା ଭିତରେ ପାଞ୍ଚଣ ଉଠାଉଠି ଆରମ୍ଭ ହେଲା—ଆଉ କୁଆଡ଼େ ଗତି କରିବାର ଆଶଙ୍କା କରି ଦୁହିଙ୍କ ମଝିରେ ଠିଆ ହେଇପଡ଼ିଲା ଚଇତା ।

 

ଦୁହିଙ୍କୁ ଦୁଇଆଡ଼େ ବିଦା କରି ଦେଇ ଆକାଶେ ଆଡ଼େ ଫେରି ଯାଉଥିଲା ଚଇତାର ଆଖି । ପାହାଡ଼ ଆଡ଼େ ଫେରି ଯାଉଥିଲା ଆଖି । ପାହାଡ଼ଠୁ ଆହୁରି ଉପରେ ଚରୁଥିବା ଫଗୁଣର ମେଘକୁ ବେଳେ ବେଳେ ଚାହିଁ ରହୁଥିଲା ।

 

ଚଇତା ଚାହିଁଥିଲା । ଆଖି ଆଗରେ ତାର ଚାଲି ଚାଲି ଯାଉଥିଲା ମେଘ ତଳର ଚଳନ୍ତା ଛାଇଟାଏ—ଚାଲି ଯାଉଥିଲା ହୁଡ଼ା ଉପର ମହୁଲ ଛାଇ କେତେଟାକୁ ଗ୍ରାସ କରି କରି ।

 

ଚଇତା ଚାହିଁଥିଲା ।

 

ହେତୁଶୂନ୍ୟ ଭଳି ମନେ ହେଉଥିବା ଭୟଟା ଭିତରେ ସିଦ୍ଧାନ୍ତ ଯେତେବେଳେ ଟଳମଳ ହେଉଥିଲା, ଆହୁରି ଭିତରଟା ବି ବୁଡ଼ି ବୁଡ଼ି ଯାଉଥିଲା ।

 

—ନାଇଁ ପାର୍‌ଲିରେ ଅଜା, ନାଇଁ ପାର୍‌ଲି ।

 

ଚଇତା ଆଖିରେ ଲୁହ ଜମି ଜମି ଆସୁଥିଲା ।

 

ମିତୁରୁର ଗଳା ଚଢ଼ି ଉଠୁଥିଲା—ମୁଇଁ ତ ମୂଳ୍‌ରୁ କହି ଦେଇଚିଁ ନାଇଁ ପାରୁ । ପୁଅ ମାଇପ ଜମିବାଡ଼ି–ଇ ଭିତ୍‌ରେ ଥାଇ ନାଇଁ ପାରୁ । ଯାଃ, ଛାଡ଼ିଦେ । ଛାଡ଼ିଦେ ଇ ସବୁ । ଘର୍‌ଦୁଆର୍‌, ପିଲା, ମାଇପ—କିଏ କାର୍‌ରେ ? କିଛି ନାଇଁ, କିଛି ନାଇଁ, କେହି ନାଇଁ ! ଇ ମେଦ୍‌ମେଦା ପୁର୍‌ଥି—ସବୁ ମିଛ ! ସବୁ ମାୟା ! ଛାଡ଼ିଦେ—ସବୁ ଛାଡ଼ିଦେ—ପାଇଟି ତୁଟି ଯିବ । ଅସଲ କଥାଟା ଭାବ୍‌ । ଇଥ୍‌ର ଖାଲି ଭାବ୍‌—କେନ୍‌ଠୁ ଆଇଚୁ, କେନ୍‌ଠିକୁ ଯିବୁ । ଆଇଲୁ ତ ବାହାରି—ଯିବାଟା ଇଥ୍‌ର ଦେଖ୍‌ । ଯିବା ବାଟ୍‌ଟା ସଫାକର୍‌ ।

 

ଜଳ ଜଳ ଚାହିଁଚି ଚଇତା ।

 

ମିତୁରୁ କହି ଚାଲିଥିଲା । ଚଇତା ଚାହିଁଥିଲା । ସଂସାରଟା ମିଛ ମାୟା—ଏଇ ମୂଳକୁ କେନ୍ଦ୍ର କରି ମିତରୁ ଗୀତ ଆରମ୍ଭ କରିଦେଲା । କାନଉ କାନଉ କେତେବେଳୁ ଦୁଇ ଆଣ୍ଠୁ ସନ୍ଧିରେ ମୁହଁ ଗୁଞ୍ଜିଲାଣି । ନିଶ୍ଚଳ ହେବା ଅବସ୍ଥାକୁ ଆସି ଆସି ଗଲାଣି । ଭିତରେ ଭିତରେ ଫେଣେଇ ଫେଣେଇ ଉଠୁଥିଲା, କେନ୍‌ଠୁ ଆଇଚୁ ? କେନ୍‌ ଆଡ଼େ ଯିବୁ ? ......କେନ୍‌ଠୁ ଆଇଚୁ ? କେନ୍ ଆଡ଼େ ଯିବୁ ?

 

ଫେଣ ଭିତରେ ଫୋଟକା ଭଳି ଫୁଟି ଉଠୁଥିଲା ଆହୁରି କେତେ ପ୍ରଶ୍ନ—କାହିଁଲାଗି ଆଇଚୁ ? କେନ୍‌ଥିର୍‌ ଲାଗି ଆଇଚୁ ?

 

ଫୋଟୋକା ଚଟ ଚଟ ଫାଟି ଯାଉଥିଲା ।

 

ଲମ୍ବିଥିଲା ମିତୁରୁର କଥା—ସବୁ ତାର୍‌ ମାୟା ! ସବୁ ତାର୍‌ ଖେଳ୍‌ଘର । ସେ ମନ୍‌ କଲେ ଦଁଡ୍‌କେ ଭାଁଙ୍ଗୁଚି—ମନ୍‌ କଲେ ଦଁଡ୍‌କେ ଗଢ଼ୁଚି ! ତାର୍‌ ଆଡ଼୍‍କୁ ଟିକେ ଅନା । ତାର୍‌ ଆଡ଼କୁ ଅନେଇଲେ, ଯେନ୍‌ ଯେନ୍‌ଟା ତୁଇ ଉଚା ପୂରା ବଲି ଭାବୁଚୁ, ସେଟା ଦେଖ୍‌ବୁ ଗାଡ଼ଟା ! ହଁରେ ହଁ, ତାର୍‌ କଥାଟ । ଭାବ୍‌ଲେ ଉଚା ପୂରା ଯେନ୍‌ଟା ଭାବି ହଉଚୁ ସେଟା ଦେଖ୍‌ବୁ ଖାଲ୍‌ଟା, ଗାଡ଼୍‍ଟା !

 

ମିଛ ମାୟା ସମ୍ବନ୍ଧୀୟ ଗୀତଟିଏ ପୁଣି ଆରମ୍ଭ କରିଦେଲା ମିତୁରୁ ।

 

ହସ ଆଉ କାନ୍ଦର ଭାବୋଚ୍ଛ୍ଵସ ଭିତରେ ମିତୁରୁ ଗୀତକୁ ପାଳିଆ ଧରିଲେଣି କମଳୁ, ବିଶି, କରୁପା । ଉଠା, ଦରଉଠା ଡିଆଁ ଡେଇଁ ଆରମ୍ଭ ହେଲାଣି ।

 

ଚଇତା ଚାହିଁଚି । ଲଟେଇ ପଡ଼ିଲାଣି କାନ୍ଥରେ—ପଙ୍ଗୁ ଭଳି । ପରଲୋକର ଗତିପଥଟା ବିଭିନ୍ନ ବିଭୀଷିକା ଭିତର ଦେଇ ଫୁଟି ଉଠୁଚି ।

 

ଆଖିପତା ଲାଗି ଲାଗି ଆସୁଚି ।

 

ଆଖି ଖୋଲିଲା ଚଇତା ।

 

ଆଖି ଚାଲିଗଲା ପଦାକୁ ।

 

ପାହାଡ଼ ଡେଇଁ ଏ ପଖାକୁ ଆସିଲାଣି । ବିଛାଡ଼ି ହେଇ ପଡ଼ିଚି । ବଣ, ପାହାଡ଼, ଟାଙ୍ଗର–ସବୁ ଉଜ୍ଜ୍ଵଳ ।

 

ମିତୁରୁ ଢୁଳେଇ ପଡ଼ିଚି ।

 

ଚଇତା ପଦାକୁ ଆସିଲା ।

 

ଗାଁ ମୁଣ୍ଡ ତେନ୍ତୁଳି ଉପରୁ ହୁଁ ହୁଁ କା ଡାକୁଚି ।

 

ଗାଁ ଭିତର ଖୁଡ଼ିଟିଏ ଟାଣ ପଡ଼ିଚି ।

 

ଶିଥିଳ ହେଇଆସୁଥିଲା ପାଦ । ଶିର୍‌ ଶିର୍‌ । ଅଳସ ଅଳସ । ଭିତରେ ଭିତରେ ଶୁଭି ଯାଉଥିଲା—ଖଁଡ଼ି ଯେ ଖଁଡି ତର...

 

ଧାନ ଖେତରେ କଳେଇ ବାନ୍ଦୁଥିଲା ଚଇତା ।

 

ସାମନାରୁ ଆଗେଇ ଆସୁଥିଲା କମଳୁ ।

 

କଳେଇ ବୋଝ କଚାଡ଼ିଲା ।

 

ସେଁ ସେଁ—ପାଟିରୁ ନାଳ । ଆଖିରୁ ପାଣି । ମିଞ୍ଜି ମିଞ୍ଜି ପତା ଦୁଇଟା—ଏଇ ଅବା ବୁଜି ହେଇଯିବ ।

 

ଚଇତା ପାଖକୁ ଆଉ ଟିକିଏ ଆଗେଇ ଆସିଲା । ଧକି ଫୁଟା ସ୍ଵର—ସଇଲାରେ ଚଇତା, ମର୍‌ ଦିନ୍‌କାଳ ସରି ଆଇଲାଣ । ଆଉ ନାଇଁ ପାରେଁ, ଆଉ ନାଇଁ ପାରେଁ !

 

ଚଇତା ଚାହିଁଲା ।

 

କାମୁଳୁର କଥା ବଦଳିଲା—ହଃ, ଚାଲୁ—ଯେନ୍‌ତି ଚାଲୁଚି ଚାଲୁ । ରଥ ତ ଗଡ଼ୁଚି—ଯେନ୍‌ଠି ରହିବ ରହୁ ।

 

କଚାଡ଼ିଥିବା କଳେଇଟି ସାମନାରେ—ସରୁ ସରୁ ଧାନ ।

 

ମନ ମାଫିକ ପେସାଲ୍‌ ପାଇଁ ପଟାଦାର ମନ ନେବାକୁ ପାଞ୍ଚରୁ ଦୁଇ ଭିତରେ ସରୁ ଧାନ ଯୋଗେଇ ଦେବାକୁ ଯବାବ ଦେଇ ଆସିଚି । ଯବାବ ଦେଇଆସିଚି ସିନା, ଭୋଗରାଗ ପାଇଁ ଉଦ୍ଦିଷ୍ଟ ଏ ଗଣ୍ଡାକ ସରିଯାଉଥିବାରୁ ମନ ମରିମରି ଯାଉଚି ।

 

ଯେତେ ଦେବା ଦେବୀ ମାନି ଆସିଚି, ଥାପି ଆସିଚି, ପୋଷି ଆସିଚି, ଏ ଭିତରେ ସେଇ ସଂଖ୍ୟା ଗୋଟିଏ ବଢ଼ିଚି ମାଟିଆ ଦେବ୍‌ତା ।

 

ମାଟିଆ ଦେବ୍‍ତା ପୂଜା–ମାଟିଆକୁ ଦେଇ ଥୁଇ ପୋଷି ପାରିଲେ ଯୋଉଠୁ ପାରି ସେଇଠୁ ଭାର ଭାର ଧନ ଘରେ ଆଣି କୁଢ଼େଇ ଦେଇଯିବ—ବହୁ ଦିନରୁ ଏଇ ଶୁଣା କଥାଟାର ସତ୍ୟତା ସ୍ଵପ୍ନ ଭିତରେ କେତେଥର ଦେଖିସାରିଲାଣି ।

 

ମାଟିଆ ଦେବ୍‌ତା ପୂଜା–ଯୋର୍‌ ସୋର୍‌ରେ ଲାଗିପାରିନାଇଁ କମଳୁ ।

 

ଲାଛୁକୁ ଜବାବ ଦେଇଚି ଭୁଆଣୀ ନଚେଇବ । ନାଲି କବ୍‌ଟା ପିନ୍ଧା ଭୁଆଣୀ ନାଚିବ ଠିଆ ବଇଁଶୀର ସୁରେ ସୁରେ । ନାଚିବ—ନାଚି ନାଚି ବେଦମ୍‌ ହବ । ବଣ ଛାଡ଼ି ପଳେଇବ ।

 

ଭୁଆଣୀ ମାଟିରୁ ଜନ୍ତୁ କେମିତି ଗୁଳା ମୁହଁରୁ ଖସି ପଳାଏ, ଲାଛୁ ଆଗରେ ବହୁତ ଶୁଣେଇଚି । ଜନ୍ତୁ ମାରିବା ପାଇଁ କାନ୍ଦ୍‌ରୀ ଧୂପ କରିଦେବାର ପ୍ରତିଶ୍ରୁତି ଦେଇଚି । କାନ୍ଦ୍‌ରି ଧୂପ ପ୍ରସ୍ତୁତ କରିବାକୁ ଅନେକ ଦିନୁ ମନଥିଲେବି ଏ ଭିତରେ ଯୋର୍‌ ସୋର୍‌ରେ ଲାଗିଯାଇଚି । ଜନ୍ତୁର ଖୁରା ଚିହ୍ନରେ କାନ୍ଦ୍‌ରୀ ଧୂପ—ଜନ୍ତୁ ଯେ ଚିହ୍ନେଚିହ୍ନେ ଫେରିଆସିବ ସେଇ ନିର୍ଭର ଜବାବ ଦେଇଚି ଲାଛୁକୁ ।

 

କାନ୍ଦ୍‌ରୀ ଧୂପର ପ୍ରସ୍ତୁତି କରଣ—ପ୍ରସ୍ତୁତିର ପାରିଶ୍ରମିକ ବାବଦକୁ ଲାଛୁଠୁ ଯୋଉ ଆକାରରେ ଯାହା ମିଳୁ ନମିଳୁ, ଧୂପ ପ୍ରସ୍ତୁତି ପାଇଁ ମଣିଷର ଛତୁ ଫୁଟା ମେରିଆ ମାଉଁସର ଅନୁସନ୍ଧାନରେ ଥିଲାବେଳେ ଜନ୍ତୁ ମାଉଁସଟା ଜଳ ଜଳ ଦିଶିଯାଏ ।

 

କମଳୁ ଉଠିଲା ।

 

ସେଆଡ଼େ ଯିବା ବେଳେ ପାଖେଇ ଆସିଲାଣି ।

 

କଳେଇ ମୁଣ୍ଡେଇଲା । ବେଶ୍‌ ଜୋର୍‌ରେ ପାଦ ପଡ଼ିଲା ।

 

ନବଘନ ଚିତ୍କାର କରି ଉଠିଲା—ନାଇଁ, ନାଇଁ, ମତେ ବିଶାସ୍‌ କର୍‌–ଇଥ୍‌ରେ ମୁଇଁ ନାଇଁ-

 

ଆହୁରି ପାଖେଇ ଆସିଲା ଚଇତା–ତର୍‌ ଏତେ କଥା କେହି ନାଇଁ ଶୁଣନ୍‌ । ଦିଅ, ଯେନ୍‌କି ଖାଇଚ ସେନ୍‌ତି ଦିଅ ।

 

ଟୁଙ୍ଗି ଭିତରକୁ ଉଙ୍କିମାରୁଥିଲେ ବିଶି ଆଉ ବିଶିର କନିଆ ।

 

ଯାତ୍ରାକୁ ବାହାରୁ ବାହାରୁ ଅଟକିଛନ୍ତି ।

 

ବର ସାଙ୍ଗରେ ଯାତ୍ରା ଦେଖିଯିବା ଆଗରୁ ଗୁଣା ମାଜୁଥିଲା ବିଶିର କନିଆ । ଗୁଣା ମାଜୁ ମାଜୁ ଶାଶୁ ବୁଢ଼ୀର ଗୁଣବାହୁନା କାନ୍ଦ ଶୁଣିଥିଲା । ଚମକି ଥିଲା । ତରା ବେକର କଉଡ଼ି ମାଳଟା କଡ଼ାକ୍ରାନ୍ତି ବାଦ ନଦେବା ଭଳି ଉଜଳି ଉଠୁଥିଲା । ଟିକି ମେଁ ମେଁ ନ ଶୁଣି ଆଉ ଟିକକୁ ଯେ ସାନ ମଝିଆଁ ଅଜଟ ଲଗେଇବ ସେଇ ଦୃଶ୍ୟଟା ବି ଦିଶି ଯାଉଥିଲା ।

 

ଗାଁ ଦାଣ୍ଡରେ ଏପଟ ସେପଟ ହଉଚି ବିଶିର ଆଇ ବୁଢ଼ୀ । ସଂପିକାଟି ଗଦେଇ ଚାଲିଚି–ଆର୍‌ କେନ୍‌ଠୁ ନାଇଁ ମିଳ୍‌ଲା ? ଆମର୍‌ଟା ଉପ୍‌ରେ ଆଖି ! ଇ ଗୁଲିଏ କୁଢ଼ିଏ ଆମ୍‌କୁ ସାଇଲେ-! ଇ ମେରିଏ ଗାଡ଼୍‍ଶୁଏ ଆମ୍‌କୁ ସାଇଲେ ! ଡାକ ଛାଟିଆ । ଡାକ ପୁଲ୍‌ସି ! ଗୁଟି ଗୁଟି କିରି ବାଧୁଁ ଛାଁଦୁ । ଗୁଟି ଗୁଟି କିରି ଜିହଲ୍‌ରେ ପୁରଉ ।

 

ଦମ୍ଭୋକ୍ତି ଫୁଟେଇବାକୁ ଚେଷ୍ଟା କରୁଥିଲା ନବଘନ ।

 

ଚଇତା ମୁହଁକୁ ଚାହିଁଲା । ଦବିଗଲା ।

 

ଚଇତା କହି ଚାଲିଚି । ବାହାରେ ଜଳିଲାଟା—ଭିତର ଟିକକ ଝରିବାକୁ ରାହା ଖୋଜୁଚି-

 

ନବଘନ ନିକିଟିଚି ।

 

ନବଘନ ନିକିଟି ଚାହିଁଚି । ରାହାଖୋଜାଟିକୁ ଆବିଷ୍କାର କଲାଣି ।

 

ବେପାରୁଆ ହେଇ ଆସୁଚି । ଆହୁରି ଆହୁରି ନିକିଟି ଦେଖୁଚି ।

 

ସଜ ପହର–ଆହୁରି ଅସ୍ପଷ୍ଟ ହେଇ ଆସୁଥିଲା ଟୁଙ୍ଗିଟି ।

 

ଡିବିରି ଜାଳିଲା ନବଘନ । ଆହୁରି ଅବା ସ୍ପଷ୍ଟକରି ଦେଖି ନବାକୁ ଚାହେଁ ।

 

ପବନର ଫେରା ଘୁରା ଗତି–ଗତି ସହିତ ଡିବିରି ଶିଖାଟି ତଳ ଆଡ଼କୁ ତାଳ ଦେବାକୁ ଗଲେ ବି ସେଇ ଉର୍ଦ୍ଧ୍ଵଗତି ।

 

ଆଷାଢ଼ ଗଲା—ଫଗୁଣ ଆସିଲା ।

 

ପୁଣି ଆସିଲା ଫଗୁଣ ।

 

ଫଗୁଣ ଆସିଚି । ପଲାଶର ନାଲି ହଳଦୀ ମିଶାମିଶି ରଙ୍ଗ ଟିକକ ।

 

ବଣ, ପାହାଡ଼, ଆକାଶ......ସବୁଠି ରଙ୍ଗ—ରଙ୍ଗ ପରେ ରଙ୍ଗ ।

 

ବାହାରେ ରଙ୍ଗ । ଭିତରେ ରଙ୍ଗ ବୋଳିବାକୁ ଚେଷ୍ଟା କରୁଥିଲା ଚଇତା ।

 

ଗାଁରୁ ଦଳଟି ଦୋଳ ଦେଖି ବହାରିଚନ୍ତି—ଦାଣ୍ଡରୁ ଥାଇ ଲକ୍ଷ୍ୟ କରୁଚି ଚଇତା ।

 

ଦୋଳ ଦେଖା ଦଳ ସାଙ୍ଗରେ ବେଳେ ବେଳେ ମିଶି ପାରୁନାଇଁ ନକୁଳ—ପଛେଇ ଯାଉଚି । ଲଡ଼୍‍ ଲଡ଼୍‍ ଗୋଡ଼ ଦୁଇଟି ଲେଟିକିଲା ଭଳି ହେଇଯାଉଚି ।

 

ପଛେଇ ଯାଇଚି ନକୁଳ । ଖେତ ଖଳାର ମୂଷା ଗାଡ଼ରେ ହାତ ପୂରାଇ ଯାହା ପାଇଥିଲା, ମାପିଦେଇ କିଛି ପାଇଚି—ଗଣ୍ଠା ଜାଗାରେ ବେଳେ ବେଳେ ହାତ ମାରୁଚି ।

 

ଦୋଳପଡ଼ିଆ, ଦୋଳମଣ୍ଡପ......ଝୁଲି ଝୁଲି ଉଠୁଚି ।

 

ଗାଁରୁ ଦଳଟି ଦୋଳ ଦେଖିସାରି ଫେରିଲା ବେଳକୁ ପଡ଼ି ରହିଥିବା କମଳୁ ଆଡ଼େ ଚାହିଁଥିଲା ଚଇତା ।

 

ମହୁଲି ରସର ପ୍ରକ୍ରିୟା ଭିତରେ ଚେତନାମୟ ସୂକ୍ଷ୍ମ ଅନୁଭୂତି ହଜି ହଜି ଯାଉଥିବା ବେଳେ ଗଲା ବାହୁଡ଼ା ଯାତ୍ରାରୁ ବାହୁଡ଼ି ଆସି ପାରିଥିଲା ସିନା, ଦୋଳ ପୂର୍ଣ୍ଣିମାର ପୂର୍ଣ୍ଣତା ଭିତରେ ଯୋଉ ଆଡ଼େ ଯାତ୍ରା ଆରମ୍ଭ କରିଦେଇଚି ସେଇଆଡ଼ୁ ଆଉ ଫେରି ହୁଏ କି ନାଇଁ, ସେଇ ତତ୍ତ୍ଵ ଏବେ ଦିନେ ପଚାରୁଥିଲା—ପଚାରୁଥିଲା ମିତୁରୁକୁ ।

 

ଧ୍ୟାୟି ଗୁରୁ ପୟରଟି ଗାଇ ସାରିଲା ପରେ, ଶୂନ୍ୟ ବ୍ରହ୍ମକୁ ବୁଝେଇବାକୁ ଯାଉ ଯାଉ, ଏକ ଇଶ୍ଵର ବାଦରୁ ବହୁ ଇଶ୍ଵର ବାଦ ଆଡ଼େ ଆଗେଇ ଯାଇଥିବା ବେଳେ, ଏକ ତରଫା ବାଦ ବିବାଦ ଭିତରେ ଜନ୍ମ, ମୃତ୍ୟୁ, ଏପାର ସେପାର, ଭୁଲୋକ, ଗୋଲକ, ପ୍ରତିଲୋକ ସାଙ୍ଗକୁ ସୁର, ଅସୁର, ଯମପୁର, ପାତଳପୁର ଇତ୍ୟାଦିର ଯୋଉ ଡିଆଁ ଡେଇଁଟା ଶୁଣେଇଥିଲା, ତା ଭିତରୁ ଯମପୁରୀ ବର୍ଣ୍ଣନା ଓ ଜନ୍ମ ନେବାର ବିଭିନ୍ନ ରୂପ କଥାଟା ଶୁଣୁ ଶୁଣୁ ଶିହରୀ ଉଠିଥିଲା କମଳୁ ।

 

କମଳୁର ଶବ ଆଡ଼େ ଚାହିଁଚି ଚଇତା ।

 

ଚାହିଁଚି ନବଘନ ।

 

ଚାହିଁ ରହିଚନ୍ତି ବେଢ଼ି ବେଢ଼ି ଆସୁଥିବା ମାନେ ।

 

ଚନ୍ଦ୍ର ଯେତେବେଳେ ପୂରା ରୂପ ନେଇ ଆକାଶରେ ମଝି ଆଡ଼କୁ ହସୁଥିଲା ସେତିକିବେଳୁ ଚାଲିଯାଇଚି କମଳୁ ।

 

ଚନ୍ଦ୍ର ଉଠିବା ଢେର ଆଗରୁ ଘରୁ ଗୋଡ଼ କାଢ଼ିଥିଲା । ମଶାଣିକୁ ଯିବା ଗୁଡ଼ିକ ସାମନାରେ ବିଛାବିଛିରୁ—ବାଛି ବାଛି ଡଉଁରିଆ ଗଢ଼େଇବାକୁ ଯାହା ଗୋଟେଇଥିଲେ, ଝାଡ଼୍‍ ଝୁଡ଼୍‍ ପରିମାଣ ସାଙ୍ଗରେ ତାକୁ ବି ମିଶଲଇଥିଲେ ।

 

ଚନ୍ଦ୍ର ଉଠିବା ଆଗରୁ କହିଯାଇଥିଲା—ଛାଡ଼ିଦେବି, ଇ ନିଶାପାଣି ଛାଡ଼ିଦେବି । କିଏ କାହିଁଲାଗି କହୁଥିବ ଏତେ । କିଏ କାହିଁ ଲାଗି ଜାତି ଜାତି ହଉଥିବ । କିଏ କାହିଁଲାଗି ପାଣିଟିକେ ଲାଗି ଗଣି ଗଣି ଅଥା ହଉଥିବ । .....ଆଜି ଦିନ୍‌କ... ଆଜି ଦିନ୍‌କ... ଏ କକା, ଏ ଅଜା, ଏ ମଉସା, ଏ ନାନୀ, ଆଜି ଦିନ୍‌ଟାରେ, ଆଜି ଦିନ୍‌ଟାଲ, ଆଜି ଦିନ୍‌ଟା ଗ । ଆଜି ଦିନ୍‌ଟା—ଫଗୁଣ ପୁନି ଆଜି–ଆଜି ଦିନ୍‌ଟା । ଆଜି ଶେଷ୍‌ ଦିନ୍‌ । ସବୁ ଦିନ୍‌କୁ ତ ଛାଡ଼୍‍ଲି, ହଁ ହଁ, ଛାଡ଼୍‍ଲି...ଆଜି ଦିନ୍‌ଟା ମନ୍‌ବୁଧି କରି...ଆଜି ଦିନ୍‌ଟା...ଖାଲି ଆଜି ଦିନ୍‌ଟା.......

 

କମଳରୁ ଶବ ପଡ଼ି ରହିଚି ।

 

ଚାହିଁଚି ଚଇତା ।

 

ଚାହିଁଚି ନବଘନ ।

 

କମଳୁର ଶବ ଏଥର ଉଠିବ ।

 

ଚଇତା ଚାହିଁଚି ।

 

କମଳରୁ ଶବ ଏଇ ଉଠିବ ।

 

ନବଘନ ଚାହିଁଚି ।

 

କୋଉଠି ସୁଁ ସୁଁ, କୋଉଠୁ ଇ ହି ହି, କୋଉଠୁ ଆହା, ହା......କୋଉଠୁ ଇସ୍ ଆସ୍‌.....

 

କମଳୁର ଶବ ଉଠିଲାଣି ।

 

ନବଘନ ଚାହିଁଥିଲା ।

 

ମୁହଁ ଫେରେଇଲାଣି ।

 

ଟୁଙ୍ଗି ଭିତରକୁ ପଶିଗଲା ନବଘନ ।

 

ଟାଣିବା ବେଳ ଗଡ଼ିଗଲାଣି । ହାଇ ଉଠୁଚି । ଛିଙ୍କ ଉଠୁଚି । ଭିତରଟା ଦରାଣ୍ଡି ହେଲାଣି-

 

ଟୁଙ୍ଗି ଆଗ ଦେଇ ଚାଲି ଯାଉଚି କମଳୁର ଶବ ।

 

କାନଉ କାନଉ ଚୁଙ୍ଗି ନଳରେ ମୁହଁ ମାରିଲା ।

 

ପହିଲି ଟଣା ସାଙ୍ଗେ ସାଙ୍ଗେ ବିପରୀତ ପବନ ଠେଲିଲା ।

 

ଶୂନ୍ୟକୁ ଉଠିଲା ପୋଡ଼ାଗୁଲି—ଶୂନ୍ୟ ଭିତରେ ଉଲ୍‌କା ଭଳି ଟିକିଏ ମିଲ୍‌ କରିଥିଲା ।

 

ମାଟି ଭିତରେ ମିଳେଇ ଯାଇଥିବ କମଳୁ ଆଜି ପୁଣି ମନେ ପଡ଼ୁଚି ଚଇତାର ।

 

କୁସୁମାର କାନ୍ଦ ଶୁଭୁଚି । ବହୁ ଆସିବାର ଆୟୋଜନ ଚାଲିଥିବା ବେଳେ ପୁଅଟି ଚାଲିଯାଇଚି ।

 

କୁସୁମାର କାନ୍ଦ ଶୁଭୁଚି । ବହୁ ଆସିବାର ଆୟୋଜନ ଚାଲିଥିବା ବେଳେ ପୁଅଟି ଚାଲିଯାଇଚି ।

 

କୁସୁମାର କାନ୍ଦ ଶୁଭୁଚି ।

 

ଚଇତା ଚାହିଁଚି ।

 

ବାହାଘର ଆୟୋଜନ ଭିତରେ ଘର ଭିତରେ କଜିଆର ଧୂଆଁ ଉଠିଲାଣି । ଅକର୍ମ, ସୁଲ, ଅହିଲା—ତା ଭିତରେ ଚଇତା ପାଟି ମିଶିଲା ।

 

ଚଇତା ଚେଷ୍ଟା କରୁଥିଲା ନିଜ ପାଟିଟା ବନ୍ଦ ରଖିବାକୁ ।

 

କଣ ଗୋଟାଏ ଭିତରେ ଭିତରେ ଘୂର୍ଣ୍ଣିପରି ଘୁରି ବୁଲୁଥିଲା । କଣ ଗୋଟାଏ କୁଦି ବୁଲୁଥିଲା ।

 

ମତ୍ତ ହାତୀ ଭଳି ମାଡ଼ି ମାଡ଼ି ଯାଉଥିଲା ପାଦ ।

 

ଘୁରେଇ ଆଣିଲା ।

 

ଦାଣ୍ଡ ଆଡ଼େ ଚାଲି ଆସିଲା ।

 

ଆଗେଇ ଚାଲିଚି ଗାଁ ଦାଣ୍ଡି ଦେଇ । ଆଗେଇ ଚାଲିଚି ଗାଁ ମୁଣ୍ଡଆଡ଼େ ।

 

ଗାଁ ମୁଣ୍ଡକୁ ଲାଛୁ ବାଣୁଆର ଆଟୁ ବଖରା—ଭାସିଆସୁଚି ଶିଳପୁଆ ଠେଲାର ଘର୍‌ ଘାର୍‌ ରସ୍‌ ରାସ୍‌ ।

 

ବାରୁଦ ବାଟୁଚି ଲାଛୁ ।

 

ବାଟୁଚି କଳା କଳା ବାରୁଦ ।

 

ବାଟୁଚି ଧ୍ଵଂସ କରିଦେବାର କଳା ଗୁଡ଼ିଏ—ଧ୍ଵଂସ କରି ଦେବାର କଣା ଗୁଡ଼ିଏ ।

 

ଚଇତା କାନେଇଥିଲା ।

 

ଆକାଶ ଆଡ଼େ ଫେରିଗଲା ଚଇତାର ଆଖି ।

 

ଟିକକ ଆଗର ସଫା ଆକାଶଟାକୁ ମେଘ ଢାଙ୍କି ଦେଲାଣି ।

 

ଟିକିଏ ଟିକିଏ ସଫା ଭିତରେ ଅଗଣିତ ଫୁଟି ଦିଶୁଚନ୍ତି ।

 

ସେଇଠି ଲାଖି ଯାଇଥିଲା ଚଇତା ଆଖି ।

 

ଚଇତା ଚାହିଁଚି । ଟିକିଏ ଦୂରରେ ସମ୍ବର ବୋବଉଚି, କୁଟ୍ରା ବୋବଉଚି.........

 

ସମ୍ବର ବୋବଉଛି ।

 

କାଓ, କାଓ.... ବଟା ଛାଡ଼ି ଲାଛୁ ବାଣୁଆ କାନେଇଲାଣି ।

 

ଚଇତା ଚାହିଁଚି ଆକାଶକୁ—ସଫା ଭିତର ସେଇ ଅଗଣିତ ଆଡ଼େ ।

 

ଅଗଣିତ ଭିତରେ ଆହୁରି ଆହୁରି ହଜି ଯାଉଚି ।

 

ଚାହିଁଚି—ହଜି ହଜି ଯାଉଚି । ପାତଳା ମେଘ ଭିତରେ ଚନ୍ଦ୍ର ବାରି ହେଇ ପଡ଼ୁଚି ।

 

ପାତଳା ଭିତରେ ଚନ୍ଦ୍ର ଦେହର କଳଙ୍କ ଛାପାଟା–ଛାପାଟା ନଥିଲା ଭଳି ମନେ ହେଉଚି-

 

ମେମ୍ବରଟିଏ ହେଲା ଦିନୁ ଭଗାରି ମନଟା ବଦଳି ବଦଳି ଆସୁଚି । ଗଡ଼ତିଆ ଘରେ ନିଜର କାର୍ଯ୍ୟକଳାପ ଗୁଡ଼ିକ ରୁଚିପ୍ରତିକୂଳ ହେଲା ଭଳି ଅନୁଭବ କରି କରି ଆସିଲାଣି । ଖମାରି କାମରୁ ଖଲାସ ହେବାକୁ ମନ ଡାକିଲାଣି । ବଡ଼ଠୁ ସାନ ଯାଏ ନିଜର ଜଣା ଶୁଣା ଅନ୍ୟ ତୋଷାମଦ୍‌କାରୀଙ୍କ ସପକ୍ଷରେ ଯେତେ ଯୁକ୍ତି କଲେ ବି ନିଜର ତୋଷାମଦ ଗୁଡ଼ିକ ଭିତରେ ଭିତରେ କଟୁ ହେଲାଣି, ଆଖିରେ ଅଟକିଲାଣି ।

 

ତୋଷାମଦ୍‌ ବା ଖୋସାମତ୍‌ ଆଡ଼କୁ ବେଳେ ବେଳେ ମନ ବଳୁ ନାଇଁ ।

 

କାମଟା ଛାଡ଼ିଦେଲେ ସମ୍ଭାଳି ପାରିବ କି ନାଇଁ ସେଇ କଥା ଭାବିହେଲାଣି । ବେଳେ ବେଳେ ପ୍ରଶ୍ନ କରୁଚି ମନକୁ ମନ, ଛାଡ଼ି ଦେବାଟା ବାହାଦୁରୀ ଦେଖା ଭଳି ହବ କି ?

 

ବାହାଦୁରୀ ଦେଖାଟା ବଳ ଆଉ କଳକୁ ଟପିଗଲେ କି ଦଶା ହୁଏ ସେଇ କଥା ବେଳେ ବେଳେ ଭାବିଲାଣି ।

 

ଅନ୍ୟ ଆଡ଼ର, ଆହୁରି ଉପର ଆଡ଼ର ଜଣା ଶୁଣା ଗୁଡ଼ାକ ମନେ ପକେଇ ବେଳେ ବେଳେ ସାନ୍ତ୍ଵନା ସଂଗ୍ରହ କରୁଚି ।

 

ଗଡ଼ତିଆ ପରିବାରର ମର୍ଜି ସାଙ୍ଗେ ସାଙ୍ଗେ ନିଜ ମର୍ଜିଆଡ଼େ ମମତା ମାଡ଼ି ମାଡ଼ି ଯାଉଥିବାରୁ ଆୟଟା ଯେ ଛିଡ଼ି ଛିଡ଼ି ଯାଉଚି ସେ ଆଡ଼ଟା ବି ଲକ୍ଷ୍ୟ କଲାଣି ।

 

କାଳିଆର ପାଟିତୁଣ୍ଡ ପୁଣି ଆରମ୍ଭ ହେଇଯାଇଚି । ଘର କଥାଟା ଦାଣ୍ଡକୁ ନ ଆସୁ, ହୈ ଚୈ ନ ହଉ—ଏଥିପାଇଁ ନିଜ ପାଟି କମେଇବାର ଚେଷ୍ଟା କଲାଣି । ଚେଷ୍ଟାଟି ଅନେକ ସମୟରେ ଚେର ହୀନ ଅଚଳନ୍ତି ଅଫଳନ୍ତି ଅବସ୍ଥାରେ ରହିଯାଉଚି ।

 

ମେମ୍ବର ହେଲା ଦିନୁ ନିଜ ମର୍ଜି ଜଗିବାକୁ ଚେଷ୍ଟା କଲାଣି ଭଗାରି ।

 

ବଡ଼ ଭାଇ ତାର ଛେଳିଚରା, ମଇଁଷିଚରା ଦୁଇଟିକୁ ସ୍କୁଲକୁ ନ ଛାଡ଼ିବା ପାଇଁ ମାଷ୍ଟ୍ରେ ମାଷ୍ଟ୍ରେ ନେହୁରା ହେବାଟା ଆଖିକୁ କାନକୁ ଲାଗୁଚି । ବିରକ୍ତ ହଉଚି ।

 

ଭଗାରି ବିରକ୍ତ ହେଲା ବେଳେ କାଳିଆ କଳିପାରୁନଥିଲା କେତେ ବେଳର ବିରକ୍ତଟା କେତେ ପରିମାଣରେ ନିଜ ଉପରେ ।

 

ମିଶ୍ରଙ୍କ ସାଙ୍ଗରେ ମୋକଦ୍ଦମା କଥାଟା ମନେପକେଇ ଭାବି ହଉଚି ଭଗାରି । ତା ସାଙ୍ଗକୁ ଡିଗ୍ରିର ଅସୁଲଟିଏ ଆଦାୟ କରିବାର ଉଦ୍ୟମ—ଦୁଇଟି ଅପିଲ୍‌ ପାଇଁ ବି ହାଇଁ ପାଇଁ ହଉଚି । ଗୋଟିକର ରାୟ ନକଲରୁ ପଦେ ଅଧେ ତର୍ଜମା କରି ଶୁଣେଇଥିଲେ ଓକିଲ—ଓକିଲଙ୍କର ତର୍ଜନ ଆଉ ଗର୍ଜନ ଭିତରେ କେତେଟା ଦୃଢ଼ତା ଥିଲା ଧରିପାରୁ ନଥିଲା ।

 

ଅନୁଭୂତିରୁ ଏ ଭିତରେ ଧୀରେ ଧୀରେ ଧାରଣା କରୁଚି, ନେଇଥିବା ପରିମାଣଟା ଅପ୍ରମାଣ ହଉ, ଖାଇଥିବା ଗୋଟାକେତେ ଯେତେ ଟାଣ ହଉ, ନଇଁଥିବା ମୂଳରେ ଯେତେ ନିର୍ମମତା ଥାଉ, ଅପିଲ୍‌ ପାଇଁ ହାଇଁ ପାଇଁ ହେବା ଅବସ୍ଥାରେ ଅର୍ଥାଭାବର ଅସହାୟତା ଆଡ଼େ ଦେଖେ ଚାହି ଆଗେଇବା ବିଜ୍ଞତାର ପରିଚୟ ।

 

ଟାଣ ଆଉ ଖୁଣ୍‌ ଭଳିଆ ଅସହାୟ ଅବସ୍ଥାଟା ବେଳେ ପୁଲ୍‌ସି ପକ୍ଷରୁ ପୂରାପୁରି ପୂରଣ ହେବ ବୋଲି ବ୍ୟକ୍ତିବିଶେଷରେ, ସ୍ଥଳବିଶେଷରେ ସାନ୍ତ୍ଵନା ଦେଇଚି । ଋଷି ଦେହୁରୀ ସ୍ତ୍ରୀର ହାଲ୍‌ ଖଡ଼ୁମାଡ଼ରେ ସୁନ୍ଦରୀର ଖୁଣ୍‌ ଟିକକ ପାଇଁ ଥାନାକୁ ଟାଣିବାକୁ ସ୍ଥିର କରିଥିଲା—ସ୍ଥିରତାଟା ଅସ୍ଥିର ଅବସ୍ଥା ଆଡ଼େ ଗତିକଲା ଯେତେବେଳେ ଶୁଣିଲା ସୁନ୍ଦରୀ ବି ଟାଣି ହୋଇ ଯିବାର ଆଶଙ୍କା ଅଛି ।

 

ଆପାତତଃ ଅନାଟନ ସମୟରେ ଅପିଲ୍‌ ପାଇଁ ହାଇଁ ପାଇଁ ହଉଥିବା ବେଳେ, ଧନ୍ଦି ହେଉଥିବା ବେଳେ, ଧର୍ମ ଉପରେ ପ୍ରାୟ ଛାଡ଼ିଦେଇଚି ।

 

ନିଧିକୁ ଦିଖି ପୁଣି ବିରକ୍ତ ହେଲା ଭଗାରି–କାହିଁ ଲାଗି ଫେର୍‍ ଆଇଲୁ ?

 

ନିଧି କହିଲା—କାହିଁ ଲାଗି ଏନ୍‍ତି ବିର୍‍ କରୁଚ ଗ ସାଉ ? ମାଟି ଖଁଡ଼େ କରୁଚ ବଲି ତମର୍‌ ପାଖ୍‌କୁ ଆଇବା କଥା ।

 

ନିଧିର ଗଳା ଆହୁରି ନରମ ହେଇ ଆସୁଥିଲା ।

 

କଡ଼ାକ୍ରାନ୍ତି ହିସାବ ନେବାର ମନଥିବା ଭଳି କୃପଣ, ମପାମପି ଚିହ୍ନା ଚିହ୍ନି ଇତ୍ୟାଦିରେ ଅନ୍ୟ ଉପରେ ସନ୍ଦେହ ସହିତ ଆସ୍ଥାସ୍ଥାପନ—ଏ ଭଳି ଜଣେ ଅସହାୟ ମୁକ୍ତ ହସ୍ତ ସାଉକାରକୁ ଛାଡ଼ି ଦେବାଟା ଆପଣା ଖାଇଲା ଭାତରେ ଆପେ ଧୂଳି ଦେବା କାମଟାଏ ବୋଲି ଭାବି ନଉଥିଲା ।

 

ନରମ ଗଳାରେ କହିଚାଲିଥିଲା ନିଧି—ପାଁଚ୍‌ ଜଣ୍‌ ମିଛ କହିଲେ, ମୁଇଁ ଏକ୍‌ଲା ସତୁଆଟା ? ପାଁଚ୍‌ ଜଣ ତ ମତେ କାଇଲ୍ କଲେ ଫେର୍‌ ତମର୍‌ ନାଁରେ କାହିଁ ଲାଗି କେନ୍‌ଆଡ଼େ କହିବି ? କାହିଁ ଲାଗି ତମର୍‌ ମହତ ପଦାରେ ପକେଇବି ? ଯେନ୍‌ ନିଁଅମ୍‌ କହିବ ସେ ନିଁଅମ୍‌ ଧର୍‌ବି ।

 

ସୁନ୍ଦରୀ ପାଖେଇ ଆସୁଥିଲା—ଏ, ଏ, ଏନ୍‌ତି ରାଣ ନିଅମ୍‌ କଥା ନାଇଁ କହରେ ! ସତ୍‌ରେ ପଡ଼୍‍ସି । ମିଛ୍‌ରେ ଗଲା ପଡ଼୍‌ସି !

 

ଗଡ଼ତିଆ ଘରେ ରହିବ କି ନରହିବ ସେଇ ଦ୍ଵନ୍ଦରେ ପଡ଼ିଯାଇଚି ଭଗାରି । କୁଖ୍ୟାତିର ବାହ୍ୟ ବିକୃତିଟା ଏଠି ସୁଖ୍ୟାତି ଅପେକ୍ଷା ଆହୁରି ଉଜ୍ଜଳତର ବୋଲି ଧାରଣାକୁ ତ ଆସିଯାଉଚି, ବିଭାଜ୍ୟର ଆଶୁବାଖ୍ୟାନ ଭିତରେ ସନ୍ଦେହର ମେଘଟା ଦୂର ହେଇପାରୁଥିବାର ଲକ୍ଷ୍ୟ କଲାଣି । ଆତ୍ମବଞ୍ଚନା ଭିତରେ ଆତ୍ମପ୍ରସାଦ ଅନୁଭବ କରି ଆସୁଥିଲେ ବି ଖୋସାମତ ତୋଷାମଦ୍‌ ଗୁଡ଼ିକ ଅଡ଼ୁଆରେ ପକେଇ ଦେଇଚି । ଏଠି ଏ ଦୁଇଟି ପୂର୍ଣ୍ଣତାଆଡ଼େ ଗତି ନ କଲେ ପାଣ୍ଠି ଯେ କମି କମି ଯାଉଚି ତା ହଠାତ୍‌କୁ ହଠାତ୍‌ ଲକ୍ଷ୍ୟ କରୁଚି ।

 

ହାତପାଣ୍ଠି ଆଡ଼େ ନଜର ଦେଇ ପଟାଦାର ପାଖକୁ ଗଲାବେଳେ ଭଗାରି ଚିନ୍ତିତ ହେଇ ଉଠୁଥିଲା । ପଟାଦାରକୁ ପଟାପଟି କରି ନାଟଗୁରୁଙ୍କ ପାଇଁ କଞ୍ଚାଟିକିଏ ଯୋଗାଡ଼ କରିଆଣୁଚି ।

 

ଗାଁବାଲା ଏକାଠି ମିଶି ଯେଉଁ କେତେ ମାଣ ଧରିଥିଲେ, ଖଜଣି ତିଆରିଠୁ ରାଜାରାଣୀ ପୋଷାକ ଯାଏଁ କିଣାଯାଇଚି । କିଣାକିଣି ପାଇଁ ଭଗାରି ବି ଯାଇଥିଲା ସାଙ୍ଗରେ । କିଣାକିଣି ଜାଗାଠୁ ଆଉ ଟିକିଏ ଆଗେଇ ଯାଇ ଦର୍ଶନ କରି ଆସିବାପାଇଁ ସୁନ୍ଦରୀକୁ ଡାକିଥିଲା । ରଖାଥୁଆ ଦିଆନିଆ ବେଳ ପଡ଼ିଥିବାରୁ ଯିବି ଯିବି ହେଇ ବାହାରି ପାରି ନଥିଲା ସୁନ୍ଦରୀ । ବାହାରିପାରି ନଥିବାର ଅକ୍ଷମତା ବେଳେ କହିଥିଲା—ଆଉ ଥର୍‌କୁ ନବ ବଲି ତମ୍‌କୁ କାଇଁ ବିଶାସ୍‌—ଥରେ ଅଧେ ଯାଇ କୁଆ ଜନମ୍‌ ପାଇବି କାଁ ?

 

ଯୋଗାଡ଼ କରି ଆଣୁଚି ପଟାଦାର୍‍ଠୁ ।

 

ଗୁରୁଙ୍କଠୁ ନିତିପ୍ରତି ଶୁଣୁଚି ଏଇଟିକ ମତେ ଆଉ ମୋର୍‌ ସୁର୍‌ ସାଇଟ୍‌କୁ ଠିକ୍‌ ରଖିଚି, ଏଇଟିକି ବଞ୍ଚେଇଚି; ଗୁରୁଙ୍କ ଏଇକଥା ଟିକେ ଟିକେ ବିଚାରକୁ ଆଣିଲାଣି । ହାର୍‌ମୋନିୟମ୍‌ଠୁ ଗିନି ଯାଏ ସବୁଥିରେ କମ୍‌ ବେଶୀ ହାତ ମାରିଲାଣି ।

 

ଦମ୍‌ ସହିତ ମେଳାର ସମ୍ବନ୍ଧ ଯୋଡ଼ିହେଇ ଯାଇଥିବାରୁ ସେଥିପାଇଁ ଦ୍ଵିଧା ବୋଧ କରୁନାଇଁ, କିନ୍ତୁ ‘ଆପୁଲି’ଟି ନିଜ ପ୍ରତି ପ୍ରୟୋଗ ହେବାଟା ଅନେକଦିନୁ ଅବଜ୍ଞାର ଅଙ୍ଗଟାଏ ବୋଲି ଧାରଣା ରହିଯାଇଚି । ବିଡ଼ି, ପାନ, ପାନାମା ଇତ୍ୟାଦି ଯୁଗର ଧରଣ ବୋଲି ଧାରଣା କରି କରି ଆସିଲାଣି ।

 

ସୁନ୍ଦରୀ ଏବକୁ ଲକ୍ଷ୍ୟ କଲାଣି ଭଗାରିକୁ । ପାନଟା ଅବଶ୍ୟ ‘ମ ରାଣ’ କହି ଖୁଆଇଥିଲା-। ବିଡ଼ିକୁ ବଡ଼ କଥାଟାଏ ଭାବିନାଇଁ । କଇଁଚି, ପାନାମା ଇତ୍ୟାଦିର ନାମ ନନା ଦୋକାନ ସାମନା ଦେଇ ଗଲାବେଳେ କାଁ ଭାଁ କାନରେ ବାଜିଥିଲେ ବି ସେ ସମ୍ବନ୍ଧୀୟ ସ୍ପଷ୍ଟ ଧାରଣା ଆଣିପାରିନାଇଁ । ରବିବାରକୁ ରବିବାର ଦାଣ୍ଡଘରେ ଯୋଉ ତ୍ରିନାଥ ମେଳା ଆରମ୍ଭ ହେଲାଣି, ତ୍ରିମୂର୍ତ୍ତିଙ୍କ ପାଇଁ ତେଲ କିଣାର ଚମକପ୍ରଦ ଚିତ୍ରଟି ଭିତରେ ଭିତରେ ଆଙ୍କୁ ଆଙ୍କୁ ଠାକୁରଙ୍କ ଊଦ୍ଦେଶ୍ୟରେ କିଣାଟା ଠାକୁରଙ୍କୁ ସାମନାରେ ଟଣାଟଣି ଯୋଗୁଁ ଟଣାଟଣି ବେଳେ ମନା କରି ଦବାକୁ ଶଙ୍କି ଯାଉଛି ।

 

ଠାକୁରଙ୍କ ଆଗରେ ଶଙ୍କିଗଲେ ବି ଆଖଡ଼ା ଘରେ ଟଣା ଟଣି ଖବରଟା ଶୁଣି ଭଗାରିକୁ କେତେଥର ଶୁଣେଇ ଦେଲାଣି । ଭଗାରିର ଗଞ୍ଜେଇ ଉପରେ ଗୁରୁତ୍ଵ ଦେଲାଣି । ଦମ୍‌ ଟାଣୁ ଟାଣୁ ଭାଗାରି ଯେ ଗୁରୁଙ୍କ କଞ୍ଚା ଭକ୍ତ ହେଇ ରନ୍ଧାଆଡ଼େ ଆଗେଇ ଯିବାକୁ କମ୍‌ ସମୟ ଲାଗିବ ସେଇ ଆଶଙ୍କାଟି କରି ଆସିଲାଣି ।

 

କଞ୍ଚାରନ୍ଧା ନାଁ ଶୁଣିଲେ ସୁନ୍ଦରୀ ଯେତେ ଗରମ ହେଉଥିଲେ ବି ଗାଁ ଦାଣ୍ଡରେ ଶୁଶିଳ ମାଳତୀ ଦେଖିଲା ଦିନଠୁ ଗୁରୁଙ୍କ କଚା ସମ୍ବନ୍ଧରେ ଟିକିଏ ନରମ ଅବସ୍ଥାକୁ ଆସିଚି । ରଘୁ ଡାଙ୍ଗର ରାଣୀ ବେଶରେ ମନମତାଣିୟା ଗୀତ, ଭସାଣିଆ ଭଙ୍ଗି, ମାଇଁକୁ ଭଣଜା କଲା ହୁରିଆଠୁ ମଁଚାରୁ ପଡ଼ି ମାମୁଁ ମଲା, ସର୍ବୋପରି ଗୁରୁଙ୍କ ସରୁମିଠା ଗଳା.....ଏ ସବୁ କଳାକୁ ଯେ କଞ୍ଚାଟା ବଞ୍ଚେଇ ରଖିଚି ସେ ସମ୍ବନ୍ଧୀୟ କଥା ଶୁଣୁ ଶୁଣୁ ଗୁରୁଙ୍କ ଅଫିମ ପ୍ରତି ଅଶ୍ରଦ୍ଧାଟା ଅନେକ କମି ଯାଇଚି । ଯେତେ କମିଲେ ବି ଭଗାରିଠି ସେ ସବୁର କଳ୍ପନା କରୁ କରୁ ଭୟ କରୁଚି ।

 

ଜାମୁନାଳି ବୈଠକରୁ ଭଗାରି ଫେରୁଥିଲେ । ନିବାରଣ, ଦୂରୀକରଣ, ସଂପ୍ରସାରଣ, ବିକେନ୍ଦ୍ରୀକରଣ, ଉନ୍ନୟନ, ସଞ୍ଚୟନ, ନିର୍ମାଣ, ନିୟନ୍ତ୍ରଣ, ସଂସ୍କାର, ଅଧିକାର ଇତ୍ୟାଦି ଯୋଉ କେତେ କାନରେ ବାଜି ବାଜି ଆସୁଚି, ଆଜି ସେଥିରୁ ଯୋଉ ଗୋଟେ ଅଧେ ବାଜିଥିଲା, ଜିଭ ଲେଉଟିଲା ବେଳେ ଉଚ୍ଚାରଣଟା ଜୀବନ୍ତ ହେଇ ପାରୁନାଇଁ—ଭିନ୍ନ ରୂପ ବି ନଉଚି ।

 

ଜାମୁନାଳିରୁ ଫେରୁଥିଲା ଭଗାରି । ଗାଁ ମୁଣ୍ଡ ନୂଆ ମେଲା ଡିହରେ ନୂଆ ତିଆରି ଗୁହାଳ ଘର ଆଡ଼େ ଆଖି ଚାଲିଗଲା ।

 

ଗୁହାଳରେ ଓଲାରିଖାଉଥିବାଙ୍କ ଭିତରୁ କାହାକୁ ତଡ଼ିବ କାହାକୁ ରଖିବ ବାରି ନପାରି ହଳିଆକୁ ଡାକ ଦଉ ଦଉ ଘରଆଡ଼େ ଆଗେଇ ଆସିଲା ।

 

ଚଉଁରି ମରା ଘରର ପହଲି ଘୁରାଣରେ ବଡ଼ ହଳିଆର ଅଭିଯୋଗ ଶୁଣିଲା । ଅଭିଯୋଗ ସୁନ୍ଦରୀ ବିରୁଦ୍ଧରେ । ଅଭିଯୋଗ ଶୁଣି ସୁନ୍ଦରୀ ଆଗେଇ ଆସୁଥିଲା—ଉହାଡ଼ରେ ଛପିଗଲା ।

 

ସୁନ୍ଦରୀକୁ ଶୁଭିଲା ଭଳି ସ୍ଵରରେ ଭଗାରି କହିଲା—ତର୍‌ ଉପ୍‌ରେ ତ ଚାର୍‌ ଧର୍‌ମ ଛାଡ଼ିକରି ରହିଚୁଁ–ତତେ ଫେର୍‌ କିଏ କହିବା ? ଧେତ୍‌, ନାଇଁ ଧର୍‌ବୁ କା କଥା । କୁସାରି ଆଜି ପେଡ଼୍‍ବ କାଁରେ ? ନେଲୁକି ନାଇଁ ତର୍‌ ପୁଅ ଝିଅ ଲାଗି ଲାଁଗ୍‌ କେତେ ?

 

ନିଜ ନାଁରେ ଅଭିଯୋଗ ଶୁଣି କ’ଣ କହିବାକୁ ଆସୁ ଆସୁ ସୁନ୍ଦରୀ ସେଇ ଯେ ଫେରିଗଲା ପୁଣି ଗଡ଼ିପଡ଼ିଲା ଖଟରେ । ଅଣ୍ଟାଟା ଧରିଚି । ତା ସାଙ୍ଗକୁ ବୋଝ ବଢ଼ି ବଢ଼ି ଆସୁଚି । ଜାଣିଲା ଦିନୁ କହି କହି ଆସୁଚି—ଛି ଗ ମାଁ ! ଫେର୍‌ କାହିଁରେ ପଡ଼୍‍ଲି !

 

ଚେମି ଆଇ କହି ଆସୁଚି—ନାଇଁ ଭାବ୍‌ନା କର୍‌ । ଯିଏ ଗଛ ଚଢ଼େଇଚି ସେ ଉତ୍‌ରେଇବ ।

 

ପାଖରେ ବସିଚି ଚେମିଆଇ ।

 

ସୁନ୍ଦରୀ କହିଲା—ସତେ ଗ ଆଇ । ସତ କହୁଚିଁ, ମୁଇଁ ନାଇଁ ଲୁଡ଼ୁଥିଲି ଆହୁରି ।

 

—ତୁଇ ଲୁଡ଼୍‍ଲେ ନାଇଁ ଲୁଡ଼୍‍ଲେ କାଇଁଟା ହବ ? ଯିଏ ଦବାର୍‌ ଦଉଚି !

 

ସାନଟି ପିଉ ନାଇଁ । ଚେଁ ଚେଁ କରୁଚି । ପିଏଇବାର ଫୁକା ଝଡ଼ା କରି ଦେଇ, ଓଷଧ ମସଧି ଦେଇ ଚେମି ଆଇ ଚାଲିଗଲା ।

 

ଚେମି ଆଇ ଯିବା ପରେ ପରେ ବି ସୁନ୍ଦରୀ ଠିକ୍‌ ସେମିତି ଖଟରେ ପଡ଼ି ରହିଥିଲା । ପଡ଼ିଯିବା ପରେ ପରେ ଆହୁରି ଅନୁଭବ କଲା ଅଭିଯୋଗରେ ପାଟି ନ ଫିଟେଇ ଭଲ କରିଚି ।

 

ଭଗାରିଠୁ ବେଶୀ ବେଶୀ ଦାୟିତ୍ଵ ନିଜ ଉପରକୁ ନେଇ ଆସିବାଠୁ ଯଚାଯଚି ଦାୟିତ୍ଵ ଯାଏଁ ଗୋଟାକ ପରେ ଗୋଟାଏ ବୋହି ବେଳ ଅଣ୍ଟୁ ନାଇଁ । କେତେ ଗଲା କେତେ ଆସିଲାଠୁ ଗାଈ ଡଙ୍ଗାରେ ବଳଦ ଡଙ୍ଗାରେ କେତେ ପଶିଯାଉଚି, ମଝିରେ ମଝିରେ ସାଇ ପଡ଼ିଶାରେ ସେଇ ହିସାବ ବି ଦେଲାଣି । ଶୁଣିବା ଅପେକ୍ଷା କହିବାଟା ବଢ଼ିଯାଉଚି ।

 

କହିବା ଭିତରେ କାମ ପାଇଟିବି ବଢ଼ିଯାଉଚି ।

 

ଗାଡ଼ ଟପାଟପି ବେଳେ ଗମ୍ଭୀର ଭିତରୁ ଅନେକ ସମୟ ସୁନ୍ଦରୀର ବିରକ୍ତ ଭାସିଆସେ, ସାଇଲେରେ ଇ ନିଆଁ ଲଗେ ସାଇଲେ !

 

ମୂଷା ଗାତ ଟପାଟପିରେ ଯେତେ ସମୟ ଦେଲେ ବି ମାଳ ମାଳ ଅସରପାଙ୍କୁ ଧନ ବୃଦ୍ଧିର ସୂଚନା ବୋଲି ଧରି ନେଲାଣି ।

 

ଏବକୁ ଏବକୁ ସୁନ୍ଦରୀର ପରିଶ୍ରମ ପରିମାଣଟା ଲକ୍ଷ୍ୟ କରି ଭଗାରି ଗାଳି ଦଉଚି । ଅଣ୍ଟା ବାତ ସାଙ୍ଗକୁ ଗଣ୍ଠି ବାତ ବାହାରିବାର ସୂଚନା ମିଳୁ ମିଳୁ ବାସୀପାଇଟି ପାଇଁ ଯୋଉ ଗୋଟିକୁ ବରାଦ ଦେଇଥିଲା ବେଦରକାରୀ କହି ସୁନ୍ଦରୀ ତାକୁ ବାହାର କରିଦେଇଚି ।

 

ଗୁଡ଼ ମାଠିଆ ଘୋଳ ମାଠିଆ ନିଜେ ମୁଣ୍ଡେଇ ଚାଲିଯାଉଚି ମହୁଲପାଳ, ଜାମୁନାଳି, ଡେବ୍‌ରାପାଲି... ।

 

ହାଟପାଳିକୁ ଥରେ ଥରେ ଗଡ଼ ଆଡ଼େ ବି ଗଲାଣି । ସୁନ୍ଦରୀର ଅନୁପସ୍ଥିତିରେ ଭଗାରି ଯୋଉ ଭଲ ମନ୍ଦ କରୁଚି ସୁନ୍ଦରୀ ଆସିବା ଆଗରୁ ତାର ଚିହ୍ନ ପର୍ଯ୍ୟନ୍ତ ନରହିବାର ଚେଷ୍ଟା କରୁଚି ।

 

ଗଣ୍ଠିଆ, ପୋକଡ଼ା ଘର ପାଇଁ ରଖି ବାକିଟା ବିଡ଼ା ବାନ୍ଧୁଚି, ଖେଜା କରୁଚି । ପାପୁଲିର ପରିମାଣଟା ଆଡ଼େ ବି ବରାବର ନଜର ରଖୁଚି । ମାଖନ କଖାରୁ ଯେଡ଼େ ସରୁ ସରୁ କାଟିଲାଣି କେହି କେହି କହିଲେଣି—ହାତ କାଟି ହେଇ ଯିବ ଲ !

 

ମାପିଲାବେଳେ, ମାଣରେ ଆଙ୍ଗୁଳି ପୂରା ଅଣେଇ ଧରା ଇତ୍ୟାଦିର କାଇଦା କେହି କେହି ଶିଖେଇଲେଣି ।

 

ନିଜର ମାଟି ମାଣ, ମାଟି ତାମ୍ବି ନେଇ ମପାମପି ବେଳେ ଏଇ ଧରଣର ଆପତ୍ତି ଶୁଣି କେତେ ଥର କହିଚି—ଛି, ଛି, ମତେ ଏନ୍‌ତି ଗର୍‌ ଭଛେଦା ନାଇଁ ଆସେ । ମାଣ ତାବି ଗର୍‌ଭ ଛେଦ୍‌ଲେ ଆପ୍‌ଣା ଗର୍‌ଭ ଛେଦି ହେଇ ଯାଇସି ।

 

ଏ ଭିତରେ ହରଡ଼ ଫାଳରୁ ପୋହଳା ବାଦ ଦେଲାଣି; ଖାଦ ସୁନାରେ ସୂତା ଛପେଇ ଦେବାର ସ୍ଵପ୍ନ ସଫଳ ହେଇଚି ।

 

ଗଣ୍ଠିଆର ଶିଙ୍କୁଳି ଲଗା ହେଇ ନାଇଁ ।

 

ଗଡ଼ତିଆଣିର ଶିଙ୍କୁଳି ଲଗାଟା ବନ୍ଧାରଖିବା ବେଳେ ଆଟୁ ଭିତରେ ଥରେ ଲଗେଇଥିଲା–ବେଶ୍‌ ବେଳଯାଏଁ ଚାହିଁ ହେଇଥିଲା ।

 

ଗଣ୍ଠିଆ ଶିକୁଳିଟା ଅଧା ଗଢ଼ା ଅବସ୍ଥାରେ ଥିଲା—ପୁଅ ବେକରେ ମାଳିଟା ଆଡ଼େ ମନ ଢାଳିଯାଇ ଥିବାରୁ ଆଉଟେଇ ଦେଇଥିଲା ।

 

ଆଉ ଯାହା ଯାହା ଗଢ଼େଇବ ବୋଲି ଯୋଜନା ଭିତରେ ରଖିଚି ପାଣ୍ଠିରେ ପରିମାଣଟା ଦେଖି ମନ ମରିଯାଉଚି । ବିକା ଭଙ୍ଗାରୁ ଯାହା ମିଳୁଚି, ଭଗାରିଠୁ ଯାହା ଆଣୁଚି, ସେଥିରୁ ଭଗାରିର ମାଗିବାଟା ପରେ ପରିମାଣର ପିଛିଲା ଅବସ୍ଥା ଆଡ଼କୁ ଗତି କରୁ କରୁ ଯୋଉ ଅଙ୍କକୁ ଆସୁଚି, ଗଣିବା ଗଣେଇବାବେଳେ ଯୋଗ ବିଯୋଗଟା ଗୋଲକଧନ୍ଦା ଭଳି ମନେ ହଉ ହଉ ଯୋଗୀ ଭଳି ବେଳେ ବେଳେ ମୌନ ହେଇଯାଉଚି; ବେଳେ ବେଳେ ଯୋଗଯଜ୍ଞ ସ୍ଵରକୁ ଟପେଇଦବାକୁ ଯାଉ ଯାଉ ଭଗାରୀର ପାଟି ଶୁଣି ଶଙ୍କି ଯାଉଚି ।

 

ଶଙ୍କାରୁ ଅନେକଟା ବେପାରୁଆ ଭାବଟେ ଭିତରେ ବି ଛପି ଛପି ଆସିଲାଣି ।

 

ମାସ ଗଡ଼ି ଗଡ଼ି ଚାଲିବା ସାଙ୍ଗେ ସାଙ୍ଗେ ବୋଝ ବଢ଼ି ବଢ଼ି ତ ଚାଲିଚି, ତା ସାଙ୍ଗକୁ ଲଳିତା ବିଡ଼ା ହେଲାଣି ବେଶୀ ବେଶୀ ଘୋଳା ବିନ୍ଧାଟା ।

 

ଖଟରେ ପଡ଼ି ପଡ଼ି ସୁନ୍ଦରୀ ଶୁଣି ଯାଉଥିଲା ଠକ୍‌ଠାକ୍‌ ଗୁଡ଼ିକ । ନିଜର ଗଣ୍ଠିଆ ସାଙ୍ଗକୁ ଟୁରା ବାହା ପାଇଁ ଗଢ଼ାଚାଲିଚି । ବାହା ହେବାର ପ୍ରତିଶ୍ରୁତି ଦେଇ ଚିଠି ପଠେଇଚି । ନାହାଜ ଡକେଇ ବିହା ଲଗ୍ନ ଦେଖେଇ ନେଲାଣି । ଲଗ୍ନ ସିନା ଠିକ୍‌ ହେଇଚି । ଅସଲ ଲଗ୍ନଟା କିନ୍ତୁ ଗୁସେଇଁଙ୍କର ହାଲ୍‌ କିଣା ସାଇକେଲ୍‌ର ହଠାତ୍‌କୁ ହଠାତ୍‌ ବଦୁଳିଥିବା ଶବ୍ଦ ଉପରେ, ବାହାପୁଆଣିର ବହୁଳତା ବା ସ୍ୱଳ୍ପତା ଉପରେ ନିର୍ଭର କରେ ।

 

ଆଉଟା ଆଉଟି ଚାଲିଚି ବୋଲି ଶୁଣୁଚି । ଆଉଟା ବେଳେ ଅନେଇବାଟା ସମ୍ଭବ ହେଇ ପାରୁ ନଥିବାରୁ ଭିତରଟା ଘାଣ୍ଟି ଚକଟି ହଉଚି; ବାହାରଟା ଛାଟିପିଟି ହଉଚି ।

 

ହଳଦୀ ଗଣ୍ଠି ସୁନାଟା ପଡ଼ିଆ ହେଇଯିବାର ଆଶଙ୍କା କରୁଚି—କାହା ମନା ନମାନି ପଡ଼ି ଉଠି ସେ ଯାଏଁ ଚାଲିଯିବାକୁ ବେଳେ ବେଳେ ଟାଣି ଓଟାରି ହଉଚି ।

 

ଉଠିବାକୁ ବଳ ପାଉ ନାଇଁ । ଗୋଟାଏ ଗୋଡ଼ ଅଚଳଠୁ ଆହୁରି ସ୍ଥିର ଅବସ୍ଥାକୁ ଆସିଗଲାଣି ।

 

ସୁନ୍ଦରୀ ପଡ଼ି ରହିଚି ।

 

ପାଖଘରେ କେତେ ଜମିଲେଣି । ଶାଶୁବୁଢ଼ୀ ଯିବା ଯିବା ଉପରେ । ଏଇ ଗଲା ଏଇ ଗଲା ଶୁଣି ଶାଶୁକୁ ଦେଖିବା ପାଇଁ ମନ ହଉଚି । ଡାକ ପକେଇଚି ।

 

ଜହ୍ନି ମୁଣ୍ଡାର ଯଦୁପଲେଇ ପରଳ ଉଠେଇଲା ଦିନୁ ଝିଅ ଘର ମାଁ ଘର ହେଇ ଆସିଚି ବୁଢ଼ୀ ।

 

ପରଳ ଉଠିବା ଦିନରୁ ପ୍ରଜାପତି ଭଳି ଘୁରିବୁଲିବାକୁ ମନ ଡାକି ଥିଲେ ବି ଶରୀରଟା ସମକୋଣ ଆଡ଼େ ଗତି କରିବାକୁ ସାମାନ୍ୟ ବାକି ଥିବାବେଳେ ତା ଆଉ ସମ୍ଭବ ହେଇପାରି ନାଇଁ ।

 

ବୁଢ଼ୀକୁ ତାର ପୋତାପୋତି ରଖା ରଖିଟା ପଚାରି ପଚାରି କେତେଜଣ ନୟାନ୍ତ ହେଲେଣି ।

 

ବୁଢ଼ୀ ମୁଣ୍ଡ ହଲେଇଆସିଚି ।

 

ଏଣୁ ଏଣିକି କଣ କହିବି କହିବି ହେଇ କହିପାରୁନାଇଁ ।

 

ପୋତା ରଖାଟା କହିଦବାକୁ ଯିବାବେଳେ ବୁଢ଼ୀ ଯେ କହି ପାରିବାର ଶକ୍ତି ହରେଇଚି ତା ଅନେକ ଅନୁମାନ କରିନେଲେଣି ।

 

ମାଁ ବୁଢ଼ୀ ପଡ଼ି ରହିଚି ।

 

ଭଗାରି ଚାହିଁଚି ।

 

ଦାନ ସରିଲାଣି । ବାକି ଟିକକ—ଅନାଅନି ଚାଲିଚି । ପାଖ ଛାଡ଼ି ଯାଉନାଇଁ ଭଗାରି । କେତେ ଦିନୁ କହି ଆସିଲାଣି—ତତେ ଆଉ କାହିଁ ନାଇଁ ଛାଡ଼େଁ ଗ ମାଁ, ଛାଡ଼ି ଦେଳେ ନାଇଁ ଦେଖିପାରେଁ ତତେ ।

 

ଚେମି ଆଇ କଥାଟା କେତେଥର କାନରେ ବାଜିଚି—ବାପ ମାଁକୁ ପୁଷ୍‌ବା ଲାଗି ଭଗିଅ କର୍‌ଥିଲା । ବୁଢ଼ାଟା ଇତାର୍‌ ଲାଗି ମୁକ୍‌ତି ପାଇଲେ । ମାଁଟା ସେନ୍‌ତି........

 

ଭଗାରି ଚାହିଁଚି ।

 

ଗୋଟେ ଆଡ଼ୁ ମିଳିବାର ଅଛି—ବୁଢ଼ୀ ସେଯାଏ ଅଟକି ଥିଲେ ସୁଦ୍ଧି ଘରଟା ଭଲ ଭାବରେ ହେଇପାରନ୍ତା—ସେଇ ଆଡ଼ଟା ବି ଭାବିଯାଉଥିଲା ।

 

ଚାହିଁଚି—ସେ ଆଶା ଆଉ ଦେଖୁନାଇଁ

 

ଆଖି ଦିଶୁନଥିବା ଅବସ୍ଥାରେ ବୁଢ଼ୀର କଥା ବରାବର ଶୁଣାଯାଇଚି—ମର୍‌ ସାଁଗର୍‌ ଗଛ ବୁର୍‌ଛ ଗଲେଣି—ମତେ ଯମ କହିଁ ଲାଗି ରଖିଚି ।

 

ବୁଢ଼ୀ ପାଇଁ କାନ୍ଦ ଉଠିଲା ।

 

ମାଁ ମାଁ—ଭଗାରୀ ଆରମ୍ଭ କରି ଦେଇଚି କାନ୍ଦ । ଲୋଟି ପଡ଼ିଲାଣି ।

 

ସୁନ୍ଦରୀ ପଡ଼ି ରହିଚି ଖଟରେ । ଠକ ଠକ ଆଡ଼େ କାନେଇଚି । ଘନ ଘନ ଡକରା ପରେ, ଗଣ୍ଠିଆ ଶିକୁଳିର ଝଳା ଆରମ୍ଭ ଅବସ୍ଥାଟା ଦେଖେଇଦେଇ ଦାଣ୍ଡ ବାଖରାକୁ ଫେରିଗଲାଣି ବଣିଆ ।

 

ଦାଣ୍ଡଆଡ଼ୁ ମଙ୍ଗଳା ବିଜେର ଢଣ୍‌ଢାଣ୍‌ ଭାସି ଆସିଲାଣି ।

 

ବିମଳେଇ, ସମଲେଇ, ଚଣ୍ଡୀ ଚାମଣ୍ଡି ଇତ୍ୟାଦି ଯେତେ ଯେତେ ରୂପାନ୍ତରର ରୂପବର୍ଣ୍ଣନା ଗୁଣବର୍ଣ୍ଣନା ଶୁଣି ଯାଉଚି, ‘ଲହ ଲହ’ ‘ଖଣ୍ଡନ’ ର ଆଶଙ୍କା ଆଉ ସାନ୍ତ୍ଵନା ଭିତରେ ତଳ ଉପର ହେଉଚି ।

 

ମନାସିଥିବା ଭୋଗଭାଗଟା ଦାଣ୍ଡକୁ ପଠେଇଦେବା ପାଇଁ ଗୋଟି ଗୋଟି ନାଁ ଧରି ଡାକ ଛାଡ଼ିଲା ।

 

ଦିନକୁ ଦିନ ଡାକଟା ବି ଦୁର୍ବଳ ହେଇ ହେଇ ଆସିଲାଣି ।

 

ଭଗାରି ପାଖେଇ ଆସିଲା—ନାଇଁ ଲ ନାଇଁ, ଫେର୍‌ ଗଡ଼୍‍କୁ ନାଇଁ ଗଲେ ନାଇଁ ହୁଏ ।

 

କହିବା ଆଗରୁ ଗଲାଥରର ଗଡ଼ ଡାକ୍ତରଖାନା ଦୃଶ୍ୟଟାଏ ଚେଇଁ ଉଠିଥିଲା । ସୁନ୍ଦରୀକୁ ଦେଖିବା ପାଇଁ ଡାକ୍ତରଖାନାକୁ ଆସିଥିଲା ହେନା । ବଳିପଡ଼ି ସୁନ୍ଦରୀ ଗପ ଲମ୍ବେଇଥିଲା ।

 

ସେଥର ବି କେଶବିନ୍ୟାସରେ ପରିବର୍ତ୍ତନ ଥିବା ନଥିବାଟା ଲକ୍ଷ୍ୟ କରିଥିଲା । ମନ୍ଦିରକୁ ଯିବା ବାଟରେ ଅଟକି ରହି କହିଥିଲା–କା’ ନାଁରେ ପାଣି ରୁକଉଚୁ ଲ ?

 

ଆଉ ଟିକିଏ ପାଖେଇ ବସିଲା ଭଗାରି—ତତେ ଗଡ଼୍‍କୁ ନେବିଲ । ଇଠି ଭଲ୍‌ ନାଇଁ ହଉ । ଟଁକାକୁ ଡର୍‌ର ବଇଲେ ନାଇଁ ହୁଏ ।

 

‘ଟଁକା’ ପରେ ପରେ ସୁନ୍ଦରୀ ମୁଣ୍ଡ ହଲେଇଲା ।

 

ଗଳାଟା ଯେତେ ଅସହାୟ ଅବସ୍ଥାରେ ଥିଲେ ବି ଚିପି ଚିପି ହେଇ ବାହାରୁଥିଲା—ଉଁହୁଁ .....ଉହୁଁ.....

 

ଉଁ ହୁଁ କାଇଁଟା ? ଟଁକା କିଏ ସାଁଗ୍‌ରେ ନେଇସି କାଁ ? ଆଲ ଏ, ଧନ ଯାଉ, ଜୀବ୍‌ନ ଥାଉ । କହ, କେନ୍‌ଠି କେନ୍‌ଠି ରଖିଚୁ କହ । ତର୍‌ ବାକ୍‌ସରେ ?

 

ସୁନ୍ଦରୀ ମୁଣ୍ଡ ହଲେଇଲା ।

 

—ତର୍‌ ପେଡ଼ିରେ ?

 

—ଉଁ ହୁଁ ।

 

—ଭାଡ଼ି ତଳେ ?

 

—ଉଁ ହୁଁ ।

 

—କେନ୍‌ଠି ଯେ ?

 

ପ୍ରଶ୍ନଗୁଡ଼ାକ ଫୋଡ଼ି ଫୋଡ଼ି ହେଇଯାଉଚି ।

 

ଚିତ୍କାର କରିବାକୁ ଚେଷ୍ଟାକଲା—କରି ପାରୁ ନାଇଁ । ଅଚଳ ହେଇ ହେଇ ଆସୁଥିବା ଗଳାଟା ଭିତରେ ଭିତରେ ଅସହାୟ ଅବସ୍ଥାରେ ଅସମ୍ଭାଳ ରକମ ଗୁରୁଗୁରୁ ରଗ୍‌ରଗ୍‌–ଭିତରେ ଭିତରେ ରବେଇଖବେଇ ହେବାର ଭାବଟାଏ ଭରିଭରି ଯାଇ ଫଟେଇ ଦେବା ଭଳି ଅବସ୍ଥା ଆଡ଼େ ଦଳି ଦଳି, ମାଡ଼ି ମାଡ଼ି ଆସୁଚି ।

 

ଆହୁରି ପାଖେଇ ଆସିଲା ଭଗାରି.....ଆଲ ଏ, ଧନ ଯାଉ ଜୀବ୍‌ନ ଆଉ । ଉଠି ବସ୍‌ବୁ ବଇଲେ କାଲି ସକାଳେ ଫେର୍‌ କେତେ ରଖିବୁ, କେତେ ପୁତ୍‌ବୁ । ନାଇଁ ନାଇଁ, ତତେ ଗଡ଼କୁ ନେବି-। ଯେନ୍‌ତି ହେଲେ ତତେ ନେଲେ ଯାଇ ଚଳେ । ନାଇଁ ଦେଖୁଚୁ କେନ୍‌ତି ହେଲୁଣ ! କହ, କେନ୍‌ଠି ରଖିଚୁ କହ । ହଲ ଏ, କହ—ମତେ ନାଇଁ, ତର୍‌ ଝିଅକୁ ହେଲେ କହ ।

 

ସେଇ ଉଁ ହୁଁ ।

 

ଭାଡ଼ି ତଳୁ ଭାସି ଆସିଲା । ଭଗାରି ନଇଁ ଚାହିଁଲା ।

 

ଜନ୍ତାରେ ପଡ଼ିଚି ଗୋଟିଏ । ଘୁରି ବୁଲିଲା ବେଳେ ଆଖିଦିଟା ଚକ୍‌ ମକ୍‌ କରୁଚି ।

 

ସୁନ୍ଦରୀ କାନରେ କେତେବେଳୁ ବାଜିଲାଣି । ଉଠି ପଡ଼ି ସେଇଆଡ଼େ ଅନେଇବାକୁ ବି ଅକ୍ଷମ । ଭିତରେ ଭିତରେ ଗୁର୍‌ ଗୁର୍‌ ହଉଚି—ସାଇଲେ ରେ, ଇ ରାଁଡ଼ିଏ ସାଇଲେ—ମର୍‌ ସବୁ ସାଇଲେ ।

 

ମଣିଷଠି ଯାହା ପ୍ରୟୋଗ କରି ପାରି ନାଇଁ ମୂଷାଠି ଆରମ୍ଭ ହେଇଯାଇଚି ।

 

ତର ତରରେ ଘରୁ ବାହାରୁ ଭଗାରି କହିଗଲାଟଁକା କଢ଼େଇ ଥା । କେଡ଼େ କାମ୍‌ରେ ଯାଉଚେଁ । ରଇଥା ଦେଖ୍‌ବୁ କାଇଁଟା ହେବି ! ଇ ବଘୁଆ ପାଲି, ତେଲି ନାଳି......ଏଦି ଢଇ ପାଖ୍‌ରୁ ଆଇବି ଦିନ ଯୁଡ଼େ ନାଇଁ ଲାଗେ । ବେଗି ଆଇଲେ ଯାଇ ଚଳେ ! ତତେ ଗଡ଼୍‍କୁ ନେଲେ ଯାଇ ଚଳେ !

 

ଭଗାରୀ ଆଗେଇ ଗଲା ଗାଁ ମୁଣ୍ଡ ସମିତି ଘର ଆଡ଼େ । ଜାମୁନାଳିଭଳି ରେଡିଓ ସ୍ଵର ଶୁଣିବାକୁ ବାଦ ବିବାଦ ତର୍କ ବିତର୍କ ଚାଲିଚି । ରେଡିଓ ପକ୍ଷ ନାଚପାଟିର ଅଧାଟା ଫେରେଇ ନବାର ଦାବୀ କରି ବସିଚନ୍ତି । ଆଉ ଦଳେ ନାଚ ରେଡିଓଠୁ ଅଲଗା ରହି ଜାତି ମାଳିକ ପ୍ରଥା ଉଠାଉଠି ନେଇ କଥାବାର୍ତ୍ତା ଚଳେଇଚନ୍ତି ।

 

ଭଗାରି ଫେରି ନାଇଁ ।

 

ହୁକୁମ ଔଷଧ ହଠାତ୍‌ ବନ୍ଦ ହେଇଗଲା ଶୁଣି କୌଣସି ପ୍ରକାରେ ଟିକିଏ ସଂଗ୍ରହ କରିବାକୁ ସକାଳ ନ ପାହୁଣୁ ସ୍ତ୍ରୀକୁ ସାଙ୍ଗରେ ନେଇ ହୁକୁମ ଜାଗାକୁ ଚାଲି ଯାଇଚି ବଳିଆ ।

 

ପୁଣି ଆସିବାର ଧମକ ଦେଇ କାଳିଆ ତା ସ୍ତ୍ରୀକୁ ନେଇ ଶଶୁର ଘରକୁ ଚାଲି ଗଲାଣି ।

 

ରନ୍ଧାବଢ଼ା ଶିଖି ଆସିଥିବା ଝିଅଟି ସାନ ଗୁଡ଼ିକ ପାଇଁ ମୁଠେ ମୁଠେ ସିଝେଇ ଦବା ସାଙ୍ଗେ ସାଙ୍ଗେ ମା କଥା ବୁଝି ଯାଉଚି ।

 

ସୁନ୍ଦରୀ ପଡ଼ି ରହିଚି ।

 

ଟିକିଏ ଉଠି ବସି ପାରିବା ପରେ ପରେ ଆଖି ଲାଗିବାଯାଏ ଜଗି ରହୁଚି ଶାଶୁ ବୁଢ଼ୀ ।

 

ଶାଶୁ ବୁଢ଼ୀ ବସି ରହିଚି ପାଖରେ ।

 

ବୁଢ଼ୀକୁ ସାନ୍ତ୍ୱନା ଦେଉଛନ୍ତି କେତେ ନାଇଁ ଲ ଏନ୍‌ତି ନାଇଁ ହ । ତର୍‌ ବହୁ କିଛି ନାଇଁ ହୁଏ । ବାଳ୍‌ ମୂଳରେ ଆଇଷଁ ଟିକେ ଥିଲେ କେହି ନାଇଁ ନେଇପାରନ୍‌ । ଏତେ ପିଲା ଛୁଆର୍‌ ନିଶ୍ଵାସ୍‌ ! କେହି ନାଇଁ ନେଇପାରେ—କେହି ନାଇଁ ନେଇ ପାରେ ।

 

ରାତି ଘଡ଼ିଏ ଥାଉ ଥାଉ ସୁନ୍ଦରୀର ଯନ୍ତ୍ରଣା ବଢ଼ିଲା । ଘୋଳା ବିନ୍ଧା ଛିଟିକା ସାଙ୍ଗକୁ ଓଲଟ ପାଲଟ ।

 

ଏତେ ବେଳକୁ ଭଗାରି ନାଇଁ—ପୁଅକୁ ଗାଳି ଦଉଚି ବୁଢ଼ୀ

 

ଘୋଳା ବିନ୍ଧା ଓଲଟ ପାଲଟ ଯାହା ହଉନା କାହିଁକି ଆଉ ଟିକକୁ ଯେ ଟିକି ଶିଶୁଟିର କ୍ଵାଁ କ୍ଵାଁରେ ଘର ପୂରି ଉଠିବ ସେଇ ସ୍ଵର ବି କାହା କାହାକୁ ଶୁଭିଲାଣି । ସେଇ ଦୃଶ୍ୟ ବି କାହା କାହାକୁ ଦିଶିଲାଣି ।

 

ପଶିବାକୁ ପ୍ରସ୍ତୁତ ହେଲାଣି ପାଖ ପଡ଼ିଶାରୁ ଜଣେ ।

 

ସେଇ ଦିନ ବେଳା ବେଳକୁ ସୁନ୍ଦରୀ ଚାଲିଗଲା ।

 

ଏଇ ତ ଚାଲିଗଲା ସୁନ୍ଦରୀ । ଶାଶୁବୁଢ଼ୀ ବିଶ୍ଵାସ କରିପାରୁ ନାଇଁ ।

 

ବିଶ୍ଵାସ କରିବାକୁ ଚାହୁଁ ନାଇଁ

 

ଉଙ୍କି ମାରୁଥିବା ମୁହଁ ଗୁଡ଼ିଏ ପାଖେଇ ଆସିଲେଣି । ପାଖେଇ ଆସୁ ଆସୁ କେହି କେହି ଦୂରେଇ ଗଲେଣି । ଆଉ ଆଉ କାନ୍ଦଭିତରେ ଛପି ଛପି ଯାଉଥିଲା ଶାଶୁ ବୁଢ଼ୀର କାନ୍ଦ–ତୁଇ କାହିଁ ଗଲୁ ଲ ! ତର୍‌ ପିଲାଛୁଆ ଗଡ଼େଇ ଦେଇ କାହିଁ ଗଲୁ ଲ !

 

ପିଲା ଛୁଆ ଗଡ଼ିଲେଣି । କାନ୍ଦିଲେଣି । ଜାବୁଡ଼ି ଧରିଲେଣି । ସବା ତଳଟି କାନ୍ଦି ଉଠିବାକୁ ଓଠ ଲମ୍ବଉ ଲମ୍ବଉ ହଠାତ୍‌ ଭେଲ୍‌କ ! ହେଇ ଚାହିଁ ରହୁଚି ।

 

ସୁନ୍ଦରୀ ପଡ଼ି ରହିଚି । ସବୁ ଅବା ଜଳ ଜଳ ଦେଖୁଚି । ପୂରାପୂରି ନିଶ୍ଚଳ ହେବାର ଟିକିଏ ଆଗରୁ ବି ଦାଣ୍ଡ ଆଡ଼ର ଠକ୍‌ଠକ୍‌ ବନ୍ଦ ହେଇ ନଥିଲା । ହଠାତ୍‌ ବନ୍ଦ ହେଇ ଯାଇଚି । ଗଣ୍ଠି ଆର ଶିଙ୍କୁଳି ଝଳା ଚାଲିଥିଲା—କାନ୍ଦ ଶୁଣୁ ଶୁଣୁ ଫୁଙ୍କି ଦେଇ ବସି ଗଲାଣି ।

 

ସୁନ୍ଦରୀ ପଡ଼ିରହିଚି । ସବୁ ଯେମିତି ଜଳ ଜଳ ଦେଖୁଚି । ଏଇ ଅବା ଠକ୍‌ଠକ୍‌ ଆଡ଼େ କାନେଇଚି ।

 

ଠାକ୍‌ ଠାକ୍‌ ଶୁଭୁ ନାଇ ଆଉ ।

 

ଦାଣ୍ଡ ମଝି ପାଣିଦାଣ୍ଡର ବାଜା ଶୁଭୁଚି । ବାଜା ସାଙ୍ଗେ ସାଙ୍ଗେ ଭାସି ଆସୁଛି—ଶବ ଶଁକର ହେ......କଳାରୁଦ୍‌ର ମଣିକୁ ଭଜେ...

 

ବାହାରେ ବାଜା । ଭିତରେ କାନ୍ଦ । ଆଖ ପାଖର ନୀରବତା ।

 

ପଡ଼ିରହିଚି ସୁନ୍ଦରୀନିର୍ବାକ, ନିଶ୍ଚଳ ।

 

ସୁନ୍ଦରୀ ପଡ଼ି ରହିଚି ।

 

ସାଉଆଣିକୁ ଦେଖିନେଇ ଲୁହ ପୋଛୁଚି ହଳିଆଣି । ସାଉଆଣିକୁ ଦେଖିନେଇ ସାନ ହଳିଆ ଚାଲିଗଲାଣି ବାଡ଼ି ପାଖକୁ । ସାଉଆଣିକୁ ଦେଖିନେଇ ଲଖଣ ଲୁହ ପୋଛିଲା ।

 

ସୁନ୍ଦରୀ ପଡ଼ିରହିଚି ।

 

ବାଡ଼ି ପାଖର କାଠ ଦାଣ୍ଡ ପାଖକୁ ଅଣାହେଲାଣି । ଗାଡ଼ିରେ ଲଦା ହେଲାଣି ।

 

ସୁନ୍ଦରୀ ପଡ଼ିରହିଚି ।

 

କତରିଆ, ବନ୍ଦରିଆ, ଗୁଣା, ଗଣ୍ଠିଆ, ଝଲ୍‍କା......ରାଉ ରାଉ ଦାଉ ଦାଉ ଗୁଡ଼ିକ କନ୍ଦାକଟା ଭିତରେ ଗୋଟି ଗୋଟି ହେଇ ଫିଟା ସରିଲାଣି । ଗଣାଗଣି ହେଇ ଜିମା ଦିଆ ଚାଲିଛି ।

 

ଗହଣା ଫିଟା ସରିଲାଣି । ଲାଖ ଚୁଡ଼ିତକ ସେମିତି ରହିଚି । ନୂଆ ଲଗେଇଥିବା କାଚ ଚୁଡ଼ି କେତେ ପଟ ଲାଖ ଭିତରୁ ଚିକ୍‌ମିକ୍‌ କରୁଚି ।

 

ଗହଣା ଫିଟା ସରିଲାଣି । ବରତ ସୂତାରୁ ଚାବି ଦୁଇଟି ବି ଫିଟା ସରିଲାଣି ।

 

ଗୋଟିକ ପରେ ଗୋଟିଏ, ଗୋଟାଏ ସାଙ୍ଗରେ ଗୋଟାଏ କଢ଼ା ହେଇ ସାରିଲାଣି—ଆହୁରି କଢ଼ା ହେବାର ଅଛି ପେଟ ଭିତରଟି ।

 

ଚଉଁରିମରା ଘର ଘୁରାଣର ଯୋଡ଼ିଏ ଘୁରାଣ ପରେ ସୁନ୍ଦରୀର ଢଙ୍କା ଦେହ ପଦାକୁ ଆସିଲା । ଢଙ୍କା ହେବା ଆଗରୁ ଦେହରେ ଯୋଉ ଚିତାଗୁଡ଼ିକ ଫୁଟି ଦିଶୁଥିଲା ତା’ ଛପିଯାଇଚି । ଯମଦଣ୍ଡକୁ ଡରି ଯୋଉ ଗୁଡ଼ିକ କୁଟେଇଥିଲା ସେ ଗୁଡ଼ିକ ଆଉ ପଦାକୁ ଦିଶୁନାଇଁ ।

 

ଦାଣ୍ଡକୁ ଅଣା ହେଲାଣି । କାନ୍ଦ ବୋବାଳି ଆହୁରି ଆହୁରି ଫୁଲି ଉଠିଲାଣି ।

 

ଆହୁରି ଫୁଲିଲା ।

 

ଟିକିରୁ ଗୋଟିଏ, ମଝିଆଁ ରୁ ଯୋଡ଼ିଏ ଦାଣ୍ଡରେ ଗଡ଼ିଲେଣି ।

 

ଆହା ହା...ହା...ଚୁ...ଚୁ...

 

କାନ୍ଦ ଭିତରେ ଅସ୍ପଷ୍ଟ ହୋଇ ଯାଉଥିଲା ସେବି ମାଉସୀର ଗଳାଭାରି କଥା—ଯା ଲ ଯା । ଲାଖ୍‌ ଚୁଡ଼ି ସାଁଗ୍‌ରେ ନେଇ ଯାଉଚୁ—କେଡ଼େ ଭାଗିଅ ତର୍‌ଲ !

 

ଦାଣ୍ଡ ମଝିରେ ଚାଲି ଯାଉଚି ସୁନ୍ଦରୀର ଟିକି ପଟୁଆର ।

 

ଦାଣ୍ଡ ମଝିରୁ ପାଣିଦଣ୍ଡ ଦଳ କେତେ ବେଳୁ ଚାଲିଗଲେଣି । ଦଣ୍ଡଦେଖା ଜମାଜମିଟା ଦାଣ୍ଡରୁ କମିଚି ସିନା, ଦାଣ୍ଡ ମୁହଁରୁ କେତେ ମୁହଁ ଦିଶୁଚି ।

 

ଆଗେଇ ଚାଲିଚି ସୁନ୍ଦରୀର ଟିକି ପଟୁଆର ।

 

ବିଛାବିଛି ସାଙ୍ଗେ ସାଙ୍ଗେ ଧୂଳି ମାଟିରୁ ବଛାବଛି ଓଲଟ ପାଲଟ । ଛୁଆନେଇ ଚାଲିଯାଉଚି ସୁନ୍ଦରୀଡରେଇବା ରୂପଟି ଦିଶୁଚି ।

 

ପଟୁଆର ଚାଲିଯାଉଚି—ପିଲାଛୁଆ ଉଙ୍କି ମରାଟା ଆଶଙ୍କା ଆଣୁଚି ।

 

ଗାଁ ଦାଣ୍ଡରେ ଏଇ ତ ଚାଲିଯାଉଚି ସୁନ୍ଦରୀର ପଟୁଆର ।

 

ଆଖଡ଼ା ଘର ଆଗ ଦେଇ ଚାଲିଯାଉଚି ।

 

ଆଖଡ଼ା ଘରର ବାତାବରଣ ବଦଳି ଯାଇଚି । ସେ ପାଖେ ଦଣ୍ଡ ନାଚ ହେବ ରାତିରେ । ଏ ପାଖରେ ଏ ପାଖ ଗାଁ । ପାଟି ଠିଆ କରିବାକୁ ସକାଳର ବନ୍ଦାଣ ଘେନା ବେଳଠୁ ଠିକ୍‌ ହେଇସାରିଚି ।

 

ଗୁରୁ କେତେବେଳୁ ହାତ ଛାଡ଼ି ବସିଗଲେଣି । ରାଣୀ ଅଭିନୟ ଶିଖୁଥିବା ଜଣକ ବେରିଆ ଧରି ସାଙ୍ଗରେ ଯାଉଚି । ନିୟତି ଜଣକ କାନ୍ଧେଇବା ଭିତରୁ ଜଣେ । ଚିଲର ଚିଲାମରା ମିଠେଇ ପାଇଁ କାନ୍ଦ ଶିଖୁ ଶିଖୁ ମାଉସୀର ଖବରଟା ଶୁଣି ଶିଖା କାନ୍ଦଟି ଉଠା କାନ୍ଦ ଭିତରେ ସତ୍ତା ହରେଇଥିବା ଅବସ୍ଥାରେ କେତେବେଳୁ ଚାଲିଗଲାଣି ହାଡ଼ିଆ । ଗଳାର ସ୍ଵରକୁ ଯନ୍ତ୍ରର ଲହର ଭିତରେ ହଜେଇ ଦଉଥିଲା ବେଳେ ଗୁରୁଙ୍କ ହାତ ଛଡ଼ା ଦେଖିଲା ବେଳଠୁ ଚନ୍ଦ୍ରଶେଠୀ ଏ ପାଖ ସେ ପାଖ ହଉଚିପଟୁଆର ଆଡ଼େ ଟିକିଏ ଟିକିଏ କଣେଇ ଚାହୁଁଚି—ଅଙ୍ଗ ଭଙ୍ଗିରେ ଉଦାସ ଭାବ ଫୁଟୁ ନ ଫୁଟୁଣୁ ମୁହଁ ଘୂରାଇ ଆଣୁଚି—ସ୍ଵରଟାକୁ ଭିତରେ ଭିତରେ ସଜେଇ ନଉଚି ।

 

ସୁନ୍ଦରୀର ଟିକି ପଟୁଆର ଦରଛପା ହେଲାଣି ।

 

ଏଇ ଏଥର ଛପିଯିବ ବାଙ୍କରେ ।

 

ବିଶି ଚାହିଁଚି । ଭିଜା ଆଖି ଫୁଲି ଫୁଲି ଉଠୁଚି । ଗଡ଼ୁଚି ଝରୁଚି, ଥିପୁଚି—ପୋଛି ପାରିନାଇଁ ।

 

ବିଶି ଚାହିଁଚି ।

 

ଏ ଆଡ଼ର ଦୋଳ ଦେଖିବାକୁ ଆସିଥିଲା । ଦୋଳ ଶେଷରେ ସ୍ମୃତିଟି ବି ଉଚ୍ଛ୍ୱାସ ଆଣୁଥିଲା—ହଜି ହଜି ଗଲାଣି ।

 

ସଂଜ ପହର ପରେ ବି ସେ ପାଖରୁ ଦିଶୁଥିଲା ଲିଭି ଲିଭି ଆସିଥିବା ଜୁଇ ଆଲୁଅ । ଛପିଲାଣି ।

 

ସଞ୍ଜ ପହର ପହରଟା ଗଡ଼ିଗଲାଣି ।

 

ଆର ପହର ବି ଗଡ଼ିବ ଏଥର–ଦାଣ୍ଡ ମଝିରେ ଦଣ୍ଡ ନିଆଁର ଝୁଣା ଖେଳ ଆରମ୍ଭ ହେଇଯିବ । ଦାଣ୍ଡ ମଝିରେ ଦଣ୍ଡର ନିଆଁ—ଝୁଣା ଖେଳ ଆରମ୍ଭ ହେଇ ଯାଇଚି । ଝକ୍‌ ଝକ୍‌, ଝିପ୍‌ ଝପ୍‌—ଆଲୁଅ କଣା ବିଛାଡ଼ି ହଉଚି । ପିଣ୍ଡାତଳ; ପିଣ୍ଡା ଉପର ଛାତି ପାଖ ଯାଏଁ—ଦରଉଠାଙ୍କର ରୂପଗୁଡ଼ିକ ଝକ୍‌ ଝକ୍‌ ଝପ୍‌ ଝପ୍‌ରେ ଆହୁରି ସ୍ପଷ୍ଟ ।

 

ପିଣ୍ଡା ତଳେ ବସି ଦେଖୁଚି ବିଶି ।

 

ଛାତିଯାଏଁ ଆଗେଇ ଆସି ଦେଖେ । ପିଣ୍ଡାତଳର ପାତଳା ଅନ୍ଧାର–ଜାକିଯୁକି ବସି ଯାଇଚି ।

 

ଥରକୁ ଥର ଆଖି ଫେରୁଚି—ସେଇ ଆଡ଼େ, ସଞ୍ଜ ଆଗରୁ ଆଲୁଅ ଦିଶୁଥିଲା ସେଇଆଡ଼େ ।

 

ସେଇ ଆଡ଼କୁ ଅନେଇଚି ବିଶି ।

 

ଘଡ଼ିମାରି ଉଠିଲାଣି—ସେଇ ଆଡ଼ଟା ଛଇଁ ହେଇ ଗଲାଣି ।

 

ସେଇଆଡ଼େ ଚାହିଁଚି । ଲଟା ବୁଦାରେ ଛାଇଁ ହେଇ ଆସୁଥିବା ପାହାଡ଼ ତଳର ସେଇ ଦରଭଙ୍ଗା, ଦରଉଠା—ଆଲୁଅରେ ଗାଧଉଚି ।

 

ସେଇଆଡ଼େ ଚାହୁଁଚି । ଫେରି ଫେରି ଆସୁଚି ।

 

ସେଇ ପାଖକୁ ଆଖି ଗଲାବେଳେ ଗାଁ ସେ ମୁଣ୍ଡଟା ଦିଶୁଚି । ବାଜା ବିଗୁଲ୍‌ରେ ଯୋଉ ଜାଗା ଫାଟି ପଡ଼ୁଥାନ୍ତା ସେ ଆଡ଼ଟା ସଞ୍ଜ ପହରରୁ ଖାଲି ଖାଲି ।

 

ବିଶି ଚାହିଁଚି । ଓଦା ଓଦା—ଢଳ ଢଳ–ମାଡ଼ି ମାଡ଼ି ଆସୁଚି ପତା ।

 

ରାତି ଅଧ ଆଡ଼କୁ ଚଢ଼େୟାନାଚର ଢିଗ୍‌ ଢିଗ୍‌ ଢିଚେ... ଢିଗ୍‌ ଢିଗ୍‌ ଢିଚେ...

 

ପତା ଖୋଲିଗଲା ।

 

କାଠ ମୁଖା ପିନ୍ଧା ଗନ୍ଧର୍ବ ଚଢ଼େୟା ଖସିପଡ଼ି ଜୀବ ଛାଡ଼ିବା ପରେ ଟିପଚଳା ଝିମେଇ ଯାଇଚି । ରୁଣ୍‌... ଝଣର୍‌...ଝଣର୍‌... ଚଡ଼େୟାଣିକୁ ବୁଝେଇଚାଲିଚି ଦିଅର ପିଲା—

 

ଯିଏ ମଲା ସିଏ ଗଲା,

ସଁସାରୁ ତ ଗଲା...

 

ବେଶ୍‌ ବେଳ ଯାଏ ବିଶିର ଆଖି ଲାଖି ରହିଥିଲା । ପୁଣି ଓଦା ଓଦା—ପୁଣି ବୁଜି ବୁଜି ହେଇ ଆସୁଥିଲା ।

 

ବୁଜିହୋଇ ଯାଇଥିଲା ପାହାନ୍ତା ପହରରେ ବୀଣାବାଡ଼ି ଝୁଣ୍‌ ଝାଣ୍‌ କରିବା ଯାଏ ।

 

ଆଠମଲ୍ଲିକ

ତା ୧୬ । ୭ । ୬୩

Image